Unknown

 

 

 

 

 

 

 

 

 

 

 

ମିତ୍ର ସ୍ୱଳ୍ପ

ବାମାଚରଣ ମିତ୍ର

 

ଉତ୍ସର୍ଗ

 

ପିତା ୰ କୃଷ୍ଣ ପ୍ରସାଦ ମିତ୍ରଙ୍କ ପୁଣ୍ୟ ସ୍ମୃତି ଉଦ୍ଦେଶ୍ୟରେ

 

ସୂଚିପତ୍ର

 

୧.

ମିମିର ଭୂଗୋଳ ଶିକ୍ଷା

୨.

ଚଳଚ୍ଚିତ୍ର

୩.

ଗୋଟିଏ ମକଦ୍ଦମାର ନଥି

୪.

ଯାତ୍ରା ପଥେ

୫.

ମହାତ୍ମା

୬.

ମାନବ ଓ ଦାନବ

୭.

ଜଳସ୍ତମ୍ଭ

୮.

ପିତା ଓ ପୁତ୍ର

୯.

କସ୍ତେ ପୁତ୍ରଃ

୧୦.

ଗୋଟିଏ ଇନ୍‍କୁଆରୀ

୧୧.

କଃ ପନ୍ଥା

୧୨.

ନିମନ୍ତ୍ରଣ

୧୩.

ଆଗନ୍ତୁକ

୧୪.

କୁକୁଡ଼ା ଚାଷ

୧୫.

ଛାଡ଼ପତ୍ର

୧୬.

ଇଚ୍ଛା ପୂରଣ

୧୭.

ଧ୍ୱନି

୧୮.

ବହୁମୁଖୀ

୧୯.

ଧଡ଼ିଭାଇ ସହିତ ଗୋଟିଏ ରାତ୍ରି

୨୦.

ପକ୍ଷାଘାତ

★★★

 

ମିମିର ଭୂଗୋଳ ଶିକ୍ଷା

 

ଜୀବନ ବାବୁ ମନସ୍ଥ କଲେ, ନା, ମିମିକୁ ଗଢ଼ିବାକୁ ହେବ... ।

 

ମିମି ତାଙ୍କର ଏକମାତ୍ର ବଂଶଧର । ବୟସ ବର୍ତ୍ତମାନ ନଅ ବର୍ଷ । ପଞ୍ଚମ ଶ୍ରେଣୀରେ ପାଠ ପଢ଼େ । ଜୀବନ ବାବୁ ଜୀବନପଣ କରି ତାକୁ ଗଢ଼ିବାରେ ଲାଗିଛନ୍ତି । ତାକୁ ଗଢ଼ିବାର ନାନା ଯୋଜନା ଅଛି ତାଙ୍କର । କିନ୍ତୁ ସେ ଯୋଜନା ସବୁ ସମ୍ଭାଳିବାରେ ମିମିର ବା ସାମର୍ଥ୍ୟ କେତେ ? ହେଲେ ଜୀବନ ବାବୁଙ୍କ ସେଥିପ୍ରତି ନଜର ନାହିଁ । ବ୍ୟର୍ଥତା ତାଙ୍କୁ କରିଛି ନିର୍ମମ ସ୍ୱପ୍ନବିଳାସୀ । ବ୍ୟର୍ଥତା ତାଙ୍କୁ କରିଛି ଅନ୍ଧ ଓ କ୍ରୂର ।

 

ସକାଳୁ ବ୍ୟାୟାମ, ତା’ପରେ ଦୁଇଟି ଅଣ୍ଡା ଓ ଗିଲାସେ ଲେମ୍ୱୁ ସରବତ ପରେ ନାଚ ଓ ଗୀତ ଶିକ୍ଷା, ତା’ପରେ ପଢ଼ା, ତା’ପରେ ତାଟିଆଏ ମାଂସ ସହ ଭାତ ଖାଇ ଇସ୍କୁଲ, ଇସ୍କୁଲରୁ ଫେରି ପୁଣି ଗୀତ, ଚାଲିଲା ଏମିତି ରାତି ଏଗାର ପର୍ଯ୍ୟନ୍ତ । ମିନିଟିଏ ବି ଫୁରୁସତ ନାହିଁ । ଗୃହିଣୀ, ଚାକର ବାକର ସମସ୍ତେ ଲାଗିଛନ୍ତି ମିମି ପଛରେ । ଟଙ୍କା ପାଣି ପରି ଖରଚ ହେଉଛି । ନଥିଲେ ଧାର ହେଉଛି, ଭ୍ରୂକ୍ଷେପ ନାହିଁ ସେଥିପ୍ରତି । ଚାକର ବାକରଙ୍କୁ ସୁବର୍ଣ୍ଣ ସୁଯୋଗ ପଡ଼ିଯାଇଛି, ବେଶ୍ ଦି ପଇସା ହାତପୈଠ ହେଉଛି ତାଙ୍କର ।

 

ହେଲେ ମିମିର ବା ଶକ୍ତି କେତେ ସେ ନିଆଁଗିଳା ଯୋଜନା ସବୁକୁ ସମ୍ଭାଳିବାକୁ । ସେ ଯୋଜନାରେ ମିମିର ମଙ୍ଗଳ ବା ଭବିଷ୍ୟତର ତ ସ୍ଥାନ ନାହିଁ, ଅଛି କେବଳ ଜୀବନ ବାବୁଙ୍କ ପ୍ରତିଷ୍ଠା ପାଇବାର ନିର୍ମମ ଅନ୍ଧ ବ୍ୟଗ୍ରତା । ସେ ଯୋଜନା ଭାରରେ ମିମି ନିଷ୍ପେଷିତ ହୋଇ ଦିନକୁ ଦିନ ଆହୁରି ଦୁର୍ବଳ ହୋଇ ପଡ଼ୁଛି ।

 

ମିମି ପଢ଼ାରେ ଭୁଲ କଲେ ଜୀବନ ବାବୁ ଯେତେବେଳେ ଧୈର୍ଯ୍ୟ ହରାଇ ତାକୁ ନିର୍ମମ ଭାବରେ ପ୍ରହାର କରନ୍ତି ସେତେବେଳେ ତାଙ୍କ ବଡ଼ ଭାଇ ତାଙ୍କୁ କହନ୍ତି, ଶାନ୍ତ ହ, ଶାନ୍ତ ହ, କାହିଁକି ସେଥିରେ ମାତିଚୁ, ଅସ୍ୱାଭାବିକ ଭାବରେ ଚେଷ୍ଟା କଲେ ଫଳ ଓଲଟା ହୁଏ । ଜୀବନ ବାବୁ ଥରେ ରାଗିଯାଇ କହିଲେ ତୁମର କଅଣ ଗଲା, ମୋ ଗାଈକୁ ମୁଁ ଲାଞ୍ଜବାଟେ ଖୋଇବି । ତାଙ୍କ ବଡ଼ ଭାଇ ହୃଦୟ ବାବୁ ମ୍ଳାନ ହସି କହିଥିଲେ, ‘ତୁ ବୁଝିପାରୁନୁ ଜୀବନ, ତୁ କେଡ଼େ ନିର୍ମମ ହୋଇ ଯାଉଚୁ । ଯେଉଁ ମିମିକୁ ତୁ...... ।’ ସେ ଆଉ କହି ନପାରି ମୁହଁ ବୁଲାଇ ଦେଇଥିଲେ ।

 

ମିମିର ସତେ ସେ ଦିନ ଆଉ ନାହଁ । ସରି ଯାଇଛି ସେ ଦିନ । ତାକୁ ଯେତେବେଳେ ଏକବର୍ଷ ବୟସ ସେତେବେଳେ ଦିନେ ତା’ର ବାପା ଶୋଇଥିବା ବେଳେ ମିମି ବାପାର ନାକକୁ ଅନେକ ବେଳ ଯାଏ ଦେଖି ଶେଷରେ ସିଦ୍ଧାନ୍ତ କଲା, ନାକଟା ନିହାତି ଅଡ଼ୁଆ କରୁଥବ ବାପାଙ୍କୁ ନିଶ୍ଚୟ । ନାକକୁ ସେ ଜାପୁଟି ଧରି ଉଠାଇ ଫିଙ୍ଗି ଦେବାକୁ ଚେଷ୍ଟା କଲା । ତାହାର ନଖରେ ବାପାଙ୍କ ନାକ ଚିରି ହୋଇଗଲା । ରକ୍ତ ବୋହିଲା । ଜୀବନ ବାବୁଙ୍କ ନିଦ ଭାଙ୍ଗିଗଲା ଚାଉଁକିନା କିନ୍ତୁ ସେ ଉଠି ପାରିଲେ ନାହିଁ କାଳେ ତାଙ୍କ ବୁକୁରେ ବସିଥିବା ମିମି ପଡ଼ିଯିବ ବୋଲି । ନିଜ ପଣତ କାନିରେ ରକ୍ତ ପୋଛି ସେ ହସି ମିମିକୁ ଚୁମ୍ୱନ ଦେଲେ । ତା’ପରେ ପାଣି ଲାଗି ସେ କ୍ଷତ ଘା ହୋଇ ଶୁଖିବାକୁ ଲାଗିଲା ଅନେକ ଦିନ । କିଛି ଖର୍ଚ୍ଚ ମଧ୍ୟ ହେଲା ସେଥିପାଇଁ । ସେ ଚିହ୍ନ ଆଜି ପର୍ଯ୍ୟନ୍ତ ଅଛି । ସେତେବେଳେ କିନ୍ତୁ ଜୀବନ ବାବୁଙ୍କୁ କେହି ଦାଗ କଥା ପଚାରିଲେ ସେ ହସି ହସି ତା’ର ଇତିହାସ କହୁଥିଲେ ଗର୍ବର ସହିତ, ସତେ ଯେମିତି କେଉଁ ଯୁଦ୍ଧରେ ସେ ଖଡ଼ଗ୍‍ଘାତର ଚିହ୍ନ-। ସତ କହିଲେ, ଏ ବି ତା ଜୀବନସଂଗ୍ରାମର ଗୋଟାଏ ଦିଗ ।

 

ଜୀବନ ବାବୁଙ୍କ ବଡ଼ ଭାଇ ଶାନ୍ତ ପ୍ରକୃତିର ଲୋକ । ସାମାନ୍ୟ ଗୋଟିଏ ଚାକିରି ତାଙ୍କର-। ଯାହା ସଚ୍ଚୋଟ ଉପାୟରେ ରୋଜଗାର କରନ୍ତି ସେଥିରେ ଦୁଃଖରେ ଚଳୁଥିଲେ ମଧ୍ୟ କେବେହେଁ ତାଙ୍କୁ କେହି ଆପତ୍ତି କରିବାର ଶୁଣି ନାହାନ୍ତି । ସଦାବେଳେ ହସ ହସ ମୁହଁଟି । କଚେରି କାମ ସାରି ସିଧାସଳଖ ଘରକୁ ଆସି ଗୁହାଳ ସଫା, ନର୍ଦ୍ଦମା ସଫା, କାନ୍ଥ ସିଲେଇ, ଭାଗବତ ପଢ଼ା, ପୂଜା ଆଦି କାମରେ ସେ ଲାଗି ଯାଆନ୍ତି । ତାଙ୍କର ସ୍ତ୍ରୀ ମଝିରେ ମଝିରେ ଦୁଃଖ କଷ୍ଟ କଥା କହି ବସିଲେ ସେ କହନ୍ତି, ଭଗବାନଙ୍କ ପ୍ରତ୍ୟେକ କଥାରେ ଆମେ ଯଦି ଆପତ୍ତି କରୁ ତେବେ ସୁଖ ମିଳିବ କେଉଁଠି-? ଲକ୍ଷେ ପାଇଲେ ବି ସୁଖ ପାଇବ ନାହିଁ । ସେ ଯାହା ଦେଉଛନ୍ତି ବୁଝି ଶୁଝି ଦଉଛନ୍ତି । ବେଶୀ ଦେଲେ ଆମେ ସମ୍ଭାଳି ପାରିବୁ ନାହିଁ ।

 

ସ୍ତ୍ରୀ କିନ୍ତୁ ଛାଡ଼ିବାର ନୁହେଁ । କହିଲେ, ‘ଏସବୁ ଅପାରଗ ଲୋକର କଥା । ତୁମ ଭଳି ଯଦି ସମସ୍ତେ ହୁଅନ୍ତେ ତାହାହେଲେ ଏ ଦେଶ କେବେଠୁଁ ଦରିଦ୍ର ହୁଅନ୍ତାଣି ।’

 

ହୃଦୟ ବାବୁ ହସି କହିଲେ, ‘ତା ହୁଏତ ସତ । କିନ୍ତୁ ଧନୀ ଉତ୍ସୃଙ୍ଖଳ ଦେଶ ବା ଲୋକ ତାହାଠୁ ଆହୁରି ବିପଦ୍‍ଜନକ । ଅନେକ ଲୋକର କଷ୍ଟ ଓ ମୃତ୍ୟୁର କାରଣ ହୁଏ ସେ ।’

 

ସ୍ତ୍ରୀ ଦୀର୍ଘ ନିଶ୍ୱାସ ପକାଇ କହିଲେ, ‘ତୁମରି ସାଙ୍ଗର କେତେ ଲୋକ ଉପରକୁ ଉପରକୁ ଯାଇ କେଉଁଠି ଉଠିଲେଣି, ଆଉ ତୁମେ....’

 

ହୃଦୟ ବାବୁ ହସିଲେ । କହିଲେ, ‘କେହି ସିନା ଆନନ୍ଦ କେମିତି ମିଳିବ ସେ ଚିନ୍ତା କରନ୍ତି, ନା ଖାଲି ଅନ୍ୟକୁ ଟପି ଯିବାର ଦୁଶ୍ଚିନ୍ତା ! ଜ୍ଞାନ ହେଉ, ଅର୍ଥ ହେଉ, କ୍ଷମତା ହେଉ, ଶକ୍ତି ହେଉ ସବୁଥିରେ ମୁଁ କେମିତି ଅନ୍ୟକୁ ଟପି ଯିବି । ଗାଗାରିନ୍ ମହାଶୂନ୍ୟକୁ ଗଲା ! ଅନେକ ଆକ୍ଷେପ କଲେ ଜଣେ ଋଷୀୟ ଏ କଥା ପାରିଲା, ଆମେ ପାରିଲୁ ନାହିଁ । କିହୋ, କେତେବର୍ଷ ପରର ଇତିହାସ କଅଣ କହିବ ଋଷୀୟ ଲୋକ ଯାଇଥିଲା, ଆଉ କେହି ପାରି ନଥିଲେ ? ମାନବ ଜାତିର ବିକାଶ ଇତିହାସ କହିବ ଅମୁକ ଯୁଗରେ ମାନବ ଜାତିର ବୁଦ୍ଧି ଏମିତି ବିକଶିତ ହୋଇଥିଲା-। ଯିଏ ବି ଯାହା କରୁଛି ସେ ଯଦି ମାନବ ଜାତିର ଚରମ ବିକାଶ ପାଇଁ କରେ ସେଥିରେ ସମସ୍ତଙ୍କର ମଙ୍ଗଳ । ନାହିଁ ତ ଗଳା କଟାକଟି ଯୁଦ୍ଧ । ସେ ବିକାଶରେ କିଛି ଲାଭ ନାହିଁ, ବରଞ୍ଚ ମରଣ ।’ ସ୍ତ୍ରୀ ତାଙ୍କର ମୁହଁ ମୋଡ଼ି ଚାଲିଗଲେ ।

 

ହୃଦୟ ବାବୁ ମିମିକୁ ଭାରି ସ୍ନେହ କରନ୍ତି । ମିମିର ମଧ୍ୟ ବଡ଼ବାପା ସବୁ । ଜୀବନ ବାବୁ ଯେତେବେଳେ ପଢ଼ାଉ ପଢ଼ାଉ ମିମିକୁ ପ୍ରହାର କରନ୍ତି ସେତେବେଳେ ହୃଦୟ ବାବୁ ତାଙ୍କ ଘର ଭିତରେ ଆଖି ବୁଜିଦେଇ ବସି ଲୁହ ପୋଛନ୍ତି । ନିହାତି ସହି ନପାରିଲେ ‘ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ’ ଜପନ୍ତି ।

 

ସେଦିନ ରାତିରେ ଜୀବନ ବାବୁ ଭୂଗୋଳ ପଢ଼ା ଦେଇ ଚାଲିଗଲେ ତୁଳାଭିଣାଳି ସଂଘକୁ-। ମିମି ଭୂଗୋଳ ମୁଖସ୍ଥ କରିବାକୁ ଲାଗିଲା...କେତେଗୁଡ଼ିଏ ଲୋକ ମିଶି ହୁଏ ଗୋଟିଏ ପରିବାର ଓ ଘର । କେତେଗୁଡ଼ିଏ ଘର ମିଳି ଗୋଟିଏ ଗ୍ରାମ ହୁଏ । କେତେଗୁଡ଼ିଏ ଗ୍ରାମ ମିଳି ଗୋଟିଏ ଥାନା, କେତେଗୁଡ଼ିଏ ଥାନା ମିଳି ହୁଏ ସବ୍‍ଡିଭିଜନ । କେତେଗୁଡ଼ିଏ ସବ୍‍ଡିଭିଜନ ମିଳି ଗୋଟିଏ ଜିଲ୍ଲା । କେତେଗୁଡ଼ିଏ ଜିଲ୍ଲା ମିଶି ଗୋଟିଏ ପ୍ରଦେଶ । କେତେଗୁଡ଼ିଏ ପ୍ରଦେଶ ମିଶି ହୁଏ ଗୋଟିଏ ଦେଶ । କେତେଗୁଡ଼ିଏ ଦେଶ ମିଶି ହୁଏ ଏକ ମହାଦେଶ । ଏପରି କେତେଗୁଡ଼ିଏ ମହାଦେଶ ମିଶି ପୃଥିବୀର ସ୍ଥଳଭାଗ ।

 

ମିମି ମୁହଁରେ ପଢ଼ି ଯାଉଛି ସତ, ମନ କିନ୍ତୁ ତା’ର ବଡ଼ ବାପାଙ୍କଠି ଓ ଶଙ୍କି ବିଲେଇଠି । ରାତି ଏଗାର ବାଜିଲାଣି । ବୋଉ ରୋଷେଇଶାଳରେ ଚୁଲି ମୁଣ୍ଡରେ ଶୋଇପଡ଼ିଛି । ମିମିକୁ ଖାଇବାକୁ ଡାକିବାକୁ ତାଙ୍କର ସାହସ ନାହିଁ । ଜୀବନ ବାବୁ ଏ ପର୍ଯ୍ୟନ୍ତ ଫେରି ନାହାନ୍ତି । ସେ ସେତେବେଳେ ବେଦ ଉପନିଷଦରୁ ଶ୍ଳୋକ ସବୁ ଉଦ୍ଧାର କରି ତୁଳାଭିଣାଳୀଙ୍କର ସମାଜରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାରେ ଲାଗିଛନ୍ତି । ଆରପଟ ଘରେ ହୃଦୟ ବାବୁ ଅଭୁକ୍ତ ବସିଛନ୍ତି । ମିମିର ପଢ଼ା ସରିଲେ ସେ ଓ ତା’ର ଶଙ୍କି ତାଙ୍କ ସଙ୍ଗେ ନିଇତି ଖାଆନ୍ତି । ଶଙ୍କି ଏପର୍ଯ୍ୟନ୍ତ ଖାଇନାହିଁ, ମ୍ୟାଉଁ ରଡ଼ି ଛାଡ଼ିଛି । ମିମି ଖାଇବାକୁ ନ ବସିଲେ ସେ ଖାଏ ନାହିଁ ।

 

ମିମିର ମନ ବଡ଼ ବାପାଙ୍କଠି ଆଉ ଶଙ୍କିଠି । ତଥାପି ସେ ଢୁଳାଇ ଢୁଳାଇ ପଢ଼ି ଚାଲିଛି-। ବାପାଙ୍କ କଡ଼ା ଆଦେଶ, ସେ ନ ଫେରିବା ପର୍ଯ୍ୟନ୍ତ ମିମି ଯେପରି ପଢ଼ା ଜାଗାରୁ ନ ଉଠେ । ସେ ଆଦେଶ ଅମାନ୍ୟ କରିବାକୁ କାହାରି ସାହସ ନାହିଁ । କିନ୍ତୁ ପାଠରେ ମନ ନଥିବାରୁ ମିମିର ସବୁ ଗୋଳେଇ ଗଲାଣି । ସେ ଢୋଳେଇ ଢୋଳେଇ କହି ଚାଲିଛି, କେତେଗୁଡ଼ିଏ ଦେଶ ମିଶି ହୁଏ ଗୋଟିଏ ଘର । ଘରେ ବଡ଼ ବାପା ଥାଆନ୍ତି । ଯେଉଁ ଘରେ ବଡ଼ ବାପା ଥାଆନ୍ତି ତାକୁ କହନ୍ତି ମହାଦେଶ, ସେଠି ଶଙ୍କି ଅଛି, ମୋତେ ଡାକୁଛି । ତା’ପରେ ତା’ର ହଠାତ୍ ଖିଆଲ ହେଲା କଅଣ ଗୁଡ଼ାଏ ସେ ଇୟାଡ଼ୁ ସିୟାଡ଼ୁ କହୁଛି । ଚମକି ପଡ଼ି ସେ ଆଖି ରଗଡ଼ି ପୁଣି ପଢ଼ା ମୁଖସ୍ଥ ହୋଇଛି କି ନା ବିଡ଼ିବାକୁ ଯାଇ ନିଜକୁ ନିଜେ ପ୍ରଶ୍ନ ପଚାରି ଉତ୍ତର ଦେବାକୁ ଲାଗିଲା...ହଁ...ହଁ...କେତେଗୁଡ଼ିଏ ପୃଥିବୀ ମିଳି କଣ ହୁଏ ଟି ? କଅଣ ହୁଏ ଟି ?

 

ଏହାର ଉତ୍ତର ସେ ଦେଇ ପାରିଲା ନାହିଁ । ବ୍ୟସ୍ତ ହୋଇ ସେ ବହିର ପତର ଓଲଟାଇବାକୁ ଲାଗିଲା । କେଉଁଠି ତା’ର ଉତ୍ତର ପାଇଲା ନାହିଁ ।

 

ହୃଦୟ ବାବୁ କାନ ପାରି ସବୁ ଶୁଣୁଥାନ୍ତି । ମୁରୁକି ମୁରୁକି ହସୁ ଥାଆନ୍ତି କିନ୍ତୁ ଆଖିରେ ତାଙ୍କର ଲୁହ ।

 

ଏହି ସମୟରେ ଶୁଭିଲା ଗର୍ଜନ, ମିମି ଏଇ ତୋର ପଢ଼ା ? ଜୀବନ ବାବୁ କେତେବେଳୁ ଗୁପ୍ତରେ ଛିଡ଼ା ହୋଇ ମିମିକୁ ଲକ୍ଷ୍ୟ କରୁଛନ୍ତି କାହାରିକୁ ଜଣା ନାହିଁ ।

 

ହୃଦୟ ବାବୁ ଓ ମିମିର ଛାତିରୁ ଅତଡ଼ା ଖସିପଡ଼ିଲା । ହୃଦୟ ବାବୁ ସବୁ ବାଧା ଏଡ଼ିଦେଇ ଦୌଡ଼ି ଆସି ଛିଡ଼ା ହେଲେ ମିମି ପାଖେ ।

 

ଜୀବନ ବାବୁ ଥରେ ତରାଟି ତାଙ୍କୁ ଚାହିଁ ମିମି ପାଖରୁ ବହି ଛଡ଼ାଇ ଦେଇ ପଚାରିଲେ, ‘କହ, ଗାଁ, ଥାନା, ସବ୍‍ଡିଭିଜନ, ଜିଲ୍ଲା, ପ୍ରଦେଶ, ଦେଶ, ମହାଦେଶ କାହାକୁ କହନ୍ତି ।’

 

ମିମି କେବଳ ବଲବଲ କରି ଚାହିଁଲା । ମନେ ତାର କିଛି ନାହିଁ । ସେ ସବୁ କଅଣ ସେ ବୁଝି ବି ପାରିଲା ନାହିଁ । ମଝିରେ ମଝିରେ ସେ କଣେଇ କଣେଇ ବଡ଼ ବାପାଙ୍କ ଆଡ଼େ ଚାହୁଁଥାଏ । ସେ ଚାହାଁଣି ଜୀବନ ବାବୁଙ୍କୁ ଉତ୍‍କ୍ଷିପ୍ତ କରିଦେଲା । କ୍ରୋଧରେ ସେ ବହିଟି ଫୋପାଡ଼ିଲେ ମିମି ଉପରକୁ । ଆଖି ପତାରେ ବହି ବାଜିଲା । ମିମି ଯନ୍ତ୍ରଣାରେ ଚିତ୍କାର କରିଉଠିଲା । ମିମି ବୋଉ ଧଡ଼ପଡ଼ କରି ଉଠି ବସି ଦୀର୍ଘ ନିଶ୍ୱାସ ପକାଇଲେ । ହୃଦୟ ବାବୁ ମିମିକୁ କୋଳକୁ ଉଠାଇ ନେଇ ଚାଲିଲେ ନିଜ ବଖରାପଟକୁ । ଜୀବନ ବାବୁ ତାଙ୍କ କୋଳରୁ ମିମିକୁ ଛଡ଼ାଇ ଆଣି ତଳେ କଚାଡ଼ି ଦେଇ ଦୁଇଗୋଡ଼ ଫାଙ୍କ କରି ତା ପାଖରେ ଛିଡ଼ା ହେଲେ ।

 

ହୃଦୟ ବାବୁ ହୃଦୟଙ୍ଗମ କଲେ, ବର୍ତ୍ତମାନ ବାଧା ଦେଲେ ଜୀବନ ବାବୁଙ୍କ ମିମି ଉପରେ ଅତ୍ୟାଚାର ବଢ଼ିଯିବ ସବୁ ରାଗ ଯାଇ ପଡ଼ିବ ମିମି ଉପରେ । ତେଣୁ ସେ ମିମିକୁ କୋଳକୁ ଆଉଯାଇ ନେଇ କହିଲେ, ଆଚ୍ଛା ତୁ ଦେଏଖେ ମୁଁ ତାକୁ ଦଶ ମିନିଟରେ ସବୁ ପଢ଼ା କରାଇ ଦେଉଛି ।

 

ମିମି ସାହସ ପାଇ ବହିଟି ଖୋଲି ବଡ଼ ବାପାଙ୍କ କୋଳକୁ ଆଉଜି ବସିଲା । ଜୀବନ ବାବୁ ରାଗରେ ତମତମ ହୋଇ ସେମିତି ଛିଡ଼ା ହୋଇ ରହିଲେ ।

 

ହୃଦୟବାବୁ ପଢ଼ାଇବାକୁ ଲାଗିଲେ, କିନ୍ତୁ ମିମିର ଲାଗିଗଲା ଗୋଟାଏ ଖେଳ, ପ୍ରଶ୍ନର ଖେଳ । ସେ ପଚାରିଲା, ‘ଆଚ୍ଛା ତେବେ, ବଡ଼ ବାପା କହିଲ କେତେଗୁଡ଼ିଏ ପୃଥିବୀ ମିଳି କଅଣ ହୁଏ ।’

 

ହୃଦୟ ବାବୁ ବଲ ବଲ କରି ଚାହିଁଲେ କିଛି କ୍ଷଣ । ତା’ପରେ କହିଲେ, ଏମିତି କେତେଗୁଡ଼ିଏ ପୃଥିବୀ ଭଳିଆ ଗ୍ରହ ମିଳି ହୁଏ ସୌର ଜଗତ । ‘ଏମାନେ ସୂର୍ଯ୍ୟ ଚାରିପଟେ ଚକାଭଉଁରୀ ଖେଳୁ ଥାଆନ୍ତି ।’

 

ମିମି ଆନନ୍ଦରେ ତାଳିମାରି କହିଲା, ‘ବାଃ ଭାରିମଜା । ଆଚ୍ଛା, ତେବେ କେତେଗୁଡ଼ିଏ ସୌରଜଗତ ମିଳି କ’ଣ ହୁଏ ?’ ପ୍ରଶ୍ନ ପଚାରି ସେ ବଡ଼ ବାପାଙ୍କ ମୁହଁ ସାମନାରେ ହାତ ହଲାଇ କହିଲା, ‘କହିତ ପା-ରି-ବ-ନା-ହିଁ ଆ-ଆ-ଆ-ଉ ।’ କହି ସେ ବଡ଼ ବାପାଙ୍କ ଅପାରଗତାରେ ମୁଗ୍ଧ ହୋଇ ଆନନ୍ଦରେ ବଡ଼ ବାପାଙ୍କ କୋଳରେ ଗଡ଼ି ଗଲା ।

 

ହୃଦୟ ବାବୁ କିନ୍ତୁ ଉତ୍ତର ଦେଲେ । ଆଖି ତାଙ୍କର ଛଳ ଛଳ । ସେ କହିଲେ, ‘ମା, କୃଷ୍ଣ ଯେତେବେଳେ ସାନ ପିଲାଟିଏ, ଦିନେ ସେ ଗୁରୁଣ୍ଡି ଗୁରୁଣ୍ଡି ବୁଲି ମାଟି ଖାଉଛନ୍ତି, ଯଶୋଦା କୃଷ୍ଣଙ୍କୁ ମାଟି ଖାଇବାର ଦେଖି ତାଙ୍କୁ ଧରି କହିଲେ, ଆଁ କର ପାଟି, ଆଁ କର । ଭଗବାନ ଆଁ କରି ଦେଲେ-। ଯଶୋଦା ତ ଦେଖି କାବା ।’ କଅଣ ଦେଖିଲେ ? ତା’ର ଉତ୍ତରରେ ହୃଦୟ ବାବୁ ଗାଇଲେ, ‘କୋଇଲି ହାଇ ଯେ ମାରଇ ପୁତ୍ର ତୁଣ୍ଡ, ତା ତୁଣ୍ଡେ ଦିଶିଲା ସପତ ବ୍ରହ୍ମାଣ୍ଡ ଲୋ କୋଇଲି ।’ ପୁଣି ଗାଇଲେ, ‘ବ୍ରହ୍ମାଣ୍ଡ ମାଳ ମାଳ ହୋଇ, ତା ପ୍ରତିଲୋମେ ବିରାଜଇ ।’

 

ଆଖି ପୋଛି ମିମିକୁ ଚୁମ୍ୱନ ଦେଇ କହିଲେ, ‘ମା ତୁ ଯେଉଁ ପ୍ରଶ୍ନ କଲୁ ସେ ଭୂଗୋଳ ନୁହେଁ, ଗୋଳ । ଏ ଯେତେ ସବୁ ସୃଷ୍ଟି ହୋଇଛି, ପରମାଣୁଠାରୁ ଆରମ୍ଭ କରି କୋଟି କୋଟି ମହା ମହା ସୂର୍ଯ୍ୟ ପର୍ଯ୍ୟନ୍ତ, ସବୁ ମିଶି ହେଉଛନ୍ତି ସେ । ମା, କେ କହିପାରିବ ତାଙ୍କ କଥା !’

 

ହୃଦୟ ବାବୁଙ୍କ ଆଖିରୁ ପାଣି ଝରି ପଡ଼ୁଥାଏ । ମିମି କଅଣ ବୁଝିଲା କେ ଜାଣେ ସେ ବି କାନ୍ଦି ପକାଇଲା ଭେଁ କରି ।

★★★

 

ଚଳଚ୍ଚିତ୍ର

 

ଫେ ଡ୍ଇନ୍—

ଜମିଦାର ଭୂପେନ୍ଦ୍ର ନାରାୟଣ ଭ୍ରମରବର ରାଏ ଜଳଖିଆ ସାରି ହାତ ଧୋଇବାକୁ ବାହାରିଲେ ବାଡ଼ିପଟକୁ । ଚାକର ପାଣିଢ଼ାଳ ଗାମୁଛା ଧରି ଆଗେ ଆଗେ ଗଲା । ରୋଷେଇ ଖଞ୍ଜା ପାର ହୋଇ ଖମାର ଖଞ୍ଜା ପାଖରେ ନଳାମୁହଁ ଖମାର କଣରେ ଯେଉଁଠି ବଡ଼ବଡ଼ ଘୁମ ସବୁ ରହିଚି, ସେଇଠି ଗୋଧୂଳିର ଅନ୍ଧାର ମେଞ୍ଚାଏ ଜମି ସାରିଲାଣି । ଭୂପେନ୍ଦ୍ର ସେ କଣବାଟେ ଚାଲି ଯିବାବେଳେ ଅନ୍ଧାର ଭିତରେ ଧଳା ହୋଇ କଅଣ ଟିକିଏ ହଲିଗଲା । ଭୂପେନ୍ଦ୍ର ଦେଖି ନଦେଖିଲା ପରି ମୁହଁ ହାତ ଧୋଇ ଗାମୁଛାରେ ପୋଛି ଆଉ ଖଞ୍ଜାକୁ ନ ଫେରି ବାଡ଼ିପଟ ଦେଇ ଚାଲିଗଳେ କଚେରି ଘରକୁ । ଗଲାବେଳେ କହିଗଲେ, ‘ମଦନା, ପାନ, ନଲଠଣ ଶୀଘ୍ର ନେଇଆ ।’

ଭୂପେନ୍ଦ୍ର ଚାଲିଯିବା ପରେ ଅନ୍ଧାର ଭିତରୁ ଗୋଟିଏ ଦୀର୍ଘ ନିଶ୍ୱାସ ଶୁଭିଲା । ସେ ଦୀର୍ଘ ନିଶ୍ୱାସରେ ଥିଲା ଗଭୀର ବେଦନାର ନିର୍ଲିପ୍ତତା ।

–କଟ୍–

ଫ୍ଲାଶ୍ ବ୍ୟାକ୍—

ଭୂପେନ୍ଦ୍ରକୁ ବର୍ତ୍ତମାନ ବୟସ ଶଇଁତିରିଶ । ଦଶବର୍ଷ ଆଗର କଥା । ଭୂପେନ୍ଦ୍ର କଲେଜର ପଢ଼ା ସାରି ଏମ୍. ଏ. ବି. ଏଲ୍. ପାଶ୍ କରି କଟକରୁ ନିଜ ଘରକୁ ଫେରିଚନ୍ତି । ଘରେ ବୋଉ ସତ୍ୟନାରାୟଣ ପାଲା ବସାଇଚନ୍ତି । ଠାକୁରଘର ଖଞ୍ଜାରୁ ମୃଦଙ୍ଗ ଓ ଗିନିର ତାନମାନ ଭିତରେ ଗାୟକର ପାଟି ଶୁଭୁଚି, କାଞ୍ଚନପୁର ଯୁବରାଜ କହିଲେ, ‘ମୁଁ ଯଶ ଅର୍ଜିବି । ମହାକବି କାଳିଦାସ କହିଚନ୍ତି, ରଘୁବଂଶ ପ୍ରଥମ ସର୍ଗରେ, ଯଶ ପାଇଁ କ୍ଷତ୍ରିୟ ରାଜାମାନେ ରାଜ୍ୟ ଜୟ କରନ୍ତି । ତେଣୁ...’ ଇତ୍ୟାଦି ଇତ୍ୟାଦି ।

 

ଭୂପେନ୍ଦ୍ର ମା’ଙ୍କୁ ପ୍ରଣାମ କରି କହିଲେ, ‘ବୋଉ, ମୁଁ ବିଲାତ ଯିବି । ବଡ଼ ବାରିଷ୍ଟର ହେବି-। ବେଶୀ ନୁହେଁ ବର୍ଷଟିଏ ରହିବି । ତୁ ଅନୁମତି ଦେ-।’

 

ମା’ ନିର୍ବାକ ଭାବରେ ପୁଅ ଆଡ଼େ ଚାହିଁ ରହିଲେ । ଆଖିରୁ ତାଙ୍କର ଦୁଇଧାର ଲୁହ ଅବିରାମ ଝରିବାକୁ ଲାଗିଲା । କିଛିକ୍ଷଣ ପରେ ଲୁହ ପୋଛି ସେ କହିଲେ, ‘ତୋର ବାରବର୍ଷ ବୟସରେ ତୋର ବାପା ଚାଲିଗଲେ । ତୁ ଗୋଟିଏ ବୋଲି ପୁଅ । ଧନର ଅଭାବ ନାହିଁ । ବସି ଖାଇଲେ ସାତ ପୁରୁଷ ଖାଇବ । ତୋତେ ମୁଁ ଦଣ୍ଡେ ହେଲେ ଆଖି ଆଢ଼ୁଆଳ କରି ନାହିଁ । ତୁ ଚାଲିଗଲେ ମୋ ଜୀବନ ରହିବ ତ ?’

 

ଭୂପେନ୍ଦ୍ର ବିରକ୍ତି ଚାପିଦେଇ କହିଲେ, ‘ବୋଉ, ଏଇଥି ପାଇଁ ତ...ନା, ମା, ମୁଁ ଯିବି, ଯିବାର ସବୁ ଯୋଗାଡ଼ କରି ସାରିଚି ।’

 

ମା’ ମୁଣ୍ଡରେ ହାତ ଦେଇ ବସିପଡ଼ିଲେ । ତା ପରେ ମୂର୍ଚ୍ଛା ଗଲେ । ଚାରିଆଡ଼େ ଚହଳ ପଡ଼ିଗଲା । ଭୂପେନ୍ଦ୍ର ମା’ଙ୍କୁ କୋଳକୁ ଟାଣିନେଇ ପାଣି ଛାଟ ମାରି ହୋସ୍ କରାଇ ଦୀର୍ଘନିଶ୍ୱାସ ପକାଇ କହିଲେ, ମୁଁ ତୋତେ ଛାଡ଼ି କେଉଁଠାକୁ ଯିବି ନାହିଁ ।

 

–ଓ୍ୟାଇଫ୍–

ଭୂପେନ୍ଦ୍ର ନତମସ୍ତକରେ ମାତାଙ୍କ ସମ୍ମୁଖରେ ଦଣ୍ଡାୟମାନ । ପାନ ଭାଙ୍ଗୁ ଭାଙ୍ଗୁ ମା କହିଲେ, ‘ଭୂପ, ତୋ ବାପା ମଲାବେଳେ କହିଯାଇଥିଲେ ରାଜନପୁର ଜମିଦାରଙ୍କ ଝୁଅ ସହିତ ତୋର ବାହା ଦେବାକୁ । ଝୁଅଟିକୁ ମୁଁ ଦେଖିନାହିଁ । ଶୁଣିଚି ଦେଖବାକୁ ମନ୍ଦନୁହେଁ । ଭଲ ପାଠଶାଠ ପଢ଼ିଚି, ପାଶ୍ କରିଚି, ବୃତ୍ତି ପାଇଚି । ବାପ ଅନ୍ତେ ସେଇ ସବୁ ସମ୍ପତ୍ତିବାଡ଼ି ପାଇବ । ଆଉ କେହି ନାହାନ୍ତି ତା ବାପର । ଝୁଅଟିକୁ ଦେଖିବା ଦରକାର ନାହିଁ । ତୋ ବାପା ଆଜ୍ଞା ଦେଇ ଯାଇଚନ୍ତି । ଦେଖି ଆଉ ଲାଭ କ’ଣ । କାଲି ରାଜନପୁର ଗୁମାସ୍ତା ଆସିଥିଲା । ଆର ମାସ ଦଶ ଦିନକୁ ଦିନ ଠିକ୍ କରିଚି । ଝିଅଟି ନା’ ତୁଳସୀ...ଆହା... ।

ଭୂପେନ୍ଦ୍ରର ଆଉ ଗୋଟିଏ ସ୍ୱପ୍ନ ଭାଙ୍ଗିଗଲା । ମନଟା ତାଙ୍କର ଏଥର ଭାରି ଚିଡ଼ି ଉଠିଲା; କିନ୍ତୁ କିଛି ନ କହି ସେ ମୁହଁ ତଳକୁ ପୋତି ଛିଡ଼ାହେଲେ ।

ମା କହିଲେ, ‘କିରେ କହୁନୁ, ଲାଜ କଅଣ ? ହଉ ବୁଝିଲି, ଯା, ଯା’ ।

ଭୂପେନ୍ଦ୍ର କିଛି ଗୋଟାଏ କଟୁ କଥା କହିବାକୁ ଯାଇଥିଲେ; କିନ୍ତୁ କେବଳ ‘ବୋଉ...’ କହି ଓଠରେ ଓଠ ଚାପି ନୀରବ ରହିଲେ ।

ମା’ ହସି ହସି କହିଲେ, ‘କହ, କହ, ଦେଖିବାକୁ ଯିବୁ ଝିଅକୁ... ହଉ...’

‘ନା, ମୁଁ ସେ କଥା କହୁ ନଥିଲି, କହୁଥିଲି...ନା...ଥାଉ, କହି ଭୂପେନ୍ଦ୍ର ଚାଲିଗଲେ ।

–ଓ୍ୟାଇପ୍–

 

ମଧୁଶଯ୍ୟା ରାତ୍ରି । ରାତି ଏଗାର ବାଜିଲାଣି । ତୁଳସୀର ସମବୟସୀ ଗୋଟିଏ ବାଳିକା ତୁଳସୀକୁ ଧରି ଆଣି ଘରେ ଖଟ ଉପରେ ବସାଇ ଦେଇ ତାର ଓଢ଼ଣା ଟେକି ଚାହିଁ ରହିଲା । ବାଳିକାଟି ଏଇ ଗାଁ’ର । ଏପର୍ଯ୍ୟନ୍ତ ବିବାହ ହୋଇନାହିଁ, ନାଁ ତାର ଲବଣୀ । ଲବଣୀର ଚରିତ୍ର ତୁଳସୀର ଚରିତ୍ରର ଠିକ୍ ଓଲଟା । ତୁଳସୀ ଧୀରସ୍ଥିରା, ସଂଯତବାକ୍, ବୁକୁ ଫାଟିଗଲେ ମୁହଁରୁ ପଦେ କଥା ବାହାରିବ ନାଇଁ । ଲବଣୀ ଚପଳା, ସେ ଯେଉଁଠି ଥିବ ତାର କଳହାସ୍ୟରେ ସେ ସ୍ଥାନ ଉଛୁଳି ଉଠୁଥିବ । ତୁଳସୀର ଦେହର ରଙ୍ଗ ଘୋର କାଳିଆ, କପାଳ ଉଚ୍ଚ, ଦନ୍ତପଙ୍‍କ୍ତି ଈଷତ୍ ଉନ୍ନତ; କିନ୍ତୁ ଲବଣୀର ଦେହର ରଙ୍ଗ ଆଉଟା ସୁନା ପରି । ତୁଳସୀ ଲବଣୀକୁ ଦେଖି ଚମତ୍କୃତା ହେଲେ ।

 

ତୁଳସୀ ଦେଖି ଲବଣୀ ଖିଲି ଖିଲି ହସି ଉଠିଲେ । ତୁଳସୀ ଅପ୍ରସ୍ତୁତ ହୋଇ ଓଢ଼ଣା ଟାଣି ତଳକୁ ମୁହଁ ପୋତି ବସି ରହିଲେ । ଲବଣୀ ତାର ଓଢ଼ଣା ତଳକୁ ଖସାଇ ଦେଇ ଚିବୁକ ଟେକି ଧରି କିଛିକ୍ଷଣ ଚାହିଁ ହଠାତ୍ ତୁଳସୀ ମୁହଁରେ ଗୋଟିଏ ଆମ୍ୱକଷି ଗେଞ୍ଜି ଦେଇ କହିଲେ, ‘ଆଜିଠୁ ତୁମେ ମୋର ଆମ୍ୱକଷି ।’

 

ଦୁଇ ସଖିଙ୍କ ଭିତରେ ଅନେକକ୍ଷଣ କଥାହେଲା । ଲବଣୀ କହିଲେ, ଆମ୍ୱକଷି ! ଆସିଲ ଯଦି ଏତେ ଡେରିରେ କାହିଁକି ଆସିଲ । ଆଉ କେତୁଟା ଦିନ ପରେ ତ ମୁଁ ଚାଲିଯିବି ବାହାହୋଇ ବହୁତ ଦୂର ଦେଶକୁ । ମୋତେ କିନ୍ତୁ ଭୁଲିବ ନାହିଁ, କୁହ ।’

 

ତୁଳସୀ ଲବଣୀର ହାତରେ ହାତ ରଖି କେବଳ ଅନାଇ ରହିଲେ । ଆଖି ତାଙ୍କର ଛଳ ଛଳ ହୋଇଗଲା । ଲବଣୀ ଅଧୀର ଭାବରେ କାନ୍ଦି ପକାଇଲେ ।

 

ଅତିଥିମାନେ ଖିଆପିଆ ସାରି ବିଦାୟ ନେଲେଣି ଜମିଦାର ଘର ପ୍ରାୟ ନୀରବ ହୋଇ ଆସିଲାଣି । କେବଳ ବାଡ଼ିପଟେ କୁକୁରମାନଙ୍କର କଜିଆ ଓ ଠାକୁର ଖଞ୍ଜାରୁ ପୂଜାବାଲାମାନଙ୍କର ଗୀତ ଭାସି ଆସୁଚି ।

 

ଲବଣୀ କହିଲା, ‘ଆମ୍ୱକଷି ! ଯାଏଁ ଏଥର । ମନେ ମନେ କହୁଥିବ ପୋଡ଼ାମୁହିଁ କାହିଁକି ବସି ବଜର ବଜର ହେଉଚି । ମୁଁ ବୁଝିପାରୁଚି ଯେ, ନା ଯା’ ଏଥର । ସାଆନ୍ତେ ଆସିବେ ଏଇକ୍ଷଣି ।

 

ଲବଣୀ ଚାଲିଗଲେ । ଭୟ, ଆନନ୍ଦ, ଲଜ୍ଜା, ଅନିଶ୍ଚିତତା ଆଦି ନାନା ଭାବନାରେ ତୁଳସୀଙ୍କ ନିଃଶ୍ୱାସ ରୁଦ୍ଧ ହୋଇଆସିଲା । କିଛିକ୍ଷଣ ପରେ ପ୍ରବେଶ କଲେ ଭୂପେନ୍ଦ୍ର । ତୁଳସୀ ଓଢ଼ଣା ଟାଣି ବସି ରହିଲେ । ଭୂପେନ୍ଦ୍ର ଆସି ନବ-ବଧୂର ଓଢ଼ଣା ଟେକି ଚାହିଁଲେ । ତୁଳସୀ ଦେବୀଙ୍କ ଛାତିରୁ ଅତଡ଼ା ଖସି ପଡ଼ିଲା । ସେ ଜୀବନରେ ସ୍ୱାମୀସୁଖ ପାଇବେ କି ଦୁଃଖ ପାଇବେ ସ୍ୱାମୀଙ୍କର ଏଇ ଚାହିଁବାରେ ହିଁ ଚିରଦିନ ପାଇଁ ଗୋଟାଏ ନିଷ୍ପତ୍ତି ହୋଇଯିବ । ଭୂପେନ୍ଦ୍ର ଚାହିଁ ଓଢ଼ଣା ପକାଇ ଦେଇ ଅନ୍ୟବଡ଼େ ମୁହଁକରି ପଡ଼ି ରହିଲେ । କ୍ରୋଧ, ଅପମାନ, ହତାଶରେ ସେ କାନ୍ଦି ପକାଇଲେ । ତୁଳସୀ ପଥର ମୂର୍ତ୍ତି ଭଳି ସେମିତି ବସି ରହିଲେ । ଆଖିରୁ ତାଙ୍କର ଲୁହଧାର ଅବିରାମ ଝରିବାକୁ ଲାଗିଲା; କିନ୍ତୁ ମୁହଁରୁ ସାମାନ୍ୟ ଟିକିଏ ଶବ୍ଦ ବାହାରିଲା ନାହିଁ । ଥରେ ଭାବିଲେ ସ୍ୱାମୀଙ୍କ ଗୋଡ଼ଧରି କହିବେ, ‘ମୋର ଆଉ କିଛି ଲୋଡ଼ାନାହିଁ, ଖାଲି ଦୂରରୁ ତୁମ ପୂଜା କରିବାକୁ ମୋତେ ଅନୁମତି ଦିଅ !’ କିନ୍ତୁ ଏତିକି କହିବାକୁ ଯେଉଁ ସୌନ୍ଦର୍ଯ୍ୟ ଦରକାର ତା ମଧ୍ୟ ତାଙ୍କର ନାହିଁ ।

 

ଠାକୁର ଖଞ୍ଜାରୁ ପୂଜାବାଲାମାନଙ୍କର ପାଟି ଶୁଭୁଥିଲା, ମଉନବତୀ କହିଲେ, ନାଥ...’’ ଗାୟକ କହିଲେ । ପାଳିଆ କହିଲା, ‘‘ଓ’’ ।

–ନାଥ, ମୁଁ କୁରୂପା । ହେଲେ କେତେ ଦାସୀ ଆପଣଙ୍କର ଅଛନ୍ତି । ମୋତେ ସେଇ ଦାସୀମାନଙ୍କ ପରି ତୁମର ପୂଜା କରିବାକୁ ଦିଅ । ଏଇଠି କବିଗୁରୁ ରବୀନ୍ଦ୍ରନାଥ କହିଲେ—

—କଅଣ କହିଲେ...

—କହିଲେ, ଆଁ ହାଁ...ଆଁ...ଆଁ...ପରାଣେ ଭଲବାସା କେନ ଗୋ...ଓ...ଓ ଦିଲେ...ଏ...ଏ, ରୂପ ନା ଦେଲ ଯଦି ବିଧି ହେ...ଏ...ଏଏଏ...ଏ । ଆଜ୍ଞା, ପୂଜାର ତରେ ହିୟା, ଉଠୁଚି ଉଛୁଲିୟା, ପୂଜିବ ତାରେ ଗିୟା କି ଦିଏ...ଏଏଏ...ଏ ।

ଝମ୍ ଝମ୍ ଝମ୍ । ......ବଡ଼ଝଞ୍ଜ କହିଲା । ଗୁମୁ ଗୁମୁ ଧା ଧିନ୍ନା, ତାକଧିନନା...ମୃଦଙ୍ଗ କହିଲା ।

–ଓ୍ୟାଇପ୍–

ପରଦିନ ରାତ୍ରି । ଖାଇସାରି ଭୂପେନ୍ଦ୍ର ବାହାରିଲେ କଚେରି ଘରେ ଶୋଇବାକୁ । ମା’ ପଚାରିଲେ, ‘କିରେ ସିଆଡ଼େ କୁଆଡ଼େ ଯାଉଚୁ ?’

–‘ନା, ବୋଉ, କାଲି ସକାଳୁ ହରିପୁରକୁ ଯିବି ବାକିଆ ଖଜଣା ଆଦାୟ କରିବାକୁ । ଆଜି ରାତି ଭିତରେ କାଜଗ ପତ୍ର ସଜାଡ଼ି ରଖିବାକୁ ହେବ ।’

 

ମା’ ଦୀର୍ଘ ନିଃଶ୍ୱାସ ପକାଇ ଉଠି ଛିଡ଼ାହୋଇ ଦେଖିଲେ, ବୋହୂ ପଛରେ ଛିଡ଼ା ହୋଇଚି-। ବୋହୂକୁ ଦେଖି ମନେ ମନେ ସେ କହିଲେ—‘ଅଲକ୍ଷଣୀଟା । କାହିଁକି ଥରେ ଦେଖିବାକୁ ଗଲିନାହିଁ ମୁଁ । ମୋ ପୁଅ କଅଣ କରବ ଲୋ । ହେ ମା’ ମଙ୍ଗଳା, ନେଇଯାଅ, ନେଇଯାଅ, ଦରକାର ନାହିଁ ଏ ବୋହୂ ମୋର ।’

 

ତୁଳସୀ ଗୋଟିଏ ଦୀର୍ଘ ନିଃଶ୍ୱାସ ପକାଇ ଯାଇ ଖଟ ଉପରେ ବସିଲେ । ଆଖିରୁ ତାଙ୍କର ପାଣି ଶୁଖି ଯାଇଥିଲା । ଖଟ ଉପରୁ ଯେତେବେଳେ ଉଠିଲେ ସେତେବେଳେ ସୁନ୍ଦରା ଫାଟିଲାଣି ।

 

ସେଇଦିନୁ ଭୂପେନ୍ଦ୍ର ରାତିରେ ଆଉ ଶୋଇବା ଖଞ୍ଜାକୁ ଆସନ୍ତିନାହିଁ ।

 

–କଟ୍–

 

ଦୁଇବର୍ଷ ପରେ ।

 

ଭୂପେନ୍ଦ୍ର କଚେରି ଘରେ କାର୍ଯ୍ୟବ୍ୟସ୍ତ; କିନ୍ତୁ ମନ ତାଙ୍କର ଉଦାସୀନ । ଲେଖୁ ଲେଖୁ କଲମ ହାତରୁ ଖସି ପଡ଼ୁଚି । କଚେରି ଘର ଘଡ଼ିରେ ଢଂ ଢଂ କରି ଦୁଇଟା ବାଜିଲା ।

 

–ଓ୍ୟାଇପ୍–

 

ଆହୁରି ଦୁଇବର୍ଷ ପରେ । ଭୂପେନ୍ଦ୍ର ଧର୍ମକର୍ମାନୁରାଗୀ, ସଂସାର ପ୍ରତି ବୀତରାଗ । କଚେରି ଘରେ ଗୁରୁଦେବ ବସିଛନ୍ତି ।

 

ଭୂପେନ୍ଦ୍ର ପଚାରିଲେ, ‘ମୋତେ ବାଟ ଦେଖାଇ ଦିଅ । ଏ ଜୀବନକୁ ସବୁ ଦିଗରୁ ଉପଭୋଗ କରିବି ନା ଉପଭୋଗର ସମସ୍ତ ଦୁଆର ବନ୍ଦ କରିଦେଇ କୃଚ୍ଛ୍ର ସାଧନ କରିବି ?’

 

‘ବତ୍ସ–ଗୁରୁଦେବ ଭୂପେନ୍ଦ୍ର ମୁଣ୍ଡ ଉପରେ ହାତ ରଖି କହିଲେ, ‘ଇନ୍ଦ୍ରିୟରୋଧ କଲେ ତାର ବାହାର ପ୍ରକାଶ ସିନା ବନ୍ଦ ହୋଇପାରେ; କିନ୍ତୁ ଭିତରେ ବିକୃତି ସୃଷ୍ଟି କରେ । ସେ କୃଚ୍ଛ୍ର ସାଧନାରେ କିଛି ଲାଭନାହିଁ...’

 

—ତେବେ ? ତେବେ କଅଣ...

 

—ହଁ, ହଁ । ଭୋଗଦ୍ୱାରା ତ୍ୟାଗ ଆଣିବାକୁ ହେବ । ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ମନରେ ଇନ୍ଦ୍ରିୟ ଲାଳସା ରଖି ଯେ କେବଳ କର୍ମେନ୍ଦ୍ରିୟ ସଂଯତ କରେ, ସେ ମିଥ୍ୟାଚାରୀ-। ତେଣୁ ଭଗବାନ୍ କହିଚନ୍ତି, ଜୀବନ ପ୍ରକୃତିର ଅନୁଗାମୀ, ନିଗ୍ରହଦ୍ୱାରା କୌଣସି ଲାଭ ନାହିଁ-। ଉପଭୋଗ କର, ଉପଭୋଗ କର; ଦେଖିବ ତ୍ୟାଗ ଆପେ ଆପେ ଆସିଯିବ ।

 

ଭୂପେନ୍ଦ୍ର ମାନସପଟରେ ଗୋଟିଏ ସୁନ୍ଦର ମୁହଁ ଅଙ୍କିତ ହୋଇଗଲା ।

 

–ଓ୍ୟାଇପ୍–

 

ଭୂପେନ୍ଦ୍ର ପରଦିନ ବାହାରିଲେ ହରିପୁର ।

 

–ଓ୍ୟାଇପ୍–

 

କିଛିଦିନ ପରେ ମା’ ପୁତ୍ରର ବିପଥ ଗମନରେ ବ୍ୟଥିତା । ତୁଳସୀ ପାନବଟା ରଖି ଦେଇଗଲେ । ମା’ କହିଲେ, ‘ମରୁନାହୁଁ ବୋହୁ ! ଆମ ବାଡ଼ି ପୋଖରୀରେ ଏତେ ପାଣି...’

 

ତୁଳସୀ ଦୀର୍ଘନିଃଶ୍ୱାସ ପକାଇ ଛିଡ଼ାହୋଇ ରହିଲେ ।

 

ମା’ ବକି ଚାଲିଲେ, ‘ପୁଅତ ମୋର ହରିପୁରରେ ରହିଲା । ତୋରି ପାଇଁଲୋ ବାନରୀ । ମୁଁ କାଲି ଯିବି ପୁଅକୁ ଫେରାଇ ଆଣିବି ଯେମିତି ହେଲେ ।’

 

ତୁଳସୀ ଦେବୀ ନୀରବରେ ଚାଲିଗଲେ ।

 

–ଓ୍ୟାଇପ୍–

 

ଭୂପେନ୍ଦ୍ର ଫେରିଚନ୍ତି । କିନ୍ତୁ ଖଞ୍ଜା ଭିତରକୁ ନୁହଁ । ବାହାରେ କଚେରି ଘରେ ତାଙ୍କର ଶୋଇବାର ସ୍ଥାୟୀ ବନ୍ଦୋବସ୍ତ କରିଛନ୍ତି ।

 

–ଓ୍ୟାଇପ୍–

 

ଭୂପେନ୍ଦ୍ର ଦିନ ରାତି ଭିତରେ ଦୁଇଥର ଖଞ୍ଜା ଭିତରକୁ ଆସନ୍ତି–ଥରେ ଦିନ ଦଶଟାବେଳେ ଖାଇବାକୁ, ଆଉଥରେ ସନ୍ଧ୍ୟାବେଳେ ଜଳଖିଆ ପାଇଁ । ରାତିର ଖାଇବା ତାଙ୍କର କଚେରି ଘରକୁ ଯାଏ । ଭୂପେନ୍ଦ୍ର ଫେରିବା ପରେ ପାଞ୍ଚବର୍ଷ ବିତି ଗଲାଣି । ନିତି ଭୂପେନ୍ଦ୍ର ଜଳଖିଆ ଖାଇ ସାରି ଯେତେବେଳେ ମୁହଁ ଧୋଇବାକୁ ଖମାର ଯାଆନ୍ତି, ସେତେବେଳେ ଘୁମ କଣ ଅନ୍ଧାରରୁ ଗୋଟିଏ ଦୀର୍ଘନିଃଶ୍ୱାସ ବାହାରି ଆସେ ଆଶା, ଆବେଦନ ନେଇ । ସେ ଦିନ ମଧ୍ୟ ସେମିତି ।

 

ଭୂପେନ୍ଦ୍ର ଚାଲିଯିବା ପରେ ତୁଳସୀ ଅନ୍ଧାରରୁ ବାହାରି ବାଡ଼ି କବାଟ ଯେମିତି ଖୋଲିଚନ୍ତି ଝଙ୍କାଳିଆ କାମିନୀଗଛ ତଳର ଗହଳିଆ ଅନ୍ଧାର ଭିତରୁ ‘‘ଖେଁ ଖେଁ’’ ଗୋଟାଏ ଶବ୍ଦ ଶୁଭିଲା । ତୁଳସୀ ଭଲ କରି ଚାହିଁ ଦେଖିଲେ ଅନ୍ଧାର ଭିତରେ ଧଳା ହୋଇ ମେଞ୍ଚାଏ କଅଣ ଦିଶୁଚି-। ଆହୁରି ଭଲ କରି ଚାହିଁ ଦେଖିଲେ ସେ ଧଳା ମେଞ୍ଚାକ କୁଦି କୁଦି ତାଙ୍କରି ଆଡ଼କୁ ଆସୁଚି-। ତୁଳସୀ ଏଥର ଭୟରେ ଯେମିତି ‘ବୋ...’ ବୋଲି ପାଟିକରି ଉଠିଲେ, ସେ ଧଳା ମେଞ୍ଚାକ ଛିଡ଼ା ହୋଇ ହାତ ବଢ଼ାଇ ତାଙ୍କ ପାଟି ଚିପିଧରି କହିଲା, ‘ଆମ୍ୱକଷି, ଡରିଗଲୁ କି ? ମୁଁ ପରା-!’

 

ତୁଳସୀ ଆଖିରୁ ପାଣି ଝରି ପଡ଼ିଲା । ସେ କହିଲେ, ‘ଆମ୍ୱକଷି ଏତେ ଦିନକେ ମନେ ପଡ଼ିଲା ! ଶାଶୁଘର କଅଣ ଆଉ କେହି କରୁନାହାନ୍ତି ? ବାପଘରକୁ କଅଣ ସମସ୍ତେ ତୋ ପରି ପାସୋରି ଯାଉଛନ୍ତି ? କେବେ ଆସିଲୁ ?’

 

ଲବଣୀ କହିଲେ, ‘ଆଜି ଆସିଲି । ହଠାତ୍ ଆସି ତୋତେ ଦେଖାଦେଲେ ଯେଉଁ ଆନନ୍ଦ ତୁ ପାଇବୁ ତାରି ପାଇଁ ଆଗରୁ କିଛି ଜଣାଇନାହିଁ । ଆମ୍ୱକଷି, ଶାଶୁ, ନଣନ୍ଦ ତ ମୋର କେହି ନାହାନ୍ତି । ବାହା ହୋଇ ପହଞ୍ଚୁ ପହଞ୍ଚୁ ସବୁ ସମ୍ଭାଳିବାକୁ ହେଲା । ମରିବାକୁ ତର ନାହିଁ ସେଠି ।’

 

ଲବଣୀ ପ୍ରଗଳ୍‍ଭା, କିନ୍ତୁ ବୁଦ୍ଧିମତୀ । ନିଜର ସ୍ୱାମୀ ସନ୍ତାନ ସୁଖ କଥା କହିଲେ ଆମ୍ୱକଷି ମନରେ କଷ୍ଟ ହେବ ବୋଲି ତୁଳସୀ ଯେତେ ପଚାରିଲେ ବି ସେ ସେକଥା ଏଡ଼ି ଦେଇ ଅନ୍ୟ କଥା କହେ ।

 

ତୁଳସୀ ହସି କହିଲେ, ‘ଆମ୍ୱକଷି, ତୁ କଅଣ ଭାବୁଚୁ ତୋ ସୁଖ କଥା ଶୁଣି ମୋ ମନରେ କଷ୍ଟ ହେବ ?’

 

ଲବଣୀ ଅପ୍ରସ୍ତୁତ ହୋଇ କହିଲେ, ‘ନା ଲୋ ଆମ୍ୱକଷି, ସେ ଜଞ୍ଜାଳ କଥା କେତେ କହିବି । ଆଚ୍ଛା ଆମ୍ୱକଷି, ତୋତେ ଦିନେ ହେଲେ ପଦେ କଥା ବି ସେ କହି ନାହାନ୍ତି ?’

 

—ନା

 

—ତୁ କେମିତି ସହିଚୁ ଲୋ ଆମ୍ୱକଷି, ମୁଁ ହେଇଥିଲେ ତ...

 

—କଅଣ କରିଥାଆନ୍ତୁ ?

 

–ଆଚ୍ଛା, ସେ ମାଇକିନିଆଟା ଅଛି, ନା ତାକୁ ଛାଡ଼ି ଦେଲେଣି ? ଛି, ଛି ସାଇ ସାଆନ୍ତେ ଏମିତି ହେବେ, କିଏ ଜାଣିଥିଲା ।

 

–‘ଆଉ କଅଣ କରନ୍ତେ ଯେ ସେ । ମୋର ତ ରୂପ ଦେଖୁଚ, ସେ କଅଣ ଏ ଯୁବା ବୟସରେ ତପସ୍ୟା କରନ୍ତେ । ପୁରୁଷଟି ସିଏ ।

 

—ପୁରୁଷ ବୋଲି କଅଣ ସାତଖୁଣ ମାଫ୍ । ଯଦି ସେ ଏମିତି ହେଲେ... ମୁଁ ହୋଇଥିଲେ, ମୁଁ ବି...ମୋର ତ ସେ ଅଧିକାର ଅଛି...’

 

—ଛି, ଛି କଅଣ କହୁଚୁ ତୁ । ସେମାନେ ହେଲେ ପୁରୁଷ, ତାଙ୍କର ସେଥିରେ ଦୋଷ ନାହିଁ । ଆମେ ପରା ସ୍ତ୍ରୀ, ଆମେ ପରା ମା’ଜାତି, ଦଶ ମାସ ପିଲା ପେଟରେ ଧରିବୁ, ପିଲା ମଣିଷ କରିବୁ । ଏ ସଂସାର ଚଳାଇବାକୁ ଭଗବାନ ପରା ସଂସାରର ସବୁ ଦାୟିତ୍ୱ ଆମ ଉପରେ ଲଦି ଦେଇଚନ୍ତି । ଆମେ ଉଚ୍ଛୃଙ୍ଖଳ ହେଲେ ଏ ସଂସାର ଭୁଷୁଡ଼ି ପଡ଼ିବ ଯେ...

 

–ଆମ୍ୱକଷି, ତୁ ଏତେ ପାଠ ପଢ଼ିଚୁ, ଆଜି କାଲିକା ଯୁଗରେ ତୁ ଏକଥା କହୁଚୁ । ଆଜିକାଲି ନାରୀମାନେ ସ୍ୱାଧୀନ । ପୁରୁଷର ଅଧିକାର ସଙ୍ଗେ ଆମର ଅଧିକାର ସମାନ ।

 

ତୁଳସୀ ହସି କହିଲେ, ‘ସ୍ୱାଧୀନ ଆମେ ଚିରଦିନ ଥିଲୁ । ମୁଁ ତ ଜାଣେ ପୁରୁଷମାନେ ପରାଧୀନ । ଆମର ସ୍ୱାମୀ ନହେଲେ ଚଳିଯିବ; କିନ୍ତୁ ତାଙ୍କର ଆମେ ନଥିଲେ ଚଳିବନାହିଁ । ମୁଁ ତ ଦେଖୁଚି ସ୍ତ୍ରୀମାନେ ପୁରୁଷ ଉପରେ ଯେତେ ଅତ୍ୟାଚାର କରନ୍ତି, ପୁରୁଷମାନେ ସେତେ ଅତ୍ୟାଚର କରନ୍ତି ନାହିଁ । ପୁରୁଷଙ୍କ ବାଡ଼ିଆଟା ଆଖିରେ ପଡ଼େ ସିନା; କିନ୍ତୁ ତା ସତ୍ତ୍ୱେ ବି ତାଙ୍କୁ ଆମେ ବାନ୍ଧି ରଖିଥାଉ । ଗୋଟାଏ ବଣୁଆ ବାଘକୁ ବାନ୍ଧି ରଖିଲେ ସେ ଟିକିଏ କାମୁଡ଼ି ଦିଏ ନାହିଁ କି ? ଏ ଶକ୍ତି ଆମେ ଯେଉଁଦିନୁ ହରାଇଚୁ, ଯେଉଁଦିନୁ ଆମେ ପୁରୁଷମାନଙ୍କ ଭଳି ଉଚ୍ଛୃଙ୍ଖଳ ହେବାକୁ ଯାଇଚୁ, ସେହିଦିନୁ ସମାନ ଅଧିକାର, ସ୍ୱାଧୀନତା କଥା ଉଠିଚି । କିଲୋ, ଆମେ ଚାକିରି କରିବୁ କାହିଁକି ? ଆମେ ତ ରାଣୀ, ସେମାନେ ଆମ ଚାକିରି ଖଟିବେ, ସେମାନେ ଭଲ ଚାକିରି କରୁଚନ୍ତି କି ନାହିଁ ଆମେ ନଜର ରଖିବୁ । ଆମେ ଯଦି ଯୁଦ୍ଧକୁ ଯିବୁ, ଚାକିରି କରିବୁ, ତେବେ ତ ସଂସାର ଛାରଖାର ହୋଇଯିବ ।

 

—‘ଏତେ କଥା ତ କହୁଚୁ, ସାଆନ୍ତେ ତେବେ ଏମିତି ହେଲେ କାହିଁକି ?’

 

—ସେଟା ମୋ ଦୋଷରୁ, ମୋ କପାଳ ଦୋଷରୁ । ପ୍ରେମ ଖାଲି ମନରେ ଥିଲେ ହୁଏ ନା । ପୁରୁଷଙ୍କ ନିକଟରେ ବାଗେଇ ବୁଗେଇ ତାକୁ ପ୍ରକାଶ କରିବାକୁ ହୁଏ, ନାନା ଉପାୟରେ । ମୁଁ ତାହା କରିନାହିଁ, କରି ପାରୁନାହିଁ ।

 

–ପୁରୁଷେ ଚାହାନ୍ତି ଖାଲି ବାହାର ରୂପଟା । ମନ ତାଙ୍କ ପାଖରେ କିଛି ନୁହଁ । ନହେଲେ ଯିଏ ସମସ୍ତଙ୍କୁ ଖାଇବାକୁ ଦେଇ ନିଜ ଭାତ ବାଢ଼ି ରଖି ଦେଇଥାଏ କାଳେ କିଏ ଭିକାରୀଟାଏ ମାଗିଦେବ ବୋଲି, ବେଳବୁଡ଼ାକୁ ଯାଇ ଖାଏ, ତା ମନ କଥା କିଏ ବୁଝିଲା, ଶାଶୁ ନା ସ୍ୱାମୀ ? ପୁରୁଷମାନେ ଭାରି ବଦମାସ୍ । ଖାଲି ରୂପ ଖୋଜି ବୁଲୁଥାଆନ୍ତି । ଯେଉଁଠି ଦେଖନ୍ତି ସେଠି ମାଛି ଭଳିଆ ଲାଗି ଯାଆନ୍ତି ।

 

—ଆମ୍ୱକଷି, ଏ ଦେହ ଭିତରେ ମନ ଅଛି । କିଏ ଜଣେ ବଡ଼ ଇଂରେଜ ଲେଖକ ଲେଖିଛନ୍ତି ଯେ, ନାରୀ ଦୋମହଲା କୋଠା । ଉପର ମହଲାକୁ ଯିବାକୁ ହେଲେ ତଳ ମହଲା ଦେଇ ଯିବାକୁ ହେବ । ଏ ତ ଭାଗବାନଙ୍କ ନିୟମ । ଭଗବାନ ପୁରୁଷଙ୍କୁ ବାରବୁଲା କରି ଆମକୁ କରିଛନ୍ତି ଅନ୍ନପୂର୍ଣ୍ଣା । ଆମେ ବାରବୁଲା ହେଲେ ପୃଥିବୀ ଛାରଖାର ହୋଇଯିବ ଯେ ! ଆମ ପ୍ରକୃତି ବି ତା ନୁହେଁ ।

 

—ତୁ କଅଣ ତେବେ ତାଙ୍କ ବାରବୁଲା ଚଖାପଣକୁ ଭଲ କହୁଚୁ ?

 

—‘ନା ଯେଉଁ ପୁରୁଷ ବହୁ ସ୍ତ୍ରୀ ପାଲରେ ପଡ଼େ, ସେ ଲମ୍ପଟ ହୋଇଯାଏ, ସବୁ ଭଲ ତାର ମରିଯାଏ । ତେଣୁ ଆମର ମୁନିମାନେ ଏକ ବିବାହ ଆଦେଶ ଦେଇଛନ୍ତି । ଆମେ ଏକେଶ୍ୱରୀ-। ସ୍ତ୍ରୀର କର୍ତ୍ତବୃ–ଛଳେ ବଳେ ଆଦେଶ ଦେଇଛନ୍ତି । କୌଶଳେ ସ୍ୱାମୀକୁ ବଶୀଭୂତ କରିବା, ତାହେଲେ ଯାଇ ପୁରୁଷ ଏ ସଂସାରରେ କର୍ତ୍ତବ୍ୟ କରି ପାରିବ, ନ ହେଲେ ବାରବୁଲା ହୋଇ ବୁଲୁଥିବ ।

 

–ତେବେ ଏ ରୂପ ତୁ ଏମିତି କରି ରଖିଚୁ କାହିଁକି ? ଟିକିଏ ସାଜିସୁଜି ରହ । ତୁଳସୀ ହସିଲେ । ଲବଣୀ କହିଲେ, ‘ନା ମୁଁ ତୋତେ ଦିନେ ସଜେଇ ସୁଜେଇ ଦେବି । ଦେଖିବୁ ଫେର୍ ମୋର ବାହାଦୂରୀ ।’

 

ଖଞ୍ଜାପଟୁ ପାଟି ଶୁଭିଲା, ‘କିଲେ ବୋହୂ, ଗଲୁଣି କି ଲୋ ?’

 

ତୁଳସୀ ତରତର ହୋଇ ଉଠି କହିଲେ, ‘ଚାଲ୍ ଆମ୍ୱକଷି, ମା’ଙ୍କ ପୂଜାବେଳ ହୋଇଗଲାଣି ।’

 

ଲବଣୀ ଅନ୍ୟମନସ୍କ ଭାବରେ କହିଲେ, ‘ଠିକ୍ ଠିକ୍ ହେଇଚି ।’

 

—କଅଣ ଠିକ୍ ? କଅଣ ହେଇଚି ?

 

–କିଛି ନାହିଁ, ଚାଲ୍ ।

 

–କଟ୍–

 

ପରଦିନ । ଲବଣୀଙ୍କ ଘରେ ଜଣେ କେଳୁଣୀ ପସରା ରଖି ବସିଚି ।

 

କେଳୁଣୀ କହୁଚି, ‘ମା, ସାତଖଣ୍ଡ ହଳଦି ଆଣ, ଟିକିଏ ସିନ୍ଦୁର ଆଣ ।’

 

ଲବଣୀ ଆଣି ସବୁ ଦେଲେ । କେଳୁଣୀ ସାତଖଣ୍ଡ ହଳଦିକୁ ଆଖି ସାମନରେ ଧରି କଅଣ ବିଡ଼ି ବିଡ଼ି ହୋଇ କହିଲା । ତା ପରେ ପସରାରୁ କଅଣ ବାହାର କରି ସିନ୍ଦୁର ସାଥିରେ ମିଶାଇ ଗୋଳିଦେଇ କହିଲା, ‘ସକାଳୁ ଏ ହଳଦୀ ମାଖି ଗାଧୋଇବେ । ଗାଧୋଇ ସାରି ଏଇ ସିନ୍ଦୁର ମୁଣ୍ଡରେ ପିନ୍ଧିବ । ଏମିତି ପିନ୍ଧିବ ଯେ ସ୍ୱାମୀଙ୍କ ନଜର ପଡ଼ିବ । ବାସ୍, ତା ପରେ ଦେଖିବ ।’

 

କେଳୁଣୀ ଚାଲିଗଲା । ଲବଣୀଙ୍କ ଆଖି ଆନନ୍ଦରେ ଉଭାସିତ ହେଲା ।

 

କିଛିଦିନ ପରେ ଗାଧୋଇବା ବେଳ ।

 

ଆଜି ସକାଳେ ଲବଣୀ ଆସି କହିଲେ, ‘ଆମ୍ୱକଷି ଆଜି କଣ ଗାଧୋଇ ଯିବୁ ନାହିଁ କି-? ଚାଲ, ଆଜି ହଳଦି ମାଖି ପୋଖରୀରେ ଗଧୋଇବା ।’

 

ଦୁଇ ସଖି ଗଲେ ପୋଖରୀକୁ ଗଧୋଇବାକୁ । ଲବଣୀ ସେଇ ହଳଦି ତୁଳସୀ ଦେହରେ ମଖାଇଦେଇ ଗାଧୋଇବାକୁ ଲାଗିଲେ ।

 

ସେଇଦିନ ଖରାବେଳେ ଲବଣୀ କାର୍ଯ୍ୟଉପଲକ୍ଷରେ ଭୂପେନ୍ଦ୍ରଙ୍କ କଚେରି ଘରକୁ ଆସିଚନ୍ତି, ସାଜିସୁଜି ସେ ଆସିଚନ୍ତି । ଭୂପେନ୍ଦ୍ର ତାଙ୍କ ରୂପ ଦେଖି ମୁଗ୍ଧ ଭାବରେ ଅନାଇଁ ରହିଚନ୍ତି ।

 

—‘ଭାଇ ସାଆନ୍ତେ ଏମିତି କଅଣ ଅନାଇ ଦେଖୁଚନ୍ତି...’

 

—‘ତୁମକୁ ଲବଣୀ, କି ସୁନ୍ଦର ତୁମେ...’

 

—ଏ ଗୁଣ ଏ ପର୍ଯ୍ୟନ୍ତ ଯାଇନାହିଁ । ଦୁନିଆଯାକ ସ୍ତ୍ରୀ ଲୋକକୁ ଖାଲି ଏମିତି ଆଖିରେ ଦେଖୁଥିବ । ତେବେ ଆଉ କରିବ କଅଣ ତୁମେ । ଖାଲି ଏଇଆ କରି ଦିନେ ମରିଯିବ ସିନା । କେତେ ଲୋକ ଏମିତି ମଲେଣି । କଅଣ ଲାଭ ଅଛି ସେଥିରେ ! ନିଜ ସ୍ତ୍ରୀକୁ ଟିକିଏ ଚାହଁ, ଦେଖ ତା ମନକୁ ।’

 

ଭୂପେନ୍ଦ୍ର ତଳକୁ ମୁହଁ ପୋତିଲେ ।

 

–କଟ୍–

 

ସେଇ ନ ସନ୍ଧ୍ୟାବେଳେ । ଲବଣୀ ତୁଳସୀକୁ ଆଜି ସଜାଇ ମୁଣ୍ଡରେ ସିନ୍ଦୁରଟୋପା ଦେଇ ଥରେ ଅନାଇ ଦୀର୍ଘନିଃଶ୍ୱାସ ପକାଇ କହିଲେ, ‘ଆମ୍ୱକଷି, ତୋତେ ମୋ ରାଣ, ଆଜି ଯେମିତି ହେଲେ ଥରେ ତୁ ତାକୁ ଭଲ କରି ଦେଖାଦେବୁ ।’

 

ତୁଳସୀ ହସି କହିଲେ, ‘ହଉ’ ।

 

ଲବଣୀ ଘରକୁ ଯାଇ ତୁଳସୀମଣ୍ଡଳମୂଳେ ଭଗବାନଙ୍କର ପ୍ରାର୍ଥନା କରିବାରେ ଲାଗିଲେ-

 

X X X

 

ଭୂପେନ୍ଦ୍ର ବସି ଭାବୁଚନ୍ତି...

 

ଛି, ଛି, ଏ ଜୀବନଟାକୁ ମୁଁ କଅଣ କଲି ! ଯୌବନର କ୍ଷଣିକ ମୋହରେ ପଡ଼ି ମୁଁ କେତେ ତଳକୁ ଚାଲିଯାଇଚି । ଖାଲି ଲାଳସାବହ୍ନିରେ ପଡ଼ି ଜଳି ଯାଉଚି ।

 

ଭୂପେନ୍ଦ୍ରଙ୍କ ଆଖି ଛଳ ଛଳ ହୋଇଗଲା ।

 

ଚାକର ଆସି କହିଲା, ସାଆନ୍ତେ, ଠା ହେଲାଣି !

 

–ଓ୍ୟାଇପ୍–

 

ଭୂପେନ୍ଦ୍ର ଜଳଖିଆ ଖାଇସାରି ମୁହଁ ଧୋଇବାକୁ ଗଲେ ।

 

ଖମାର ଘର କୋଣ ଅନ୍ଧାରରେ ଚିରଦିନ ପରି ଆଜି ମଧ୍ୟ ସେହିଭଳି ଗୋଟିଏ ଦୀର୍ଘନିଃଶ୍ୱାସ ଶୁଭିଲା । ଭୂପେନ୍ଦ୍ର ଛିଡ଼ା ହୋଇଗଲେ । ତୁଳସୀ ତାଙ୍କର କୁଞ୍ଚଧରି ଟିକିଏ ଟାଣିଦେଲେ ।

 

ଭୂପେନ୍ଦ୍ର କିଛି ନକହି ମୁହଁହାତ ଧୋଇ ଖଞ୍ଜା ଭିତରକୁ ଆସି କହିଲେ, ବୋଉ, ମୋ ଦେହଟା ଆଜି ଭଲ ଲାଗୁନାହିଁ । ମୁଁ ଆଜି ପରେ ଖାଇବି ।

 

ମା’ କିଛି ବୁଝିପାରିଲେ ନାହିଁ । ଅବାକ୍ ହୋଇ ଚାହିଁ ରହିଲେ ।

 

ଭୂପେନ୍ଦ୍ର ଯାଇ ଖଟ ଉପରେ ଶୋଇ ପଡ଼ିଲେ ।

 

ମା ପାଟିକରି କହିଲେ, ବୋହୂ, ଭୂପ ଦେହ ଖରାପ, ଶୀଘ୍ର ଖିଆପିଆ କରିନେଇ ଯାଅ-

 

ତୁଳସୀ ଖାଇସାରି ଦେଖିଲେ ଶୋଇବାଘର ଦୁଆର ମେଲା । ଆହ୍ୱାନର ଏ ସଙ୍କେତ ସେ ବୁଝିଲେ । ଧୀରେ ଧୀରେ ଯାଇ ସେ ଖଟ ଉପରେ ବସିଲେ ।

 

ଭୂପେନ୍ଦ୍ର ଉଠି ତୁଳସୀଙ୍କ ହାତ ଧରିଲେ । ଦୁହଁଙ୍କ ମୁହଁରେ ହସ ଓ କାନ୍ଦ !

 

–କ୍ଲୋଜ୍ ଅପ୍–

★★★

 

ଗୋଟିଏ ମକଦ୍ଦମାର ନଥି

 

ଅନାଦି କାଳରୁ ସାରା ବିଶ୍ୱବ୍ରହ୍ମାଣ୍ଡରେ ଘଟି ଯାଇଥିବା ଓ ଅନନ୍ତ କାଳ ପର୍ଯ୍ୟନ୍ତ ଭବିଷ୍ୟତରେ ଘଟିବା ଅସଂଖ୍ୟ ଘଟଣା ପ୍ରବାହରୁ ଘଟନା ବିନ୍ଦୁଟିଏ ବିଚ୍ଛିନ୍ନ କରି ଆଣି ଅଦାଲତ ତାଙ୍କର ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିବାରୁ ନିମ୍ନ ଆକାର ଧାରଣ କଲା ।

 

X X X

 

ନରହତ୍ୟା ଅଭିଯୋଗରେ ଅଭିଯକ୍ତ ମୁଦାଲ ହରି ମହୁରିଆ ।

 

୧ ନମ୍ୱର ମୁଦେଇ ସାକ୍ଷୀର ସାକ୍ଷ୍ୟ :– ମୋର ନାମ ଉଚ୍ଛନ ଦେଈ । ମୋର ସ୍ୱାମୀର ନାମ ହରି ମହୁରିଆ । ମୋର ବୟସ ପଚିଶ ବର୍ଷ । ମୋର ଗ୍ରାମ ଦଇତାପୁର । ଥାନା ବାସୁଦେବପୁର, ଜିଲ୍ଲା ବାଲେଶ୍ୱର । ହାଲ୍‍ ସାକିନ୍ ବାପଘର ଗାଁ ଚନ୍ଦନପୁର । ବ୍ୟବସାୟ ମୂଲିଆଣୀ ।

 

କାଠଗଡ଼ାରେ ଛିଡ଼ା ହୋଇଥିବା ମୁଦାଲା ମୋର ଗେରସ୍ତ । ମୁଁ ମୁଦାଲାକୁ ଆଠ ବରଷ ହେବ ବାହା ହୋଇଛି । ତାକୁ ବାହା ହେବା ଆଗରୁ ମୁଁ ଯୋଜନପୁରର ରାମ ଖୁଣ୍ଟିଆକୁ ବାହା ହୋଇଥିଲି । ତାକୁ ବାହା ହୋଇ ତା ପାଖରେ ବରଷେ ଥିଲି । ସେ କୁପୁରୁଷ ବୋଲି ତାକୁ ଛାଡ଼ିଦେଇ ମୁଦାଲାକୁ ବାହା ହେଲି । (ଅଦାଲତରେ ପ୍ରଶ୍ନ—କୁପୁରୁଷମାନେ ? ସାକ୍ଷୀ—ତା ମାନେ ଅପାରଗ, ନପୁଂସକ)

 

ମୁଦାଲ ମୋର ଚରିତ୍ର ସନ୍ଦେହ କରି ସବୁବେଳେ ମାରେ, ବିଟପୀ ବୋଲି ଗାଳିଦିଏ । ମୁଁ ଗୀତ ଗାଇଲେ କି ଅଳତାନାଇଲେ ସେ ରାଗେ । ଏମିତିକି ତାର ଧରମପୁଅ ସହିତ ଅଛି ବୋଲି ସନ୍ଦେହ କରି ମୋତେ ମାରେ ।

 

ଗଲା ବୈଶାଖ ପୁନେଇ ଆଗଦିନ ମୋ ବାପା ବୋଉ ଆମ ଘରକୁ ଆସିଥିଲେ । ମୁଁ ତାଙ୍କ ସହିତ ଯିବାକୁ ଜିଦ୍ କଲି । ମୁଦାଲା ମୋତେ ଛାଡ଼ିଦେବାକୁ ମନା କଲା । କହିଲା, ଚାଷବାସ ସମୟ, ଘରେ ଗାଈଗୋରୁ ଅଛନ୍ତି, ମୁଁ ଗଲେ ଚଳିବନାହିଁ । ମୁଁ କହିଲି ସେ ସବୁରେ ମୋର କିଛି ନାହିଁ । ମନା ନ ମାନି ମୁଁ ବାପ ଘରକୁ ଚାଲିଆସିଲି ।

 

ତା ପରଦିନ ବୈଶାଖ ପୁନେଇଁ, ଶୂନ୍ୟଦେବଙ୍କ ପୂଜା । ମୁଦାଲା ସେଦିନ ଆମ ଘରକୁ ଆସିଲା । ଆସି ମୋତେ ସେଇଦିନ ନେଇ ଯିବାକୁ ଜିଦ୍‍ କଲା । ମୁଁ ତାକୁ ଗାଳିଦେଇ କହିଲି, ମୋ ଚାଷବାସ, ଗାଈଗୋରୁ ଖିନିଖରାପ କରି କାହିଁକି ଆସିଲ ? ସେ ମୋତେ ଗାଳିଦେଇ ସେଇଛୁଣିକା ନେଇଯିବାକୁ ବସିଲା । ମୋ ଭାଇ ରାଗି ମୋ ଗହଣାପତ୍ର ବନ୍ଦ କରିଦେଇ ଚାଲିଗଲା । ମୁଦାଲା ନ ଯାଇ ସେଦିନ ଆମ ଘରେ ରହିଲା ।

 

ସେଦିନ ଛାଇନେଉଟାଣିକୁ ମୋ ଭାଇର ଶଳା କପିଳା କାମରୁ ଗୀତ ଗାଇ ଗାଇ ଫେରିଲା । ସେ ଗାଉଥାଏ, ‘ତୋର ମୋର ଯେ ପୀରତି... । (ସାକ୍ଷୀ ଗୀତଟି ଗାଇବାକୁ ଲାଗିବାରୁ ଅଦାଲତ ଆଦେଶ ଦେଲେ–ସାବଧାନ, ଗୀତ ଗାଇଲେ ଅଦାଲତ ଅବମାନନା ଦୋଷରେ ଦଣ୍ଡିତ ହେବ । ମୁଦେଇ ପକ୍ଷ ଓକିଲ ମଧ୍ୟ ସାକ୍ଷୀର ସେତକ ଉକ୍ତି ଆଇନ ଅନୁସାରେ ଅବାନ୍ତରବୋଲି ଆପତ୍ତି ଦର୍ଶାଇଲେ ଓ ଲିଖିତ ହେଲା) କପିଳା ଚାରିଟା ପାରା ମାରି ଆଣିଥାଏ । ସନ୍ଧ୍ୟାବେଳକୁ ମୁଁ ଆଉ କପିଳା ପାରାସବୁ ବନେଇ ଚୂନେଇ ପୋଖରୀକୁ ନେଲୁ ଧୋଇବାକୁ । ଆମେ ଦୁହେ ପୋଖରୀ ତୁଠରେ ବସି ଗପକଲୁ । ମୁଁ କହିଲି, କପିଳା ମୋତେ ଆଉ ତା ଘର କରିବାକୁ ଭଲ ଲାଗୁନାହିଁ । ଏଇ ସମୟରେ ବୁଦା ପାଖରେ ଖସ ଖସ ଶବଦ ଶୁଣି ଅନେଇ ଦେଖିଲି, ମୁଦାଲା ଛପିକରି ସବୁ ଶୁଣୁଛି । (ଅଦାଲତ–କପିଳା ସହିତ ଆଗରୁ କଅଣ ତୁମର ଚିହ୍ନା ବା ଭାବ ଥିଲା ? ସାକ୍ଷୀ–ନା । ଅଦାଲତ–ଘଟଣାବେଳେ ତୁମେ କଅଣ କପିଳାକୁ ଭଲ ପାଉଥିଲ ? ସାକ୍ଷୀ–ହଁ । ତାର କେହି ନାହିଁ, ସେ ନିଆଶ୍ରା । ଧର୍ମାବତାର ମୋର କଅଣ ଦୋଷ ହେଲା ସେଥିରେ ? ଅଦାଲତ–ସେ ବିଷୟରେ ମକଦ୍ଦମା ଏ ଅଦାଲତରେ ବିଚାରାଧୀନ ନାହିଁ, ତେଣୁ ସେ ବିଷୟରେ କିଛି କହିବାର ଅଧିକାର ଏ ଅଦାଲତର ନାହିଁ । ସ୍ୱାମୀ ଜୀବିତାବସ୍ଥାରେ ଓ ତା ସହିତ ବିବାହ ବଳବତ୍ତର ଥିବା ଅବସ୍ଥାରେ ଅନ୍ୟ ପୁରୁଷ ସହିତ ଦୈହିକ ସମ୍ୱନ୍ଧ ସ୍ଥାପିତ ନ ହେବା ପର୍ଯ୍ୟନ୍ତ ଏ ଅଦାଲତରେ କିଛି କରିବାର ନାହିଁ । ଖାଲି ମାନସିକ ସମ୍ୱନ୍ଧ ସ୍ଥାପିତ ହେଲେ ସମାଜ ତାର ବ୍ୟବସ୍ଥା କରିପାରେ । ସାକ୍ଷୀ–ତେବେ ଅଦାଲତରେ ଛିଡ଼ା ହୋଇଥିବା ଲୋକେ କାହିଁକି ମୋତେ ମାରିବାକୁ ଧମକାଉଛନ୍ତି ? ଅଦାଲତ–(ସାବଧାନ, ସାକ୍ଷୀକୁ ନିର୍ଭୟରେ ସାକ୍ଷ୍ୟ ଦେବାରେ ଯିଏ ବାଧା ଦେବ, ସେ ଦଣ୍ଡନୀୟ ହେବ)

 

ସେଦିନ ରାତିରେ ମୁଁ ମାଉଁସ ରାନ୍ଧି ବସିଲି । ମୋ ପାଖରେ କପିଳା ବସି ଗୁଣୁ ଗୁଣୁ ଗୀତ ଗାଉଥାଏ, ‘ଆରେ ରେ ଛଇଳା... ।’ ନା ହଜୁର ଦୋଷ ହେଲା । ତା ଗୀତଗୁଡ଼ାକ ଖାଲି ମନେ ପଡ଼ିଯାଉଛି । ଭାଉଜ ବି ମୋ ପାଖରେ ବସିଥାଏ । ମୁଁ ଭାଉଜକୁ କହିଲି, ମୁଁ କପିଳା ସାଙ୍ଗରେ ଚାଲିଯିବି । ଭାଉଜ କହିଲା, ହେୟ୍, ସେମିତି କହୁଛୁ, ଜାଣିଛୁ ନା, ସେ ଶୁଣିବ ଯଦି ତମ ଦି’ ଜଣକୁ ଦି’ ଦି’ଗର କରି କାଟିଦେବ । କପିଳା କହିଲା, ହ୍ୟାପ ଭାରି କଲାବାଲା, ମୋ ଏକା ମୁଥକେ ସେ ମାଟି କାମୁଡ଼ିବ । ମୁଁ ହସି ଉଠିଲି । ଅନାଇ ଦେଖିଲି ଘୁମ ପଛପଟୁ ନିଆଁହୁଳା ପରି ଦି’ଟା ଆଖି ଦିଶୁଛି । ମୁଁ ସେ ଆଖିକୁ ଚାହିଁ ଖତେଇ ହେଲି ।

 

ରାତିରେ ମୁଦାଲା, କପିଳା ଓ ଭାଇ ଅଗଣାରେ ଖାଇ ବସିଲେ । ମୁଁ କପିଳାକୁ ଟିକିଏ ବେଶି ମାଉଁସ ଦବାରୁ, ମୁଦାଲା ମୋ ହାତରୁ ସବୁ ମାଉଁସ ଛଡ଼ାଇ ଖାଇଦେଲା । ଖାଇସାରି ସେ ତିନିହେଁ ଅଗଣା ପିଣ୍ଡାରେ ଶୋଇବାକୁ ଗଲେ । ମୋ ଗେରସ୍ତ ଶୋଇବାକୁ ଗଲାବେଳେ ମୋ ପଣତ ଧରି ବାରିପଟ ବଖରାକୁ ଟାଣିବାକୁ ଲାଗିଲା । ମୁଁ ପାଟିକରି ଉଠିବାରୁ ସେ ପଳାଇଗଲା । ପୁଣି ପ୍ରାୟ ରାତିଅଧରେ ସେ ମୋ ଶୋଇବା ବଖରା କବାଟରେ ଧକ୍କାମାରି ମୋତେ ଡାକିଲା । ମୁଁ ପୁଣି ପାଟି କରିବାରୁ ସେ କବାଟରେ ଖୁବ୍ ଜୋରରେ ଗୋଟିଏ ଗୋଇଠା ମାରି ଚାଲିଗଲା ।

 

ତାର ପ୍ରାୟ ଘଣ୍ଟାକ ପରେ ଭାଇର ହାଉଳି ଶୁଣି ଆମେ ସବୁ ବାହାରକୁ ଦୌଡ଼ିଆସି ଦେଖିଲୁ, ମୁଦାଲା ହାତରେ ଛୁରା ଧରି ଦୌଡ଼ି ପଳେଇଗଲା । କପିଳା ତା ପଛରେ ଗୋଡ଼ାଉ ଗୋଡ଼ାଉ ଅଗଣାରେ ଦୁମ୍କରି ପଡ଼ି ମରିଗଲା । ତାର ତୋଟି କଟା ହୋଇଥାଏ, ରକତ ପିଚୁକୁଥାଏ-। ମୋ ଭାଇ ମଧ୍ୟ ବେଚେତ୍ ହୋଇ ପଡ଼ିଥାଏ । ଆମେ ତାକୁ ସାଷ୍ଟାମ କଲାରୁ, ସେ କହିଲା, ଜହ୍ନ ଆଲୁଅରେ ସେ ସଫା ଦେଖିଛି ମୁଦାଲା କପିଳା ଛାତି ଉପରେ ବସି କପିଳାର ବେକକୁ ଛୁରୀରେ କାଟୁଥିଲା । ସେତେବେଳେ ପୁନେଇ ଚାନ୍ଦର ରୂପେଲି କିରଣ ଅଜାଡ଼ି ପଡ଼ିଥାଏ-

 

X X X

 

ଡାକ୍ତର ଶବ ବ୍ୟବଚ୍ଛେଦ ବିବରଣୀ ।

 

ମୃତ କପିଳ ଦାସ । ବୟସ ୩୦ ବର୍ଷ । ହୃଷ୍ଟପୁଷ୍ଟ ଶରୀର, କୌଣସି ରୋଗର ଲକ୍ଷଣ ନାହିଁ । ମୃତବ୍ୟକ୍ତିର କଣ୍ଠନଳି ସମ୍ପୂର୍ଣ୍ଣ ଦ୍ୱିଭିନ୍ନ । କୌଣସି ଅତି ତୀକ୍ଷ୍ଣ ଅସ୍ତ୍ରଦ୍ୱାରା କଟା ହୋଇଥିବାର ଜଣାଯାଏ । କ୍ଷତସ୍ଥାନର ଦୁଇ ପାଖରେ ଦାନ୍ତର ଚିହ୍ନ । କ୍ଷତସ୍ଥାନର ଚିତ୍ର ନିମ୍ନରେ ଦିଆଗଲା ।

 

X X X

 

ମୁଦାଲାର ଜବାନ୍ ବନ୍ଦୀ ।

 

ମୋର ଭାରିଯା ଯାହା କହିଗଲା, ସବୁ ମିଛ । ମୁଁ କଅଣ କରିଛି ଜାଣେନା । ଘଟଣା ଦିନ ରାତିରେ ମୁ’ ଶଶୁର ଘରେ ନଥିଲି । ସେଦିନ ରାତିରେ ମୁଁ ଦି’ଥର ଚେଷ୍ଟା କଲି, ମୋ ଭାରିଯା ଯଦି ରାଜି ହୋଇ ଯାଇଥାଆନ୍ତା, ତେବେ ଏମିତି ଘଟି ନଥାନ୍ତା । କପିଳା ଯେଉଁ କଣ୍ଠରେ ମୋ ଭାରିଯା ମନ ମୋହିଲା, ସେଇ କଣ୍ଠ ତାର ଗଲା । ମୁଁ କଅଣ କରିବି ? ମୁଁ କପିଳାକୁ ମାରିନାହିଁ । ଧର୍ମାବତାର ଯାହା ବିଚାର କରିବେ ।

 

X X X

 

ଅନ୍ୟାନ୍ୟ ଘଟଣାବିନ୍ଦୁ ସବୁ ଅଣୁବୀକ୍ଷଣ ଯନ୍ତ୍ର ତଳେ ଥୁଆ ହେବାର ବେଳ ହୋଇଯିବାରୁ ମୁଦାଲାକୁ ହାଜତକୁ ନେଇଯିବାର ଆଦେଶ ହେଲା । ମୁଦାଲାକୁ ହାତକଡ଼ି ପକାଇ ଦୁଇଜଣ ପୁଲିସ ନେଇଗଲେ । ମୁଦାଲା ଯାଉ ଯାଉ ପ୍ରଳାପ ବଢ଼ିବାକୁ ଲାଗିଲା, ତୋର ମୋର ଯେ ପୀରତି...ସବୁ ସରି ତ ଗଲା...କୃପାସିନ୍ଧୁ ବଦନ, କରି ଅବଲୋକନ... । ହାଜତରୁ ମୁଦାଲାର ଉଚ୍ଚକଣ୍ଠରେ ଗୀତ ଶୁଭୁଛି । ଅନ୍ୟ ମକଦ୍ଦମା ଶୁଣାଣି ଚାଲିଛି ।

 

X X X

 

ଅଲ୍ଇଣ୍ଡିଆ ରିପୋର୍ଟର୍ ୧୯୬୨, ଏଲାହାବାଦ ୨୨୭ ପୃଷ୍ଠାରେ ମହାମାନ୍ୟ ବିଚାରପତି ଦ୍ୱିବେଦୀ କହିଛନ୍ତି—ଆଇନ୍ ଶବ୍ଦ-ଯୋଜନାର ଚାତୁରୀ ନୁହ । ମନୁଷ୍ୟ-ସମାଜର ନୈତିକ ଓ ସାମାଜିକ ରୋଗର ଚିକିତ୍ସା ହୁଏ ଆଇନ ଦ୍ୱାରା । ଏହା ଏକ ଜଟିଳ ଚିକିତ୍ସା । ଏ ଚିକିତ୍ସା-ପଦ୍ଧତି ବୁଝିବାକୁ ହେଲେ ସମାଜ ଓ ବ୍ୟକ୍ତି ବିଷୟରେ ଗଭୀର ଜ୍ଞାନ ପ୍ରୟୋଜନ ।

 

X X X

 

ଏ ଘଟଣା ଯେଉଁଦିନ ଘଟିଥିଲା, ଠିକ୍ ତାର ୨୬୦୦ ବର୍ଷ ପୂର୍ବେ ବୁଦ୍ଧ ବୁଦ୍ଧତ୍ତ୍ୱ ପ୍ରାପ୍ତ ହୋଇ ପ୍ରଚାର କରିଥିଲେ, ଏ ଜୀବନ ଦୁଃଖପୂର୍ଣ୍ଣ, ଦୁଃଖର କାରଣ କାମନା ! ତା ପୂର୍ବରୁ ବିଶ୍ୱବ୍ରହ୍ମାଣ୍ଡର ନାନା ସ୍ଥାନରେ ନାନା କାଳରେ ନାନା ଘଟଣା ଘଟିଯାଇଛି ଓ ପରେ ଘଟିଛି ଓ ଭବିଷ୍ୟତରେ ଘଟିବ । କାହାରି ସହିତ କାହାରି କଅଣ ସଂପର୍କ ନାହିଁ ! ଆପେକ୍ଷିକବାଦ (Theory of relativity) ଓ ଉପନିଷତ୍ କୁହେ, ସ୍ଥାନ ଓ କାଳ ଅଭିନ୍ନ ଓ ନିରବଚ୍ଛିନ୍ନ, ଅନାଦି ଓ ଅନନ୍ତ । ଅସଂଖ୍ୟ ବିନ୍ଦୁର ସମଷ୍ଟିରେ ରେଖାର ସୃଷ୍ଟି ? ଅସଂଖ୍ୟ ଘଟଣାର ସମଷ୍ଟିରେ କି ଗଳ୍ପ ସୃଷ୍ଟି ହେଉଛି ? ଯଦି କେହି ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡ ଓ ସମସ୍ତ କାଳ ଦେଖି ପାରୁଛନ୍ତି, ତେବେ ସିଏ ନିଶ୍ଚୟ ଅନ୍ୟାନ୍ୟ ସବୁ ଘଟଣା ସହିତ ଏହାର ସମ୍ପର୍କ ଦେଖିପାରୁଛନ୍ତି ।

 

ତା ଯଦି ହୁଏ, ତେବେ ମୁଁ ଯେ ଏ ଘଟନାଟି ଲେଖିଲି, ତା ସହିତ ସେ ଘଟଣାର କି ସଂପର୍କ ? ପୁଣି ବୁଦ୍ଧଙ୍କ ପ୍ରଚାରିତ ସତ୍ୟ ସହିତ କି ସମ୍ପର୍କ ? ଏ ଘଟଣା ଉଲ୍ଲିଖିତ ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ଦୋଷୀ, କିଏ ନିର୍ଦୋଷ ? ଅଦାଲତର ବା ସମାଜର ଅଣୁବୀକ୍ଷଣ ଯନ୍ତ୍ର ଉଠାଇନେଇ ଅନ୍ୟାନ୍ୟ ସବୁ ଘଟଣା ସହିତ ସମ୍ପର୍କ ରଖି ଏହାକୁ ଦେଖିଲେ ଏହାର କି ରୂପାନ୍ତର ହେବ ?

★★★

 

Unknown

ଯାତ୍ରା ପଥେ

 

କେତେକ୍ଷଣ ଶୋଇଥିଲି ଜାଣେନା । ହଠାତ୍ ଗୋଟାଏ ଯାନ୍ତ୍ରିକ ଆର୍ତ୍ତନାଦରେ ମୋର ନିଦ ଭାଙ୍ଗିଗଲା ଏବଂ ସାଙ୍ଗେ ସାଙ୍ଗେ ଗୋଟାଏ ପ୍ରଚଣ୍ଡ ଅଦୃଶ ଧକ୍‍କାରେ ମୁଁ ଦୁଇ ତିନିବାର ଅଗ୍ରପଶ୍ଚାତ୍ ହୋଇ ବଙ୍କ୍ ଉପରୁ ତଳେ ପଡ଼ିଗଲି । ଡବାଟିରେ ସମସ୍ତେ ଉଠି ବସିଲେ । ସମସ୍ତଙ୍କ ମୁହଁରେ ଯୁଗପତ୍ ଆଶ୍ଚର୍ଯ୍ୟ ଏବଂ ପ୍ରଶ୍ନବାଚକ ଚିହ୍ନ । ଉତ୍ତର ଦେବ ବା କିଏ ? ସମସ୍ତେ ଶୁପ୍ତୋତ୍‍ଥିତ ।

 

ବାହାରକୁ ଅନାଇ ଦେଖିଲି ପୂର୍ଣ୍ଣିମାର ପରିଷ୍କାର କିରଣ ଚାରିଆଡ଼େ ଅଜାଡ଼ି ପଡ଼ିଛି । ରେଳ ଲାଇନର ଦୁଇ ପାଖରେ ବିସ୍ତୀର୍ଣ୍ଣ ପ୍ରାନ୍ତର । ମଝିରେ ମଝିରେ ଗୋଟାଏ ଗୋଟାଏ ବଡ଼ ଗଛ-। ଅନତି ଦୂରେ ଦେଖାଯାଉଚି ପର୍ବତର ରେଖା । ଚାରିଆଡ଼େ ନିସ୍ତବ୍‍ଧ ନିଶ୍ଚଳ । ସମସ୍ତେ ଯେପରି ମୁଗ୍ଧ ହୋଇ ଅପଲକ ଦୃଷ୍ଟିରେ ପୃଥିବୀର ସେଇ ଅପାର୍ଥିବ ଦୃଶ୍ୟ ଉପଭୋଗ କରୁଚନ୍ତି । ନିସ୍ତବ୍ଧତା ଭଙ୍ଗ କରି ଅପୂର୍ବ ସଙ୍ଗୀତରେ ଲାଇନ କଡ଼ରେ ବହିଯାଉଚି ଗୋଟିଏ କ୍ଷୀଣ ପାହାଡ଼ି ଝରଣା କୁଳକୁଳୁ ହୋଇ । ତା’ର ଯେପରି ଆଜି କ୍ଳାନ୍ତି ନାହିଁ, ବିରାମ ନାହିଁ । ମୁଁ ମଧ୍ୟ ମୁଗ୍ଧ ଭାବରେ ଅନାଇ ରହିଲି ।

 

ଘଡ଼ିକୁ ଅନାଇ ଦେଖିଲି ରାତି ଦୁଇଟା । ସମସ୍ତେ ଆତଙ୍କିତ ହୋଇ ଦୌଡ଼ିଚନ୍ତି ଗାର୍ଡ଼ ସାହେବ ପାଖକୁ, କିଛି ଦୁର୍ଘଟଣା ଘଟିଚି କି ନା ବୁଝିବାକୁ । କାହାରି ପ୍ରତି କାହାରି ଭ୍ରୂକ୍ଷେପ ନାହିଁ, ମାଡ଼ି, ଦଳି, ପଡ଼ି, ଉଠି ସମସ୍ତେ ଦୌଡ଼ୁଚନ୍ତି । ମୁଁ କିନ୍ତୁ ଅନାଇ ରହିଲି ସେଇ ଅପୂର୍ବ ସୌନ୍ଦର୍ଯ୍ୟଆଡ଼େ ।

 

—‘ସିଗାରେଟ୍ ପ୍ଲିଜ୍ ।’

 

ଚମକିପଡ଼ି ଅନାଇ ଦେଖିଲି ଜଣେ ବୃଦ୍ଧ ଭଦ୍ରଲୋକ ସିଗାରେଟ୍ ବଢ଼ାଇ ଛିଡ଼ା ହୋଇଚନ୍ତି । ଧନ୍ୟବାଦ ଜଣାଇ ସିଗାରେଟ୍ ନେଲି । ବୃଦ୍ଧ ଡିଆସିଲି ଲଗାଇ ଅତି ବିନୟ ଭାବରେ ସିଗାରେଟ୍ ଧରାଇଦେଇ କହିଲେ, କିଛି ମନେ କରିବେ ନାହିଁ । ଏ ଥଣ୍ଡାରେ ଆପଣଙ୍କୁ ହଠାତ୍ କବି ହେବାର ଦେଖି ଟିକିଏ ଧୂଆଁ ଯେଗାଇଲି; କିନ୍ତୁ ମହାଶୟ, ଏଠି ବେଶିକ୍ଷଣ କବି ହେବେନାହିଁ, କବିରାଜ ଦରକାର ହେବ ତା’ ହେଲେ ।

 

ସଂସାରର ଯାତ୍ରା ପଥରେ ମନୁଷ୍ୟ ଚାହେଁ ସାଥୀ; କିନ୍ତୁ ମନ ଯେତେବେଳେ ଅସୀମର ଉଦ୍ଦେଶ୍ୟରେ ଡେଣା ମେଲିଦିଏ, ସେତେବେଳେ କୌଣସି ସାଥୀ ଭଲ ଲାଗେନାହିଁ । ତଥାପି ଭଦ୍ରତା ଖାତିରରେ ପଚାରିଲି, ଆପଣଙ୍କ...

ବୃଦ୍ଧ ଭଦ୍ରଲୋକ ଯେପରି ଏତିକି ପାଇଁ ଅନାଇ ବସିଥିଲେ । ମୋ କଥା ଶେଷ ନ ହେଉଣୁ କହିଲେ, ମୋ ନାମ କିଙ୍କର ଦାସ । ପିତା ମୃତ ସପନି ଦାସ । ଜାତି ପାଣ । ସାବକ ବାସସ୍ଥାନ ମୌଜେ ବରୁଆଁ ହରିପୁର, ଥାନା ଯାଜପୁର, ଜିଲେ କଟକ । ହାଲ୍ ସାକିନ୍ କେନ୍ଦୁଝର ଜଙ୍ଗଲ । ଏକା ନିଃଶ୍ୱାସକେ ଭଦ୍ରଳୋକ ଏତକ କହି ଗମ୍ଭୀର ଭାବରେ ଦରବାରି କାଇଦାରେ ଦୁଇ ପାହୁଣ୍ଡ ପଛକୁ ଯାଇ ମୁଣ୍ଡ ଝୁଙ୍କାଇ ନୀରବରେ ଛିଡ଼ାହେଲେ ଏବଂ କିଛିକ୍ଷଣ ପରେ ମୁଣ୍ଡ ଟେକି ପଚାରିଲେ, ଆପଣଙ୍କର ମହାନ୍ ପରିଚୟ ଲାଭ କରିପାରେ କି ?

 

କହିଲି, ମୋର ନାମ ଧନଞ୍ଜୟ ବୈଶ୍ୟ । ଦିଲ୍ଲୀ ଯାଉଚି ଗୋଟିଏ ବଡ଼ ଚାକିରି ଉଦ୍ଦେଶ୍ୟରେ ।

 

ମୋର ଦିଲ୍ଲୀ ଗୋଟିଏ ବଡ଼ ଚାକିରି ଉଦ୍ଦେଶ୍ୟରେ ଯିବାହିଁ ତାଙ୍କଠାରୁ ମୋର ଦୂରତ୍ୱ ବୁଝାଇବାରେ ଏବଂ ତାଙ୍କୁ ମୋର ସଙ୍ଗ ଆଶା ତ୍ୟାଗ କରିବାରେ ଯଥେଷ୍ଟ ଭାବିଥିଲି । ବସ୍ତୁତଃ ଜଣେ ବୃଦ୍ଧର ଏପରି ଚପଳ ଆଚରଣ ମୋତେ ଆଦୌ ଭଲ ଲାଗୁନଥିଲା । ଭଦ୍ରଲୋକ କିନ୍ତୁ ଉତ୍ସାହିତ ହୋଇ କହିଲେ, ବାଃ, ଚମତ୍କାର, ମୁଁ ମଧ୍ୟ ଦିଲ୍ଲୀ ଯାତ୍ରୀ । ଏଥିରେ ମୋର କୌଣସି ଉତ୍ସାହ ନଦେଖି ସେ ବିଷଣ୍ଣ ଭାବରେ କହିଲେ, ଓଃ, ଦେଖୁଚି ଆପଣଙ୍କର କବି ଭାବ ଏପର୍ଯ୍ୟନ୍ତ ଯାଇ ନାହିଁ, କ୍ଷମା କରିବେ; କିନ୍ତୁ ସଙ୍ଗ ଆବଶ୍ୟକ ହେଲେ ଅଧୀନକୁ ସ୍ମରଣ କରିବେ । ମୁଁ ଅନ୍ୟ ସହଯାତ୍ରୀ ଅନୁସନ୍ଧାନରେ ଯାଉଚି । ମନେ ରଖିବେ, ଟ୍ରେନ୍ ଏଠି କେତେକ୍ଷଣ ଛିଡ଼ା ହେବ ତା’ର ଠିକ୍‍ ନାହିଁ । ସାମନାରେ ଅନେକ ଦୂର ରେଳଲାଇନ କିଏ ଉଠାଇଦେଇଚି । ଟ୍ରେନ୍ ଯାତ୍ରୀଙ୍କର ଜୀବନର ଆବଶ୍ୟକତାଠାରୁ କାହାର ରାଜନୈତିକ ବା ଆର୍ଥିକ ଆବଶ୍ୟକତା ବୋଧହୁଏ ଟିକିଏ ବେଶି ହେବାରୁ ଏ ସାମାନ୍ୟ ଦୁର୍ଘଟଣା ଘଟିଛି । ଆଛା, ନମସ୍କାର ।

 

ପରିସ୍ଥିତିଟିର ଭୟାବହତା ମୁଁ ନିମେଷେକେ ହୃଦୟଙ୍ଗମ କଲି । ନିମେଷକେ ମୋର ଦାର୍ଶନିକ ଭାବ ଚାଲିଗଲା । ଏକା ରହିବାକୁ ମୋର ଭୟ ଲାଗିଲା । ଏ ଦୁର୍ଘଟଣାରେ ଯେଉଁ ସାଥୀ ଆପେ ଆପେ ଆସିଚି, ତାହାକୁ ହରାଇବା ଭୟରେ ମୁଁ ଭଦ୍ର ଲୋକଙ୍କ ହାତ ଧରି ଅଟକାଇଲି । ଭଦ୍ରଲୋକ ହସି କହିଲେ, ତେବେ ଆସନ୍ତୁ ଅନ୍ୟ ସାଥୀ ଖୋଜି ବାହାର କରାଯାଉ, ଦୁଇଜଣରେ ଭଲ ଜମିବ ନାହିଁ ।

 

ଏହି ସମୟରେ ଜଣେ ଯୁବକ ଆମ ଆଡ଼କୁ ଆସିବାର ଦେଖିଲି । ଦୀର୍ଘ, ଗୌର, ସୁନ୍ଦର । ଦେହରେ ଅଛି ସାମାନ୍ୟ ଖଣ୍ଡେ ଖଦଡ଼ ଚାଦର, ଦୃଷ୍ଟି ତାଙ୍କର ଅସୀମରେ ନିବଦ୍ଧ, ସବୁ ଦେଖି ନଦେଖିଲାପରି । ଧୀର ଗତିରେ ସେ ଆମକୁ ଅତିକ୍ରମ କରି ଚାଲିଗଲେ ଏବଂ ଯାଉ ଯାଉ ନିଜ ମନରେ କହି ଚାଲିଲେ, ସ୍ୱପ୍ରକାଶ ଏବଂ ଜ୍ଞାନାତୀତ ସେଇ ସର୍ବବ୍ୟାପୀ ପୁରୁଷଙ୍କୁ ମୁଁ ଜାଣେ, ମୁଁ ତାଙ୍କୁ ପାଇଚି, ତାଙ୍କ ଛଡ଼ା ଅନ୍ୟ ଉପାୟ ନାହିଁ । ବେଦାହମେତଂ ପୁରୁଷଂ ମହାନ୍ତମ୍, ଆଦିତ୍ୟ ବର୍ଣ୍ଣମ୍ ତମସଃ ପରସ୍ତାତ୍ । ତମେବ ବିତିତ୍ୱାଽତି ମୃତ୍ୟୁମେତି, ନାନ୍ୟଃ ପନ୍ଥା ବିଦ୍ୟତେଽୟନାୟ ।

 

ଉପନିଷଦ୍‍ର ଋଷି ଯାଉଛନ୍ତି, କିଙ୍କରବାବୁ ହସି କହିଲେ, ତାଙ୍କୁ ଡକାଯାଉ । ମହାଶୟ, ନିଃସହାୟ, ନିଃସଙ୍ଗ । ଆମକୁ ସାହାଯ୍ୟ କରିବେ କି ?

 

ଭଦ୍ରଲୋକ କିଛି ଦୂର ଯାଇଥିଲେ, ସେଇଠି ଛିଡ଼ା ହେଲ । ସେହିପରି ଅସୀମରେ ଦୃଷ୍ଟି ରଖି । ଟିକିଏ ନୀରବରେ ଛିଡ଼ାହେଲା ପରେ ସେ ଫେରିଲେ ଏବଂ ନିକଟକୁ ଆସି ପଚାରିଲେ, କ’ଣ ଆପଣଙ୍କ ବିପଦ ?

 

କିଙ୍କରବାବୁ କହିଲେ, କିଛିନା, ଆମେ ଏକା । ଆପଣଙ୍କର ସଙ୍ଗ ପାର୍ଥନା କରୁଛୁ ।

 

ଭଦ୍ରଲୋକ ଟିକିଏ ହସିଲେ । ଅଭୁତ ସେ ହସ । ଅତି ଶାନ୍ତ ଭାବରେ କହିଲେ, ଆପଣମାନେ ଟିକିଏ ଅପେକ୍ଷା କରନ୍ତୁ, ମୁଁ ଦେଖିଆସେ କାହାରି କିଛି ବିପଦ ଘଟିଛି କି ନାଁ ।

 

କିଙ୍କରବାବୁ ବାଧା ଦେଇ କହିଲେ, ଆଜ୍ଞା ନା । ଅଳ୍ପକେ ଆମେ ସମସ୍ତେ ଗୋଟିଏ ବଡ଼ ସୁଯୋଗ, ଅର୍ଥାତ୍ ମୃତ୍ୟୁ, ହରାଇଚୁ । କାହାରି କିଛି ହୋଇନାହିଁ । ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଆପଣଙ୍କର ପରିଚୟ...

 

—ବ୍ରହ୍ମଦେବ ମିଶ୍ର । ଦିଲ୍ଲୀଯାତ୍ରୀ ।

 

—ବାଃ, ବାଃ, ଆମେ ମଧ୍ୟ । ଚାଲନ୍ତୁ ସେଇ ଝରଣା ପାଖରେ ବସିବା ।

 

ଯାତ୍ରୀମାନେ ନାନା ଭଙ୍ଗୀରେ ଯେ ଯାହାର ଡବାକୁ ଫେରୁଥିଲେ । ସେମାନଙ୍କ ମଧ୍ୟରୁ ଗୋଟିଏ ବଳିଷ୍ଠ, ଦୀର୍ଘ, କମନୀୟ ଅଥଚ ରୁକ୍ଷ ଯୁବକ ହାତରେ ଥିବା ଗୋଟିଏ ସାନ ବେତ ବାଡ଼ିରେ ସମସ୍ତଙ୍କୁ ଆଡ଼େଇ, ହଟୋ, ହଟୋ କହି କ୍ଷିପ୍ରଗତିରେ ଆଗେଇ ଆସୁଥିଲେ ଏବଂ ମଝିରେ ମଝିରେ ଫୁଲିସ୍‍, ନନ୍‍ସେନ୍‍ସ୍‍, ଡିସ୍‍ଗଷ୍ଟିଂ ଇତ୍ୟାଦି କହି ତାଙ୍କର ବିରକ୍ତି ପ୍ରକାଶ କରୁଥିଲେ-

 

କିଙ୍କରବାବୁ ହଠାତ୍ ତାଙ୍କ ପାଖକୁ ହାତ ପ୍ରସାରିତ କରି ବାଧା ଦେଇ କହିଲେ, ସିଗନାଲ୍ ଅପ୍, ଗାଡ଼ି ରୋକନ୍ତୁ ।

 

ହ୍ୱାଟ୍‍ସ୍‍ ଦିସ୍ ନନ୍‍ସେନ୍‍ସ୍, କହି ଭଦ୍ରଲୋକ କିଙ୍କର ବାବୁଙ୍କ ହାତକୁ ବେତରେ ବାଡ଼େଇ ଦେଲେ । କିଙ୍କରବାବୁ ତାଙ୍କ କଥାର ଆଘାତରେ ପ୍ରାୟ ପଡ଼ୁପଡ଼ୁ ଗୋଟାଏ ହାସ୍ୟକର ଭଙ୍ଗି କରି ରହିଗଲେ ଏବଂ ପୁଣି ଦୌଡ଼ିଯାଇ ବାଧା ଦେଇ କହିଲେ, ମହାଶୟ, ଆମେ ତିନିହେଁ ଦିଲ୍ଲୀଯାତ୍ରୀ ଏକାଠି ହୋଇଚୁ... ଆପଣ...

 

—ହାୟାଟ୍...ଗୁଡ୍‍...ମୁଁ ବି...ଚାଲନ୍ତୁ ।

 

—ଧନ୍ୟବାଦ, ଆପଣଙ୍କ ପରିଚୟ...

 

—ଧନୁର୍ଦ୍ଧର ଭଞ୍ଜଦେଓ

 

—ବାଃ, ଏକଦମ ଚତୁର୍ବର୍ଣ୍ଣି ଯୋଗ ଯେ । ଚାଲନ୍ତୁ ଝରଣା ପାଖକୁ । ଟିକିଏ ରହନ୍ତୁ..., କହି କିଙ୍କରବାବୁ ନିଜ ଡବା ପାଖକୁ ଦୌଡ଼ିଗଲେ ଏବଂ ଗୋଟିଏ ବୋତଲ ଓ ସାନ କାଚ ଗିଲାସ ଧରି ଫେରିଲେ ।

 

ଝରଣା ସେ ପାଖରେ ଗୋଟିଏ ପରିଷ୍କାର ସ୍ଥାନ ବାଛି ଆମେ ବସିଲୁ । କିଙ୍କରବାବୁ ଗିଲାସରୁ ମୂଲ୍ୟବାନ୍ ପାନୀୟ ଢାଳି ବ୍ରହ୍ମଦେବ ବାବୁଙ୍କ ଆଡ଼କୁ ବଢ଼ାଇ କହିଲେ, ବ୍ରାହ୍ମଣାଃ ଫାଷ୍ଟ୍ ।

 

ବ୍ରହ୍ମଦେବବାବୁ ସବିନୟରେ କହିଲେ, ନା, ମୋତେ ଭଲ ଲାଗେନାହିଁ... ତେବେ ଆପଣମାନଙ୍କର ମନ କଷ୍ଟ ହୋଇପାରେ...ଦିଅନ୍ତୁ, ନିର୍ଲିପ୍ତ ଭାବରେ ସେ ଗିଲାସରୁ ପାନୀୟ ଶେଷ କରି ସେହିପରି ଶାନ୍ତ ଭାବରେ ବସିରହିଲେ । ଧନୁର୍ଦ୍ଧରବାବୁ ତାପରେ ଗୋଟିଏ ଗିଲାସ ଶେଷକରି ମୋ ଆଡ଼କୁ ବଢ଼ାଇଦେଇ କହିଲେ, ମୋତେ ଖୁବ୍ ଭଲ ଲାଗେ । ଏହା ମାନସିକ ଓ ଶାରୀରିକ ଶକ୍ତି ଖୁବ୍ ବଢ଼ାଏ ।

 

ମୋର ପିଇବାର ଇଚ୍ଛା ଥିଲେ ମଧ୍ୟ ବାହାରେ ତାହା ପ୍ରକାଶ ନକରି ମଦର ଅପକାରିତା ବିଷୟରେ ବୁଝାଇବାକୁ ଆରମ୍ଭ କଲି । ବ୍ରହ୍ମଦେବବାବୁ ହସି କହିଲେ, ମଦର ଅପକାରିତା ବିଷୟରେ ଆପଣ ଯେବେ ଏତେ ଜାଣନ୍ତି, ତେବେ ପିଅନ୍ତୁ, କୌଣସି ଅପକାର ହେବନାହିଁ ।

 

କିଙ୍କରବାବୁ ବାଧାଦେଇ କହିଲେ, ସେ ସବୁ ମୁଁ ବି ଜାଣେ । ନିଅନ୍ତୁ, ପିଅନ୍ତୁ ଆଗେ ।

 

ତଥାପି ଅନିଚ୍ଛାର ଅଭିନୟ କରି ମୁଁ ଗିଲାସଟି ଶେଷକରି କିଙ୍କରବାବୁଙ୍କ ଆଡ଼କୁ ବଢ଼ାଇଦେଲି । କିଙ୍କରବାବୁ କହିଲେ, ଆଉ ଦରକାର ? ମୁଁ ନୀରବରେ ଗିଲାସଟି ବଢ଼ାଇ ରଖିଲି । କିଙ୍କରବାବୁ ହସି ପୁଣି ଗିଲାସଟି ପୂର୍ଣ୍ଣ କରିଦେଲେ । ସେତକ ଶେଷକରି ଗିଲାସଟି ତଳେ ଥୋଇଦେଲି । କିଙ୍କରବାବୁ ବୋତଲର ବାକିତକ ବୋଲତରେ ମୁହଁ ଲଗାଇ ଶେଷକରି କହିଲେ, ବେଶ୍ ଜମିବ, ଏଥର । କହନ୍ତୁ, ଏଥର କାହାର କ’ଣ କହିବାର ଅଛି ।

 

ନାନା କଥାରେ ଅଳ୍ପ ସମୟ ଭିତରେ ଆଡ଼ାଟି ବେଶ୍ ଜମି ଉଠିଲା । କିଙ୍କରବାବୁ କହିଲେ, ମୋର ପ୍ରସ୍ତାବ, ଏଥର ପ୍ରତ୍ୟେକେ ନିଜ ନିଜ ଜୀବନର ପ୍ରେମର ଅନୁଭୂତି ପ୍ରକାଶ କରନ୍ତୁ...ପ୍ରଥମେ ବ୍ରହ୍ମଦେବବାବୁ ଆପଣ...ବ୍ରାହ୍ମଣାଃ ଫାର୍ଷ୍ଟ୍ ।

 

ବ୍ରହ୍ମଦେବବାବୁ ସେହିପରି ନିର୍ଲିପ୍ତ ଭାବରେ କହିଲେ, ବେଶ୍ । ମୁଁ ଭଲ ପାଇଥିଲି ତାକୁ ମୋର ସମସ୍ତ ପ୍ରାଣ ଦେଇ । କେତେ ରାତି ଏମିତି କଟାଇଚି ତା ସହିତ... । ହଠାତ୍ ଗମ୍ଭୀର ହୋଇ ସେ କିଛିକ୍ଷଣ ନୀରବ ରହିଲେ, ତା’ପରେ ଧୀରେ ଧୀରେ କହିଲେ, ନା, ମୋତେ ବାଦ୍ ଦିଅନ୍ତୁ । ସେ ଆଜି ଅନ୍ୟର ଧର୍ମପତ୍ନୀ । ତା ବିଷୟରେ ମୋର କୌଣସି ଭାବନା ଚରମ ବିଶୃଙ୍ଖଳତା...

 

ଆଗ୍ରହର ସହିତ ପଚାରିଲି, ତେବେ କ’ଣ ପ୍ରତାରଣା ?

 

—ନା, ପ୍ରତାରଣା କାହିଁକି ହେବ । ମୋତେ ସେ ଭଲ ଲାଗିଲା ନାହିଁ ...ଏଥିରେ ପ୍ରତାରଣା କିଛି ନାହିଁ...

 

—ଆପଣ କ’ଣ ଅବିବାହିତ ? ଧନଞ୍ଜୟବାବୁ ପଚାରିଲେ ।

 

—ହଁ

 

—ବୟସ କେତେ ଆପଣଙ୍କର ?

 

—ତିରିଶ

 

—ଆପଣ ଆଉ ବିବାହ କରିବେନାହିଁ ?

 

—ନା

 

—ତା’ରି ପାଇଁ, ମୁଁ ପଚାରିଲି ।

 

—ନା, ତାପାଇଁ ନୁହଁ, ଦୁନିଆରେ ଅନେକ କାମ ପଡ଼ିରହିଚି । ମନୁଷ୍ୟର କେତେ ଦୁଃଖ ! ଭାବେ କାହିଁକି-? ...ବୁଦ୍ଧଦେବ ଯେ କହିଚନ୍ତି, କାମନାର ବିନାଶରେ ଦୁଃଖର ବିନାଶ, ଏହା କ’ଣ ଚରମ ସତ୍ୟ ? କାମନା ଥିବ ଅଥଚ ଦୁଃଖ ନଥିବ, ଏମିତି କ’ଣ ହୋଇ ପାରେନା । କାମନାର ବିନାଶ ହେଲେ କ୍ରମ ରିକାଶରତ ବିନାଶ ହେବ । ଏ ଦୁଇର ସୁଖମୟ ସମନ୍ୱୟ କିପରି ହୋଇପାରେ ? କିପରି ହୋଇପାରେ ? କିପରି ହୋଇପାରେ ?

 

ଏହି ପ୍ରଶ୍ନଟି ସେ ଦୁଇ ତିନିଥର ଧୀରେ ଧୀରେ ନିଜକୁ ନିଜେ ପଚାରି ସେହିପରି ଅସୀମତାକୁ ଚାହିଁରହିଲେ । କିଛିକ୍ଷଣ ପରେ ତାଙ୍କର ମୁହଁ ଆଶାରେ ଯେପରି ଉଜ୍ଜ୍ୱଳ ହୋଉ ଉଠିଲା । ସେ ଆମ ଆଡ଼କୁ ଦୃଷ୍ଟି ଫେରାଇ କହିଲେ; ହୋଇପାରେ, ହୋଇପାରେ । ପାତଞ୍ଜଳି ତା’ର ବୀଜ ମନ୍ତ୍ର ଦେଇ ଯାଇଚନ୍ତି ‘ବୃତ୍ତିସାରୁପ୍ୟମ୍ ଇତରତ୍ର’ । ନିଜକୁ ବିଶ୍ୱର ସବୁ ବସ୍ତୁରେ ଦେଖିବ, ଅର୍ଥାତ୍ ସେବା, ଜଗତର କଲ୍ୟାଣ ସାଧନ । ଗୀତାରେ ଭଗବାନ ମଧ୍ୟ କହିଛନ୍ତି; ଆତ୍ମୌପମ୍ୟେନ ସର୍ବତ୍ର ସମଂ ପଶ୍ୟତି ଯଃ... ନିଜର କାମନା ବା ଦାବି ଚରିତାର୍ଥ ହେବା ଯେମିତି ଦରକାର, ଅନ୍ୟର ମଧ୍ୟ ସେହିପରି ଦରକାର ।

 

ଧନୁର୍ଦ୍ଧରବାବୁ ବିରକ୍ତି ଆଉ ରଖି ନପାରି କହିଲେ; କିନ୍ତୁ ଆପଣ ଜାଣନ୍ତି କି, ଏ ବୈରାଗ୍ୟ ଆପଣଙ୍କର ପ୍ରେମିକାର ପ୍ରତାରଣା ପାଇଁ ?

 

—ତା’ରି ପାଇଁ, ସ୍ୱୀକାର କରୁଚି । ଏ ବିଷୟରେ ସେ ମୋର ଗୁରୁ । ସେଠୁ ଫେରି ନଥିଲେ ମୁଁ ଏ ଆନନ୍ଦର ସନ୍ଧାନ ପାଇନଥାନ୍ତି; କିନ୍ତୁ ଏ ତା’ର ପ୍ରତାରଣା ନୁହେଁ ।

 

ଧନୁର୍ଦ୍ଧରବାବୁ ଉତ୍‍କ୍ଷିପ୍ତ ଭାବରେ କହିଲେ, ସେ, ପ୍ରତାରଣା ନୁହଁ ଆଉ କ’ଣ ? ଆପଣମାନଙ୍କ ଭଳି ନରମା ଯେତେକ ତାଙ୍କ ମୁହଁ ବଢ଼ାଇଛନ୍ତି । ନ ହେଲେ ସ୍ତ୍ରୀ ସ୍ୱାଧୀନତା କଥା ପୃଥିବୀରେ କୌଣସି ସ୍ତ୍ରୀ ସାହସ କରି ମୁହଁରେ ଧରନ୍ତା ଆଜି ? ପ୍ରେମ... ମୋହବତ୍...ପୂଃ...ସବୁ ନାରୀ ସମାନ । ସେମାନଙ୍କୁ ଦରକାର ପ୍ରେମ ନୁହେଁ, କଠିନ ଶାସନ । ପୁରୁଷର ପୌରୁଷ ହେଉଚି ନାରୀକୁ ଟାଣି ନିଜ ପାଦ ତଳକୁ ଆଣିବା । କିଏ କହେ ନାରୀ କୋମଳ ? ଯେତେ ସବୁ...ବାଜେ କଥା...ମାଇଚିଆ କବିମାନଙ୍କ ବର୍ଣ୍ଣନା... ନାରୀ ଚିରଦିନ ଦୟା ମାୟା ହୀନା...ବିଶ୍ୱାସଘାତିନୀ... ମୁଁ ବି ଦିନେ ଭଲ ପାଇଥିଲି, ଜାଣନ୍ତି ?...ଆପଣଙ୍କ ଭଳି ଭଲ ପାଇଥିଲି...କିନ୍ତୁ ମୋର ପ୍ରେମର ପୁରସ୍କାର ପାଇଚି ପ୍ରତାରଣା... ସେ ଆଜି ଜଣେ ଧନୀର ଅଙ୍କଶାୟିନୀ...ମୁଁ ଦରିଦ୍ର, ତେଣୁ... ଛାଡ଼ନ୍ତୁ ସେ କଥା ...ପ୍ରେମ ଫ୍ରେମ ସବୁ ମିଛ... ଦୁନିଆରେ ଏକମାତ୍ର ସତ୍ୟ ନିଜର ଦକ୍ଷତା ବିସ୍ତାର ...ଯେ କୌଣସି ପ୍ରକାରେ ନିଜର ଦାବୀ ହାସଲ କରିବାକୁ ପଡ଼ିବ, ନହେଲେ ରସାତଳକୁ ଯିବ । ଏ ଜୀବନ ସଂଗ୍ରାମ...ଷ୍ଟ୍ରଗଲ୍ ଫର୍ ଏକଜିସ୍‍ଟେନ୍‍ସ୍‍...

 

ବ୍ରହ୍ମଦେବବାବୁ ଧନୁର୍ଦ୍ଧରବାବୁଙ୍କ କାନ୍ଧରେ ଧୀରେ ହାତ ରଖି କହିଲେ, ଶାନ୍ତ ହୁଅନ୍ତୁ, ଶାନ୍ତ ହୁଅନ୍ତୁ । ଏଇ ସାମାନ୍ୟ ଘଟଣା ପାଇଁ ଆପଣ ନିଜର ଦୃଷ୍ଟି ଭଙ୍ଗିକୁ ବିକୃତ କରନ୍ତୁ ନାହିଁ । ସଂଗ୍ରାମ, ଷ୍ଟ୍ରଗଲ୍ ଏସବୁ ପ୍ରମାଦ୍ୟପୂର୍ଣ୍ଣ ତଥ୍ୟ । ଜୀବନ ହେଉଚି ଆନନ୍ଦ, ଆନନ୍ଦ ।

 

ଧନୁର୍ଦ୍ଧରବାବୁ ଅଧିକ ଉତ୍‍କ୍ଷିପ୍ତ ହୋଇ କହିଲେ, ଯାହାକୁ ଆପଣ ବିକୃତ କହୁଛନ୍ତି, ମୁଁ ବୁଝେ ସେଇଟାର ଚରମ ସତ୍ୟ । ମୋର ଦର୍ଶନ ରାବଣ ଦର୍ଶିନ...ଯାହା ଘଟୁ ପଛେ ।

 

ବ୍ରହ୍ମଦେବବାବୁ ତାଙ୍କୁ କୋଳକୁ ଆଉଯାଇ କହିଲେ, ଥାଉ ସେ କଥା । ଧନଞ୍ଜୟବାବୁ, ଆପଣଙ୍କ ଅଭିଜ୍ଞତା କୁହନ୍ତୁ ।

 

ମନ ଖୋଲି କହିବାକୁ ମୋର ସବୁବେଳେ କୁଣ୍ଠା ବୋଧହୁଏ । ବନ୍ଧୁମାନେ ଏଥିପାଇଁ ମୋତେ କହନ୍ତି, ବ୍ୟବସାୟ କରି କରି ମୋର ମନ ବି ବ୍ୟବସାୟୀ ହୋଇଯାଇଛି । ତଥାପି ବାଧ୍ୟ ହୋଇ କହିଲି, ଦେଖନ୍ତୁ, ଧନୁର୍ଦ୍ଧରବାବୁ ଯାହା କହିଲେ, ତାହା ପ୍ରାୟ ଠିକ୍ । ମୋ ଜୀବନରେ ମୁଁ ମଧ୍ୟ ପ୍ରତାରିତ ହୋଇଚି; କିନ୍ତୁ ଉପାୟ କ’ଣ ? ବଞ୍ଚିବାକୁ ହେଲେ ପୁରୁଷକୁ ନାରୀ ଦରକାର । ସେମାନେ ପୁରୁଷ ଛଡ଼ା ଚଳିପାରନ୍ତି; କିନ୍ତୁ ପୁରୁଷର ନାରୀ ନହେଲେ ଚଳିବା ଅସମ୍ଭବ । କିଏ ଜଣେ କୁଆଡ଼େ କହିଛନ୍ତି, ବିନାଶ୍ରୟେ ନ ବର୍ତ୍ତନ୍ତେ କବିତା, ବନିତା ଲତା ସେଟା ଏକଦମ୍ ଭୁଲ ଧାରଣା । ତେବେ ସେଥିରେ ଏତିକି ସତ୍ୟ ଅଛି ଯେ, ସେମାନଙ୍କର ଲୋଡ଼ା ଆମର ଶକ୍ତି; କାରଣ ସେମାନଙ୍କର ପାଳନ କରିବା ପ୍ରବୃତ୍ତି ବେଶି; କିନ୍ତୁ ଆମର ଲୋଡ଼ା ସେମାନଙ୍କର ପ୍ରେମ, ମନ, କାରଣ ଆମର ସୃଷ୍ଟି କରିବାର ପ୍ରବୃତ୍ତି ବେଶି । ତେଣୁ ଆମେ ବେଶି ଆକର୍ଷିତ ହେଉ । ନାରୀ ନହେଲେ ଆମର ଚଳେନା । ପାଳନ କରିବାର ପ୍ରବୃତ୍ତି ବେଶି ବୋଲି ସେମାନଙ୍କୁ ଅନେକ ସମୟରେ ନାନା କୂଟପନ୍ଥା ଅବଲମ୍ୱନ କରିବାକୁ ପଡ଼ିଥାଏ । ସେଥିପାଇଁ ସେମାନେ ଅନେକ ସମୟରେ ନିର୍ଦ୍ଦୟ ମଧ୍ୟ ହୁଅନ୍ତି । ଅନେକ ସମୟରେ ନୀଚ ମଧ୍ୟ ହେବାକୁ ପଡ଼େ; କାରଣ ତାଙ୍କର ପରିସର ଅନେକ ଛୋଟ ହୋଇପଡ଼େ । ଅତଏବ ପୁରୁଷ ବାଛିବାରେ ନାରୀ ପ୍ରତାରଣା କରିବାକୁ ଅନେକ ସମୟରେ ବାଧ୍ୟ ହୋଇପଡ଼େ । କିନ୍ତୁ ଏଥିରେ ଉତ୍‍କ୍ଷିପ୍ତ ହେଲେ ଚଳିବ ନାହିଁ । ଜୀବନ ଗୋଟାଏ ବ୍ୟବସାୟ । ଏ ବ୍ୟବସାୟରେ ଶତ ବ୍ୟର୍ଥତାରେ ମଧ୍ୟ ମତି ସ୍ଥିର ରଖିବାକୁ ହେବ । ମୁଁ ପ୍ରତାରିତ । ତଥାପି ମୁଁ ବିବାହିତ । ସ୍ତ୍ରୀକୁ ଯେ ମୁଁ ମତୁଆଲା ଭଳି ଭଲପାଏ, ତା’ ନୁହେଁ; କିନ୍ତୁ ସେମିତି ଭଲ ପାଇବାର ଅଭିନୟ କରେ । ନ କଲେ ବ୍ୟବସାୟ ଚଳିବ ନାହିଁ । କାରଣ ଏ ବ୍ୟବସାୟର ଲକ୍ଷ୍ୟ ନାରୀର ପ୍ରେମ ପାଇବା, ତାକୁ ପ୍ରେମ ଦବା ନୁହେଁ । ଏହାହିଁ ମୋର ଧାରଣା । ଅତଏବ ମୁଁ ଏ ପ୍ରତାରଣାରେ ଆଦୌ ବ୍ୟଥିତ ହୋଇ ପଡ଼ିନି । ବହୁ ନାରୀର ସଙ୍ଗସୁଖ ମୁଁ ହାସଲ କରିଛି । ଅବଶ୍ୟ ସେଥିପାଇଁ ଅନେକ ଖରଚ ପଡ଼ିଛି, ଅନେକ ବିପଦ ଆସିଚି; କିନ୍ତୁ ବ୍ୟବସାୟ କଲେ ସେସବୁ...

ଏତିକି କହି ମୁଁ ମୋର ଅଭିଜ୍ଞତା ଶେଷକଲି । ସମସ୍ତେ ନୀରବ ରହିଲେ । କିଙ୍କରବାବୁଙ୍କ ବୟସ ଦୃଷ୍ଟିରୁ ତାଙ୍କୁ ତାଙ୍କର ଅଭିଜ୍ଞତା ବିଷୟରେ ପଚାରିବାକୁ କାହାରି ବୋଧହୁଏ ଇଚ୍ଛା ହେଉନଥାଏ । ସେ କିନ୍ତୁ ନିଜେ କହିଲେ ‘‘ଦେଖନ୍ତୁ, ବ୍ରହ୍ମବାବୁ ପ୍ରେମରୁ ପାଇଛନ୍ତି ଜୀବନର ଆନନ୍ଦ, ଖାଲି ଦେଇଦେବାର ଆନନ୍ଦ, ଧନୁର୍ଦ୍ଧରବାବୁ ପାଇଛନ୍ତି ଜଗତରେ ନିଜର ଶକ୍ତି ପ୍ରତ୍ତିପତ୍ତିର ପ୍ରସାର, ଧନଞ୍ଜୟବାବୁ ପାଇଛନ୍ତି ଜୀବନର ପ୍ରାପ୍ତ ପ୍ରେମର ପୁଞ୍ଜି ବୃଦ୍ଧିମାନେ ପାଇବାର ସୁଖ, କିନ୍ତୁ ମୁଁ ପାଇଚି ନିଜର ଦାସତ୍ୱ ।’’

ତଥାପି ସମସ୍ତେ ନୀରବ ଦେଖି ସେ କହିଲେ, ଆପଣମାନେ ମୋତେ ମୋ ଅଭିଜ୍ଞତା ବିଷୟରେ କିଛି ପଚାରୁ ନାହାନ୍ତି କାହିଁକି ? ବୋଧହୁଏ ମୋର ପାଚିଲା ବାଳ ଦେଖି ମୋତେ ଗୋଟାଏ ବୁଢ଼ା ଭାବୁଛନ୍ତି; କିନ୍ତୁ ମୋର ବୟସ ବର୍ତ୍ତମାନ କେତେ କୁହନ୍ତୁ ତ ?

ମୁଁ କହିଲି, ପ୍ରାୟ ପଚାଶ ହେବ ।

କିଙ୍କରବାବୁ କହିଲେ; କିନ୍ତୁ ଆପଣମାନେ ବିଶ୍ୱାସ କରିବେ ନାହିଁ ଯେ ମୋର ବୟସ ମାତ୍ର ତିରିଶ ।

ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁରହିଲୁ । ସେ କହିଲେ, ମୋର ଦାନ୍ତ ପଡ଼ିଯିବାର ଓ ବାଳ ପାଚିଯିବାର କାରଣ କ’ଣ ଜାଣନ୍ତି ?

କ’ଣ ? ସମସ୍ତେ ଉତ୍କଣ୍ଠାସହ ପଚାରିଲୁ ।

ସେ ନିର୍ବିକାର ଭାବରେ କହିଲେ, ଶୁଣି ଆଶ୍ଚର୍ଯ୍ୟ ହେବେ । ପ୍ରେମ ଏହାର କାରଣ ।

ବ୍ରହ୍ମଦେବବାବୁ ହସି ପଚାରିଲେ, ନାରୀର ପ୍ରେମ କ’ଣ ଆପଣଙ୍କ ଜୀବନରେ ଏତେ ଭୟର କାରଣ ହୋଇଥିଲା ? ତା’ହେଲେ ତ ଏକ ସମ୍ପୂର୍ଣ୍ଣ ନୂଆତଥ୍ୟ ପାଇଛନ୍ତି ଆପଣ ଜୀବନରେ-!

 

—ହଁ, ବିରହର ପିପା ଦୋଳୁଅଛି ଗଳେ ।

 

ଧନୁର୍ଦ୍ଧରବାବୁ ଆଶ୍ଚର୍ଯ୍ୟ ହୋଇ କହିଲେ, ଆଏଁ ! ! ଏକ୍‍ଦମ୍ ପିମ୍ପା ଭରତି ପ୍ରେମ । ଧନଞ୍ଜୟବାବୁ, ଆପଣତ ପ୍ରେମର ବ୍ୟବସାୟୀ, ଆପଣ ବି ବୋଧହୁଏ ଏତେ ପ୍ରେମ ପୁଞ୍ଜି କରିନାହାନ୍ତି । କିଙ୍କର ବାବୁ କ’ଣ ପ୍ରେମର ରପ୍ତାନୀ ବ୍ୟବସାୟ ଖୋଲିବେ କି ?

 

–ନା, ନା । ଏ ପ୍ରେମର ପିମ୍ପା ନୁହେଁ ଯେ ବ୍ୟବସାୟ କରିବି । ଏ ପରା ବିରହର ପିମ୍ପା, ଦୁଃଖର ପିମ୍ପା । ଏ ମୋ ମୂଳ ଧନ, ମୋ ରିଜର୍ଭ ଫଣ୍ଡ୍ ।

 

ସମସ୍ତେ ହସି ଉଠିଲେ । କିଙ୍କର କହିଲେ, ତେବେ ଶ୍ରବଣ କରନ୍ତୁ । ମୁଁ ଥିଲି ଅତି ଦରିଦ୍ର । ମୋର ପାଞ୍ଚବର୍ଷ ବୟସରେ ପିତା ପ୍ରାଣତ୍ୟାଗ କରିଥିଲେ । ମୋର ବିଧବା ମାତା ଗ୍ରାମରେ ଧାନ କୁଟି ମୋତେ ବାଲ୍ୟଶିକ୍ଷା ଦେଇଥିଲେ । ଗ୍ରାମରେ ବୃତ୍ତି ପାଇ ମୁଁ ଆସିଲି କଟକରେ ଉଚ୍ଚଶିକ୍ଷା ଲାଭ କରିବାକୁ । କଟକରେ ମଧ୍ୟ ଭିକ୍ଷା ମାଗି ମୁଁ ପଢ଼ିବାକୁ ଲାଗିଲି । ଏହି ସମୟରେ ଗୋଟିଏ ଧନୀ ପରିବାରରେ ମୋତେ ଆଶ୍ରୟ ମିଳିଲା । ସେଠାରେ ମୋର କର୍ତ୍ତବ୍ୟ ହେଲା ଧନୀଟିର ଏକମାତ୍ର କନ୍ୟା ସୁଶୀଳାକୁ ପାଠ ପଢ଼ାଇବା । ଆନନ୍ଦରେ ରହିଲି; କିନ୍ତୁ ହାୟ, ରହିବାର ଅଳ୍ପଦିନ ପରେ ମୁଁ ପ୍ରେମରେ ପଡ଼ିଲି । ମୋର ବୟସ ସେତେବେଳକୁ ସତର ଏବଂ ସୁଶୀଳାର ବୟସ ଚଉଦ । ବର୍ତ୍ତମାନ ମୋତେ ଦେଖିବାକୁ ଏମିତିସିନା, ସେତେବେଳେ ମୋର ସ୍ୱାସ୍ଥ୍ୟ ଓ ଶ୍ରୀ ଥିଲା । ପ୍ରେମରେ ପଡ଼ିଲି, ଯାହାକୁ କହନ୍ତି, ମୁଣ୍ଡ କଚାଡ଼ି ପଡ଼ିଲି । କଲେଜ ପଢ଼ା ପଢ଼ିବାକୁ ଆଉ ମନ ହେଲାନାହିଁ । ସବୁବେଳେ ଖାଲି ସୁଶୀଳାର ଚିନ୍ତା । ବୟସ ଅଳ୍ପ ହେଲେ କ’ଣ ହେବ, ସୁଶୀଳା ମୋର ମନର ଭାବ ବୁଝି ପାରିଥିଲା । ଯାହା କହନ୍ତୁ, ନାରୀର ଗୋଟାଏ ସ୍ୱାଭାବିକ ବୁଦ୍ଧି ଅଛି, ଯାହା ପୁରୁଷର ନାହିଁ । ମୋର ମନକଥା ଜାଣିପାରି ସୁଶୀ ମଧ୍ୟ ତା’ର ମନର ଭାବ ପ୍ରକାଶ କଲା । ଆନନ୍ଦରେ ମୁଁ, ମୋର ମନେଅଛି, ସାତଦିନ ବେହୋସ ହୋଇ ରହିଲି । ସଶୀର ମା’ ବ୍ୟସ୍ତଥାଆନ୍ତି ଠାକୁର ପୂଜାରେ । ପିତା ବ୍ୟସ୍ତଥାଆନ୍ତି ବ୍ୟବସାୟରେ । ଧନୀର ଏକମାତ୍ର ସନ୍ତାନ ଥିବାରୁ ସୁଶୀ ପାଇଥିଲା ଅବାଧ ସ୍ୱାଧୀନତା । କ୍ରମେ ଅବସ୍ଥା ଏପରି ଜଟିଳ ହେଲା ଯେ ଦୁହେଁ ଦୁହିଁଙ୍କୁ ନଦେଖିଲେ ରହିପାରିଲୁ ନାହିଁ । ଆଇ, ଏ. ପରୀକ୍ଷା ନିକଟହୋଇ ଆସିବାରୁ ସୁଶୀ କହିଲା, ଏତିକି ଥାଉ । ତୁମେ ଭଲକରି ପାଶ୍ ନକଲେ ବିବାହ ହୋଇ ପାରିବନାହିଁ !

 

—ସେତେବେଳେ ମୋର ଚେତା ପଶିଲା । ଲାଗିପଡ଼ିଲି ପଢ଼ାରେ । ଉପାୟ ନାହିଁ । ବୃତ୍ତି ନେଇ ଆଇ. ଏ. ପାଶ୍‍ କଲି ମଧ୍ୟ । ଯେଉଁଦିନ ପରୀକ୍ଷାଫଳ ବାହାରିଲା, ସେଦିନ ସୁଶୀର ଆନନ୍ଦ କହିଲେ ମସରେ । ସେଦିନ ସେ ଗୋଟିଏ ବଡ଼ ଭୋଜି ଆୟୋଜନ କଲା । ସମସ୍ତେ ଖାଇସାରି ଯେତେବେଳେ ଚାଲିଗଲେ...ବର୍ତ୍ତମାନ୍ ସୁଦ୍ଧା ମନେପଡ଼ିଲେ...ଆଃ... । ସେଦିନ ଥିଲା ପୂର୍ଣ୍ଣିମା । ଆକାଶରେ ସେଦିନ ରୂପେଲି କିରଣର ବନ୍ୟା । ସୁଶୀ ମୋତେ ଭିତରକୁ ଡାକି ନେଇ ହଠାତ୍ ମୋ ବେକରେ ଗୋଟିଏ ମଲ୍ଲୀଫୁଲର ହାର ପିନ୍ଧାଇଦେଲା । ମୁଁ ଧୀରେ ତାକୁ ମୋ ଛାତିକୁ ଆଉଜାଇ ନେଲି । ତାପରେ...

 

କିଙ୍କରବାବୁ ହଠାତ୍ ନୀରବ ରହି ଶୂନ୍ୟକୁ ଅନାଇ ପୁଣି ଆରମ୍ଭକଲେ, ଏହିପରି ସୁଖରେ ଗଲା ପୁଣି ଦୁଇବର୍ଷ । ଜୀବନରେ ସୁଖର ଦିନଗୁଡ଼ିକ ମନୁଷ୍ୟର ଶେଷ ଜୀବନର ପୁଞ୍ଜିସିନା । ମନୁଷ୍ୟ ସେଇଠି ଭାରି କୃପଣ । ଟିକିଏ ସାମାନ୍ୟ କଥାରେ ସେ ଭୁଲିବାକୁ ଚାହେଁନା । ବି. ଏ. ପରୀକ୍ଷା ପୁଣି ଆସିଲା । ଭାରି ବିରକ୍ତ ଲାଗିଲା । ଭାବିଲି କ’ଣ ହେବି ବି. ଏ. ପାଶ୍‍ କରି । ଏଇତ ମୋର ସ୍ୱର୍ଗ; କିନ୍ତୁ ସୁଶୀ କହିଲା, ବି. ଏ. ଭଲକରି ପାଶ୍ ନକଲେ...

 

—ପୁଣି ଦିନ ରାତି ଲାଗିପଡ଼ିଲି । ପ୍ରଥମ ଶ୍ରେଣୀରେ ଅନର୍ସ ନେଇ ବି. ଏ. ପାଶ୍ କଲି-। ସଗର୍ବେ ସୁଶୀ ଆଡ଼କୁ ଚାହିଁଲି । ସେଦିନ ମଧ୍ୟ ସୁଶୀ ମୋ ବେକରେ ଫୁଲମାଳ ପିନ୍ଧାଇ ଦେଇଥିଲା । କିନ୍ତୁ....

 

କିନ୍ତୁ......

 

—କିନ୍ତୁ କ’ଣ ? ଆମେ ସମସ୍ତେ ଏକାସାଙ୍ଗେ ପଚାରିଲୁ ।

 

—କିନ୍ତୁ, ସୁଶୀ କହିଲା ମୁଁ ଧନୀ ନହେଲେ ବିବାହ ଅସମ୍ଭବ । ମୁଣ୍ଡରେ ମୋର ବଜ୍ରପାତ ହେଲା । ମୁଁ ବସିପଡ଼ିଲି । ଉପାୟ କ’ଣ । ଖଣ୍ଡେ ଚାକିରି ପାଇପାରେ; କିନ୍ତୁ ସୁଶୀର ଧନ ତୁଳନାରେ ତା’ର ପରିମାଣ ବା କେତେ ! ସେଦିନ ରାତିରେ ମୋର ନିଦ ହେଲାନାହିଁ । କେବଳ ଚିନ୍ତା କ’ଣ କଲେ ଅଳ୍ପଦିନରେ ଧନୀ ହୋଇପାରିବି । ଦୁଇରାତି ଅନିଦ୍ରାରେ କଟାଇବା ପରେ ମୁଁ ଦୌଡ଼ିଲି ବ୍ୟବସାୟ ମହଲକୁ । ଅଧିକାଂଶ ମୋତେ ଉପଦେଶ ଦେଲେ କାଠ ବ୍ୟବସାୟ କରିବାକୁ-। ପରଦିନ ସୁଶୀର ପିତାଙ୍କଠାରୁ କିଛି ଋଣ ନେଇ ଚୂଡ଼ା ଚାଉଳ ବାନ୍ଧି ଦୌଡ଼ିଲି କେନ୍ଦୁଝର ଜଙ୍ଗଲକୁ-। ଭାଗ୍ୟକୁ ଦୁଇଟି ବର୍ଷ ଭିତରେ ମୁଁ ହେଲି ଲକ୍ଷପତି......ଅବଶ୍ୟ, ସ୍ୱୀକାର କରୁଚି, ବହୁ ଅସଥ ଉପାୟଦ୍ୱାରା କିନ୍ତୁ ଉପାୟ ନାହିଁ । ମୋତେ ଅଳ୍ପଦିନରେ ଧନୀ ହେବାକୁ ହେବ-। ଦୁଇବର୍ଷ ପରେ ଫେରିଲି... ସଗର୍ବେ ସୁଶୀର ମୁହଁକୁ ଚାହିଁଲି । କିନ୍ତୁ...

 

—ପୁଣି କିନ୍ତୁ, ସମସ୍ତେ ଅଧୀର ଭାବରେ ପଚାରିଲୁ ।

 

କିଙ୍କରବାବୁ ଅସହାୟ ଭାବରେ କହିଲେ, କିନ୍ତୁ...କିନ୍ତୁ......ହାୟ । ସୁଶୀ ଚାହିଁଲା ମୋ ଗୋଡ଼ଆଡ଼କୁ ।

 

ଗୋଟାଏ ବଡ଼ ବିପଦ କଟିଗଲାଭଳି ମୁଁ ନିଃଶ୍ୱାସମାରି କହିଲି, ଓହୋ, ବୁଝିଲି ନମସ୍କାର କରିବାକୁ ନିଶ୍ଚୟ । ନାରୀର ମନ ଆପଣ ଠିକ୍ ଜାଣନ୍ତି ନାହିଁ । ସେମାନେ ମୁହଁ ଖୋଲି କିଛି କୁହନ୍ତି ନାହିଁ, ଇଙ୍ଗିତରେ ସବୁ କୁହନ୍ତି ।

 

କିଙ୍କରବାବୁ କିନ୍ତୁ ସେହିପରି ଅସହାୟ ଭାବରେ କହିଲେ, ଆରେ ନା, ନା, ...ବାଜେକଥା, ପୋଥି ବାଇଗଣ । ନାରୀ ଇଙ୍ଗିତରେ କୁହେ ସତ, କିନ୍ତୁ ଯାହା କୁହେ ଇଙ୍ଗିତରେ, ତାହା ଗଣ୍ଠିକଥା । ନମସ୍କାର କରିବାକୁ ସୁଶୀ ମୋ ଗୋଡ଼ଆଡ଼କୁ ଚାହିଁନଥିଲା । ଯେତେ ଲୁଚାଇଲେ ବି ମୋର ଗୋଦର ଗୋଡ଼ ତା ନଜରରେ ପଡ଼ିଥିଲା । କି ତୀକ୍ଷ୍‍ଣ ନାରୀର ଦୃଷ୍ଟି !! ଓଃ-!! ଦୁଇ ବର୍ଷ ଜଙ୍ଗଲରେ ରହି ନାନା ଶାରୀରିକ ଅତ୍ୟାଚାର ଓ ମଶା କାମୁଡ଼ାରେ ମୋର ହେଲା ବାତଜ୍ୱର ଓ ତାପରେ ‘ପଦବୃଦ୍ଧି’ । ଏହି ଦେଖନ୍ତୁ । ଗୋଡ଼ରୁ ଲୁଗା ଟେକି ସେ ଦେଖାଇ ପୁଣି ଲୁଗା ଘୋଡ଼ାଇଦେଇ ସେ କହିଲେ କିନ୍ତୁ, ମୁଁ ତା’ର ମନୋଭାବ ବୁଝିପାରି କହିଲି, ସୁଶୀ, ତୁମେ ଭାବନାହିଁ । ବର୍ଷକ ଭିତରେ ଏହାର ଚିହ୍ନ ବର୍ଣ୍ଣ ନଥିବ । ଲଜ୍ଜା ଓ ବେଦନା ନେଇ ସେଦିନ ଫେରିଲି-। କଟକରେ ରହି ଚିକିତ୍ସା ଆରମ୍ଭ କଲି । ଅନେକ ଅର୍ଥ ବ୍ୟୟପରେ ମୋର ଗୋଡ଼ଫୁଲା ଏକଦମ କମିଗଲା । ପୁଣି ଫେରିଲି ସୁଶୀ ପାଖକୁ । ଏଥର ବିବାହର ପ୍ରସ୍ତାବ କଲି । କିନ୍ତୁ....

 

—ଆଏଁ ପୁଣି କିନ୍ତୁ !!! ଏ ‘କିନ୍ତୁ’ର କଣ ଶେଷ ନାହିଁ, ମୁଁ କହିଲି ।

 

—ନା ବୋଧହୁଏ । ପୁଣି ଆଉ ଗୋଟିଏ କିନ୍ତୁ ବାହାରିଲା । ସୁଶୀ ଚାହିଁଲା ମୋର...

 

ସମସ୍ତେ ଉତ୍କଣ୍ଠାର ସହିତ ପଚାରିଲୁ, କେଉଁଠିକି ?

 

—ମୋର ମୁଣ୍ଡକୁ । ବାତଜ୍ୱର ପାଇଁ ଅନେକ ଆର୍ସେନିକ୍ ଇଞ୍ଜେକ୍ସନ ନେବା ପରେ ମୋ ମୁଣ୍ଡରେ ଆଉ ଗୋଟିଏ ବି ବାଳ ରହିଲା ନାହିଁ । ନୀରବରେ ସେଦିନ ଫେରିଲି ପୁଣି ଗୋଟିଏ ନିର୍ଲ୍ଲଜ୍ଜ ଯନ୍ତ୍ରଣାନେଇ; କିନ୍ତୁ ମନରେ ଗୋଟିଏ ଜିଦ୍ ଚାପିବସିଲା । ସୁଶୀକୁ ପାଇବାକୁ ହିଁ ହେବ । ଯେତେ ଖର୍ଚ୍ଚ ପଡ଼ୁ । କେଶର ଚିକିତ୍ସା ଆରମ୍ଭ ହେଲା । ବହୁ ଅର୍ଥ ବ୍ୟୟ ପରେ କୁଣ୍ଠାର ସହିତ କିଛି ବାଳ ଉଠିଲେ ସତ; କିନ୍ତୁ ରଙ୍ଗ ବଦଳାଇ ଉଠିଲେ । ହାୟରେ ପ୍ରକୃତିର ନିୟମ । ମୋ ପକ୍ଷରେ ତା ଟିକିଏ ବି କୋହଳ ହେଲାନି । ଯାହାହେଉ ଫେରିଲି ସୁଶୀ ପାଖକୁ । କିନ୍ତୁ... ।

 

ହାୟ, ହାୟ, ତଥାପି କିନ୍ତୁ ? ନାରୀ ଛଳନାମୟୀ ଜାଣିସୁଦ୍ଧା ମୁଁ ଧନୁର୍ଦ୍ଧର ଗର୍ଜିଉଠିଲି ନାଟକୀୟ ଭଙ୍ଗୀରେ ।

 

ହାୟ, ମୁଣ୍ଡ ମରୁଭୂମିରେ ଚାଷ କରାଇ ପାରିଲି ସତ; କିନ୍ତୁ ବେଦାନ୍ତ ହୋଇଗଲି । ଗୋଟିଏ ବି ଦାନ୍ତ ବି ରହିଲା ନାହିଁ । ମୁଁ ବର୍ତ୍ତମାନ ବେଦାନ୍ତ ସରସ୍ୱତୀ । ସରସ୍ୱତୀ କହୁଚି କାରଣ ବେଦାନ୍ତ ହେବା ପରେ ଚରମ ଜ୍ଞାନ ପାଇଚି ଯେ ପ୍ରକୃତିର ନିୟମକୁ ରୋଧିବାର ଚେଷ୍ଟା ବୃଥା । ଏତେଥର ଚେଷ୍ଟା କରିଛି ସୁଶୀ ମୋର ମୁହଁକୁ ଚାହିଁବାକୁ; କିନ୍ତୁ ସେ ଚାହିଁଚି ଗୋଡ଼କୁ, ମୁଣ୍ଡକୁ ଏଣେ ତେଣେ । ଏଥର ସେ ମୋ ମୁହଁକୁ ଚାହିଁଲା ସତ; କିନ୍ତୁ ମୋର ମୁହଁ ତା’ର ମନରେ ଯେଉଁ ଭାବ ଉପୁଜାଇଲା ତାହା ପ୍ରେମ ନୁହଁ, ଭାଇ, ହାସ୍ୟ । ତୀବ୍ର କଷ୍ଟ ନେଇ ଫେରିଲି । ବାହାରେ ଆସି କିଛିକ୍ଷଣ ନୀରବରେ ଛିଡ଼ାହୋଇ ଜୀବନର ପତ୍ରଗୁଡ଼ିକ ଓଲଟାଇଗଲି । ଦୁଃଖ ବା ବେଦନା ପରିବର୍ତ୍ତେ ମୋତେ ଭାରି ହସ ମାଡ଼ିଲା । ଜାଣେନା, ଏ ହସ ଅତି ବେଦନାରୁ ନା କ’ଣ । ସେଠୁ ଫେରି ସିଧା ଆସିଲି ମୋର ଜଙ୍ଗଲକୁ । ବ୍ୟବସାୟ ଛାଡ଼ିଲି, ସୁକର ଆଶା ଛାଡ଼ିଲି, ମୋର ବର୍ତ୍ତମାନ ଏକମାତ୍ର ସାଥୀ... ।

 

କିଙ୍କରବାବୁ ମଦର ଶୂନ୍ୟ ପାତ୍ରଟିକୁ ଟେକି ଦେଖାଇଲେ ।

 

ଧନଞ୍ଜୟ ହସି ହସି କହିଲେ, ଗୋଟିଏ ତୀର ଲକ୍ଷଭ୍ରଷ୍ଟ ହୋଇଚି ସିନା, ଧନୁରେ ଆଉ ତୀର ଯୋଖନ୍ତୁ ।

 

କିଙ୍କରବାବୁ ମଧ୍ୟ ହସି କହିଲେ, ଧନୁ ଅବସ୍ଥାତ ଦେଖୁଚନ୍ତି, ଆଉ ତୀର ମାରିବା ଏଥିରେ ଚଳିବ ନାହିଁ । ଏ ବର୍ତ୍ତମାନ ଖାଲି ଚୂଲିକୁ ଯୋଗ୍ୟ ।

 

ବ୍ରହ୍ମଦେବବାବୁ ଗୋଟିଏ ଦୀର୍ଘ ନିଃଶ୍ୱାସ ଛାଡ଼ି କହିଲେ, ଓଁ ପୂର୍ଣ୍ଣମଦଃ, ପୂର୍ଣ୍ଣମିଦମ, ପୂର୍ଣ୍ଣାତ୍ ପୂର୍ଣ୍ଣମିଦୋଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ । ଓଁ ଶାନ୍ତିଃ, ଶାନ୍ତିଃ, ଶାନ୍ତିଃ-। ତାହା ମଧ୍ୟ ପୂର୍ଣ୍ଣ, ଏହା ମଧ୍ୟ ପୂର୍ଣ୍ଣ । ପୂର୍ଣ୍ଣରୁ ପୂର୍ଣ୍ଣ ଉଦ୍‍ଗତ ହୁଏ । ପୂର୍ଣ୍ଣରୁ ପୂର୍ଣ୍ଣତ୍ୱ ଗ୍ରହଣ କଲେ ପୂର୍ଣ୍ଣହିଁ ଅବଶିଷ୍ଟ ଥାଏ । ଓଁ ତ୍ରିବିଧ ବିଘ୍ନର ଶାନ୍ତି ହେଉ ।

 

ଗାର୍ଡ ସାହେବ ପାଟିକରି ଡାକିଲେ, ଆସନ୍ତୁ, ଆସନ୍ତୁ, ଗାଡ଼ି ଛାଡ଼ିବ ।

 

ଆମେ ସବୁ ଦଉଡ଼ିଲୁ । ଏହା ପରେ କାହାରି ସହିତ କାହାରି ଆଉ ଦେଖା ହୋଇନି ।

★★★

 

ମହାତ୍ମା

 

ଜିତେନ୍ଦ୍ର ତାଙ୍କର ନା’ଟି ସାର୍ଥକ କରିଥିଲେ । ଯେଉଁ ପିତା ମାତାର ଆଦର୍ଶରେ, ଯେଉଁ ପରିବାରରେ, ତାଙ୍କର ଜୀବନ ଗଢ଼ି ଉଠିଥିଲା, ତାହା ମଧ୍ୟ ଏହାର ସମ୍ପୂର୍ଣ୍ଣ ଉପଯୋଗୀ ।

 

ଜିତେନ୍ଦ୍ର ‘ସିଦ୍ଧାନ୍ତ ସରସ୍ୱତୀ’ ନାମରେ ପରିଚିତ । ଏ ଉପାଧି ସେ କୌଣସି ପରୀକ୍ଷା ଦେଇ ହାସଲ କରିନଥିଲେ । ଅର୍ଥଶାସ୍ତ୍ର, ଇତିହାସ, ଗଣିତ, ସାହିତ୍ୟ ଆଦି ପରି ସଂସ୍କୃତି ସାହିତ୍ୟରେ ଅବଶ୍ୟ ତାଙ୍କର ଅଗାଧ ପାଣ୍ଡିତ୍ୟ ଅଛି; କିନ୍ତୁ ସେ କଦାପି ଅନ୍ୟର ମତରେ ଚାଳିତ ହୁଅନ୍ତିନାହିଁ । ଯେ କୌଣସି ବିଷୟର ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପରେ ଏବଂ ସବୁଦିଗ ବିଚାରକରିବା ପରେ ଯେଉଁ ସିଦ୍ଧାନ୍ତ ସେ କରନ୍ତି, ତାହାହିଁ ସେ ବ୍ୟକ୍ତ କରନ୍ତି । ଗୋଟିଏ ବିଷୟ ସମସ୍ତେ ଲକ୍ଷ କରି ଆଶ୍ଚର୍ଯ୍ୟ ହୁଅନ୍ତି ଯେ ଏତେ ଅଗାଧ ପାଣ୍ଡିତ୍ୟ ଥାଇ ମଧ୍ୟ ଏବଂ ଏତେ ବୁଦ୍ଧି ଥାଇ ମଧ୍ୟ ନିଜର କୌଣସି ମତ ନିର୍ଭୁଲ ବୋଲି ସେ କେବେହେ ଗର୍ବ କରନ୍ତିନାହିଁ । ତାଙ୍କର ତର୍କ କରିବାର ପନ୍ଥା ଅତି ସୁନ୍ଦର । ସମସ୍ୟା ଯେତେ ଗୁରୁତର ହେଉ ନା କାହିଁକି, ବିଚାର୍ଯ୍ୟ ବିଷୟ ଯେଡ଼େ ଜଟିଳ ହେଉ ନା କାହିଁକି, ନିରୁଦ୍‍ବେଗ ଓ ଧୀରସ୍ଥିର ଭାବରେ ସେ ସମସ୍ତଙ୍କର ମତ ଶୁଣି ନିଜର ଅନୁଭୂତି ଓ ଜ୍ଞାନ ଦ୍ୱାରା ସମ୍ଭବ ଅସମ୍ଭବ ଆଲୋଚନା କରି ସେ ସିଦ୍ଧାନ୍ତ ଆଡ଼କୁ ଧୀରେ ଧୀରେ ଯେତେବେଳେ ଅଗ୍ରସର ହୁଅନ୍ତି, ତାହା ସତେ ରୋମାଞ୍ଚ ଆଣେ । ଗୀତାରେ ଏକୁହିଁ ବୋଧ ହୁଏ କୁହାହୋଇଚି, ‘ସମତ୍ୱଂ ଯୋଗ ଉଚ୍ୟତେ’ । ସେ ଯେତେବେଳେ ତାଙ୍କର ନିଜସ୍ୱ ମତ ବ୍ୟକ୍ତ କରନ୍ତି, ସେତେବେଳେ ମନେହୁଏ ସତେ ଯେପରି ଅଙ୍କ କଷି ସେ ଦେଖାଇଦେଲେ ଯେ କେବଳ ସେହି ମତହିଁ ଠିକ୍ । କିନ୍ତୁ ତଥାପି କେବେହେଁ ତାହାକୁ ଅନ୍ୟ ଉପରେ ଚାପିବାକୁ ସେ ଲେଶମାତ୍ର ଚେଷ୍ଟା କରନ୍ତିନାହିଁ । ତାଙ୍କର ଅନ୍ତରଙ୍ଗ ବନ୍ଧୁମାନେ ତାଙ୍କୁ ତେଣୁ ‘ସିଦ୍ଧାନ୍ତ ସରସ୍ୱତୀ’ ବୋଲି ଡାକୁଥିଲେ । ଜିତେନ୍ଦ୍ରଙ୍କର ପରିଚୟର ପରିସର ଯେତେ ବଢ଼ୁଥିଲା, ଏ ଉପାଧି ସେତେ ଜନପ୍ରିୟ ଓ ଦୃଢ଼ୀଭୂତ ହେଉଥିଲା ।

 

କେହି କେହି କହନ୍ତି ଏ ତାଙ୍କର ଆବାଲ୍ୟ ସାଧନାର ଫଳ । ବ୍ରହ୍ମଚର୍ଯ୍ୟର ଫଳ । କାମ, କ୍ରୋଧ, ଲୋଭ ଆଦି ଛଅଟି ରିପୁ ତାଙ୍କ ନିକଟରେ ସମ୍ପୂର୍ଣ୍ଣ ପରାଜିତ କହିଲେ ଚଳେ । ଆମେ ମନର ଆବେଗ ଅନୁସାରେ ପ୍ରଥମରୁ ସିଦ୍ଧାନ୍ତ କରି ତାକୁ ସମର୍ଥନ କରିବାକୁ ଯୁକ୍ତି ବାଢ଼ୁ, କିନ୍ତୁ ଜିତେନ୍ଦ୍ର କୌଣସି ମତଦ୍ୱାରା ପ୍ରଭାବିତ ନ ହୋଇ ଅନୁସନ୍ଧାନ ଓ ଯୁକ୍ତି ଦ୍ୱାରା ଚାଳିତ ହୁଅନ୍ତି । ତାଙ୍କର ମନର ଦୁଆର ସବୁବେଳେ ଖୋଲା ଥିବାରୁ କୌଣସି ମତ ସେଠି ଆବଦ୍ଧ ରହି ଜଟିଳତା ସୃଷ୍ଟି କରିପାରେନାହିଁ । ଅନେକେ ପୁଣି କହନ୍ତି ସେ ବାହା ହୋଇ ନାହାନ୍ତି, ପିଲାଝିଲା ନାହିଁ, ସଂସାରର ଜଞ୍ଜାଳ ନାହିଁ, ତେଣୁ ସର୍ବଦା ସେ ମୁକ୍ତ । ଏକଥା ହୁଏତ ଠିକ୍ । ଜିତେନ୍ଦ୍ର ନିଜକୁ ଗଢ଼ିଛନ୍ତି ଯେଉଁ ଆଦର୍ଶରେ, ସେଥିରେ ବିବାହକୁ ସେ ସ୍ଥାନ ଦେଇନାହାନ୍ତି । ଖାଲି ବିବାହ କାହିଁକି କୌଣସି ନାରୀ ପ୍ରତି ଆକୃଷ୍ଟ ହେବାକୁ ସେ ଚରମ ଅଭଦ୍ରତା ମନେ କରନ୍ତି । ଏ ଆକର୍ଷଣ ଯେ ସବୁ ମୋହର ମୂଳ, ତାହା ସେ ଅନୁଭବ କରିଛନ୍ତି ତାଙ୍କର ଚୌଦ ବର୍ଷ ବୟସରୁ । ବାଲ୍ୟକାଳରୁ ତାଙ୍କର ଏକମାତ୍ର ଲକ୍ଷ୍ୟ ସବୁରି ମୂଳରେ ଯେଉଁ ସତ୍ୟ ଅଛି ତାହାର ଅନୁସନ୍ଧାନ କରିବା । ତାଙ୍କ ମତରେ ସେ ଆଦର୍ଶର ଏକମାତ୍ର ଅନ୍ତରାୟ ହେଉଚି ମନର ଆବେଗ । ମନର ଆବେଗରୁ ପ୍ରେମର ଉତ୍ପତ୍ତି ହୋଇପାରେ, ତ୍ୟାଗର ଉତ୍ପତ୍ତି ହୋଇପାରେ; କିନ୍ତୁ ସତ୍ୟର ସନ୍ଧାନ ମିଳେନାହିଁ । ସେ କହନ୍ତି ଯେ ବୁଦ୍ଧ ଚୈତନ୍ୟ ଆଦି ମହାତ୍ମାମାନେ ଯେଉଁ ଜ୍ଞାନ ଦେଇ ଯାଇଅଛନ୍ତି, ତାହା ସତ୍ୟ ଜ୍ଞାନ ନୁହେଁ, କାରଣ ସେ ଜ୍ଞାନର ଉତ୍ପତ୍ତି ସେମାନଙ୍କର ମନର ଆବେଗରୁ । ତେଣୁ ସେ ଜ୍ଞାନରେ ଏକଦର୍ଶୀତା ଦେଖିବାକୁ ମିଳେ । ସେମାନଙ୍କର ଜ୍ଞାନ ତେଣୁ ଆବେଗମୟ ।

 

ସମସ୍ତ ଆବେଗ ସେ ଦମନ କରି ସତ୍ୟର ଅନୁସନ୍ଧାନ କରି ଚାଲିଛନ୍ତି । ଏହି ଅନୁସନ୍ଧାନ ପାଇଁ କେବଳ ସେ ବହୁ ଶାସ୍ତ୍ର ପଢ଼ିଛନ୍ତି, ନିଜର ଜ୍ଞାନ ପାଇଁ ନୁହଁ ବା ସେ ଜ୍ଞାନରେ ଗର୍ବ ଅନୁଭବ କରିବା ପାଇଁ ନୁହଁ । ତାଙ୍କର ଏକମାତ୍ର ଆବେଗ, ଯଦି ଏହାକୁ ଆବେଗ କୁହାଯାଏ, ସତ୍ୟ ଆବିଷ୍କାର କରିବା । ବୟସ ତାଙ୍କର ଚାଳିଶ ବର୍ଷରୁ ଊର୍ଦ୍ଧ ହେଲାଣି; କିନ୍ତୁ ଏ ଆଦର୍ଶରୁ କେବେହେଲେ ଟଳି ନାହାନ୍ତି । ଏ ଆଦର୍ଶରେ ତାଙ୍କର ଖାଲି ଆବେଗ ନୁହଁ ଭଗବାନଙ୍କ ସ୍ଥାନ ମଧ୍ୟ ନାହିଁ । ସେ ଭଗବାନଙ୍କର ଅସ୍ତିତ୍ୱ ବିଷୟରେ ସିଦ୍ଧାନ୍ତରେ ନ ପହଞ୍ଚିବା ପର୍ଯ୍ୟନ୍ତ ନାସ୍ତିକ ।

 

ସେଦିନ ସେ ତାଙ୍କର ଅଭ୍ୟାସାନୁଯାୟୀ ସାନ୍ଧ୍ୟ ଭ୍ରମଣରେ ଯାଉଁ ଯାଉଁ ମନେ ମନେ ତର୍କ କରି ଚାଲିଛନ୍ତି—ସତ୍ୟ ସହିତ ମାନବ ସମାଜର ସମ୍ୱନ୍ଧ କ’ଣ ? ସତ୍ୟ ନିରୂପଣ କରିବା ସମସ୍ତଙ୍କର କାମ୍ୟ ହେବା ଉଚିତ କି ନା ? ହଁ, ମାନିଲି ଉଚିତ । ଆଚ୍ଛା ତେବେ ପନ୍ଥା କଣ ? ମାନି ନିଆଯାଉ ମୋରି ପନ୍ଥା ହିଁ ଠିକ୍ । ତେବେ ମାନବ ସମାଜର କଅଣ ଦଶା ହେବ ଯଦି ସମସ୍ତେ ମୋରି ଆଦର୍ଶକୁ ଅନୁସରଣ କରନ୍ତି ? ସତ୍ୟ ତା ହେଲେ କଅଣ ମନୁଷ୍ୟ ସୃଷ୍ଟିକୁ ପୃଥିବୀରୁ ଲୋପ କରିଦେବ ? ଯଦି ବା ସତ୍ୟର ରୂପ ନିରୂପଣ ନ କରିବା ପର୍ଯ୍ୟନ୍ତ ମନୁଷ୍ୟ ବଞ୍ଚି ରହିବା ପାଇଁ ବିବାହ କରେ, ତେବେ ଅବେଗହୀନ ଜୀବନର ସ୍ଥାନ ସେଠି ଅଛି କି ? ନିଶ୍ଚୟ ନାହିଁ; କାରଣ ପୁରୁଷ ଓ ନାରୀର ମିଳନର ମୂଳରେ ତ ଅଛି ଆବେଗ । ଅବେଗବିହୀନ ସଂପର୍କିତ ଛଳନା । ଅତଏବ ଏଥିରୁ ଏହାହିଁ ପ୍ରତିପାଦିତ ହୁଏ ଯେ ସୃଷ୍ଟିର ମୂଳରେ ଅଛି କେବଳ ଅବେଗ, ବେଦନା, ଯାତନା । ଏହି ଆବେଗ, ବେଦନା, ଯାତନାକୁ ଏଡ଼ାଇ ମନୁଷ୍ୟ ଯେଉଁ ଜ୍ଞାନ ଲାଭକରେ ତା ସହିତ ଆବେଗ, ବେଦନା ଓ ଯାତନାରୁ ଯେଉଁ ଜ୍ଞାନ ଜନ୍ମେ ତାର ସମ୍ୱନ୍ଧ କଅଣ ? କେଉଁଟି କାମ୍ୟ ? ଧରି ନିଆଯାଉ ଯେ ସୃଷ୍ଟିର ଉଦ୍ଦେଶ୍ୟ ଯେତେବେଳେ ଆବେଗ, ବେଦନା, ଯାତନା ଦେବା, ସେତେବେଳେ ସେଥିରୁହିଁ ଯେଉଁ ଜ୍ଞାନ ଜନ୍ମେ ତାହାହିଁ ଏକମାତ୍ର ସତ୍ୟ; କିନ୍ତୁ ତେବେ ସେଥିରୁ ଏହାହିଁ ପ୍ରତିପାଦିତ ହୁଏ ନାହିଁ କି ମନୁଷ୍ୟ ଏହି ଆବେଗ, ବେଦନା, ଯାତନା ଆଦିରୁ ଉପରକୁ ଚେଷ୍ଟାକରିବା ଅନୁଚିତ । ତା ଯଦି ହୁଏ, ତେବେ ଏକ ବିଷବୃତ୍ତ ସୃଷ୍ଟି ହେଲା !!

 

ତାଙ୍କର ଚିନ୍ତାଧାରା ବାଧା ପାଇଲା । ତାଙ୍କର ଜଣେ ବନ୍ଧୁଙ୍କର ପୁତ୍ର ତାଙ୍କର ସ୍ତ୍ରୀ ସହିତ ବୁଲୁ ବୁଲୁ ଜିତେନ୍ଦ୍ରଙ୍କୁ ଦେଖି ସଭକ୍ତି ପ୍ରଣାମକଲେ । ଅନ୍ୟମନସ୍କ ଭାବରେ ପ୍ରତି ନମସ୍କାର କରି ଜିତେନ୍ଦ୍ର ଅପଲକ ଦୃଷ୍ଟିରେ ବନ୍ଧୁ ପୁତ୍ରଙ୍କ ସ୍ତ୍ରୀ ଆଡ଼େ ଅନାଇ ଭାବିଲେ, ଏହି ସୁନ୍ଦର, କୋମଳ, ଊର୍ମିୟମ ଶରୀର ଏ କଅଣ କାମ୍ୟ ନୁହଁ ? ଉତ୍ତର ପାଇବା ପୂର୍ବରୁ ଅଜ୍ଞାତରେ ତାଙ୍କର ହାତ ଆଗେଇ ଯାଇ ସ୍ପର୍ଶକଲା ବନ୍ଧୁ ପୁତ୍ରଙ୍କର ସ୍ତ୍ରୀଙ୍କର ଶରୀର । ହଠାତ୍ ସେ ଗୋଟାଏ ଶିହରଣ ଅନୁଭବ କରି ଚମକି ପଡ଼ିଲେ । ନିଜର ଅଜ୍ଞାନକୃତ କର୍ମକୁ ଦେଖି ହଠାତ୍ ତାଙ୍କର ମୁହଁ କାଳିଆ ପଡ଼ିଗଲା । ସେଇ ଶିହରଣର କ୍ଷୁଦ୍ର ମାଧୁରିମାଟିକୁ ସେ ତାଙ୍କର ସମସ୍ତ ଶକ୍ତି ପ୍ରୟୋଗ କରି ଦବାଇ ଦେଇ ଆଗକୁ ଚାଲିଲେ । ଏମାନେ କିଛି ବୁଝି ନପାରି କେବଳ ଅବାକ୍ ହୋଇ ଚାହିଁ ରହିଲେ । ଜିତେନ୍ଦ୍ର କ୍ଷିପ୍ର ଗତିରେ ଆଗେଇ ଚାଲିଚନ୍ତି । ସେଇ ଶିହରଣଟି କିନ୍ତୁ ତାଙ୍କର ଶରୀରରେ ଯେପରି ଲାଗି ରହିଲା । ସମସ୍ତ ଚେଷ୍ଟାସତ୍ତ୍ୱେ ସେଟିକୁ ସେ ଶରୀରରୁ ଝାଡ଼ିଦେଇ ପାରିଲେ ନାହିଁ ।

 

କିଛି ବାଟ ଯାଇ ସେ ଛିଡ଼ାହେଲେ । ଆଉ ଥରେ ସ୍ପର୍ଶ କରିବାକୁ ତାଙ୍କର ପ୍ରବଳ ଇଚ୍ଛା ସେ ଦମନ କରିପାରିଲେ ନାହିଁ । କିଏ ଯେପରି ପ୍ରଚଣ୍ଡ ଶକ୍ତିରେ ତାଙ୍କୁ ଧକ୍କା ମାରୁ ମାରୁ ଫେରାଇ ଆଣିଲା ।

 

ସେ ପାଟି କରି ଡାକିଲେ, ଧୀରେନ୍ ଶୁଣ, ଶୁଣ ! ଏପରି ବ୍ୟସ୍ତ ହୋଇ ପାଟି କରି ଡାକିବାର କାରଣ ବୁଝି ନ ପାରି ଧୀରେନ୍ ବାବୁ ଓ ତାଙ୍କ ସ୍ତ୍ରୀ ସ୍ତମ୍ଭୀତ ହୋଇ ଛିଡ଼ାହେଲେ ।

 

ଜିତେନ୍ଦ୍ର ଫେରି କଅଣ କହିବେ ଭାବି ନପାରି ପଚାରିଲେ, ହଁ ଧୀରେନ୍, ତୁମେ ବିବାହ ହୋଇଚ ?

 

ଧୀରେନ୍ ବାବୁ ଆଶ୍ଚର୍ଯ୍ୟ ହୋଇ କହିଲେ, ଆଜ୍ଞା, ଆପଣ ପରା ମୋ ବାହାଘରକୁ ଯାଇଥିଲେ ! ଏ ପରା ମୋ ସ୍ତ୍ରୀ !

 

—ଆରେ ହଁ, ହଁ, ଆଜିକାଲି ସବୁ ଭୁଲିଯାଉଚି । ବୁଢ଼ା ହେଲ, ଆଉ କଅଣ ? ଏ ତୁମ ସ୍ତ୍ରୀ ।

 

—ହଁ ସୁମିତ୍ରା, ନମସ୍କାର କରିନା !

 

ସୁମିତ୍ରା ଦେବୀ ନମସ୍କାର କରି ନୀରବରେ ଛିଡ଼ା ହେଲେ ।

 

ଜିତେନ୍ଦ୍ର ତାଙ୍କର ମୁଣ୍ଡରେ ହାତ ଦେଇ ଆଶୀର୍ବାଦ କରି ହାତ ଉଠାଇ ଆଣିବାବେଳେ ଅଜାଣତ ଭଳି ସୁମିତ୍ରା ଦେବୀଙ୍କ ଗାଲ ସ୍ପର୍ଶକଲେ । ସୁମିତ୍ରା ଦେବୀ ଘୃଣାରେ ପଛକୁ ଘୁଞ୍ଚିଯାଇ ମୁହଁ ବୁଲାଇ ଛିଡ଼ା ହେଲେ । ଜିତେନ୍ଦ୍ର ଆଉ ଥରେ ସ୍ପର୍ଶ କରିବାକୁ ହାତ ବଢ଼ାଉଥିଲେ । ସୁମିତ୍ରା ଦେବୀ ଘୃଣାରେ ଧୀରେନ୍ ବାବୁଙ୍କ ହାତ ଧରି ପ୍ରାୟ ଘୋଷାରି ନେଇ କହିଲେ, ଚାଲ, ବର୍ଷା ଆସିଲା । ସେମାନେ ଚାଲିଗଲେ । ଜିତେନ୍ଦ୍ରଙ୍କର ଏତେବେଳେ ହୋସ୍ ଆସିଲା । ତାଙ୍କ ଅଜ୍ଞାତରେ ଦୁଇବୁନ୍ଦା ପାଣି ତାଙ୍କ ଆଖିରୁ ଝରିପଡ଼ିଲା । ଗୋଟାଏ ଅଜ୍ଞାତ କୋହ ବାରମ୍ୱାର ଉଠି ଆସିଲା । ତାକୁ ଦବାଇବାକୁ ଯାଇ ସେ ବାରମ୍ୱାର ଥରି ଉଠିଲେ । କିଛିକ୍ଷଣ ଅନାଇ ରହି ଗୋଟାଏ ଦୀର୍ଘ ନିଃଶ୍ୱାସ ପକାଇ ସେ ଫେରିଲେ ବୁଲିବାକୁ । ତାଙ୍କର ମନ ତାଙ୍କୁ ବାରମ୍ୱାର ଧିକ୍କାର ଦେବାକୁ ଲାଗିଲା । ଛିଃ, ବାରବର୍ଷର ତପସ୍ୟା ଦିନକ ଶୁଖୁଆ ପୋଡ଼ାରେ ଗଲା । ଏଁ ମୁଁ କଲି କଅଣ ! ଚିନ୍ତାରେ ସେ ତିନିକ୍ରୋଶ ଚାଲିଗଲେ ବୁଝିପାରିଲେ ନାହିଁ; ତଥାପି ସେ ମୃଦୁସ୍ପର୍ଶ ସେ ଭୁଲି ମଧ୍ୟ ପାରିଲେ ନାହିଁ ।

 

ଘରଠାରୁ ଅଳ୍ପ ଦୂରରେ ଗୋଟିଏ କୀର୍ତ୍ତନ ଦଳ ତାଙ୍କୁ ଅତିକ୍ରମ କରି ଚାଲିଗଲା । କରୁଣ ସ୍ୱରରେ କୀର୍ତ୍ତନିଆ ଗାଉଥିଲା ରାଧାଙ୍କ ବିରହ ଗାଥା । କୀର୍ତ୍ତନିଆର କରୁଣ ସ୍ୱର ଓ ମୃଦଙ୍ଗର ମୂର୍ଚ୍ଛନା ତାଙ୍କର କୋହ ଆହୁରି ବଢ଼ାଇଦେଲା । ସେ ଆବେଗ ସମ୍ଭାଳି ପାରିଲେନାହିଁ । କିଏ ଯେପରି ତାଙ୍କୁ ଟାଣିନେଲା କୀର୍ତ୍ତନ ଆଡ଼େ । ଜିତେନ୍ଦ୍ରଙ୍କୁ ସମସ୍ତେ ଜାଣନ୍ତି ଘୋର ନାସ୍ତିକ ବୋଲି । କୀର୍ତ୍ତନ ଭିତରେ ହଠାତ୍ ତାଙ୍କୁ ଗାଇବାର ଦେଖି ସମସ୍ତେ ଚିତ୍କାର କରି ଉଠିଲେ ‘ହରିବୋଲ, ହରିବୋଲ, ହରିବୋଲ’ । ମୃଦଙ୍ଗ, କରତାଳ, ଘଣ୍ଟା ଓ ହରିବୋଲର ଧ୍ୱନିରେ ତାଙ୍କର କୋହ ଏଡ଼େ ପ୍ରବଳ ହୋଇ ଉଠିଲା ଯେ ସେ ବେହୋସ୍ ହୋଇ ତଳେ ପଡ଼ିଗଲେ । କୀର୍ତ୍ତନିଆମାନେ ଭାବିଲେ ଯେ ଜିତେନ୍ଦ୍ର ହରି ପ୍ରେମରେ ପାଗଳ ହୋଇ ଚୈତନ୍ୟଙ୍କ ଭଳି ବେହୋସ ହୋଇଗଲେ । ବସ୍ତୁତଃ ତାହାହିଁ ଠିକ୍ । ଜିତେନ୍ଦ୍ର ହରି ପ୍ରେମରେ ପାଗଳ । ତାଙ୍କ କାନରେ ଅନେକ କ୍ଷଣ ହରି ହରି କହିବା ପରେ ଜିତେନ୍ଦ୍ର ବାବୁ ଆଖି ଖୋଲି ଚାହିଁଲେ । ଅବିରଳ ଦୁଇଧାର ଲୁହ ତାଙ୍କ ଆଖିରୁ ଝରିବାକୁ ଲାଗିଲା । କିଛିକ୍ଷଣ ସେ ନୀରବରେ ଚାହିଁ ଉଠିଲେ । କୀର୍ତ୍ତନ ଗାଇବାକୁ ସେ ଚେଷ୍ଟା କଲେ; କିନ୍ତୁ ତାଙ୍କର ଓଠ ଥରି ଉଠିଲା । କିଛିକ୍ଷଣ ପରେ ସେ ଗାଇଲେ ‘ମରିବି, ମରିବି, ସଖି ନିଶ୍ଚୟ ମରିବି... ।’ ରାଧାଙ୍କର ସମସ୍ତ ବେଦନା ସେ ଯେପରି ବୁଝିପାରିଲେ । ନିଜକୁ ସେ ରାଧାହିଁ ମନେକଲେ । ହରିପ୍ରେମ ବିଭୋରା ରାଧା ।

 

ପରଦିନ ସମସ୍ତ ସମ୍ୱାଦ ପତ୍ରରେ ଏ ସମ୍ୱାଦ ଘୋଷିତ ହେଲା । ଜିତେନ୍ଦ୍ର ପଢ଼ିଲେ । ମନ ତାଙ୍କର ଅନୁତାପ ଓ ଘୃଣାରେ ଭରି ଉଠିଲା; କିନ୍ତୁ ତାହା ମୁହୂର୍ତ୍ତକ ପାଇଁ । ପର ମୁହୂର୍ତ୍ତରେ ସେଇ କୋହ, ସେଇ ଆବେଗ ତାଙ୍କ ଛାତି ଭିତରୁ ଉଠିଆସିଲା । ଆଖିରୁ ସେହିପରି ଅଶ୍ରୁ ଅବିରଳ ଝରିବାକୁ ଲାଗିଲା । କିଛିକ୍ଷଣ ପରେ ସେ ପୁଣି ବେହୋସ ହୋଇଗଲେ । ଏଥିରେ ସେ ଅପୂର୍ବ ବେଦନା ମିଶ୍ରିତ ଆନନ୍ଦ ପାଇବାକୁ ଲାଗିଲେ । ତାଙ୍କର ମନ ସବୁବେଳେ ଏଇ ମାଦକତା ଅନୁଭବ କରିବାକୁ ଚାହିଁଲା । କ୍ରମେ କ୍ରମେ ଜିତେନ୍ଦ୍ରଙ୍କ ହରିପ୍ରେମ ଚାରିଆଡ଼େ ପ୍ରଚାରିତ ହେଲା ।

ଜିତେନ୍ଦ୍ର ସବୁ ଛାଡ଼ି ସେଇ ମଠରେ ରହିଲେ ମଠାଧୀଶରୂପେ । ତାଙ୍କର ନାମ ପରିବର୍ତ୍ତନ କରି ସେ ରଖିଲେ ନିସ୍ତାରାନନ୍ଦ ସ୍ୱାମୀ । ତାଙ୍କର ଅଭୂତ ହରିପ୍ରେମ ଦେଖି ବହୁ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କର ଶିଷ୍ୟ ହେଲେ । ମାଦକତା ଟିକିଏ କଟିଗଲେ ତାଙ୍କର ମନ ଫେରି ଆସୁଥିଲା ତାଙ୍କର ପୂର୍ବାବସ୍ଥାକୁ । ସେତେବେଳେ ସେ ଖାଲି ଅନୁତାପରେ ଦଗ୍ଧ ହେଉଥିଲେ । ଏହି ଅବସ୍ଥାକୁ ଏଡ଼ାଇବା ପାଇଁ ସେ ନିଜକୁ ସବୁବେଳେ କୀର୍ତ୍ତନ ଓ ହରିଗୁଣ କୀର୍ତ୍ତନରେ ବୁଡ଼ାଇ ରଖିଲେ ।

ଲୋକେ ଦଳ ଦଳ ହୋଇ ଦେଖିବାକୁ ଧାଇଁଲେ । ହରିମାନ କୀର୍ତ୍ତନ କରୁ କରୁ ନିସ୍ତାରାନନ୍ଦ କିପରି ବାରମ୍ୱାର ମୂର୍ଚ୍ଛା ହେଉଚନ୍ତି ଏ ଦୃଶ୍ୟ ଦେଖି ଲୋକେ ମଧ୍ୟ କାନ୍ଦି ପକାଉଥିଲେ-। ସମସ୍ତେ ଯେପରି ଏ ବେଦନାର ମାଦକତା ପାନ କରିବାକୁ ଉତ୍ସୁକ ।

ଆଜିକାଲି ନିସ୍ତାରାନନ୍ଦ ପ୍ରାୟ ହରି ପ୍ରେମରେ ବେହୋସ ହୋଇ ପଡ଼ି ଥାଆନ୍ତି । ତାଙ୍କର ଶିଷ୍ୟ ଓ ଶିଷ୍ୟା ଅନେକ । ସେମାନେ ଆଜିକାଲି ତାଙ୍କୁ ଜୀବନ୍ତ ଦେବତା ରୂପେ ପୂଜା ଆରତି କରନ୍ତି ।

 

ବହୁଦିନ ପରେ ଦିନେ ସେ ସିଂହାସନରେ ବସିଛନ୍ତି । ଶିଷ୍ୟ ଶିଷ୍ୟାମାନେ କେହି ଚାମର କରୁଛନ୍ତି । କେହି ମର୍ଦ୍ଦନ କରୁଛନ୍ତି । କେହି ତାଙ୍କୁ ଫୁଲ ଓ ଚନ୍ଦନରେ ସଜାଇ ଦେଉଛନ୍ତି । ଜିତେନ୍ଦ୍ର ଆଜି ଅପେକ୍ଷାକୃତ ଶାନ୍ତ । ସେ ଭାବୁଛନ୍ତି, ଏ ମୋର ମୃତ୍ୟୁ ଉତ୍ସବ । ମୁଁ ଯେଉଁ ସତ୍ୟ ଖୋଜୁଥିଲି, ତାହା କଅଣ ପାଇଚି ?

 

ପୂଜା ସମୟ ହେଲା । ମୃଦଙ୍ଗ, କରତାଳ ବାଜି ଉଠିଲା । ପ୍ରଧାନ ଶିଷ୍ୟ ଗାଇଲେ, ମୁଁ ଆରତି କରେ ଗୋ ଜୀବନ ସ୍ୱାମୀ...ଇତ୍ୟାଦି । ନିସ୍ତାରାନନ୍ଦ ସିଂହାସନରୁ ଉଠି ଗାଇବାକୁ ଲାଗିଲେ ଓ ପ୍ରେମରେ ମତୁଆରା ହୋଇ ଉଦ୍ଭ୍ରାନ୍ତ ଭଳି ନାଚିବାକୁ ଲାଗିଲେ । କିଛି ସମୟ ପରେ ସେ ଗାଉ ଗାଉ କାହାକୁ ଯେପରି ଦୃଢ଼ଭାବରେ ଆଲିଙ୍ଗନ କରି ଅସଂଖ୍ୟ ଚୁମ୍ୱନ ଦେବାକୁ ଲାଗିଲେ । ତା ପରେ ସେ ମୂର୍ଚ୍ଛା ଗଲେ ।

 

ଶିଷ୍ୟମାନେ ଚିତ୍କାର କରି ଉଠିଲେ, ହରିବୋଲ, ହରି...ହରି...ବୋଲ, ହରି...ଇ...ଇ...ଇ ବୋଲ ।

★★★

 

ମାନବ ଓ ଦାନବ

 

ଗଭୀର ରାତ୍ରିର ସୂଚୀଭେଦ୍ୟ ଅନ୍ଧକାର ବିଦାରଣ କରି ଶୁଭିଲା ଗୋଟିଏ ଦାନବୀୟ ଅଟ୍ଟହାସ୍ୟ ହାଃ—ହାଃ—ହାଃ—ହାଃ—ହାଃ—ହାଃ—ହାଃ, ଲହରାଇ ଲହରାଇ ତୁହାକୁ ତୁହା ସେ ହସ ପର୍ବତ ବନାନୀର ପ୍ରଶାନ୍ତ ନୀରବତାକୁ ପ୍ରକମ୍ପିତ କରିବାକୁ ଲାଗିଲା ।

 

ମୁଁ ଓ ପ୍ରବୀର ମଞ୍ଚାରୁ ଓହ୍ଲାଇ ବନ୍ଧୁକ ଧରି ଟର୍ଚ୍ଚ ଆଲୁଅ ଜାଳି ଜାଳି ଧୀରେ ଧୀରେ ଅଗ୍ରସର ହେଉଥିଲୁ ନରଖାଦକ ବାଘର ଅନୁସନ୍ଧାନରେ । ସେ ଅଟ୍ଟହାସ୍ୟ ଆମକୁ ଧକ୍କା ମାରି ଅଟକାଇ ଦେଲା । ଭୟରେ ଆମେ ଦୁହେଁ ପାଖକୁ ପାଖ ଲାଗି ଛିଡ଼ା ହାଇ ରହିଲୁ । ଆଲୁଅ ଜଳାଇ ରଖିବାର ସାହସ ହେଲା ନାହିଁ ।

 

ଅଟ୍ଟହାସ୍ୟ ପର୍ବତମାଳାର କନ୍ଦରେ କନ୍ଦରେ ପ୍ରତିଧ୍ୱନିତ ହୋଇ ମିଳାଇଗଲା । ସମସ୍ତ କୋଳାହଳର ଆଦି ଓ ଅନ୍ତ ସେଇ ମହାନୀରବତାରେ । ଚାରିଆଡ଼ ପୁଣି ନିସ୍ତବ୍‍ଧ, ନିଥର । ଭୟାବହ ସେ ନିସ୍ତବ୍ଧତା ।

 

ହଠାତ୍ ପୁଣି ଗୋଟାଏ କରୁଣ ଆର୍ତ୍ତନାଦ, ହୃଦୟବିଦାରକ କରୁଣ ଆର୍ତ୍ତନାଦ । ଆମେ ଦୁହେଁ ଭାରତବିଖ୍ୟାତ ଶିକାରୀ । ବର୍ଷକରୁ ଆଠମାସ ଆମେ ଥାଉଁ ଜଙ୍ଗଲରେ । ଭାରତର ପ୍ରତ୍ୟେକ ଜଙ୍ଗଲ ସହିତ, ପ୍ରତ୍ୟେକ ପଶୁଜାତି ସହିତ ଆମେ ଘନିଷ୍ଠ ଭାବରେ ପରିଚିତ; କିନ୍ତୁ ଏପରି ଅଭୂତ ଆର୍ତ୍ତନାଦ ଆମେ ଶୁଣି ନଥିଲୁ । ପୁତ୍ର-ବିୟୋଗବିଧୁରା ମାତାର କ୍ରନ୍ଦନ ସହିତ ଆଗ୍ନେୟଗିରିର ଗର୍ଜନ ମିଶାଇଲେ ସେ ଆର୍ତ୍ତନାଦର ତୁଳନା ହୋଇପାରେ ।

 

ଆର୍ତ୍ତନାଦ ପରେ ପୁଣି ସେହି ଭୟାବହ ନୀରବତା । ଭୀତତ୍ରସ୍ତ ପଲେ ହରିଣ ଆମ ଦୁହିଙ୍କ ଅତି ନିକଟ ଦେଇ ଦୌଡ଼ି ପଳାଇଗଲେ । ପରେ ପରେ ପଲେ ହାତୀ ଓ ତା’ ପଛରେ ପ୍ରାୟ ଛ’ଟା ବାଘ ମଧ୍ୟ ଦୌଡ଼ି ପଳାଇଲେ । ଆମେ ନିକଟସ୍ଥ ଗୋଟାଏ ଗଛ ଉପରକୁ ଉଠିଗଲୁ । ଅଜ୍ଞାତ ଭୟରେ ଆମର ଛାତି ଥରୁଥାଏ । ମୁଁ ଆଲୁଅ ଜଳାଇବାକୁ ଯାଉଥିଲି, ପ୍ରବୀର ବାଧା ଦେଇ କହିଲା ଚୁପ୍ କରି ବସି ରହିବାକୁ, ପ୍ରଚଣ୍ଡ ଶୀତରେ ମଧ୍ୟ ଆମ ଦେହରୁ ଝାଳ ବୋହୁଥାଏ ।

 

କେତେକ୍ଷଣ ଏପରି ବସିଥିଲୁ ଖିଆଲ ନାହିଁ । ହଠାତ୍ ଚମକି ଦେଖିଲୁ ଅଦୂରରେ ଗୋଟାଏ ବୁଦା ଭିତରେ ଦୁଇଟି ନିଆଁହୁଳା । ପ୍ରତ୍ୟେକ ହୁଳା ଗୋଟିଏ ସାନ ଫୁଟବଲ ଆକାରର । ଥରେ ଦୁଇଥର ନିଆଁ ପିଣ୍ଡୁଳା ଦୁଇଟି ଏପାଖ ସେପାଖ ହୋଇ ଆମ ଆଡ଼କୁ ମୁହାଁଇ ସ୍ଥିର ହୋଇ ରହିଲା ।

 

ସେ ନିଆଁ ପିଣ୍ଡୁଳା ଦେଖି ଆମ ଦୁହିଙ୍କର ଦେହରୁ ପାରି ବୋହିବାକୁ ଲାଗିଲା । ଆମେ ଦୁହେଁ ଥରିବାକୁ ଲାଗିଲୁଁ । ଯେଉଁ ଡାଳରେ ଆମେ ଦୁହେଁ ବସିଥିଲୁ ତାହା ଭୂମିଠାରୁ ଅବଶ୍ୟ ଆଠ ହାତ ଉଚ୍ଚରେ ହେବ; କିନ୍ତୁ ବେଶି ମୋଟ ନ ଥିବାରୁ ତାହା ଉପରେ ଆମର ସ୍ଥିତି ଦୃଢ଼ ନଥିଲା । ଆମେ ଅନ୍ୟ ଗୋଟିଏ ଗୋଟିଏ ଡାଳ ଦୃମଭାବରେ ଧରି ବସିଥିଲୁ; କିନ୍ତୁ ସେ ଅଭୂତ ନିଆଁପିଣ୍ଡୁଳା ଦେଖି ଆମେ ଏତେ ଥରିବାକୁ ଲାଗିଲୁଁ । ଯେ ପ୍ରତ୍ୟେକ ମୁହୂର୍ତ୍ତରେ ପଡ଼ିଯିବାର ଭୟ ହେଉଥାଏ, ଅନ୍ୟ ଡାଳ ଉପରେ ଆମର ବାହୁବେଷ୍ଟନୀ ଶିଥିଳ ହୋଇ ଆସୁଥାଏ । ପ୍ରବଳ ଭୟହେତୁ ଆମର ଚିନ୍ତାଶକ୍ତି ହରାଇ ବସିଥାଉଁ ।

 

ଏହି ସମୟରେ ନିଆଁପିଣ୍ଡୁଳା ଦୁଇଟି ଥରେ ଅଳ୍ପ ସମୟ ପାଇଁ ଲିଭିଯାଇ ପୁଣି ଜଳି ଉଠିଲା ଏଥର ପୂର୍ବଠାରୁ ଅଧିକ ଉଜ୍ଜ୍ୱଳ ଭାବରେ । ଏଥର ଆମେ ପାଗଳ ହୋଇଗଲୁ । ପ୍ରବୀର ଆଉ ସମ୍ଭାଳି ନପାରି ଅନ୍ଧାଧୁନ୍ଧିଆ ଗୁଳି ଫୁଟାଇ ଦେଲା । ନିଆଁପିଣ୍ଡୁଳା ଦୁଇଟି ପୁଣି ଲିଭିଗଲା । ଯେଉଁ ବୁଦାଟି ଭିତରୁ ସେ ନିଆଁ ଦିଶୁଥିଲା ସେ ବୁଦାଟି ଖସ ଖସ ଶବ୍ଦରେ ଥରି ଉଠିଲା ଏବଂ ତା’ପରେ କିଏ ଯେପରି ଅତି ଭାରି ପଦକ୍ଷେପରେ ଚାଲିଗଲା ।

 

କିଛିକ୍ଷଣ ପରେ ଆମେ ଟିକିଏ ସୁସ୍ଥତା ଅନୁଭବ କଲୁ । ପକେଟରୁ ରୁମାଲ ବାହାର କରି ମୁହଁ ହାତ ପୋଛି ଆମେ ବନ୍ଧୁକରେ ଗୁଳି ଭର୍ତ୍ତିକଲୁ । ପ୍ରବୀର ମୋ କାନରେ କହିଲା, ରମା; ଏତିକିବେଳେ ଚାଲ୍ ପଳେଇବା । ଗାଁ ତ ଏଠୁ ମାଇଲିଏ ଭିତରେ...

 

ପ୍ରବୀରର କଥା ଶେଷ ହୋଇ ନାହିଁ, ପୁଣି ସେଇ ଅଟ୍ଟହାସ୍ୟ, ହୋଃ–ହୋଃ–ହୋଃ–ହୋଃ । ଏଥର ଅତି ନିକଟରେ, ମନେ ହେଲା ଯେମିତି ବୁଦାଭିତରୁ କି ତୀବ୍ର ଓ ପ୍ରଚଣ୍ଡ ସେ ଶବ୍ଦ । ମନେ ହେଲା ଯେମିତି କାନପରଦା ଫାଟିଗଲା । ସେ ଶବ୍ଦର ପ୍ରତ୍ୟେକ ତରଙ୍ଗ ଆମକୁ ଧକ୍କା ଦେଲାଭଳି ମନେ ହେଉଥା, । ଡାଳକୁ ପ୍ରାଣପ୍ରଣେ ଜାପୋଟି ଧରି ବସୁ ବସୁ ଆମ ଦୁଇଜଣଙ୍କର ବନ୍ଧୁକ ତଳେ ପଡ଼ିଗଲା ।

 

ଓଃ ସେ କି ମୁହୂର୍ତ୍ତ ! ! ଆମର ସେତେବେଳେ ଟିକିଏ ହେଲେ ବି ମାନସିକ ବା ଶାରୀରିକ ଶକ୍ତି ନଥାଏ । ଯାହା କରୁଥାଉ ବା ଶୁଣୁଥାଉ ବା ଦେଖୁଥାଉ ତାହା କେବଳ ପ୍ରବୃତ୍ତି ହେତୁରୁ । ଏକଦମ୍ ପାଗଳ ହୋଇ ନଥାଉ, ଯାହା ଦେଖୁଥାଉ ବା ଶୁଣୁଥାଉ ତାକୁ ବିଚାର କରିବାର କ୍ଷୀଣ ଶକ୍ତି ଥାଏ । ଆଉ ସେଇ ବିଚାରଶକ୍ତି ହୋଇଥାଏ ଅତି ପୀଡ଼ାଦାୟକ । ଏକଦମ ପାଗଳ ହୋଇ ଯାଇଥିଲେ ବରଞ୍ଚ ଢେଇ ଭଲ ହୋଇଥାଆନ୍ତା ସେତେବେଳେ ! ! ଏପରି ଦୁର୍ବିସହ ଭାବରେ ଭୟାବହ ସେ ପରିସ୍ଥିତି ।

 

ଭଗବାନ୍ ବୋଲି ଯଦି କେହି ସତରେ ଥାଆନ୍ତି (ଯେଉଁମାନେ ଅଛନ୍ତି ବୋଲି କହୁଚନ୍ତି ସେମାନଙ୍କ କଥା ଯଦି ସତ ହୁଏ) ଏବଂ ଘାସପତରଟିଏ ହଲିବାଠାରୁ ଯାବତୀୟ ଘଟଣାର ନିୟନ୍ତା ଯଦି ସେ ହୁଅନ୍ତି, ତେବେ ତାଙ୍କ ବିଷୟରେ ମୋର କିଛି ଖେଦୋକ୍ତି ଏଠି କହି ରଖେ । ଆପଣ ଯଦି କେବଳ ନିଛକ ଘଟଣାଟି ଶୁଣିବାକୁ ବ୍ୟଗ୍ର ହେଉଥାଆନ୍ତି, ତେବେ ଏତକ ବାଦ୍ ଦେଇ ପାରନ୍ତି; କିନ୍ତୁ ଘଟଣାବଳୀରୁ ଯଦି କିଛି ତତ୍ତ୍ୱ ନିରୁପଣ କରିବାକୁ ବ୍ୟଗ୍ରତା ଥାଏ, ତେବେ ମୋ କଥା ବିଚାର କରି ପରେ ଦେଖିବେ । ବୁଦ୍ଧ, ଯୀଶୁଖ୍ରୀଷ୍ଟ, ମହମ୍ମଦ, ଚୈତନ୍ୟ, ପରମହଂସ, ବିବେକାନନ୍ଦ, ରବୀନ୍ଦ୍ରନାଥ, ଗାନ୍ଧିଜୀ ଆଦି ମହାବିପ୍ଳବୀମାନେ (ସେମାନେ ହିଁ କେବଳ ବିପ୍ଳବୀ—ରାଜନୈତିକ, ଯୁଦ୍ଧବିଶାରଦ ବା ଶିଳ୍ପପତି ନୁହନ୍ତି—କାରଣ ସେମାନେ ମଣିଷ ମନକୁ ଏକ ନୂଆ ବାଟରେ ପକାଇ ପାରିଛନ୍ତି ) କହନ୍ତି ଭଗବାନଙ୍କ ଉପଲବ୍ଧି ଜୀବନର ଚରମ ପରିଣତି; କାରଣ କେବଳ ସେଇହିଁ ସବୁଠାରୁ ଉତ୍କୃଷ୍ଟ, କିନ୍ତୁ ମୁଁ କହେ; ଅନ୍ତତଃ ପରବର୍ତ୍ତୀ ଘଟଣାରୁ ଏହା ସତ୍ୟ ବୋଲି ମନେ ହୁଏ । ଭଗବାନଙ୍କର ସ୍ତାନ-କାଳ-ପାତ୍ର-ଜ୍ଞାନ ନାହିଁ । ଅଥବ; କୁରୁକ୍ଷେତ୍ର ଭଳି ମହାଯୁଦ୍ଧବେଳେ କଠିନ ଦର୍ଶନ ବିଷୟରେ ଦୀର୍ଘ ବକ୍ତୃତା ଯିଏ ଦେଇଥିଲେ ତାଙ୍କ ପକ୍ଷରେ ଏହା ବିଚିତ୍ର କଅଣ ।

 

ଆମେ ଯେତେବେଳେ ଏପରି ଭୟାବହ ପରିସ୍ଥିତିରେ ପଡ଼ିଥାଉ, ସେତେବେଳେ ଆଉ ଏକ ବିପଦ ଭଗବାନଙ୍କ କ୍ରୂର ପରିହାସ ରୂପେ ଦେଖାଦେଲା । ଆମେ ଯେଉଁ ଡାଳକୁ ଆଶ୍ରୟ କରି ବସିଥାଉ ସେଇ ଡାଳରେ, ଆମର ଟିକିଏ ଆଗରେ, ଦୁଇଟି ଜୁଳୁଜୁଳିଆ ପୋକଭଳି କଅଣ ଆଗେଇ ଆସୁଥାଏ ଆମ ଆଡ଼କୁ । ଦୁର୍ଭାଗ୍ୟବଶତଃ, ମୁଁ ଆଗରୁ କହିଚି କ୍ଷୀଣ ଭାବରେ ହେଲେ ବି ଆମର ବିଚାରଶକ୍ତି ତଥାପି ଥାଏ । ମନେ ମନେ ବିଚାରକରି ଦେଖିଲୁ ଯେ ସେ ଦୁଇଟି ଜୁଳୁଜୁଳିଆ ପୋକ କଦାପି ହୋଇ ନ ପାରେ; କାରଣ ଗୋଟିକଠାରୁ ଅନ୍ୟଟିର ଦୂରତ୍ୱ ସର୍ବଦା ସମାନ ରହିଚି । ତେବେ ନିଶ୍ଚୟ କୌଣସି ଜୀବ ! ସେତେବେଳକାର ପରିସ୍ଥିତିରେ ସାମାନ୍ୟ ଗୋଟିଏ ପିମ୍ପୁଡ଼ି ଚଢ଼ିଗଲେ ମହାବିପଦ ବୋଲି ମନେ ହେଉଥାଏ । ସେଥିରେ ପୁଣି ଏ ଏକ ଜୀବ ଯାହାର କ୍ଷୁଦ୍ର ଆଖି ଯୋଡ଼ିକ ଜାଜ୍ଜ୍ୱଲ୍ୟମାନ !!

 

ପ୍ରବୀର ଭୟରେ ଚିତ୍କାର କରି କହିଲା; ମୁଁ ଜାଣେ, ଏ ଟାରାଣ୍ଟୁଲା, ଟାରାଣ୍ଟୁଲା ! ହେ ଭଗବାନ୍ !! ପ୍ରବୀର ପ୍ରାଣିବିଜ୍ଞାନରେ ଡକ୍ଟର ଉପାଧିଧାରୀ । ତାହାର ଜ୍ଞାନୋଦୟରେ ସେ ନିଜେ କେବଳ ଭୟ ପାଇଲାନାହିଁ:, ମୋତେ ବି ଭୟାତୁର କରିଦେଲା । ଟାରାଣ୍ଟୁଲା କଅଣ ମୁଁ ଜାଣିଥିଲେ ବି ପଚାରିଲି, ସେ କି ଜୀବନ, କଅଣ ମାରାତ୍ମକ ସେ ? ଜ୍ଞାନ ଆହରଣ କରିବା ପାଇଁ ମୋର ଏ ପ୍ରଶ୍ନ ନଥିଲା; ଏ କଥା ପ୍ରବୀରର ବୁଝିବା ଉଚିତ ଥିଲା । ଅଥବା, ମଣିଷ ଯେତେ ବିପଦରେ ପଡ଼ିଲେ ମଧ୍ୟ ଅନ୍ୟଠାରୁ ସେ ଧନ-ମାନ-ଜ୍ଞାନରେ ବଡ଼, ଏହା ପ୍ରମାଣ କରିବାର ସୁଯୋଗ ପାଇଲେ ତାହାର ପୂର୍ଣ୍ଣ ବିନିଯୋଗ କରେ ।

 

ପ୍ରବୀର ମୋତେ ବୁଝାଇବାକୁ ଲାଗିଲା; ଟାରାଣ୍ଟୁଲା ଏକ ପ୍ରକାଣ୍ଡ ବଡ଼ ବିଷାକ୍ତ ବୁଢ଼ିଆଣୀ । ସେ କାମୁଡ଼ିଲେ ବିଷର ପ୍ରକୋପରେ ମଣିଷ ନାଚି ନାଚି ମରେ ।

 

ବନ୍ଧୁକ ତ ହାତରୁ ପଡ଼ି ଯାଇଚି, ହାତରେ ଆଉ କୌଣସି ଅସ୍ତ୍ର ନଥାଏ । କେବଳ କାନ୍ଧରୁ ଝୁଲୁଥାଏ ଲମ୍ୱା ଟର୍ଚ୍ଚବତି । ଟାରାଣ୍ଟୁଲା ଧୀରେ ଧୀରେ ଆଗେଇ ଆସୁଥାଏ, ତାର ଜ୍ୱଳନ୍ତ ଦୃଷ୍ଟି ଆମ ବଡ଼େ ସ୍ଥିର ରଖି । ତେବେ କଅଣ ଏପରି ପରିସ୍ଥିତିରେ ଆମକୁ ନାଚିବାକୁ ପଡ଼ିବ । ଭଗବାନଙ୍କର ଏ କଅଣ କ୍ରୁର ପରିହାସ ନୁହେଁ ? ତେବେ ମୁଁ ତାଙ୍କୁ ମଙ୍ଗଳମୟ, ଆର୍ତ୍ତତ୍ରାଣ କହିବି କାହିଁକି ?

 

‘ଆତଙ୍କନାଶନ ତୋ ବାନା,

ବାରେ ତୁ ହୁଅ ବଜ୍ରସେନ୍‍ହା’,

 

ଗଜ କୁମ୍ଭୀର ଦାଉରେ, ପଡ଼ିଥିଲାବେଳେ—ଏହା ବୋଲି ଯେତେବେଳେ ସ୍ତୁତି କଲା, ସେତେବେଳେ ଭଗବାନ୍ କୁଆଡ଼େ ସୁଦର୍ଶନ ଚକ୍ର ପେଶି ତାକୁ ଆଦେଶ ଦେଲେ—

 

‘‘ଚକ୍ର ତୁ ଅତି ବେଗେ ଯିବୁ,

କୁମ୍ଭୀର ତଣ୍ଟିରେ ପଡ଼ିବୁ;

ଛିଣ୍ଡିବ ଖଣ୍ଡ ଖଣ୍ଡ ହୋଇ,

ମୋ ଗଜ ଦେବୁ ମୁକୁଳାଇ ।’’

 

ଆଉ ତାହା ମଧ୍ୟ କୁଆଡ଼େ ଘଟିଥିଲା ବୋଲି ଅତିବଡ଼ି ଜଗନ୍ନାଥ ଦାସ ଲେଖିଛନ୍ତି; କିନ୍ତୁ ଏ ଆତଙ୍କ-ନାଶକ, ନା ଆତଙ୍କବର୍ଦ୍ଧନ କାମ ? ହଁ, ଆପଣ କହି ପାରନ୍ତି, ଆମେ ଯାଇଥିଲୁ କ୍ରୀଡ଼ାଛଳରେ ନିରୀହ ଜନ୍ତୁ ବଧ କରି ସେମାନଙ୍କର ମୃତ୍ୟୁଯନ୍ତ୍ରଣାରେ ଉଲ୍ଲସିତ ହେବାକୁ, ତେଣୁ ଆମର ଏହା ପ୍ରାପ୍ୟ । ସେ ଶିକ୍ଷା ଅନ୍ୟ ପରିସ୍ଥିତିରେ ଏବଂ ଏମିତି ବୁଲେଇ ନଦେଇ ସିଧାସଳଖଭାବରେ ଦେଇଥିଲେ ଅଧିକ ବୁଦ୍ଧିମତ୍ତାର ପରିଚୟ ମିଳନ୍ତା ଓ ଶିକ୍ଷା ନିଶ୍ଚିତ ଫଳପ୍ରଦ ହୁଅନ୍ତା । ଅନେକ କହନ୍ତି ପୂର୍ବଜନ୍ମର ପାପରୁ ଏ ଜନ୍ମରେ ଅନେକ କୁଷ୍ଠାଦ ନାନା ରୋଗରେ ଯନ୍ତ୍ରଣା ପାଆନ୍ତି । ଯେତେ କହିଲେ ବି ମନ ମାନେ କି ?

 

ଟାରାଣ୍ଟୁଲା ଧୀରେ ଧୀରେ ଆଗେଇ ଆସୁଥାଏ । ଚରମ ବିଷାଦରେ କୁଆଡ଼େ ମଣିଷ ନିରୁପାୟଭାବରେ ହସେ । ପ୍ରବୀର ବୋଧହୁଏ ସେଇ ହସ ହସିଲା । ଆଉ ମଣିଷ ବି ବୋଧହୁଏ ସେତେବେଳେ ଦାର୍ଶନିକ ହୋଇଯାଏ; କାରଣ ମୁଁ ଭାବୁଥାଏ, ଏତେ ବୀଭତ୍ସ, କଦାକାର, ବିଷାକ୍ତ ଜୀବର ସୃଷ୍ଟିର କି ଉଦ୍ଦେଶ୍ୟ ଥାଇ ପାରେ । ଭଗବାନ, କଅଣ ସତେ ଏସବୁ ସୃଷ୍ଟି କରୁଛନ୍ତି । ଯିଏ ଏପରି ବୀଭତ୍ସଜୀବ କଳ୍ପନା କରି ପାରିଚନ୍ତି ସେ ନିଶ୍ଚୟ ସେପରି ନ ହୋଇଥିବେ କାହିଁକି ? କିନ୍ତୁ କିଏ ଯେପରି ମୋର ମନରେ ଥାଇ ଉତ୍ତର ଦେଲା, ତା ଯଦି କହ, ତେବେ ମଣିଷ କଅଣ ଊଣା ବୀଭତ୍ସ, କଦାକାର, ବିଷାକ୍ତ କି ? ଏଇ ମଣିଷ ଅର୍ଥ, ଯଶ, ମାନ, ପ୍ରତିପତ୍ତି ପାଇଁ, ଏବଂ କିଛି ନ ପାଇଁ ମଧ୍ୟ, କେତେ କ୍ରୂର ହତ୍ୟା ନ କରୁଚି, କେତେ ବିଷାକ୍ତ ଅସ୍ତ୍ର ଉଭାବନ ନ କରୁଚି, କେତେ ଶଠତା ଉଭାବନ ନ କରୁଚି, ଅନ୍ୟକୁ କେତେ ନଚେଇ ନଚେଇ ନ ମାରୁଚି ? କହ ? ! ଏହାର ଉତ୍ତର ଦିଅ !! କିଛି ଉତ୍ତର ଦେଇ ପାରିଲି ନାହିଁ, ଅନ୍ତତଃ ଆଜିକାଲିକାର ପରିସ୍ଥିତି ଏ ଅଭିଯୋଗ ପ୍ରମାଣ କରୁଚି । ବଡ଼ ବଡ଼ କଥା କହି ସବୁ ସୁଖ ମାରି ନେଇ ଅନ୍ୟକୁ ସତ୍ ସ୍ୱାର୍ଥତ୍ୟାଗୀ ହେବାକୁ ଉପଦେଶ, ନହେଲେ ମାଡ଼ ! ! ଭାବୁ ଭାବୁ ଟିକିଏ ଅନ୍ୟମନସ୍କ ହୋଇ ଯାଇଥିଲି । ହଠାତ୍ ଆକ୍ଷି ପଡ଼ିଗଲା ଟାରାଣ୍ଟୁଲା ଉପରେ । ଦେଖିଲି ଆମର ଅତି ନିକଟରେ ସେ ।

 

ଦଶମୀର ଚାନ୍ଦ ସେତେବେଳକୁ ଉଇଁ ସାରିଥାଏ । ପ୍ରତ୍ୟେକ ଗଛର ପତ୍ରେ ପତ୍ରେ ଅଜସ୍ର ମୁକ୍ତାବିନ୍ଦୁ ଝଲସୁଥାଏ । ଗୋଟାଏ କୋଇଲି ହଠାତ୍ ନିଦରୁ ଉଠି ଏ ଦୃଶ୍ୟ ଦେଖି ଆନନ୍ଦରେ ଅଧୀର ହୋଇ ଗାଇବାକୁ ଲାଗିଲା କୁହୁ କୁହୁ କ-ଉ-ଉ-ହୁ । ଆଉ ଗୋଟାଏ ପକ୍ଷୀ ‘ପିୟୁ କାହାଁ ହୈ,, ପିୟୁ କାହାଁ ହୈ, କହୁ କହୁ ଉଡ଼ିଗଲା, ସେଇ ଅଦେଖା ଅପହଞ୍ଚର ଚିର ଅନ୍ୱେଷଣରେ ବୋଧହୁଏ । ଦୂରରୁ ଅତି କ୍ଷୀଣକଣ୍ଠରେ ଅଥଚ ସ୍ପଷ୍ଟ ଭାବରେ ଭାସି ଆସିଲା ଉଦାତ୍ତ ସ୍ୱରରେ ଗୀତ—

 

କୋଟି ସୂର୍ଯ୍ୟ କିରୀଟମ୍, ଲଲାଟେ

କସ୍ତୁରୀ ତିଲକମ, ପଦ୍ମାନାଭମ୍ ସୁନ୍ଦରମ୍...

 

ଗୋଟାଏ ହୁଁ ହାଁ ପକ୍ଷୀ ଆମର ମୁଣ୍ଡ ଉପର ଡାଳରୁ କହି ଉଠିଲା, ହୁମ୍, ହୁଁ ଉଁ ଉଁ ଉଁ ଉଁ ହୁଁ...

 

ଟାରାଣ୍ଟୁଲାର ଧୀର, ଭୀତିପ୍ରଦ ଭାବରେ ଧୀର, ଗତି ଥମକି ଗଲା । ତା’ର ବୀଭତ୍ସ ଉଜ୍ଜ୍ୱଳ ଦୃଷ୍ଟି କିନ୍ତୁ ଆମ ଉପରେ ସ୍ଥିର ରହିଲା । ଆମେ ମଧ୍ୟ ମନ୍ତ୍ରମୁଗ୍‌ଧ ଭାବରେ ଅନାଇ ରହିଲୁ ତା ଆଡ଼େ ଅପଲକ ଦୃଷ୍ଟିରେ, କଷ୍ଟରେ ଆକ୍ଷିରୁ ପାଣି ଝରିପଡ଼ୁଥିଲେ ମଧ୍ୟ ।

 

ଚମିକି ପଡ଼ିଲି ପ୍ରବୀରର ଧୀର ଅଙ୍ଗୁଳି ସ୍ପର୍ଶରେ । ପ୍ରବୀର ହାତଠାରି ଦେଖାଇଦେଲା ସେଇ ବୁଦାଆଡ଼େ । ପୁଣି ସେଇ ଅଗ୍ନିପିଣ୍ଡ ଯୋଡ଼ିକ !! ଏଥର ସେ ଯୋନିଖ ଧୀରେ ଧୀରେ ଉଠିବାକୁ ଲାଗିଲା, ଏବଂ ଉଠୁ ଉଠୁ ଆମ ଆଡ଼କୁ ଧୀରେ ଧୀରେ ଆଗେଇବାକୁ ଲାଗିଲା ।

 

ନିଆଁପେଣ୍ଡୁ, ଯୋଡ଼ିକ ଯେତେବେଳେ ଭୂମି ଉପରୁ ସାତଆଠ ଫୁଟ ଉଚ୍ଚରେ, ସେତେବେଳେ ଆମେ ବୁଝିପାରିଲି ଯେ ସେ ଦୁଇଟି ଏକ ଅଭୂତ ଜୀବର ଦୁଇଟି ଆଖି । ଅସ୍ପଷ୍ଟ ଜହ୍ନ ଆଲୁଅରେ ସେ ଜୀବର ଅଣ୍ଟାଠୁ ଉପରକୁ ଦିଶୁଥାଏ । ଆଉ କିଛି ଦେଖି ନପାରିଲେ ମଧ୍ୟ ତା’ର ଦେହଯାକ ଯେ ବଡ଼ ବଡ଼ ବାଳରେ ପୂର୍ଣ୍ଣ ତା ସ୍ପଷ୍ଟ ଅନୁମାନ କରିପାରୁଥିଲୁ ।

 

ଆଉ ଦୁଇତିନି ହାତ ଆଗେଇ ଆସିବା ପରେ ସେ ଏଥର ବୋଧହୁଏ ଦଣ୍ଡାୟମାନ ହେଲା । ସେତେବେଳେ ସେ ଥାଏ ଆମଠୁ ପ୍ରାୟ ଚାରି ପାଞ୍ଚ ହାତ ଛଡ଼ାରେ । ତା’ର ସେଇ ପ୍ରକାଣ୍ଡ ଆଖିଯୋଡ଼ିକ ପ୍ରାୟ ଆମ ସାମନାରେ, ଅତି ନିକଟରେ । ହାତଯୋଡ଼ିକ ତା’ର ଦୁଇଟି ପ୍ରକାଣ୍ଡ ଶାଳଖମ୍ୱ ପରି କାନ୍ଧରୁ ଝୁଲୁଥାଏ । ଯେ କୌଣସି ମୁହୂର୍ତ୍ତରେ ସେ ଆମକୁ ଧରି ପିମ୍ପୁଡ଼ି ଭଳି ଦଳି ଦେଇପାରେ ।

 

ଟାରାଣ୍ଟୁଲା ସେତେବେଳେ ତା’ର ଉଜ୍ଜ୍ୱଳ ନୀଳାଭ ଆକ୍ଷି ଯୋଡ଼ିକ ଆମ ଉପରେ ନିବଦ୍ଧ ରଖି ଆଉ ଟିକିଏ ଘୁଞ୍ଚି ଆସିଲା । ଉପରକୁ ତଳକୁ ଓ ବାମକୁ ଡାହାଣକୁ ତା’ର ଗୋଲ ଗୋଲ ଆକ୍ଷିଯୋଡ଼ିକ ଦି ଚାରିଥର ବୁଲାଇ ଆମ ଉପରେ ପୁଣି ସ୍ଥିରକଲା । ହୁଁ-ହାଁ ପକ୍ଷୀଟା ପୁଣି ରାବିଲା ହୁଁ, ହୁଁ, ହୁଁ, ହୁଁ । ଆମର ଠିକ୍ ମନେ ହେଲା ବଦମାସ୍ ବିଶ୍ୱାସଘାତକ ପେଚା ଯେମିତି ଏଇ ଦୁଇ ଅଭୂତ ଜୀବକୁ ଉତ୍ସାହ ଦେଉଥାଏ ଆମକୁ ମାରି ଦେବାକୁ । ମନେ ମନେ ପ୍ରତିଜ୍ଞା କଲି, ଏଥିରୁ ଯଦି ନିସ୍ତାର ପାଏ ତେବେ ମୋର ଜୀବନର ଏକମାତ୍ର ବ୍ରତ ହେବ ପେଚାବଂଶ ଧ୍ୱଂସକରିବା । ମନର ଗତି ମନ ହିଁ ଜାଣେ ।

 

ଅଗ୍ନିକନ୍ଦୁକାଷ ଜୀବ ପାଦ ପକାଇ ଆଗେଇ ଆସିଲା । ତା’ର ପ୍ରତି ପଦକ୍ଷେପରେ ଆମ ଗଛ ଥରି ଉଠିଲା । ତା’ର ଆକ୍ଷି ଆମ ଆକ୍ଷିଠାରୁ କେବଳ କେତେ ଇଞ୍ଚ ଛଡ଼ା ମାତ୍ର । ତା’ର ନିଃଶ୍ୱାସ ଆମ ମୁଣ୍ଡ ଉପରେ ପଡ଼ୁଥିବାରୁ ଆମ ଟୋପି ଉଡ଼ିଯାଇ ମୁଣ୍ଡବାଳ ଉଡ଼ିବାକୁ ଲାଗିଲା । ଟାରାଣ୍ଟୁଲା ସେତେବେଳେ ଆମଠାରୁ ଦୁଇତିନି ଇଞ୍ଚ ଛଡ଼ାରେ ମାତ୍ର । ଆମେ ସ୍ପଷ୍ଟ ଦେଖିଲୁ ସେ ତା’ର ସାମନା ଦାନ୍ତ ଦୁଇଟିକୁ ସାମନା ଗୋଡ଼ ଦୁଇଟିରେ ଘଷୁଥାଏ । ଆମକୁ କାମୁଡ଼ିବାକୁ ଆଗରୁ ଦାନ୍ତ ପକାଇଥାଏ ବୋଧହୁଏ । ଗୋଟାଏ ଅଭୂତ ଚର୍‍ର ଚର୍‍ର ଶବ୍ଦ ହେଉଥାଏ ।

 

ଏହି ସମୟରେ ନିକଟରେ ମଣିଷକଣ୍ଠର ଆହ୍ୱାନ ଶୁଣାଗଲା, ସୁକଣ୍ଟକ ! ଛିଃ, ଆସ ସଖା, ଏ କଅଣ !!

 

ଉଃ । କି ଅଭୂତ ସେ ପରିସ୍ଥିତି । ଭୟ ସାଙ୍ଗକୁ ମିଶିଲା ଏକ ଆଶ୍ଚର୍ଯ୍ୟ ଭାବ ! କିଏ ଏ-!! ଦେବ ନା ମାନବ !!! ଦେବତା ଯଦି ହୁଏ, ତେବେ ଆମର କଅଣ କରିବା ଉଚିତ, କିପରି ଭାବରେ ଅଭିବାଦନ କରିବା ଉଚିତ । ମନ୍ତ୍ରୀ ବା ସେକ୍ରେଟେରୀ ବା କଲେକ୍ଟରଙ୍କ ସାମନାରେ କିପରି ଗୋଡ଼ ଭାଙ୍ଗି, ହାତଯୋଡ଼ି (ମାନସିକ ଓ କାୟିକ) ଛିଡ଼ାହେବାକୁ ହୁଏ ଏବଂ ନହେଲେ କି ପରିଣତି ଘଟେ, ତାହା ଆମେ ଉତ୍ତମରୂପେ ଶିକ୍ଷା ପାଇଚୁ ଏବଂ ସେଥିରେ ଆମେ ଅଭ୍ୟସ୍ତ; କିନ୍ତୁ ଦେବତାଙ୍କ ପାଖରେ କଅଣ ସେହିପରି ବ୍ୟବହାର କରିବାକୁ ହେବ ?

 

ଏତର ଅତି ନିକଟରେ ଡାକ ଆସିଲା, ଆସ ବନ୍ଧୁ ସୁକଣ୍ଟକ, ଆସ ମୋ ସହିତ ଖେଳିବ-। ଏମାନେ ତୁମର କ୍ରୀଡ଼ା ବୁଝିପାରିବେ ନାହିଁ !!

 

ପୁଣି ଗଗନ ପବନ ମନ୍ଥନ କରି ସେଇ ଅଟ୍ଟହାସ୍ୟ । ହୋଃ—ହୋଃ—ହାଃ—ହାଃ—ହାଃ—ହାଃ—ହାଃ—ହାଃ—ଫଡ଼ ଫଡ଼ କରି ଓହ୍ଲାଇ ଆସି ଟାରାଣ୍ଟୁଲାଟାକୁ ଝାମ୍ପି ନେଇଗଲା ଗୋଟାଏ ପେଚା । ତା ପ୍ରତି କୃତଜ୍ଞତାରେ ମନ ଭରିଗଲା ।

 

ସେ ଅଟ୍ଟହାସର ଧକ୍କାରେ ଆମେ ତଳେ ପଡ଼ିଗଲୁ । ପଡ଼ିଗଲା ପୂର୍ବରୁ ଆମର ଯେତିକି ଜ୍ଞାନ ଥିଲା, ସେଥିରେ ଦେଖିଲୁ ଜଣେ ମନୁଷ୍ୟ ସୁକଣ୍ଟକନାମକ ସେଇ ବୀଭତ୍ସ ଜୀବର ହାତ ଧରି ଗାଇ ଗାଇ ଯାଉଚି—

 

‘‘ଯଦା ଯଦା ହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତଃ,

X X X

ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।’’

ତା’ପରେ କଅଣ ଘଟିଚି ଆମେ ଜାଣୁନା ।

X X X

 

ପରଦିନ ସକାଳେ ଆମେ ଯେତେବେଳେ ଉଠିଲୁ, ଦେଖିଲୁ ଆମେ ଏକ କୁଡ଼ିଆଭିତରେ ଶୋଇଚୁ । ଆକ୍ଷି ମଳି ଉଠି ଆମେ ପୂର୍ବକଥା ସ୍ମରଣ କରିବାକୁ ଚେଷ୍ଟାକଲୁ । କିଛି ସ୍ପଷ୍ଟ ମନେପଡ଼ିଲା ନାହିଁ । କେବଳ ଦୂରରୁ ଭାସି ଆସିଲାପରି କାନରେ ଶୁଭିଲା, ଯଦା ଯଦା ହି.....-। ପ୍ରବୀର ହାତ ଯୋଡ଼ି ନମସ୍କାର କଲା । ତାହାର ପ୍ରାଣିତତ୍ତ୍ୱରୁ ସେ କି ନୂତନତତ୍ତ୍ୱ ପାଇଲା କେଜାଣି, ନିରୀଶ୍ୱର ଓ ବସ୍ତୁବାଦୀ ବୈଜ୍ଞାନିକ ପ୍ରବୀରକୁ ମୁଁ ଅଜ୍ଞାତର ଉଦ୍ଦେଶ୍ୟରେ ନମସ୍କାର କରିବାର ଦେଖି ବଲ ବଲ କରି ଚାହିଁଲି ।

 

ବାହାରକୁ ଆସି ଆମେ ଦେଖିଲୁ ଆମେ ଯେଉଁଠି ଅଛୁ ତା’ର ଚାରିପଟେ ନିବିଡ଼ ଜଙ୍ଗଲ-। ସେ ଜଙ୍ଗଲ ଭିତରକୁ ଦଳ ଦଳ ହୋଇ ଯୁବକମାନେ ଯାଉ ଥାଆନ୍ତି ତେଣ୍ଟା, ବଲମ, ଖଣ୍ଡା, କଟୁରି ଆଦି ଅସ୍ତ୍ର ଧରି ଓ ଢୋଲ ମହୁରି ବଜାଇ, ମଝିରେ ମଝିରେ ଗୋଟାଏ ହିଂସ୍ର କିଲିକିଲା ଶବ୍ଦ କରି ସେମାନେ ଡେଇଁ ଥାଆନ୍ତି ।

ଏଇ ସମୟରେ ଦୂରରୁ ଶୁଭିଲା, ଭାଇମାନେ ମୋର ଫେରିଆସ ! ଫେରିଆସ !

ଅନାଇ ଦେଖିଲୁ ଏକ କମନୀୟକାନ୍ତି ଯୁବକ । ମୁହଁରେ ତାଙ୍କର ସ୍ନିଗ୍‍ଧ ହାସ୍ୟ, ହସ୍ତରେ କମଣ୍ଡଳୁ, ଅଙ୍ଗରେ କୌପୀନ ବ୍ୟତିରେକେ ଆଉ କିଛି ନାହିଁ ।

ଯୁବକମାନେ ଥମକି ଛିଡ଼ାହେଲେ । ମନରେ ସେମାନଙ୍କର ଦ୍ୱିଧା । କ୍ରମେ କ୍ରମେ ଗୋଟି ଗୋଟି ହୋଇ ସେମାନେ ଫେରିଲେ ଯୁବକଆଡ଼େ । ନବାଗତ ଯୁବକକୁ ଘେରି ସେମାନେ ପଚାରିଲେ, କାହିଁକି ଡାକିଲ ତୁମେ ? ତୁମେ କିଏ ?

କୁଆଡ଼େ ଯାଉଚ ଭାଇମାନେ ? ଯୁବକ ପଚାରିଲେ ।

ଆମେ ଯାଉଚୁ ଗୋଟାଏ ଦାନବକୁ ମାରିବାକୁ ।

ମନର ଦାନବକୁ ଆଗେ ମାର, ତା’ ପରେ ବାହାରର ଦାନବ ମାରିବ, ଯୁବକ ସ୍ନିଗ୍‍ଧ ଅଥଚ ଦୃଢ଼କଣ୍ଠରେ କହିଲେ ।

ଆମେ ସେ ସବୁ ବୁଝୁନା, ସେ ସବୁ ବାଜେ କଥା, ଆମେ ତାକୁ ଆଜି ମାରିବୁ...ମାରିବୁ...ତା’ର ମାଂସ ଆମେ ଖଣ୍ଡ ଖଣ୍ଡ କରି ଖାଇବୁ, ତା’ର ରକ୍ତରେ ଗାଧୋଇବୁ । ବଡ଼ ଶିକାର ମିଳିଚି ଆଜି । ଯୁବକମାନେ ଅସ୍ତ୍ର ସବୁ ନଚାଇ କିଳିକିଳା ନାଦ କରି ନାଚିବାକୁ ଲାଗିଲେ ।

 

ସେ ତ କା’ର କ୍ଷତି କରିନାହିଁ...ଯୁବକ କହିଲେ ।

 

ତୁମେ ତାକୁ ଦେଖିଚ ? କେଉଁଠି ସେ ?

 

ବାଃ ପ୍ରତି ରାତ୍ରିରେ ଦେଖୁଚି ତାକୁ । ଚାଲ, ତାକୁ ନ ମାରି ଏଇ ଗାଁର ଆଉ ଗୋଟିଏ ପୁଅ କରିନେବା, ଯୁବକ ସ୍ନିଗ୍‍ଧ ହାସ୍ୟ କରି କହିଲେ ।

 

ସେଇ ହିଂସ୍ର ଅସୁରକୁ ??? ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲେ ସମସ୍ୱରରେ ।

 

ନିଶ୍ଚୟ, ଦୃଢ଼ତା-ବ୍ୟଞ୍ଜନ ସ୍ୱରରେ ଯୁବକ କହିଲେ ।

 

ଆମେ ଦୁହେଁ ସେତେବେଳକୁ ଅନ୍ୟମାନଙ୍କ ସହିତ ଯୋଗ ଦେଇଥାଉ । ମୁଁ ପଚାରିଲି, ସେ ହିଂସ୍ର ପଶୁ, ଆପଣଙ୍କ ଗୀତାରେ ତ ଭଗବାନ୍ କହିଚନ୍ତି ଶତ୍ରୁକୁ ଜୟ କରିବାକୁ ।

 

ଯୁବକଙ୍କ ଆକ୍ଷି ଛଳଛଳ ହୋଇଗଲା । ସେ କହିଲେ, ବନ୍ଧୁ, ଏ ଭ୍ରାନ୍ତ ଧାରଣା । ଅର୍ଜ୍ଜୁନଙ୍କ ହିଂସା, ଦ୍ୱେଷ, ମାନ ଗର୍ବ, ଅହମିକା ଦୂର କରାଇ ସମ୍ପୂର୍ଣ୍ଣରୂପେ ଜ୍ଞାନୋଦୟ କରାଇ ଭଗବାନ୍ ଶ୍ରୀକୃଷ୍ଣ, ତାଙ୍କ ପାଦତଳେ ମୋର କୋଟି କୋଟି ନମସ୍କାର, କହିଲେ, ସଖା ଏଥର ତୁମେ ଯୁଦ୍ଧ କର ବା ନକର ତୁମ ଇଚ୍ଛା । ଆପଣ ଆଗେ ମନର ଦାନବମାନଙ୍କୁ ଜୟ କରନ୍ତୁ, ପରେ ବାହାରର ଦାନବ କଥା ଭାବିବେ । ଆଉ ଅସୁର ବା କିଏ ଭାଇମାନେ; ‘‘ବିଶ୍ୱସ୍ୟ ସ୍ରଷ୍ଟାରମ୍ ଅନେକରୂପମ୍ ।’’ ନାନା ରୂପରେ ସେ ଭିତରେ ଓ ବାହାରେ ଅଛନ୍ତି । ତାଙ୍କର ସବୁ ରୂପକୁ ମୋର କୋଟି କୋଟି ନମସ୍କାର । ଚାଲ ଭାଇମାନେ, ଆମେ ତାକୁ ଏ ଗାଁର ପୁଅ କରିନେବା, ଆମରି ପରି ଜଣେ ସେ ।

 

ମୁଁ ମନେ ମନେ କହିଲି, ଏସବୁ ପାଗଳାମି ।

 

ଜନତାଭିତରୁ କିନ୍ତୁ ଜଣେ ଉତ୍ସାହୀ ହୋଇ ପଚାରିଲା, ତା କି ସମ୍ଭବ ହୋଇପାରେ ?

 

ଯୁବକଙ୍କ ଆଖି ପୁଣି ଛଳଛଳ ହୋଇଗଲା, ସେ କହିଲେ, ଭଗବାନ୍ ଶ୍ରୀକୃଷ୍ଣ ମଦନଦହନ ନୁହନ୍ତି, ମଦନମୋହନ । ଆଉ ମୋହନଚାନ୍ଦ ଗାନ୍ଧି ମଧ୍ୟ ଏକଥା ପ୍ରମାଣକରି ଯାଇଚନ୍ତି । ଭିତରେ କୂଟନୀତି ରଖି ଛଳନାକଲେ ତା’ ଅସମ୍ଭବ । ହେ ଅମୃତର ପୁତ୍ରମାନେ, ଧନ, ମାନ, କ୍ଷମତା, ପ୍ରତିପତ୍ତି ତୁମର ମାନବତ୍ୱର ବିକାଶ କରିବ ନାହିଁ, ଦାନବତ୍ୱ ବୃଦ୍ଧିପାଇବ । ହେ ଅମୃତର ପୁତ୍ରମାନେ, ତୁମେ କହ ଆମେ ଅମୃତର ପୁତ୍ର ।

 

କିଏ ଯେମିତି ଆମର କଣ୍ଠରେ ଥାଇ ଆମକୁ କୁହାଇଲେ; ଆମେ ଅମୃତର ପୁତ୍ର, ଆମେ ଅମୃତର ପୁତ୍ର । କଣ୍ଠରୁ ସେ କଥା ବାହାରିବା ପରେ ଦେହର ପ୍ରତି ଲୋମକୂପରେ ଏକ ଅପୂର୍ବ ଶିହରଣ, ଅଭୂତ ଆନନ୍ଦମୟ ସାହସର ସଞ୍ଚାର ହେଲା । ଆମେ ବାରମ୍ୱାର ସେ କଥା କହି ଆନନ୍ଦରେ ଢଳିବାକୁ ଲାଗିଲୁ ।

 

ଯୁବକ ସେଇପରି ଧ୍ୟାନମଗ୍ନ । ଅଧରରେ ତାଙ୍କର ସ୍ମିତହାସ୍ୟ ସ୍ଥିରପ୍ରଭା ଭଳି ବିରାଜୁଥାଏ ।

★★★

 

ଜଳସ୍ତମ୍ଭ

 

ତର୍କ ଚାଲିଥିଲା ଭଗବାନଙ୍କ ଅସ୍ତିତ୍ୱ ବିଷୟରେ । ଆମର ସାନ୍ଧ୍ୟ ସଭାରେ ବଣମଣିଷଠାରୁ ଆରମ୍ଭକରି ମଙ୍ଗଳ ଗ୍ରହର ଲୋକ ଏବଂ ଭୂତଠାରୁ ଆରମ୍ଭ କରି ଭଗବାନ ପର୍ଯ୍ୟନ୍ତ ସମସ୍ତଙ୍କ ବିଷୟରେ ଟିକିନିଖି ଆଲୋଚନା ହୁଏ । ଏମାନଙ୍କ ବିଷୟରେ କାହାରି ପ୍ରତ୍ୟକ୍ଷ ଅଭିଜ୍ଞତା ନାହିଁ କିନ୍ତୁ ତାପାଇଁ ଟିକିନିଖି ଆଲୋଚନାରେ କିଛି ବାଧା ପଡ଼େନାହିଁ ।

 

ଏ ସଭାରେ ଯେଉଁମାନେ ଯୋଗଦିଅନ୍ତି ସେମାନଙ୍କ ଭିତରେ ବାଧା ପଡ଼େନାହିଁ । ଏ ସଭାରେ ଯେଉଁମାନେ ଯୋଗ ଦିଅନ୍ତି ସେମାନଙ୍କ ଭିତରେ ଉନ୍ମାଦ ନାସ୍ତିକ ଓ ଉନ୍ମାଦ ଭକ୍ତ ମଧ୍ୟ ଅଛନ୍ତି । ମୋ କଥା ଛାଡ଼ନ୍ତୁ । ମୋ ମତରେ ମୃତ୍ୟୁଭୀତ ଅମରତା ପାଗଳ ମନୁଷ୍ୟର କାଳ୍ପନିକ ସୃଷ୍ଟି ହେଉଛି ଭୂତ ଓ ଭଗବାନ; କିନ୍ତୁ ମୁଁ ଟିକିଏ ଦୁର୍ବଳ । ଭକ୍ତମାନଙ୍କର ମାଡ଼ ଭୟରେ ମୋର ମତ ମୁଁ ପ୍ରକାଶ କରିପାରେନା ।

 

ବିଜୟବାବୁ ଖବରକାଗଜ ଗୋଟିଏ କୋଣକୁ ଫିଙ୍ଗିଦେଇ କହିଲେ, ହେଁ ମଣିଷ ଗର୍ବ କରୁଚି ଯେ ସେ ଜ୍ଞାନର ଚରମ ସୀମାକୁ ଯାଇଚି । ସବୁ ଜ୍ଞାନ ତ ମାରଣାସ୍ତ୍ର ତିଆରି କରିବା ପର୍ଯ୍ୟନ୍ତ, ସେଥିରେ ଗର୍ବ କେତେ ! ତୈତ୍ତିରୀୟ ଉପନିଷଦରେ ଅଛି, ଅନ୍ନମୟ ଆତ୍ମା ! ତା ଭିତରେ ପ୍ରାଣମୟ ଆତ୍ମା । ତା ଭିତରେ ମନୋମୟ ଆତ୍ମା । ତା ଭିତରେ ବିଜ୍ଞାନମୟ ଆତ୍ମା । ତା ଭିତରେ ଯାହା ହେଲା ଆନନ୍ଦମୟ ଆତ୍ମା । ଆରେ ବାପ, ସେ ଆନନ୍ଦିତ ନାହିଁ, ତଣ୍ଟିକଟା ଜ୍ଞାନର ଏତେ ଗର୍ବ କାହିଁକି କର ? ସେ ଆନନ୍ଦ କେବଳ ପରମବ୍ରହ୍ମ ଚିହ୍ନରେ ପାଇବ ।

 

ମୁଁ ପ୍ରତିବାଦ କରିବାକୁ ଯାଉଥିଲି; କିନ୍ତୁ ଭୟରେ ତଣ୍ଟିରୁ କେବଳ ଘଡ଼ଘଡ଼ ଶବ୍ଦ ବାହାରିଲା । ସୁକାନ୍ତବାବୁ କହିଲେ, ରଖ ତୁମ ଭଗବାନ ପରମ ବ୍ରହ୍ମ । ମଣିଷ ବଞ୍ଚିବାକୁ ଚାହେଁ, ଏ ହେଲା ଚରମ ସତ୍ୟ । ବଞ୍ଚିବାକୁ ହେଲେ...ଆରେ ! ଏ କିଏ ?

 

ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଦେଖିଲୁ ସନ୍ନ୍ୟାସୀ ବେଶଧାରୀ ଦୁଆର ମୁହଁରେ ଛିଡ଼ା ଦେବବ୍ରତ । ଆମେ ଆହୁରି ଆଶ୍ଚର୍ଯ୍ୟ ହୋଇ ଦେଖିଲୁ ଆଖି ତା’ର ଛଳ ଛଳ, ଅଧର ଈଷତ୍ କମ୍ପିତ-। ଗୋଟିଏ ଦୀର୍ଘ ନିଃଶ୍ୱାସ ପକାଇ ସେ କହିଲା, ଭାଇମାନେ, ଭଗବାନ ଅଛନ୍ତି, ଅଛନ୍ତି ।

 

ଏଥର ଆମେ ଆଶ୍ଚର୍ଯ୍ୟର ଚରମସୀମାକୁ ଗଲୁ । ଲଙ୍କାରେ ହରି ଶବ୍ଦ ! ଯିଏ ଘୋର ନାସ୍ତିକ, ‘ବୃଷଳୀ ଆଦି ସୁରାପାନ’ ପାପରେ ଯିଏ ଆକଣ୍ଠ ବୁଡ଼ି ରହିଥିଲା ସେ କହୁଚି, ଭଗବାନ ଅଛନ୍ତି ।

 

ମୁଁ କହିଲି, ଭଗବାନ୍ ଥାଆନ୍ତୁ, ଆମର ଆପତ୍ତି ନାହିଁ; କିନ୍ତୁ ତୁ କେଉଁଠି ଥିଲୁ ଏତେଦିନ-? ଆମେ ତ ଶୁଣିଥିଲୁ ତୁ ଯୁଦ୍ଧରେ ଯୋଗଦେଇଥିଲୁ ଏବଂ ତୋର କୋର୍ଟ ମାର୍ଶାଲ ହୋଇଥିଲା, ସାତଦିନ ଛୁଟି ନେଇ ଖବର ନଦେଇ ଗାଁରେ ମାସେ ରହିଯାଇଥିଲୁ ବୋଲି ।

 

—ହଁ, କୋର୍ଟ ମାର୍ଶାଲ ହୋଇଥିଲା । ବର୍ଷାଦିନରେ ସାତଦିନ ଛୁଟି ନେଇ ଆସି ଅନେକ ଦିନ ରହିଯାଇଥିଲି । ଦିନେ ହଠାତ୍ ୱାରଣ୍ଟ ଆସି ପହଞ୍ଚିଲା । ଧରାହୋଇ ଗଲି ପୁନା । ଯାଇ ଶୁଣିଲି ମୋର ବିଚାର କରିବେ ବ୍ରିଗେଡିଅର ସ୍ୟାଭେଜ୍ । ତାଙ୍କ ନା ଶୁଣି ତ ମୋର ପିଳେହି ପାଣି । ତାଙ୍କର ନା’ଟି ଯେମିତି ଗୁଣଟି ଠିକ୍ ସେମିତି । ଭୀଷଣ ରାଗୀ, ଭାରି ନିଷ୍ଠୁର । ଥରେ ଧାଡ଼ିଏ ହଳଦିଆ ଫୁଲଗଛ ଲଗାଇବାକୁ ସେ ଆଦେଶ ଦେଲେ । ମଞ୍ଜିପୋତା ହେଲା, ଗଛ ଉଠି ଫୁଲ ଫୁଟିଲା; କିନ୍ତୁ ଧାଡ଼ିଟିରେ ଫୁଟିଲା ଗୋଟିଏ ନେଳିଫୁଲ । ବାସ୍, ମଞ୍ଜି ଲଗେଇବା ସିପାଇକୁ ହେଲା କୋର୍ଟ ମାର୍ଶଲ । ଦୀର୍ଘାକାର ମଣିଷ । ଆଖି ଦିଓଟି ବଡ଼ ବଡ଼, ସଦାବେଳେ ରକ୍ତବର୍ଣ୍ଣ । ପ୍ରକାଣ୍ଡ ହଳେ ନିଶ ମୁନିଆ ହୋଇ ଦୁଇଟି ଖଣ୍ଡା ଭଳି କାନ ପର୍ଯ୍ୟନ୍ତ ଲମ୍ୱିଚି । ଛୁଟିରୁ ଫେରିବାମାତ୍ରେ, ଦେଖାକଲି ।

 

ସ୍ୟାଭେଜ୍ ଗର୍ଜିଉଠିଲେ, ସାତଦିନ ଛୁଟି ନେଇ ଏତେଦିନ କୁଆଡ଼େ ଥିଲା ?

 

ଭୟରେ ବୋଧହୁଏ ପାଗଳ ହୋଇ ଯାଇଥିଲି । ମୁହଁରୁ ବାହାରିଲା କାଳିଦାସଙ୍କ ଶ୍ଳୋକ, କଣ୍ଠାଶ୍ଳେଷ ପ୍ରଣୟିନୀ...

 

ବଜ୍ରନିନାଦ ଶୁଭିଲା, ହ୍ୱାଟ୍‍ସ ଦାଟ୍ । ଉସ୍‍କା ମାନେ କ୍ୟା ହେୟ ।

 

ଶ୍ଳୋକର ମାନେ ବୁଝାଇ କହିଲି, ବର୍ଷାଦିନ, ମୋର ନବବିବାହିତା ସ୍ତ୍ରୀ ମୋତେ ଛାଡ଼ିଲାନାହିଁ ।

 

ସ୍ୟାଭେଜ୍‍ଙ୍କ ମୁହଁ ହଠାତ୍ ମ୍ଳାନ ହୋଇଗଲା । ସେ ପଚାରିଲେ, ବିବିକା ବାତ୍‍ ମାନ୍ତା ହେୟ ? (ସ୍ତ୍ରୀର କଥା ତୁମେ ମାନ ?)

 

ଜୀ. ଜରୁର୍ ।

 

ଏକ୍‍ସ୍‍ଲ୍ୟାଣ୍ଟ୍‍, ଯାଓ କାମ୍‍ ମେ ଜୟେନ୍ କରୋ ।

 

ଗୋଟାଏ ନିଷ୍ଠୁର ଆବରଣ ତଳେ କି କୋମଳ ହୃଦୟ ଯେ ତାଙ୍କର ଥିଲା ! ଠିକ୍ ରାବଣ ପରି ଅନ୍ତରରେ ହରିପ୍ରେମ, ବାହାରେ ନିଷ୍ଠୁରତା ।

 

ମୁଁ ପଚାରିଲି, ଥିଲା ? ମାନେ ସେ କଅଣ ମୃତ ? ଦୀର୍ଘ ନିଃଶ୍ୱାସ ପକାଇ ଦେବବ୍ରତ କହିଲା, ହଁ ମୃତ; କିନ୍ତୁ ସେ ମୃତ୍ୟୁ କି ଆଶ୍ଚର୍ଯ୍ୟ, କି ନୈସର୍ଗିକ । ମୃତ୍ୟୁ ତ ନୁହେଁ, ନିର୍ବାଣ ସେ । ତୁମ୍ଭେମାନେ ଜଳସ୍ତମ୍ଭ ଦେଖିଚ ? ଦେଖିନା । ମୁଁ ନିଜ ଆଖିରେ ଦେଖିଚି । ସେତେବେଳେ ଥିଲି ଢାକା ସହରଠାରୁ କିଛି ଦୂରରେ । ଦିନେ ଉପରଓଳି ହଠାତ୍ ଗୋଟାଏ ଗୁମ୍ ଗୁମ୍ ଶବ୍ଦ ଶୁଣି ଆମେ ସମସ୍ତେ ଆତଙ୍କିତ ଭାବରେ ହତିଆର ଧରି ତମ୍ୱୁ ଭିତରୁ ବାହାରି ପଡ଼ିଲୁ । ଜାପାନୀମାନେ ଆସିଗଲେ ନିଶ୍ଚୟ । ଶବ୍ଦଟା ଶୁଭୁଥିଲା କେତେବେଳେ ନିକଟରେ ସ୍ପଷ୍ଟ, କେତେବେଳେ ଦୂରରେ ଅସ୍ପଷ୍ଟ । ଆକାଶ ପରିଷ୍କାର । କେବଳ ଦୂରରେ ଖଣ୍ଡେ କଳାମେଘ ଓହ୍ଲାଇ ଆସୁଛି, ଠିକ୍ ଯେମିତି ଭଗବାନ୍ ଶ୍ରୀକୃଷ୍ଣ ଗରୁଡ଼ ପିଠିରେ ପୃଥିବୀକୁ ଆସୁଛନ୍ତି । କିଛିକ୍ଷଣ ନିରୀକ୍ଷଣ କରିବା ପରେ ଦେଖିଲି ଦୂରରେ ଯେଉଁଠି ନଦୀ ବୋହି ଯାଉଛି ସେ ନଦୀ ଭିତରୁ ଚକ୍ ଚକ୍ ହୋଇ ଗୋଟାଏ ଗୋଲାକାର ସ୍ତମ୍ଭ ଭଳି କଅଣ ବଙ୍କେଇ ବଙ୍କେଇ ଉପରକୁ ଉଠୁଚି ସେ କଳାମେଘ ଆଡ଼େ । କିଛିକ୍ଷଣ ପରେ ସେଇ କଳାମେଘ ସହିତ ମିଶିଗଲା ସେ ଧବଳ ଜଳସ୍ତମ୍ଭ । କି ଅପୂର୍ବ ସେ ଦୃଶ୍ୟ । ଠିକ୍ ରାଧାକୃଷ୍ଣଙ୍କ ମିଳନ । ସ୍ୟାଭେଜ୍‍ଙ୍କ ମନ ଥିଲା ଏହି ଜଳସ୍ତମ୍ଭ ପରି ।

 

ସେଇ ଘଟଣା ପରେ କେ ଜାଣେ କାହିଁକି ସେ ମୋତେ ଭାରି ସ୍ନେହ କରିବାକୁ ଲାଗିଲେ । ରାତ୍ରିଭୋଜନ ପରେ ଆମେ ଦୁହେଁ ପଡ଼ିଆରେ ଦୁଇଟି ଆରାମ ଚୌକିରେ ବସି ଅନେକ କ୍ଷଣ ଗଳ୍ପ କରୁ ।

 

ଦିନେ ଆଲୋଚନା କରୁ କରୁ ସେ କହିଲେ, ଦେବ୍ରଟ୍, ମନୁଷ୍ୟ ଗର୍ବ କରୁଚି ସେ ପ୍ରକୃତିକୁ ଜୟ କରିପାରିଚି ଆଜି ବୋଲି । ଆରେ, ପ୍ରକୃତି କଅଣ ବାହାରେ ଅଛି, ଅଛି ନିଜ ଭିତରେ । ଯେ ପର୍ଯ୍ୟନ୍ତ ନିଜର ହିଂସା, ଲୋଭ, କ୍ଷମତାଲାଳସା ଜୟ କରି ନ ପାରିଚ ସେ ପର୍ଯ୍ୟନ୍ତ ପ୍ରକୃତି ତୁମକୁ ନାକରେ ଦଉଡ଼ି ଦେଇ ବୁଲାଉଥିବ ।

 

ସ୍ୟାଭେଜ୍‍ଙ୍କ ମୁହଁରୁ ଏକଥା ଶୁଣି ସେ ଦିନ ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ମୁଁ ଜାଣିଥିଲି ସେ ଘୋର ନାସ୍ତିକ । କୌତୁକ କରିବାପାଇଁ ମୁଁ କହିଲି, ସାର୍, ଭଗବାନଙ୍କ କୃପା ନହେଲେ ମନୁଷ୍ୟ ପ୍ରକୃତି ଜୟ କରି ପାରିବ ନାହିଁ । ମନୁଷ୍ୟ ଆଜି ଭଗବାନଙ୍କୁ ଭୁଲି ନିଜ କ୍ଷୁଦ୍ର କ୍ଷମତାରେ ଉନ୍ମତ୍ତ ।

 

ସ୍ୟାଭେଜ୍ ହଠାତ୍ ଗମ୍ଭୀର ହୋଇଗଲେ । ମୁହୂର୍ତ୍ତକ ପାଇଁ ଆଖି ତାଙ୍କର ଉଜ୍ଜ୍ୱଳ ହୋଇ ଉଠିଲା । ସେ ଆଉ କିଛି ନ କହି ଧୀରେ ଧୀରେ ଘରକୁ ଉଠିଗଲେ । ମୁଁ ହତବାକ୍ ହୋଇ ଚାହିଁ ରହିଲି ।

 

ପରଦିନ ସକାଳ ନ ହେଉଣୁ ଚପରାସି କହିଲା, ସାର୍ ମେମ୍‍ ସାହେବ ସଲାମ୍ ଦେଇଛନ୍ତି ।

 

ଆଶ୍ଚର୍ଯ୍ୟ ହୋଇ ଦୌଡ଼ିଲି । ଶ୍ରୀମତୀ ସ୍ୟାଭେଜ୍ କହିଲେ, ଦେବ୍ରଟ୍ ଆଜି ମୋର ଭାରି ଆନନ୍ଦର ଦିନ । ଆଜି ମୁଁ ଭୋଜି ଦେଉଚି । ସମସ୍ତଙ୍କୁ ତୁମେ ସମ୍ୱାଦ ଦିଅ ।

 

ସମସ୍ତଙ୍କୁ ସମ୍ୱାଦ ଦେଲି, କିନ୍ତୁ ଏତେ ଆନନ୍ଦର କାରଣ କଅଣ ବୁଝି ପାରିଲିନାହିଁ । ପ୍ରାୟ ଦିନ ଗୋଟାକବେଳେ ସମସ୍ତେ ସମବେତ ହେଲୁ । ସକାଳୁ ସ୍ୟାଭେଜ୍ ବାହାରି ଯାଇଥିଲେ ଡିଉଟିକୁ । ଫେରି ଭୋଜିର ଆୟୋଜନ ଦେଖି ଆଶ୍ଚର୍ଯ୍ୟ ହୋଇ ସେ ଏହାର କାରଣ ପଚାରିଲେ ।

 

ଶ୍ରୀମତୀ ଆନନ୍ଦରେ କାନ୍ଦି ପକାଇ କହିଲେ, ଆଜି ମୋର ଚରମ ଆନନ୍ଦର ଦିନ । ଏହି ଶୁଭ ମୁହୂର୍ତ୍ତପାଇଁ ମୁଁ ଅପେକ୍ଷା କରୁଥିଲି ।

 

ସ୍ୟାଭେଜ୍ ବେଶି କଥା ଭଲ ପାଆନ୍ତି ନାହିଁ । ବିରକ୍ତ ହୋଇ ସେ କହିଲେ, ଶୀଘ୍ର କୁହ, ମୋର ବେଳ ନାହିଁ ତୁମର ସାହିତ୍ୟ ଶୁଣିବାକୁ ।

 

ଶ୍ରୀମତୀ ଲୁହ ପୋଛି କହିଲେ, କାଲି ରାତିରେ ତୁମେ ଶୋଇବା ଅବସ୍ଥାରେ କହିଚ, ହେ ଈଶ୍ୱର !

 

ସ୍ୟାଭେଜଙ୍କ ମୁହଁରେ ହଠାତ୍ ବିଷାଦର ଛାୟା ଗଡ଼ିଗଲା । ଉତ୍ତେଜନାରେ ତାଙ୍କ ଗୋଡ଼ ଥରି ଉଠିଲା । ମୋତେ ଧରି ପକାଇ ସେ କହିଲେ, ଦେବ୍ରଟ୍, ଏ ମୋର ଚମର ଅସାବଧାନତା । ଯାହାଙ୍କୁ ମୁଁ ଏତେଦିନ ଲୁଚାଇ ରଖିଥିଲି ସେ... ସେ...ଦଗାଦାର ବାକୁସ ଭାଙ୍ଗି ଆଜି ଚମ୍ପଟ । ମୁଁ...ମୁଁ...

 

ସେ ଆଉ କହି ପାରିଲେ ନାହିଁ । କଅଣ କହିବାକୁ ଯାଇ ଓଠ ତାଙ୍କର ଥରି ଉଠିଲା । ହତଜ୍ଞାନ ହୋଇ ସେ ତଳେ ପଡ଼ିଗଲେ । ସ୍ୟାଭେଜ୍ ପ୍ରେମରେ ହତଜ୍ଞାନ ।

 

ସୈନ୍ୟ ଛାଉଣୀରୁ ସମ୍ୱାଦ ଆସିଲା, ମିତ୍ର ପକ୍ଷର ବିପୁଳ ବିଜୟ । ହିରୋସିମା ନଗରୀ ଏ୍ୟାଟମ୍ ବୋମାରେ ଧୂଳିସାତ୍ ।

★★★

 

ପିତା ଓ ପୁତ୍ର

 

ପ୍ରତିଦିନ ସନ୍ଧ୍ୟା ପରେ ବଟକୃଷ୍ଣ ସାନ ଦାଣ୍ଡ ଘରଟିରେ ସାନ୍ଧ୍ୟା ଆଡ଼ା ବସେ । ଏଥିରେ ଯୋଗ ଦିଅନ୍ତି ଅବସର ପ୍ରାପ୍ତ ଡେପୁଟି ହରିମାଧବ, ଅବସର ପ୍ରାପ୍ତ ମନସ୍ତତ୍ତ୍ୱର ଅଧ୍ୟାପକ ପ୍ରସନ୍ନ, ବୃଦ୍ଧ କାଠ ବ୍ୟବସାୟୀ ରାଧାମୋହନ ଘଡ଼େଇ ଓରେଫ ମହନି, ବୃଦ୍ଧ ମୋହରିର ଦାମ ଏବଂ ବଟକୃଷ୍ଣ ନିଜେ । ବଟବାବୁ ଅବସର ପ୍ରାପ୍ତ କିରାଣି । ମୃତ୍ୟୁ ନିର୍ମମ ଏବଂ ଅତି ମାତ୍ରାରେ ହାସ୍ୟ ରସାତ୍ମକ । ଜନ୍ମବେଳୁ ଯା ମୁହଁରେ ରୂପା ଚାମୁଚ, ମୃତ୍ୟୁବେଳକୁ ତାକୁ ହୁଏତ ଡାକ୍ତର ଖୁଆଏ ଗୁହ୍ୟଦ୍ୱାର ବାଟେ, ତା ପୁଣି ଛୁଞ୍ଚି ମୁନରେ । ମୃତ୍ୟୁର ସମତ୍ୱ କିନ୍ତୁ ବୃଦ୍ଧମାନଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଇଥାଏ । କାଠ ବ୍ୟବସାୟୀ ମଳିମୁଣ୍ଡିଆ ମହନି ତେଣୁ ଡେପୁଟି ହରି ବାବୁଙ୍କ ସମୁଦି, କିରାଣି ବଟବାବୁ ଅଧ୍ୟାପକ ପ୍ରସନ୍ନବାବୁଙ୍କ ଦାଦୀ ଏବଂ ମୋହରିର ଦାମବାବୁ ସମସ୍ତଙ୍କର ସ୍ତ୍ରୀଙ୍କର ଭାଇ ଯଦିଓ କାହାରି କାହାରି ସହିତ ରକ୍ତର ବା ଲୌକିକ ସମ୍ପର୍କ ନାହିଁ । ଏ ସାନ୍ଧ୍ୟ ଆଡ଼ାରେ ପୃଥିବୀର ଏପରି କୌଣସି ସମସ୍ୟା ବା ବିଷୟ ନାହିଁ ଯାହା ଆଲୋଚିତ ନ ହୁଏ । ଆଲୋଚନାରେ ସମସ୍ତେ ନିଜ ନିଜର ମତ ପ୍ରକାଶ କରନ୍ତି । ପ୍ରସନ୍ନବାବୁ ଛାତ୍ରମାନଙ୍କୁ ବୁଝାଇବା ଢଙ୍ଗରେ ମଝିରେ ମଝିରେ ମନସ୍ତତ୍ତ୍ୱର ଥିଓରି ବ୍ୟାଖ୍ୟାନ କରନ୍ତି । ସବୁ ଆଲୋଚନା ଶେଷ ହୁଏ ନିଜ ନିଜର ବିଗତ ଜୀବନର ସ୍ମୃତି ଉଦ୍ଧାରରେ । ସେ ସ୍ମୃତି ଯେପରି କେଉଁ ପୂର୍ବ ଜନ୍ମର ସୁଖ ସ୍ମୃତି ।

 

ମହନିର ଏମାନେ ସମସ୍ତେ ଗ୍ରାହକ ଆଜିକି ଅନେକ ବର୍ଷ ଧରି । ମହନି ପ୍ରତ୍ୟହ ସନ୍ଧ୍ୟା ସମୟରେ ନିଜ ପାଉଣା ଆଦାୟ କରିବାକୁ ଆସେ । ହରିବାବୁ କହନ୍ତି, ସମୁଦି, ଆଃ ହା, ଆଜି ମାଗିଲ ? ଆଜି ପରା ଗୁରୁବାରଟା, ଲକ୍ଷ୍ମୀବାରଟା, ଟଙ୍କାତ ଘରୁ ବାହାରିବ ନାହିଁ । ମହନି ପାଉଣା ମାଗିଲେ ଏମାନଙ୍କର ପ୍ରତ୍ୟହ ଗୁରୁବାର ହୁଏ ଏବଂ ପ୍ରତ୍ୟହ ଅନ୍ୟ ସମସ୍ତେ ତାହା ଦୃଢ଼ ଭାବରେ ସମର୍ଥନ କରନ୍ତି । ବଟବାବୁ ଘରୁ କାଲେଣ୍ଡର ଆଣି ଦେଖାଇ କହନ୍ତି, ଆମେ ସମସ୍ତେ ଯଦି ମିଛ କହିଲୁ, ତେବେ ତୁମେ ନିଜ ଆଖିରେ ଦେଖ । ଡେପୁଟିଙ୍କ ବୁଦ୍ଧିରେ କିରାଣି ହରିବାବୁ ମହନି ପାଇଁ ଗୋଟିଏ କାଲେଣ୍ଡର ପ୍ରସ୍ତୁତ କରିଛନ୍ତି । ସେଥିରେ ତାରିଖ ବଦଳୁଥିଲେ ମଧ୍ୟ ବାରଟି ପ୍ରତ୍ୟେକ ଦିନ ଗୁରୁବାର । ମହନି ବିରକ୍ତ ହେବାର ଅଭିନୟ କରି କୁହେ, ନାହିଁ ବାବୁ, ଆଜି ନ ଦେଲେ ମୁଁ ଏଠୁ ଉଠିବି ନାହିଁ । ପ୍ରସନ୍ନ ବାବୁ ମହନିର ଶତଛିନ୍ନ ଛତାଟି ଛଡ଼ାଇନେଇ କହନ୍ତି, ହଉ ତେବେ ବସ, ଉଠି ଯାଇ ପାରିବ ନାହିଁ କିନ୍ତୁ । ମହନିର ଭାବରୁ ମନେ ହୁଏ ସେ ଯେପରି ନିରୁପାୟ ଭାବରେ ସଭାରେ ଯୋଗ ଦିଏ । ଶୀତ ଦିନରେ ମହନି ବିଡ଼ାଏ ଦିବିଡ଼ା କାଠ ସାଙ୍ଗରେ ଆଣିଥାଏ-। ସେ କହେ କାଠ ବିକି ସାରି ଯାହା ବଳିଚି ଫେରାଇ ଘରକୁ ନେଉଚି । ପ୍ରସନ୍ନ ବାବୁ ଛତା ଓ କାଠ ଛଡ଼ାଇ ନେଇ ବସନ୍ତି । ହରିବାବୁ କାଠରେ ନିଆଁ ଲଗାଇ ଧୂନି ପ୍ରସ୍ତୁତ କରିବାରେ ଲାଗି ପଡ଼ନ୍ତି-

 

ସେ ଦିନ ଥିଲା ଏହିପରି ଗୋଟିଏ ଶୀତର ସନ୍ଧ୍ୟା । ମହନିର ସଭା ଯେଗାଦାନ ପର୍ବ ଶେଷ ହୋଇଯାଇଚି । ହରିବାବୁ ଧୂନି ଜାଳିବାରେ ଲାଗିଛନ୍ତି ଓ ଓଦା କାଠପାଇଁ ଆଖି ପାଣି ପୋଛୁ ପୋଛୁ ମହନି ଉପରେ ଗାଳିବର୍ଷଣ କରୁଛନ୍ତି । ପ୍ରସନ୍ନ ବାବୁ ମଧ୍ୟ ମହନି ଉପରେ ଗାଳିବର୍ଷଣ କରୁଛନ୍ତି; କାରଣ ଏମାନେ ସମସ୍ତେ ମିଳି ଯେଉଁ ଦାମିକା ଛତାଟି କିଛି ଦିନ ତଳେ ଉପହାର ଦେଇଥିଲେ ମହନି ତାହା ନିଜ ପୁତ୍ରକୁ ଦେଇଦେଇଚି ଏବଂ ଗୁଣବନ୍ତ ପୁତ୍ର ମଧ୍ୟ ତାହା ହଜାଇ ଦେଇଚି । ଦାମ ବାବୁ କୁଆଡ଼େ ଯୌବନରେ ବଡ଼ ଗାୟକ ଥିଲେ । ତାର ପ୍ରମାଣ ଦେବା ପାଇଁ ସେ ଚେଷ୍ଟା କରୁଛନ୍ତି । ତାଙ୍କର କଣ୍ଠରୁ ସାତଟିଯାକ ସୁର ଏକାସାଙ୍ଗରେ ଠେଲା ପେଲା ହୋଇ ବାହାରିବାର ଚେଷ୍ଟା କରୁଛନ୍ତି । ଦାମ ବାବୁ ବାରମ୍ୱାର ଗଳା ଖଙ୍କାରି ପୁଣି ଚେଷ୍ଟା କରୁଚନ୍ତି ।

 

ମହନି ଆଉ ସମ୍ଭାଳି ନ ପାରି ଖେଁ ଖେଁ କରି ହସି ପକାଇ କହିଲା, ଆଜ୍ଞା ଏଟା କି ସୁର କି ?

 

ହରିବାବୁ ନିଆଁକୁ ଫୁଙ୍କୁଥିଲେ । ସେ ମଧ୍ୟ କହିଲେ, ବନ୍ଧୁଷ୍ଟେ, ତୁମ ଗୀତଟା ଟିକିଏ ବନ୍ଦକଲ, ନିଆଁଟା ଲାଗିଯାଉ ଆଗେ ।

 

ଦାମ ବାବୁ କହିଲେ, ଏଇ ଛୁଣିକା ଟାପରା କରୁଚ ସିନା, ଯେତେବେଳେ ବୟସ ଥିଲା ସେତେବେଳେ ଏ ଗଳା ପାଇଁ କେତେ ପ୍ରେମରେ ପଡ଼ିଥିଲେ । ଭଉଣୀକି ପଚାରିବ । ସେ ତ ଆମ ଗାଁ ଝୁଅ ପଚାରିବ ।

 

ମହନି କହିଲା, ଆଜ୍ଞା, ସେ ଗଳା କାମ ନୁହଁ, ଭୁବନିସରରେ କହିଲା ପରି...

 

ଦାମ ବାବୁ ଓ ଅନ୍ୟମାନେ ଉତ୍ସୁକ ଭାବରେ ପଚାରିଲେ, ଭୁବନେଶ୍ୱର କଥା କଅଣ ?

 

ମହନି କହିଲା, ଗଲାବର୍ଷ ଅଶୋକାଷ୍ଟମୀକୁ ଭୁବିନିସର ଯାଇଥିଲି । ଯେଉଁ ସ୍ତ୍ରୀର ପିଲାଝିଲା ନଥାଏ, ସେଠି କୁଣ୍ଡରୁ ପାଣି ନେଇ ଗାଧୋଇଲେ ପିଲାଝିଲା ହୁଏ । ଗୋଟିଏ ପ୍ରାୟ ସତୁରି ବର୍ଷର ବୁଢ଼ା ତାର ପ୍ରାୟ କୋଡ଼ିଏ ବର୍ଷି ଭାରିଯା ନେଇ ସେଇ କୁଣ୍ଡକୁ ପାଣି ଆଣିବାକୁ ଯାଇଥିଲା । ସେଠି ତ ଅନେକ ଛତରା ଟୋକା ଚାରିଆଡ଼େ ଘେରି ଥାଆନ୍ତି । ଜଣେ ଭିତରୁ ପାଟି କରି କହିଲା, ସେ ପାଣି କାମ ନୁହଁ । ଆହା, ସେ ଝୁଅଟି ନାଜରେ ସଢ଼ିଗଲା । ସେଇ ଯେ ମୁହଁ ତଳକୁ ପୋତିଲା, ଆଉ ଉଠାଇ ନାହିଁ ସେ, ଦେଖି ଭାରି କଷ୍ଟ ଲାଗିଲା ମୋତେ । ସେଇମିତି ପ୍ରେମ କଅଣ ଗୀତରେ ହୁଏ, ମର୍ଦାନା ଚେହେରା ଥିଲେ...

 

ପ୍ରସନ୍ନ ବାବୁ କହିଲେ, ଠିକ୍ କହିଚ ସମୁଦି । ବଟ ବାବୁଙ୍କ ଭଳି ତାଳପତ୍ର ସିପେଇକୁ ଭଲା କିଏ ପ୍ରେମ କରିଥିବ କହିଲ ?

 

ବଟ ବାବୁ କହିଲେ, ଆରେ ଏଇ ତାଳପତ୍ର ଶରୀର ଦିନେ ଫୁଲି ଉଠିଥିଲା ପ୍ରେମରେ ।

 

ପ୍ରସନ୍ନବାବୁ କହିଲେ, ଠିକ୍ କହିଚ ଦାଦୀ । ହେଲେ ତାର କାରଣ କଅଣ ଜାଣ ? ତାର କାରଣ ଅବାଧ ମିଳାମିଶା ।

 

ଏକ ଦିଗରେ ଅବାଧ ମିଳାମିଶା ଏବଂ ଅନ୍ୟଦିଗରେ ଅବାଧଯୌନ କ୍ରିୟା ପ୍ରତି ନୈତିକଘୃଣା । ଆଜିକାଲି ନାରୀମାନେ ନାନା କୃତ୍ରିମ ଉପାୟରେ ଦେହର ଯୌନ ଆକର୍ଷଣ ଶହେ ଗୁଣ ବଢ଼ାଇ ପୁରୁଷର ଦେହକୁ ଦେହ ଘଷି ଛିଡ଼ା ହେଲେ । ଦୁହିଁଙ୍କର କାମନା ଜାଗ୍ରତ ହେଉଚି; କିନ୍ତୁ ସମାଜ, ଆଇନ, ଯୁଗ ଯୁଗର ସଂସ୍କାର ଖଣ୍ଡା ଧରି ଛିଡ଼ା ହୋଇଚି ଆଉ ଆଗେଇବାକୁ ମନାକରି । ଫଳରେ ପୁରୁଷ ଓ ନାରୀମାନେ ଉତ୍ତେଜିତ ହୋଇ ସମାଜରେ ବିଚରଣ କରୁଚନ୍ତି । ସଜ୍ଞାନରେ ହେଉ ବା ଅଜ୍ଞାନରେ ହେଉ, ଏହା ଫଳରେ ନାରୀ ପ୍ରତି ପ୍ରେମ ପରିବର୍ତ୍ତେ ବ୍ୟର୍ଥତାରୁ ଘୃଣା ଜନ୍ମୁଚି ଏବଂ ଗୋଟିଏ ମିଥ୍ୟା ତପସ୍ୱୀ ଆଦର୍ଶ ଜାତ ହେଉଚି । ଯୌନ ବିକୃତି ବଢ଼ୁଚି । ନାନା ଅଶାନ୍ତି, ବିପ୍ଳବ, ବିଦ୍ରୋହ ଏହି ବିକୃତିରୁ ଜାତ । ଜାଣ, ପାଶ୍ଚାତ୍ୟ, ଦେଶର ଏଇଥିପାଇଁ ସମଲୈଙ୍ଗିକ ମୈଥୁନ ବୈଧାନିକ କରିବା ପାଇଁ ଗୁପ୍ତ ଆନ୍ଦୋଳନ ଚାଲିଚି । ଛାତ୍ରମାନେ ଆନ୍ଦୋଳନ କରୁଚନ୍ତି, ଛାତ୍ରୀମାନେ ଗାଉନ ତଳେ ଆଉ କିଛି ପିନ୍ଧି ପାରିବେ ନାହିଁ । ସେଠି ପ୍ରତ୍ୟେକ ଦୁଇ ମିନିଟରେ ଗୋଟିଏ ନାରୀଧର୍ଷଣ । ପ୍ରତ୍ୟେକ ଅଧ ଘଣ୍ଟାରେ ଗୋଟିଏ ଡକାୟତି ବା ଚୋରି ଏବଂ ପ୍ରତ୍ୟେକ ମିନିଟରେ ଗୋଟିଏ ଛାଡ଼ପତ୍ର । ନାରୀଠାରୁ ଯେତିକି ଦୂରରେ ଥିଲେ କାମ ପ୍ରେମରେ ପରିଣତ ହୁଏ, ତାଠାରୁ ଆହୁରି ଦୂରରେ ଏବଂ ଆହୁରି ନିକଟରେ ରହିଲେ କାମ ବିକୃତି ରୂପ ଧାରଣକରେ ।

 

ବଟ ବାବୁ କହିଲେ, ଆମ ବୟସବେଳେ କିନ୍ତୁ ଏପରି ଅବସ୍ଥା ନଥିଲା । ମୁଁ ତ......

 

ସମସ୍ତେ ଆଶ୍ଚର୍ଯ୍ୟ ଭାବରେ ପଚାରିଲେ, ପ୍ରେମ କରି ?

 

ବଟ ବାବୁ ସଲଜ୍ଜ ଭାବରେ କହିଲେ, ହଁ ।

 

ପ୍ରସନ୍ନ ବାବୁ ଆନନ୍ଦିତ ଭାବରେ କହିଲେ, ବାହାରେ ଖୁଡ଼ୀ । କୁହ କୁହ; ତମ ପ୍ରେମ କଥା ଆଜି କୁହ ।

 

ବଟ ବାବୁ ଘର ଭିତରକୁ ଟିକିଏ ଅନାଇ ଗଳାଖଙ୍କାରି ଆରମ୍ଭ କଲେ......

 

...ମୋ ବାପା ଥିଲେ ଭାରି ଦରିଦ୍ର; କିନ୍ତୁ ତାଙ୍କର ଇଚ୍ଛାଥିଲା ମୁଁ ଅନେକ ପାଠ ପଢ଼ି ବଡ଼ଲୋକ ହେବି । ସେ ଅମୁକଙ୍କ ପିତାରୂପେ ଅମର ହେବେ । ହେଲେ ତାଙ୍କ ଇଚ୍ଛାକୁ ମୋର ଶକ୍ତି ନ ଥିଲା । ବାପାଙ୍କର ମୁଁ ଏକମାତ୍ର ସନ୍ତାନ । ସେ ତାଙ୍କ ଇଚ୍ଛା ପୂରଣ କରିବାକୁ ମୋତେ ଜାବୁଡ଼ି ଧରି ଥାଆନ୍ତି । ବାପାଙ୍କ ମନରେ ଆଘାତ ଦେବାକୁ ମୋ ମନ ବଳୁ ନ ଥାଏ । ରାତି ଦିନ ଲାଗି ପାଠ ପଢ଼ୁଥାଏ; କିନ୍ତୁ ମୋର ଶକ୍ତି ବା କେତେ ! ଶୀଘ୍ର ଶୀଘ୍ର ପାଶ୍ କରିଯିବି ବୋଲି ବାପା ବି ମୋତେ ଖୁବ୍ ଅଳ୍ପ ବୟସରେ ଉଚ୍ଚ ଶ୍ରେଣୀରେ ନା’ ଲେଖାଇ ଦେଇଥାଆନ୍ତି । ତେର ବର୍ଷ ବେଳକୁ ମାଟ୍ରିକ ଫାଷ୍ଟ କ୍ଲାସ । ରାତି ଦିନ ପଢ଼ି ପଢ଼ି ପରୀକ୍ଷା ଠିକ୍ ଚାରୋଟି ଦିନ ଥାଏ, ହେଲା ଜର । ସେ ବର୍ଷ ଆଉ ପରୀକ୍ଷା ଦେଇ ପାରିଲି ନାହିଁ । ଏମିତି ତିନୋଟି ବର୍ଷ ପରୀକ୍ଷା ଦେଇପାରିଲି ନାହିଁ । ଚତୁର୍ଥ ବର୍ଷ କୌଣସି ମତେ ଜରରେ ପରୀକ୍ଷା ଦେଇ ପାସ୍ କରିଗଲି । ପାସ୍ ଖବର ଶୁଣି ବାପାଙ୍କ ଦୁଇ ଆଖିରୁ ଖାଲି ପାଣି ଝରିଲା । ପରିଶ୍ରମ ପରେ ମୋ ଦେହ ଏକଦମ୍ ଶୁଖି ଯାଉଥିଲା । ବୋଉକୁ କହିଲି, ମୁଁ ଆଉ ପଢ଼ିପାରିବି ନାହିଁ; କିନ୍ତୁ ବାପା କିଛି ଶୁଣିଲେ ନାହିଁ, କଲେଜରେ ନା’ ଲେଖାଇ ଦେଲେ । ବାଧ୍ୟ ହୋଇ ପଢ଼ିଲି; କିନ୍ତୁ ଆଇ. ଏ. ପରୀକ୍ଷା ବେଳକୁ ପୁଣି ସେମିତି ଜର । ବାପା ମଧ୍ୟ କିଛି କହିପାରନ୍ତି ନାହିଁ । କାରଣ ଦେଖନ୍ତି ତ ମୁଁ ପରିଶ୍ରମ କରୁଚି; କିନ୍ତୁ ତାଙ୍କ ମନ ଯାହା ହୁଏ ମୁଁ ବୁଝି ପାରୁଥାଏ...

 

ପ୍ରସନ୍ନ ବାବୁ ପଚାରିଲେ, ଆଚ୍ଛା ବଟ ବାବୁ ପଢ଼ା ଛାଡ଼ିଲା ପରେ ଆଉ କେବେ ଏମିତି ଜର ହୋଇଥିଲା ଆପଣଙ୍କୁ ?

 

—ନା, ଆଶ୍ଚର୍ଯ୍ୟ ।

 

ଏ କଅଣ ବୁଝିଲେ ? ବାପାଙ୍କ ଆଦର୍ଶ ତୁମ କ୍ଷମତା ବାହାରେ ବୋଲି ତୁମେ ନିଜେ ସେ ଆଦର୍ଶ ହାସଲ ପଥରେ ବାଧା ସୃଷ୍ଟି କରୁଥିଲ, ତୁମ ଅଜ୍ଞାତରେ ଅବଶ୍ୟ । ଏପରି ବାଧା ସୃଷ୍ଟି କରୁଥିଲ ଯେଉଁଥିରେ ତୁମ ଦୋଷ ନ ରୁହେ ।

 

—ତୁମ ଶାସ୍ତ୍ର ଅନେକ ଉଭଟ କଥା କୁହେ । ଛାଡ଼ ସେ କତା । ତା ପରେ କଅଣ ହେଲା ଶୁଣ । ଯେଉଁ ବର୍ଷ ମୁଁ ଶେଷ ପରୀକ୍ଷା ଦେବି ସେ ବର୍ଷ ବୟସ ପ୍ରାୟ ମୋର କୋଡ଼ିଏ । ପରୀକ୍ଷା ଚିନ୍ତାରେ ଦେହ ମୋର ଶୁଖି କଳାକାଠ ପଡ଼ି ଯାଇଥାଏ । ପରୀକ୍ଷା ଥାଏ ଆଉ ଅଳ୍ପ ଦିନ; କିନ୍ତୁ ବହିରେ ଆଦୌ ମନ ଲାଗୁ ନଥାଏ । ବହି ଖୋଲିବା ମାତ୍ରେ ମନଟା କେମିତି ଉଦାସ ହୋଇ ଯାଉଥାଏ । ସବୁ ବୃଥା ମନେ ହେଉଥାଏ । ଛାତି ଭିତରଟା ଫାଙ୍କା ଫାଙ୍କା ଲାଗୁଥାଏ । ବିନା କାରଣରେ ଖାଲି କାନ୍ଦ ମାଡ଼ୁଥାଏ । ଠିକ୍ ଏଇ ସମୟରେ ଆମ ଘରକୁ ଲାଗି ଗୋଟିଏ ଭଡ଼ା ଘରେ ରହିଲେ ବାପାଙ୍କର ବାଲ୍ୟବନ୍ଧୁ ଯୁଗଳ ବାବୁ, ତାଙ୍କ ବାପା ।

 

ଘର ଆଡ଼କୁ ପୁଣି ଟିକିଏ ଚାହିଁ ଯଥାସମ୍ଭବ ଆସ୍ତେ ବଟ ବାବୁ କହିଲେ, ତାଙ୍କ ବୟସ ସେତେବେଳେ ଥିଲା ଚଉଦ । ଦେଖିବାକୁ ସୁନ୍ଦରୀ ନଥିଲେ; କିନ୍ତୁ ସେତେବେଳେ ଆଖି କାନ ଆଦିକୁ ତ ଆଚ୍ଛନ୍ନ କରି ରଖିଥାଏ ଗୋଟିଏ ମାତ୍ର କାମନା । ପ୍ରେମ ପାଇଁ ତ ମନ ବ୍ୟାକୁଳ । ସେଇ ରୂପ ସେତେବେଳେ ଅପସରା ଭଳି ମନେ ହେଲା । ଆଉ ପଢ଼ିବି କଅଣ । ବହି ଖୋଲିଲା ବେଳକୁ ତ ସେଇ ରୂପ, ସେଇ ହସ, ସେଇ ଚାଲି ଆଖି ସାମନାରେ ଖେଳିଗଲା । କେତେ ଯେ କବିତା ଲେଖିଚି, ମାନେ ଲେଖିବାକୁ ଚେଷ୍ଟା କରିଚି । ଆରେ ଭାଇ, ଦିନେ ସେ କବିତା ଖାତାଟି ବାପାଙ୍କ ହାବୁଡ଼ରେ ପଡ଼ିଗଲା । ପ୍ରକାଣ୍ଡ ମୋଟା ଖାତା, କବିତାରେ ପୂର୍ଣ୍ଣ । ବାପା ତାକୁ ଅନେଇ ତ ବସିଚନ୍ତି, ଆଖିରୁ ପାଣି ଗଡ଼ି ଯାଇଚି । ମୁଁ ଘରଭିତରକୁ ଯେମିତି ପଶିଗଲି, ଖାତା ରଖିଦେଇ କହିଲେ, ଟୁବୁ ଏସବୁ ତ ଲେଖି ଖାତା ଭରତି କରି ଦେଉଚୁ, ତା ବେଳକୁ ତ ଜର ଆସୁନାହିଁ ! ମଁ ତ ଘରୁ ଚିଲାଟାଏ ମାରି ଦଉଡ଼େ । ତିନି ଦିନ ବାପାଙ୍କୁ ଦେଖା ଦେଇନାହିଁ ତା ପରେ । ସେ ଯାହା ହେଉ, ପଢ଼ାରେ ଆଉ ମନ ଲାଗିଲା ନାହିଁ । ମନ ଭାରି ଅଥୟ ହେବାକୁ ଲାଗିଲା । ମନ ହେଉଥାଏ ମନ ଖୋଲି ତାଙ୍କୁ ସବୁ କହି ଦେବାକୁ; କିନ୍ତୁ ସାହସ ବଳୁ ନ ଥାଏ । ସେ କଅଣ ମୋ ପରି ଅସୁନ୍ଦରକୁ ଭଲ ପାଇବେ ? ମୋର କି ଗୁଣ ଅଛି ଯେ ମୋତେ ବିବାହ କରିବାକୁ ରାଜି ହେବେ ? ଏମିତି ନାନା ନିରାଶା ଭିତରେ ମନ ପଡ଼ି ଦେହ ଆହୁରି ଦିନକୁ ଦିନ ଖରାପ ହେବାକୁ ଲାଗିଲା । ରୋଜ ଲୁଚି ଦର୍ପଣ ସାମନାରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୁଏ; କିନ୍ତୁ ନିଜ ଚେହେରା ଦେଖି ନିଜ ଉପରେ ଭାରି ଘୃଣା ହୁଏ, ବାପା ବୋଉଙ୍କ ଉପରେ ଭାରି ରାଗ ହୁଏ । ସେମାନେହିଁ ଏହା ପାଇଁ ଦାୟୀ । ଆଖି କୋଟରଗତ ହେଲା, ଗାଲ ପଶିଗଲା । ଘରୁ ବାହାରିବାକୁ ଲାଜ ମାଡ଼ିଲା । ତାଙ୍କୁ ଖାଲି ଦୂରୁଁ ଦେଖୁଥାଏ । ଟିକିଏ ଭଲ ଖାଇ ଯେ ଚେହେରାଟା ଭଲ କରିବି ତା ପାଇଁ ପଇସା ନାହିଁ, କି ବାପାଙ୍କ ସେ ଆଡ଼କୁ ଦୃଷ୍ଟି ନାହିଁ ।

 

ଚେହେରା ଏମିତି ଦିନକୁ ଦିନ ଶୁଖି ଯିବାରୁ ବାପା ବୋଉଙ୍କ ଭାଳେଣି ପଡ଼ିଲା । ଦିନେ ରାତିରେ ଶୁଣିଲି ବୋଉ ବାପାଙ୍କୁ କହୁଚି, ଶୁଣୁଚ, ବଟକୁ ଦେଖିଲାଣି ଆଜିକାଲି ? ପୁଅଟା ଖଟି ଖଟି କଳାକାଠ ପଡ଼ିଗଲାଣି ?

 

ବାପା କହିଲେ, ନା ହୋ ନା, ସେ କିଛି ନୁହଁ । ବୟସ ଦୋଷ, ପରଛଡ଼ା ଦଉଚି । ଏ ବୟସରେ ସେମିତି ହୁଏ । ପଢ଼ି ପାଶ୍ କରୁ, ବଡ଼ ଚାକିରି କରୁ, ଦେଖିବ ।

 

ବୋଉ କହିଲା, ନା, ଏ ବୟସ ନୁହଁ । ପୁଅଟା ତ ମୋଟେ ଖାଇବାକୁ ପାଉନି । ଟିକିଏ ଦୁଧ ଖାଆନ୍ତା । ସେ କ୍ଷମତା ତ ନାହିଁ । ଅଣ୍ଟାରେ ତ ନାହିଁ ଧନ । ଯେତିକି ହେଲା ସେତିକି ଥାଉ ।

 

କ୍ଷମତା କଥାରେ ବାପାଙ୍କ ପୌରୁଷକୁ ବାଧିଲା । ସେ ଚିଡ଼ି ଉଠି କହିଲେ, ବୁଝିଲ ବଟ ବୋଉ, ମୋ ବାପା ଥିଲେ ଭାରି ଦରିଦ୍ର; କିନ୍ତୁ ତାଙ୍କର ଇଚ୍ଛା ଥିଲା ମୁଁ ବଡ଼ ହେବି । ମୁଁ ସିନା ତାଙ୍କ ଇଚ୍ଛା ପୂରଣ କରି ପାରିଲି ନାହିଁ; କିନ୍ତୁ ଧନ ପାଇଁ ବାପା କେବେହେଁ ପଛେଇ ନାହାନ୍ତି । ମନ ଥିଲେ ଧନ ଆସିବ । ମୁଁ ମୋର ସବୁ ବିକ୍ରୀ କରି ପୁଅକୁ ବଡ଼ କରିବାକୁ ପ୍ରସ୍ତୁତ ଅଛି; କିନ୍ତୁ ଭାଗ୍ୟକୁ କିଏ ପାରିଛି ? ନ ହେଲେ ତୁମ ହାତ ଧରି ଥାଆନ୍ତି...

 

ସେଦିନ କଥାଟା ସେତିକିରେ ରହିଲା । ବାପା ବୋଉ କିନ୍ତୁ ଘୋର ଚିନ୍ତାରେ ପଡ଼ିଲେ ମୋ ସ୍ୱାସ୍ଥ୍ୟ ପାଇଁ । ମୁଁ ମଧ୍ୟ ମୋ ଚେହେରା ପାଇଁ ବଡ଼ ଭାଳେଣିରେ ପଡ଼ିଲି । ପୁଅ ଚେହେରା ଯେତେ ଖରାପ ହେଉ ବାପା ମାଙ୍କୁ ସୁନ୍ଦର । ତାଙ୍କୁ ଯେତେବେଳେ ଆଖିକୁ ଖରାପ ଦୁଶିଲାଣି ନ ଜାଣି କେତେ ଖରାପ ହୋଇଚି । ଚେହେରା ଟିକିଏ ଭଲ ହେଲେ ସିନା ଯା ହୁଅନ୍ତା । ଚେହେରା ତ ବିକାଶ ଲଭିବା ପଛେ ଥାଉ ପଛେଇ ପଛେଇ ମାଙ୍କଡ଼ ଆଡ଼କୁ ଗତି କରିବାରେ ଲାଗିଲା ।

 

ପରୀକ୍ଷା ଆଗେଇ ଆସିଲା । ମାତ୍ର ଛଅଟି ଦିନ ଯେତେବେଳେ ଅଛି ସେତେବେଳେ ହେଲା ଜର, ଭାରି ଜର । ବାପା ତ ମୁଣ୍ଡରେ ହାତ ଦେଇ ବସି ପଡ଼ିଲେ । ଯାହା ସଞ୍ଚିଥିଲେ ସାମାନ୍ୟ ବଡ଼ ବଡ଼ ଡାକ୍ତର ଡାକି ସାରିଲେ । ବ୍ୟାକୁଳ ଭାବରେ ଭଗବାନଙ୍କୁ ଡାକୁ ଥାଆନ୍ତି ପରୀକ୍ଷା ଦୁଇ ଦିନ ଆଗରୁ ଜର ଛାଡ଼ିଯିବା ପାଇଁ । ମୋ ଦେହ କଥା ଭାବି ଭାବି ବୋଉକୁ ମଧ୍ୟ ଜର ହେଲା । ଏତିକିବେଳେ ଆମ ଦୁହିଙ୍କ ସେବା କରିବାକୁ ଲାଗିଲେ ସେ । ପରୀକ୍ଷା ସରିଲା ବେଳକୁ ଜର ଛାଡ଼ିଲା । ସେତେବେଳେ ମୁଁ ଶଯ୍ୟାଶାୟୀ । ବୋଉ କହିଲା, ନା, ପୁଅ ଆଉ ପଢ଼ିବ ନାହିଁ । ବାପା ହତାଶ ଭାବରେ କହିଲେ, ଥାଉ, ଯାହା କପାଳରେ ନାହିଁ ମିଛରେ ବାଡ଼େଇ କଚାଡ଼ି ହେଲେ କଅଣ ହେବ ।

 

ସତ କହୁଚି ବାପାଙ୍କ କଥା ଶୁଣିବା ମାତ୍ରକେ ଦେହରେ ଅନେକ ବଳ ପାଇଲି । ବାପାଙ୍କର ଏମିତି କ୍ଷମତା ନ ଥିଲା ଯେ ପଥ୍ୟ ପାଇଁ କିଛି ଫଳ ଆଣିବେ । ଏଥିପାଇଁ ବାପା ବୋଉ ଯେ କାନ୍ଦିଛନ୍ତି କେତେ କଅଣ କହିବି । କହୁ କହୁ ବଟ ବାବୁଙ୍କ ଆଖି ପାଣିରେ ଭରିଗଲା । ଆଖି ପୋଛି କହିଲେ, ବାପା ବୋଉ ଆଉ କେହି ନାହାନ୍ତି ବର୍ତ୍ତମାନ; କିନ୍ତୁ ତାଙ୍କ କଥା ମନେ ପଡ଼ିଲେ ମନଟା ଭାରି ଡହଳ ବିକଳ ହୋଇ ଉଠେ । ମନରେ ଭାରି ଆପଶୋଷ ହୁଏ କାହିଁକି ବାପାଙ୍କ ଇଚ୍ଛାଟା ପୂରଣ କରି ପାରିଲି ନାହିଁ । ତୁମ ଶାସ୍ତ୍ର ଯାହା କହୁ ପ୍ରସନ୍ନ ବାବୁ, ପିତା ମାତାଙ୍କ ପ୍ରେମ ଏ ଜଗତରେ ସବୁ ପ୍ରେମଠାରୁ ଅନାବିଳ-। ବିଶେଷତଃ ବୋଉର ।

 

ଦାମ ବାବୁ ପଚାରିଲେ, ତା ପରେ ?

 

—ତା ପରେ, ପଢ଼ା ତ ଛାଡ଼ିଲି ପ୍ରତ୍ୟେକ ଦିନ ଖବର କାଗଜ ପଢ଼ି ଚାକିରିଖୋଜେ ଓ ଦରଖାସ୍ତ ଲେଖେ । କଚେରୀକୁ ନେଇଯାଇ ବାପା ଦରକାସ୍ତ ଗୁଡ଼ିକ ପଠାନ୍ତ । ବାପା ତାଙ୍କର ସାମାନ୍ୟ ଆୟରୁ ପ୍ରତ୍ୟେକ ମାସରେ ୬ଟି ଟଙ୍କା ଖବର କାଗଜ ପାଇଁ ବ୍ୟୟ କରନ୍ତି । ସେତିକି ନୁହଁ, ଯୁଦ୍ଧ ପାଇଁ ପ୍ରତ୍ୟେକ ମାସରେ ଚାରୋଟି ଟଙ୍କା ଚାନ୍ଦା ଦେବେ ବୋଲି ମଧ୍ୟ ଗଭର୍ଣ୍ଣରକୁ ଦରଖାସ୍ତ କଲେ । ଉଦ୍ଦେଶ୍ୟ, ବଡ଼ ବଡ଼ ଇଂରାଜୀ ସାହେବଙ୍କ ଅନୁଗ୍ରହ ପାଇଲେ ପୁଅର ବଡ଼ ଚାକିରିହେବ । ଦେଶ ତା ପରେ ସ୍ୱାଧୀନ ହେଲା । ସେ ଚାନ୍ଦାର ମୂଲ୍ୟ କିଛି ରହିଲା ନାହିଁ; କିନ୍ତୁ ସେ ତ୍ୟାଗର ମୂଲ୍ୟ ? ବଟ ବାବୁ ପୁଣି ଆଖି ପୋଛିଲେ ।

 

ବାପା ନିଇତି କଚେରୀ ଫେରି ବୋଉକୁ ମୋ ଦେହ କଥା ପଚାରନ୍ତି ଓ ଚିନ୍ତାରେ ଦୁହେଁ ବସନ୍ତି । ଏହିପରି କିଛିଦିନ ଗଲାପରେ ମୋର ସ୍ୱାସ୍ଥ୍ୟ ବାପା ବୋଉଙ୍କର ନୂତନ ଉଦବେଗ ସୃଷ୍ଟି କଲା । ଏଥର ମୋର ସ୍ୱାସ୍ଥ୍ୟର ଅବନତି ପାଇଁ ନୁହଁ, ଉନ୍ନତି ପାଇଁ । ଦୁଇଟି ମାସ ଭିତରେ ମୋର ସ୍ୱାସ୍ଥ୍ୟର ଉନ୍ନତି ମୁଁ ନିଜେ ଦେଖି ଆଶ୍ଚର୍ଯ୍ୟ ହୋଇଗଲି ।

 

ବୋଉ ଆଶ୍ଚର୍ଯ୍ୟ ହୋଇ ଦିନେ ରାତିରେ ବାପାଙ୍କୁ କହିଲା, ବଟକୁ ଦେଖିଲଣି ?

 

ବାପା ଦୀର୍ଘ ନିଃଶ୍ୱାସ ପକାଇ କହିଲେ, ମୁଁ ଯାହା ସନ୍ଦେହ କରୁଥିଲି ସତ ହେଲା ।

 

କୋଉ କଥା ? ବୋଉ ଆଶ୍ଚର୍ଯ୍ୟ ଭାବରେ ପଚାରିଲା ।

 

ବାପା ଚୁପ୍ ଚୁପ୍ କହିଲେ, ସବୁ ଏ ଯୁଗଳର କାଣ୍ଡ । ପୁଅକୁ ଖୁଆଇ ପିଆଇ ହାତ କରିବାକୁ ଚାହେଁ । ତୁମେ ତ କେତେବାର କହିଚ ବଟ ତାଙ୍କ ଘରେ ଜଳଖିଆ ଖାଇ ଆସିଚି । ଏବେ ଫଳ ପାଅ ।

 

ବୋଉ କହିଲା, ତୁମେ ତ ଖାଇବାକୁ ଦେଇ ପାରୁନା, ଯାହା ହେଉ ପୁଅ ମୋର ଖାଇ ବଞ୍ଚୁତ ଆଗେ ।

 

ବାପା ହଠାତ୍ ଉତ୍‍କ୍ଷିପ୍ତ ହୋଇ ବୋଉକୁ ମାରିବାକୁ ଉଠିଲେ ।

 

ବୋଉ ପାଟିକରି ଉଠିଲା, କଅଣ ମାରିବ କି ମୋତେ ?

 

ମୁଁ ସବୁ ଶୁଣୁଥିଲି, ଦଉଡ଼ି ଯାଇ ବାପାଙ୍କ ହାତରୁ ବାଡ଼ିଟା ଛଡ଼ାଇ ନେଇ କହିଲି, ଆପଣ...ଆପଣ...ନୀଚ । କହିଦେଇ ଚାଲି ଆସିଲି ଗର୍ବରେ । କଅଣ କରିବି ପ୍ରସନ୍ନ ବାବୁ ! ତୁମ ମନସ୍ତତ୍ତ୍ୱ କଅଣ କହୁଚି କୁହ ତ । ଭାବିଥିଲି ବୋଉ ଭାରି ଖୁସି ହେବ ମୋ ଉପରେ, ଆଉ ବାପା ଭାରି ରାଗିବେ; କିନ୍ତୁ ରାତି ଶେଷ ପହରକୁ ନିଦ ଭାଙ୍ଗିଯିବାପରେ ଶୁଣିଲି ବୋଉ କହୁଚି, ଦେଖିଲ ପୁଅ କଥାକୁ ! ଯାହା ତୁମେ କହୁଥିଲ ସତ । ଏ ପୁଅ କଅଣ ଆମକୁ ପଚାରିବ ? ଆଉ ନୁହଁ ଆଉ ନୁହଁ, ବଟ ଚାକିରି କରୁ, ଚାଲ ଆମର ଗାଁରେ ବସିବା, ତୁମ ପିନିସିନି ବେଳ ତ ହେଲାଣି । ବାପାକୁ ହାତ ଉଠାଏ ଯିଏ ସେ କି ମଣିଷ ହବ । ଏମିତି ବାପ ପୁଣି ! ବୋଉ କଇଁ କଇଁ ହୋଇ କାନ୍ଦି ପକାଇଲା ।

 

ବାପା ହସି କହିଲେ ନା, ହୋ ନା, ପୁଅ କଥା ଦେଖି ମୋ ମନ ଭାରି ଖୁସି । ପୁଅତ ମୋତେ ହାତ ଉଠାଇ ନାହିଁ, ମୋ ହାତରୁ ବାଡ଼ିଟା କାଢ଼ି ନେଇଚି । ଜୀବନରେ ମୁଁ ତୁମକୁ ସୁଖ ଦେଇ ପାରିଲି ନାହିଁ । ଆଉ କେତେ ଦିନ ବଞ୍ଚିବି ବା; କିନ୍ତୁ ମୋ ଅନ୍ତେ ପୁଅ ତୁମକୁ ପକେଇଦେବ ନାହିଁ । ଯିଏ ବୋଉ ପାଇଁ ବାପାକୁ ତେଢ଼ି କଥା କହିପାରେ ସେ କେବେହେଁ ବାହା ହୋଇ ବୋଉକୁ ଠେଲିଦେଇ ପାରିବ ନାହିଁ । ମୁଁ ଜାଣ ଆଜି ନିଶ୍ଚିନ୍ତ ହେଲି । ପୁଅ ମୋର ବଞ୍ଚିଥାଉ ।

 

ଅନେକକ୍ଷଣ ଦୁହେଁ ନୀରବ ରହିବା ପରେ ବାପା କହିଲେ, କିନ୍ତୁ ପୁଅ ଏମିତି କାହିଁକି ବାହାହବ ? ମୁଁ ଯୁଗଳକୁ ଡାକି ସଫା ସଫା କହିବି କାଲି ।

 

ବୋଉ କହିଲା, ପୁଅ ତ ମାସେହବ ଘରେ ଦିନବେଳା ଭାତ ଖାଉ ନାହିଁ, କି କିମିଆ ଜାଣେ ତୁମ ସାଙ୍ଗ କେଜାଣି !

 

ପରଦିନ ଦୁର୍ଭାଗ୍ୟକୁ ହେଉ ବା ସୌଭାଗ୍ୟ ହେଉ ଯୁଗଳ ବାବୁ ଆମ ଘରକୁ ସକାଳୁ ଆସିଲେ । ବାପା ତ ତାଙ୍କୁ ଦେଖି ଅଗ୍ନିଶର୍ମା । କହିଲେ, ଯୁଗଳ ତୁ ଏଡ଼େ ନୀଚ ମୁଁ ଜାଣି ନଥିଲି । ଘରେ ବଢ଼ିଲା ଝିଅ ରଖି...ଜଳଖିଆ ଖୋଇ...

 

ଯୁଗଳ ବାବୁ ଆଶ୍ଚର୍ଯ୍ୟ ହୋଇ କହିଲେ କଅଣ କହୁଚୁ ତୁ ! ମୁଁ ତ ଦିନେ ହେଲେ ତାକୁ ଖାଇବାକୁ କହି ନାହିଁ । ବଟ ଅବଶ୍ୟ ନିଇତି ଆମ ଘରକୁ ଯାଏ; କିନ୍ତୁ ତା ଫଳ ଏଇ ଦେଖ୍ । ଯୁଗଳ ବାବୁ ବାପାଙ୍କ ହାତକୁ ଖଣ୍ଡେ କାଗଜ ବଢ଼ାଇ ଦେଲେ । ବାପା ସେ ଖଣ୍ଡ ପଢ଼ି କିଛି ବୁଝିପାରିଲେ ନାହିଁ ।

 

ଯୁଗଳ ବାବୁ କହିଲେ, ତୁମ ପୁତ୍ରରତ୍ନ ଲେଖିଛନ୍ତି, ଆଶାଚାନ୍ଦ ତୁମେ, ମୁଁ ଯେ ବାମନ । ମୋ କନ୍ୟାରତ୍ନ ତା ତଳେ ଲେଖିଚନ୍ତି, ଆଶା ଫଳିବ ହେ, ନୁହ ଉଚ୍ଛନ୍ନ । ଆହା କି ସୁନ୍ଦର ପାଦ ଯୋଡ଼ା ହୋଇଚି !

 

—କଥା କଅଣ କି, ମୁଁ କବିତା ଲେଖିବାକୁ ଯାଇ ବହୁ କଷ୍ଟରେ ପ୍ରଥମ ଧାଡ଼ିଟି ଲେଖି ଚାଲି ଯାଇଥିଲି । ଫେରି ଦେଖିଲି ସେ କାଗଜ ଖଣ୍ଡକ ନାହିଁ । ବର୍ତ୍ତମାନ ତାର ଉତ୍ତର ପାଇ ମୋ ମନ ତ କୁଣ୍ଢେମୋଟ ହୋଇଗଲା । ମୁଁ ତ ଆନନ୍ଦରେ ଆରପାଖ ଘରେ ନାଚିବାକୁ ଲାଗିଲି ।

 

ଯୁଗଳ ବାବୁ କହିଲେ, ଆହୁରି କାଣ୍ଡ ଶୁଣ । ମୋ ପୁଅ ଆଉ ତୋ ପୁଅ ଆଜିକି ମାସେ ହବ ପ୍ରେତର ଆହାର ଖାଉଛନ୍ତି । ଆମ ଘରକୁଲାଗି ଯେଉଁ କୋଠା ଅଛି ସେଠି ଜଣେ ବଙ୍ଗାଳି ଜମିଦାରର ପୁଅ ଥାଏ । ତାର ବାପାର ମାସେ ହବ କାଳ ହୋଇଯାଇଚି । ସେ ରୋଜ ଗାଧୋଇସାରି ପ୍ରେତ ଆହାର ରଖିଦେଇ ଆସେ । ଅତି ସୁନ୍ଦର ଅରୁଆ ଚାଉଳ ଭାତ, ମେଞ୍ଚାଏ ଖାଣ୍ଟି ଗୁଆଘିଅ, ଦହି, ନାନା ଫଳ, ରାବେଡ଼ି ଇତ୍ୟାଦି । ଏମାନେ ନିଇତି ତାକୁ ଖାଇ ଆସନ୍ତି ।

 

ବାପା ହାଁ କରି ଚାହିଁ ରହିଲେ । ବୋଉ ଘର ଭିତରେ କାନ୍ଦି ଉଠିଲା ।

 

ବାପା କହିଲେ, ମୁଁ କହୁଚି ବଟ ଦେହ ଏଡ଼େ ସୁନ୍ଦର ହେଲା କେମିତି ?

 

ବୋଉ ଘର ଭିତରୁ କାନ୍ଦି କହିଲା, ତୁମେ ଛିଡ଼ା ହୋଇ ଶୁଣୁଚ କଅଣ, ଜଲଦି ପଣ୍ଡିତ ଡାକ, ପୂଜା କରୁ ।

 

ସାତଦିନ ପୂଜା ଚାଲିଲା । ସେଥିରେ ଗୁଡ଼ିଏ ଅର୍ଥ ନଷ୍ଟ ହେଲା । ପୂଜା ପରେ ବୋଉକୁ ମୋ ମନକଥା କହିଲି । ବୋଉ ଯାଇ ତାଙ୍କ ଘରେ ପ୍ରସ୍ତାବ କଲେ । ମୋ ଦେହତ ଦିନ ପନ୍ଦରଟାରେ ଫୁଲିଗଲା ।

 

ପ୍ରସନ୍ନ ବାବୁ କହିଲେ, ବୁଝିଲ ତିନୋଟି କାରଣରୁ ତୁମର ସ୍ୱାସ୍ଥ୍ୟ ଭଲ ହେଲା । ଅସମ୍ଭବ ଆଦର୍ଶରୁ ମୁକ୍ତି, ଖାଦ୍ୟ ଓ ପ୍ରେମ...

 

ହରିବାବୁ କହିଲେ, ବର୍ତ୍ତମାନ କାହିଁକି ପୁଣି ତାଳପତ୍ର ହେଲ ? ପ୍ରେମ କଅଣ କମିଗଲାଣି କି ?

 

ବଟବାବୁ କହିଲେ, ନାନା ଦୁଶ୍ଚିନ୍ତା ମୋ ପୁଅଟା ପାଇଁ । ଆଉ ପାଠ ପଢ଼ିଲା ନାହିଁ । ମାଟ୍ରିକ ପାଶ କରିବା ପରେ ମୋରିପରି ଗୋଟିଏ ମାଛିମରା କିରାଣି । ପ୍ରେମରେ ପଡ଼ି ତାକୁ ରେଜିଷ୍ଟ୍ରି କରି ବାହା ହୋଇସାରିଚି । କଅଣ କରିବି, ବାଧ୍ୟ ହୋଇ ତାକୁ ଘରକୁ ଆଣିଲି; କିନ୍ତୁ ଶାନ୍ତି ନାହିଁ । ଭାରି ଆଘାତ ଦେଲା ପୁଅଟା । କେତେ ଆଶା କରିଥିଲି, ଗୋଟିଏ ବୋଲି ପୁଅ । ଛାଡ଼, ସବୁ ତାଙ୍କର ଇଚ୍ଛା !

★★★

 

କସ୍ତେ ପୁତ୍ରଃ

 

ବଜାରରୁ ଦୁଇପଇସାର ଶାଗ କିଣିବାଠାରୁ ଆରମ୍ଭ କରି ରାଜ୍ୟଗୋଷ୍ଠୀ ପର୍ଯ୍ୟନ୍ତ ସବୁଠି ସଂଗ୍ରାମ । ପ୍ରତ୍ୟେକେ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି; କିନ୍ତୁ ଗୋଟାଏ ଗୋଟାଏ ଲୋକ ଥାଆନ୍ତି, ଜୀବନ ଯେଉଁମାନଙ୍କ ପକ୍ଷରେ ଗୋଟାଏ ପରିହାସ ସଂଗ୍ରାମକୁ ଯେଉଁମାନେ ଏଡ଼ାଇ ଯାଆନ୍ତି । ମାରିବାକୁ ଆସିଲେ କୁହନ୍ତି, ମାରନା ମୁଁ ମଲିଣି । ଆମ କାହ୍ନୁବାବୁ ଏଇ ଧରଣର ଲୋକ । ଆମ କଚେରୀରେ କାହ୍ନୁବାବୁ ଆବାଳବୃଦ୍ଧ ସମସ୍ତଙ୍କର ଅଜା । ଯିଏ ଆଜି ବି ଚାକିରିରେ ଯୋଗ ଦେଇଚି’ ଅଳ୍ପ ସମୟ ଭିତରେ ସେ କାହ୍ନୁବାବୁଙ୍କର ନାତି ହୋଇଯାଏ, ଥଟା ପରିହାସ କରେ । କାହ୍ନୁବାବୁ ଚୌକି ଛାଡ଼ି ଉଠିଗଲେ ତାଙ୍କର କଚ୍ଛା ଧରି ଟାଣି ଦିଏ କିମ୍ୱା ତାଙ୍କ ପିଠିରେ ‘ଗଧ’ ଲେଖି ଦିଏ । କାହ୍ନୁବାବୁ ସେଥିରେ କ୍ଷୂଣ୍ଣ ନ ହୋଇ ଆମୋଦ ପାଆନ୍ତି । ତାଙ୍କପ୍ରତି କାହାରି ଆକ୍ରୋଶ ନଥାଏ । କାରଣ ସେ ନିଜର

 

ଦେଖାଇ କାହାରି ପଦୋନ୍ନତି ପଥରେ କଣ୍ଟକ ନୁହନ୍ତି । ଚାକିରିତାଙ୍କର ପ୍ରାୟ ଚାଳିଶ ବର୍ଷର ହେଲାଣି; କିନ୍ତୁ ସେ ଯେଉଁଠି ପ୍ରଥମେ ଆରମ୍ଭ କରିଥିଲେ ଆଜି ବି ସେଇଠି । ତାଙ୍କର କର୍ତ୍ତବ୍ୟ ପ୍ରତି ଅବହେଳା ଓ ଅପାରଗତା ଯୋଗୁଁ କେତେଥର ବାର୍ଷିକ ଦରମା ବୃଦ୍ଧି ବନ୍ଦ ରଖା ହୋଇଚି, କେତେଥର ସେ ସସପେଣ୍ଡ ହୋଇଛନ୍ତି, ରୋଜ କେତେ ଗାଳି ଖାଆନ୍ତି, ତଥାପି ସେ ସେଇ ଦରପୋଡ଼ା କାଠ । ନିଜର ଆର୍ଥିକ ଅବସ୍ଥା ଉନ୍ନତି କରିବାରେ କୌଣସି ଚେଷ୍ଟା ନାହିଁ । କୌଣସି ମତେ ସେ ଅଶିଟି ଟଙ୍କାରେ ଚଳାଇ ନିଅନ୍ତି । ସଂସାର ଭିତରେ ସ୍ତ୍ରୀ ଓ ଗୋଟିଏ ପୁଅ । ସ୍ତ୍ରୀଙ୍କୁ ପାଖରେ ରଖିବାର କ୍ଷମତା ତାଙ୍କର କଦାପି ହୋଇନାହିଁ । ପୁଅଟି ପାଖରେ ରହି ପାଠ ପଢ଼େ ଏ ବର୍ଷ ମାଟ୍ରିକ ପାସ୍ କରିଚି । ତାକୁ ନିଜ କାମରେ ମୁତଏନ କରି ସାରିଲେ ସେ ଚାକିରିରୁ ଅବସର ନେବେ, ଏହି ତାଙ୍କର ଆଶା ।

 

ଚାକିରିକଲାଦିନୁ ସେ ଗଳାବନ୍ଦ କୋଟ ଓ ତାହା ଉପରେ ଖଣ୍ଡେ ଅଧମଇଳା ଚାଦର ପିନ୍ଧି ଝୁଲି ଝୁଲି ଆସନ୍ତି । ଘରୁ ବାହାରି ଜୁହାର ହେଉ ହେଉ ତାଙ୍କର ଚାଲିଯାଏ ଅଧଘଣ୍ଟାଏ । ତା’ପରେ ରାସ୍ତାରେ ଯେତେ ମନ୍ଦିରସ୍ଥ ବା ତରୁତଳସ୍ଥ ଦେବଦେବୀ ଅଛନ୍ତି, ପ୍ରତ୍ୟେକଙ୍କୁ ଜୁହାର କରିବାରେ ଅନ୍ତତଃ ଦଶମିନିଟ ଲେଖାଏ ଚାଲିଯାଏ । କଚେରିରେ ପହଞ୍ଚିବା ବେଳକୁ ହୋଇଯାଏ ଦିନ ବାରଟା । ଇତି ମଧ୍ୟରେ ହାକିମଙ୍କର ଦୁଇ ତିନିଥର ଡକରା ସରି ଯାଇଥାଏ । କଚେରିରେ ପହଞ୍ଚି ଗୋଟାଏ ଦୀର୍ଘଶ୍ୱାସ ପକେଇ ଚୌକିରେ ବସିବାବେଳକୁ ସାମନାରେ ଟେବୁଲ ଉପରେ ନାଲି ପେନସିଲରେ ଲେଖା ଗୋଟିଏ କାଗଜ ଦୃଷ୍ଟି ଆକର୍ଷଣ କରେ । ସେ ଖଣ୍ଡିକ ହେଡ୍‍ କିରାଣିଙ୍କ ଆଦେଶ ପତ୍ର, କାହ୍ନୁବାବୁ ପହଞ୍ଚିବା ମାତ୍ରେ ସାହେବଙ୍କୁ ଦେଖା କରିବେ । ଏହା ନିତ୍ୟନୈମିତ୍ତିକ ବ୍ୟାପାର । କାହ୍ନୁବାବୁ ସେ ଖଣ୍ଡିକ ଦେଖି ନଦେଖିଲା ପରି ଚାଦରରେ ମୁଣ୍ଡ ଝାଳ ପୋଛି, ଚାଦର ସଞ୍ଚାଳନ କରି ଟିକିଏ ବିଞ୍ଚି ହଉ ହଉ ଢୋଳାଇ ପଡ଼ନ୍ତି । ହାକିମଙ୍କ ଚପରାସି ବା ହେଡ୍‍କ୍ଲର୍କ ନିଜେ ଆସି ତାଙ୍କୁ ଉଠାଇ ଦେଇ କହନ୍ତି, ଯାଆନ୍ତୁ ସାହେବ ସଲାମ ଦେଇଛନ୍ତି ।

 

କାହ୍ନୁବାବୁ ଆଉ ଗୋଟିଏ ଦୀର୍ଘଶ୍ୱାସ ପକାଇ ପାଟିରୁ ପାନ ବାହାର କରି ପକାଇ ଦେଇ କୋଟଟା ଟିସକିଏ ସଜାଡ଼ି ନେଇ ଧୀରେ ଧୀରେ ଉଠିଯାଆନ୍ତି ସାହେବଙ୍କ ଦପ୍ତରକୁ । ସେଠି ପ୍ରାୟ ଅଧଘଣ୍ଟାଏ ଧରି ଗାଳିମିଶ୍ରିତ ଉପଦେଶ ବାଣୀ ନିର୍ବିକାର ଚିତ୍ତରେ ମୁଣ୍ଡପୋତି ଛିଡ଼ା ହୋଇ ଶୁଣି ଅନେକଗୁଡ଼ିଏ କାମ କରିବାର ତାଲିକା ଧରି ଫେରି ସିଧା ଚାଲିଯାଆନ୍ତି ରେକର୍ଡ ଘରକୁ । ରେକର୍ଡ ଘରଟି ଅନ୍ଧାରୁଆ । ସେ ଘରକୁ ପ୍ରାୟ କେହି ଯାଆନ୍ତିନାହିଁ । ଖୁବ୍ ଉଚ୍ଚ ଘର, ବଡ଼ ବଡ଼ ଥାକରେ ଭର୍ତ୍ତି । ସବୁ ପୁରୁଣା ନଥିପତ୍ର ରେକର୍ଡ ଏହି ଘରେ ଥାଏ । ସବା ପଛ ଥାକଟିରେ କେତେଗୁଡ଼ିଏ ରେକର୍ଡ ଘୁଞ୍ଚାଇ ଗୋଟିଏ ମଣିଷ ଶୋଇବା ଭଳି ସ୍ଥାନ କରାହୋଇଚି । ତା ଉପରେ ପଡ଼ିଚି ଖଣ୍ଡିଏ ଛିଣ୍ଡା ମଶିଣା । କେତେଗୁଡ଼ିଏ ମୋଟା ଖାତା ସ୍ତୂପାକାର କରି ତକିଆ ଭଳି ରଖା ହୋଇଚି । କାହ୍ନୁବାବୁ ସାହେବଙ୍କ ପାଖରୁ ଗାଳି ଖାଇ ଆସିବା ପରେ ସେଗୁଡ଼ିକ ହଜମ୍ କରିବା ପାଇଁ ସେଇଠି ଶୋଇପଡ଼ନ୍ତି । ତାଙ୍କର ଏ ଗୁପ୍ତ ଶୟନ ଶିବିର ତାଙ୍କର କେତେଜଣ ବିଶ୍ୱାସୀ ନାତି ଛଡ଼ା ଆଉ କେହି ଜାଣନ୍ତି ନାହିଁ । ଇତି ମଧ୍ୟରେ ଚାରିଆଡ଼େ ତାଙ୍କୁ ଖୋଜା ଚାଲିଥାଏ । ତାଙ୍କର କେଉଁ ନାତି କୁହେ, ସେ ଯାଇଛନ୍ତି ଅମୁକ ଅଫିସକୁ କଅଣ କାମରେ; କିଏ କୁହେ ଯାଇଛନ୍ତି ତମୁକ୍ ଅଫିସକୁ କଅଣ ନଥି ଆଣିବା ପାଇଁ, ହେଡ୍‍କିରାଣି ବାବୁ ଚଷମା ଉପର ବାଟେ କିଛିକ୍ଷଣ କାହ୍ନୁବାବୁଙ୍କ ଖାଲି ଚୌକିକୁ ବନ ବଡ଼ ଆଖିରେ ଅନାଇ ଟେବୁଲ ଗୋଡ଼ରେ ସୂତାରେ ବନ୍ଧା ହୋଇଥିବା ପୁଳାଏ କାଗଜରୁ ଖଣ୍ଡେ ଟାଣିଆଣି ରାଗରେ ଗୁଡ଼ାଏ କଅଣ ଲେଖି ପକାଇ ଡାକନ୍ତି ଚପରାସିକୁ ।

 

—ଆଇଜ୍ଞା :

 

—ଯାଓ, ସାହେବଙ୍କୁ ଏଖଣ୍ଡ ଦେଇ ଆସ, ଯାଆଓ ।

 

ବୁଢ଼ା ଚପରାସୀ ଧନୁର ଢୋଳାଇବାରେ ବ୍ୟାଘାତ ପଡ଼େ । ସେ କାହ୍ନୁବାବୁଙ୍କର ଭାରି ବନ୍ଧୁ । ଦୁହେଁ ଗୋଟିଏ ଚାଳଘରେ ପାଞ୍ଚଟଙ୍କା ଭଡ଼ାରେ ରହନ୍ତି । ଚାକିରି କଲାଦିନଠାରୁ ଦୁହେଁ କେବେହେଁ ସ୍ତ୍ରୀ ପୁତ୍ର ସହ କଟକରେ ରହି ନାହାନ୍ତି କିମ୍ୱା ଛୁଟି ନେଇ କେବେହେଁ ଘରକୁ ଯାଇନାହାନ୍ତି । ବର୍ଷକ ଥରେ ମାତ୍ର ପୂଜା ଛୁଟିରେ ଯଦି ଯିବାକୁ ଅନୁମତି ମିଳେ, ତେବେ ଯାଆନ୍ତି । ଗାଁ ତାଙ୍କର କଟକଠାରୁ ବହୁ ଦୂରରେ, ଯିବା ଆସିବା ପାଇଁ ଅନ୍ତତଃ ପନ୍ଦରଟି ଟଙ୍କା ଆବଶ୍ୟକ ହୋଇପଡ଼େ । ଏତେ ଟଙ୍କା କେବେହେଁ ଏକା ସାଙ୍ଗରେ ଜୁଟେ ନାହିଁ, ଜୁଟିଲେ ମଧ୍ୟ ଛୁଟି ମିଳିବା ତାଠାରୁ ଅଧିକ ଦୁଃସାଧ୍ୟ ହୋଇପଡ଼େ । ଅଗତ୍ୟା ମୁହଁମାଡ଼ି ସେମାନେ କଟକରେ ପଡ଼ିଥାଆନ୍ତି ସେଇ ଗୋଟିଏ ଅଣଓସାରିଆ ସନ୍ତସନ୍ତିଆ କୁଡ଼ିଆଟିରେ ।

ଏଇ ହେଲା କାହ୍ନୁବାବୁଙ୍କର ନିତ୍ୟନୈମିତ୍ତିକ ଜୀବନ । ଏହାର ବ୍ୟତିକ୍ରମ କଦାପି ହୋଇନାହିଁ । ଥରେ ଅତ୍ୟନ୍ତ ବିରକ୍ତ ହୋଇ ହାକିମ ତାଙ୍କୁ ବୁଝାଇବାକୁ ଆଣିବାକୁ ଚେଷ୍ଟାକରି କହିଥିଲେ, ଦେଖନ୍ତୁ କାହ୍ନୁବାବୁ, ସମୟ ଥିଲା, ଯେତେବେଳେ ଇଂରେଜ ଶାସନ ଚାଲିଥିଲା, ସେତେବେଳେ ହୁଏତ ଆପଣଙ୍କ କର୍ତ୍ତବ୍ୟ ପ୍ରତି ଅବହେଳା କ୍ଷମଣୀୟ ଥିଲା; କିନ୍ତୁ ଦେଶ ବର୍ତ୍ତମାନ ସ୍ୱାଧୀନ ହୋଇଚି । ଆମେ ଯଦି ଏତେବେଳେ କାମରେ ଫାଙ୍କି ଦେଉଁ, ତେବେ ଆମେଇ ମରିବା, ଏଟା କଅଣ ବୁଝିପାରୁ ନାହାନ୍ତି ! କାହ୍ନୁବାବୁ ନୀରବରେ ଛିଡ଼ାହୋଇ ରହିଲେ । ତାଙ୍କର ଏହାହିଁ ସ୍ୱଭାବ, ଯେତେ ଗାଳି ଦିଅ ବା ଯେତେ ଉପଦେଶ ଦିଅ ବା ଯେତେ ପ୍ରଶ୍ନ ପଚାର ସବୁଥିରେ ସେ ନୀରବ । ହାକିମ ତାଙ୍କର ନୀରବତାରେ ଆହୁରି ରାଗିଯାଇ ଟେବୁଲ ଉପରେ କଲମ କଚାଡ଼ି କହିଲେ, ଏ କଅଣ ଢଙ୍ଗ ଆପଣଙ୍କର ? ପଚାରିଲେ ଉତ୍ତର ଦିଅନ୍ତି ନାହିଁ କାହିଁକି ? ହାକିମଙ୍କ ଆଡ଼କୁ ଟିକିଏ କଣେଇ ଚାହିଁ କାହ୍ନୁବାବୁ କହିଲେ, ଆଜ୍ଞା, ବୁଝୁନାହିଁ କି, ସବୁ ବୁଝୁଚି । କିନ୍ତୁ କାମକୁତ ମୋଟେ ଇଚ୍ଛା ହେଉନାହିଁ, କଣ କରିବି ।

—କାହିଁକି ?

—ମୁଁ କାମକଲେ ଦେଶର ଉନ୍ନତି ହେବ, ଦେଶର ଉନ୍ନତି ହେଲେ ଆମର ଉନ୍ନତି ହେବ ଏ କଥା ମୁଁ ବୁଝୁଚି; କିନ୍ତୁ ସାର୍, ମୋର ଜୀବନଟା ଗଲା, ଟିକିଏ ସାମାନ୍ୟ ସୁଖ କରି ପାରିଲିନାହିଁ । ଦିନକପାଇଁ ପିଲାପିଲି ପାଖରେ ରଖି ଆନନ୍ଦ ପାଇ ପାରିଲିନାହିଁ......

ହାକିମ ନୀରବ ରହିଲେ । କିଛିକ୍ଷଣ ପରେ କହିଲେ, ହଉ ଯାଆନ୍ତୁ । ପେନ୍‍ସନ୍ କେବେ ନେବେ ?

—ଆଉ ଅଳ୍ପଦିନ ଅଛି ସାର୍ । ପୁଅ ଏଇ କଚେରିରେ ରହିବା ପାଇଁ ଖଣ୍ଡେ ଦରଖାସ୍ତ କରିଚି । ଦୟାକରି ଯଦି ଆପଣ ତାକୁ କାମରେ ଲଗାଇ ଦିଅନ୍ତେ ତେବେ ପେନ୍‍ସନ୍ ନେଇ ମୁଁ ଚାଲିଯାଆନ୍ତି

—ହଉ ଯାଆନ୍ତୁ ।

ହାକିମଙ୍କ ପିତା କିରାଣି ଥିଲେ । ସେ କି କଷ୍ଟରେ ତାଙ୍କୁ ଓ ତାଙ୍କର ଭାଇମାନଙ୍କୁ ପାଠ ପଢ଼ାଇ ମଣିଷ କରିଛନ୍ତି, ସେ ଜାଣନ୍ତି ।

କାହ୍ନୁବାବୁଙ୍କ ପୁଅ ଅଜୟ ଚାକିରି ପାଇ ରହିଲେ; କିନ୍ତୁ କାହ୍ନୁବାବୁ ଆଉ କିଛି ଦିନ ଚାକିରିରେ ରହିବା ପାଇଁ ପୁଣି ଦରଖାସ୍ତ କଲେ । ହେଡ୍‍ କିରାଣି ସେ ଦରଖାସ୍ତ ଉପରେ କାହ୍ନୁବାବୁଙ୍କ ବିପକ୍ଷରେ ଗୁଡ଼ାଏ ଲେଖି ମତଦେଲେ ଯେ କାହ୍ନୁବାବୁଙ୍କ ଭଳି ଅକର୍ମଣ୍ୟକୁ ଚାକିରିରେ ଆଉ ରଖିବା ଅନ୍ୟାୟ ହେବ ।

ହାକିମ ଦରଖାସ୍ତ ପଢ଼ି ଆଶ୍ଚର୍ଯ୍ୟ ହୋଇ କାହ୍ନୁବାବୁଙ୍କୁ ଡକାଇଲେ । ବୁଢ଼ା ଚପରାସି ଧନୁ ଡକାଇବାର କାରଣ ବୁଝିପାରି କାହ୍ନୁବାବୁଙ୍କୁ ତାଙ୍କର ଶିବିରରୁ ଉଠାଇ ସାହେବଙ୍କ ପାଖକୁ ପଠାଇଲେ । କାହ୍ନୁବାବୁ ତରବର ହୋଇ ମୁହଁ ଧୋଇ ସାହେବଙ୍କ ପାଖରେ ହାଜର ହୋଇ ଛିଡ଼ାହେଲେ ।

 

—କି କାହ୍ନୁବାବୁ ଇୟେ କଣ ? ଏ ଦରଖାସ୍ତ କଅଣ !

 

କାହ୍ନୁବାବୁ ନୀରବ ।

 

—ଆପଣ ପରା କହୁଥିଲେ ଯେ ପୁଅ ଚାକିରି କଲେ ଅବସର ନେବେ । ଫେର

ଏ କଅଣ !

 

—ଆଜ୍ଞା, ତା ତ ଭାବିଥିଲି; କିନ୍ତୁ ମନ ବଳିଲା ନାହିଁ !

 

—ନା, ନା, ଆପଣଙ୍କ ବୟସ ଅନେକ ହେଲାଣି । ଚାକିରି ବି ଚାଳିଶ ବର୍ଷରୁ ବେଶି ହେଲାଣି । ଏଥର ଘରେ ବସି ଧର୍ମ କର୍ମରେ ମନ ଦିଅନ୍ତୁ । ପୁଅ ତ ଚାକିରି ପାଇଲା । ଏଥର ପୁଅକୁ ବାହାଦେଇ ଆନନ୍ଦରେ ବୋହୂ ନେଇ ଘରେ ରହନ୍ତୁ । ଆଉ ଲୋଭ କାହିଁକି ?—ଆଜ୍ଞା, ଏ ଲୋଭ ନୁହେଁ, ଅବସର ନେଲେ ଅଳ୍ପ କେତୁଟା ଦିନରେ ମରିଯିବି, ଘରେ ତ ଜମି ବାଡ଼ି ନାହିଁ ଯେ ଚାଷବାସ କରି କାଳ କଟିଯିବ, କଅଣ କରିବି ?

 

—କାହିଁକି, ଏତେ ଦିନ ଏକା ଏକା କାଳ କଟାଇଲେ, ଏଥର...

 

—ଆଜ୍ଞା, ଯେଉଁ ବୟସରେ ତା ହବାର କଥା ତ ହେଲାନାହିଁ । ଆଉ ଏ ବୟସରେ...ସାର୍, ସତ କହୁଚି, ବିବାହ କରିଚି ସତ...କିନ୍ତୁ କିନ୍ତୁ...

 

—କଅଣ କିନ୍ତୁ ।

 

—ସାର୍ ଏତେଦିନ ଅଲଗା ଏକା ଏକା ରହି ରହି ଏ ଜୀବନଟା ଅଭ୍ୟାସରେ ପଡ଼ି ଗଲାଣି । ସ୍ତ୍ରୀ ତ ଅପରିଚିତା ଜଣେ ନାରୀ...ତା ସହିତ ବା ମୋର ସମ୍ପର୍କ କଅଣ ଅଛି, ଆଜି ପର୍ଯ୍ୟନ୍ତ କେବଳ ମାସକୁ ଥରେ ମନିଅର୍ଡର ରସିଦରେ ତାର ଟିପଚିହ୍ନ ଦେଖିବା ଛଡ଼ା ତା ବି ଦୁଇଥର ଜାଲ ହୋଇଚି । ଥରେ କେବଳ ଏଇ ପୁଅର ଅନ୍ନପ୍ରାସନ୍ନକୁ ଦିନେ ଯାଇଥିଲି, ଆଉ ଚାରିପାଞ୍ଚଥର ପୂଜା ଛୁଟିରେ ତିନିଚାରିଦିନ ପାଇଁ ଗାଁକୁ ଯାଇଥିଲି । ଏତିକି ତ ସମ୍ପର୍କ । ସରକାର ଆଉ ବେଶି ସମ୍ପର୍କ ରଖିବାକୁ ଦେଇନାହାନ୍ତି ।

 

ହାକିମ ବୁଝିପାରିଲେ ପ୍ରସଙ୍ଗଟା କ୍ରମେ କାହ୍ନୁବାବୁଙ୍କ ମନ ଗହନକୁ ପ୍ରବେଶ କରୁଚି । ସେଇଠି ସେ ପ୍ରସଙ୍ଗ ବନ୍ଦ କରି, ଆଉ ବର୍ଷେ ଚାକିରି ସମୟ ବଢ଼ାଇ ଚିଠି ଲେଖିଦେଲେ ଉପର ମହଲକୁ ।

 

X X X

 

ଏହାର ଅଳ୍ପଦିନ ପରେ କାହ୍ନୁବାବୁ ପୁଣି ଦୁଇ ଖଣ୍ଡ ଦରଖାସ୍ତ ନେଇ ଛିଡ଼ାହେଲେ ହାକିମଙ୍କ ପାଖେ । ଭୟରେ ନୀରବରେ ଦରଖାସ୍ତ ଦିଓଟି ସାହେବଙ୍କୁ ବଢ଼ାଇ ଦେଇ ଛିଡ଼ାହୋଇ ରହିଲେ । ହାକିମ ଦରଖାସ୍ତ ଦିଓଟି ପଢ଼ି କହିଲେ, ବେଶ୍, ବେଶ୍, ଅଜୟର ବାହାଘର କରୁଚ ନା, କେଉଁଠି ହେଉଚି ?

 

—ଆଜ୍ଞା, ଆମ ଚପରାସି ଧନୁର ଝୁଅ ସହିତ ।

 

—ଭଲ, ଭଲ; କିନ୍ତୁ ତିନି ଦିନରୁ ବେଶି ଛୁଟି ଦେଇପାରିବି ନାହିଁ । ବଢ଼ି ସମୟ । ଚାରିଆଡ଼େ ହାହାକାର, ଭୀଷଣ କାମ ପଡ଼ିଚି । କେବଳ ତୁମପାଇଁ ମୁଁ ତିନିଦିନ ଦେଇପାରେ ।

 

—ହଉ ସାର୍, ଯାହା ଆପଣଙ୍କର ଦୟା ।

 

ଅଜୟର ବିବାହ ହୋଇଗଲା । ବୋହୂକୁ ଶାଶୁ ପାଖରେ ରଖି ଅଜୟ, ଧନୁ ଓ କାହ୍ନୁବାବୁ ତିନିଦିନ ପରେ ଚତୁର୍ଥଦିନ ଚାକିରିରେ ଯୋଗ ଦେଲେ ।

 

ଏହାର ପ୍ରାୟ ବର୍ଷକ ପରେ ଦିନେ କାହ୍ନୁବାବୁ ଚିଠି ପାଇଲେ ତାଙ୍କର ଗୋଟିଏ ନାତି ହୋଇଚି । ସେଦିନ କାହ୍ନୁବାବୁଙ୍କର ଆନନ୍ଦ ଦେଖେ କିଏ । ଆନନ୍ଦରେ ସେ ସେଦିନ ସମ୍ୱାଦଟି ଚାରିଆଡ଼େ କହି ବୁଲିଲେ । ହାକିମଙ୍କୁ ମଧ୍ୟ କହି ଆସିଲେ । ହାକିମ ସମ୍ୱାଦଟି ଶୁଣି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ । କାହ୍ନୁବାବୁ ଦୀର୍ଘ ନିଃଶ୍ୱାସ ପକାଇ କହିଲେ, ସାର୍ ଅଜୟକୁ ଓ ମୋତେ ଆଉ ଗୋଟିଏ ଦିନ ଛୁଟି ଦବାକୁ ହେବ ସାର୍, ଥରେ ବଂଶଧରକୁ ଦେଖି ଆସିବା ପାଇଁ ।

 

—ହଉ ଯାଆନ୍ତୁ ।

 

ଅଜୟ ଏ ପର୍ଯ୍ୟନ୍ତ ଏ ସମ୍ୱାଦ ପାଇନାହିଁ । କାହ୍ନୁବାବୁ ହାକିମଙ୍କ ପାଖରୁ ଛୁଟିର ଅନୁମତି ଆଣି ଅଜୟ ପାଖକୁ ଗଲେ । ଅଜୟ ସେତେବେଳେ ତାର ଚୌକିରେ ନଥିଲା । ଧନୁକୁ ପଚାରିବାରୁ ଧନୁ କହିଲା, ହେଁ, ହେଁ, ଜୋଇଁ ଠିକ୍ ତୁମରି ପରି, ସେ ପରା ତୁମ ଜାଗାରେ ଶୋଇଚି-। ତୁମେ ସେ ଜାଗାକୁ ଯିବା ପୂର୍ବରୁ ସେ ଟିକିଏ ସେଠି କର ଲେଉଟାଇ ଦିଏ ।

 

ଦୁହେଁଯାକ ହୋ ହୋ ହସି ଗଲେ ଶୟନ ଶିବିରକୁ । ଅଜୟକୁ ଠେଲି ଉଠାଇ କାହ୍ନୁବାବୁ କହିଲେ, ଚାଲ ବସାକୁ ଯିବା ।

 

ଅଜୟ ଆଶ୍ଚର୍ଯ୍ୟ ହୋଇ ପଚାରିଲା, କାହିଁକି ? ଏତେବେଳେ ?

 

—ଚାଲ, ବସାରେ କହିବି । ଏ ଆନନ୍ଦପୂର୍ଣ୍ଣ ସମ୍ୱାଦଟି ଧୀରେ ସୁସ୍ଥେ କହିବା ତାଙ୍କର ଉଦ୍ଦେଶ୍ୟ ।

 

ବସାକୁ ଯିବା ବାଟରେ କାହ୍ନୁବାବୁ ବଜାର ସୌଦା କଲେ । ଚାରିଟା ବେଳକୁ ବସାରେ ପହଞ୍ଚି କାହ୍ନୁବାବୁ ପୁଅକୁ କହିଲେ, ନେ, ଚୂଡ଼ା ଚିନି କିଣି ଆଣିଚି, ଶୀଘ୍ର ଖାଇଦେଇ ଜିନିଷପତ୍ର ସବୁ ବନ୍ଧାବନ୍ଧି କରି ରଖିଥା ମୁଁ ବଜାରକୁ ଯାଉଚି, ତୋ ବୋଉପାଇଁ ଗୁଡ଼ାଖୁ କିଣି ଆଣିବାକୁ ଭୁଲିଯାଇଛି-

 

—କିନ୍ତୁ ଏ ଛୁଟି ! ଏତେ ଜିନିଷ ପତର ! କଥା କଅଣ ?

 

—ନେ, ଏ ଚିଠି ପଢ଼ । ସବୁ ସଜାଡ଼ି ରଖିଥା । ମୁଁ ଏଇନେ ଆସୁଚି । ବଜାରକୁ ଯାଇ କାହ୍ନୁବାବୁ ଗୁଡ଼ାଖୁ, ନାତି ପାଇଁ ରଙ୍ଗୀନ ଜାମା, କଣ୍ଢେଇ କିଣି ଫେରି ଦେଖିଲେ ଅଜୟ ଚିଠିଟି ଧରି ସେମିତି ବସିଚି ଖଟ ଉପରେ । ଆଖିରୁ ତାର ଦୁଇଧାର ଲୁହ ଗଡ଼ିଯାଉଚି, ତାର ହୋସ ନାହିଁ ।

 

କାହ୍ନୁବାବୁ ତାକୁ ଠେଲି ଦେଇ କହିଲେ, କିରେ ଇଏ କଅଣ, ଗାଡ଼ି ଆସିବାକୁ ଆଉ ମୋଟେ ଅଧ ଘଣ୍ଟାଏ ଅଛି, ତୁ ବସିଛୁ । ଜିନିଷପତର ସେମିତି ପଡ଼ିଚି ! କିରେ କାନ୍ଦୁଚି କିଆଁ ?

 

—ବାପା, ଏ ନାତି ହେବାରେ ତୁମେ ମନରେ ଆନନ୍ଦ ପାଉଚ କେମିତି ?

 

—କାହିଁକି, କଅଣ ହେଲା ?

 

—ବାପା, ମୁଁ ତେବେ ଖୋଲି କହୁଚି । ବାହାହେବା ପରେ ଥରେ ମାତ୍ର ମୁଁ ଗୋଟିଏ ରବିବାରରେ ସେ ଗାଁକୁ ଯାଇଥିଲି; କିନ୍ତୁ ସେତେବେଳେ ସେ ମାରୁ ହୋଇଥିଲା । ଏ ପୁଅ ତେବେ ହେଲା କେମିତି ?

 

—ଓହୋ, ଏଇ କଥା । ରାମ, ରାମ । ଆମର ଏତେ ଧଇଲେ ଚଳେ କିରେ, ତୁ କେମିତି ହୋଇଥିଲୁ ? ମୁଁ ମୋ ଜୀବନରେ ପରା ମୋଟେ ତିନି ଚାରିଥର ଗାଁକୁ ଯାଇଚି, ପ୍ରତିଥର ବି ସେମିତି କିଛି ଗୋଟାଏ ଅସୁବିଧା ଥାଏ । ଆମେ ଚାକିରିଆ ଲୋକ, ଆମର ଏତେ ଧଇଲେ ଚଳେ । ପୂର୍ବକାଳେ କଥାରେ ହେଉଥିଲା ? ନିଜ ସ୍ତ୍ରୀର କେଉଁଆଡ଼ୁ ସନ୍ତାନ ହେଲା ସେଥିରେ କୌଣସି ମୁନି ମୁଣ୍ଡ ଖେଳାଉ ନଥିଲେ । ଆନନ୍ଦରେ ତାକୁ ପାଳୁଥିଲେ ।

 

—ବାପା, ତେବେ ମୁଁ ବି ଏମିତି ଜନ୍ମ ହୋଇଥିଲି ?

 

—ଆରେ ହଁ, ହଁ । ଚାଲ୍ ଉଠ୍, ବେଳ ହୋଇଗଲାଣି । କିଏ କାହାର ପୁଅରେ ! କେହି କା ପୁଅ ନୁହେଁ । ପିତା ଭାବଟାହିଁ ଅସଲ । ସେଦିନ ଦେଖିଲି କଦମ୍ବାବୁ ଗୋଟାଏ ରୋଗୀଣା ପୁଅକୁ କାନ୍ଧରେ ପକାଇ ଧାଇଁଛି ଡାକ୍ତରଖାନା । ଆଶ୍ଚର୍ଯ୍ୟ ହୋଇ ପଚାରିଲି, କିହୋ, ବାହାହୋଇ ପୁଅ ହୋଇ ସାରିଲାଣି, ଆମକୁ କହିନା । କହିଲା, ନା ମ ମୋ ପୁଅ ନୁହେଁ ମାନେ ମୋ ପୁଅ ଯେ, ଯାଙ୍କୁ ବାହା ହୋଇଚି ତା’ର ପୁଅ । ଆଶ୍ଚର୍ଯ୍ୟ ହୋଇ ପଚାରିଲି, ମାନେ ! ସେ ସେମିତି ହସି କହିଲା, ମାନେ ତା’ର ଅବିବାହିତା ଅବସ୍ଥାର ପୁଅ ଏ । ମୋହ ମୁଦ୍‍ଗର ପଢ଼ିନୁ, କା ତବ କାନ୍ତା କସ୍ତେ ପୁତ୍ରଃ, ସଂସାରୋୟମ୍ ଅତୀବ ବିଚିତ୍ର... । ଉଠ୍ ଉଠ୍ ।

 

—ହଁ ବାପା, ସଂସାର ଆଉ ମଣିଷ ଅତି ବିଚିତ୍ର । ଚାଲ ଯିବା । ପୁଅ ପାଇଁ କଅଣ କିଣିଲ ଦେଖେ ।

★★★

 

Unknown

ଗୋଟିଏ ଇନ୍‍କୁଆରୀ

 

ଗୋଟିଏ ଇନ୍‍କୁଆରୀ କରିବାକୁ ବାହାରିଛୁ ହରିପୁରକୁ । ହରିପୁର ହେଉଛି ଗୋଟିଏ ପର୍ବତ କ୍ରୋଡ଼ରେ । ଗାଁର ପୂର୍ବସୀମାକୁ ଲାଗି ରହିଛି ପର୍ବତମାଳା, ନରଣପୁର, ହବିଷ, ମହମ୍ମଦପୁର, ଜଳଦା, ମଙ୍ଗଳପୁର ଇତ୍ୟାଦି । ଗାଁମାନଙ୍କ ସୀମାଦେଇ ପର୍ବତର ପ୍ରାଚୀର ଲମ୍ୱିଯାଇ ମିଶିଛି ଗୋରୁଖିଆ ପର୍ବତ ସହିତ । ଉଚ୍ଚ ପର୍ବତ ନୁହେଁ । ହେଲେ ଘୋର ଜଙ୍ଗଲ ।

 

ହରିପୁର ଗାଁ ସୀମାରେ ଦୁଇଟି ପର୍ବତ ପାଖାପାଖି ହୋଇ ଛିଡ଼ା ହୋଇଛନ୍ତି, କେତେ ଯୁଗର ଲୋକେ ତା ଉପରକୁ ଚଢ଼ିଛନ୍ତି କାଠ କାଟିବାକୁ, ସେମାନଙ୍କର ପାଦଚିହ୍ନ ନାହିଁ; କିନ୍ତୁ ଅନେକଙ୍କର ଇତିହାସ ରହିଯାଇଛି ସେଇ ପର୍ବତ ଦୁଇଟିର ଦେହରେ । ଅଷଣାର ଗୋସି ବାପା ଯାଇଥିଲା କାଠ କାଟିବାକୁ, କାଠ ଖୋଜୁ ଖୋଜୁ ସେ ଦିଅଁଙ୍କ ଅଧିଷ୍ଠାନ ଆଡ଼ିକୁ ଚାଲି ଯାଇଥିଲା । ଦିଅଁ ତାକୁ ବାଘ ରୂପରେ ଦେଖା ଦେଇଥିଲେ । ବାସ୍ ସେଇଠି ଶେଷ, ଗୋଟିଏ ଝାଡ଼ା ପରେ । ପ୍ରାୟ ଚାରି ପୁରୁଷ ଆଗେ ସପନି ବି ଯାଇଥିଲା ସେ ଜାଗାକୁ । ସେ ଥିଲା ଅମାନିଆ, ନାସ୍ତିକ ଠାକୁର ଠାକୁରାଣୀ ମାନୁ ନଥିଲା । ଯେମିତି ଯାଇଛି ସେ ଜାଗାକୁ ଠାକୁରାଣୀ ତାକୁ ଲଟାରେ ବାନ୍ଧି ଦେଲେ, ଲଟାରେ ଗୁଡ଼େଇ ତୁଡ଼େଇ ହୋଇ ସେ ମଲା । ତା ବଂଶରେ ମଧ୍ୟ କେହି ଦୀପ ଦେବାକୁ ରହିଲେ ନାହିଁ । ଏ ପର୍ଯ୍ୟନ୍ତ ତା ଡିହଟି ରହିଛି, ସପନିଡ଼ିହ, ଗାଁ ମୁଣ୍ଡରେ । ଖାଲି ଗୋଟାଏ ଅଧାକାନ୍ଥି ରହିଛି, ଆଉ ରହିଛି କେତେଗୁଡ଼ିଏ ଖପରା ସେ ଡିହ କେହି ମାଡ଼ନ୍ତି ନାହିଁ ।

 

ରାତି ଅଧରେ ଅନେକେ ପର୍ବତ ଆଡ଼ୁ ଗୋଟାଏ କୁହାଟ ଶୁଣିଛନ୍ତି, ହେ-ଏ-ଏ-ଏ-ଏ ହେଃ, ହେଃ, ହେଃ, ହାଃ, ହାଃ, ହାଃ । ଗାଁରେ କେହି ଅନ୍ୟାୟ ଅବିଚାର କଲେ ଏପରି କୁହାଟ ଶୁଭେ-। କୁହାଟ ଶୁଣିଲେ ଗାଁର ଲୋକେ ବୁଝିପାରନ୍ତି କେହି ଅନ୍ୟାୟ କରିଛନ୍ତି । ବାଜା ବାଜେ, ଠାକୁରାଣୀଙ୍କ ପୂଜା ହୁଏ, ଭୋଗ ଲାଗେ, ବଳି ପଡ଼େ, କାଳିସି ଲାଗେ । ତା’ ପରେ ବସେ ସଭା, ଯିଏ ଅନ୍ୟାୟ କରିଥାଏ, ସେ ନିଜେ ନିଜେ ଦୋଷ ସ୍ୱୀକାର କରେ । ଯାହା ଉଚିତ ଦଣ୍ଡ ବୋଲି ସଭା ସ୍ଥିରକରେ ସେ ଦଣ୍ଡ ସେ ପାଏ ।

 

ସେ ଯୁଗ ଗଲାଣି । ସେତେବେଳେ ଗାଁରେ ଗୋଟିଏ ପାଠଶାଳା ବି ନଥିଲା । ଗାଁ ଅବଧାନେ ପିଲାମାନଙ୍କୁ ବେତମାରି ପୋଥି ପଢ଼ିବା ଶିଖାଇ ପାରିଲେ ହେଲା । ‘‘ନମଇ ନୃସିଂହ ଚରଣ, ଅନାଦି ପରମ କାରଣ’’ ବୋଲିବା ପର୍ଯ୍ୟନ୍ତ ଶିକ୍ଷା ହୋଇଗଲେ ଢେର ହେଲା । ତା’ ପରେ କାନ୍ଧରେ ଜୁଆଳି ପକାଇ ବଳଦ ଲାଙ୍ଗୁଡ଼ ମୋଡ଼ି ‘‘ହେଟ୍ ହେଟ୍ ଶଳା ଖଲାଉଛି’’ କହି କହିକା ମୁଢ଼ି କି ଚୂଡ଼ା ଚୋବାଇ ଚୋବାଇ ପୁଅ ଚାଲିଲେ ବିଲକୁ ।

 

ସେ ଯୁଗ ବି ଗଲାଣି । ବର୍ତ୍ତମାନ ଗାଁରେ ଗୋଟିଏ ମାଇନର ସ୍କୁଲ । ସେ ପୁଣି ଉଚ୍ଚ ସ୍କୁଲ ହେବାକୁ ଯାଉଛି । ଗାଁର ଗୋଟିଏ ପାଣପୁଅ ବି. ଏ. ପାସ୍ କରି ବଡ଼ ଚାକିରି କଲାଣି । ଗାଁରେ ଆଉ ସେ ନୁଆଣିଆ ଚାଳଘର ନାହିଁ । ଦି ଚାରିଟା ପକାଘର ବି ହେଲାଣି । ପଞ୍ଚବାର୍ଷିକ ଯୋଜନାଦ୍ୱାରା ଗାଁର ଅନେକ ଉନ୍ନତି ହେଲାଣି ।

 

ଗୋଟିଏ ପ୍ରଧାନ ଯୋଜନା ହେଉଛି, ଦୁଇଟି ପର୍ବତ ମଝିରେ ବନ୍ଧ ପକାଇ ଜଳଭଣ୍ଡାର ତିଆରି କରିବା । ଗୁଡ଼ାଏ ଟଙ୍କାର ଯୋଜନା । ଜଳଭଣ୍ଡାରଟି ସୃଷ୍ଟି ହେଲେ ଗୁଡ଼ାଏ ଜମି ଆବାଦ ହୋଇପାରିବ ।

 

କାମ ଆରମ୍ଭ ହେଲାଣି ଆଜିକୁ ତିନିବର୍ଷ ହେବ; କିନ୍ତୁ ସେ ଆରମ୍ଭରେ ହିଁ ରହି ଯାଇଛି । ଆଗେଇ ପାରୁନି । ଯୋଜନାକାର୍ଯ୍ୟ ଆରମ୍ଭ ହେବା ଦିନରୁ ଗାଁରେ ତିନିଦଳ ସୃଷ୍ଟି ହୋଇଛି । ପ୍ରତ୍ୟେକ ଦଳ ଚାହୁଁଛି କାମଟି ସିଏ ହାତକୁ ନେବ । ଟଙ୍କା ଖର୍ଚ୍ଚ ହେବ ଅନେକ ଗୁଡ଼ାଏ । ପ୍ରତ୍ୟେକ ଦଳ ଅନ୍ୟ ଦଳର ଗୁଇ ଖୋଳି, ଦୋଷ ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଏସ୍. ଡି. ଓ. ପର୍ଯ୍ୟନ୍ତ କେତେ ଯେ ବେନାମୀ ସ୍ୱନାମୀ ଦରଖାସ୍ତ କଲେଣି ତାହାର ଇୟତ୍ତା ନାହିଁ । କେହି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଦରଖାସ୍ତ, ତାରବାର୍ତ୍ତା ପଠାଇଛନ୍ତି । ପ୍ରତ୍ୟେକଙ୍କ ଦପ୍ତରରେ ବିଡ଼ା ବିଡ଼ା ଦରଖାସ୍ତ ବନ୍ଧା ହୋଇ ରହିଲାଣି । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି କମିଶନର, କଲେକ୍ଟର ଏସ୍. ଡି. ଓ. ଜିଲ୍ଲା ଇଞ୍ଜିନିୟର୍ କେତେ ଆସି ଇନ୍‍କୁଆରୀ କରି ଗଲେଣି । କିଛି ଫଳ ଫଳି ନାହିଁ । କାମ ଯେଉଁଠି ସେଇଠି । କଥାଟା ସେତିକିରେ ରହିନାହିଁ, ମୁଣ୍ଡ ଫଟାଫଟି ପର୍ଯ୍ୟନ୍ତ ଯାଇଛି । ପର୍ବତ ଦେହରୁ ରକ୍ତନଦୀ ବୋହି ଯାଇ ସେ ଜଳଭଣ୍ଡାରରେ ପଡ଼ିଛି ।

 

ଗୋଟିଏ ଦଳର ନେତା ନାନା ଉପାୟ କରି ପୁଣି ଇନ୍‍କୁଆରୀ ଆରମ୍ଭ କରାଇଛନ୍ତି । ମୁଁ ବାହାରିଚି ଇନ୍‍କୁଆରୀ କରି । ସାଙ୍ଗରେ ଓଭର୍ସିୟର୍, ବି. ଡି. ଓ. ଚପରାସି ଆଦି ନେଇ । ଏ ଥରର ଅଭିଯୋଗ ହେଉଚି, ବନ୍ଧରେ ମୋଟେ ମାଟି ପଡ଼ିନାହିଁ । ଯେଉଁ ଗାଡ଼ି ସବୁ କେତେ ଆଗରୁ ମାପ ହୋଇ ସରିଚି ଓ ତା’ର ଟଙ୍କା ପାଇଯାଇଛନ୍ତି, ପୁଣି ସେହି ଗାଡ଼ଗୁଡ଼ିକୁ ଟିକିଏ ଟିକିଏ ଛେଲି ଦେଇ ନୂଆ କରି ମାପ କରାଇ ପ୍ରାୟ ଚାରି ହଜାର ଟଙ୍କା ଆତ୍ମସାତ୍ କରିଛନ୍ତି ଅନ୍ୟ ଦଳର ଲୋକେ । ସେ ଟଙ୍କାରେ ଅମୁକର ଝୁଅର ବାହାଘର ହୋଇଛି, ଢମୁକର ପିଣ୍ଡା ପକା ହୋଇଛି ଇତ୍ୟାଦି ।

 

ସଜବାଜ ହୋଇ ବାହାରୁ ବାହାରୁ ବାଜିଲା ପ୍ରାୟ ତିନିଟା । ସତର ମାଇଲ ରାସ୍ତା ଯିବାକୁ ହେବ ମଟରରେ । ତା’ପରେ ବିଲମଝି ଦେଇ ଚାଲିବାକୁ ହେବ ଚାରି ମାଇଲ୍ । ମଟରରୁ ଓହ୍ଲାଇ ଆମେ ବାହାରିଲାବେଳକୁ ସୂର୍ଯ୍ୟ ଗୋରୁଖିଆ ପର୍ବତଚୂଡ଼ା ଉପରକୁ ଗଡ଼ିବାକୁ ଆରମ୍ଭ କଲେଣି ।

 

ଯେଉଁଠି ଆମ ମଟର ରହିବା କଥା, ସେଠି ଅପେକ୍ଷା କରି ରହିଥିଲେ ଛନ୍ଦ ମହାନ୍ତି, ଯିଏ କି ଏ ଇନ୍‍କୁଆରୀ କରାଇଛନ୍ତି । ତା’ଙ୍କ ସହିତ ଥିଲେ ପ୍ରାୟ ପଚାଶ ସରିକି ଲୋକ । ଆମେ ପହଞ୍ଚିବା ମାତ୍ରକେ ଆଭୂମି ନମସ୍କାର କରି ହାତ ଯୋଡ଼ି ସମସ୍ତେ ଛିଡ଼ାହେଲେ ।

 

ବାହାରିଲୁ । ଛନ୍ଦ ମହାନ୍ତି ଓ ତାଙ୍କର ଲୋକେ ଆଗେ ଆଗେ ଚାଲିଲେ ବାଟ ଦେଖାଇ-। ବିଲ ହିଡ଼େ ହିଡ଼େ ଆମେ ଚାଲିଚୁ । ଦୁଇ କଡ଼ରେ ଧାନ ବିଲ । ଧାନ ଗଛ ସବୁ ଅଣ୍ଟାଏ ଉଚ୍ଚର ହେଲେଣି । ଫୁଲ ଧରିଚି । ଚାରିଆଡ଼େ ଖାଲି ସବୁଜ । ସେ ସବୁଜିମା ମିଶିଯାଇଛି ଦୂର ଚକ୍ରବାଳର ନୀଳିମାରେ । ମଝିରେ ମଝିରେ ଗୋଟାଏ ଗୋଟାଏ ଝାମ୍ପି ଦିଶୁଛି । ସେ ଝାମ୍ପି ମଝିରେ ମଝିରେ ଅଳ୍ପ ସମୟ ପାଇଁ ଉଠି ପୁଣି ଯାଉଛି । ତା’ ତଳେ ଯେଉଁ ଜୀବମାନେ ଅଛନ୍ତି, ସେମାନେ ନିର୍ବିକାର ଭାବରେ କଅଣ କରି ଚାଲିଛନ୍ତି । ଆମ ପ୍ରତି ଭ୍ରୁକ୍ଷେପ ନାହିଁ । ବିଲରୁ ଗୋଟାଏ ଅଭୂତ ସୁଗନ୍ଧ ଆସୁଛି । ସେ ସୁଗନ୍ଧର ତୁଳନା ଦେବା ଅସମ୍ଭବ ।

 

ପଚାରିଲି, ଇୟେ କି ବାସନା ହୋ ।

 

କିଏ ଜଣେ ଉତ୍ତର ଦେଲା, ଆଜ୍ଞା ଧାନଫୁଲର ।

 

ଧାନଫୁଲର ଏମିତି ବାସନା ! ପଚାରିଲି ।

 

ଛନ୍ଦ ମହାନ୍ତି କଥାର ଖିଅ ଧରି କହି ଚାଲିଲେ, ଆଜ୍ଞା, ଏ ବର୍ଷ ଧାନ ସବୁ ମରିଯିବ ହେଟା ଜମି ଏଗୁଡ଼ାକ । ବନ୍ଧଟା ହୋଇଥିଲେ ମୁନ୍ଦାଏ ମୁନ୍ଦାଏ ପାଣି ପାଇଥାନ୍ତେ ବିଲଗୁଡ଼ାକ । ଦେଖନ୍ତୁ ଆଜ୍ଞା ଟିକିଏ ଦୃଷ୍ଟି ପକାନ୍ତୁ । ଧାନ ମୂଳ ସବୁ ଶୁଖି ଗଲାଣି । ହୁଗୁଳା ମାଟି ଆଜ୍ଞା, ପାଣି ଧରି ରଖିବ କାହୁଁ ! ଏତେବେଳେ ସିନା ପାଣି ଦରକାର ।

 

ଆଜିକୁ ପଇଁଚାଳିଶ ବର୍ଷ ହେବ ଭାତ ଖାଇ ମୁଁ ମଣିଷ; କିନ୍ତୁ ଏ ପର୍ଯ୍ୟନ୍ତ ବୁଝିପାରିଲି ନାହିଁ କେତେବେଳେ ଧାନ ଲୋଡ଼େ ପାଣି, କେତେବେଳେ ବା ପବନ, କେମିତି ବଢ଼େ ସେ କଅଣ ତା’ର ନିୟମ ।

 

ଛନ୍ଦ ମହାନ୍ତି କହି ଚାଲିଛନ୍ତି, ଆଜ୍ଞା, ମୁଁ ଏ ସବୁ ଜଞ୍ଜାଳକୁ ପଣେ ନାହିଁ । ମୁଁ ଭଲ କି ମୋ ଘର ଭଲ । ପିଣ୍ଡା ବାହାରକୁ ଗୋଡ଼ କାଢ଼େ ନାହିଁ ଆଜ୍ଞା । ହେଲେ ବନ୍ଧ ଟଙ୍କା ଏମିତି ବରବାଦ ହେଉଛି ଦେଖି ମୋ ଛାତି ଫାଟିଯାଉଛି ଏତେ ଅନ୍ୟାୟ ! ଓହୋ ! ଆଁ ଏଁ !!

 

ସେ ଖାଲି ପାଟିରେ କଥା କହୁ ନଥାଆନ୍ତି । ତାଙ୍କ ଆଖି, ମୁଣ୍ଡ ସବୁ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ କଥା କହୁଥାଆନ୍ତି ।

 

ହରିପୁର ଗାଁରେ ପହଞ୍ଚିବାବେଳକୁ ବେଳବୁଡ଼ ସମୟ । ଗାଁ ଭିତର ଦେଇ ଯିବାବେଳେ ଛନ୍ଦ ମହାନ୍ତି ଘର ଘର ଗୋଟାଏ ଡାକ ଦେଇ ଯାଉଥାଆନ୍ତି, ଏ ଗଙ୍ଗା, ଏ ବାଉରି, ଏ ସପନା, ଆସ ଆସ ସବୁ ଅତି ଶୀଘ୍ର ବନ୍ଧ ଉପରକୁ । ସାହେବ ବିଜେ କଲେଣି ।

 

ବନ୍ଧ ଉପରକୁ ଗଲାବେଳକୁ, ସେଠି ମଧ୍ୟ ଲୋକେ ଦୁଇଦଳ ଛିଡ଼ା ହୋଇଛନ୍ତି । ଆମକୁ ଦେଖି ସମସ୍ତେ ଆଭୂମି ନମସ୍କାର କଲେ ଓ ଛନ୍ଦ ମହାନ୍ତି ଆଡ଼କୁ ତରାଟି ଚାହିଁଲେ ।

 

ତା’ପରେ ଆଖି ପିଛୁଳାକେ ଗୋଟାଏ କାଣ୍ଡ ଘଟିଗଲା । କିଛି କୁଆଡ଼ୁ ନାହିଁ, ଦୁଇଟା ଢେଲା ଆସି ପଡ଼ିଲା ଛନ୍ଦ ମହାନ୍ତି ଉପରେ । ତା’ପରେ ମୋତେ ଘେରି ତିନିଦଳ ପେଲାପେଲି ହେଲେ । ତା’ ସହିତ ଗୁଇ ଖୋଳାଖୋଳି, କାହା ଭାର୍ଯ୍ୟାର କାହା ସହିତ ପାପପ୍ରଣୟ ଅଛି, କାହାର ଭଉଣୀ ବିବାହ ପୂର୍ବରୁ ପୁଅ ଜନ୍ମ କରିଛି, କିଏ ଇସ୍କୁଲ ଟଙ୍କା ଖାଇଯାଇଛି, କିଏ ପଞ୍ଚାୟତ ଧାନଗୋଲାରୁ ଧାନ ବୋହିନେଇ ଯାଇଛି, କିଏ ପଞ୍ଚାୟତ ଟିକସ ଖାଇଯାଇଛି, କିଏ କେଉଁ ମକଦ୍ଦମାରେ ଗୋଟାଏ ପକ୍ଷଠାରୁ ଶହେଟଙ୍କା ଘୁଷ୍ ନେଇଛି, କିଏ ବନ୍ଧ କାମରେ ଟଙ୍କା ଚଳୁ କରିଦେଇଛି, କିଏ ଗୋଟାଏ ଧୋବଣୀକୁ ରକ୍ଷିତା କରି ରଖିଛି, ଯାବତୀୟ କଥା । ଠେଙ୍ଗା ସବୁ ମୁଣ୍ଡ ଉପରେ ବୁଲୁଚି ।

 

ମୁଁ ଉପାୟ ନପାଇ ପ୍ରାଣ ଭୟରେ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରୁଥାଏ । ଜଣେ ଡେପୁଟି ଏମିତି ଏକ ଘଟଣାରେ ପ୍ରାଣ ଦେଇଛନ୍ତି, ଲୋକେ ତାଙ୍କୁ ମାରି ହିଡ଼ରେ ପୋତି ଦେଇଛନ୍ତି-। କଥାଟା ମନେ ପଡ଼ିଯିବାରୁ ଛାତିରୁ ଅତଡ଼ା ଖସିପଡ଼ିଲା, ଝାଳ ବୋହିଗଲା ସାରା ଦେହରୁ ।

 

କୌଣସିମତେ ବାହାରି ଆସିଲି । କହି ଆସିଲି ହାତ ଯୋଡ଼ି, ଆପଣମାନେ ଶାନ୍ତ ନହେଲେ ମୁଁ ଇନ୍‍କୁଆରୀ କରିବି ନା...ହିଁ... ।

 

ମୋ କଥା କେହି ଶୁଣିଲେ କି ନା ଜାଣେନା । ମୁଁ କିନ୍ତୁ ଛାଟିପିଟି ହୋଇ ବାହାରି ବସିଲି-। ସେମାନେ ସେହିପରି ପେଲାପେଲି ହେଉ ଥାଆନ୍ତି ।

 

ମୁଁ ଚାଲି ଆସିଲି ଗାଁ ମୁଣ୍ଡକୁ । ପର୍ବତର ପାଦ ଦେଶରେ ଗୋଟିଏ ଘଞ୍ଚ କୁଞ୍ଜ । ତା’ରି ଭିତରେ ପଶିଗଲି ଆତ୍ମଗୋପନ କରିବାକୁ ।

 

ଚାରିଆଡ଼େ ତେନ୍ତୁଳି, ସାହାଡ଼ା, ବକୁଳ, ଆମ୍ୱ ଆଦି ଗଛ ସବୁ ଲଗାଲଗି ଛନ୍ଦାଛନ୍ଦି ହୋଇ ଛିଡ଼ା ହୋଇଛନ୍ତି । ଭେଦ ଜ୍ଞାନ ନାହିଁ । ପରସ୍ପର ପରସ୍ପରକୁ ଆଲିଙ୍ଗନ କରି ନୀରବ ଭାଷାରେ ଯେପରି କଥାବାର୍ତ୍ତା କହୁଛନ୍ତି, ଆଉ ମୁରୁକି ମୁରୁକି ହସୁଛନ୍ତି । ମଝିରେ ଗୋଟିଏ ପଥର ଚଟାଣର ଗୋଟିଏ ପାଖରେ କେତେଗୁଡ଼ିଏ ବେଦି ତିଆରି ହୋଇଛି । ପ୍ରତ୍ୟେକ ବେଦିରେ ଗୋଟିଏ ଆବଡ଼ା ଖାବଡ଼ା ଦେଢ଼ା ମେଢ଼ା ପଥର ସିନ୍ଦୁର ଚନ୍ଦନ ଲାଗି ଡେରା ହୋଇରହିଛନ୍ତି । ଏହିପରି ଦଶଟି ବେଦି । ପ୍ରତ୍ୟେକ ବେଦି ପାଖରେ ମାଟି ତିଆରି କେତେ ହାତୀ, କେତେ ଘୋଡ଼ା । ହାତୀମାନଙ୍କ ଉପରେ ହାଉଦା ପଡ଼ିଛି, ସେ ହାଉଦାରେ ପୁଣି କେତେ କୁଟୀକମ ହୋଇଛି । ହାଉଦା ଉପରେ ସିଂହାସନ । ଘୋଡ଼ାମାନଙ୍କ ମୁହଁ ଗୋଲ ଓ ଫମ୍ପା । ଗୋଡ଼ଗୁଡ଼ିକ ମଧ୍ୟ ଗୋଲ ଓ ଫମ୍ପା; କିନ୍ତୁ ପ୍ରତ୍ୟେକଙ୍କ ଗୋଡ଼ରେ ଗହଣା ଓ ପ୍ରତ୍ୟେକଙ୍କ ମୁଣ୍ଡରେ ସିନ୍ଦୁର ଚନ୍ଦନ ।

 

ଗୋଟିଏ ବୁଢ଼ା ଗୋଟିଏ ପହଁରାରେ ଜାଗାଟି ଖରକୁ ଥିଲା । ମୋତେ ଦେଖି ଓଳିକି ହୋଇ ଦାନ୍ତ ନିକୁଟି ଛିଡ଼ାହେଲା । ଅତି ବୁଢ଼ା କିନ୍ତୁ ଦି ପାଟି ଦାନ୍ତ ଅଛି । ଦାନ୍ତଗୁଡ଼ିକ ହଳଦିଆ । ଆଖିରେ ନେଞ୍ଜରା । ପିନ୍ଧିଛି ଗୋଟିଏ ତେଲଚିକିଟା ଗାମୁଛା । ଗାମୁଛାର ଦୁଇ ପାଖର ଧଡ଼ି ଓ ଧଡ଼ିକୁ ଲାଗି ଦୁଇଇଞ୍ଚ ସରିକି କନା । ଗାମୁଛାର ବାକୀ ଅଂଶ ନାହିଁ କହିଲେ ଚଳେ ।

 

ପଚାରିଲି, ଇୟେ କି ଠାକୁରାଣୀ ହୋ ।

 

ବୁଢ଼ାଟି ଆକାଶକୁ ଚାହିଁଲା, ତା’ପରେ ଠାକୁରାଣୀମାନଙ୍କ ଆଡ଼େ ମୁହଁ କରି ଜୁହାର ହୋଇ କହିଲା, ଆଜ୍ଞା, ଦଶ ଭଉଣୀ ଏମାନେ...

 

—ନା’ କଅଣ ଏମାନଙ୍କର ?

 

—ଆଜ୍ଞା, ଇୟେ ହେଉଛନ୍ତି ବଡ଼ ବାହ୍ମୁଣୀ, ତାଙ୍କ କଡ଼ରେ ତାଙ୍କ ପୁଅ...

 

—ଏମାନଙ୍କୁ ଏପରି ଅଲଗା ହୋଇ ରଖାହୋଇଛି କାହିଁକି ?

 

ଆଜ୍ଞା, ଏ ପରା ବାହ୍ମୁଣୀ । ଏଙ୍କ ପାଖରେ ଛେଦା ଲାଗିବ ନାହିଁ, ତେଲ ଲାଗିବ ନାହିଁ । ଭାରୀ ଅଡ଼ୁଆ ପୂଜା ଏଙ୍କର । ସେଇଥିପାଇଁ ତାଙ୍କ ଆସ୍ଥାନ ଅଲଗା...

 

ବାହ୍ମୁଣୀ ଦେବୀ ବୋଲି ଯାହାକୁ କୁହାଗଲା ସେ ଆଉ କିଛି ନୁହେଁ ଗୋଟିଏ ପଥର ଛେଲା, ତଳକୁ ଓସାରିଆ, ଉପରକୁ ଗୋଜିଆ । ମୋଟ ପ୍ରାୟ ଇଞ୍ଚେ ହେବ, ତିନିକୋଣିଆ ।

 

ପଚାରିଲି, କିହୋ, ମୂର୍ତ୍ତି କାହିଁ ? ଏ ତ ପଥର ଛେଲାକାଟାଏ । ବୁଢ଼ାଟି ଜିଭ କାମୁଡ଼ି ବ୍ୟଥିତ ଭାବରେ ମୋତେ କିଛିକ୍ଷଣ ଚାହିଁ କହିଲା, ଆଜ୍ଞା, ଦେଖନ୍ତୁ, ଏଇ ତାଙ୍କ ହାତ, ଏଇ ଦେଖୁନାହାନ୍ତି ତାଙ୍କ କେଶ ମୁକୁଳା ହୋଇ ଉଡ଼ୁଛି ।

 

ସେ ସବୁ କିଛି ଦେଖି ପାରିଲି ନାହିଁ । କଅଣ ଗୋଟାଏ ଗାର ଅବଶ୍ୟ ଦିଶିଲା; କିନ୍ତୁ ତାକୁ ହାତ ନ କହି ଗୋଡ଼ ବା ଗୋଡ଼ ନ କହି ପାଟି କହିଲେ କିଛି କ୍ଷତି ହେବନାହିଁ, କିନ୍ତୁ ବୁଢ଼ା ସେ ହାତ ଛଡ଼ା ଆଉ କିଛି ନୁହେଁ । ଯାହାକୁ ହାତ ବୋଲି କହୁଛି, ତାକୁ ଖାଲି ଆଖିରେ ଦେଖିଲେ ଚିହ୍ନିବା ଅସମ୍ଭବ । କେତେ କଳ୍ପନା କଲେ ବା ଜାଣିହେବ ଅସମ୍ଭବ କଳ୍ପନା ଶକ୍ତି ଏମାନଙ୍କର ! !

 

ତା’ପରେ, ବୁଢ଼ା କହିଚାଲିଲା, ଏ ହେଉଛନ୍ତି ମଙ୍ଗଳା, ତାଙ୍କ ପାଖକୁ ଘଣ୍ଟିଆ ମଙ୍ଗଳା । ରାତିରେ ଘଣ୍ଟି ଘାଗୁଡ଼ି ପିନ୍ଧି ବୁଲି ବାହାରନ୍ତି । ଏଙ୍କ ହାବୁଡ଼ରେ ପଡ଼ିଗଲେ ରକ୍ଷାନାହିଁ । ତାପରେ ଅଛନ୍ତି ମା ବୁଗାଳି ଓ ତାଙ୍କ ପାଖକୁ ହରିହର ବୁଗାଳି । ଏ ଦି ଭଉଣୀ ଭାରୀ ସାଙ୍ଗ, ଏକା ସାଙ୍ଗରେ ବୁଲି ବାହାରନ୍ତି, ଏକା ସାଙ୍ଗରେ ଖାଆନ୍ତି । ଏ ଦି ଭଉଣୀଙ୍କ ନା’ଧରି କାଠ କାଟି ଗଲେ ବାଘ ବି ବାଟ ଛାଡ଼ି ଦେବ, ଖାଲି ଦେଖା ଦେବସିନା କତିକି ଆସିବ ନାହିଁ । ତା’ପରେ, ଦେଖନ୍ତୁ ପାଟମୁଣ୍ଡେଇ, ସୁନ୍ଦର ଓଓରା । ଏମାନଙ୍କ ବୟସ ହେଲାଣି, ଏମାନେ ଆଉ ବୁଲି ବାହାରନ୍ତି ନାହିଁ, ଖାଲି ଗାଁ’ର ଦୁର୍ଭାଗ୍ୟ ପଡ଼ିଲେ କୁହାଟ ଛାଡ଼ନ୍ତି ।

 

ଯେତେ ଠାକୁରାଣୀଙ୍କ ନାଁ କହିଲା ସବୁ ଗୋଟିଏ ଗୋଟିଏ ପଥର ଛେଲା । କେଉଁଟି ବା ଚାରିକଣିଆ, କାହାର ଆକାର ନିର୍ଣ୍ଣୟ କରିବା ଅସମ୍ଭବ । ସେମାନଙ୍କ ଭିତରୁ ପୁଣି, ଏ ବୁଢ଼ା ଜାଣେ, କାହାର ବୟସ ହେଲାଣି, କାହାର ବାଳ ମୁକୁଳା, କିଏ ଏକାଠି ଶୁଅନ୍ତି ।

 

—ଆଉ ଆଜ୍ଞା, ଇଆଡ଼େ ଦେଖନ୍ତୁ, ଏ ହେଉଛନ୍ତି ପଶ୍ଚିମା ମା । ଇୟେ ଏଠି ନ ଥିଲେ ପଶ୍ଚିମ ଆଡ଼ୁ ଆସିଲେ ।

 

—କେବେ ? ପଚାରିଲି ।

 

—କେବେ କେଜାଣି ? ଆଜିକୁ ଶହେ କି ପାଞ୍ଚଶହ ବର୍ଷ ହେବ କିଏ କଳନା କରିପାରିବ । ଗାଁରେ ମଡ଼କ ପଡ଼ିଥିଲା । ମା’ ବାହ୍ମୁଣୀ ସମ୍ଭାଳି ପାରିଲେ ନାହିଁ, ଏଙ୍କୁ ଡାକି ଆଣିଥିଲେ । ଲୋକେ ଦେଖିଛନ୍ତି ଆଜ୍ଞା, ରାତି ଅଧରେ, ଗୋଟିଏ ବଡ଼ ଆଲୁଅ ପଶ୍ଚିମ ଆଡ଼ୁ ମାଡ଼ି ଆସୁଥାଏ, ସେଇଦିନୁ ସେ ଏଠି ରହି ଯାଇଛନ୍ତି । ଆଉ ଯାଇନାହାନ୍ତି ।

 

ବନ୍ଧ ଉପରୁ କୋଳାହଳ ଭାସି ଆସୁଥାଏ । ମଝିରେ ମଝିରେ ଗୋଟାଏ ଦଳ ପେଲି ନେଉଥାଏ ଆଉ ଗୋଟିଏ ଦଳକୁ ଥୋଡ଼ାଏ ବାଟ ଓ ପୁଣି ସେ ଦଳ ଆର ଦଳକୁ ଘଉଡ଼ାଇ ଦେଉଥାଏ ।

 

—ଆଉ ଦେଖନ୍ତୁ ଆଜ୍ଞା, ଏ ହେଉଛନ୍ତି ତଡ଼ରେଇ । ଏଙ୍କର ମାଛ ନହେଲେ ଭାତ ଚଳେ ନାହିଁ । କିଛି ନହେଲେ ଶୁଖୁଆ ଟିକିଏ ଦରକାର । ଇୟେ ଗାଁ ଗାଁ ବୁଲନ୍ତି ନିଇତି ରାତିରେ, ଆଉ ହୁରି କରନ୍ତି । ଇୟେ ହେଉଛନ୍ତି, ଦର୍ଶନଦେଈ ବୁଢ଼ୀ ମା । ସବା ବଡ଼ ଭଉଣୀ ଏ । ତାଙ୍କ ଆସ୍ଥାନ ଦେଖନ୍ତୁ ସବା ଶେଷରେ । ଏ ଆସ୍ଥାନ ସେ ଜଗି ରହିଥାନ୍ତି । ତାଙ୍କ ପାଖରେ ଦେଖନ୍ତୁ ଖୁଣ୍ଟ ପୋତା ହୋଇ ରହିଛି । ଅନ୍ୟ ଦେବୀ କେହି ଆସିଲେ ବୁଢ଼ୀମା ସେ ଖୁଣ୍ଟ ପାରି କରି ଦିଅନ୍ତି ନାହିଁ । ବାଟ ଓଗାଳନ୍ତି । ‘‘କିଏ ତୁମେ ? କାହିଁକି ଆସିଛ ?’’ ପଚାରି ତାଙ୍କ ହାଲ୍ ଚାଲ୍ ବୁଝି ବିଦା କରି ଦିଅନ୍ତି ।

 

କାହିଁକି ? ପଚାରିଲି ।

 

—ଆଜ୍ଞା, କେତେ ରକମର ଦେବ ଦେବୀ ବୁଲୁଛନ୍ତି ଚାରିଆଡ଼େ । କିଏ ତା ଭିତରେ ଭଲ; କିଏ ବା ଓଲାଉଠା, ଝାଡ଼ାବାନ୍ତି କରାନ୍ତି, କିଏ ବା ଗାଁରେ ପଶି କଳି ଲଗାଇ ଦିଅନ୍ତି । ବୁଢ଼ୀମା ସେ ସଭିଙ୍କି ଛାଡ଼ନ୍ତି ନାହିଁ ଗାଁ ଭିତରକୁ । ଯଦି ବିଲୁଆ କେହି ଆସନ୍ତି, ତେବେ ବୁଢ଼ୀମା ତାଙ୍କୁ ଭୋଗରାଗ ଦେଇ ବୁଝାଇ ଶୁଝାଇ ବିଦା କରିଦିଅନ୍ତି । କୌଣସି ବିପଦ ଗାଁକୁ ଆସିବାରେ ଆଠଦଶ ଦିନ ଆଗରୁ ଏ ଗାଁ ଗାଁ ବୁଲି କୁହାଟନ୍ତି, ଏ ଘରବାଲା ହୁସିଆର ରହ । ଖାଲି ଏତିକି କହନ୍ତି ।

 

ତୁମେ ଶୁଣିଛ ? ପଚାରିଲି ।

 

ହଁ ଆଜ୍ଞା । ତେବେ ଆଜିକାଲି ଅନେକ ସେ ଡାକ ଶୁଣିପାରୁ ନାହାନ୍ତି ? ଲୋକମାନଙ୍କ ଭିତରେ ହିଂସା, ଲୋଭ ବଢ଼ି ଚାଲିଛି ନା, ଆଉ ସେ ଡାକ ଶୁଣିପାରୁ ନାହାନ୍ତି ।

 

ତୁମ ବୟସ କେତେ ? ପଚାରିଲି ।

 

—ପାଞ୍ଚକୋଡ଼ି ।

 

ତୁମେ ଏଠି କଅଣ କର ?

 

ମୋ ଘର ଏଇଠି ଆଜ୍ଞା, ମୁଁ ମା’ମାନଙ୍କର ଆସ୍ଥାନ ମାର୍ଜନା କରେ ।

 

ଚାରିଆଡ଼ ସେତେବେଳକୁ ଅନ୍ଧାର ହୋଇଗଲାଣି । ଶୀତଦିନ କୁହୁଡ଼ି ଧୂଆଁ ଗଛଉପରେ ଜମିଗଲାଣି । ବନ୍ଧ ଉପରେ କୋଳାହଳ ଥମିନାହିଁ । ସେମାନେ ସମସ୍ତେ ମୋ ଆଡ଼କୁ ଆସୁଛନ୍ତି ।

 

ମୁଁ ସେମାନଙ୍କୁ କହିଲି, ଆଜି କିଛି ହେବନାହିଁ । କାଲି ସକାଳୁ ଦେଖାଯିବ । ସମସ୍ତେ ଚାଲିଗଲେ । ମୋର ରହିବା ବନ୍ଦୋବସ୍ତ ସେଇ ବୁମା ଘରେ ହେଲା ।

 

ଖାଇସାରି ମୁଁ ଶୋଇବାକୁ ଗଲି । ରାତି ପ୍ରାୟ ଅଧ ହେଲାଣି ! ନିଦ ମାଡ଼ୁ ନଥାଏ ।

 

ବୁଢ଼ା ପିଣ୍ଡାରେ ଶୋଇଥାଏ ।

 

ଡାକି ପଚାରିଲି, ହଇହୋ, ବର୍ତ୍ତମାନ ତ ଦେଖୁଛ ଗାଁ ଭିତରେ ଏତେ ଅନ୍ୟାୟ ଚାଲିଛି । କାହିଁ ତୁମ ଦର୍ଶନଦେଈ ବୁଢ଼ୀ ବା ଅନ୍ୟ କେହି ତ କୁହାଟ ଛାଡ଼ୁ ନାହାନ୍ତି ।

 

—କିଏ କହିଲା ଆଜ୍ଞା, ସେ କଥା । ମା’ ମାନେ ଡାକୁଛନ୍ତି, କେହି ଶୁଣିପାରୁନାହାନ୍ତି । ସତକୁ ସମୁଦ୍ର ଫଳେ । (କଥାଟାର ଅର୍ଥ ମୁଁ ଏପର୍ଯ୍ୟନ୍ତ ବୁଝିପାରି ନାହିଁ) ଦିନେ ଯେତେବେଳେ ଅନ୍ୟାୟ ଏକଦମ୍ ବଢ଼ିଯିବ, ସେତେବେଳେ ସବୁ ଶେଷ । ପୁଣି ଆରମ୍ଭ ।

 

ତା’ପରେ ବୁଢ଼ା ହଠାତ୍ ଚମକି ପଡ଼ି ମୁହଁରେ ଅଙ୍ଗୁଳିଦେଇ କହିଲା, ଚୁପ୍ ଚୁପ୍ ହୋଇ ଶୁଣନ୍ତୁ, ମା’ ପଶ୍ଚିମା କୁହାଟୁଛନ୍ତି । ବୁଢ଼ା ସାଷ୍ଟାଙ୍ଗ ପ୍ରଣିପାତ କରି ପଡ଼ି ରହିଲା । କହିଲା, ରକ୍ଷାକର ମା ଏ ଗାଁକୁ......ରକ୍ଷା କର ମା ।

 

ମୁଁ କିନ୍ତୁ କିଛି ଶୁଣିପାରିଲି ନାହିଁ । ଛନ୍ଦ ମହାନ୍ତି ପିଣ୍ଡା ଆରପଟେ ଶୋଇଥିଲେ ପାଟି କରିଲେ, କାହିଁକି ଗୋଟେ ମିଛରେ ବଜର ବଜର ହେଉଚୁ ? ସାହେବଙ୍କୁ ଶୋଇଦେଉ ନାହୁଁ । ଠାକୁରାଣୀଙ୍କ କୁହାଟ ଶୁଣୁଛି ଇୟେ...ହ୍ୟାପ୍ ।

 

ମୁଁ ଭାବୁଚି, The fear of god is the beginning of knowledge ବଚନଟିର ତାତ୍ପର୍ଯ୍ୟ କଅଣ? ଭାବୁଚି, କାହାରି ସହିତ ସମ୍ପର୍କ ନଥିବା ଭିତରର ନିଃସଙ୍ଗ ଏକା ମଣିଷଟି ଏବଂ ବହୁ ସହିତ ସମ୍ପର୍କଥିବା ବାହାରର ସାମାଜିକ ମଣିଷଟି କଅଣ ପରସ୍ପର ବିରୋଧୀ-?

★★★

 

କଃ ପନ୍ଥା

 

ରେଳଗାଡ଼ିର ପ୍ରଥମ ଶ୍ରେଣୀରେ ଉଠି ଯାତ୍ରାକରିବା ମୋ ଜୀବନରେ ସେଇ ପ୍ରଥମ । ପିଲାବେଳୁ ବାପାଙ୍କ ସହିତ ବହୁତ ଥର ମୁଁ ରେଳଗାଡ଼ିରେ ଯାଇଛି; କିନ୍ତୁ ସଦାବେଳେ ତୃତୀୟ ଶ୍ରେଣୀରେ । ଠେଲି ପେଲି ମାଲପତ୍ର ଉଠାଇ ଆମେ ଉଠୁଁ ଏବଂ ଡବାଭିତରେ ଛିଡ଼ାହୋଇ ଯାଉଁ । ଗୋଡ଼ ବିନ୍ଧିଉଠେ ଛିଡ଼ା ହୋଇ ହୋଇ । ପ୍ରଥମ ଶ୍ରେଣୀ ଡବାର ଯାତ୍ରୀମାନଙ୍କୁ ମୁଁ ଭୟ ଓ ଆଶ୍ଚର୍ଯ୍ୟ ଭାବରେ ଚାହିଁ ରହିଥାଏ କେବଳ । ଜୀବନରେ ଥରେ ପ୍ରଥମ ଶ୍ରେଣୀରେ ଯାତ୍ରା କରିବା ସେତେବେଳେ ଥିଲା ମୋର ଗୋଟାଏ ଆଦର୍ଶ । ସରକାରୀ ଚାକିରିକରି ମଧ୍ୟ ବହୁତ ଦିନ ମୁଁ ପ୍ରଥମ ଶ୍ରେଣୀରେ ଯିବାର ଯୋଗ୍ୟ ହୋଇ ନଥିଲି ।

 

ଯେଉଁଦିନ ଯୋଗ୍ୟହେଲି, ତାହାର ଅଳ୍ପଦିନ ପରେ ବଦଳି ହେଲା ଅନ୍ୟ ଜାଗାକୁ । ପ୍ରଥମ ଶ୍ରେଣୀ ଟିକଟ ଯେତେବେଳେ କିଣିଲି, ସେତେବେଳେ ମନରେ ଗୋଟାଏ ଅପୂର୍ବ ପୁଲକ ଓ ରୋମାଞ୍ଚ ଜାତହେଲା । ମନରେ ଭୟ ଓ ବାହାରେ ଗୋଟାଏ ବେପରୁଆ ଭାବ ଫୁଟାଇ ଉଠିଲି ପ୍ରଥମ ଶ୍ରେଣୀ ଭିତରକୁ । ମନରେ ଭୟ ଥାଏ, କିଏ ଜାଣେ ଟିକଟ ଥିଲେ ମଧ୍ୟ ମୋତେ କେହି ବାହାର କରିଦେଇ ପାରନ୍ତି, ହୁଏତ କୌଣସି ନିୟମ ଅନୁସାରେ । ଟିକଟ ନମ୍ୱରଟି ଡାଇରିରେ ଟିପି ରଖିଲି, ସରକାରଙ୍କୁ ବିଲ୍ ଦେଲାବେଳେ ନମ୍ୱରଟି ଦେବାକୁ ପ୍ରମାଣ ସ୍ୱରୂପ । ଅପମାନ ଲାଗିଲା ଅବଶ୍ୟ; କିନ୍ତୁ ଏ ଅପମାନ ଆମେ ନିଜେଇ ବରଣ କରିଛୁ । ତୃତୀୟ ଶ୍ରେଣୀରେ ଯାଇ ପ୍ରଥମ ଶ୍ରେଣୀର ଖର୍ଚ୍ଚ । ଆଦାୟ କରୁଥିବାରୁ ସରକାର ଏ ଅପମାନଜନକ ନିୟମ କରିଛନ୍ତି ।

 

ସାନ ଡବାଟିଏ । ତଳେ ଗୋଟିଏ ବର୍ଥ୍ ଓ ତା’ ଉପରକୁ ଗୋଟିଏ ବଙ୍କ୍ । ବଙ୍କ୍ ଉପରେ ଶୋଇ ଥାଆନ୍ତି ଜଣେ ଭଦ୍ରଲୋକ ଏବଂ ବର୍ଥ୍ ଉପରେ ମଧ୍ୟ । ସେମାନେ ନିଘୋଡ଼ ନିଦରେ ଶୋଇଥାଆନ୍ତି କି ଚେଇଁ ଶୋଇଥାନ୍ତି ଜାଣିବାର ଉପାୟ ନାହିଁ । ସେମାନଙ୍କୁ ଡାକିବାକୁ ସାହସ ହେଲାନାହିଁ । ଛିଡ଼ା ହୋଇ ରହିଲି ନୀରବରେ ।

 

ପର ଷ୍ଟେସନରେ ଉଠିଲେ ଜଣେ ଭଦ୍ରଲୋକ । ତାଙ୍କର ପୋଷାକ ପରିଚ୍ଛଦରୁ ସ୍ପଷ୍ଟ ମନେ ହେଉଥାଏ, ସେ ଜଣେ ଉଚ୍ଚପଦସ୍ଥ କର୍ମଚାରୀ । ତାଙ୍କର ମାଲପତ୍ରରେ ମଧ୍ୟ ଲେଖା ତାଙ୍କର ନାମ ଓ ପଦବୀ । ଭଦ୍ରଲୋକ ମିଷ୍ଟର ଦାସ । ସେ ଉଠି କାହାରିକୁ କିଛି ନ କହି ବର୍ଥରେ ଶୋଇଥିବା ଭଦ୍ରଲୋକଙ୍କୁ ଆଦେଶଦେବା ଭଙ୍ଗୀରେ କହିଲେ, ହୁଁ, ଉଠନ୍ତୁ ଉଠନ୍ତୁ । ବର୍ଥର ଭଦ୍ରଲୋକ ଆଖି ମେଲି ଥରେ ଚାହିଁଲେ ସତ; କିନ୍ତୁ ଉଠନ୍ତୁ ଆଦେଶର କୌଣସି ପ୍ରତିକ୍ରିୟା ହୋଇଥିବା ଭଳି ଜଣାଗଲା ନାହିଁ । ମିଃ ଦାସ କହିଲେ, ଉଠନ୍ତୁ, ନହେଲେ ଆପଣଙ୍କୁ ଘୋଷାରି ମୋତେ ଉଠାଇବାକୁ ହେବ । ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ଅଛି ବୋଲି ନିଉଟନ୍ ଯେଉଁ ପ୍ରାକୃତିକ ନିୟମ ଆବିଷ୍କାର କରିଥିଲେ, ବର୍ଥଶାୟିତ ଭଦ୍ରଲୋକ ତାହା ଭୁଲ୍ ବୋଲି ପ୍ରମାଣ କଲେ ।

 

ମିଃ ଦାସ ଘୋଷାରି ଉଠାଇଦେବା ପାଇଁ ତାଙ୍କର ହାତ ସ୍ପର୍ଶକଲେ । ସ୍ପର୍ଶ କରିଛନ୍ତି ମାତ୍ର । ତା’ପରେ... ।

 

ପ୍ରଚଣ୍ଡ ପ୍ରତିକ୍ରିୟା !! ସାମାନ୍ୟ ଟିକିଏ ସୁଇଚ୍ ଟିପି ଯେମିତି ବିରାଟ ଶକ୍ତିକୁ ମୁକ୍ତ କରାଯାଏ ସେମିତି । ଏଇ ଅଳ୍ପ ସମୟ ମଧ୍ୟରେ ସାମାନ୍ୟ କେତୋଟି କ୍ରିୟାର ଯେ ଏତେ ପ୍ରତିକ୍ରିୟା ସୃଷ୍ଟି ହୋଇ ସଞ୍ଚିତ ହୋଇଥିଲା, ମୁଁ ଆଶା କରି ନଥିଲି ।

 

ଜ୍ୟାମୁକ୍ତ, ଧନୁପରି ବର୍ଥାଶାୟିତ ଭଦ୍ରଲୋକ ଡେଇଁ ପଡ଼ିଲେ । ଧୀରେ ଗୋଟିଏ ସିଗାରେଟ ଲଗାଇ ଥରେ ଟାଣି ମୁହଁରୁ ଧୂଆଁ ବାହାର କଲେ କିଛିକ୍ଷଣ । ତା’ପରେ... ।

 

ମୁଁ କେବଳ ଶୁଣିବାକୁ ପାଇଲି ଗୋଟାଏ ଶବ୍ଦ । ଗୋଟାଏ ଟିଣରେ କେତେଗୁଡ଼ିଏ ଗୋଡ଼ି ପୁରାଇ ହଲାଇଲେ ଯେମିତି ଶବ୍ଦ ବାହାରେ ସେମିତି । ମଝିରେ ମଝିରେ ଅବଶ୍ୟ ଗୋଟାଏ ଗୋଟାଏ ଇଂରାଜୀ କଥା କାନକୁ ଆସୁଥିଲା । କିନ୍ତୁ ପୂର୍ବାପର ଶବ୍ଦଗୁଡ଼ିକ ବୁଝି ପାରୁ ନଥିବାରୁ ଇଂରାଜୀ କଥା ସବୁ ଆଦୌ ବୁଝିପାରି ନଥିଲି ଏବଂ ସେ ଶବ୍ଦଗୁଡ଼ିକ ମଧ୍ୟ ମୁଁ କେବେହେଁ ପଢ଼ିନାହିଁ-। କେବଳ ଶେଷକୁ ଶୁଣିଲି ସେ କହୁଛନ୍ତି, ଜାଣନ୍ତି ଆପଣ ମୁଁ କିଏ ? ମୁଁ.... । ପଦବୀଟି କହି ସେ ତା’ର ପ୍ରତିକ୍ରିୟା ଲକ୍ଷ୍ୟ କରିବାକୁ ନୀରବ ହେଲେ ।

 

ମୁଁ ଚମକି ପଡ଼ିଲି ସେ ପଦବୀ ଶୁଣି । ଭାବିଲି ପର ଷ୍ଟେସନରେ ଓହ୍ଲାଇଯିବି ମୋର ଚିର ପରିଚିତ ତୃତୀୟ ଶ୍ରେଣୀ ଡବାକୁ; କିନ୍ତୁ ଏଇ ସୁବିଧାରେ ଦରକାରବେଳେ କାର୍ଯ୍ୟରେ ଆସିବ । ନିୟମାନୁସାରେ ଟିକିଏ ଖୋସାମଦ କରିବାର ମଧ୍ୟ ଲୋଭ ହେଲା; କିନ୍ତୁ ପୁଣି ସେତକ କରିବାକୁ ମଧ୍ୟ ଭୟ ହେଲା ।

 

ମିଃ ଦାସ କିନ୍ତୁ ସେ ପଦବୀ ଶୁଣି ହସିଲେ । ଗମ୍ଭୀର ଭାବରେ କହିଲେ, ଆପଣ ଜାଣନ୍ତି ମୁଁ କିଏ ? ମୁଁ...... ।

 

ସେ ପଦବୀ ଶୁଣି ମୋର ହୃତ୍‍କମ୍ପ ଜାତହେଲା । ମନେହେଲା ଭାବୀ ଖରାପ ଯୋଗରେ ମୁଁ ଯାତ୍ରା ଆରମ୍ଭ କରିଛି ।

 

ବର୍ଥଶାୟିତ ଭଦ୍ରଲୋକ ସିଗାରେଟରେ ଗୋଟିଏ ଦୀର୍ଘ ଶୋଷଣ ଦେବା ପରେ କହିଲେ, ଶ୍ୱେଃ ଏଇଥି ପାଇଁ ଏତେ । ସରକାରର ଗୋଟାଏ ନଗଣ୍ୟ ବିଭାଗ, ତାହାର ପୁଣି...ଆପଣ ! ମୋତେ ହସେଇଲେ ଆପଣ ! ଭଦ୍ରଲୋକ କିନ୍ତୁ ହସିଲେ ନାହିଁ, ରୋଷକଷାୟିତ ନେତ୍ରରେ ଚାହିଁ ରହିଲେ ।

 

ଓଃହୋ, ଘୁଷ୍‍ଖିଆ ବିଭାଗରେ ଚାକିରି ବୋଲି ଏତେ ତେଜ ଆପଣଙ୍କର ନା ? ମିଃ ଦାସ କହିଲେ ।

 

ତା’ପରେ ବ୍ୟକ୍ତିର ବଡ଼ିମାରୁ ବିଭାଗର ବଡ଼ିମାସ୍ତରକୁ ପ୍ରବେଶକଲା ଦୁହିଁଙ୍କ ମଧ୍ୟରେ କଳହ ।

 

ସେ ବିଷୟରେ କୌଣସି ସିଦ୍ଧାନ୍ତ ହେବା ପୂର୍ବରୁ (ଅବଶ୍ୟ କୌଣସି ସିଦ୍ଧାନ୍ତ ପାଇଁ ସେମାନେ ବିଚାର କରୁ ନଥିଲେ ।) କଳହ ପ୍ରବେଶ କଲା ପ୍ରଦେଶର ବଡ଼ିମାସ୍ତରକୁ (ବର୍ଥଶାୟିତ ଭଦ୍ରଲୋକ ଓ ମିଃ ଦାସ ଭିନ୍ନ ଭିନ୍ନ ପ୍ରଦେଶର ଲୋକ ।) ଏହି ସ୍ତରରେ ପହଞ୍ଚିବା ପରେ ବିବାଦ ଆଉ ମୌଖିକ ନରହି ଶାରୀରିକ ଆଡ଼କୁ ଅଗ୍ରସର ହେବାକୁ ଲାଗିଲା । ମିଃ ଦାସ ଗୋଟିଏ ସିଗାରେଟ ଲଗାଇବାକୁ ଯାଉଥିଲେ । ତାକୁ ରଖିଦେଇ ଗୋଟିଏ ଚୁରୁଟ ବାହାର କରି ସେଥିରେ ଅଗ୍ନି ସଂଯୋଗ କରି ଅଗ୍ରସର ହେଲେ ଭୟଙ୍କର ମୂର୍ତ୍ତି ଧରି ।

 

ମୁଁ ତ କିଂକର୍ତ୍ତବ୍ୟବିମୂଢ଼ ହୋଇ ଛିଡ଼ାହୋଇ ରହିଲି । ଥରେ ଭାବିଲି ଜୀବନ ଦର୍ଶନ ବୁଝାଇ ଏମାନଙ୍କୁ ଶାନ୍ତ କରିବି । ଆରମ୍ଭ କଲି, ପରମେଶ୍ୱରଙ୍କ ସୃଷ୍ଟିରେ... । ଗାଁର ଉ: ପ୍ରା: ସ୍କୁଲରେ ପଢ଼ିବା ସମୟରେ ହେଡ୍‍ପଣ୍ଡିତ ମହାଶୟ ଶିଖାଇଥିଲେ, ଯେ କୌଣସି ରଚନା, ଗାଈ ହେଉ ବା ଗଧ ହେଉ ବା ପୋଇଗଛ ହେଉ ବା ଗ୍ରୀଷ୍ମ ଛୁଟି ହେଉ, ଆରମ୍ଭ କରିବା ସମୟରେ ଉପକ୍ରମଣିକାରେ ପରମେଶ୍ୱରଙ୍କଠାରୁ ଆରମ୍ଭ କରିବ ଏବଂ ତା’ର ଯେଉଁ ଫର୍ମୁଲା ସେ କରି ଦେଇଥିଲେ, ସେଇ ଫର୍ମୁଲା ଅନୁସାରେ ଆରମ୍ଭ କଲି ।

 

କିନ୍ତୁ ‘‘ପରମେଶ୍ୱର’’ ଶୁଣିବା ମାତ୍ରକେ ଦୁଇଜଣଯାକ କହି ଉଠିଲେ, ଷ୍ଟପ୍ ଦ୍ୟାଟ ନନ୍‍ସେନ୍‍ସ । ‘‘କୃଷ୍ଣ ନାମ ଆଜିଠାରୁ ମୋ ଶ୍ରବଣେ ନ ଶୁଣାଇବଟି କେହି ଗୋ’’ ଭଙ୍ଗୀରେ ନୁହେଁ, ତୀବ୍ର ଘୃଣାରେ ଉତ୍‍କ୍ଷିପ୍ତ ହୋଇ ।

 

ମନେ ମନେ ଦୁହିଁଙ୍କୁ ‘‘ପାଷାଣ୍ଡ’’ କହି ଝରକା ବାହାରେ ବିପରୀତ ଦିଗକୁ ପ୍ରବାହମାନା ପୃଥିବୀର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚେଷ୍ଟା କଲି । କିଆରି ସବୁ, ଧାନଗଛ, ପୋଖରୀ, ତାଳ ଗଛ, ପାହାଡ଼ ସବୁ ଗୋଟିଏ ସ୍ରୋତରେ ପଡ଼ି ଦଉଡ଼ିଛନ୍ତି ବିପରୀତ ଦିଗକୁ ।

 

ସେମାନଙ୍କର କଳହ ସେତେବେଳେ ରାଜନୀତିସ୍ତରକୁ ପ୍ରବେଶ କରିଥାଏ । କାରଣ ସେମାନଙ୍କ ପୃଷ୍ଠପୋଷକ ମନ୍ତ୍ରୀମାନେ ସେତେବେଳେ ଶରବ୍ୟ ହୋଇ ସାରିଲେଣି । ମଝିରେ ମଝିରେ ରେଳଗାଡ଼ି ଝନ୍‍ଝନ୍ ଶବ୍ଦରେ କମ୍ପି ଉଠୁଥାଏ । ସେମାନେ ମଧ୍ୟ କମ୍ପି ଉଠୁଥାଆନ୍ତି ତା’ ସହିତ । କଣେଇ ଦେଖିଲି ଦୁଇ ଦିଗରୁ ଦୁଇ ହଳ ହାତ ପରସ୍ପରର ନାକ ପର୍ଯ୍ୟନ୍ତ ଯାଉଥାଏ ଓ ଫେରୁଥାଏ । ଅବଶ୍ୟ ନିଃଶବ୍ଦରେ । ଡର ମାଡ଼ୁଥାଏ; କିନ୍ତୁ ଭାରି ମଜା ବି ଲାଗୁଥାଏ ।

 

ରେଳଗାଡ଼ିର ଗତି ଧୀରେ ଧୀରେ କମିଆସିଲା ।

 

ମିଃ ଦାସ ଏଥର ଆଉ ବିବାଦରେ ନ ମାତି ଅନ୍ୟର ବିଛଣା ବର୍ଥ୍‍ର ଅଧକରୁ ଉଠାଇ ଦେଇ ନିଜ ବିଛଣା ପକାଇ ଦେଇ ଶୋଇ ପଡ଼ିଲେ । ଅନ୍ୟ ଜଣକ ଏଥିରେ ଆପତ୍ତି ନକରି ନୀରବ ରହିଲେ । ହଠାତ୍ ଏ ପରିବର୍ତ୍ତନର କାରଣ ନ ବୁଝିପାରିଲେ ମଧ୍ୟ ଆଶ୍ୱସ୍ତ ହେଲି ।

 

ପାନ୍, ବିଡ଼ି, ସିଗାରେଟ୍...

 

ଲଞ୍ଚ ୟାଟ୍...ସାର୍ ?

 

ନୋଃ ।

 

ସେ ଷ୍ଟେସନରେ ଉଠିଲେ ଜଣେ ପ୍ରୌଢ଼ ଭଦ୍ରଲୋକ । ଦୁଗ୍‍ଧ ଧବଳ ଧୋତି, ପଞ୍ଜାବି ଓ ଚାଦର ପିନ୍ଧା ସୁନ୍ଦର ମୂର୍ତ୍ତିଟିଏ । ସ୍ନିଗ୍‍ଧ ହସ । ଦେଖିବା ମାତ୍ରକେ ଭକ୍ତି ଜାତହେଲା ।

 

ଭଦ୍ରଲୋକ ଉଠି ମୁରୁକି ହସି ଚାରିଆଡ଼କୁ ଚାହିଁଲେ । ତା’ପରେ ନୀରବରେ ମୋ ପାଖରେ ଛିଡ଼ା ହୋଇ ରହିଲେ । କିଛିକ୍ଷଣ ପରେ ଗୁଣୁ ଗୁଣୁ କରି ସୁନ୍ଦର ସ୍ୱରରେ ଗାଇବାକୁ ଲାଗିଲେ ଗୀତାର ଗୋଟିଏ ଶ୍ଳୋକ ।

 

ଗୀତାର ଶ୍ଳୋକ ଶୁଣି ମୋର ଭକ୍ତି ଆହୁରି ବଢ଼ିଗଲା ।

 

ଝ...ଅ...ଅ...ଅ...କ୍, ଉସ୍ ଉସ୍ ଉସ୍...

 

ତା’ପରେ ଝଅ ଅକ୍ ଉସ୍ ଉସ୍ ଉସ୍...

 

ତା’ପରେ ଝକ୍ ଉସ୍ ଉସ୍

 

ତା’ପରେ ଧପ୍ ଧପ୍ ଧପ୍, ଝଣ ଝଣ ଝଣ ଧପ ଧପ ଧପ ଧପ ଧପ ଧପ...(ଦ୍ରୂତ ତାଳରେ)

 

ଗାଡ଼ି ପୁଣି ଚାଲିବାକୁ ଆରମ୍ଭ କଲା ଅଭୂତ ଭାଷାରେ ସଙ୍ଗୀତ ଗାଇ । ଗୀତା ଶ୍ଳୋକ ଶୁଣିବା ପରେ ମୋର ମନ ଦାର୍ଶନିକ ଚିନ୍ତାରେ ଭରି ଉଠିଥିଲା । ମନେ ମନେ କହିଲି, ଗାଡ଼ିର ଏ କଅଣ ଭାଷା ନୁହେଁ ? କି ଭାଷା ଏ ? ବାହାରକୁ ଅନାଇ ରହି ଭାବିବାକୁ ଲାଗିଲି...

 

...କୋଟି କୋଟି ସୂର୍ଯ୍ୟ ଘୁରି ବୁଲୁଛନ୍ତି (କାହାକୁ କେନ୍ଦ୍ର କରି ?) । ପୁଣି ଗୋଟିଏ ଗୋଟିଏ ସୂର୍ଯ୍ୟ ଚାରିପଟେ ଅସଂଖ୍ୟ ଗ୍ରହ ତାରା ବୁଲୁଛନ୍ତି । ସେମିତି ଗୋଟିଏ ସୂର୍ଯ୍ୟ ଚାରିପଟେ ଅସଂଖ୍ୟ ଗ୍ରହ ତାରା ବୁଲୁଛନ୍ତି । ସେମିତି ଗୋଟିଏ ସୂର୍ଯ୍ୟ ଚାରିପଟେ ବୁଲୁଛି ଆମ ମୃତ୍ କଣିକା, ମହାଶୂନ୍ୟରେ, ମହାକାଶରେ କୋଟି କୋଟି ବର୍ଷ ଧରି ! ସେଥିରେ ପୁଣି କେତେ ଦେଶ ଭିତରୁ ଆମ ଦେଶ । ସେଥିରେ ଆମ ପ୍ରଦେଶ, ସେଥିରେ ଗୋଟିଏ ସ୍ଥାନ, ସେ ସ୍ଥାନରେ ଗୋଟିଏ ରେଳଗାଡ଼ି, ସେ ଗାଡ଼ିରେ ଗୋଟିଏ ଡବା, ସେ ଡବାରେ କେତୋଟି ପ୍ରାଣୀ ଆତ୍ମ ଗାରିମାରେ ବ୍ୟାପୃତ ।

 

ଝଣ ଝଣ ଝଣ, ହାଃ ହାଃ ହାଃ...ରେଳଗାଡ଼ି ହସି ପକେଇଲା ।

 

କିଛିକ୍ଷଣ ପରେ ଡବା ଭିତରକୁ ଦୃଷ୍ଟି ଫେରିବାରୁ ଦେଖିଲି ଏକ ଅଭୂତ ଦୃଶ୍ୟ !

 

ନବାଗତ ବଙ୍କ୍‍ଶାୟିତ ଭଦ୍ରଲୋକଙ୍କ ଗୋଡ଼ ଘଷି ଦେଉଛନ୍ତି !!

 

ଭକ୍ତିରେ ମୁଣ୍ଡ ନଇଁଗଲା ।

 

ବଙ୍କସ୍ଥ ଭଦ୍ରଲୋକ କିଛିକ୍ଷଣ ଶୋଇ ରହିଲେ ଏବଂ ବରାମ ଲାଗିବାରୁ ଅନ୍ୟ ଗୋଡ଼ଟି ବମାଇ ଦେଇ, କଡ଼ ମୋଡ଼ି ଶୋଇଲେ । କିଛିକ୍ଷଣ ପରେ କିନ୍ତୁ ହଠାତ୍ ଚମକି ପଡ଼ି ସେ ଉଠି ବସି ଆଶ୍ଚର୍ଯ୍ୟ ଭାବରେ ଚାହିଁ ଗୋଡ଼ ଉଠାଇ ନେଇ ନମସ୍କାର କରି କହିଲେ, ଏ କଅଣ କରୁଛନ୍ତି ଆପଣ ?

 

ନବାଗତ ବ୍ୟସ୍ତ ହୋଇ କହିଲେ, ଆ ହା ହା, ନା ନା ନା, ଆପଣ ଶୋଇ ରହନ୍ତୁ, ମୁଁ ଗୋଡ଼ ଘଷି ଦେଇ ଆପଣଙ୍କର ସେବା କରେ । ସେ ସୁଯୋଗ ମୋତେ ଦିଅନ୍ତୁ ଆପଣ ।

 

ନା, ନା, ନା...

 

ହଁ ହଁ ହଁ...

 

ତା’ପରେ ସେଇ ପ୍ରଶ୍ନ, ଆପଣ କିଏ ?

 

କଅଣ ମିଳିବ ମୋର ପରିଚୟରୁ, ନବାଗତ ସବିନୟେ କହିଲେ ।

 

ଆପଣଙ୍କର ପରିଚୟ ପାଇବାକୁ ମନ ବ୍ୟାକୁଳ ହେଉଛି, କରୁଣମିନତି ବଙ୍କସ୍ଥ ଭଦ୍ରଲୋକଙ୍କର । ମୁଁ ମଧ୍ୟ ମନେ ମନେ ସେ ମିନତିରେ ଯୋଗଦେଲି ।

 

ମୁଁ ହେଉଛି...

 

ମୁଁ ରୀତିମତ ଚମକିତ ହେଲି ସେ ନା’ ଶୁଣି । ଏଇ ସେଇ ସୁନାମଧନ୍ୟ... । ଯାହାଙ୍କର ଦର୍ଶନ ବିଷୟକ ପ୍ରବନ୍ଧଗୁଡ଼ିକ ସାରା ପୃଥିବୀରେ ଖ୍ୟାତି ଅର୍ଜନ କରିଛି ! ଧନ୍ୟ ମୋର ଆଜିର ଯାତ୍ରା !!

 

ବଙ୍କ୍‍ସ୍ଥ ଭଦ୍ରଲୋକ ଏଥର ବ୍ୟସ୍ତ ଭାବରେ ଓହ୍ଲାଇ ପଡ଼ି ନବାଗତଙ୍କର ଚରଣ ସ୍ପର୍ଶ କଲେ ।

 

ତା’ପରେ, ସେ ବଙ୍କ୍‍ରୁ ନିଜର ବିଛଣା ଉଠାଇ ନେଇ ତଳେ ଥୋଇ ଦେଇ, ନବାଗତଙ୍କର ବିଛଣା ନେଇ ସଯତ୍ନେ ବଙ୍କ ଉପରେ ପାରିଦେଲେ ଏବଂ ନବଗତଙ୍କୁ ଅତି ବିନୟର ସହିତ ଅନୁରୋଧ କଲେ ବଙ୍କ୍ ଉପରେ ଶୋଇବାକୁ ।

 

ନବାଗତ ସବିନୟ ଅନୁରୋଧ ଏଡ଼ି ନପାରି ଉଠି ଶୋଇଲେ ଓ ନାନା ଶ୍ଳୋକ ଗାଇବାକୁ ଲାଗିଲେ । ମଝିରେ ମଝିରେ ତା’ର ଅର୍ଥ ବୁଝାଇବାକୁ ଯାଇ ସେ ନିଜ ଦେଶର ସ୍ୱାର୍ଥାନ୍ଧତା ପ୍ରତି କଟୁ ମନ୍ତବ୍ୟ ଓ ଅନ୍ୟ ଦେଶର ସାଧୁତାର ପ୍ରଶଂସା କରିବାକୁ ଲାଗିଲେ । ସେଥିରେ ତାଙ୍କ ପ୍ରତି ମୋର ସମ୍ମାନ ଆହୁରି ବଢ଼ିଗଲା ।

 

କିଛିକ୍ଷଣ ପରେ...

 

ନବାଗତ ପୌଢ଼ ଭଦ୍ରଲୋକ ସୁଖ ନିଦ୍ରାରେ ଘୁଙ୍ଗୁଡ଼ି ମାରୁଛନ୍ତି । ବର୍ଥ୍ ଉପରେ ଦୁଇ ପ୍ରତାପୀ ମଧ୍ୟ ପରସ୍ପର ଆଡ଼କୁ ମୁଣ୍ଡକରି ଶୋଇଛନ୍ତି । ବଙ୍କ୍‍ସ୍ଥ ଭଦ୍ରଲୋକ ଡବାଟିର ଚଟାଣ ଉପରେ ବିଛଣା ପାରି ଶୋଇଲେଣି । ମୁଁ ହ୍ୟାପ ଛିଡ଼ାହୋଇ ରହିଚି । ଗୋଡ଼ ବିନ୍ଧୁଚି ଅନେକ ବେଳ ଛିଡ଼ାହୋଇ ରହିଥିବାରୁ ।

★★★

 

ନିମନ୍ତ୍ରଣ

 

ଚିଠି ପଢ଼ ହୋ !

 

ରବୀନ୍ଦ୍ର ଚିଠିଟି ରେଣୁ ହାତକୁ ବଢ଼ାଇ ଦେଲା । ରେଣୁ ଚିଠିଟି ପଢ଼ି ମୁଣ୍ଡରେ ହାତ ଦେଇ ଚୌକିରେ ବସି ପଡ଼ିଲା ଏବଂ ସାଙ୍ଗେ ସାଙ୍ଗେ ଚମକି ଉଠିପଡ଼ିଲା । ଗୋଟିଏ ବଡ଼ ଦୁର୍ଘଟଣାରୁ ସେ ଅଳ୍ପକେ ବଞ୍ଚିଗଲା । ଘରେ ଏହି ଗୋଟିଏ ମାତ୍ର ଚୌକି । ବହୁଦିନ ଧରି ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବିରୁଦ୍ଧରେ ଯୁଦ୍ଧ କରି ସେ କ୍ଷତ ବିକ୍ଷତ । ସେ ଆଉ ମନୁଷ୍ୟକୁ ପୃଥିବୀର ସେ ଅଦୃଶ୍ୟ ଶକ୍ତିରୁ ବଞ୍ଚାଇ ରଖି ଆରାମ ଦେବାକୁ ନାରାଜ । ଜାଳେଣି କାଠପାଇଁ ବ୍ୟବହାର କଲେ ଅଧିକତର ଲାଭପ୍ରଦ ଏବଂ ନିରାପଦ ହୁଅନ୍ତା; କିନ୍ତୁ ଘରେ ଚୌକି ଥିବାର ଯେଉଁ ଗର୍ବ ବା ସନ୍ତୋଷ ସେ ରେଣୁକୁ ଦେଉଚି, ତାହା ଯେ କୌଣସି ଚୌକିଦାରର ଗର୍ବ ବା ସନ୍ତୋଷଠାରୁ ଊଣା ନୁହେଁ । ଏହି ଟିକିଏ ମାନସିକ ଦୁର୍ବଳତା ପାଇଁ ରେଣୁ ବହୁ କଷ୍ଟରେ ଯୋଡ଼ାଯୋଡ଼ି କରି ଚୌକିର ଚୌକିତ୍ୱ ବଜାଏ ରଖିଚି । ବସିବାକୁ ଗଲେ ପ୍ରଥମେ ଖୁବ ମନୋଯୋଗ ସହ ଚୌକିର ତତ୍କାଳୀନ ଶାରୀରିକ ଅବସ୍ଥା ପରୀକ୍ଷା କରି ଅତି ସନ୍ତର୍ପଣରେ ଶରୀର ଭାରର କେତେକ ଅଂଶମାତ୍ର ରଖିବାକୁ ହୁଏ । ରେଣୁ ଚିଠିଟି ପଢ଼ି ହଠାତ୍ ଦୁର୍ଭାବନାରେ ସବୁ ଭୁଲି ଯାଇଥିଲା ।

 

ଚିଠିଟି ଆସିଚି ତାର ସାନ ଭଉଣୀ ମଲ୍ଲିକା ପାଖରୁ । ଭଉଣୀ ବିବାହ କରିଚି ଖୁବ ଧନୀ ଘରେ । ତାର ସ୍ୱାମୀ ଧନଞ୍ଜୟ ବାବୁ ଧନୀର ଏକମାତ୍ର ପୁତ୍ର ଏବଂ ଉଚ୍ଚପଦସ୍ଥ କର୍ମଚାରୀ ମଧ୍ୟ । ବିବାହ ବାତ୍ସରିକରେ ମଲ୍ଲିକା ରେଣୁ ଓ ରବୀନ୍ଦ୍ରକୁ ନିମନ୍ତ୍ରଣ ପଠାଇଚି । ଖାଲି ନିମନ୍ତ୍ରଣ ନୁହଁ, ବହୁ ଅନୁନୟ ବିନୟ କରି ଯିବାକୁ ମଧ୍ୟ ଲେଖିଚି । ଏହା ପୂର୍ବରୁ ସେମାନେ ଅନେକ ଥର ନିମନ୍ତ୍ରଣ ପାଇଅଛନ୍ତି । ଆନନ୍ଦ ପରିବର୍ତ୍ତରେ ଏ ନିମନ୍ତ୍ରଣ ଦେଇଚି ମାନସିକ ଯାତନା । ପ୍ରତ୍ୟକ ଥର ବହୁ ଆଲୋଚନା ପରେ ଗୋଟିଏ ବିଶ୍ୱାସ ଯୋଗ୍ୟ କାରଣ ଦର୍ଶାଇ ମାନସିକ ଯାତନା ଏଡ଼ାଇ ନ ପାରିଲେ ମଧ୍ୟ ନିମନ୍ତ୍ରଣ ଏଡ଼ାଇବାକୁ ସମର୍ଥ ହୋଇଚନ୍ତି । ଏଥର ଅଧିକ ଦୁଶ୍ଚିନ୍ତାର କାରଣ ହେଉଚି ଧନଞ୍ଜୟ ବାବୁ କିଛିକ୍ଷଣ ପରେ ନିଜେ ମଟର ନେଇ ଆସିବେ ନେବାକୁ । ରବୀନ୍ଦ୍ର ଓ ରେଣୁ ଥାଆନ୍ତି ତେଲଙ୍ଗା ବଜାରର ଗୋଟିଏ ସଂକୀର୍ଣ୍ଣ ଗଳିର ଶେଷ ମୁଣ୍ଡରେ, ଗୋଟିଏ କ୍ଷୁଦ୍ର ଘର ଭଡ଼ା ନେଇ । ଗୃହର କ୍ଷୁଦ୍ରତା, ଗଳିର ସଂକୀର୍ଣ୍ଣତା ବା ସ୍ଥାନଟିର ଅସ୍ୱାସ୍ଥ୍ୟକାରିତା ସହିତ ଘର ଭଡ଼ାର କୌଣସି ସଂପର୍କ ଘରେ ମାଲିକ ରଖିନାହିଁ । ଧନଞ୍ଜୟ ବାବୁ ଥାଆନ୍ତି ଚୌଧୂରୀ ବଜାରରେ ନିଜର ପ୍ରାସାଦୋପମ ଅଟ୍ଟାଳିକାରେ ।

 

ରେଣୁ ଚୌକିର ପ୍ରତ୍ୟାଖ୍ୟାନ ନୀରବରେ ସହ୍ୟ କରି ପାରିଲାନାହିଁ । ଭୀଷଣ ରାଗରେ ସେ ଚୌକିକୁ ଗୋଟିଏ ଗୋଇଠା ମାରିବାକୁ ଯାଉଥିଲା । ରବୀନ୍ଦ୍ର ଆତଙ୍କିତ ହୋଇ ତାକୁ କୋଳକୁ ଭିଡ଼ିନେଇ କହିଲା, ଏହିକ୍ଷଣି ସେମାନେ ଆସି ପହଞ୍ଚିଯିବେ ଯେ । ବସିବାକୁ ଦବ କଅଣ ? ଅଗତ୍ୟା ରେଣୁ ମୁଣ୍ଡରେ ହାତ ଦେଇ ତଳେ ବସି ପଡ଼ି କହିଲା, ‘ଟିକିଏ ଆରାମ କରି ଦୁଶ୍ଚିନ୍ତା କରିବାର ଉପାୟ ନାହିଁ ଏ ଘରେ । ହେ ଭଗବାନ୍...କାହିଁକି...ଛି । ଅନେକ କ୍ଷଣପରେ ରବୀନ୍ଦ୍ରକୁ ସେ ଚାହିଁ କହିଲା, ଆଉ ଭାବୁଚ କଅଣ । ବସା ଛାଡ଼ି ପଳାଇଯିବା ଛଡ଼ା ଆଉ ଉପାୟ ନାହିଁ; କିନ୍ତୁ ସେଥର ଅଜୟ ବାବୁଙ୍କ ଘରକୁ ଏହିପରି ପଳାଇ ଯାଇ ଯେତେ ଖର୍ଚ୍ଚ ହେଲା ଏବଂ ଯାହା ଅପମାନ ପାଇଲି ତ ଜାଣ । କଅଣ କରିବି କହ । ଆଉ ସମୟ ନାହିଁ ଯେ ।

 

ରବୀନ୍ଦ୍ର ହସି କହିଲା, ମୁଁ କହେ, କାହିଁକି ? ଏତେ ଲଜ୍ଜା କାହିଁକି ? ହୁଅନ୍ତୁ ନା ସେ ଧନୀ-। ନିଜର ଅବସ୍ଥା ପ୍ରତି ଏତେ ଘୃଣା କାହିଁକି । ମୁଁ କହୁଚି, ଚାଲ ଏଥର ଯିବା । ତୁମର ଏ ଦୁର୍ବଳତା କେବଳ ନିଜକୁ ପୋଡ଼ୁଛି ସିନା କାହାରି କିଛି କ୍ଷତି କରୁ ନାହିଁ । ଧନୀମାନେ ତ ଶୋଷକ-

 

ତୀବ୍ର ସ୍ୱରରେ ରେଣୁ କହିଲା, ‘ତୁମର ସାମ୍ୟବାଦ ବିଷୟରେ ବକ୍ତୃତା ରଖ ।’

 

ମ୍ଳାନ ଭାବରେ ରବୀନ୍ଦ୍ର କହିଲା, ରାଣି ! ମେ ବୁଝିବ ନାହିଁ ପୁଞ୍ଜିବାଦ କିପରି ସୁଶୃଙ୍ଖଳ ଭାବରେ ଖାଲି ଦୁନିଆର ଦାରିଦ୍ର୍ୟ ବଢ଼ାଉ ନାହିଁ, ଦରିଦ୍ରର ଲୋଭ ମୋହ ବଢ଼ାଇ ତାର ଆତ୍ମାକୁ ମଧ୍ୟ ମାରିଦେଉଚି । ଏ ସଭ୍ୟତାର ଏହା ହିଁ ସବୁଠାରୁ ପୀଡ଼ାଦାୟକ । ଏ ଦୁର୍ବଳତାକୁ ତୁମେ ବଢ଼ିବାକୁ ଦିଅନାହିଁ । ରେଣୁର ହାତ ଧରି ସେ ଉଠାଇ ହସି କହିଲା, କ୍ଷୁଦ୍ର ହୃଦୟ ଦୌର୍ବଲ୍ୟମ୍...

 

ରେଣୁ ବିଦ୍ରୂପର ହସି ହସି ଗାଇଲା, ମୋ ହାତ ଧରି ତୁମେ ନେଇ ଚାଲ ସଖା ମୁହିଁ ଯେ ପଥ ଚିହ୍ନ ନା...କିନ୍ତୁ ଲୁଗା !!! ରେଣୁ ପୁଣି ମୁଣ୍ଡରେ ହାତ ଦେଇ ବସି ପଡ଼ିଲା ।

 

କାହିଁକି ତୁମର ସେହି ସଫା ଶାଢ଼ି, ଯାହାକୁ ପିନ୍ଧିଲେ ତୁମକୁ...

 

—ସ୍ୱର୍ଗର ଅପ୍‍ସରୀ ଭଳି ଦୁଶେ; କିନ୍ତୁ ଏପରି ଶାଢ଼ି ତ ମଲ୍ଲିକାର ଦାସୀମାନେ ବି ପିନ୍ଧନ୍ତି ନାହିଁ ।

 

—ଧନିଲୋକେ ଏବଂ ତାଙ୍କର ଦାସୀ ଚାକର କିପରି ଶାଢ଼ି ଲୁଗା ପିନ୍ଧନ୍ତି, ତାହା ଅନୁସନ୍ଧାନ କରି ସେହି ଆନୁସାରେ ନିଜର ଶାଢ଼ି ଲୁଗାରେ ଖର୍ଚ୍ଚ କରିବି ନା କଅଣ ! ରେଣୁ ଆଉ ସମ୍ଭାଳି ପାରିଲା ନାହିଁ । ତା ଆଖିରୁ ଅଶ୍ରୁ ଅବିରଳ ଝରିବାକୁ ଲାଗିଲା । ରବୀନ୍ଦ୍ର ଗୋଟିଏ ଚୁମ୍ୱନ ଦେବାକୁ ଯାଉଥିଲା । ରେଣୁ ଠେଲିଦେଇ କହିଲା, କାହିଁକି ଯେ ବାପା ମୋ ବେକରେ ପଥର ବାନ୍ଧିଲେ; କି ସୁଖ ମୁଁ ପାଉଚି...ଖାଲି ଦର୍ଶନ ଶୁଣୁଥିବି...

 

ରବୀନ୍ଦ୍ରକୁ ଏପରି ଅନେକ ଥର ଶୁଣିବାକୁ ହୋଇଚି । ଷାଠିଏଟି ଟଙ୍କାର କିରାଣି ସେ । ରେଣୁର ଆଶାନୁରୂପ ବ୍ୟୟ କରିବାକୁ ଗଲେ ଆୟ ଅନ୍ତତଃ ଚାରିଅଙ୍କ ବିଶିଷ୍ଟ ହେବା ଦରକାର । ପିଲା ପଢ଼ାଇ ଓ ଅନ୍ୟାନ୍ୟ ନାନା ଉପାୟ କରି ସୁଦ୍ଧା ରବୀନ୍ଦ୍ର ଆୟ ମାସକୁ ତିନି ଅଙ୍କକୁ ଆଣିପାରେନାହିଁ । ତାର ସମସ୍ତ ଆୟ ରେଣୁର ମନ ମୁତାବକ ଖଣ୍ଡେ ଶାଢ଼ିକୁ ନିଅଣ୍ଟ । ରେଣୁର କଥାରେ ଆଘାତ ପାଇଲେ ବି ରବୀନ୍ଦ୍ର ହସି କହିଲା, ନାରୀର ଯୌନ ପ୍ରକୃତି ତାର ସମସ୍ତ ଦେହ ଓ ମନରେ ବିକ୍ଷିପ୍ତ । ସାମାନ୍ୟ ଗୋଟାଏ ଉପହାର, ଟିକିଏ ଭଲ କଥାରେ ମଧ୍ୟ ତାର ଯୌନ ପ୍ରବୃତ୍ତି ଚରିତାର୍ଥ ହୁଏ । ତୁମର ଆଶା ଓ ଆକାଂକ୍ଷା ମୁଁ ପୂରଣ କରିପାରୁନାହିଁ । ମୁଁ ପରାଜୟ ସ୍ୱୀକାର କରୁଚି । ମୁଁ ବୁଝିପାରୁଛି ଏହିପରି ହତାଶାରେ ବେଶି ଦନ ରହିଲେ, ତୁମେ ଦିନେ ପାଗଳ ହୋଇଯିବ । ଏହାର କାରଣ ଲୋକେ ଯାହା ଭାବନ୍ତୁ ମୁଁ ମର୍ମେ ମର୍ମେ ଅନୁଭବ କରିବି; କିନ୍ତୁ ଉପାୟ କଅଣ ।

 

ତେବେ ବିବାହ କଲ କାହିଁକି ? ରେଣୁ ତାର ସ୍ୱରରେ ବିଷ ମିଶାଇ କହିଲା ।

 

କିନ୍ତୁ ଦେଖିଲତ ଜାତକରେ ତୁମର ଓ ମୋର ରାଜ ଯୋଟକ ପଡ଼ିଥିଲା । ତୁମର ବାପା ଜିଦ୍‍ଧରି ବସିଲେ ଏ ବିବାହ ପାଇଁ—ମୋର ଘୋର ଆପତ୍ତି ସତ୍ତ୍ୱେ ।

 

—କାହିଁକି ତୁମର ଆପତ୍ତି ଥିଲା ଶୁଣେ ?

 

—ତୁମର ଆକାଂକ୍ଷା ସହିତ ମୋର କ୍ଷମତା ଖାପ ଖୁଆଇ ପାରିବି କି ନା ମୋର ଯଥେଷ୍ଟ ସନ୍ଦେହ ଥିଲା ।

 

—ସନ୍ଦେହ ଯଦି ଥିଲା, ତେବେ ଦୟାକରି ବିବାହ ନ କରିବା ଉଚିତ ଥିଲା ।

 

—କିନ୍ତୁ ସୌଭାଗ୍ୟ ବା ଦୁର୍ଭାଗ୍ୟରୁ ତୁମକୁ ଦିନେ ଦେଖି ପକାଇଲି ଏବଂ ପ୍ରଥମ ଦେଖାରେ ହିଁ...ବାସ୍ । ମନର ସେହି ବିମୁଗ୍‍ଧ ଅବସ୍ଥାରେ ମୋର କ୍ଷମତାକୁ ମୁଁ ବହୁଗୁଣ କରି ଦେଖିଲି । ମୋର କ୍ଷମତା ଅବଶ୍ୟ ଅନେକ ଗୁଣ ବଢ଼ିଛି; କାରଣ ମୁଁ ବର୍ତ୍ତମାନ ଲେଖକ...ଯାହା ହେବା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି...କିନ୍ତୁ...ସେ କଥା ବର୍ତ୍ତମାନ ଥାଉ । ସେମାନେ ବର୍ତ୍ତମାନ ଆସିଯିବେ । ମୋ କଥା ମାନ । ନିଜର ପରିଚୟ ଓ ସୌନ୍ଦର୍ଯ୍ୟକୁ ଶାଢ଼ିରେ ରଖନା । ମୟୁରପୁଚ୍ଛଧାରୀ ବୟସର କଥା ଜାଣତ ?

 

—ମୁଁ କଦାପି ସେ ଶାଢ଼ି ପିନ୍ଧି ଯିବି ନାହିଁ । ଆଉ ଯଦି ବା ସେ ଶାଢ଼ି ପିନ୍ଧେ ହାତ ନାକ କାନରେ କଅଣ ପିନ୍ଧିବି ! ରେଣୁ ହତାଶ ଭାବରେ କହିଲା ।

 

ରବୀନ୍ଦ୍ର ଏଥର ମୁଣ୍ଡରେ ହାତ ଦେଇ ବସିବାରୁ ଯାଉଥିଲା ଚୌକି ଉପରେ, ଚମକି ଉଠି ପଡ଼ିଲା । ଏ ସମସ୍ୟା ତାର ବୁଦ୍ଧିର ବାହାରେ । ସନ୍ଧ୍ୟା ହେବାକୁ ଆଉ ବେଶି ବେଳନାହିଁ । ଏହିକ୍ଷଣି ଧନଞ୍ଜୟ ଆସିଯିବ । ସେ ଅସହାୟ ଭାବରେ ରେଣୁ ଆଡ଼କୁ ଅନାଇ ରହିଲା । ରେଣୁର ଅଧରରେ ଟିକିଏ ହସ ଖେଳିଗଲା । ରବୀନ୍ଦ୍ରର ମୁଣ୍ଡରେ ହାତ ବୁଲାଉ ବୁଲାଉ ସେ କହିଲା, ‘ତୁମେ ମୋ କଥା ଏଥର ମାନ । ପଡ଼ିଶା ଘରର ଦୁର୍ଲଭ ବାବୁଙ୍କ ସ୍ତ୍ରୀ ମୋତେ ଭାରି ଭଲ ପାଆନ୍ତି । ମୁଁ ଯାଉଛି ତାଙ୍କର ଶାଢ଼ି ଓ ଗହଣା କେତେଖଣ୍ଡ ମାଗି ଆଣିବି । ତୁମେ କାହିଁକି ଯେ ଏଥିରେ ଆପତ୍ତି କର, ମୁଁ ବୁଝେନା ।’

 

ରବିନ୍ଦ୍ର ଏଥର ବିରକ୍ତ ହୋଇ କହିଲା, ‘କେତେବାର କହିବି ମୟୁର ପୁଚ୍ଛ ଲଗାଇ...’

 

ଏମିତି ସମସ୍ତେ କରନ୍ତି । ରେଣୁ ଅଧୀର ଭାବରେ କହିଲା ।

 

ରବୀନ୍ଦ୍ର କିଛିକ୍ଷଣ ନୀରବରେ ଚାହିଁ ରହିଲା । ରେଣୁ ଉତ୍ସାହ ପାଇ କହିଲା, ‘ଏ ମଧ୍ୟ ତୁମର ଗର୍ବ ଏବଂ ଦାମ୍ଭିକତା ଯେ ଦୁନିଆରେ ଆଉ କାହାରି ସାହାଯ୍ୟ ନେବ ନାହିଁ ।’

 

ତୁମର ଯାହା ଇଚ୍ଛା କର । ଏଥର ନିମନ୍ତ୍ରଣ ରକ୍ଷା ନ କରିବା ମୋତେ ଭଲ ଲାଗୁନାହିଁ ।

 

ଦୁର୍ଲଭ ବାବୁ ଘର ଘଡ଼ିରେ ଢଂ ଢଂ ଛ’ଟା ବାଜିଲା । ରେଣୁ ବ୍ୟସ୍ତ ହୋଇ ତାଙ୍କ ଘରକୁ ଦୌଡ଼ିଗଲା ଏବଂ କିଛି ସମୟ ପରେ ଆଣିଲା ଖଣ୍ଡେ ବହୁମୂଲ୍ୟ ବନାରସୀ ଶାଢ଼ି ଓ ଅନେକଗୁଡ଼ିଏ ଗହଣା । ରବୀନ୍ଦ୍ର ପୂର୍ବପରି ତଳକୁ ମୁଁହ ପୋତି ବସି ରହିଥିଲା । ରେଣୁ ନୃତ୍ୟର ଛନ୍ଦରେ ଦୌଡ଼ି ଆସି ରବୀନ୍ଦ୍ରକୁ ଠେଲି ଦେଇ କହିଲା, କାହିଁକି ମିଛରେ ଭାବୁଚ । ଦେଖ ଏ ଶାଢ଼ି ମୋତେ କେମିତି ମାନୁଚି । ପ୍ରଶଂସା ଆଶାରେ ରେଣୁ ଶାଢ଼ିଟି ତାର ଉନ୍ନତ ବକ୍ଷ ଦେଶରୁ ଲମ୍ୱାଇ ଦେଲା । ରବୀନ୍ଦ୍ର ଶୂନ୍ୟ ଦୃଷ୍ଟିରେ ଚାହିଁରହି କହିଲା, ‘ବାଃ, ବେଶ୍ ।’

 

ଦୂରରେ ମୋଟର ଆସିବାର ଶବ୍ଦ ଶୁଣାଗଲା । ରେଣୁ ଚମକି ପଡ଼ି ଅତିଶୀଘ୍ର ଶାଢ଼ିଟି ଗୋଟିଏ ଟ୍ରଙ୍କ ଭିତରେ ଏବଂ ଗହଣାଗୁଡ଼ିକ ଗୋଟିଏ ବାକ୍ସ ଭିତରେ ରଖିଦେଲା ।

 

ରବୀନ୍ଦ୍ର ସେହିପରି ଶୂନ୍ୟ ଦୃଷ୍ଟିରେ ଚାହିଁ ରହି କହିଲା, ‘କୁନି ଉଠିଲାଣି’ ତାକୁ କଅଣ କରିବ ?

 

ତାକୁ ଦୁର୍ଲଭ ବାବୁଙ୍କ ଘରେ ରଖିଦେଇ ଯିବି । ରେଣୁ ବ୍ୟସ୍ତ ହୋଇ କୁନିକୁ ଶୁଆଇ ଦେବାକୁ ଗଲା । କୁନିର ବୟସ ବର୍ଷେ । ସେ ଟିକିଏ କାନ୍ଦି ପୁଣି ଶୋଇପଡ଼ିଲା ।

 

କାରଣ ଲୋକେ ଯାହା ଭାବନ୍ତୁ ମୁଁ ମର୍ମେ ମର୍ମେ ଅନୁଭବ କରିବି; କିନ୍ତୁ ଉପାୟ କଅଣ-

 

ତେବେ ବିବାହ କଲ କାହିଁକି ? ରେଣୁ ତାର ସ୍ୱରରେ ବିଷ ମିଶାଇ କହିଲା ।

 

କିନ୍ତୁ ଦେଖିଲତ ଜାତକରେ ତୁମର ଓ ମୋର ରାଜ ଯୋଟକ ପଡ଼ିଥିଲା । ତୁମର ବାପା ଜିଦ୍ଧରି ବସିଲେ ଏ ବିବାହ ପାଇଁ—ମୋର ଘୋର ଆପତ୍ତି ସତ୍ତ୍ୱେ ।

 

—କାହିଁକି ତୁମର ଆପତ୍ତି ଥିଲା ଶୁଣେ ?

 

—ତୁମର ଆକାଂକ୍ଷା ସହିତ ମୋର କ୍ଷମତା ଖାପ ଖୁଆଇ ପାରିବି କି ନା ମୋର ଯଥେଷ୍ଟ ସନ୍ଦେହ ଥିଲା ।

 

—ସନ୍ଦେହ ଯଦି ଥିଲା, ତେବେ ଦୟାକରି ବିବାହ ନ କରିବା ଉଚିତ ଥିଲା ।

 

—କିନ୍ତୁ ସୌଭାଗ୍ୟ ବା ଦୁର୍ଭାଗ୍ୟରୁ ତୁମକୁ ଦିନେ ଦେଖି ପକାଇଲି ଏବଂ ପ୍ରଥମ ଦେଖାରେହିଁ...ବାସ୍ । ମନର ସେହି ବିମୁଗ୍‍ଧ ଅବସ୍ଥାରେ ମୋର କ୍ଷମତାକୁ ମୁଁ ବହୁଗୁଣ କରି ଦେଖିଲି । ମୋର କ୍ଷମତା ଅବଶ୍ୟ ଅନେକ ଗୁଣ ବଢ଼ିଛି; କାରଣ ମୁଁ ବର୍ତ୍ତମାନ ଲେଖକ...ଯାହା ହେବା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି...କିନ୍ତୁ...ସେ କଥା ବର୍ତ୍ତମାନ ଥାଉ । ସେମାନେ ବର୍ତ୍ତମାନ ଆସିଯିବେ । ମୋ କଥା ମାନ । ନିଜର ପରିଚୟ ଓ ସୌନ୍ଦର୍ଯ୍ୟକୁ ଶାଢ଼ିରେ ରଖନା । ମୟୁରପୁଚ୍ଛଧାରୀ ବାୟସର କଥା ଜାଣତ ?

 

—ମୁଁ କଦାପି ସେ ଶାଢ଼ି ପିନ୍ଧି ଯିବି ନାହିଁ । ଆଉ ଯଦି ବା ସେ ଶାଢ଼ି ପିନ୍ଧେ ହାତ ନାକ କାନରେ କଅଣ ପିନ୍ଧିବି ! ରେଣୁ ହତାଶ ଭାବରେ କହିଲା ।

 

ରବୀନ୍ଦ୍ର ଏଥର ମୁଣ୍ଡରେ ହାତ ଦେଇ ବସିବାକୁ ଯାଉଥିଲା ଚୌକି ଉପରେ, ଚମକି ଉଠି ପଡ଼ିଲା । ଏ ସମସ୍ୟା ତାର ବୁଦ୍ଧିର ବାହାରେ । ସନ୍ଧ୍ୟା ହେବାକୁ ଆଉ ବେଶି ବେଳନାହିଁ । ଏହିକ୍ଷଣି ଧନଞ୍ଜୟ ଆସିଯିବ । ସେ ଅସହାୟ ଭାବରେ ରେଣୁ ଆଡ଼କୁ ଅନାଇ ରହିଲା । ରେଣୁର ଅଧରରେ ଟିକିଏ ହସ ଖେଳିଗଲା । ରବୀନ୍ଦ୍ରର ମୁଣ୍ଡରେ ହାତ ବୁଲାଉ ବୁଲାଉ ସେ କହିଲା, ‘ତୁମେ ମୋ କଥା ଏଥର ମାନ । ପଡ଼ିଶା ଘରର ଦୁର୍ଲଭ ବାବୁଙ୍କ ସ୍ତ୍ରୀ ମୋତେ ଭାରି ଭଲ ପାଆନ୍ତି । ମୁଁ ଯାଉଛି ତାଙ୍କର ଶାଢ଼ି ଓ ଗହଣା କେତେଖଣ୍ଡ ମାଗି ଆଣିବି । ତୁମେ କାହିଁକି ଯେ ଏଥିରେ ଆପତ୍ତି କର, ମୁଁ ବୁଝେନା ।’

 

ରବିନ୍ଦ୍ର ଏଥର ବିରକ୍ତ ହୋଇ କହିଲା, ‘କେତେବାର କହିବି ମୟୁର ପୁଚ୍ଛ ଲଗାଇ...’

 

ଏମିତି ସମସ୍ତେ କରନ୍ତି । ରେଣୁ ଅଧୀର ଭାବରେ କହିଲା ।

 

ରବୀନ୍ଦ୍ର କିଛିକ୍ଷଣ ନୀରବରେ ଚାହିଁ ରହିଲା । ରେଣୁ ଉତ୍ସାହ ପାଇ କହିଲା, ‘ଏ ମଧ୍ୟ ତୁମର ଗର୍ବ ଏବଂ ଦାମ୍ଭିକତା ଯେ ଦୁନିଆରେ ଆଉ କାହାରି ସାହାଯ୍ୟ ନେବ ନାହିଁ ।’

 

ତୁମର ଯାହା ଇଚ୍ଛା କର । ଏଥର ନିମନ୍ତ୍ରଣ ରକ୍ଷା ନ କରିବା ମୋତେ ଭଲ ଲାଗୁନାହିଁ ।

 

ଦୁର୍ଲଭ ବାବୁ ଘର ଘଡ଼ିରେ ଢିଂ ଢଂ ଛ’ଟା ବାଜିଲା । ରେଣୁ ବ୍ୟସ୍ତ ହୋଇ ତାଙ୍କ ଘରକୁ ଦୌଡ଼ିଗଲା ଏବଂ କିଛି ସମୟ ପରେ ଆଣିଲା ଖଣ୍ଡେ ବହୁମୂଲ୍ୟ ବନାରସୀ ଶାଢ଼ି ଓ ଅନେକଗୁଡ଼ିଏ ଗହଣା । ରବୀନ୍ଦ୍ର ପୂର୍ବପରି ତଳକୁ ମୁହଁ ପୋତି ବସି ରହିଥିଲା । ରେଣୁ ନୃତ୍ୟର ଛନ୍ଦରେ ଦୌଡ଼ି ଆସି ରବୀନ୍ଦ୍ରକୁ ଠେଲି ଦେଇ କହିଲା, କାହିଁକି ମିଛରେ ଭାବୁଚ । ଦେଖ ଏ ଶାଢ଼ି ମୋତେ କେମିତି ମାନୁଚି । ପ୍ରଶଂସା ଆଶାରେ ରେଣୁ ଶାଢ଼ିଟି ତାର ଉନ୍ନତ ବକ୍ଷ ଦେଶରୁ ଲମ୍ୱାଇ ଦେଲା । ରବୀନ୍ଦ୍ର ଶୂନ୍ୟ ଦୃଷ୍ଟିରେ ଚାହିଁରହି କହିଲା, ‘ବାଃ, ବେଶ୍ ।’

 

ଦୂରରେ ମୋଟର ଆସିବାର ଶବ୍ଦ ଶୁଣାଗଲା । ରେଣୁ ଚମକି ପଡ଼ି ଅତିଶୀଘ୍ର ଶାଢ଼ିଟି ଗୋଟିଏ ଟ୍ରଙ୍କ ଭିତରେ ଏବଂ ଗହଣାଗୁଡ଼ିକ ଗୋଟିଏ ବାକ୍ସ ଭିତରେ ରଖିଦେଲା ।

 

ରବୀନ୍ଦ୍ର ସେହିପରି ଶୂନ୍ୟ ଦୃଷ୍ଟିରେ ଚାହିଁ ରହି କହିଲା, ‘କୁନି ଉଠିଲାଣି’ ତାକୁ କଅଣ କରିବ ?

 

ତାକୁ ଦୁର୍ଲଭ ବାବୁଙ୍କ ଘରେ ରଖିଦେଇ ଯିବି । ରେଣୁ ବ୍ୟସ୍ତ ହୋଇ କୁନିକୁ ଶୁଆଇ ଦେବାକୁ ଗଲା । କୁନିର ବୟସ ବର୍ଷେ । ସେ ଟିକିଏ କାନ୍ଦି ପୁଣି ଶୋଇପଡ଼ିଲା ।

 

ଧନଞ୍ଜୟ ବାବୁଙ୍କ ସ୍ୱର ବାହାରେ ଶୁଣାଗଲା; କଟକରେ ଏମିତି ଜାଗା ବି ଅଛି ! ! ସାବଧାନ, ସେଠି ନର୍ଦ୍ଦମାଟା । ଏଠି ଏମାନେ ଥାଆନ୍ତି କିପରି !!!

 

—ଆସ୍ତେ, ଅପା ଶୁଣିବ । ମଲ୍ଲିକା ବାଧାଦେଇ କହିଲା ।

 

—ରବିନ୍ଦ୍ର ବାବୁ ।

 

—ଅପା ।

 

—ରେଣୁ ଡିବିରି ଧରି ବାହାରି ଆସିଲା ।

 

ମଲ୍ଲିକା ଅଧୀର ଭାବରେ କହିଲା, ‘କିଲୋ ଅପା, ତୋ କାମ ସରିନାହିଁ ! ! ଶୀଘ୍ର କାମ ସାର । ଆହୁରି କେତେ ଜାଗାକୁ ଯିବାକୁ ହେବ । ସମସ୍ତେ ଘର’ ଭିତରକୁ ଗଲେ । ମଲ୍ଲିକା ପିନ୍ଧିଚି ଖଣ୍ଡେ ବହୁମୂଲ୍ୟ ଶାଢ଼ି । ଦେହର ସବୁ ସମ୍ଭବ ଅସମ୍ଭବ ସ୍ଥାନ ବହୁମୂଲ୍ୟ ଗହଣାରେ ପୂର୍ଣ୍ଣ । ଗୋଡ଼ରେ ହାଇ ହିଲ୍ ଜୋତା । ଧନଞ୍ଜୟ ବାବୁ ପିନ୍ଧିଛନ୍ତି ବହୁମୂଲ୍ୟ ଧୋତି ଓ ପଞ୍ଜାବୀ । ହାତରେ ଧରା ହୋଇଚି ପାଇପ୍ । ରେଣୁ ମ୍ଳାନ ଭାବରେ ଥରେ ରବୀନ୍ଦ୍ରକୁ ଚାହିଁଲା । ରବୀନ୍ଦ୍ର ଟିକିଏ ହସିଲା-। ଧନଞ୍ଜୟ ବାବୁ ଚୌକି ଉପରେ ବସି ପଡ଼ିଲେ । ରେଣୁ ଦୌଡ଼ିଯାଇ ଚୌକି ପଛରେ ଛିଡ଼ା ହୋଇ ରହିଲା ।

 

—ଅପା, ତୁ ଆଉ ଛିଡ଼ା ହନା, ଜଲଦି ଯା ।

 

ହଉ ଯାଉଚି । ଟିକିଏ ବସ୍ । ଘୋଡ଼ାରେ ଚଢ଼ି ଆସିଚୁନା କଅଣ ।

 

—ବେଳ ନାହିଁ । କଲିକତାରୁ ସନ୍ଦେଶ ଆସିଲା କି ନା, ମାଣିକ ପାଟଣାରୁ ଦହି ଆସିଲା କି ନା, ପୁଣି କଲେକ୍ଟର ଓ ଚିଫ୍ ସେକ୍ରେଟେରୀଙ୍କ ସ୍ତ୍ରୀମାନଙ୍କୁ ଆଣିବାକୁ ହେବ । ମଲ୍ଲିକା ରେଣୁକୁ ଠେଲିବାକୁ ଲାଗିଲା । ଶୀଘ୍ର ଲୁଗାପଟା ପିନ୍ଧି ଆସିବାକୁ । ରେଣୁ ଭୟରେ ଆଖି ବଡ଼ ବଡ଼ କରି ବ୍ୟାକୁଳ ଭାବରେ ରବୀନ୍ଦ୍ର ଆଡ଼େ ଅନାଇ ରହିଲା । ରବୀନ୍ଦ୍ର ଟିକିଏ ହସି ଚୌକିଟିକୁ ଧରି ଛିଡ଼ାହେଲା ।

 

ରେଣୁ ଅଳ୍ପ ସମୟପରେ ଶାଢ଼ି ବଦଳାଇ ଗହଣା ପିନ୍ଧି ଆସିଲା ।

 

—ଅପା, ତୋତେ ଆଜି କି ସୁନ୍ଦର ଦିଶୁଛି । ଏ ଗହଣା, ଶାଢ଼ି କେବେ କଲୁ ?

 

—ମନେ ନାହିଁ । ସେ କିଣି ଆଣିଛନ୍ତି । ଭାରିତ ଶାଢ଼ି ଗହଣା !

 

—ବା । ପସନ୍ଦ ଅଛି ଏଙ୍କର ମାନିବାକୁ ହେବ । କିହୋ ସନ୍ନ୍ୟାସୀ, ବିବାହ ହେବାକୁ ତ ମନା କରୁଥିଲ । ଏ କଅଣ !

 

ରବୀନ୍ଦ୍ର କିଛି ସମୟ ଅବାକ୍ ହୋଇ ଚାହିଁ ରହି କହିଲା, ତୁମ୍ଭମାନଙ୍କର ଯେଉଁ ମୂନୀଟଳା ରୂପ ! ମୁଁ ତ ଛାର......

 

—ବୁଝିଲ ତ ଏଥର

 

—ମର୍ମେ ମର୍ମେ

 

—ହଉ ଯାଅ, ଲୁଗା ଛାଡ଼ି ଆସ

 

ରବୀନ୍ଦ୍ର ଚୌକିଟି ଛାଡ଼ି ଚାଲି ଯାଉଥିଲା । ରେଣୁ ଶୀଘ୍ର ଯାଇ ଚୌକି ପଛରେ ଛିଡ଼ା ହେଲା ।

 

ରବୀନ୍ଦ୍ର ଅନ୍ୟ ଘରକୁ ଯାଇ ନିଶ୍ଚଳ ଭାବରେ ଛିଡ଼ା ହୋଇ ରହିଲା । ରେଣୁର ଶାଢ଼ି ଗହଣାକୁ ଖାପ ଖୁଆଇ ସେ ପିନ୍ଧିବ କଅଣ ! ଲୁଗା ଧୋବା ଏ ପର୍ଯ୍ୟନ୍ତ ଦେଇ ନାହିଁ । ସବୁଠାରୁ ଭଲ ଅଛି ତା’ର ଖଣ୍ଡେ ସଫା ମୋଟ ପଞ୍ଜାବୀ ଓ ଖଣ୍ଡେ ଅଧମଇଳା ଲୁଗା ।

 

ଟିକିଏ ଏ ଘରକୁ ଆସିବ କି ? ରବୀନ୍ଦ୍ର ଅଧୀର ଭାବରେ ରେଣୁକୁ ଡାକିଲା ।

 

ତୁମେ ଯାହା ପାଉଛ ଶୀଘ ପିନ୍ଧି ଆସ । ରେଣୁ ନ ଯାଇ କହିଲା । ରେଣୁ ଆସି ନ ପାରିବାର କାରଣ ବୁଝିପାରି ପୁଣି ଥରେ ହସିଲା ଏବଂ ସେହି ସଫା ମୋଟ ପଞ୍ଜାବୀ ଓ ଅଧମଇଳା ଲୁଗା ପିନ୍ଧି ବାହାରି ଆସିଲା । ରେଣୁ ତଳକୁ ମୁହଁ ପୋତି ଛିଡ଼ା ହେଲା ।

 

ସମସ୍ତେ ବାହାରିଲେ । ମଲ୍ଲିକା ପଚାରିଲା, ଅପା, କୁନି ?

 

—ଇଲୋ ବୋଉ, ତା କଥା ମନେ ନାହିଁ । ଟିକିଏ ଅପେକ୍ଷା କର ମୁଁ ତାକୁ ଦୁର୍ଲଭ ବାବୁଙ୍କ ସ୍ତ୍ରୀଙ୍କୁ ଦେଇ ଆସେ ।

 

—ସେ ଉଠିଲେ ତ ତୋ ଛଡ଼ା ଆଉ କାହା ପାଖରେ ରହିବ ନାହିଁ । ତାକୁ ନେଇ ଚାଲୁନୁ ।

 

–ନା ସେ ଏଇକ୍ଷଣି ଅନେକ ବେଳ ଯାଏ ଶୋଇବ । ଉଠିଲେ ମୋ ପାଖକୁ ପଠାଇ ଦେବାକୁ କହି ଆସିବି । ତା ଦେହ ଖରାପ ଅଛି । ନନେଲେ ଭଲ ହେବନି ।

 

ସମସ୍ତେ ମଟରରେ ବସିଲେ । ଆଜି ମଲ୍ଲିକାର ବିବାହ ବାତ୍ସରିକ । କଟକର ସବୁ ଧନୀ ମାନୀ ବ୍ୟକ୍ତି ନିମନ୍ତ୍ରିତ । ଘରଟି ବିଜୁଳି ଆଲୁଅ ଓ ବହୁମୂଲ୍ୟ ପଦାର୍ଥରେ ସଜା ହୋଇଚି । ରେଣୁ ଭାବେ ତାର ଜୀବନର ପାଞ୍ଚୋଟି ବିବାହ ବାତ୍ସରିକ ଗଲାଣି, ଗୋଟିଏ ସାମାନ୍ୟ ଉପହାର ସୁଦ୍ଧା ସେ ରବୀନ୍ଦ୍ର ପାଖରୁ ପାଇନାହିଁ । ଗୋଟିଏ ଦୀର୍ଘ ନିଃଶ୍ୱାସ ତାର ଅଜାଣତରେ ବାହାରି ଆସିଲା ।

 

ଗୋଟିଏ ଘରେ ଗୋଟିଏ ବଡ଼ ଟେବୁଲ ଉପରେ ଅତିଥିମାନେ ଦେଇଥିବା ନାନା ଜାତିର ବହୁମୂଲ୍ୟ ଉପହାର ସଜା ହୋଇ ରହିଚି । ମଲ୍ଲିକା ସଗର୍ବେ ଉପହାରଗୁଡ଼ିକ ରେଣୁକୁ ଦେଖାଉଛି । ରବୀନ୍ଦ୍ର ନୀରବରେ ସେମାନଙ୍କୁ ଅନୁସରଣ କରୁଛି । ହଠାତ୍ ଘରର ଫାଟକ ପାଖରେ ତୀବ୍ର ସ୍ୱରରେ ଶିଶୁର କ୍ରନ୍ଦନ ଶୁଣାଗଲା । ରେଣୁ ଚମକି ପଡ଼ି କହିଲା, ବୋଉଲୋ, କୁନି ଉଠିଛି ।’ ଖାଇଲା ସେ ମୋତେ । ମୋତେ ନ ଦେଖିପାରି ନିଶ୍ଚୟ ତାର ରାଗ ବଢ଼ିଛି ।

 

ରେଣୁ ବାହାରକୁ ଦୌଡ଼ି ଆସିଲା । ଦୁର୍ଲଭ ବାବୁଙ୍କ ସ୍ତ୍ରୀ ରେଣୁକୁ କୁନିକୁ ଦେଇ ଚାଲିଗଲେ ।

 

କିନ୍ତୁ କୁନି କୌଣସି ପ୍ରକାରେ ମା’ କୋଳରେ ରହିଲା ନାହିଁ । ଥରେ ମାତ୍ର ମା ଆଡ଼କୁ ଚାହିଁ ଭୟରେ ଆଖି ବୁଜି ଦେଇ ଅଧିକ ତୀବ୍ର ସ୍ୱରରେ କାନ୍ଦିବାକୁ ଲାଗିଲା ଏବଂ ବ୍ୟାକୁଳ ଭାବରେ କାହାକୁ ଖୋଜିବାକୁ ଲାଗିଲା । ରବୀନ୍ଦ୍ର କୁନିକୁ କୋଳକୁ ନେବାକୁ ଚେଷ୍ଟାକଲା; କିନ୍ତୁ ବାପା ପାଖକୁ ମଧ୍ୟ ଯିବାକୁ ନାରାଜ । ଏ ଅଭୂତ କ୍ରନ୍ଦନ ଶୁଣି ଘରର ସମସ୍ତେ ସେଠି ରୁଣ୍ଡ ହେଲେ । କୁନି କେବଳ ଭୟରେ ସମସ୍ତଙ୍କୁ ଥରେ ଚାହେଁ ଏବଂ କାହାକୁ ଯେପରି ନ ପାଇ ଅଧିକ ଜୋରରେ କାନ୍ଦିବାକୁ ଆରମ୍ଭ କରେ । ରେଣୁ ଯେତେ ଚେଷ୍ଟା କରେ ନିଜକୁ ଦେଖାଇବାକୁ, କୁନି ଆଉ ଫେରି ଥରେ ବି ସୁଦ୍ଧା ଚାହେଁ ନାହିଁ । ମଲ୍ଲିକା ତାକୁ କୋଳକୁ ନେଇ ନାନା ପ୍ରକାର ଖେଳଣା ଦେଇ ଭୁଲାଇବାକୁ ଚେଷ୍ଟା କରେ । ମୂଲ୍ୟବାନ୍ ଖେଳଣା ସବୁ କୁନି ଅନାଦରରେ ଫିଙ୍ଗିଦିଏ । ଗୋଟିଏ ଦାସୀ ବିଦ୍ରୂପ କରି କହିଲା, ‘ତାର ଏ ସବୁ ଖେଳଣା ପସନ୍ଦ ହେଉନି ।’ ରେଣୁ ରାଗରେ ତାକୁ ଚାହିଁ ରହିଲା । ଦାସୀ ମୁହଁ ମୋଡ଼ି ଚାଲିଗଲା । ମଲ୍ଲିକା କୁନିକୁ କୋଳକୁ ନେଇ ଘରର ନାନା ମୂଲ୍ୟବାନ ପଦାର୍ଥ ଦେଖାଇ ଭୁଲାଇବାକୁ ଚେଷ୍ଟା କରେ । କୁନି ଅବଜ୍ଞାରେ ସେ ସବୁ ଥରେ ଦେଖେ ବି ନାହିଁ । ତାର ସୁନ୍ଦର ଆଖିଯୋଡ଼ିକ କେବଳ ଅଧୀର ଭାବରେ କାହାକୁ ଖୋଜେ । କ୍ରମେ କ୍ରମେ କୁନିର କ୍ରନ୍ଦନ ଅସହ୍ୟ ହେବାକୁ ଲାଗିଲା । ମନେହେଲା ତାର ହୃଦ୍‍ଯନ୍ତ୍ର ହଠାତ୍ ବନ୍ଦ ହୋଇଯିବ । ରେଣୁ ଆତଙ୍କରେ କୁନିକୁ କୋଳକୁ ଟାଣିନେଲା ।

 

ଗୋଟିଏ ଦାସୀ କହିଲା, ‘ସେ ତା’ ବୋଉକୁ ଚିହ୍ନି ପାରୁନି ମ ।’

 

ରେଣୁ ଧମକ ଦେଇ କହିଲା, ଚୁପ୍ କର । ଚିହ୍ନିବ ନାହିଁ କାହିଁକି ? କଅଣ ଗୋଟାଏ ଜିଦ୍ ଧରିଛି ସେ ।’

 

ଦାସୀ କହିଲା, ‘ମା’ ମୁଁ କହୁଛି ତୁମେ ଶାଢ଼ି ବଦଳାଇ ଖଣ୍ଡେ ଅଧାମଇଳା ଶାଢ଼ି ପିନ୍ଧି, ଗହଣାଗୁଡ଼ିକ ଖୋଲି ପକାଅ । ସେ ତୁମକୁ ଚିହ୍ନିବ ।’

 

ରେଣୁ ଲଜ୍ଜା ଓ କ୍ରୋଧରେ ତାକୁ ଅନାଇ ରହିଲା । ତାର ସମସ୍ତ କ୍ରୋଧ ପଡ଼ିଲା କୁନି ଉପରେ । ଗୋଟିଏ ଚାପୁଡ଼ାରେ କୁନି ଏକଦମ୍ ନୀରବ ହୋଇଗଲା । ତାର ହାତ ଗୋଡ଼ ସବୁ କଠିନ ହୋଇଗଲା । ହାତ ମୁଠାକରି ସେ ରେଣୁର କୋଳରେ ଢଳି ପଡ଼ିଲା । ରେଣୁ ଅଧୀର ହୋଇ ଚିତ୍କାର କରି ଉଠିଲା ଇଲୋ ବୋଉ ମୁଁ କଅଣ କରିବି, ଏ କଅଣ ହେଲା ।

 

ସମସ୍ତେ ଦୌଡ଼ି ଯାଇ ପାଣି ଆଣି କୁନିର ମୁହଁରେ ଛାଟିଲେ । ଅଳ୍ପ ସମୟ ପରେ କୁନି ଆଖି ମେଲି ରେଣୁ ଆଡ଼େ ଚାହିଁଲା ଏବଂ ପୁଣି ଅତି ଭୟରେ ଆଖି ବନ୍ଦକରି କାନ୍ଦିବାକୁ ଲାଗିଲା । ସେହି ଦାସୀ କହିଲା, ‘ତୁମେ ମା’ ହୋଇ ଏତିକି ବୁଝିପାରୁନା, ସେ ତୁମକୁ ଚିହ୍ନିପାରୁନି । କେବେ ତୁମକୁ ଏ ସବୁ ପିନ୍ଧିବାର ଦେଖିନାହିଁ ବୋଲି ।’

 

ଅଗତ୍ୟା ତାହା ହିଁ କରିବାକୁ ହେଲା; କିନ୍ତୁ ମଲ୍ଲିକା ଘରେ ଅଧମଇଳା ଶାଢ଼ି ମିଳିଲାନାହିଁ-। ରବୀନ୍ଦ୍ର ଘରକୁ ଯାଇ ରେଣୁର ଖଣ୍ଡେ ଶାଢ଼ି ଆଣିଲା । ରେଣୁ ଲଜ୍ଜା, କ୍ରୋଧ ଓ ଅଭିମାନ ଦମନ କରି ଖଣ୍ଡ ଖଣ୍ଡ କରି ଗହଣା କାଢ଼ି ତାର ଅଧମଇଳା ଶାଢ଼ି ପିନ୍ଧିଲା । ମଲ୍ଲିକା ରେଣୁକୁ ଦେଖାଇ କହିଲା, ‘ଟୋକି ତୋ ବୋଉ—ଦେଖେ ।’ କୁନି ମା’ କୋଳକୁ ଡେଇଁପଡ଼ି ମୁହଁ ଲୁଚାଇଦେଲା-। ସମସ୍ତେ ନିଃଶ୍ୱାସ ମାରିଲେ ।

 

ରେଣୁ ସେହି ଯେ ତଳକୁ ମୁହଁ ପୋଥି ରହିଲା, ଆଉ ଅନାଇଲା ନାହିଁ । ମଲ୍ଲିକାର ଅନୁରୋଧରେ ସେ ଟିକିଏ ଖାଇ ଶୀଘ୍ର ଘରକୁ ଫେରିଆସିଲା ଏବଂ କୁନିକୁ ଫୋପାଡ଼ି ଦେଇ ସଶବ୍ଦେ ଖଟ ଉପରେ ଶୋଇପଡ଼ିଲା । ରବୀନ୍ଦ୍ର ସଭୟେ ଦେଖିଲା ନିଃଶବ୍ଦ କ୍ରନ୍ଦନରେ ତାର ସମସ୍ତ ଦେହ ଥରିଉଠୁଛି । ସେ ସ୍ନେହରେ ତାର ପିଠିରେ ହାତ ବୁଲାଇବାକୁ ଲାଗିଲା । କୁନି ଗୁରୁଣ୍ଡି ଆସି ମା’ କୋଳରେ ମୁହଁ ଲୁଚାଇ ନୀରବରେ ଶୋଇ ରହିଲା । ଅନେକ କ୍ଷଣ ପରେ ରେଣୁ ଉଠି ରବୀନ୍ଦ୍ରକୁ ଚାହିଁଲା ଏବଂ କୁନିକୁ କୋଳକୁ ଟାଣିନେଇ ହସି କହିଲା, ‘ଏ ଟୋକୀ କାହାରି ଛଳନା ରଖିଦେଲା ନାହିଁ । ଭଲ ହୋଇଛି, ଠିକ୍ ହୋଇଛି ।’

★★★

 

ଆଗନ୍ତୁକ

 

ଗଙ୍ଗାଧରଙ୍କ ବୈଠକଖାନାରେ ପ୍ରତ୍ୟହ ଯେପରି ସାନ୍ଧ୍ୟ’ ସମ୍ମିଳନୀ ବସେ, ଆଜି ମଧ୍ୟ ସେମିତି ବସିଛି । ତେବେ ଆଜି ଟିକିଏ ସହଳ ବସିଚି । ସହଳ ବସିବାର ବିଶେଷ କାରଣ ଅଛି । ଗଙ୍ଗାଧର ବିବାହ କରିବା ପରେ ପାଞ୍ଚଟି ଗ୍ରୀଷ୍ମ ଋତୁ ବିତି ଯାଇଥିଲେ ମଧ୍ୟ ସ୍ତ୍ରୀ ପ୍ରତ୍ୟେକ ମାସର ୨୮ ତାରିଖ ଦିନ ନିୟମିତ ଭାବରେ ଋତୁସ୍ନାନ କରିଆସୁଥିଲେ । ପ୍ରତ୍ୟେକ ଋତୁସ୍ନାନ ବେଳେ ଗଙ୍ଗାଧର ଆକ୍ଷେପ କରି କହନ୍ତି, ଓଃ, ପ୍ରକୃତିର ସେ ନିୟମ ଭଙ୍ଗକଲେ । ତା’ପରେ ପ୍ରଥମ ମାସଟି ସ୍ୱାମୀ ସ୍ତ୍ରୀ ଦୁହେଁ ବିଶ୍ୱାସରେ କାଟିଲେ; କିନ୍ତୁ ଯେତେବେଳେ ସ୍ତ୍ରୀ ଦିନେ ସକାଳୁ ଉଠି କହିଲେ ‘ବାନ୍ତି ଲାଗୁଚି’ ସେତେବେଳେ ଗଙ୍ଗାଧର ଆନନ୍ଦରେ ବିଛଣାରେ ପରସ୍ତେ ଗଡ଼ିଗଲେ । ପୁଣି ଦିନେ ଯେତେବେଳେ ଦେଖିଲେ ସ୍ତ୍ରୀ ମାଟି ଖାଉଚନ୍ତି, ସେ ଆଉଥରେ ସେମିତି ଗଡ଼ିଯାଇ ରଘୁବଂଶର ଶ୍ଳୋକଟି ଆବୃତି କଲେ; ‘‘କୌଶଲ୍ୟା ଗର୍ଭବତୀ ଥିବା ଅବସ୍ଥାରେ ମାଟି ଖାଉଥିବାର ଦେଖି ଦଶରଥ ମନେ ମନେ ଭାବୁଥାନ୍ତି, ଏ ସନ୍ତାନ ଦିନେ ଅଖଣ୍ଡ ମୃଣ୍ମୟୀ ପୃଥିବୀର ଅଧୀଶ୍ୱର ହେବ ଜାଣି କୌଶଲ୍ୟା ସନ୍ତାନ ଜନ୍ମ ପୂର୍ବରୁ ମାଟି ସହିତ ପରିଚୟ କରାଇ ଦେଉଛନ୍ତି ।’’ ଦିନକୁ ଦିନ ସ୍ତ୍ରୀଙ୍କ ସୌନ୍ଦର୍ଯ୍ୟ ବଢ଼ିବାକୁ ଲାଗିଲା ଏବଂ ତା ସହିତ ଗଙ୍ଗାଧରଙ୍କ ଆନନ୍ଦ । ଡାକ୍ତର ପରୀକ୍ଷା କରି ପରାମର୍ଶ ଦେଲେ ବିଶ୍ରାମ, ଦୁଧ ଓ ଅଣ୍ଡା । ଘରେ ଗୋଟିଏ ଗାଈ ଓ ପାଞ୍ଚୋଟି କୁକୁଡ଼ା ପାଳିତ ହେଲେ ସେଇଦିନୁ ।

 

ଆଜି ଦିନ ୪ଟା ବେଳେ ସ୍ତ୍ରୀଙ୍କ ସାମାନ୍ୟ ଯନ୍ତ୍ରଣା ଆରମ୍ଭ ହେବା ସାଙ୍ଗେ ସାଙ୍ଗେ ଗଙ୍ଗାଧର ବନ୍ଧୁମାନଙ୍କୁ ସୁସମ୍ୱାଦଟି ଦେଇ ଡାକି ଆଣିଲେ, କେତେବେଳେ କଅଣ ଦରକାର ପଡ଼ିପାରେ ସେଇଥିପାଇଁ ।

 

ଅଧ୍ୟାପକ ପାତଞ୍ଜଳି ଶର୍ମା ଅର୍ଦ୍ଧ-ନିମୀଳିତ ନୟନରେ କହିଲେ, ‘ଆହେ ଗଙ୍ଗାଧର, ପାତଞ୍ଜଳି ତାଙ୍କ ଯୋଗଶାସ୍ତ୍ରରେ ‘ପ୍ରତ୍ୟକ୍ଷାନୁମାନାଗମଃ । ପ୍ରମାଣାନି’, କହିଛନ୍ତି । ଅର୍ଥାତ କୌଣସି ବିଷୟରେ ସତ୍ୟତା ନିରୂପଣ ପାଇଁ ତିନି ପ୍ରକାର ପ୍ରମାଣ ଅଛି । ପ୍ରତ୍ୟକ୍ଷଜ୍ଞାନ, ଅନୁମାନ ଏବଂ ଜ୍ଞାନିଜନମାନଙ୍କ ସିଦ୍ଧାନ୍ତ । ଜଣେ ଆଧୁନିକ ପ୍ରାଣିତତ୍ତ୍ୱବିତ୍ କହନ୍ତି, Motherhood is a fact, Fatherhood is a theory only, ଅର୍ଥାତ୍ ମାତୃତ୍ୱ ପ୍ରତ୍ୟକ୍ଷୀଭୂତ ବିଷୟ; କିନ୍ତୁ ପିତୃତ୍ୱ ନିଛକ ଅନୁମାନ ମାତ୍ର । ପୁଣି ଆଧୁନିକ ଯୁଗରେ ସେ ଅନୁମାନ ମଧ୍ୟ ଆହୁରି ଦୁର୍ବଳ ହୋଇଯାଇଚି । ଅତଏବ ତୁମେ ଏ ଦୁର୍ବଳ ଆନୁମାନିକ ସତ୍ୟ ଉପରେ ନିର୍ଭର କରି ଏତେ ଆନନ୍ଦିତ ହେଉଛ ?

 

ଲିଙ୍ଗରାଜ ଟିହାଇବାପାଇଁ ଶ୍ଳୋକ ବୋଲିଲେ, ‘‘କା ତବ କାନ୍ତା, କସ୍ତେ ପୁତ୍ରଃ, ସଂସାରୋୟମତୀବ ବିଚିତ୍ରଃ ।’’ ଭୋ ଭୋ ଗଙ୍ଗାଧର ତୁମର ଆନନ୍ଦ ହେବା ଉଚିତ ନୁହଁ, ଉଚିତ ନୁହଁ, ଉଚିତ ନୁହଁ । ତୁମେ ଏ ମୋହ.....

 

ଉଚିତ ନୁହଁ ? ଡାକ୍ତର ଦାଶ—ପ୍ରତିରୋଧ କରି କହିଲେ, ଏକୁ ତୁମ ଶାସ୍ତ୍ର କହେ ମୋହ ? ବାଃ ବାଃ ରେ ମୋହମୁଦ୍‍ଗର ! ପ୍ରକୃତିର ଯେଉଁ ଦୁର୍ଲଂଘ୍ୟ ନିୟମାନୁସାରେ ପ୍ରତ୍ୟେକ ପ୍ରାଣୀ ମଧ୍ୟରେ ପ୍ରଜନନ ପାଇଁ ଦୁର୍ବାର ଆବେଗ ଜାତ ହୁଏ, ଏ ଆନନ୍ଦ ସେଇ ନିୟମ ଅନ୍ତର୍ଭୁକ୍ତ । ଆଉ ତୁମେ କହିବ ମୋହ ! ପ୍ରକୃତିର ନିୟମର ତୁମେ କଅଣ ଜାଣ ହେ ଲିଙ୍ଗରାଜ ତ୍ରିପାଠୀ, ସାହିତ୍ୟାଚାର୍ଯ୍ୟ, ବାଣୀଭୂଷଣ, ତର୍କଭୟଙ୍କର ଇତ୍ୟାଦି ଇତ୍ୟାଦି ମିଥ୍ୟା ଓ ବାଜେ ଉପାଧିଧାରୀ ମାଣବକ ?

 

ଲିଙ୍ଗରାଜ ଟିକିଏ ବାଙ୍ଗର । ତେଣୁ ‘ମାଣବକ’ କଥାଟା ତାଙ୍କୁ ବାଧିଲା । ସେ ଚିତ୍କାର କରି କଅଣ ଗୋଟାଏ କହିବାକୁ ଯାଉଥିଲେ; କିନ୍ତୁ ନାଭିଦେଶରୁ ସେ ଶବ୍ଦଯାତ୍ରା ତଣ୍ଟି ପାଖରେ ଅଟକିଗଲା । ସୂତିକା ଗୃହରୁ ଗର୍ଭଯନ୍ତ୍ରଣାର ଚିତ୍କାର ଶୁଭିବାକୁ ଲାଗିଲା ।

 

ଗଙ୍ଗାଧର ବିମର୍ଷଭାବରେ କହିଲେ, ‘ଇସ୍, ମୋପାଇଁ କମଳା କେତେ କଷ୍ଟ ପାଉଚି ସତେ ! ହାୟ, ହାୟ, ମୁଁ ଏ କୁକର୍ମ କାହିଁକି କଲି ? ହେ ଭଗବାନ୍ ! ହେ ଡାକ୍ତର ଟିକିଏ କମାଇ ପାରିବନି ଏ ଯନ୍ତ୍ରଣା ?’

 

ପାତଞ୍ଜଳି କହିଲେ, ହାଇହୋ ଗଙ୍ଗାଧର, ଏହାକୁ ତୁମେ ପାପ କହୁଚ ? ଏ ଯନ୍ତ୍ରଣାପାଇଁ ଅନୁତାପ କରୁଚ ? ସବୁ ମୁକ୍ତିର ମୂଳରେ ଥାଏ ପ୍ରବଳ ଆଲୋଡ଼ନ, ଆନ୍ଦୋଳନ, ସବୁ ସୁଖର ମୂଳରେ ଥାଏ ସାଧନାର ଦୁଃଖ ଯନ୍ତ୍ରଣା, ସବୁ ସୁଶାସନ ନିର୍ଭର କରେ ଦଣ୍ଡ ଦେବାର ନୈତିକ ସାହସିକତା ଉପରେ । ତୁମେ କଅଣ ଶୁକ୍ରାଚାର୍ଯ୍ୟଙ୍କ ଉପଦେଶ ଜାଣିନ ? ସତ୍ୟ ହେଉଚି ଦେହ ରୂପ ବୃକ୍ଷର ପୁଷ୍ପଫଳ; କିନ୍ତୁ ମିଥ୍ୟା ଦେହର ମୂଳ ଏବଂ ମିଥ୍ୟା ଦ୍ୱାରାହିଁ ଦେହରକ୍ଷା ହୋଇଥାଏ । କୃଷ୍ଣ ବାବୁଙ୍କ ଗୀତ ଶୁଣିନ—

 

‘‘ପାପରୂପ କର୍ମ ଫଳେ,

ପୁଣ୍ୟରୂପ ସନ୍ତାନ ମିଳେ ।’’

 

ଯେ ଆଗନ୍ତୁକ ଆସୁଚି, ସେ ପୁଣ୍ୟବାନ୍ ହେଉ । ଆସ ଆଗନ୍ତୁକ ଆସ......

 

ଡାକ୍ତର ଦାଶ ମ୍ଳାନଭାବରେ ହସି କହିଲେ, ମୁଁ ଆଗରୁ କହିଚି ପ୍ରସୂତିକୁ ଦୁଧ ଓ ଅଣ୍ଡା ଖାଇବାକୁ ଦେବାକୁ; କିନ୍ତୁ......ଗଙ୍ଗାଧର ବିମର୍ଷଭାବରେ କହିଲେ, ‘ସେଇଥିପାଇଁ ତ ଗୋଟାଏ ଗାଈ ଓ ତିନୋଟି କୁକୁଡ଼ା ରଖିଲି । ଗାଈ ହେଲେ କିଛି ଦୟା କରୁଚି; କିନ୍ତୁ ପ୍ରାୟ ସବୁଦିନେ କେତେବେଳେ ପଘାରୁ ଫିଟି ତା ଛୁଆକୁ ସବୁ ଦୁଧ ପିଆଇ ଦେଉଚି ! ଗୋଟାଏ ପାଜି ଗାଈ କେଉଁଠୁ ଜୁଟିଲା ମୋ କପାଳକୁ । ପୁଣି ତିନିଟା କୁକୁଡ଼ାରୁ ଗୋଟାଏ ଅଣ୍ଡା ଦେଉଥିଲା ଯେ, ଦୁଇଦିନ କମଳା ଖାଇଚି କି ନାହିଁ, ସାରାଦିନ ସେଟା କୁଆଡ଼େ ଯାଉଚିଯେ ଫେରୁଚି ସନ୍ଧ୍ୟାବେଳକୁ-। ଆଜିକି କେତେ ଦିନ ହେଲାଣି ତା’ର ଦେଖାନାହିଁ......ମୋ କପାଳକୁ......

 

ଅଧ୍ୟାପକ ଦୀର୍ଘନିଃଶ୍ୱାସ ପକାଇ କହିଲେ, ‘ଗଙ୍ଗାଧର’ ଯେଉଁଦିନ ତୁମେ କୁକୁଡ଼ା ଆଣୁଥିଲ, ମୁଁ ସେଇଦିନ କହିଥିଲି ଏଥିରୁ ଗୋଟିଏ ଉଦରସ୍ଥ କରିବାକୁ । ଆହା ପିତାମହ ଭୀଷ୍ମ ସତ୍ୟ ହିଁ କହିଥିଲେ, ମାଂସ ତୁଲ୍ୟ ସରସ ଖାଦ୍ୟ କିଛି ନାହିଁ, ଯୁଧିଷ୍ଠିର ମଧ୍ୟ ସେ କଥା ସ୍ୱୀକାର କରିଥିଲେ । ଅନୁଶାସନ ପର୍ବ ଦ୍ରଷ୍ଟବ୍ୟ ବନ୍ଧୁ...ବର୍ତ୍ତମାନ ହୁଏତ ସେ କୁକୁଡ଼ା ଆଉ କାହାର ଉଦରସ୍ଥ ହୋଇଚି ! ହାୟ, ହାୟ....

 

ଲିଙ୍ଗରାଜ ବାଧା ଦେଇ କହିଲେ, ପାତଞ୍ଜଳି, ତୁମେ କୃଶ ନୁହଁ କି ଦୁର୍ବଳ ନୁହଁ । ହୁଏତ ଇନ୍ଦ୍ରିୟସେବୀ, ହୁଏତ କାହିଁକି, ନିଶ୍ଚୟ; କାରଣ ପ୍ରତ୍ୟେକ ବର୍ଷ ଜନସଂଖ୍ୟା ଏକ ନୁହଁ ମଝିରେ ମଝିରେ ଦୁଇ କରି ବଢ଼ାଉଚ, ଭୀଷ୍ମଦେବ କେବଳ ସେଇ ତିନି ପ୍ରକାର ଲୋକଙ୍କ ପାଇଁ ମାଂସାହାର ନିର୍ଦ୍ଦେଶ ଦେଇ କହିଚନ୍ତି ଯେ ପରମାଂସ ଦ୍ୱାରା ନିଜ ମାଂସ ବୃଦ୍ଧି କରେ, ତା’ଠାରୁ ନିକୃଷ୍ଟ ଓ କ୍ଷୁଦ୍ର କେହି ନାହିଁ ! ସେ କହିଚନ୍ତି, ମାଂସ ଶବ୍ଦର ତାତ୍ପର୍ଯ୍ୟ ମାଂସ ଅର୍ଥାତ୍ ମୋତେ ସଃ କି ସେ ପୂର୍ବଜନ୍ମରେ ଖାଇଚି, ତେଣୁ ତାକୁ ମୁଁ ଖାଇବି !!

 

ଡାକ୍ତର କିନ୍ତୁ ମାଂସ ପ୍ରସଙ୍ଗ ଏଡ଼ାଇ ଯାଇ ତଥ୍ୟ ପ୍ରକାଶ କରିବା ଭଙ୍ଗୀରେ କହିଲେ, ହୁଁ ହୁମ୍, ପାତଞ୍ଜଳି ନିଶ୍ଚୟ ଇନ୍ଦ୍ରିୟସେବୀ । ମୁଁ ଜାଣେ ସେ ଓ ମିସେସ୍....

 

ଛିଦ୍ରାନ୍ୱେଷଣ ତୁମର ବ୍ୟବସାୟ ନୁହଁ ଡାକ୍ତର ପ୍ରକୃତି, ପାତଞ୍ଜଳି କହିଲେ; କିନ୍ତୁ ନିଜ କଥା କହୁନ କାହିଁକି ?

 

ଉହୁଁ, ସେ କଥା ହେବନାହିଁ । ଭୀଷ୍ମଦେବ ମନାକରିଚନ୍ତି, ନିଜର ଛିଦ୍ରଗୋପନ ଓ ପରର ଛିଦ୍ରାନ୍ୱେଷଣ ବିଷୟରେ କଦାପି ସରଳ ହେବନାହିଁ !

 

କମଳାର ଯନ୍ତ୍ରଣା ତୀବ୍ରତର ହେବାକୁ ଲାଗିଲା । ଗଙ୍ଗାଧର ଡାକ୍ତରଙ୍କ ହାତ ଧରି ଅଧୀରଭାବରେ ପ୍ରସୂତି ଗୃହକୁ ଟାଣିବାକୁ ଲାଗିଲେ । ଡାକ୍ତର ବାଧା ଦେଇ କହିଲେ, ‘ଆରେ ବ୍ୟସ୍ତ ହେବାର କିଛି ନାହିଁ, ବସ ଆଉ ଅଳ୍ପ ସମୟ ।’

 

ଲିଙ୍ଗରାଜ ହାତ ଘଡ଼ିକୁ ଚାହିଁ କହିଲେ, ବ୍ୟସ୍ତ ହୁଅନା ଗଙ୍ଗାଧର ! ଆଉ ତେୟାଳିଶ ମିନିଟ ଯାଉ ତା’ ପରେ ପୁତ୍ର ଜନ୍ମିଲେ ରାଜଚକ୍ରବର୍ତ୍ତୀ ହେବ ! ଆଉ ମୁଁ ଗଣନା କରି ଦେଖିଚି ତୁମର ପୁତ୍ରଲାଭ ହେବ । ତା’ପରେ ସେ ଗାଇଲେ—

 

‘‘କୁଳଂ ପବିତ୍ରଂ ଜନୀ କୃତାର୍ଥା,

ବସୁନ୍ଧରା ପୁଣ୍ୟବତୀ ଚ ତେନ ।’’

 

ଏଇ ପୁତ୍ର ସ୍ୱାସ୍ଥ୍ୟବାନ୍ ବିଦ୍ୟାବାନ୍ ହେଇ ଜୀବନ ଯାପନ କରୁ, ପରମବ୍ରହ୍ମରେ ତା’ର ଚିତ୍ତ ଲୀନହେଉ ଏବଂ ତା’ର କୁଳକୁ ପବିତ୍ର କରୁ !!

 

ନା, ନା, ସେ ଆଶୀର୍ବାଦ ଚଳିବନାହିଁ ଏ ଯୁଗରେ; ଡାକ୍ତର ବାଧା ଦେଇ କହିଲେ, ଏ ପୁତ୍ର ଉଚ୍ଚ ରାଜକର୍ମଚାରୀ ହେଉ, ଉନ୍ନୟନ ଯୋଜନା ସବୁ କରିଯାଉ, ଯୋଜନା ଗଦେଇ ଦେଇ ଯାଉ...

 

ଆଉ ଦୁର୍ନୀତିର କ୍ଷେତ୍ର ପ୍ରସ୍ତୁତ କରୁ । ଲିଙ୍ଗରାଜ ବିରକ୍ତ ହୋଇ କହିଲେ, ପରମବ୍ରହ୍ମ ଜ୍ଞାନହିଁ ମନୁଷ୍ୟ ଜୀବନର ଲକ୍ଷ୍ୟ, କୋଟିପତି ହେବା ନୁହଁ କି ପ୍ରଧାନ ମନ୍ତ୍ରୀ ହେବା ନୁହଁ ।

 

କାହିଁକି ? ଯୋଜନାର କି ଦୋଷ ? ଡାକ୍ତର ମଧ୍ୟ ତତୋଽଧିକ ବିରକ୍ତ ହୋଇ ପଚାରିଲେ ।

 

ପ୍ରଚୁର ଋଣ ଆଣି ତାକୁ ଖର୍ଚ୍ଚ କରିବାର ଯେଉଁ ବାଧ୍ୟତାମୂଳକ ଯୋଜନା ତାହା ଦୁର୍ନୀତିମୂଳକ ଯୋଜନା, ଲିଙ୍ଗରାଜ ଦୀର୍ଘନିଃଶ୍ୱାସ ପକାଇ କହିଲେ । ଆଉ କି ବା ଯୋଜନା । ଆମେରିକାରେ, ବିଲାତରେ, ଏମିତି ହେଉଚି, ଅତଏବ ଆମର ବି କରିବା, ଦେଶ-କାଳ-ପାତ୍ରର କୌଣସି ବିଚାର ନ ରଖି ! ଆଉ, ଯୋଜନା ସଫଳ ହେଲେ ମଧ୍ୟ ତାହା ଯଦି ଲୋଭ, ହିଂସା, କ୍ରୋଧ ବଢ଼ାଏ, ତେବେ ଲାଭ ବା କଅଣ ସେ ଯୋଜନାରେ, ଦେଶର ନୈତିକ ବଳ ତ ଭାଙ୍ଗିପଡ଼ୁଚି-। ଦେଶର ନୈତିକ ବଳ ଭାଙ୍ଗିଲେ ବୈଦେଶିକ ନୀତି କେବଳ ହାସ୍ୟାସ୍ପଦ ହେବା ଛଡ଼ା ଆଉ କିଛି ହେବନାହିଁ, ସମସ୍ତେ ବେଖାତିର କରିବେ ।

 

ଡାକ୍ତର କହିଲେ, ‘ଭୀଷ୍ମଦେବ ତୁମର କହିଚନ୍ତି, ରାଜା ସଦାଚାରୀ ହେଲେ ପ୍ରଜାମାନେ ମଧ୍ୟ ତଦ୍ରୂପ ହୁଅନ୍ତି ଓ ଯେ ରାଜା ନିଜକୁ ସଂଯତ ନ କରି ଅନ୍ୟକୁ ଶାସନ କରନ୍ତି, ତାକୁ ସମସ୍ତେ ଉପହାସ କରନ୍ତି । ସେ ଯେତେ ନୀତି, ତ୍ୟାଗ, ସତ ବିଷୟରେ ବଡ଼ ବଡ଼ ବକ୍ତୃତା ଦେଉଥାଏ, ଲୋକେ ତାକୁ ସେତେ ସନ୍ଦେହ କରୁଥାନ୍ତି ।

 

ପାତଞ୍ଜଳି କହିଲେ, ନା, ନା, ଏ ପୁତ୍ର ବ୍ୟବସାୟୀ ହେଉ ଏବଂ ବ୍ୟବସାୟୀ ହୋଇ ଦେଶ ଶାସନ କରୁ । ଦେଶର ଧନ ବୃଦ୍ଧି ହେବ । ଅର୍ଜ୍ଜୁନ କହିଲେ, ଅର୍ଥରୁହିଁ ଧର୍ମ, କାମ ଓ ସ୍ୱର୍ଗ ଲାଭ ହୁଏ, ଅର୍ଥହିଁ ମୂଳ, ଅର୍ଥ ନଥିଲେ ମନୁଷ୍ୟର ଜୀବିକା ନିର୍ବାହ ମଧ୍ୟ ହୁଏନା...ଆମେରିକାରେ ଧନକୁବେରମାନେ ହିଁ... ।

 

କିନ୍ତୁ, ଲିଙ୍ଗରାଜ କହିଲେ, ‘ସକ୍ରେଟିସ୍ ଏବଂ ଆମ ପିତାମହ ଭୀଷ୍ମ ମଧ୍ୟ କହିଚନ୍ତି, When traders become legislators, the ruin of a State is imminent.

 

ଏହି ସମୟରେ ଘରଭିତରୁ ଶଙ୍ଖ ହୁଳୁହୁଳି ଶବ୍ଦ ସବୁ ତର୍କ ବିଚାର ଛପାଇଦେଲା । ଗଙ୍ଗାଧରଙ୍କ ପାଟି ମେଲା ହୋଇ ଦନ୍ତପଂନ୍ତି ବିକଶିତ ହେଲା । ସେ ଉଠି ପଳାଉଥିଲେ ଘରଭିତରକୁ । ଲିଙ୍ଗରାଜ ବାଧା ଦେଇ କହିଲେ; ବନ୍ଧୁ ଆମେ ମରଣଶୀଳ ହେଲେ ମଧ୍ୟ ପ୍ରଜନନ ଆମକୁ କରିଛି ଅମରା ।

 

‘ମଧୁବାତା ରୁତାୟତେ

ମଧୁ କ୍ଷରନ୍ତି ସିନ୍ଧବଃ...’’

 

ସୃଷ୍ଟିର ଚାରିଆଡ଼େ ମଧୁ, ମଧୁ !!! ମଧୁ ଝରୁଚି !!! ଡାକ୍ତର କହିଲେ, ଏ ସନ୍ତାନ ତୁମର ନୁହଁ ଗଙ୍ଗାଧର, ଅମୃତର, ଅମୃତର ପୁତ୍ର । ଏ ଆଗନ୍ତୁକ...

 

ଗଙ୍ଗାଧରଙ୍କ ଶାଳୀ ଶଙ୍ଖ ବଜାଇ ବଜାଇ ଦୌଡ଼ିଆସି କହିଲା, ବକ୍ସିସ୍ ଦିଅ, ପୁଅ ହୋଇଛି, କୁନି ପୁଅ । ବକ୍ସିସ୍ ଦିଅ ।

 

ଗଙ୍ଗାଧର ହସି ହସି କହିଲେ, କିହୋ, ତୁମକୁ କାହିଁକି ବକ୍‍ସିସ୍ ଦେବୁ, ପରିଶ୍ରମ କଲୁ ଆମେ, ତୁମେ ଆମକୁ ସେଥିରେ ସାହାଯ୍ୟ କରିଥିଲ କି ? ଦରକାର ବେଳେ ତ କିଛି ସାହାଯ୍ୟ କଲନାହିଁ...

 

ଯା ବଜାରୀ, କହି ସେ ପୁଣି ଘର ଭିତରକୁ ଦୌଡ଼ିଗଲେ ଶଙ୍ଖ ବଜାଉ ବଜାଉ ।

 

ଚାକର ରାମଚନ୍ଦ୍ର ଘରକୁ ବ୍ୟସ୍ତତାର ସହିତ ପଶି ଏକ ରୋମାଞ୍ଚକର ସମ୍ୱାଦ ଦେଲା, ଆଜ୍ଞା, ଏ ଶଳା କୁକୁଡ଼ାକୁ ଦେଖିଲେଣି ! ଆମେ ଅଣ୍ଡା ଖାଇଗଲୁ ବୋଲି ଶଳା ବାଡ଼ି ପଛ ଜଙ୍ଗଲରେ ଅଣ୍ଡାସବୁ ଦେଉଥିଲା, ଏଇଛୁଣି ଆଠଟି ଛୁଆକୁ ଧରି ଘର ଭିତରକୁ ଆସୁଛି ।

 

ଆମେ ଦୌଡ଼ିଯାଇ ଦେଖିଲୁ, ଗର୍ବର ସହିତ ହଲି ହଲି କୁକୁଡ଼ା ଆସୁଚି କାହାରିକୁ ଭ୍ରୂକ୍ଷେପ ନକରି । ପଛରେ ତା’ର ଗୁଲୁ ଗୁଲୁ ହୋଇ ମା’ ଦେହକୁ ଲାଗି ଆସୁଚନ୍ତି ଆଠୋଟି କୁକୁଡ଼ାଛୁଆ ।

 

ଗଙ୍ଗାଧର ଆନନ୍ଦାତ୍ମକ ଆଶ୍ଚର୍ଯ୍ୟଭାବରେ କହିଲେ, ଇୟେ କିଏ ଲୋ ମାଆ !

 

ଲିଙ୍ଗରାଜ କହିଲେ, ସୃଷ୍ଟି ଅଭୂତ ! ଏମାନେ ବି ଆଗନ୍ତୁକ !!

 

କିନ୍ତୁ...... ?

★★★

 

କୁକୁଡ଼ା ଚାଷ

 

ଗୋବିନ୍ଦ ବାବୁଙ୍କ ପାଞ୍ଚବର୍ଷର ପୁଅ ବାପୁର ନୂଆ ଶିଙ୍ଗ ଉଠିଚି । ସେ ଯେଉଁଠି ପାରୁଛି ଶିଙ୍ଗ ଲଗେଇ ଦେଇ ମାଟି ଖୋଳୁଚି । ସକାଳ ନ ପାହୁଣୁ ସେ ଖଣ୍ଡେ କାଗଜ ଧରି ପାଟିକରି ପଢ଼ିବାରେ ଲାଗିଚି । ଅଳ୍ପ କେତେଦିନ ହେବ ସେ ‘ଆ’କାର ଚିହ୍ନି ଶିଖିଛି ମାତ୍ର; କିନ୍ତୁ ତାର ଜ୍ଞାନ କେତେ ଦୂର, ସେ ଜ୍ଞାନ ପ୍ରଚାର କରିବା ଯୋଗ୍ୟ କି ନା ଏବଂ ପ୍ରଚାର କଲେ ଅନ୍ୟର କିଛି ଶାରୀରିକ ବା ମାନସିକ ଅସୁବିଧା ହେବ କି ନା ସେ ସବୁ ବିଚାର କରିବାର କାଣ୍ଡଜ୍ଞାନ ତାର ନାହିଁ-। ବାପାଙ୍କୁ ସେ ଛବି ବହି କିଣି ଆଣିବାକୁ ଜିଦ୍ ଲଗାଇ ଥିଲା । ଗୋବିନ୍ଦବାବୁ ଛବି ବହିର ଦାମ ପାଞ୍ଚସୁକାରୁ କମ୍ ନାହିଁ ଦେଖି କୁକୁଡ଼ା ଚାଷ ବିଷୟରେ ଗୋଟିଏ ସରକାରୀ ପ୍ରଚାର ବହି ବହୁତ ଛବି ଥିବାରୁ ନିଜ ଅଫିସରୁ ଆଣି ଦେଇଛନ୍ତି । ବାପୁ ପାଟିକରି ସେ ବହି ପଢ଼ିଚାଲିଚି...

 

ଏ...ଏ...ହା ଏହା ସତ ସ...ସ...ଦ (ସ୍ୱତଃସିଦ୍ଧ) ଯ (ଯେ) ଅ...ବ...ୟ...ବ ଗଠନ, ଶ...ଶ...ରର (ଶରୀରର) ଉଁ...ଉଁ ସ ବଦ (ବୃଦ୍ଧି) ଏବ ଉଁ...ଉଁ...ଉଁ (ସ୍ୱାସ୍ଥ୍ୟରକ୍ଷା) ପାଇ (ପାଇଁ) ଭାତ, ଡାଲ ପନପରବା (ପନିପରିବା) ସାଗକ (ସାଙ୍ଗକୁ) ମାଛ, ମାସ (ମାଂସ), ଦଧ (ଦୁଧ) କମ (କିମ୍ୱା) ଅ...ଣା (ଅଣ୍ଡା) ଉ ଳ ଆ ଉ...ଉ...କ...ଷ (ଉତ୍କୃଷ୍ଟ) ଖାଦ (ଖାଦ୍ୟ) ଦରକାର । ଆମ ଛଟ ପଲାମାନକର ଅବୟବ ଗଠନ ହବ ମାନସକ ବକାଶର ବଶଷ ବ୍ୟାଘାତ ଘଟଛ, ବତମାନ ପରସତ (ପରିସ୍ଥିତି) କ କକଡ଼ା (କୁକୁଡ଼ା) ପାଳବା ଦରକାର । କକଡ଼ା ଅଣା ସବଠାର ବଳକାରକ-

 

ବାୟ କୁକୁଡ଼ା ଚାଷ ବିଷୟରେ ପଢ଼ିଚାଲିଚି ଅଧିକରୁ ଅଧିକ ଉତ୍ସାହରେ । ଅର୍ଥ ହେଉ ନ ହେଉ, ଧ୍ୱନିରେ ସେ ମୁଗ୍‍ଧ ।

 

ସକାଳ ହୋଇନାହିଁ, ସୁନ୍ଦରା ଫାଟିଲାଣି । ଦୂରେ ପୂର୍ବ ଦିଗ୍‍ବଳୟର ନୀଳାଭ ପାହାଡ଼ ରେଖା ଉପରେ ଉଜ୍ଜ୍ୱଳ ଗୋଲାପି ଆଭା ଧୀରେ ଧୀରେ ରକ୍ତିମ ହୋଇ ଉଠୁଚି । ତା ଉପରକୁ କିଛି ଦୂର ଉଜ୍ଜ୍ୱଳ ହଳଦିଆ ଏବଂ ତା ଉପରକୁ ବାଇଗଣି । ତା ପରେ ଅସୀମ ଅନନ୍ତ ନୀଳାକାଶ । ପଶ୍ଚିମ ଆକାଶରେ ଶୁକ୍ଳ ଦଶମୀର ଚାନ୍ଦ ପାଣ୍ଡୁର ହୋଇ ଆସିଲାଣି; କିନ୍ତୁ ଅଗସ୍ତି ଏ ପର୍ଯ୍ୟନ୍ତ ଦପ୍ ଦପ୍ କରୁଚି । ଶୀତ ସକାଳର ଝଲକାଏ ଥଣ୍ଡା ପବନ ଉତ୍ତରପଟ ଝରକା ଠେଲି ଦେଇ ଘର ଭିତରକୁ ଧସେଇ ପଶି ଆସି କହିଗଲା, ଉଠ ଉଠ, ଗୋବିନ୍ଦ ବାବୁ, କିନ୍ତୁ ଚାଦରଟା ବେକ ପର୍ଯ୍ୟନ୍ତ ଟାଣି ନେଇ ପୂର୍ବପରି ପଡ଼ିରହି ଭାବି ଚାଲିଛନ୍ତି ।

 

ଭାବି ଚାଲିଛନ୍ତି ଜୀବନର ଗତି । ବହୁ ଅଭାବ ଅନାଟନ ମଧ୍ୟରେ ମଧ୍ୟ ମନଟି ତାଙ୍କର ପୁରୁଣା ବିଶ୍ଳେଷଣ ନୀତି ଛାଡ଼ିନାହିଁ । ନିଦ ଭାଙ୍ଗିଯିବାପରେ ତାଙ୍କର ପ୍ରଥମଚିନ୍ତା, ଦୁଶ୍ଚିନ୍ତା କହିପାରନ୍ତି, ଆସନ୍ନପ୍ରସବା ପତ୍ନୀର ସ୍ୱାସ୍ଥ୍ୟ ଓ ପ୍ରସବ ସମସ୍ୟା । ଏଟି ତାଙ୍କର ହେବ ସପ୍ତମ ସନ୍ତାନ-। ପ୍ରତ୍ୟେକ ଥର ପ୍ରସବ ପୂର୍ବରୁ ସ୍ତ୍ରୀଙ୍କର ସ୍ୱାସ୍ଥ୍ୟରକ୍ଷାପାଇଁ ସେ କିଛି ନା କିଛି ଔଷଧ ଦେଇପାରୁଥିଲେ । ଅବସ୍ଥା ସେତେବେଳେ ଥିଲା ଅନ୍ୟରୂପ । ସେତେବେଳେ ସେ ଥିଲେ ନିଜ ଘରେ ଏବଂ ଏକାନ୍ନବର୍ତ୍ତୀ ପରିବାର ମଧ୍ୟରେ ଅନ୍ୟ ଦୁଇ ଭାଇଙ୍କ ସାଙ୍ଗରେ । ଗାଁ ତାଙ୍କର ନିକଟରେ ଥିବାରୁ ଗାଁ ଜମିରୁ ଚାଉଳ ମଧ୍ୟ କିଛି ଆସୁଥିଲା; କିନ୍ତୁ ବଦଳି ପରେ ଘରଭଡ଼ା ତିରିଶଟଙ୍କା ଦେଇ ଓ ଚାଉଳ କିଣି ଏକା ତାଙ୍କ ପକ୍ଷରେ ଖର୍ଚ୍ଚ ସମ୍ଭାଳିବା ଅସମ୍ଭବ ହୋଇପଡ଼ିଛି-। ତାଙ୍କର ଚିନ୍ତାଧାରା ଏଇ ସମସ୍ୟାର ଖିଅ ଧରି ଆରମ୍ଭ ହୋଇଥିଲା; କିନ୍ତୁ ନିଜକୁ ନିଜେ ପ୍ରଶ୍ନ ପଚାରି ତାର ଉତ୍ତର ଦେଉ ଦେଉ ସେ ବର୍ତ୍ତମାନ ଯେଉଁଠି ପହଞ୍ଚିଛନ୍ତି, ତାହା ମୂଳ ଚିନ୍ତାଠାରୁ ବହୁଦୂରରେ । ପ୍ରଥମ ଥର ସେ କ୍ଷୋଭ, ଦୁଃଖ, ଅନ୍ୟର ସୁଖ ପ୍ରତି ଈର୍ଷା ମଧ୍ୟ ନାହିଁ । ଆଖି ତାଙ୍କର ଉଦାସ ଓ ଛଳ ଛଳ । ସେ ନିଃଶ୍ୱାସ ଚାପି ମନେ ମନେ କହୁଚନ୍ତି, ସେଇ ମହାନ୍ ପୁରୁଷକୁ ଜାଣିବା ଜୀବନର ଏକମାତ୍ର ଲକ୍ଷ୍ୟହେବା ଉଚିତ ମୁଁ ମାନୁଚି; କିନ୍ତୁ କାହିଁକି ବାରେ ବାରେ ଦୁଃଖ, ଈର୍ଷା, କ୍ରୋଧ, ହିଂସା, ଲୋଭ, କାମନା ଆସି ସେଇ ମୋହନରୂପ ସାମନାରେ ଛିଡ଼ାହୋଇ ଦୃଷ୍ଟିପଥରେ ବାଧା ଜନ୍ମାଉଚି ? କାହିଁକି ? କାହିଁକି ? ଛି, ଏ ଜୀବନକୁ ଧିକ୍ । କ୍ଷୁଦ୍ର କାମନା, ଅସମ୍ଭବ ଆଶା, ସମସ୍ତଙ୍କୁ ନିଜର ବାହାଦୂରୀ ଦେଖାଇବାର ଇଚ୍ଛା ହିଁ ବେଶି ଆକର୍ଷଣ କରି ନେଉଚି ଈର୍ଷା, ହିଂସା ଲୋଭ ଆଡ଼େ; ଅଥଚ ବିରାଟ ନିବିଡ଼ ଆନନ୍ଦ ପଡ଼ିରହିଚି ସେଆଡ଼େ । ମନ ଟିକିଏ ବି ଯାଉନାହିଁ-। କଅଣ କରିବି ମୁଁ ? କଅଣ କରିପାରେ ମୁଁ ? କିପରି ଏ ସବୁ ରୋଧ କରିବି ?

 

ହତାଶାରେ ଦୁଇ ବିନ୍ଦୁ ଅଶ୍ରୁ ଗୋବିନ୍ଦ ବାବୁଙ୍କ ଆଖିରୁ ଗଡ଼ିପଡ଼ିଲା । ଭଗବାନଙ୍କ ପାଇଁ ମନରେ ସେ ଏକ ଅପୂର୍ବ ବେଦନାମୟ ବ୍ୟାକୁଳତା ଅନୁଭବ କଲେ । ମନରେ ତାଙ୍କର ଆଶାର ସଞ୍ଚାର ହେଲା; କିନ୍ତୁ ପ୍ରାଶ୍ନିକ ମନ କହିଲା, ଏହା ବ୍ୟାକୁଳତା ମାତ୍ର । ଏ ମୋହ ଏବଂ ମୋହରୁ ଜାତ କୌଣସି ଭାବ ଉପରେ ବିଶ୍ୱାସ ରଖିବା ଉଚିତ କି ? ଗୋବିନ୍ଦ ବାବୁଙ୍କ ଆଖିପତା କୁଞ୍ଚିତ ହେଲା । ସେ ରୁଦ୍ଧଶ୍ୱାସ ଛାଡ଼ି ପୁଣି ସତେଜ ହୋଇ ଉଠିଲେ । ଭଗବନାଙ୍କ ବିଷୟ ଭାବୁ ଭାବୁ କାନ୍ଦିପାରିଥିବା ଯୋଗୁଁ ମନରେ ଯେଉଁ ଗର୍ବ ଅନୁଭବ କରୁଥିଲେ, ସେ ଧୂଳିସାତ୍ ହୋଇଗଲା । ସେ ପୁଣି ଚିନ୍ତା କରିବାକୁ ଲାଗିଲେ । ନିଜର ଗର୍ବ, ମୋହ, ଈର୍ଷା, ଲୋଭ ଆଦି ଦେଖିପାରି ବୁଝିପାରି ସେ ନିଜକୁ ଘୃଣା, ତୀବ୍ର ଘୃଣା କରିବାକୁ ଲାଗିଲେ ।

 

ଚାଦର ଭିତରେ ହାତ ଯୋଡ଼ି ସେ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ, ହେ ମହାନ୍, ହେ ଦୟାନିଧି, ତୁମେ ଦୟାକର ଏସବୁ କଣ୍ଟକ ମୋ ମନରୁ କାଢ଼ିନିଅ, ଦେଖାଅ ମୋତେ ସେଇ ଆନନ୍ଦମୟ ରୂପ । ପୃଥିବୀର ସବୁ ସୁନ୍ଦର ଦିଶୁ ମୋତେ...

 

...ଶୁଣ, ବୁଝ, ମୋହଗ୍ରସ୍ତ ହୁଅନାହିଁ ଏ ପ୍ରାର୍ଥନାରେ ! ଭାବ ନାହିଁ ତୁମେ ଏହି ଭାବନା ପାଇଁ ଅନ୍ୟଠାରୁ ଅନେକ ଉଚ୍ଚରେ । ଭାବିଦେଖ, ପୃଥିବୀର ସମସ୍ତ ପ୍ରାଣୀର ଭାବନା ତୁମ ଭିତରେ ସ୍ଥାନ ପାଇଚି । ଯାହାକୁ ତୁମେ ମହାନ୍ ଚିନ୍ତା ବୋଲି ଧରି ନେଇ ନିଜ ଭିତରେ ତାର ଉଦ୍ରେକ ଦେଖି ଆନନ୍ଦିତ ହେଉଚ, ଧନ୍ୟ ମନେ କରୁଚ ଏବଂ ଯାହାକୁ ତୁମ୍ଭେ କୁଚିନ୍ତା ବୋଲି ଧରିନେଇ ନିଜ ଭିତରେ ତାର ଅସ୍ତିତ୍ୱ ଦେଖି ନିଜକୁ ଘୃଣା କରୁଚ, ଏ ଦୁଇ ଭାବ ଜୀବନ ସହିତ ସଂଶ୍ଳିଷ୍ଟ । ଓତପ୍ରୋତ ଭାବରେ ଜଡ଼ିତ । ଶରୀର ଓ ମନର ସଂମିଶ୍ରଣର ଏ ଶରୀରକୁ ଯେତେବେଳେ ସ୍ୱୀକାର କରିନେଇଚ, ଏ ଦୁଇ ଭାବକୁ ସ୍ୱୀକାର କରି ନେବାର ସାହସ ଓ ବିନୟ ସଞ୍ଚୟକର । ତୁମର ମହାନ୍ ଚିନ୍ତାରେ ତୁମ୍ଭେ ଯଦି ଗର୍ବିତ ବା ଆନନ୍ଦିତ ହୁଅ ଏବଂ କୁଚିନ୍ତାରେ ନିଜକୁ ଘୃଣାକର, ତେବେ ଅନ୍ୟ ସମସ୍ତଙ୍କ ପ୍ରତି ତୁମେ ସେମିତି ମୋହଯୁକ୍ତ ଏବଂ ଘୃଣାକାରୀ ହେବ । ଧୀରେ ତୁମ୍ଭର ଅଜ୍ଞାତରେ ତୁମ୍ଭର ମନ ସଂକୁଚିତ ହୋଇଯିବ । ସେପରି ମନର ଭଗବାନ ପ୍ରତି ବିଶ୍ୱାସ କଅଣ ? ସେ କାହୁଁ ପାଇବ ମହାନ୍‍ର ବିରାଟର ଆସ୍ୱାଦ ଯଦି ସେ ମନକୁ ବହିର୍ଜଗତରୁ ଟାଣି ଆଣି ନିଜପ୍ରତି ମୋହ ସୃଷ୍ଟିକରେ, ଘୃଣାଦ୍ୱାରା ହେଉ ବା ବାହାଦୁରି ଦେଇ ହେଉ ! !

 

ଗୋବିନ୍ଦ ବାବୁ ପୁଣି ଗୋଟିଏ ଦୀର୍ଘ ନିଃଶ୍ୱାସ ଛାଡ଼ି କହିଲେ, ଏତେ ଦିନକେ ବୁଝିଲି ଡକ୍ଟର ଯେକିଲ୍ ଓ ମିଷ୍ଟର ହାଇଡ୍‍ଙ୍କର କରୁଣ କାହାଣୀ । ଭଲ ମନ୍ଦ ମିଶି ସାଧାରଣ ମଣିଷ ଡକ୍ଟର ଯେକିଲ ପୂରା କୁମଣିଷଟିଏ ଗଢ଼ି ପାରିଲେ ସିନା, ପୁରା ସୁମଣିଷଟିଏ ଗଢ଼ି ପାରିଲେ ନାହିଁ । ତେବେ ଯାହା ଶରୀର ସହିତ ଆସିଚି, ସେ ଥାଉ, ମୁଁ ସେଥିପ୍ରତି ଦୃଷ୍ଟି ଦେଇ ସେମାନଙ୍କର ପ୍ରକୋପ ବଢ଼ାଇ ଲାଭ କଅଣ ? ବରଞ୍ଚ ସେ ସବୁର ଅସ୍ତିତ୍ୱ ହେତୁରୁ ମନର ନାନା ଭାବରୁ ମୁଁ ବିଭିନ୍ନ ସତ୍ୟ ପାଇ ସେଇ ମହାନ୍‍ଙ୍କ ପରିଚୟ ଯଦି ପାଏ, ତେବେ ସେ ସବୁ କାମରେ ଲାଗିଲା । ତେବେ ତାହା ହିଁ ହେଉ, ତାହା ହିଁ ହେଉ...

 

...ହେ ଭଗବାନ୍, ତୁମେ ସତ୍ୟ । ଆଖିରୁ ତାଙ୍କର ପୁଣି ପାଣି ଗଡ଼ି ପଡ଼ିଲା ।

 

...ଉଁ ହୁଁ, ଆଖି ପାଣି ଝରି ପଡ଼ିବାଟା ବଡ଼ କଥା ନୁହେଁ, ଯଦିଓ ପ୍ରଥମେ ଭଲ । ନିଜ ଭିତରେ ଦେଖା ସମସ୍ତଙ୍କୁ ପ୍ରେମ କରି ପାରୁଚ ତ ? ସାମାନ୍ୟ ସୂତ୍ରରେ ଖିଅଧରି ମନ ତାଙ୍କର ଗହନ ବନ ଭିତରେ ପ୍ରବେଶ କରିଚି ତାଙ୍କ ଅଜାଣତରେ !

 

ଗୋବିନ୍ଦ ବାବୁ ଟିକିଏ ହସି ମନେ ମନେ ହଉ ସାବଧାନ ହେଉଚି କହି ବିଛଣା ଛାଡ଼ି ଉଠିପଡ଼ିଲେ ।

 

ବାପୁ ସେତେବେଳକୁ କୁକୁଡ଼ା ଅଣ୍ଡା ଫୁଟାଇବା ପ୍ରଣାଳୀ ପଢ଼ିସାରି କୁକୁଡ଼ା ଛୁଆ ଲାଳନ ପାଳନ ବଷୟରେ ପଢ଼ୁଚି ସମସ୍ତ ପଡ଼ାଟି ପ୍ରକମ୍ପିତ କରି । ବୋଉ ତାର ଶେଯ ଛାଡ଼ି ଉଠି ଆସି ତା ପାଖରେ ମୁଣ୍ଡରେ ହାତ ଦେଇ ବସିଲେ । ବାପୁ ଆଗ୍ରହ ଭରି ବୋଉକୁ ତାର ବହି ମଲାଟ ଛବି ଦେଖାଇଲା । ଛବିଟି ସତେ ମନୋରମ ହୋଇଚି । ତ୍ରିରଙ୍ଗି ଚିତ୍ର । ଗୋଲାର୍ଦ୍ଧର ଗୋଟିଏ ଚିତ୍ର-। ଗୋଲାର୍ଦ୍ଧରେ ଭାରତ ଓ ଭାରତ ଉପରକୁ ଏସିଆ ଓ ଇଉରୋପର କିୟଦଂଶ । ଭାରତର ମାନଚିତ୍ରଟି ଗାଈର ପନ୍‍ହା ଭଳି ଝୁଲୁଚି । ଗୋଲାର୍ଦ୍ଧର ପଛପଟେ ଗୋଟିଏ ଭଦ୍ରମହିଳାର ଅଣ୍ଟା ପର୍ଯ୍ୟନ୍ତ ଚିତ୍ର, ଠିକ୍ ଯେମିତି ଗୋଲାର୍ଦ୍ଧ ପଛପଟୁ ଉଇଁଆସୁଛି । ବିମ୍ୱାଧରରେ ତା’ର ଦରଫୁଟା ହସ, ଆଖିରେ ଆଶାର ଉଜ୍ଜ୍ୱଳତା । ବାଁ କାଖତଳେ ଗୋଟିଏ ଗଞ୍ଜା ସେ ଜାକି ଧରିଚି । ଗୋଟିଏ କୁକୁଡ଼ା କେରଳ ଉପରେ ଛିଡ଼ା ହୋଇଚି । ତାର ପୁଚ୍ଛଟି ଦିଲ୍ଲୀ ଉପରକୁ । ଭଦ୍ରମହିଳାଟିର ଡାହାଣ ହାତଟି ଅତି ଆଦରରେ କୁକୁଡ଼ାର ପିଠି ଉପରେ ଥୁଆ ହୋଇଚି । କୁକୁଡ଼ାଟିର ଠିକ୍ ପୁଚ୍ଛ ତଳକୁ ଗୋଟିଏ ନାଲି ଅଣ୍ଡା ଶୂନ୍ୟରେ ଏବଂ ଅନ୍ୟ ଗୋଟିଏ ଧଳା ଅଣ୍ଡା ଦିଲ୍ଲୀ ଉପରେ । ଦିଲ୍ଲୀ ଉପରେ ଥିବା ଅଣ୍ଡା ଫାଟିଯାଇଚି ଏବଂ ସେଥିରୁ ଅସଂଖ୍ୟ ଛୁଆ ବାହାରି ଭାରତଯାକ ବ୍ୟାପି ଯାଇଚି ।

 

ବାପୁ ଚିତ୍ରଟି ଦେଖୁ ଦେଖୁ ଆଶ୍ଚର୍ଯ୍ୟ ଓ ଉତ୍ସାହ ଭରି କହିଲା—ଏ ମାଉସୀ, ନୁହଁ ବୋଉ-? ମୋତେ ଅନେଇଚି ମାଉସୀ !!

 

ବୋଉ ତାର ଛବି ଆଡ଼କୁ ନ ଚାହିଁ ଉଦାସ ଦୃଷ୍ଟିରେ ପୂର୍ବପରି ଶୂନ୍ୟକୁ ଚାହିଁ କହିଲେ, ହୁଁ... । ସେ ‘ହୁଁ’ ବାପୁର ପ୍ରଶ୍ନର ଉତ୍ତର କିମ୍ୱା ତାଙ୍କର ମନର କୌଣସି ପ୍ରଶ୍ନର ଉତ୍ତର କିମ୍ୱା କୌଣସି ଜଟିଳ ସାଂସାରିକ ଅର୍ଥନୈତିକ ସମସ୍ୟାର ସମାଧାନ ଜ୍ଞାପନ, ତାହା ବୁଝିବା ଅସମ୍ଭବ ।

 

ଗୋବିନ୍ଦ ବାବୁ ଉଠି ଆସି ବସିଲେ ସ୍ତ୍ରୀଙ୍କୁ ଲାଗି ଓ ଛବି ଆଡ଼କୁ ଚାହିଁ । ଛବି ପାଇଁ ତାଙ୍କର ଆଗ୍ରହ ନାହିଁ । ସେଇ ସୂତ୍ରଧରି ସେ ତାଙ୍କର ବହୁଦିନର ଗୋଟିଏ ଆଶା ପୂରଣ କରାଇ ନେବାର ସୁଯୋଗ ପାଇ ମନେ ମନେ ଖୁସି । କଥାଟା ବାପୁ ମନ ଭିତରେ ପୁରାଇ ପାରିଲେ ହେଲା; କିନ୍ତୁ ସେ ଚେଷ୍ଟା କରିବା ଆଗରୁ ଥରେ ସ୍ତ୍ରୀଙ୍କର ମାନସିକ ପାଗ ବିଡ଼ିନେବା ଉଚିତ । ତାଙ୍କର ଶୂନ୍ୟ, ଉଦାସ ଚାହାଣିରୁ ମାନସିକ ଉତ୍ତାପର ପରିମାପ ମିଳୁନାହିଁ ସ୍ପର୍ଶେନ୍ଦ୍ରିୟ ବର୍ତ୍ତମାନ କାର୍ଯ୍ୟକାରୀ ଅଛି କି ନା ସେ ବିଷୟରେ ମଧ୍ୟ ଘୋର ସନ୍ଦେହ; କାରଣ ଗୋବିନ୍ଦ ବାବୁଙ୍କର ଏତେବଡ଼ ଦେହଟି ଯେ ତାଙ୍କ ଶରୀରକୁ ଲାଗି ଥିଆହେଲା, ସେଥିରେ କୌଣସି ଶାରୀରିକ ବା ମାନସିକ ପ୍ରତିକ୍ରିୟା ଦୃଷ୍ଟି ହେଲାନାହିଁ । ଗୋବିନ୍ଦ ବାବୁ ଆଶ୍ଚର୍ଯ୍ୟ ଭାବରେ ଥରେ ସ୍ତ୍ରୀଙ୍କ ଆଖିକୁ ସାମନାସମନି ଚାହିଁ ଆଖି ସାମନାରେ ଆଙ୍ଗୁଳି ହଲାଇଲେ । ତଥାପି କୌଣସି ପ୍ରତିକ୍ରିୟା ନାହିଁ, ଆଖିପତା ଟିକିଏ ହଲିଲା ବି ନାହିଁ । ଆଖି ଡୋଳା ପୂର୍ବପରି ସ୍ଥିର । କେବଳ ମୁଣ୍ଡରେ ଥିବା ଡାହାଣ ହାତର କଢ଼ି ଆଙ୍ଗୁଳିଟି ଟିକିଏ ହଲିଲା । ଗୋବିନ୍ଦ ବାବୁ ଭାବିଲେ, ସେତିକି ଢେର୍ । କାଲ ଠାର କାଲ ମା’ ଜାଣେ !

 

ବାପୁର ପିଠି ଆଉଁସି ଦେଉ ଦେଉ କହିଲେ, କଅଣ ପଢ଼ିଲୁ କିରେ ? ଏ ଛବିଟି କଅଣ କିରେ ?

 

ବାପୁ ସିଧାସଳଖ କହିଲା, ବାପା, କୁକୁଡ଼ା କିଣିଦିଅ ମୁଁ ରଖିବି । ମାଉସୀ ମୋତେ କହିଲା କୁକୁଡ଼ା ରଖିବାକୁ ।

 

ମାଉସୀ କେତେବେଳେ କହିଲା ?

 

ଏଇଛୁଣିକା ପରା ।

 

ମାଉସୀ କାହିଁ ?

 

ଏଇପରା, ବାପୁ ଛବିକୁ ଚାହିଁ କହିଲା । ତା’ପରେ ଜିଦ୍ ଲଗାଇ କହିଲା, ହଁ ରଖିବି, ଟୁପ ଘରେ କାଲି କୁକୁଡ଼ା କିଣିଛନ୍ତି ଦୁଇଟା । ମୋତେ ଆଜି କିଣିଦିଅ ।

 

ଗୋବିନ୍ଦ ବାବୁଙ୍କୁ ଆଉ ପରିଶ୍ରମ କରିବାକୁ ପଡ଼ିଲାନାହିଁ କିଛି । ବାପୁ ମନରେ ତେବେ ଆଗରୁ କ୍ଷେତ୍ର ପ୍ରସ୍ତୁତ ଅଛି । ବୀଜ ପଡ଼ିବା ସାଥେସାଥି ଗଛ । ଗୋବିନ୍ଦ ବାବୁଙ୍କ ଅନେକ ଦିନର ଆଶା, ଆକାଙ୍‍କ୍ଷା ସେ କୁକୁଡ଼ା ରଖିବେ । ମନେ ମନେ କେତେ କଳ୍ପନା କରିଛନ୍ତି...ଅଣ୍ଡାର ପୋଚ୍, ଆମଲେଟ୍, ତରକାରି ଖାଇଛନ୍ତି, ତାଙ୍କର ଅନେକ କୁକୁଡ଼ା ହୋଇଚି । ଦିନେ ଦିନେ ରବିବାରରେ ସେଥିରୁ ଗୋଟିଏ ମାରି ରୋଷ୍ଟ କରି ମୁସଲମ କରି ଖାଉଛନ୍ତି ।

 

କିନ୍ତୁ ଯେତେ ସୁଯୋଗ ସୁବିଧା ଉଣ୍ଡି ସୂଚାଇଲେ ବି ସ୍ତ୍ରୀଙ୍କର ମାନସିକ ଉତ୍ତାପ ସାଙ୍ଗେ ସାଙ୍ଗେ ବଢ଼ିଯାଏ ଚରମକୁ । ନାକ ଟେକି ଫାଁଏ କରି ସେ କହନ୍ତି, ପଠାଣ ଘର କରିବାକୁ ଚାହଁ ତମେ ! ଏ ଘରେ କୁଳଦେବତା ଲକ୍ଷ୍ମୀନାରାୟଣଙ୍କର ପୂଜା ନିଇତି ହୁଏ ମନେରଖ ।

 

ଗୋବିନ୍ଦ ବାବୁ ଚୈତନ୍ୟଦେବଙ୍କ ଠାଣିରେ ଡାହାଣ ହାତ ପାପୁଲି ଟେକି ମୁଣ୍ଡ ଟୁଙ୍ଗାରି ବୁଝାଇବାକୁ ପାଟି ମେଲା କରିବା ମାତ୍ରକେ ସ୍ତ୍ରୀ ତାଙ୍କର ରଣରଙ୍ଗିଣୀ ମୂର୍ତ୍ତିରେ କହିଉଠନ୍ତି, ମୁଁ ଜୀଇଁଥିଲା ଯାଏ ତା କଦାପି କରାଇ ଦେବିନାହିଁ, ଦେବିନାହିଁ, ଦେବିନାହିଁ । ତ୍ରିବାର ସତ୍ୟ କଲି ।

 

ଏହାପରେ ଗୋବିନ୍ଦ ବାବୁଙ୍କର ହତାଶ ଚାହାଣିସହ ଦୀର୍ଘନିଃଶ୍ୱାସ ତ୍ୟାଗ ଓ ସଦର୍ପେ ଗୃହତ୍ୟାଗ । ଏ ଏକାଙ୍କିକା ଅନେକବାର ଅଭିନୀତ ହୋଇଯାଇଚି ।

 

ଆଜି କିନ୍ତୁ ଗୋବିନ୍ଦ ବାବୁଙ୍କର ସବୁ କଳ୍ପନା ଫଳବତୀ ହେବାର ସବୁ ଲକ୍ଷଣ ଦେଖାଦେଉଚି । ବାପୁ ଥରେ ଜିଦ୍ ଧଇଲେ ବାସ୍, ହିର ବ୍ରହ୍ମାତ ଛାଡ଼, କିବା ଛାର ସେମାନେ, ବାପୁବୋଉ ବି ବାପୁକୁ ଟଳାଇ ପାରିବେନାହିଁ । ମନେ ମନେ ହେଉଣ୍ଡିଟାଏ ଗୋବିନ୍ଦବାବୁ ମାରିଦେଲେ ଓ କହିଲେ, ଭାଗବାନ୍ ତୁମେ ଅଛ, ନିଶ୍ଚୟ ଅଛ, ମୋର ଶଳା ତାର୍କିକ ମନ ଯେତେ ମନାକରୁ ତମର ଅସ୍ତିତ୍ୱକୁ ! ଆପାତ ଦୃଷ୍ଟିରେ ଅସାମଞ୍ଜସ୍ୟ ସମାନ୍ୟ ସାମାନ୍ୟ କଥାକୁ କାର୍ଯ୍ୟକାରଣ ସମ୍ୱନ୍ଧରେ ଗୁନ୍ଥି କି ସୁନ୍ଦର ଭାବରେ ମୋର ଇଚ୍ଛା ପୂରଣ କରୁଚ ତମେ ! ! ବାପୁର ଛବି ବହି କିଣିବାର ଜିଦ୍ ଓ ମୋର କୌଣସି ଉଦ୍ଦେଶ୍ୟ ନ ରଖି, ନିଛକ ଛବି ବହି ହିସାବରେ, ‘କୁକୁଡ଼ା ଚାଷ’ ବହି ଆଣିଦବାକୁ ଯୋଖି ଦେଇ ଆଜି ସକାଳୁ ମୋର ଇଚ୍ଛା ପୂରଣର ସୁନ୍ଦର ପରିସ୍ଥିତି ସୃଷ୍ଟି କରୁଚ ତୁମେ !!!

 

ଚୁପ୍, ବାପୁ ! ବୋଉ ଗର୍ଜି ଉଠିଲେ ।

 

ଗୋବିନ୍ଦ ବାବୁ ହଠାତ୍ ବୁଝିପାରିଲେ ନାହିଁ, ଗର୍ଜନ କାହା ଉପରେ । ଚମକି ପଡ଼ିଲେ; କିନ୍ତୁ ନା, ବାପୁଆଡ଼େ ତରାଟି ଚାହିଁଛନ୍ତି ସେ ।

 

କିନ୍ତୁ ବାପୁ କି ସେଥିରେ ଡରିଯିବା ମଣିଷ । ବୀର ପୁରୁଷର ପୁଅ ସେ ହେଁ...ହେଁ... । ଗୋବିନ୍ଦ ବାବୁ ମନେ ମନେ ବାପୁକୁ ଉତ୍ସାହିତ କଲେ, ଛାଡ଼୍‍ନା ବାପୁ, ହୁଁ ଚଲା ଜିଦ୍ ।

 

ବୋଉକୁ ଶକତ୍ ଠେଲାଟାଏ ମାରିଦେଇ ବାପୁ ଉଠିଗଲା । ଗୋବିନ୍ଦ ବାବୁ ହତାଶ ହେଲେ...ହ୍ୟାପ, ଶିଆଳଛୁଆ କେବେ ସିଂହ ହେଲାଣି !

 

ହେଇଚି । ଏଇ ଯେ ବାପୁ ପ୍ରବେଶ କରୁଚି ଗୋଟିଏ କୁକୁଡ଼ାକୁ ଦଉଡ଼ିରେ ଟାଣି ଟାଣି ।

 

ଗୋବିନ୍ଦ ବାବୁ ଓ ତା’ଙ୍କ ସ୍ତ୍ରୀ ଶୀତଳ ଯୁଦ୍ଧ ଭୁଲିଯାଇ ଆଶ୍ଚର୍ଯ୍ୟ ଭାବରେ ସମସ୍ୱରେ ପଚାରିଲେ, କିରେ ଏଟା କଉଁଠୁ ଆଣିଲୁ ?

 

ମାଉସୀ ଦେଲା । କାଲି କହିଥିଲା ଆଜି ଦବାକୁ । ଦୁହେଁ ବୁଝିଲେ ବାପୁ ଟୁପବୋଉକୁ କାଲି କହି କୁକୁଡ଼ାଟି ବାଗେଇଚି । ଟୁପବୋଉ ଥିଲାଘର ଝୁଅ, ଥିଲାଘର ବୋହୂ, ବାପୁ ବୋଉର ଆଖି ଦପ୍ କରି ଜଳିଉଠିଲା । ସେ ଗର୍ଜି ଉଠି କହିଲେ, ଏ ଟୋକା ସବୁଠି ମୋ ମୁଣ୍ଡ ତଳକୁ କରିଦେବ । ଦେ ଫେରାଇ ଦେଇ ଆ ତାକୁ ।

 

ବାପୁ ହସି ହସି ତାକୁ ଧରି ଛିଡ଼ା ହୋଇଚି ବୋଉର କଥାକୁ ଖାତିର ନକରି । କୁକୁଡ଼ାଟି କାହାରି ପ୍ରତି ଭ୍ରୂକ୍ଷେପ ନ କରି ସେଇ ବନ୍ଧା ଅବସ୍ଥାରେ ମୁଢ଼ି ଖୁମ୍ପି ଖାଇସାରି ଜନ୍ଦାଟି ଖାଇବା ଯୋଗ୍ୟ କି ନୁହଁ ପରୀକ୍ଷା କରୁଚି । ବାପୁବୋଉ ଠାଏକିନା ଏକ ଚାପୁଡ଼ା ମାରି ବାପୁ ହାତରୁ ଦୌଡ଼ିଟି ଛଡ଼ାଇଦେଲେ । ବାପୁ ପ୍ରଥମେ କାନ୍ଦି ଗଡ଼ିଗଲା । ଏଟା ମାଆର ଦିହଘଷା ହୋଇ ଯାଇଥିବାରୁ କାଟୁ କଲାନାହିଁ । ସେ ତେଣୁ ଉଠି ଲୋଟା, ବାଲଟି ସବୁ ଅଗଣାକୁ ଫୋପାଡ଼ିବାକୁ ଲାଗିଲା । ସେ ସବୁ ପ୍ରତି ଭ୍ରୂକ୍ଷେପ ନ କରି ବାପୁବୋଉ ଯେତେବେଳେ କୁକୁଡ଼ାଟି ଟାଣି ଟାଣି ଫେରାଇ ଦବାକୁ ଚାଲିଲେ, ବାପୁ ଅନ୍ୟ ପନ୍ଥା ଧରିଲା । ବୋଉର ପାଦ ଦୁଇଟି ଧରି କରୁଣ ଭାବରେ ଚାହିଁଲା ।

 

ବାପୁବୋଉ ହସି ପକାଇ କହିଲେ, ହଉ ଯା ରଅଖ । ବାପୁ ଆନନ୍ଦରେ ନାଚି ନାଚି ଚାଲିଗଲା କୁକୁଡ଼ାକୁ ବାନ୍ଧିବାକୁ । ବାପୁବୋଉ ଟୁପବୋଉ ଘରକୁ ଗଲେ ବାପୁର ଆଚରଣ ପାଇଁ କ୍ଷମା ମାଗି କୁକୁଡ଼ାର ଦାମ ଦେଇଦବାକୁ ।

 

ଏହାପରେ କୁକୁଡ଼ାର ଗୋଟିଏ ସାନ ଘର ହୋଇଚି । ତା ପାଇଁ ଧାନ କିଣା ହେଇଚି । ତାକୁ ଏକା ଲାଗୁଚି ବୋଲି ଆଉ ଗୋଟିଏ କୁକୁଡ଼ା କିଣା ହୋଇଚି ।

 

କିନ୍ତୁ ଅଣ୍ଡା କାହିଁ ! ମାସେ ହୋଇଗଲା ଅଣ୍ଡା କାହିଁ !! ଗୋବିନ୍ଦ ବାବୁ ଦିନେ ରାଗିଯାଇ କୁକୁଡ଼ାର ଚରିତ୍ର ବିଷୟରେ ତୀବ୍ର ମନ୍ତବ୍ୟ କଲେ, କୁକୁଡ଼ା କୁଳରେ ଏ ଦୁଇଟା ସତୀ ଆସିଲେ ହ୍ୟାପ୍ ଆମ ଘରକୁ ।

 

କିନ୍ତୁ ନା, କୁକୁଡ଼ାମାନଙ୍କ ଦୋଷ ନୁହଁ, ଏକଥା ଦିନେ ବୁଝି ପାରିଲେ ସେ । ବାପୁ ଯେ ତାଙ୍କୁ ଗୋଡ଼େ ଗୋଡ଼େ ଜଗିଛି ! ଗଞ୍ଜା ଗୋଡ଼ାଇବା ମାତ୍ରକେ ବାପୁ ତାକୁ ଘଉଡ଼ାଇ ଦେଉଚି । ଏଥକୁ ଉପାୟ ! ବାପୁକୁ ଏ ବିଷୟରେ କିଏ ବୁଝାଇବ, କେମିତି ବୁଝାଇବ, ବାପୁ ବୁଝିଲେ ତ ?

 

ଗୋବିନ୍ଦ ହତାଶର ହସ ହସି ସ୍ତ୍ରୀଙ୍କୁ କହିଲେ । ବାପୁବୋଉ ମୁରୁକି ହସି କହିଲେ, ଠିକ୍ ହୋଇଚି, ଅଣ୍ଡାଖିଆ ବାହାରିଗଲା ଏଥର । ତାପରେ ଗମ୍ଭୀର ହୋଇ କହିଲେ, ଭଲ ହୋଇଚି, ଦିନରାତି ଘରେ ପିଣ୍ଡାରେ ହଗୁଛନ୍ତି, ଧୋଇ ଧୋଇ ମୁଁ ହଇରାଣ ହେଲିଣି ।

 

ଏହି ସମୟରେ ଗୋଟିଏ ଗଞ୍ଜା ବାପୁର କୁକୁଡ଼ାକୁ ଗୋଡ଼େଇ ଗୋଡ଼େଇ ଧାଇଁ ଆସିଲା ଘରଭିତରକୁ । ବାପୁ ଗୋଡ଼େଇଚି ଗଞ୍ଜା ପଛରେ ଟେକା ମାରୁ ମାରୁ । ଗଞ୍ଜାର ସେଥି ପ୍ରତି ଭ୍ରୂକ୍ଷେପନାହିଁ । ବାପୁବୋଉ ବାପୁକୁ କୋଳକୁ ଟେକିନେଲେ ବାଟରୁ । ବାପୁ ବୋଉକୋଳରେ ଛାଟିପିଟି ହୋଇ କହିଲା, ଛାଡ଼ିଦେ ମୋତେ, ମୋ କୁକୁଡ଼ାକୁ କାମୁଡ଼ିଦେବ ସେଟା ।

 

ବାପୁବୋଉ କହିଲେ, ଆରେ ଶୁଉଣୁ ! ସେ ବଡ଼ କୁକୁଡ଼ା ଦେହରେ ଅନେକ ଛୁଆ କୁକୁଡ଼ାର ପୋକ ଅଛି । ସେ କାମୁଡ଼ି ତୋ କୁକୁଡ଼ା ଧଇଲେ...ଏଁ...ଏଁ ବୁଝିଲୁ... (ଅପାଙ୍ଗରେ ଗୋବିନ୍ଦ ବାବୁଙ୍କ ଆଡ଼େ ଟିକିଏ ଚାହିଁ) ବୁଝିଲୁ ତୋ କୁକୁଡ଼ାଦେହକୁ ସେ ପୋକସବୁ ଚାଲିଯିବେ । ତୋ କୁକୁଡ଼ା ସେଇଠୁ ନିଇତି ଗୋଟାଏ ଅଣ୍ଡାଦବ, ଆଉ ସେ ଅଣ୍ଡାସବୁରୁ କେତେ କୁନିଛୁଆ ହେବେ ।

 

ବାପୁ ଛାଟିପିଟି ହବା ବନ୍ଦକରି କାନ ଡେରି ଶୁଣିଲା । କୋଳରୁ ଓହ୍ଲାଇ କୁକୁଡ଼ା ଆଡ଼େ ଚାହିଁଲା । ସେତେବେଳକୁ ଗଞ୍ଜା ଚାଲିଗଲାଣି ତାର ନିମୟପାଳି ।

 

ବାପୁ ଯେତେବେଳେ ଦେଖିଲା ସତକୁସତ ଏହାର କିଛି ଦିନ ପରେ ତା’ର କୁକୁଡ଼ା ଅଣ୍ଡା ଦେଲା, ଭାରି ଖୁସିହୋଇ ସେ ବୋଉକୁ ଦେଖାଇଲା । ଏହାପରେ ସେ ଗଞ୍ଜାକୁ ଆଉ ବାଧା ଦେଲାନାହିଁ ।

 

ଗୋବିନ୍ଦ ବାବୁଙ୍କର ବର୍ତ୍ତମାନ ଅନେକ ଗୁଡ଼ିଏ କୁକୁଡ଼ା । ପ୍ରତିଦିନ ଅଣ୍ଡା ମଧ୍ୟ ହୁଏ ଚାରିଟାରୁ କମ ନୁହେଁ । ଗୋବିନ୍ଦବାବୁ ଆନନ୍ଦରେ ଆମଲେଟ୍ ପୋଚ ଖାଉଛନ୍ତି; କିନ୍ତୁ କୁକୁଡ଼ା ରୋଷ୍ଟ ବା ତରକାରି ଖାଇପାରି ନାହାନ୍ତି । ବାପୁବୋଉର ସେଥିରେ ଘୋର ଆପତ୍ତି, ଯାହାକୁ ପାଳିଚି ମୁଁ ତାକୁ ମାରିବିନି ! ରାକ୍ଷସୀ ହେବି କି !!

 

ଗୋବିନ୍ଦ ବାବୁଙ୍କର କିନ୍ତୁ ରାକ୍ଷସଭାବ ଗଲାନାହିଁ । ବାପୁବୋଉ ଦିନକୁ ଦିନ ଉତ୍‍କ୍ଷିପ୍ତ ହୋଇ ଉଠୁଚନ୍ତି । ଘର ପିଣ୍ଡା ଧୋଇ ଧୋଇ ସେ ସତେ ହଇରାଣ । ବାପୁର ଆଉ କୁକୁଡ଼ା ପ୍ରତି ତେତେ ନଜରନାହିଁ । ଏହି ସୁବିଧା ନେଇ ବାପୁବୋଉ ଦିନେ ସ୍ଥିରକଲେ ପଡ଼ିଶାଘରକୁ ସବୁ କୁକୁଡ଼ା ଦେଇଦେବେ ।

 

ଦିନେ ସକାଳୁ ବର୍ଷା ଅବିରାମ ପଡ଼ୁଚି । ପଡ଼ିଶାଘର ଚାକର ଆସିଚି କୁକୁଡ଼ାଗୁଡ଼ିକ ନେଇ ଯିବାକୁ । ବାପୁବୋଉ ରୋଷେଇ ଶାଳରୁ ବାହାରି ଆସିଲେ କୁକୁଡ଼ା ଘରକୁ ଦେଖିବାପାଇଁ, ସେମାନେ ଅଛନ୍ତି କି ନା । ଗୋବିନ୍ଦବାବୁ ଖଟ ଉପରେ ଶୋଇ ଭାବୁଛନ୍ତି କିପରି ସ୍ତ୍ରୀଙ୍କୁ ବାଧାଦେବେ । ବାପୁବୋଉ ପାଦ ଟିପି ଟିପି ଆସି ଗୋବିନ୍ଦବାବୁଙ୍କୁ ହାତଠାରି ଡାକି ଚୁପ୍ ଚୁପ୍ କହିଲେ, ଦେଖିବ ଆସ । ମୁହଁରେ ତାଙ୍କର ଏକ ଉଜ୍ଜ୍ୱଳ ଆଭା ଦେଖି ଗୋବିନ୍ଦ ଆଶ୍ଚର୍ଯ୍ୟ ହୋଇଗଲେ ।

 

ଗୋବିନ୍ଦ ବ୍ୟାପାର କଅଣ ବୁଝି ନଥିଲେ ମଧ୍ୟ ସ୍ତ୍ରୀଙ୍କ ପରି ପାଦ ଟିପି ଟିପି ସ୍ତ୍ରୀ ଅନୁଗମନ କଲେ । କୁକୁଡ଼ାଘର ପାଖରେ ଦେଖିଲେ ଗୋଟିଏ କୁକୁଡ଼ାଛୁଆ ମୁଣ୍ଡ ତଳକୁ ପୋତି ଛିଡ଼ା ହୋଇଚି । ଆଉ ଗୋଟିଏ ବଡ଼ କୁକୁଡ଼ା କାଠଗଦା ଉପରେ ବସିଚି, ଆଉ ଛନ ଛନ ହୋଇ ଚାରିଆଡ଼କୁ ଚାହୁଁଚି । କଅଣ ଦେଖିବାର ଅଛି ଗୋବିନ୍ଦ ବାବୁ ବୁଝିପାରିଲେ ନାହିଁ ।

 

ବାପୁ ବୋଉ କହିଲେ, ଆହା, ଦେଖି ପାରିଲନାହିଁ । କୁକୁଡ଼ାଙ୍କର ଏମିତି ଭାବ ଅଛି କି-? ଏଇ କୁକୁଡ଼ାର ମା’ ବର୍ଷାରୁ ଆସି ଏଇଠି ପିଣ୍ଡାରେ ଛିଡ଼ାହେଲା, ଆଉ କକ୍‍କରକ-ଆ...କରି ଡାକିଲା । ଏଇ ସାନଛୁଆଟି ବର୍ଷାରେ ଭିଜି ଭିଜି ଆସି ତା ପାଖରେ ଛିଡ଼ାହେଲା । ଦୁହେଁ ଦୁହିଁଙ୍କୁ ଚାହିଁ ମୁହଁକୁ ମୁହଁ ଲଗାଇ ଅନେକ କ୍ଷଣ ଛିଡ଼ାହେଲେ । କଅଣ କଥାବାର୍ତ୍ତା ହେଲାପରି ଲାଗିଲା-। ନିଶ୍ଚୟ ମା’ ତାର ଛୁଆକୁ ଗାଳିଦେଲା କାହିଁକି ବର୍ଷାରେ ଭିଜୁଚି ବୋଲି । ତା’ ପରେ ଛିୁଆ କଅଣ କହିଲା କେଜାଣି ମା’ ତାକୁ ଦି ଚାରି ଖୁମ୍ପା ଦେଇ ମୁହଁ ଛାଟି ଚାଲିଗଲା । ଛୁଆଟି ସେତିକିବେଳୁ ମୁହଁ ତଳକୁ କରି ଛିଡ଼ାହୋଇଚି ସେଠି, ଆଉ ବର୍ଷାକୁ ଯାଉନାହିଁ । କି ସୁନ୍ଦର ମ ସତେ ! ତାଙ୍କର ମା’ମାନେ ବି ଛୁଆକୁ ଏମିତି ପାଳନ୍ତି ! ନାଇଲୋ ମା’ ମୋ କୁକୁଡ଼ା ମୁଁ କାହାକୁ ଦେବିନାହିଁ । କହୁ କହୁ ତାଙ୍କର ଆଖି ଛଳ ଛଳ ହୋଇଗଲା ।

 

ଗୋବିନ୍ଦ ବଡ଼ କୁକୁଡ଼ା ଆଡ଼େ ଚାହିଁ କହିଲେ, ଆଉ ଏ କାହିଁକି ଏଠି ବସିଚି ?

 

—ଅଣ୍ଡା ଦବ ଯେ, ଏଇ ଛୁଣିକା ଚାରିଆଡ଼ ପାଟିକରି କମ୍ପାଉଥିଲା ସେ । ସତେ ଯେମିତି କହୁଥିଲା, ଅଣ୍ଡା ଦବା ଜାଗା ଦେଖେଇ ଦିଅ ମୋତେ । ଯେମିତି ଅଣ୍ଡା ଦେଇ ସାରିବ ସେଇଠୁ ପୁଣି ପାଟିକରି କମ୍ପେଇ କହିବ, ଅଣ୍ଡା ଦେଇ ସାରିଳି, ଅଣ୍ଡା ନେଇ ଯା ଖାଇବ ! କି ଆଶ୍ଚର୍ଯ୍ୟ ସତେ !

 

ଗୋବିନ୍ଦ ବାବୁଙ୍କ ଆଖି ବି ଛଳ ଛଳ ହୋଇଗଲା । ସେ କହିଲେ, ସତେ କି ଅଭୂତ ସୃଷ୍ଟି ଏମାନେ । ସକାଳୁ ଉଠିଲେ, ଚାଲିଗଲେ ବାହାରକୁ ଖାଦ୍ୟ ଖୋଜିବା ପାଇଁ । ଦିନଯାକ ବାହାରେ ଖାଇ ସନ୍ଧ୍ୟାବେଳକୁ ଘରକୁ ଆସିଲେ, ରହିଲେ । ରଖିବାପାଇଁ ପଇସାଟିଏ ବି ଖର୍ଚ୍ଚ ନାହିଁ । ସବୁଠୁ ପୁଷ୍ଟିକର ଖାଦ୍ୟ ଏମାନେ ଯୋଗାଉଚନ୍ତି; କିନ୍ତୁ ଅଣ୍ଡା ଦେଲାପରେ ତାକୁ କିଏ ନେଲା କି ଖାଇଲା ସେଥିପ୍ରତି ତାଙ୍କର ଭ୍ରୂକ୍ଷେପ ନାହିଁ । ଯଦି ଥାଆନ୍ତା ତେବେ ଆମ ପକ୍ଷରେ କେତେ ଅସୁବିଧା ହୁଅନ୍ତା କୁହ ତ ?

 

ପୁଣି ଦେଖ ସବୁଠାରୁ ବଳକାରକ ଖାଦ୍ୟ ଯୋଗାଉ ଥିଲେ ବି ଏମାନେ କେତେ ଭୀରୁ-!!

 

—ଅଭୂତ ସତେ ! ଠିକ୍ ରାତି ତିନିଟାବେଳେ ବ୍ରାହ୍ମମୁହୂର୍ତ୍ତରେ ସବୁ କୁକୁଡ଼ାଯାକ ଡାକିଉଠିବେ, ଚକ୍‍ନ୍ତ୍ର ଧ...ଅ...ର, ରକ୍ଷା କ...ଅ...ର ! ବାପୁବୋଉ ହାତଯୋଡ଼ି ନମସ୍କାର କରି କହିଲେ ।

 

ଗୋବିନ୍ଦ ଛଳ ଛଳ ଆଖିରେ ଫେରି ଆସି ଖଟ ଉପରେ ଶୋଇ ଭାବିବାକୁ ଲାଗିଲେ ସୃଷ୍ଟିର ଅଭୁତ ନିୟମ । କିଛି ତାର କଳନା ପାଇଲେ ନାହିଁ । ଉପନିଷଦର ଗୋଟିଏ ଶ୍ଳୋକ ତାଙ୍କର ମନେପଡ଼ିଲା, ‘‘ଯସ୍ୟାମତଂ ତସ୍ୟ ମତଂ ମତଂ ଯସ୍ୟ ନ ବେଦ ସଃ, ଅବିଜ୍ଞାତଂ ବିଜାନତାଂ ବିଜ୍ଞତମବିଜାନତାମ୍ ।’’ ଯେଉଁମାନେ ସମ୍ୟକ୍ ଜ୍ଞାନବାନ୍ ସେମାନେ ବ୍ରହ୍ମଙ୍କୁ ଜ୍ଞାନ ବୋଲି ମନେକରନ୍ତିନାହିଁ, ଯେଉଁମାନେ ସମ୍ୟକ୍ ଜ୍ଞାନବାନ୍ ନୁହନ୍ତି, ସେମାନେ ମନେକରନ୍ତି ବ୍ରହ୍ମ ଜ୍ଞାତ ।

 

ସେଦିନ ରାତି ନପାହୁଣୁ ଗୋବିନ୍ଦବାବୁଙ୍କ ନିଦ ଭାଙ୍ଗିଗଲା ତାଙ୍କର । ଶୋଇବା ଘର ଦୁଆର ପାଖରେ କୁକୁଡ଼ାମାନଙ୍କର ଐକ୍ୟତାନରେ । ପ୍ରତିଦିନ ଏପରି ଶୁଅନ୍ତି; କିନ୍ତୁ ଆଜି ତା’ର ଭାଷା ସେ ସ୍ପଷ୍ଟ ବୁଝି ପାରିଲେ, ବାପୁବୋଉକୁ ଆସ୍ତେ ହଲାଇ ଉଠାଇ ଦେଇ କହିଲେ, ଶୁଣୁଚ, କୁକୁଡ଼ାମାନେ କହୁଚନ୍ତି, ବାଡ଼ି କବାଟ ଫିଟାଇ ଦିଅ, ଆମେ ବାହାରକୁ ଯିବୁ ନିଜ ନିଜ ଧନ୍ଦାରେ ।

 

ବାପୁବୋଉ କାନରେ କହିଲେ, ସତେ ମ !!

 

ଦୁହେଁ କବାଟଫିଟାଇ ବାହାରକୁ ଆସିଲେ ବାଡ଼ିକବାଟ ଫିଟାଇ ଦେବାକୁ । କୁକୁଡ଼ାଗୁଡ଼ିକ ସେମାନଙ୍କ ପଛେ ପଛେ ଦୌଡ଼ିଲେ । ଯେମିତି ବାଡ଼ି କବାଟ ଫିଟାହୋଇଚି, ଗିଡ଼ିଗିଡ଼ା ମାରି ସମସ୍ତେ ଦୌଡ଼ିଗଲେ ବାହାରକୁ ।

 

ଗୋବିନ୍ଦବାବୁ ଓ ବାପୁବୋଉ ମୁଗ୍‍ଧ ଭାବରେ ଅନାଇ ରହିଲେ ସେମାନଙ୍କୁ । ବାପୁବୋଉ ଆକାଶକୁ ଚାହିଁ ନମସ୍କାର କରି କହିଲେ, ହେ ଭଗବାନ୍...

 

ଗୋବିନ୍ଦବାବୁ କହିଲେ, ଇୟାଡ଼କୁ ବି ଚାହଁ । ଘାସକୁ ଦେଖ, କୁକୁଡ଼ାକୁ ଦେଖ । ହେଇ ଦେଖ ଦେଖ ! ପିମ୍ପୁଡ଼ି ଧାର ଲାଗିଛି କାନ୍ଥରେ । ମା’ ପିମ୍ପୁଡ଼ିମାନେ ମୁହଁରେ ଅଣ୍ଡାଟିମାନ ଧରି ତରତରହୋଇ ଧାଇଁଛନ୍ତି । ଦେଖ ମ, ଗୋଟାଏ ସାନ ବୁଢ଼ିଆଣୀ ସେ ଧାର ପାଖରେ ଛକି ବସୁଚି, ଆଉ ସୁବିଧା ପାଇବା ମାତ୍ରକେ ପିମ୍ପୁଡ଼ି ମୁହଁରୁ ଅଣ୍ଡାଟିଏ ଛଡ଼ାଇନେଇ ପଳେଇଯାଉଚି !! ଏ ସବୁ ତେବେ ଭଗବନାଙ୍କ ଲୀଳା । ମହା ମୁଷ୍‍କିଲିଆ କଥା !!

★★★

 

ଛାଡ଼ପତ୍ର

 

ଦିନଟା ଆଷାଢ଼ର ପ୍ରଥମ ଦିନ ନୁହେଁ । ରମାରଞ୍ଜନ ମଧ୍ୟ ଠିକ୍ କାନ୍ତ ନୁହନ୍ତି, ବୟସ ତାଙ୍କର ଚାଳିଶ । ଗୁରୁ ବିରହର ଯନ୍ତ୍ରଣା ମଧ୍ୟ ସେ ଅନୁଭବ କରୁନାହାନ୍ତି । ଗୁରୁମିଳନର ଯନ୍ତ୍ରଣା ସେ ବର୍ତ୍ତମାନ ଅଙ୍ଗେ ଅଙ୍ଗେ ଅନୁଭବ କରୁଥିଲେ । ରମାରଞ୍ଜନଙ୍କ ପିତା ଯେ କଅଣ ଭାବି ପୁତ୍ରର ନାଁ ରଖିଥିଲେ ‘ରମାରଞ୍ଜନ’ ସେ କଥା ସେଇ ଜାଣନ୍ତି; କିନ୍ତୁ ବିବାହ ପରେ ତାଙ୍କର ବନ୍ଧୁମାନେ କହିଲେ, ନାଁଟି ତାଙ୍କର ସାର୍ଥକ ହେଲା । ବନ୍ଧୁମାନେ ଯଦିଓ ତାଙ୍କ ମତ ଏ ପର୍ଯ୍ୟନ୍ତ ବଦଳାଇ ନାହାନ୍ତି, ରମାରଞ୍ଜନ ବିବାହ କରିବାର ଦୁଇବର୍ଷ ଭିତରେ—ଠିକ୍ କହିବାକୁ ଗଲେ ତାଙ୍କର ପ୍ରଥମ ସନ୍ତାନ ଜନ୍ମପରେ—ଅନୁଭବ କଲେ, ତାଙ୍କର ସେ ନାଁ’ ଆଜି ତାଙ୍କୁ ଉପହାସ କରୁଛି । ତଥାପି ଘଡ଼ଘଡ଼ିର କଡ଼ କଡ଼ ଶବ୍ଦ, ବିଜୁଳିର ମୁହୂର୍ମୁହୁ ଝଲକ ଏବଂ ବରଷାର ଅବିରାମ ଝର ଝର ଝମ୍ ଝମ୍ ସଙ୍ଗୀତ ଆଜି ଟିକିଏ କାନ୍ତଭାବ ଆଣିଦେଲା । ପଡ଼ିଶା ଘରର ଯୁବତୀ ବଧୁ ଗ୍ରାମୋଫୋନରେ ରେକର୍ଡ ଲଗାଇଚନ୍ତି—‘ଏମନ ଦିନେ ତାରେ ବହା ଯାୟ, ଏମନ ଘନ ଘୋର ବରିଷାୟ’ ।

 

ଏପରି ଦିନରେ କାହାକୁ କିଏ କଅଣ କୁହେ, ଜାଣିବାକୁ ଆଗ୍ରହାନ୍ୱିତ ହୋଇ ରମାରଞ୍ଜନ ପଡ଼ିଶା ଘରଆଡ଼ ଝରକା ଖୋଲିଦେଇ ଛିଡ଼ାହୋଇଚନ୍ତି କି ନାହିଁ ପଛଆଡ଼ୁ ଶୁଭିଲା, ଶୁଣୁଚ ହୋ,, ବରଷାରେ ମନି ଇସ୍କୁଲରୁ ଆସି ମନା କରୁକରୁ ଖେଳିବାକୁ ପଳେଇଚି, ତୁମେ ତ କିଛି କହିବନି । ଚାକର ଟୋକାତ ବାଇଗଣ ସେର ପାଞ୍ଚ’ଣା ଜାଗାରେ ଛ’ଅଣା ଦେଇ ଆଣୁଚି । ମଲା ! କୁଆଡ଼େ ଆକାଶଟାକୁ ଚାହିଁଚ ମ ? ହା ମୋ କପାଳ... ?

 

କପାଳରେ କରାଘାତର ପ୍ରଚଣ୍ଡ ଶବ୍ଦ ଶୁଣି ରମାରଞ୍ଜନ ବାବୁ କିଛିକ୍ଷଣ ଆଖି ବୁଜି ଛିଡ଼ା ହେଲେ ଏବଂ ମନେ ମନେ କହିଲେ ହାୟ କବୀନ୍ଦ୍ର ! ଗୋଟିଏ ଦୀର୍ଘ ନିଃଶ୍ୱାସ ପକାଇ ଶାନ୍ତଭାବରେ ପଚାରିଲେ, କଅଣ କହୁଥିଲ ରମା ?

ରମାରଞ୍ଜନ ‘ରମା’ ବୋଲି ଏପରି ଭାବରେ ସମ୍ୱୋଧନ କଲେ, ସତେ ଯେପରି କୌଣସି ପ୍ରେମିକ ପ୍ରେମିକାର ନା ଉଚ୍ଚାରଣ କରି ଅସୀମ ଆନନ୍ଦ ପାଉଚି; କିନ୍ତୁ ବୃଥା । ରମାଦେବୀ କହିଲେ, ଦେଖ ! ମୁଁ ତୁମକୁ ହଜାର ଥର କହିଚି ମୋ ନା’ ଧରି ଡାକିବ ନାହିଁ । ସେ ସବୁ ମୋତେ ଭଲ ଲାଗେନାହିଁ । ତା’ ଛଡ଼ା ପୁଅ ବଡ଼ହେଲାଣି, ସେ ସବୁ ଗେଲ ଆଉ ଭଲ ଲାଗୁନାହିଁ । ତୁମେ ମୋତେ ‘ମନି ବୋଉ’ ଡାକିବ ।

ରମାରଞ୍ଜନ ପୁଣି ଆଖିବୁଜି ପଚାରିଲେ, କଅଣ କହୁଥିଲ ମନିବୋଉ ?

—କିଛି ଶୁଣିନାଅଁ ? ହା ଭଗବାନ୍ !! ମୋର ସବୁ କଥା କଅଣ ତୁମର ଏ କାନବାଟେ ପଶି ସେ କାନବାଟେ ବାହାରିଯାଏ ?

ରମାରଞ୍ଜନ ବାବୁ ଏଥର ବିରକ୍ତ ହୋଇ କହିଲେ, ମନିବୋଉ, ତୁମ କଥାଗୁଡ଼ିକ ମୋ ଏ କାନବାଟେ ପଶି ସେ କାନବାଟେ ଯାଏ ବୋଲି ଆକ୍ଷେପ କରୁଛ; କିନ୍ତୁ ମୋ କଥାଗୁଡ଼ାକ ଯେ ତୁମ ଦୁଇ କାନବାଟେ ପଶି ମୁହଁବାଟେ ଅନ୍ୟବାଟେ ଅନର୍ଗଳ ବାହାରେ, ସେ କଥା ବେଳକୁ...

ଆଉ କିଛି ନ କହି କାମିଜ ପିନ୍ଧି ଛତାଧରି ରମାରଞ୍ଜନ ବାହାରି ପଡ଼ିଲେ ପ୍ରେମମୟ ଘରକୁ । ପ୍ରେମମୟ ତାଙ୍କର ଆବାଲ୍ୟ ଅନ୍ତରଙ୍ଗ ବନ୍ଧୁ । ବର୍ତ୍ତମାନ ମନସ୍ତତ୍ତ୍ୱର ଅଧ୍ୟାପକ । ଗଳ୍ପର ଗୋଟିଏ ଜାହାଜ ସେ ।

 

ପ୍ରେମମୟବାବୁଙ୍କ ବୈଠକଘରେ ଛତାଟି ଡେରିଦେଇ ଆରାମଚୌକିରେ ଦେହ ଢାଳିଦେଇ ସେ ଆଜ୍ଞାଦେଲେ, ପ୍ରେମ, ଚାହା ବାଲଟିଏ ଓ ଥାଳିଏ ପକୁଡ଼ି ତୋ ଚାକରକୁ ଆଣିବାକୁ କହ । ସନ୍ଧ୍ୟାକୁ ଆଣିବା ପାଇଁ ବାପା କହନା ।

 

—କିରେ ସନ୍ଧ୍ୟା ପ୍ରତି ତୋର ଆଜି ବିତୃଷ୍ଣା କାହିଁକି ? ନା ଦେଖେଇ ହେଉଚୁ ନିଜର ଉଦାସୀନତା । ମୁଁ ତ ତୁମ ଦୁଇଜଣକ ଚାଲିଚଳଣ ଦେଖି ଛାଡ଼ପତ୍ରର ବନ୍ଦୋବସ୍ତ...

 

ରମାରଞ୍ଜନ ଆରାମଚୌକିରୁ ଉଠିପଡ଼ି ହଠାତ୍ ପୂର୍ଣ୍ଣପ୍ରାଣ ସମର୍ଥନ ଦେଇ ଆଗ୍ରହ ସହକାରେ କହିଲେ, ‘ସ୍ତ୍ରୀକୁ ଛାଡ଼ପତ୍ର ଦେବୁ ? ଦେ ଭାଇ, ଦେଇ ଦେ । କାରଣ ସକାଶେ ଡର ନା ତୁ’ ।

 

ପ୍ରେମମୟ ହସି କହିଲେ, ଓଃ ହୋ ବୁଝିଲି, ସ୍ତ୍ରୀ ସହିତ କଜିଆକରି ଆସିଚୁ...

 

ରମାରଞ୍ଜନ ଗୋଟିଏ ଦୀର୍ଘ ନିଃଶ୍ୱାସ ପକାଇ କହିଲେ, ନା ପ୍ରେମ ! ଆଉ ଚଳିବନାହିଁ । ଜୀବନଟା ବୃଥା ଗଲା ଭାଇ । ଟିକିଏ ବି ସରସତା ପାଇଲିନାହିଁ ମୋ ବିବାହିତ ଜୀବନରେ । ଯଦି ବୟସ ବା ସୁବିଧା ଥାଆନ୍ତା, ସତ କହୁଚି, ଛାଡ଼ପତ୍ର ଦେଇ ଆଉ ଗୋଟିଏ...ମାନେ, ଆଉ ଗୋଟିଏ... । ସବୁବେଳେ ଖାଲି ଗଜର୍ ଗଜର୍, ମଣିଷ ଆଉ କେତେ ସହିବ କହିଲୁ... ?

 

ପ୍ରେମମୟ ହସି କହିଲେ, ଛାଡ଼ପତ୍ର ଦେବୁ, ନା ? ତେବେ ଗୋଟିଏ କଥା କହୁଚି ଶୁଣ । ଜଣେ ଧନୀ ଭଦ୍ରଲୋକ ଥରେ ତୀର୍ଥଯାତ୍ରା କରିବାକୁ ଦୂର ଦେଶକୁ ବାହାରିଲେ । ଯିବାବେଳେ ତାଙ୍କ ସ୍ତ୍ରୀଙ୍କୁ କହିଲେ, ଦେଖ, ମୁଁ ଦେଶ ବିଦେଶକୁ ବୁଲି ଯାଉଚି । କେବେ ଫେରିବି, ଫେରିବି କି ନାହିଁ, କିଏ କହିବ । ମୋର ବିଶ୍ୱାସ ମୋର ଅନୁପସ୍ଥିତିରେ ତୁମେ ନିଜକୁ ଚଳାଇ ନେଇପାରିବ । ଯଦି ନିହାତି ନପାର, ତେବେ ଗୋଟିଏ ଉପାୟ ମୁଁ କହିଯାଉଚି, ତାହା ପାଳନ କରିବ । ଏଇ ଯେ ସାମନାରେ ସର୍ବସାଧାରଣ ପାଇଖାନା ଦେଖୁଚ, ସେଠିକି ଯେତେ ଲୋକ ଯାଆନ୍ତି, ତାଙ୍କ ଭିତରେ ଯାହାର ସବୁଠୁ ପୁରୁଣା ଗଡ଼ୁ ଦେଖିବ, ତାହାର ସାହାଯ୍ୟନେବ । ଏହା କହି ଭଦ୍ରଲୋକଟି ତୀର୍ଥଯାତ୍ରାରେ ଗଲେ । ଅନେକ ଦିନ ଚାଲିଗଲା । ସ୍ତ୍ରୀ ଆଉ ନିଜକୁ ଚଳାଇ ପାରିଲେନାହିଁ । ସ୍ୱାମୀଙ୍କ ନିର୍ଦ୍ଦେଶ ମାନି ସେ ଦିନେ ସକାଳେ ଝରକା ପାଖରେ ବସି ପାଇଖାନା ଯାଉଥିବା ଲୋକମାନଙ୍କୁ ନିରୀକ୍ଷଣ କରିବାକୁ ଲାଗିଲେ । ସେମାନଙ୍କ ଭିତରେ ଜଣକର ଗଡ଼ୁଟି ଅତି ପୁରୁଣା, ତିନି ଚାରି ଜାଗା କଣା ହୋଇ ପାଣି ଝରୁଚି, ପଡ଼ି ପଡ଼ି ଅନେକ ଜାଗାରେ ଚେପା ହୋଇଯାଇଚି । ତାଙ୍କୁ ହିଁ ମନେ ମନେ ମନୋନୀତ କରି ସେ ଚାକର ପଠାଇ ତାଙ୍କୁ ଡକାଇଲେ ଏବଂ ତାଙ୍କୁ ନାନା ସୁଖାଦ୍ୟ ଦେଇ ଆପ୍ୟାୟିତ କରି ପ୍ରକାରାନ୍ତରେ ସ୍ୱାମୀଙ୍କ ନିର୍ଦ୍ଦେଶ ଓ ନିଜର ମନୋଭାବ ପ୍ରକାଶ କରିବାକୁ ମନସ୍ଥ କଲେ; କିନ୍ତୁ ନିଜର କୌତୂହଳ ଦମନ କରି ନପାରି ସେ ପ୍ରଥମେ ହିଁ ପଚାରିଲେ ମହାଶୟ, ଗୋଟିଏ କଥା ଜାଣିବାକୁ ମୋର ଭାରି ଆଗ୍ରହ ହେଉଚି । ଯଦି କିଛି ମନେ ନ କରିବେ ତ ପଚାରିବି ।

 

ଭଦ୍ରଲୋକ ଅଭୟ ଦେବାରୁ ସେ କହିଲେ, ଆଜ୍ଞା, କହିବେ କି, ଆପଣଙ୍କ ଗଡ଼ୁଟି ତିନି ଚାରି ଜାଗା କଣା ଓ ଅନେକ ଜାଗା ଚେପା ହୋଇଯାଇଥିଲେ ବି ତାକୁ ବଦଳାଇ ଆଉ ଗୋଟିଏ ନୂଆ କାହିଁକି ବ୍ୟବହାର କରୁନାହାନ୍ତି ?

 

ଭଦ୍ରଲୋକ କିଛିକ୍ଷଣ ନୀରବ ରହି ଟିକିଏ ହସିଲେ ଏବଂ କହିଲେ, ବୁଝିଲୁ ମା’ ଆଜିକି ପନ୍ଦର ବର୍ଷ ହେବ ଏଇ ଗଡ଼ୁ ଆଗରେ ନିଜର ନଗ୍ନତା ପ୍ରକାଶ କରି ଆସୁଚି । ଫେର ଗୋଟାଏ ଗଡ଼ୁ ଆଗରେ ନିଜର ନଗ୍ନତା ପ୍ରକାଶ କରିବାକୁ ରୁଚି ହେଉନାହିଁ ।

 

ଏଥର ବିରହ ଆତୁରା ସ୍ତ୍ରୀ ସ୍ୱାମୀଙ୍କ ନିର୍ଦ୍ଦେଶ ଗୁଡ଼ ଉଦ୍ଦେଶ୍ୟ ବୁଝିପାରି ତଳକୁ ମୁହଁ ପୋତିଲେ ।

 

ପ୍ରେମମୟ ବନ୍ଧୁ ରମାରଞ୍ଜନର ମନ ଉପରେ ଅଧିକ ରେଖାପାତ ପାଇଁ ଟିକିଏ ଭାବବିହ୍ୱଳ ହୋଇ କହିଲେ, ରମାରଞ୍ଜନ ଆଜିକି ପନ୍ଦର ବର୍ଷ ହେବ ତୁ ଯାହା ସାମନାରେ ନିଜର ନଗ୍ନ ପରିଚୟ ଦେଇଆସିଛୁ, ଆଜି ତା’ ଛଡ଼ା ଆଉ ଜଣେ ନୂଆ ଲୋକ ତୋର ପ୍ରକୃତ ପରିଚୟ ପାଇ ପାରିବ କି ? ଆଉ ଜଣକ ସାମନରେ ତୁ ତୋର ସ୍ୱରୂପକୁ ଆହୁରି ଥରେ ମୂଳରୁ....

 

ରମାରଞ୍ଜନ ଏହାର ତୀବ୍ର ପ୍ରତିବାଦ କରି କହିଲେ, ନା, ନା, ପ୍ରେମ ! ଏ ବନ୍ଧନ ଅସହ୍ୟ-। ଯାହା ସହିତ ମନର ପ୍ରେମ ନାହିଁ, ତାହା ସହିତ ଚିରଜୀବନ ଛନ୍ଦି ହୋଇ ରହିବା ଯେ କି ବିଡ଼ମ୍ୱନା, କି ଦାରୁଣ ଯନ୍ତ୍ରଣା, ତୁ ବୁଝି ପାରିବୁନାହିଁ ।

 

ପ୍ରେମମୟ ସେହିପରି ହସି ହସି କହିଲେ, ମନ, ମନ, ମନ । ବୁଝିଲୁ ରମା ! ମନଭଳି ଏପରି ପିଚ୍ଛିଳ ଜିନିଷ ନାହିଁ । ସ୍ୱାମୀ ସ୍ତ୍ରୀର ବନ୍ଧନକୁ ମନ ଉପରେ ଛାଡ଼ିଦେବା ଆଦୌ ଉଚିତ ନୁହେଁ-। ମନ ତ ଅନେକ କିଛି ଚାହେଁ । ମନ ଯେମିତି ଗୋଟିଏ ଜିନିଷକୁ ଆଗ୍ରହରେ ଚାହେଁ, ସେମିତି ପାଇବା ପରେ ଅନାୟାସରେ ତାକୁ ଫିଙ୍ଗି ଦେଇପାରେ । ତୁ କଅଣ କହୁଚୁ ସ୍ୱାମୀ ସ୍ତ୍ରୀ ଯେଉଁ ସମ୍ୱନ୍ଧ ଉପରେ ସମସ୍ତ ସମାଜ, ସନ୍ତାନ ସନ୍ତତିର ଶିକ୍ଷା ସଂସ୍କୃତି ସବୁ ନିର୍ଭରକରେ ତାକୁ ମନର ଭଲପାଇବାପରି ପିଚ୍ଛିଳ କଥାଟା ଉପରେ ଛାଡ଼ିଦେବା ଉଚିତ ? ତୁ ମୋତେ ମରହଟ୍ଟୀ ବା ଅନ୍ୟ ଯାହାକିଛି କହ, ମୁଣ୍ଡରେ ଟୋପି ପିନ୍ଧିବା ଓ କାଢ଼ିବା ଭଳି ବିବାହ ଛାଡ଼ପତ୍ରର ସୁଆଙ୍ଗକୁ ମୁଁ ଆଦୌ ପସନ୍ଦ କରେନାହିଁ । ଆରେ ଏ ହେଉଚି ସ୍ୱାମୀ ସ୍ତ୍ରୀର ତିନିଗୋଡ଼ିଆ ଦୌଡ଼, ଥ୍ରି ଲେଗେଡ୍‍ ରେସ୍, ବୁଝିଲୁ ? ଗୋଟିଏ ଗୋଡ଼ ସ୍ୱାମୀର ଓ ଗୋଡ଼ ସ୍ତ୍ରୀର ଅଲଗା ଅର୍ଥାତ ସ୍ୱାଧୀନ; କିନ୍ତୁ ଦୁଇଜଣକର ଆଉ ଦୁଇଟା ଗୋଡ଼ ଏପରି ଭାବରେ ଛନ୍ଦା ଯେ ଆଦୌ ଅଲଗା ହୋଇ ପାରିବେନାହିଁ । ଏହି ଛନ୍ଦା ଗୋଡ଼ ଦୁଇଟି ସମାଜ କୁହ, ଶିକ୍ଷା କୁହ, ଯାହା କୁହ, ଏହି ଛନ୍ଦା ଗୋଡ଼କୁ ଯିଏ ଯେତିକି ଭଲ ଭାବରେ ଚଳାଇ ପାରିବ, ତାର ସୁଖ ସେତିକି ।

 

ରମାରଞ୍ଜନ ତଥାପି ମୁଣ୍ଡ ହଲାଇ କହିଲେ, ନା, ନା, ପ୍ରେମ, ମୁଁ ତୋର ଯୁକ୍ତି ବୁଝିଚି । ତଥାପି ମନ ମାନୁନାହିଁ ।

 

ପ୍ରେମମୟ ଏଥର ଗମ୍ଭୀର ହୋଇଗଲେ ଏବଂ କିଛିକ୍ଷଣ ପରେ ଗୋଟିଏ ଦୀର୍ଘନିଃଶ୍ୱାସ ପକାଇ କହିଲେ, ‘‘ତେବେ ତୋତେ ଆଉ ଗୋଟିଏ କଥା କହୁଚି ଶୁଣ । ଏଟା ଆଗପରି ଗଳ୍ପ ନୁହଁ । ଏକଦମ୍ ସତ ଘଟଣା । ତୁ ଇସ୍ ବାବୁଙ୍କ ନା ଶୁଣିଚୁ ?’’

 

ଆଶ୍ଚର୍ଯ୍ୟ ହୋଇ ରମାରଞ୍ଜନ କହିଲେ, ‘‘ଇସ୍’ କଅଣ ଜଣକ ନା ?’’

 

—‘‘ଓହୋ, ତୁ ତେବେ ଆମ ମିହିର କଥା ଶୁଣିନୁ । ଆରେ, ଆମ ମିହିର ମ । ଯିଏ ଇତିହାସରେ ଏମ୍. ଏ. ପାଶ୍ କରିବାପରେ ସେକ୍ରେଟେରିଏଟର କିରାଣି କାମ କରୁଚି ।’’

 

—ଆରେ ମିହିର ! ଆମ ସାଙ୍ଗରେ ଯିଏ ପଢ଼ୁଥିଲା ପାଟଣାରେ ? ତାର ନା, ଇସ୍ କେବେଠୁଁ ହେଲା ? କାହିଁକି ହେଲା ?

 

—ସେ ଗୋଟାଏ ଇତିହାସ । ସେହି କଥା ତ କହିବାକୁ ଯାଉଚି । ତାକୁ ଆଜିକାଲି ସମସ୍ତେ ଇସ୍ ବାବୁ ବୋଲି ଡାକନ୍ତି; କାରଣ ଆଜିକି ଛ’ସାତ ବର୍ଷ ହେବ ତାର ଗୋଟିଏ ମୁଦ୍ରାଦୋଷ ହୋଇଚି କଥାରେ କଥାରେ ଇସ୍ କହିବା—ସେ ଫାଇଲଟା ସାର୍ ଇସ୍ ମୁଁ ଚାରିଦିନ ହେବ ଦେଇ ସାରିଚି ଇସ୍ ? ...ଏମିତି ।

 

ଆଶ୍ଚର୍ଯ୍ୟ ହୋଇ ରମାରଞ୍ଜନ ପଚାରିଲେ, ‘‘ପଢ଼ିଲାବେଳେ ତ ଏ ମୁଦ୍ରାଦୋଷ ତାର ନଥିଲା ? ହଠାତ୍... ଏମିତି ହୁଏନା କଅଣ ? ତୋର ମନସ୍ତତ୍ତ୍ୱ ଏ ସମ୍ପର୍କରେ କଅଣ କହେ ?’

 

—ବହୁ ବର୍ଷପରେ ଆଜି ରାସ୍ତାରେ ହଠାତ୍ ତା ସହିତ ମୋର ଦେଖା । ମୁଁ କଲେଜରୁ ଫେରୁଚି ସେତେବେଳେ । ତୁ ଆଶ୍ଚର୍ଯ୍ୟ ହେବୁ ଶୁଣି, ଯେଉଁ ମିହିର ପଢ଼ିଲାବେଳେ ସବୁବେଳେ ହସ ହସ, ଫୂର୍ତ୍ତି, ଫାଜିଲ୍, ବେପରୁଆ, ସେ ଆଜି ସବୁବେଳେ ଗମ୍ଭୀର, ବିଷଣ୍ଣ । ମୋତେ ଦେଖି ଟିକିଏ ହସି ସେ କହିଲା, ପ୍ରେମ କିରେ ? ଇସ୍ । ତାର କଥା ଶୁଣି ମୁଁ ରୀତିମତ ରାଗିଯାଇ କହିଲି, କିରେ ମୋତେ ଦେଖି ଏତେ ବିରକ୍ତ କାହିଁକି ? ତାର ମୁହଁରେ ବ୍ୟଥା ଫୁଟିଉଠିଲା । ସେ ବ୍ୟଥିତ ଭାବରେ କହିଲା, ନା ଭାଇ ଅନେକ ଦିନ ପରେ ତୋତେ ଦେଖି କେତେ ଆନନ୍ଦ, ମୁଁ କଅଣ କହିବି । ପଚାରିଲି ତେବେ ‘ଇସ୍’ କାହିଁକି କହିଲୁ ? ସେ କପାଳରେ ହାତ ମାରି କହିଲା, ‘ଇସ୍’ କହିଲି ନା କଅଣ ? ଭାଇ ଛ’ ସାତ ବର୍ଷ ହେବ ଏ ଗୋଟିଏ ମୁଦ୍ରାଦୋଷ ହେଇଚି । ଟିକିଏ ବ୍ୟଥିତ ଭାବରେ ହସି ସେ ପୁଣି କହିଲା, ‘‘ତୁ ଜାଣୁନା ବୋଧେ ମୋର ନା ଆଜିକାଲି ‘ଇସ୍ ବାବୁ’ । ମୋର ମନସ୍ତାତ୍ତ୍ୱିକ କୌତୁହଳ ଜାଗିଲା । ଘରକୁ ଡାକି ନେଇ ମିହିରକୁ ନାନା ପ୍ରଶ୍ନ ପଚାରି ଯେଉଁ ଇତିହାସଟି ପାଇଲି, ତାହାହିଁ କହିବି । ନଦୀ ଯେତେବେଳେ ପାର୍ବତ୍ୟ ଦେଶରେ ବୋହୁଥାଏ, ସେତେବେଳେ ସେ ଥାଏ ଚଞ୍ଚଳ, ଆବେଗମୟ । ପାହାଡ଼ ପର୍ବତ ଠେଲି ସେ ବହି ଚାଲେ ସମତଳଭୂମି ପାଇଁ । ନଦୀ ଯେତେବେଳେ ସମତଳଭୂମିରେ ବୋହି ତାକୁ ଉର୍ବର କରେ, ଆମେ ନଦୀର ସେହି ଅବସ୍ଥାକୁ ପ୍ରାଧାନ୍ୟ ଦେଉ, କିନ୍ତୁ ଭାବି ଦେଖିଲେ, ନଦୀର ଆବେଗମୟ ପ୍ରଥମ ଜୀବନ ଉପରେ ସବୁ ନିର୍ଭର କରେନାହିଁକି ? ସବୁ ନିର୍ଭର କରେ ନଦୀ ପାର୍ବତ୍ୟ ଦେଶରୁ କେତେ ପାଣି ଓ କିପରି ମାଟି ତା ସହିତ ସମତଳ ଭୂମିକୁ ଆଣୁଚି । ମିହିରର ଯୌବନର ତା ଆବେଗମୟ ଜୀବନ କେବଳ କଠିନ ପଥର ଉପରେ ବହିଚି । ସମତଳ ଭୂମିକୁ ଓହ୍ଲାଇବା ପରେ, ଅର୍ଥାତ ଦାମ୍ପତ୍ୟ ଜୀବନ ତାଙ୍କ ନିଷ୍ଫଳ ହୋଇଛି ।

 

—ମିହିର ସ୍ତ୍ରୀ ଲବଙ୍ଗ ସୁନ୍ଦରୀ ଓ ସ୍ୱାସ୍ଥ୍ୟବତୀ ହେଲେ କଅଣ ହେବ ମିହିର ତାକୁ ଭଲ ପାଇପାରିଲା ନାହିଁ; କିନ୍ତୁ ବୁଝନା ଯେ ମିହିର ଆଉ କାହାକୁ ଭଲପାଏ; କିନ୍ତୁ ଭଲ ପାଇବାପାଇଁ ଯେଉଁ ଆବେଗ, ସେ ଆବେଗ ହିଁ ତାର ମରି ଯାଇଚି । ଇୟା ବୋଲି ମିହିର ତାର ସ୍ତ୍ରୀ ପ୍ରତି କୌଣସି ତ୍ରୁଟି କରିନାହିଁ । ସେ ଯାହା ହେଉ ଏ ମୁଦ୍ରା ଦୋଷଟି ତାର କିପରି ହେଲା ସେଇ କଥା ହିଁ କହୁଚି—

 

‘‘ଛ’ ସାତ ବର୍ଷ ତଳେ ମିହିର ତାର ଝିଅକୁ ବାହା ଦେଇ ବିଦାୟ ଦେଲାପରେ ଭାବିଲା ଛୁଟିତ ଆହୁରି ମାସେ ଅଛି, ଟିକିଏ ବୁଲି ଆସିଲେ ହୁଅନ୍ତା । ଲବଙ୍ଗ ମିହିର ପାଖରେ ଛିଡ଼ାହୋଇ କହିଲା, ଶୁଣୁଚ, ଛୁଟି ତ ଆଉ ମାସେ ଅଛି । ତୁମେ ଯାଅ ଟିକିଏ ବାହାରେ ବୁଲିଆସ । ଶଶୁରଙ୍କ ଅସ୍ଥି ଅନେକ ଦିନରୁ ବି ରହିଚି, ଗୟାରେ ଦେଇଆସିବ । ଆଉ କଲିକତା ପାଟନା ଆଦି ଟିକିଏ ବୁଲି ଆସିବ । ତୁମ ଦେହ ବି ଭଲ ରହିନାହିଁ ।

 

ମିହିର ଦୀର୍ଘନିଃଶ୍ୱାସ ପକାଇ କହିଲା, ‘ମନ୍ଦ କହୁନାହଁ ଲବଙ୍ଗ; କିନ୍ତୁ ମୁଁ ଏକା ଯିବି ବା କିପରି, ଆଉ ଗଲେ ବା ଟଙ୍କା କାହିଁ ?

 

ଲବଙ୍ଗ ଟିକିଏ ହସି କହିଲା, ମୋ କଥା ଭାବନା । ମୁଁ ଯିବି ବା କିପରି ? ଝୁଅ ଶାଶୁଘରୁ ଫେରିବ । କେତେ କାମ ପଡ଼ିଚି । ମୋ ଯିବା କଥା ଛାଡ଼ । ଟଙ୍କା କଥା ଭାବନାହିଁ । ବାହାଘର ଖର୍ଚ୍ଚରୁ କିଛି ଟଙ୍କା ବଳେଇଚି, ତାକୁ ନେଇ ଯାଆ’ ମୋ ରାଣ ।

 

ମିହିର ଲବଙ୍ଗର ଏ ପ୍ରସ୍ତାବରେ ଆଉ ଆପତ୍ତି କଲାନାହିଁ । ତିନି ଚାରି ବର୍ଷ ହେବ ତାର ମନ ଓ ଶରୀର ବିଶେଷ ଭାବରେ ଭାଙ୍ଗି ପଡ଼ିଥିଲା । କିଛି ଦିନ ପାଇଁ ସ୍ଥାନ ପରିବର୍ତ୍ତନ ତାର ବିଶେଷ ଦରକାର ହୋଇପଡ଼ିଥିଲା; କିନ୍ତୁ ସେଥିପାଇଁ ସାମର୍ଥ୍ୟ ତ ଦରକାର, ଦୁଇଟାର ମିଳନ ଘଟାଇବା ଅସମ୍ଭବ ।

 

ମିହିର ନିଜର କପାଳକୁ ନିନ୍ଦି ନୀରବ ଥିଲା । ଲବଙ୍ଗର ଏ ପ୍ରସ୍ତାବରେ ଆପତ୍ତି ନ କରି ସେ ଯିବା ପାଇଁ ପ୍ରସ୍ତୁତ ହୋଇଗଲା ।

 

ମିହିର ସିଧା ଟିକଟ କାଟିଲା ପାଟନା । ତାର ନୀରସ ଜୀବନରେ ଯେତେ ଟିକିଏ ସୁଖ ସେ ପାଇଚି, ତାହା ଏଇ ପାଟନାରେ କି ନା, ତେଣୁ ପ୍ରଥମେ ପାଟନା ଯିବାକୁ ତାର ଭାରି ଇଚ୍ଛାହେଲା ।

 

ପାଟନାରେ ପହଞ୍ଚି ଦିନେ ଗଙ୍ଗାକୂଳରେ ବୁଲୁ ବୁଲୁ ସେ ଭାବୁଥିଲା, ଏଇ ସେ ଗଙ୍ଗା ନଦୀ ! ଆର୍ଯ୍ୟ ସଭ୍ୟତା ଦିନରୁ କେତେ ସ୍ମୃତି ଏହା ସହିତ ଜଡ଼ିତ । ଆର୍ଯ୍ୟ ସଭ୍ୟତାର, ଭାରତ ଇତିହାସର ନଦୀ କହିଲେ ଚଳେ । ଭାରତ ଇତିହାସରେ ଏହାର ସ୍ଥାନ କେତେ ଉଚ୍ଚରେ, କେତେ ପବିତ୍ର ଏଇ ନଦୀ ତେଣୁ । ସାମାନ୍ୟ ହେଲେହେଁ ମୋ ଜୀବନର ସୁଖ ସ୍ମୃତି ସହିତ ଏ ନଦୀ ମଧ୍ୟ ଜଡ଼ିତ । ଏଇ ସେ ରାଣୀଘାଟ । ଯେଉଁଠି...

 

ମିହିର ବୁଲୁବୁଲୁ ରାଣୀଘାଟ ପାଖରେ ପହଞ୍ଚି ଚମକି ଛିଡ଼ାହେଲା । କିଛିକ୍ଷଣ ଗଙ୍ଗା ବକ୍ଷକୁ ଅନାଇ ସେ ଟିକିଏ ହସିଲା । କମିଜ ଉତାରି ସେ ଗଙ୍ଗା ପାଣି ଭିତରକୁ ଯାଇ ପହଁରିଲା ।

 

—ସନ୍ଧ୍ୟାବେଳେ ! ପାଗଳ ନା କଅଣ ! ରମାରଞ୍ଜନ ପଚାରିଲେ ।

 

—ନା, ନାରେ । ତୋର ପଦ୍ମା ବର୍ମା କଥା ମନେ ନାଇଁ ?

 

—ହଁ, ଇତିହାସ ଛାତ୍ରୀ । ଜଷ୍ଟିସ୍ ବର୍ମାଙ୍କ ଝିଅ । ଇସ୍ କି ଅପୂର୍ବ ସୁନ୍ଦରୀ ସେ ଥିଲା । ବର୍ତ୍ତମାନ କୁଆଡ଼େ ସେ ପାଟନା କଲେଜରେ ଇତିହାସ ଅଧ୍ୟାପିକା ହୋଇଚି ?

 

—ହଁ । ପଢ଼ିଲାବେଳେ ସେ ଥରେ ଗଙ୍ଗାରେ ପହଁରୁ ପହଁରୁ ଏଇ ରାଣୀଘାଟ ପାଖରେ ବୁଡ଼ି ଯାଉଥିଲା । ମିହିର ତାକୁ ରକ୍ଷା କରିଥିଲା, ମନେ ନାହିଁ ତୋର ?

 

—ଆରେ, ହଁ, ହଁ ।

 

—ସେଇ କଥା ତାର ମନେ ପଡ଼ିଗଲା । ତାର ଖିଆଲ ରହିଲାନାହିଁ ସେ କଣ କରୁଚି ।

 

—ଆମେ ସମସ୍ତେ ଭାବିଥିଲୁ ଏ ସୌଭାଗ୍ୟ ଖୁବ୍ କମ୍ ଯୁବକଙ୍କ ଭାଗ୍ୟରେ ଘଟେ । ଏହାପରେ ନିଶ୍ଚୟ ଦୁହେଁ ପ୍ରେମରେ ପଡ଼ିବେ; କିନ୍ତୁ ସେ ବଡ଼ଲୋକ ଝିଅ, ସେ କାହିଁକି ମିହିରକୁ ପଚାରିବ ।

 

—ତାପରେ କଣ ହେଲା ଶୁଣ । ତା ପରଦିନ ମିହିର ଯାଇଥିଲା କଲେକ ଆଡ଼େ ବୁଲି ଦେଖିବାକୁ ଓ ନିଜର ଅଧ୍ୟାପକମାନଙ୍କ ସହିତ ଦେଖା କରିବାକୁ । ଆମ ସମୟର ସମସ୍ତେ ପ୍ରାୟ ଅବସର ଗ୍ରହଣ କଲେଣି । କାହାରିକୁ ଦେଖା ନ ପାଇ ମିହିର ଫେରୁଥିଲା । ଏହି ସମୟରେ ଅଧ୍ୟାପକଙ୍କ କମନରୁମରୁ ଜଣେ ଅଧ୍ୟାପିକା ମିହିରକୁ ଡାକିଲେ । ମିହିର ଆଦୌ ତାକୁ ଚିହ୍ନିପାରିଲା ନାହିଁ । ମିହିର ଆଶ୍ଚର୍ଯ୍ୟ ହୋଇ ଚାହିଁ ରହି ପଚାରିଲା, ମୋତେ ଡାକୁଛନ୍ତି ?

 

ଭଦ୍ରମହିଳା ହସି କହିଲେ,ହଁ, ଆଶ୍ଚର୍ଯ୍ୟ ହେଉଚନ୍ତି ?

 

ମିହିର ଅଧିକ ଆଶ୍ଚର୍ଯ୍ୟ ଓ ଅପ୍ରସ୍ତୁତ ହୋଇ କହିଲା, ‘‘ନା, ମୁଁ... ଆପଣଙ୍କୁ...’’

 

ଭଦ୍ରମହିଳା କେବଳ କହିଲେ, ‘ଆସନ୍ତୁ ମୋ ସହିତ ।’

 

ଯନ୍ତ୍ରଚାଳିତ ପରି ମିହିର ଭଦ୍ରମହିଳାଙ୍କ ଅନୁଗମନ କଲା । ଭଦ୍ରମହିଳା ନିଜ ମଟର ପାଖରେ ଛିଡ଼ାହୋଇ ଦୁଆର ଖୋଲି ଦେଇ ଅନୁରୋଧ କଲେ, ବସନ୍ତୁ । ମିହିର ସେଇପରି ଆଶ୍ଚର୍ଯ୍ୟ ଭାବରେ ବସି ବାହାରକୁ ଅନାଇ ରହିଲା ।

 

ମଟର ରାଣୀଘାଟ ପାଖରେ ପହଞ୍ଚିଲା । ମଟରରୁ ଓହ୍ଲାଇ ଭଦ୍ରମହିଳା ପଚାରିଲେ, ଏ ସ୍ଥାନ ମନେପଡ଼େ ଆପଣଙ୍କର ?

 

ମିହିର ଏଥର ଚିହ୍ନି ପାରିଲା ଭଦ୍ରମହିଳା କିଏ । ସେ କଥାର କୌଣସି ଉତ୍ତର ଦେଇପାରିଲା ନାହିଁ । ଗୋଟିଏ ଅପୂର୍ବ ଆନନ୍ଦ ତାର ମନରେ ଖେଳିଗଲା । ତାର ଓଠ ଟିକିଏ ଥରିଉଠିଲା । ମୁହଁକୁ ତଳକୁ ପୋତି ସେ ଛିଡ଼ା ହେଲା । ପଦ୍ମା ଦେଖିଲା, ଦୁଇ ବୁନ୍ଦା ପାଣି କେବଳ ଝରିପଡ଼ିଲା । ଆଉ କିଛି ନ କହି ପଦ୍ମା କହିଲା, ମୋ ଘରକୁ ଚାଲ ।

 

ମିହିର ବ୍ୟଥିତ ଭାବରେ କହିଲା, ନା, ନା, ମି...ମି...

 

ପଦ୍ମା ହସି କହିଲା, ନା, ମିସେସ୍ ଏ ପର୍ଯ୍ୟନ୍ତ ହୋଇନାହିଁ । ମିସ୍ ପଦ୍ମା ଅଛି । ତେବେ ତୁମକୁ ମିସ୍ ପଦ୍ମା କହିବାକୁ ଦେବିନାହିଁ । ପଦ୍ମା ବୋଲି ଡାକ ।

 

—ଆପଣ...

 

—ଆପଣ ନୁହେଁ, ‘ତୁମେ’ ପଦ୍ମା କହିଲ ।

 

ମିହିର ଛିଡ଼ା ହୋଇ ରହିଲା ସେମିତି । ପଦ୍ମା ମିହିରର ହାତ ଧରି ଭିଡ଼ି ତାକୁ ମଟରରେ ବସାଇ ନିଜ ଘରକୁ ଗଲା । ମଟରରେ ବିଗତ ଦିନର ନାନା କଥା, ନାନା ଘଟଣା ବିଷୟ ଦୁହେଁ କହିଲେ । ପଦ୍ମା ପଚାରିଲା, ବିବାହ କଲେଣି ?

 

—ହଁ ମୁଁ ବର୍ତ୍ତମାନ ଚାରୋଟି ସନ୍ତାନର ପିତା । ବଡ଼ ଝୁଅକୁ ବାହା ଦେଇ ତୀର୍ଥ କରି ବାହାରିଚି । ତୁମେ କାହିଁକି ବାହା ହୋଇନା ?

 

ଏ ପ୍ରଶ୍ନରେ ପଦ୍ମା ଗୋଟିଏ ଦୀର୍ଘ ନିଃଶ୍ୱାସ କେବଳ ପକାଇଲା ।

 

ମିହିର ବ୍ୟଥିତ ଭାବରେ କହିଲା, କ୍ଷମା କରିବ, ମୁଁ ଆଜାଣତରେ ଆପଣଙ୍କୁ...ତୁମକୁ ବ୍ୟଥା ଦେଇଚି ।

 

ପଦ୍ମା କରୁଣ ଭାବରେ କହିଲା, ‘‘ତୁମର କିଛି ଦୋଷ ନାହିଁ, ସବୁ ଦୋଷ ମୋର । ମୋର ଜୀବନଟା ହିଁ ବୃଥା । ବୃଥା ଏ ଜ୍ଞାନ, ବୃଥା ମୋର ଧନ, ବୃଥା ଏ ମାନ ଯଦି...ଯଦି...

 

ଘର ଭିତରକୁ ଯାଉଁ ଯାଉଁ...... ମିହିର ପଚାରିଲା, କିନ୍ତୁ ବିବାହ କରିବାରେ ବାଧା କଅଣ ଥିଲା ତୁମର ?

 

ପଦ୍ମା ମିହିରର ହାତ ଧରି କହିଲା, ‘‘ମୋର ଆଭିଜାତ୍ୟର ଅଭିମାନ, ମୋର ଧନ । ସେ ଥିଲେ ଦରିଦ୍ର, ଅତି ସାଧାରଣ ଛାତ୍ର, ମୋର ସହପାଠୀ । ସେ କିଏ ଜାଣ ?

 

—ନା, କମଳାପ୍ରସାଦ ସହିତ ସେତେବେଳେ...

 

—ତୁମେ ଆଦୌ ଅନୁମାନ କରିପାରିବ ନାହିଁ ସେ କିଏ ସେ । ସେ ତୁମେ...

 

ମିହିରର ଦେହ ଥରିଉଠିଲା ।

 

ପଦ୍ମା କହିଲା, ଖାଲି ସେତେବେଳେ ତୁମେ ଯଦି ଅଧିକ ସାହସ କରି କହି ଥାଆନ୍ତ, ତା’ହେଲେ ବୋଧହୁଏ ମୋର ଆଜି... । ପଦ୍ମା ଆଉ କହିପାରିଲା ନାହିଁ ।

 

ମିହିର ମଧ୍ୟ କାନ୍ଦି ପକାଇଲା । ତାର ମନେ ହେଲା ‘ଇସ୍’ ଟିକକ ପାଇଁ ସେ କି ସୁଖରୁ ବଞ୍ଚିତ ହୋଇଚି ।’ ତା ମୁହଁରୁ କେବଳ ପଦିଏ କଥାରେ ଫୁଟିଉଠିଲା ସମସ୍ତ ଅନୁତାପ ‘ଇସ୍ !’

 

ଦୁହେଁ ଅନେକ କ୍ଷଣ ତଳକୁ ମୁହଁପୋତି କାନ୍ଦିଲେ । ପଦ୍ମା ଅନେକ କ୍ଷଣ ପରେ ମୁହଁ ଟେକି କରୁଣ ଭାବରେ ହସି କହିଲା, ‘ପୁଣି ନୂତନ ଭାବରେ ଜୀବନ ଯାତ୍ରା ଆରମ୍ଭକଲେ ହୁଅନ୍ତାନି ? ତୁମେ ଭାବିବ ଯେ ମୁଁ କେଡ଼େ ନିଷ୍ଠୁର, ତୁମର ଏତେ ଦିନର ସଂସାର ଭାଙ୍ଗିଦେବାକୁ ଚାହୁଁଚି; କିନ୍ତୁ ସେ ବିଷୟରେ ତୁମେ ଭାବନାହିଁ । ମୋର ସମସ୍ତ ଧନ ମୁଁ ତୁମର ସ୍ତ୍ରୀ ପରିବାର ପାଇଁ ଦେବି...ବିବାହ କରିବାକୁ ମଧ୍ୟ ଚାହେନା ତୁମକୁ...କେବଳ...କେବଳ...’

 

ମିହିର ହଁ କରିବାକୁ ଯାଉଥିଲା; କିନ୍ତୁ ତାର ମନେ ପଡ଼ିଗଲା ଲବଙ୍ଗର ସେଇ କରୁଣ ମୁହଁ । ସେ ତାକୁ ଭଲ ପାଇପାରିନି ବୋଲି ଲବଙ୍ଗ କେବେହେଁ ଆକ୍ଷେପ କରିନାହିଁ । ଉପରନ୍ତୁସେ ନିଜର ସମସ୍ତ ସୁଖ ତ୍ୟାଗକରି ଲାଗିପଡ଼ିଚି ମିହିରର ସୁଖଶାନ୍ତି ପାଇଁ ।

 

ମିହିରର ଲବଙ୍ଗ ପ୍ରତି ହଠାତ୍ ଅପୂର୍ବ ଆବେଗ ଜାତହେଲା । ତାର ମନେହେଲା ସେ ଯଦି ସେହିକ୍ଷଣି ଉଡ଼ି ଲବଙ୍ଗ ପାଖରେ ପହଁଞ୍ଚିଯାଇ ପାରନ୍ତା, କେଡ଼େ ଆଶ୍ଚର୍ଯ୍ୟ ହୁଅନ୍ତା ସେ... ମୋତେ ଦେଖି ନିଶ୍ଚୟ ହସି ପକାନ୍ତା ।

 

ମିହିର କହିଲା, ‘ନା, ତା ଅସମ୍ଭବ ମିସ୍ ପଦ୍ମା । ଯା ଯାଇଚି, ତା ଯାଉ । ଜୀବନର ପ୍ରବାହରେ ତା ଖିଏ କୁଟା ସଙ୍ଗେ ସମାନ । ନିଜର ସୁଖପାଇଁ ମୁଁ ସବୁ ତ୍ୟାଗ କରିପାରିବି ନାହିଁ । ଯାହା ଯାଇଚି ତାହା ଖୁବ୍ କାମ୍ୟ, ମାନୁଚି; କିନ୍ତୁ ଯାହା ପାଇଚି ସେ ମଧ୍ୟ କମ୍ ନୁହେଁ ?

 

ମିହିର ଏତକ କହି ଘରୁ ବାହାରିଆସିଲା । ସେଇଦିନ ସେ ଫେରିଲା ଘରକୁ । କଲିକତାରୁ ଲବଙ୍ଗ ପାଇଁ ଭଲ ଶାଢ଼ି, ସୁନ୍ଦର ଗହଣା କିଣି ଘରକୁ ଫେରିଲା । ଘରେ ପହଞ୍ଚି ଲବଙ୍ଗକୁ ଦୃଢ଼ ଆଲିଙ୍ଗନ କରି କାନ୍ଦି ପକାଇଲା ସେ ।

 

କିନ୍ତୁ ସେଇ ଦିନରୁ ତାର ଗୋଟାଏ ମୁଦ୍ରାଦୋଷ ରହିଗଲା, କଥାରେ କହେ ‘ଇସ୍’ ।

 

ଘଡ଼ିକୁ ଅନାଇ ରମାରଞ୍ଜନ କହିଲେ, ‘ଇସ୍ ଅନେକବେଳ ହୋଇଗଲାଣି, ମନିବୋଇ ନିଶ୍ଚୟ ଚିନ୍ତାରେ ପଡ଼ିଥିବ । ଯାଏଁ ଭାଇ !’

★★★

 

Unknown

ଇଚ୍ଛା ପୂରଣ

 

ଭଗବାନ୍‍ଙ୍କ ଦପ୍ତରରେ ‘‘ଇଚ୍ଛାପୂରଣ’’ ବିଭାଗ । ପ୍ରଥମେ ପଡ଼ିବ ଗ୍ରହ ଉପଗ୍ରହ ସୃଷ୍ଟି ବିଭାଗ ।

 

ତା’ପରେ ଜୀବସୃଷ୍ଟି ବିଭାଗ । ହଜାର ହଜାର ଚିତ୍ରକର ବସି ନାନା ଡିଜାଇନର ଜୀବମାନଙ୍କର ଚିତ୍ର ଅଙ୍କନ କରୁଛନ୍ତି । ସେଗୁଡ଼ିକ ସେ ବିଭାଗର କର୍ତ୍ତା ଅନୁମୋଦନ କରିବା ପରେ ଭଗବାନଙ୍କ ପାଖରେ ପେଶ୍ କରାହେଉଛି ତାଙ୍କର ଶେଷ ଅନୁମୋଦନ ପାଇଁ ।

 

ଜୀବସୃଷ୍ଟି ବିଭାଗ ପରେ ଜୀବ ଲୋପ ବୃଦ୍ଧି-ସ୍ଥିତି-ବିଭାଗ । ଏଠି ମଧ୍ୟ ହଜାର ହଜାର ଦେବତାମାନେ ବସି କେଉଁ କେଉଁ ଶ୍ରେଣୀର ଜୀବ କିପରି ଭାବରେ ଲୋପ କରାଯିବ ବା ବୃଦ୍ଧି କରାଯିବ ତାହା ବିଚାର କରି ଭଗବାନ୍‍ଙ୍କୁ ଜଣାଉଛନ୍ତି ।

 

ଶେଷୋକ୍ତ ବିଭାଗ ପରେ ପଡ଼ିବ ଇଚ୍ଛାପୂରଣ ବିଭାଗ । ଏମାନଙ୍କ ଛଡ଼ା ଆହୁରି ହଜାର ହଜାର ବିଭାଗର ଉପବିଭାଗ ଅଛି ।

 

ଦପ୍ତରର ଅନ୍ୟାନ୍ୟ ବିଭାଗଗୁଡ଼ିକ ତୁଳନାରେ ଇଚ୍ଛାପୂରଣ ବିଭାଗଟିର ପ୍ରାଧାନ୍ୟ କମ୍ । ହେଲେ ଏ ବିଭାଗର କର୍ମଚାରୀମାନେ ସର୍ବଦା କାର୍ଯ୍ୟବ୍ୟସ୍ତ ଏବଂ ବିଭାଗଟି ମଧ୍ୟ ଦିନରାତି ଖୋଲାଥାଏ । ଏ ବିଭାଗର ଗୋଟିଏ ଉପବିଭାଗରେ କେବଳ ମନୁଷ୍ୟମାନଙ୍କର ଇଚ୍ଛାପୂରଣ ବିଷୟ ବିଚାର କରାଯାଏ । ଏ ଉପବିଭାଗର କାର୍ଯ୍ୟବିଧି ନିୟମ ଅନୁସାରେ ପ୍ରତ୍ୟେକ ମନୁଷ୍ୟ ପ୍ରତ୍ୟେକ ଦିନର ଇଚ୍ଛାଗୁଡ଼ିକ ଉକ୍ତ ଉପବିଭାଗର କର୍ମକର୍ତ୍ତା ନିଜର ମତାନୁଯାୟୀ ଆନ୍ତରିକତାନୁସାରେ ସଜାଇ ଭଗବାନଙ୍କଠାରେ ପ୍ରତ୍ୟେକ ମୁହୂର୍ତ୍ତରେ ପେଶ୍ କରନ୍ତି । ଭଗବାନ୍ ଉକ୍ତ ପର୍ଯ୍ୟାୟକୁ ଅନୁମୋଦନ କଲେ କେଉଁ ଇଚ୍ଛା କେବେ ଏବଂ କିପରି ଭାବରେ ପୂରଣ କରିବାକୁ ହେବ ଆଦେଶ ଦିଅନ୍ତି । ଉପବିଭାଗୀୟ କର୍ମକର୍ତ୍ତାଙ୍କ ଇଚ୍ଛାଗୁଡ଼ିକର ଆନ୍ତରିକତାନୁସାରେ ପର୍ଯ୍ୟାୟ କରିବାକୁ ଭଗବାନ୍ ଯେ ସବୁବେଳେ ଅନୁମୋଦନ କରନ୍ତି ତା ନୁହେଁ । ବେଳେବେଳେ କୌଣସି ଗୋଟିଏ ଇଚ୍ଛା ବିଷୟରେ ଇଚ୍ଛାକାରୀ ବେଶି ଆନ୍ତରିକ ବୋଲି ମୁଖ୍ୟକର୍ତ୍ତା ମତ ଦେଲେହେଁ ଭଗବାନ୍ ତାହା ଅନୁମୋଦନ ନ କରି ଅନ୍ୟ ଗୋଟିଏ ଇଚ୍ଛା ବିଷୟରେ ଇଚ୍ଛାକାରୀ ବେଶି ଅନ୍ତରିକ ବୋଲି କହି ତାହା ପ୍ରଥମେ ପୂରଣ କରାଯିବାର ଆଦେଶ ଦିଅନ୍ତି । ପୁଣି ବେଳେବେଳେ କୌଣସି ଗୋଟିଏ ଇଚ୍ଛା ବିଷୟରେ ଭଗବାନ୍ ଆଦେଶ ଦିଅନ୍ତି ଯେ ଏହାର ପୂରଣ ମନୁଷ୍ୟର ସ୍ୱତନ୍ତ୍ର କ୍ଷମତାଭୁକ୍ତ ଦୃଷ୍ଟେ ସେ ନିଜେ ତାହାର ପୂରଣ ପାଇଁ ଚେଷ୍ଟାକରିବା ଉଚିତ । ଅତଏବ ଭଗବାନଙ୍କ ଦପ୍ତରରୁ ତାହା ପାଇଁ କୌଣସି ସାହାଯ୍ୟ ମିଳିବା ଉଚିତ ନୁହେଁ । ଭଗବାନ୍‍ଙ୍କ ବିଚାରର ମୂଳମନ୍ତ୍ରଟି ବୁଝି ଇଚ୍ଛାଗୁଡ଼ିକୁ କ୍ରମାନ୍ୱୟରେ ସଜାଇବାରେ ଦକ୍ଷତା ଆସିବାକୁ ବିଭାଗୀୟ କର୍ମକର୍ତ୍ତାଙ୍କୁ ଅନେକ କାଳ ଲାଗେ । ତେଣୁ କୌଣସି କର୍ମକର୍ତ୍ତା ନୂତନ ନିଯୁକ୍ତ ହେଲେ ସେ କାର୍ଯ୍ୟରେ ବିଭ୍ରାଟ ଘଟିବା ସ୍ୱାଭାବିକ ।

 

ମନୁଷ୍ୟର ଇଚ୍ଛାପୂରଣ ଉପବିଭାଗଟିର ପୁରାତନ ମୁଖ୍ୟକର୍ତ୍ତା ଅବସର ନେବାପରେ ବର୍ତ୍ତମାନ ଐଚ୍ଛିକ ସେ ପଦରେ ନୂତନ ନିଯୁକ୍ତ ହୋଇଛନ୍ତି । ଅନ୍ତର୍ଯ୍ୟାମୀ କ୍ଷମତା ମଧ୍ୟ ତାଙ୍କୁ ଦିଆହୋଇଯାଇଛି ।

 

ଭଗବାନ୍ ତାଙ୍କ ବିଶ୍ୱ ଅଫିସ ଘରେ ଅନନ୍ତ-ଚୌକିରେ ବସି ଜୀବ ସୃଷ୍ଟି-ବିଭାଗର ଡିଜାଇନଗୁଡ଼ିକ ତନଖି ଦେଖୁଛନ୍ତି । ମନୁଷ୍ୟମାନେ ମେଲେରିଆ ମଶା ବିରୁଦ୍ଧରେ ଅଭିଯାନ ଆରମ୍ଭ କରିବାପରେ ଉକ୍ତ ମଶାମାନଙ୍କର ଡିଜାଇନ ସାମାନ୍ୟ ବଦଳାଇ ଯେଉଁ ନୂଆ ଡିଜାଇନ ତିଆରି ହୋଇଚି, ତାହା ବର୍ତ୍ତମାନ କାର୍ଯ୍ୟକାରୀ କରାଯିବ କି ନା ସେ ବିଷୟରେ ଭଗବାନ୍ ଚିନ୍ତା କରୁଛନ୍ତି । ଜୀବ ଲୋପ ଓ ବୃଦ୍ଧି-ବିଭାଗର ଜୀବ ସ୍ଥିତି ବିଭାଗୀୟ କର୍ତ୍ତାଙ୍କ ମତ ଯେ ମଶାର ବିଲୋପ ସାଧନ କରିବା ମାନେ ମନୁଷ୍ୟଦ୍ୱାରା ଭଗବାନଙ୍କ ପରାଜୟ, ତେଣୁ ମଶାର ବିଲୋପ ସାଧନ କଦାପ ଉଚିତ ନୁହେଁ । ଭଗବାନ୍ ଉକ୍ତ ମତ ପଢ଼ି ସ୍ମିତହାସ୍ୟ କଲେ । ସେ ହାସ୍ୟଦ୍ୱାରା କହିଦେଲେ, ପରାଜୟ ହିଁ ମୋର ଜୟ । ମୁଖ୍ୟକର୍ତ୍ତା ମତ ଦେଇଛନ୍ତି ଯେ ଉକ୍ତ ଶ୍ରେଣୀର ମଶକ ଲୋପକରି ମନୁଷ୍ୟର ରକ୍ତଶୋଷଣକାରୀ ଅନ୍ୟାନ୍ୟ ଜୀବର ନୂତନ ସୃଷ୍ଟି ହେଉ ଅଥବା ସେପରି ଯେତେ ଜୀବ ଅଛନ୍ତି ସେଗୁଡ଼ିକର ବୃଦ୍ଧି କରାଯାଉ ଏବଂ ସେମାନଙ୍କୁ ସଂଜୀବନୀ ରସ ଅଧିକା ମାତ୍ରାରେ ଦିଆଯାଉ ।

 

ଏହି ସମୟରେ ଦିଲ୍ଲୀ ପାର୍ଲାମେଣ୍ଟର ଡି.ଡି.ଟି. ଓ ଛାରପୋକ ବିଷୟରେ ତୁମୂଳ ବାଦାନୁବାଦ ଭଗବାନ୍‍ଙ୍କ କର୍ଣ୍ଣଗୋଚର ହେଲା । ଭଗବାନ୍ ସ୍ମିତହାସ୍ୟ କରି ଫାଇଲ୍‍ଗୁଡ଼ିକ ରଖିଦେଇ ଆଦେଶଦେଲେ ଯେ ମନୁଷ୍ୟମାନଙ୍କର ସେ ବିଷୟରେ ଶେଷ ନିଷ୍ପତ୍ତି ପର୍ଯ୍ୟନ୍ତ ଅପେକ୍ଷା କରାଯାଉ ଏବଂ ମୋର ସୃଷ୍ଟିତତ୍ତ୍ୱ ଜାଣିବାରେ ମନୁଷ୍ୟର ବୁଦ୍ଧି ଆଜି ପର୍ଯ୍ୟନ୍ତ କେତେ ଅଗ୍ରସର ହୋଇଚି ସେ ବିଷୟରେ ଗୋଟିଏ ସବିଶେଷ ବିବରଣୀ ଦିଆଯାଉ ।

 

ଜୀବ ସୃଷ୍ଟି ଓ ଜୀବ ଲୋପ ଏବଂ ବୃଦ୍ଧି ବିଭାଗର କର୍ତ୍ତାମାନେ ସେମାନଙ୍କ ଫାଇଲ୍ ଆଦି ନେଇ ଚାଲିଯିବା ପରେ ଐଚ୍ଛିକ ତାଙ୍କର ଫାଇଲ୍ ଆଦି ଦାଖଲ କଲେ । ପ୍ରଥମେ ପଡ଼ିଲା ଦୁର୍ଗାଚରଣବାବୁଙ୍କ ସେଦିନର ଇଚ୍ଛାଗୁଡ଼ିକ । ଐଚ୍ଛିକ ଅନ୍ତର୍ଯ୍ୟାମୀ କ୍ଷମତାବଳରେ ଦୁର୍ଗାଚରଣ ବାବୁଙ୍କ ସେଦିନର ଇଚ୍ଛାଗୁଡ଼ିକର ଯେଉଁ ସର୍ବଶେଷ ବିବରଣୀ ଦେଇଛନ୍ତି, ତାହା ନିମ୍ନରୂପ ।

 

...ଦୁର୍ଗାଚରଣ ଜଣେ ମନୁଷ୍ୟ ଏବଂ ମନୁଷ୍ୟମାନଙ୍କ ଶାସନ ଦପ୍ତରରେ ଜଣେ ଉଚ୍ଚପଦସ୍ଥ କର୍ମଚାରୀ । ସେ ଜଣେ ଲେଖକ ମଧ୍ୟ । ମେଲେରିଆ ଜ୍ୱରରେ ଆକ୍ରାନ୍ତ ହୋଇ ଆରୋଗ୍ୟ ଲାଭ କରିଥିଲେହେଁ ସେ ଦୁର୍ବଳ ହୋଇ ପଡ଼ିଥିବାରୁ ବର୍ତ୍ତମାନ ଦୁଇଅନୁଲିତା (ମନୁଷ୍ୟମାନଙ୍କ ଗଣନାରେ ଦୁଇମାସ) ଛୁଟି ନେଇ ଘରେ ବିଶ୍ରାମ କରୁଛନ୍ତି । କୌଣସି କାର୍ଯ୍ୟ ନଥିବାରୁ ତାଙ୍କର ଇଚ୍ଛାଗୁଡ଼ିକ ଅନେକ ଗୁଣ ବୃଦ୍ଧି ପାଇଚି । ସେଥିଭିତରୁ କେତେଗୁଡ଼ିଏ ଇଚ୍ଛା ଅତି ହାସ୍ୟାଷ୍ପଦ ଥିବାରୁ ସେଗୁଡ଼ିକର ଉଲ୍ଲେଖ କରିନାହିଁ, ଯଥା–ତାଙ୍କର ଗୋଟିଏ ଇଚ୍ଛା ଐଶ୍ୱରିକ ଶକ୍ତି ପାଇ ସେ ଶୂନ୍ୟରେ ଭ୍ରମଣ କରୁଛନ୍ତି । (ଭଗବାନ୍ ଏହିଠାରେ କହିଲେ, ଐଚ୍ଛିକ, ତୁମ୍ଭେ ସେ ଇଚ୍ଛାଗୁଡ଼ିକର ଉଲ୍ଲେଖ ନକରି ଉଚିତ କରିଛ; କିନ୍ତୁ ତୁମ୍ଭେ ଉଲ୍ଲେଖ ନ କରିବାର କାରଣ ହାସ୍ୟାଷ୍ପଦତା ଦେଖାଇବା ଉଚିତ ହୋଇନାହିଁ । କାରଣ ଅନେକ ସମୟରେ ଉକ୍ତ ପ୍ରକାର ହାସ୍ୟାଷ୍ପଦ କାରଣଗୁଡ଼ିକ ହିଁ ମନୁଷ୍ୟ ବୁଦ୍ଧିର ବିକାଶ ଆଣିଦେଇଛି; କିନ୍ତୁ ସେ ପ୍ରକାର ଇଚ୍ଛାଗୁଡ଼ିକର ପୂରଣ କରିବା ମନୁଷ୍ୟର ସ୍ୱତନ୍ତ୍ର କ୍ଷମତାଭୁକ୍ତ ତାଲିକାରେ ମୁଁ ରଖିଛି । ତଣେୁ ସେଥିପାଇଁ ଐଶ୍ୱରିକ ସାହାଯ୍ୟ ଦିଆଯିବନାହିଁ ।)

 

...ଅନ୍ୟ ଇଚ୍ଛାଗୁଡ଼ିକ ମୁଁ ଚିନ୍ତାର ସମୟ ଅନୁସାରେ ସଜାଇ ନିମ୍ନରେ ଦେଲି...

 

...ସକାଳୁ ଉଠିବାକୁ ଦୁର୍ଗାଚରଣଙ୍କ ଡେରି ହେଲା । ଅନେକ ରାତି ପର୍ଯ୍ୟନ୍ତ ନିଜକୁ କେନ୍ଦ୍ରକରି ଅନେକ କଳ୍ପନା ସେ କରିଛନ୍ତି । କିପରି ସେ ଖୁବ୍ ବଡ଼ ଲେଖକ ହୋଇଛନ୍ତି, ସାରା ପୃଥିବୀ ତାଙ୍କୁ ସମ୍ମାନିତ କରିଛି, ସବୁ ପୁରସ୍କାର ସେ ପାଇଛନ୍ତି । ପୁଣି, କିପରି ସେ ପୃଥିବୀରେ ବଡ଼ ବିଚାରକ ହୋଇଛନ୍ତି, ତାଙ୍କର ବିଚାରପଦ୍ଧତିରେ ସାରା ପୃଥିବୀ ଚମତ୍କୃତ ଇତ୍ୟାଦି ଭାବି ଭାବି ସେ କ୍ଳାନ୍ତ ହୋଇ ଶୋଇପଡ଼ିଥିଲେ ଅନେକ ରାତିରେ ।

 

...ସକାଳୁ ଉଠି ଦାନ୍ତ ଘଷୁ ଘଷୁ ପୁଣି ସେଇ ଭାବନାଗୁଡ଼ିକ ସେ ଭାବି ବସିଲେ । ଭାବୁ ଭାବୁ ନିଜର କଳ୍ପିତ କ୍ଷମତାରେ ସେ ମୁଗ୍‍ଧ ହୋଇଗଲେ । ଦାନ୍ତ ଘଷିସାରି ପାଇଖାନାରେ ମଧ୍ୟ ସେହି ଭାବନା । ଗାଧୋଇସାରି ସେ ଜଳଖିଆ ଖାଇ ବସି ମଧ୍ୟ ସେଇୟା । ଆଜି ତାଙ୍କର ବରା ଖାଇବାକୁ ଇଚ୍ଛାହେଲା । ସାନ ପୁଅକୁ ପଠାଇଲେ ବରା ଆଣିବାକୁ । ପଦ୍ମପତ୍ରରେ ମୋଡ଼ି ଚାରୋଟି ଗରମ ବରା ପୁଅ ଆଣିଦେଲା ।

 

...ବରାଗୁଡ଼ିକ ଖାଇସାରି ତେଲିଆ ହାତ ପଦ୍ମପତ୍ରରେ ପୋଛି ଦେଲାବେଳକୁ ତାଙ୍କର ଛାତ୍ର ଅବସ୍ଥାର ଗୋଟିଏ ସ୍ମୃତି ହଠାତ୍ ମନେପଡ଼ିଲା । ସେତେବେଳେ ସେ ଥିଲେ ଦରିଦ୍ର । ତାଙ୍କର ସହପାଠୀ ବନ୍ଧୁ ଦୀନା ଥାଏ ନିକଟରେ ଗୋଟିଏ ବେଛପରି ଘରେ । ସକାଳୁ ଉଠି ଗାଧୋଇ ସାରି ଦୁର୍ଗାଚରଣ ଚାଲିଯାଆନ୍ତି ଦୀନା ଘରକୁ । ଦୁଇଟି ବରା ବୁଲା ବିକାଳି ଦେଇଯାଏ ଧାରସୂତ୍ରରେ । ସେଥିରୁ ଗୋଟିଏ ଖାଆନ୍ତି ଦୀନା ଓ ଆଉ ଗୋଟିଏ ଦୁର୍ଗାଚରଣ । ଖାଇସାରି ଦୁଇଜଣଯାକ ପଦ୍ମପତ୍ରରେ ହାତ ପୋଛି ଗିଲାସେ ଗିଲାସେ ପିଇ ଯେତେବେଳେ ବସନ୍ତି, ସେତେବେଳେ ସେମାନଙ୍କର ଭାବରୁ ମନେହୁଏ ଯେପରି ନାନା ଉପାଦେୟ ଆହାର ସେମାନେ କରିଛନ୍ତି ।

 

...ଆଜି ବରା ଖାଇସାରି ଦୁର୍ଗାଚରଣଙ୍କ ହଠାତ୍ ସେଇ ସ୍ମୃତିଟି ମୁହୂର୍ତ୍ତକ ପାଇଁ ମନରେ ଜାଗିଲା । ବନ୍ଧୁ ସହିତ ପ୍ରାୟ ପାଞ୍ଚବର୍ଷ ହେବ ଦେଖା ହୋଇନାହିଁ । ମୁହୂର୍ତ୍ତକ ପାଇଁ ତାଙ୍କର ଗୋଟିଏ ଇଚ୍ଛା ଜାଗିଲା, ଦୀନା ସାଙ୍ଗରେ ଦେଖା ହୁଅନ୍ତା କି !

 

...ପର ମୁହୂର୍ତ୍ତରେ କିନ୍ତୁ ଦୁର୍ଗାଚରଣଙ୍କ ମନେ ପଡ଼ିଗଲା ସେଇ ଉଜ୍ଜ୍ୱଳମୟ ଭବିଷ୍ୟତ ଭାବନା ସବୁ । ତରତର ହୋଇ ସେ ଉଠିଗଲେ ଖଟ ଉପରକୁ, ସେ ସବୁ ଭାବିବାକୁ ।

 

ଏହା ପରେ ଏତେ ବିଭିନ୍ନ ପ୍ରକାରର ଇଚ୍ଛା ତାଙ୍କ ମନ ଭିତରେ ଜାଗିଲା ଯେ ସେଗୁଡ଼ିକ ସଜାଇ ଲିପିବଦ୍ଧ କରିବା ମୋ ପକ୍ଷରେ ଅସମ୍ଭବ ହୋଇ ଉଠିଲା । ଯାହା ହେଉ ଯଥାସମ୍ଭବ ମୁଁ ସେଗୁଡ଼ିକ କ୍ରମାନ୍ୱୟରେ ଦେଉଛି ।

 

...ଖଟ ଉପରେ ଶୋଇପଡ଼ି ପ୍ରଥମେ ସେ ଭାବିବାକୁ ଲାଗିଲେ, ସେ ଜଣେ ବଡ଼ ନେତା ହୋଇଛନ୍ତି । କେବଳ ରାଜନୈତିକ ନେତା ନୁହଁ, ଆଧ୍ୟାତ୍ମିକ ନେତା ବି । ତାଙ୍କର ଆଧ୍ୟାତ୍ମିକତା ବଳରେ ଭଗବାନ୍‍ଙ୍କୁ ସେ ପ୍ରତ୍ୟକ୍ଷ ଭାବରେ ପାଇଛନ୍ତି ଏବଂ ଭଗବାନ୍‍ଙ୍କୁ ପ୍ରାର୍ଥନାକରି ସେ ତାଙ୍କଦ୍ୱାରା ସବୁ କାର୍ଯ୍ୟ କରାଉଛନ୍ତି । (ଭଗବାନ୍ ସ୍ମିତହାସ୍ୟ କଲେ) ପ୍ରାର୍ଥନା ବଳରେ ସେ ଚୀନା ସୈନ୍ୟଙ୍କୁ ଭାରତ ସୀମାରୁ ହଟାଇ ଦେଇଛନ୍ତି ।

 

ତା’ପରେ ସେ ମନେ ମନେ କହିଲେ, ନା ପୁଣି ମୂଳରୁ ଭାବିବି । ଭାବିବାକୁ ଲାଗିଲେ–ମୁଁ ଜଣେ କର୍ମଚାରୀ ହେଲେ ମଧ୍ୟ ବଡ଼ ଲେଖକ ହୋଇଛି । କେବଳ ଓଡ଼ିଆ ଭାଷାରେ ନୁହଁ, ଭାରତରେ ସବୁ ଭାଷାରେ ମୁଁ ବଡ଼ ବଡ଼ ଲେଖା ପ୍ରକାଶ କରୁଛି ଏବଂ ସମସ୍ତେ ପଢ଼ି ମୁଗ୍‍ଧ ହେଉଛନ୍ତି । (ଓଡ଼ିଆ ଛଡ଼ା ସେ ଆଉ କୌଣସି ଭାଷାର ଆଦ୍ୟ ଅକ୍ଷର ସୁଦ୍ଧା ଜାଣି ନାହାନ୍ତି) ମୋର ଲେଖାଗୁଡ଼ିକ ଭାରତରେ ଉଚ୍ଚ ପୁରସ୍କାର ଲାଭକରିଛି ଏବଂ ପୃଥିବୀରେ ମଧ୍ୟ ଶ୍ରେଷ୍ଠ ପୁରସ୍କାର ପାଇଛି । ଯେଉଁଠାକୁ ଯାଉଛି, ସେଠି ଲୋକେ ମୋତେ ଦେଖି ଆଶ୍ଚର୍ଯ୍ୟ ଓ ମୁଗ୍‍ଧ ହେଉଛନ୍ତି-। ଦିନେ ମୁଁ ରେଳଗାଡ଼ିରେ ଯାଉଛି, ମୋତେ କେହି ଚିହ୍ନି ପାରିନାହାନ୍ତି; କିନ୍ତୁ କେତେକ ଯୁବକ ଯୁବତୀ ମୋର ଲେଖା ବିଷୟରେ ଆଲୋଚନା କରୁଛନ୍ତି ଏବଂ ଉଚ୍ଚ ପ୍ରଶଂସା କରୁଛନ୍ତି । ସେମାନେ ଜାଣି ନାହାନ୍ତି ଯେ ମୁଁ ଅଛି । ତା’ପରେ ମୁଁ ଆତ୍ମପ୍ରକାଶ କଲି । ନା, ସେଟା କରିବା ଅହମିକା ହେବ-

 

.....କିପରି ସେ ବିନୟ ରକ୍ଷାକରିବେ ଅଥଚ ନିଜକୁ ଜାହିର କରିବେ, ତାହାର ଉପାୟ ନପାଇ ସେ ଚିନ୍ତା ତ୍ୟାଗକରି ସେ ଅନ୍ୟ ଚିନ୍ତା କରିବାକୁ ଲାଗିଲେ ।

 

...ଏହି ସମୟରେ ତାଙ୍କର ସ୍ତ୍ରୀ ତାଙ୍କର ସାନ ପୁଅକୁ ଆଣି ତାଙ୍କ କୋଳରେ ଥୋଇଦେଇ କହିଲେ, ଚୁପ୍‍କରି ଖାଲି ଶୋଇଛ; ଅଥଚ ପୁଅଟା ଏଣୁ ତେଣୁ ଖାଇଯାଉଛି, ମୋତେ ରାନ୍ଧିବାକୁ ଛାଡ଼ି ଦେଉନାହିଁ; ଟିକିଏ ରଖି ପାରୁନା, ମୋତେ ଖାଇଯାଅ ସବୁ । ଦୁର୍ଗାଚରଣ ରାଗିଯାଇ କହିଲେ, ତୁମର ରାନ୍ଧିବାଟା ମୋର ଚିନ୍ତା କରିବାଠୁ ବେଶି ମୂଲ୍ୟବାନ ହେଲା ? ମୁଁ ବର୍ତ୍ତମାନ କେତେ ଉଚ୍ଚ ଚିନ୍ତା କରୁଛି, ଆଉ ତୁମେ ସବୁ ଗୋଳମାଳ କରିଦେଲ ! ଏପରି ସ୍ତ୍ରୀ ପାଇ କେବେ କେହି...ହ୍ୟାପ୍... । ସ୍ତ୍ରୀ ପୁଅକୁ ଧରି ଚାଲିଗଲେ ତମତମ ହୋଇ ଓ କହିଲେ, ଯେତେବେଳେ ଦେଖ ଚିନ୍ତା ।

 

...ଦୁର୍ଗାଚରଣ ପୁଣି ଭାବିବାକୁ ଲାଗିଲେ, ମୁଁ ଚାକିରିରେ ଦକ୍ଷତା ଦେଖାଇ ବହୁତ ଉନ୍ନତି କରିଛି ଏବଂ ଅନେକ ଦରମା ପାଉଛି । ପ୍ରକାଣ୍ଡ କୋଠା କରିଛି । ଏଇଠି ସେ ଭାବିବାକୁ ଲାଗିଲେ କେଉଁଠି ଜମି କିଣି କୋଠା କରିବେ । କଟକରେ ତ ବର୍ତ୍ତମାନ ସହର ଭିତରେ ଆଉ ଜାଗା ନାହିଁ । ତାଙ୍କର ପୁରୁଣା ପୈତୃକ ବାସଭୂମିଟି ଅତି ସାନ । ସେଠି ତାଙ୍କ ଇଚ୍ଛାନୁସାରେ ବଡ଼ କୋଠା କରିହେବ ନାହିଁ । ଏ ସ୍ଥାନ ଛାଡ଼ି ଆଉ ଦୂରକୁ ମଧ୍ୟ ଯିବାକୁ ଇଚ୍ଛା ହେଲାନାହିଁ । କାରଣ ଯେଉଁମାନଙ୍କ ପ୍ରତି ତାଙ୍କର ଈର୍ଷା ଅଛି, ସେମାନଙ୍କୁ ପ୍ରତିଦିନ ଐଶ୍ୱର୍ଯ୍ୟ ଦେଖାଇ ତାଙ୍କର ଈର୍ଷା ଉଦ୍ରେକ କରାଇ ପାରିବେନାହିଁ । ତା ହେଲେ... । ଏହା ପରେ କୋଠା ତିଆରିର ନକ୍‍ସା ଓ ହିସାବ କରୁ କରୁ ସେ ଆଉ ଥଳକୂଳ ନପାଇ ତାହା ତ୍ୟାଗକରି ପୁଣି ମନେ ମନେ କହିଲେ, ନା ମୂଳରୁ ପୁଣି ଭାବିବାକୁ ହେବ ।

 

...ସେ ଭାବି ଚାଲିଲେ, ତା ପରେ ମୁଁ ମଧ୍ୟ ଜଣେ ବଡ଼ ବୈଜ୍ଞାନିକ ହୋଇଛି । ମୋର ଗବେଷଣାରେ ମୁଁ ଆଇନ୍‍ଷ୍ଟାଇନଙ୍କଠାରୁ ବଡ଼ ହୋଇଛି । ଅଙ୍କଦ୍ୱାରା ବୁଝାଇ ଦେଇଛି ଭଗବାନ୍‍ଙ୍କ ଅସ୍ତିତ୍ୱ ଅଛି (ଭଗବାନ୍ ସ୍ମିତହାସ କଲେ) । ଏଠାରେ କହିରଖେ ଯେ ଅଙ୍କଶାସ୍ତ୍ରଠାରୁ ବହୁତ ଦୂରରେ ଦୁର୍ଗାଚରଣ । ଅଙ୍କ ଦେଖିଲେ ତାଙ୍କୁ ଜ୍ୱର ଆସେ ।

 

......ମୁଁ ମଧ୍ୟ ସନ୍ତରଣଦ୍ୱାରା ପ୍ରଶାନ୍ତ ମହାସାଗର ଅତିକ୍ରମ କରିବି ।

 

...ନାଃ, ନାଃ, ଏସବୁ ଅସମ୍ଭବ କଥା ଭାବି ଲାଭ ନାହିଁ । କେବଳ ମୁଁ ଜଣେ ପୃଥିବୀପ୍ରସିଦ୍ଧ ଲେଖକ ଓ ଜଣେ ବଡ଼ ଆଧ୍ୟାତ୍ମିକ ଓ ରାଜନୈତିକ ନେତା ହୋଇଛି । ଏକାଧାରରେ ସବୁ ହୋଇଛି; କିନ୍ତୁ ଏସବୁ ହେବାକୁ ହେଲେ ଭଗବାନ୍‍ଙ୍କ ସାହାଯ୍ୟ ଦରକାର । ଭଗବାନ୍‍ଙ୍କର ଅସ୍ତିତ୍ୱ ହୃଦୟ ମଧ୍ୟରେ ଅନୁଭବ ନକଲେ ତାଙ୍କୁ ପାଇପାରିବି ନାହିଁ । ଅତଏବ ପ୍ରଥମେ ମୋତେ ଭଗବାନ୍‍ଙ୍କ ପ୍ରତି ପ୍ରେମ ଉପୁଜାଇବାକୁ ହେବ...ଆଚ୍ଛା...ଭଗବାନ୍‍ଙ୍କ ଅସ୍ତିତ୍ୱରେ ମୋର ବିଶ୍ୱାସ ଥାଉ ବା ନଥାଉ, ସେ ଯଦି ଅଛନ୍ତି, ତେବେ କାହିଁକି ମୋ ମନରେ ତାଙ୍କ ପ୍ରତି ପ୍ରେମ ଦେଉନାହାନ୍ତି-? ହେ ଭଗବାନ୍, ମୋତେ ଜଣେ ବଡ଼ ଲେଖକ ଓ ନେତା କରିଦିଅ, ମୁଁ ରାମା, ଶାମା, ଦାମା ପରି ଜୀବନ ଚାହେଁନା...

 

ଭଗବାନ୍ ପଚାରିଲେ, ଐଚ୍ଛିକ ବିଚାରାଟିର ବୟସ କେତେ ?

 

—ପଇଁଚାଳିଶ ?

 

ଭଗବାନ୍ ସ୍ମିତହାସ କରି କହିଲେ, ଆହା, ବିଚାରାର ବୁଦ୍ଧି ଏ ପର୍ଯ୍ୟନ୍ତ ପରିପକ୍ୱ ହୋଇନାହିଁ । ମୋତେ ସେ ପାଇବାକୁ ଚାହୁଁଛି କେବଳ ନିଜକୁ ବଡ଼ କରି ଅନ୍ୟ ଆଗରେ ଥୋଇବ ବୋଲି । ସେ ଇଚ୍ଛା-ପୂରଣ କରିବାର ଉପାୟ ତା’ର ସ୍ୱତନ୍ତ୍ର କ୍ଷମତାଭୁକ୍ତ । ହଉ ହେଲା, ସେଇ ବାଟେ ସେ ଯାଉ ବର୍ତ୍ତମାନ । ତୁମ ରିପୋଟରେ ତା ପ୍ରତି ତୁମର ଘୃଣା ଘୋଡ଼ାଇବାକୁ ଚେଷ୍ଟାକଲେ ହେଁ ସ୍ପଷ୍ଟ ବୁଝାପଡ଼ୁଛି । ନା, ନା, ଏମିତି ରିପୋଟ ମୋତେ ଦେବନାହିଁ କଦାପି । ମାନୁଚି ଏ କଥା ଯେ ପ୍ରତ୍ୟେକେ ବଡ଼ ହେବାର ସଂଘର୍ଷରେ ସମଗ୍ର ମାନବଜାତିର ଧ୍ୱଂସ ନିଶ୍ଚୟ ହେବ, ଯଦୁବଂଶ ଧ୍ୱଂସ ଭଳି; କିନ୍ତୁ ସେଥିରେ ଯାଏ କେତେ, ଆଚ୍ଛା, ତୁମ୍ଭେ କେଉଁ ଇଚ୍ଛାକୁ ପ୍ରାଧାନ୍ୟ ଦେଇଛ ?

 

—ମୁଁ ଦୁର୍ଗାଚରଣର ଲେଖକ ହେବା ଓ ଚାକିରିରେ ଉନ୍ନତି କରିବାର ଇଚ୍ଛାକୁ ପ୍ରାଧାନ୍ୟ ଦେଇଛି ।

 

—କାହିଁକି ?

 

—ସବୁ ଇଚ୍ଛାଗୁଡ଼ିକ ମଧ୍ୟରେ ଏ ଦୁଇଟି ଇଚ୍ଛାକୁ ସେ ବାରମ୍ୱାର ଧ୍ୟାନ ଦେଇଛି ଏବଂ ବ୍ୟାକୁଳଭାବରେ ଇଚ୍ଛାକରିଛି । ତେଣୁ ଏ ଇଚ୍ଛା ଦୁଇଟି ଅତି ଆନ୍ତରିକ ।

 

ଭଗବାନ୍ ପୁଣି ସ୍ମିତହାସ କରି କହିଲେ, ତୁମ୍ଭେ ଭୁଲ୍ କରିଛ । ଯାହାହେଉ, ଅତିଶୀଘ୍ର ତୁମ୍ଭେ ତା’ର ବନ୍ଧୁ ଦୀନାକୁ କଟକ ପଠାଅ ଏବଂ ଦୁର୍ଗାଚରଣ ସହିତ ସାକ୍ଷାତ କରାଅ । ଆଉ ଶୁଣ, ସମଗ୍ର ମାନବ ଜାତିର ସାମୁହିକ ଇଚ୍ଛା ଓ ପ୍ରତ୍ୟେକ ମଣିଷର ନିଜସ୍ୱ ବ୍ୟକ୍ତିଗତ ଇଚ୍ଛା ବର୍ତ୍ତମାନ କେଉଁ ସ୍ତରକୁ ଆସିଚି ଓ ପରସ୍ପର ଭିତରେ କି ସମ୍ପର୍କ ଅଛି, ସେ ବିଷୟରେ ଗୋଟିଏ ପୂର୍ଣ୍ଣାଙ୍ଗ ରିପୋଟ ଦିଅ ।

 

ଐଚ୍ଚିକ ଆଦେଶ ପାଇ ଚାଲିଗଲେ ।

 

ଦୁର୍ଗାଚରଣ ଭାବି ଭାବି କ୍ଳାନ୍ତ ହୋଇପଡ଼ିଲେ । ମନରେ ତାଙ୍କର ଅବସାଦ ଆସିଲା । ଏତେ ଅସମ୍ଭବ ଭାବନା ଭାବୁଛନ୍ତି ବୋଲି ନିଜ ପ୍ରତି ଘୃଣା ମଧ୍ୟ ହେଲା । ସେ ଉଠି ଟିକିଏ ବୁଲି ଆସିବାକୁ ବାହାରିଲେ । ଘରୁ ବାହାରିଛନ୍ତି କି ନା ଦେଖିଲେ ତାଙ୍କର ବନ୍ଧୁ ଦୀନା ଯାଉଛି । ଦୁହେଁ ଦୁହିଁଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ ।

 

ଦୁର୍ଗାଚରଣ ପଚାରିଲେ, କିରେ ତୁ କୁଆଡ଼େ ?

 

—ମୁଁ ବର୍ତ୍ତମାନ ଭୁବନେଶ୍ୱରରୁ ଆସିଲି, ବାପା ଜରୁରି ଖବରଦେଲେ ଆସିବାକୁ ।

 

ଇସ୍, ପାଞ୍ଚ ବର୍ଷପରେ ଦେଖା, ନୁହେଁ ? ଆଜି ସକାଳେ ବରା ଖାଉ ଖାଉ ତୋ କଥା ମନେ ପଡ଼ିଥିଲା ! ଏହି କେତେବର୍ଷ ମୁଁ ତ କଟାଇଲି ଦୂର ମୂଲକରେ ! ତୋର ଖବର ରଖିନାହିଁ । ଆଜି ସକାଳେ ଭାବୁଥିଲି ତୋ ସହିତ ଦେଖା ହୁଅନ୍ତା କି ?

 

ଦୁହେଁ ଦୁହିଁଙ୍କ ଆନନ୍ଦରେ କୁଣ୍ଢାଇ ପରସ୍ପରଠାରୁ ବିଦାୟ ନେଲେ ।

 

ଦୁର୍ଗାଚରଣ ବୁଲି ଯାଉ ଯାଉ କବିଙ୍କର କଥାଟି ମନେ ପଡ଼ିଲା...

 

Lord I know not

What to ask of thee

Thou only knowest

what I need.

Thou lovest me

better than I know how to love myself.

Smite me or heal me

depress me or raise me up,

I adore all thy Purposes

without knowing them;

I do not know to pray,

Pray thyself in me.

 

(ମୁଁ କଅଣ ଚାହେଁ ଜାଣେନା । ତୁମେ ଜାଣ ମୋର କଅଣ ଦରକାର । ମୁଁ ମୋତେ ଯେତେ ଭଲପାଏ, ତାଠୁ ତୁମେ ମୋତେ ବେଶି ଭଲପାଅ । ଦୁଃଖ ଦିଅ ବା ସୁଖଦିଅ, ନିନ୍ଦା ଦିଅ ବା ଯଶ ଦିଅ, ତୁମର କି ଉଦ୍ଦେଶ୍ୟ ସେଥିରେ ନିହିତ ଅଛି ନ ଜାଣିଲେ ବି ଜାଣେ ସେ ଉଦ୍ଦେଶ୍ୟ ମହତ୍ । ମୁଁ ପ୍ରାର୍ଥନା କରି ଜାଣେନା । ତୁମେ ମୋ ଭିତରେ ଥାଇ ପ୍ରଭୁ ପ୍ରାର୍ଥନା କର)

★★★

 

ଧ୍ୱନି

 

ମଣିଷର ବୋଧହୁଏ ଦୁଇଟି ମନ ଅଛି । ଗୋଟିଏ ଦେହଜମନ ଓ ଅନ୍ୟଟି ଦେହାତୀତ ମନ । ଦେହଜ ମନ ଦେହକୁ ନେଇ ପଡ଼ିଥାଏ । ଧନ, ଜନ, ମାନ, ପ୍ରତିପତ୍ତି, ସୁଖ, ସଂଭୋଗ ପଛରେ ଦୌଡ଼ୁଥାଏ । ସେଥିପାଇଁ କେତେ ଲୋଭ, ହିଂସା, ଛଳନା, ଜାଲ୍ ଜୁଆଚୋରୀର ଆଶ୍ରୟ ନିଏ । ସେତେବେଳେ ତା’ର ଦେହାତୀତ ମନ ସେ ସବୁ ଭିତରେ କେଉଁଠି ଲୁଚିଯାଏ ସତ ତଥାପି ମଝିରେ ମଝିରେ ଏ ଦେହକୁ ସେଇ ସର୍ବତ୍ର ପରିବ୍ୟାପ୍ତ, ସର୍ବତ୍ର ଯାହାର ଆଖି ବିଦ୍ୟମାନ୍ ସେହି ମହାନ୍ ଶକ୍ତି ଆଡ଼କୁ ଟାଣିନିଏ । ସେତେବେଳେ ମଣିଷ ନିଜର ଇନ୍ଦ୍ରିୟପରିବେଷ୍ଟିତ କ୍ଷୁଦ୍ର ସଂକୀର୍ଣ୍ଣ ଗଣ୍ଡି ଛାଡ଼ି ବାହାରକୁ ଦୃଷ୍ଟି ପକାଏ । ସବୁ ତାକୁ ସୁନ୍ଦର ଦିଶେ । ଘାସଗଛଟି ବି ଅପୂର୍ବ ସୃଷ୍ଟି ବୋଲି ମନେ ହୁଏ । ଯେତେବେଳେ ‘‘ମୁରଲି ତାର ନାମ ଧରି, ଡାକଇ ଆସ ବେଗକରି ।’’ ସେ ମୁରଲି ସ୍ୱର ଶୁଣି ‘ମନ ହୁଅଇ ଛନ୍ନ ଛନ୍ନ, ବ୍ୟାପାରେ ନ ଲାଗଇ ମନ’ । ସର୍ବଦା ସଂଯୁକ୍ତ ତୁଲ୍ୟନାମବିଶିଷ୍ଟ ଦୁଇଟି ପକ୍ଷୀ ଗୋଟିଏ ବୃକ୍ଷକୁ ଆଶ୍ରୟ କରି ଅଛନ୍ତି, ସେମାନଙ୍କ ମଧ୍ୟରୁ ଗୋଟିଏ ବିଚିତ୍ର ଆସ୍ୱାଦଯୁକ୍ତ ଫଳ ଭକ୍ଷଣକରେ, ଅପରଟି ଭକ୍ଷଣ ନ କରି କେବଳ ଦର୍ଶନ କରେ । ଦେହାତୀତ ମନ ଯାହାର ଅଧିକ ପ୍ରବଳ, ସେ ହୋଇଛି ପ୍ରକୃତ ନେତା, ପ୍ରକୃତ ବିପ୍ଳବୀ, ବୁଦ୍ଧ, ଖ୍ରୀଷ୍ଟ, ଚୈତନ୍ୟମାନଙ୍କ ଭଳି ।

 

ଏ କଅଣ କୌଣସି ଗଳ୍ପର ବିଷୟବସ୍ତୁ ହୋଇପାରେ ? ନ ହେବ ବା କାହିଁକି ? ସାହିତ୍ୟ କଅଣ କେବଳ ଦେହଜ-ମନର ତୃପ୍ତି ଆଣିବାପାଇଁ ? ଅଥବା କେବଳ ଦେହଜ-ମନର ତୃପ୍ତି ଯେଉଁ ସାହିତ୍ୟ ଦିଏ, ସେ କଅଣ ‘ସାହିତ୍ୟ’ ? ଆଜି ସକାଳୁ ଭଗବାନ୍ ବାବୁଙ୍କ ମନରେ ଯେଉଁ ସବୁ ଭାବ ଉପୁଜିଲା ସେ କଅଣ ସାହିତ୍ୟ-ଦୃଷ୍ଟିରୁ ଗୋଟିଏ କ୍ଷୁଦ୍ର ଗଳ୍ପ ନୁହଁ ?

 

ଶୀତଦିନର ଗୋଟିଏ ରମଣୀୟ ପ୍ରଭାତ ? ଭଗବାନ୍ ବାବୁ ଚାଦର ଖଣ୍ଡେ ଘୋଡ଼ିହୋଇ ପଦାକୁ ବାହାରିଲେ । ମନଟା ତାଙ୍କର ହଠାତ୍ ଉଦାସ ହୋଇଗଲା । ପାତଳା ସୂର୍ଯ୍ୟକିରଣ ବିଛାଡ଼ି ପଡ଼ିଚି । ସବୁଜ ଘାସ ଉପରେ ଶିଶିରବିନ୍ଦୁ ଗୁଡ଼ିକରେ ସୂର୍ଯ୍ୟକିରଣ ପ୍ରତିଫଳିତ ହୋଇ ସେଗୁଡ଼ିକୁ ଏକ ଅପୂର୍ବ ବସ୍ତୁରେ ପରିଣତ କରିଛି । କାଉଗୁଡ଼ିକ କା କା ରାବ ଦେଇ ଉଡ଼ି ଯାଉଛନ୍ତି । ଦୂରରେ ଗୋଟିଏ ଚଢ଼େଇ ଅନବରତ କହି ଚାଲିଛି କୃଷ୍ଣ କାହିଁ ଗୋ...କୃଷ୍ଣ କାହିଁ ଗୋ...ଅତି ବ୍ୟାକୁଳ ଭାବରେ । ପରିବାବାଲାମାନେ ତର ତର ହୋଇ ଧାଇଁଛନ୍ତି ଡାକି ଡାକି, ଆଳୁ...ଆଳୁ । ମ୍ୟୁନିସିପାଲିଟି ମଇଳାବୁହା ଗାଡ଼ିଟା ଚାଲିଛି କେତେ ପ୍ରକାର ଶବ୍ଦ କରି ଘଟର ଘଡ଼ ଘଡ଼ କେଁ ଏଁ ଏଁ ଧଡ୍‍ଘଟର ଘଡ଼ ଘଡ଼ କେଁ ଏଁ ଏଁ ଧଡ଼ । ଗୋଟିଏ ଗେଣ୍ଡା ଧୀରେ ଧୀରେ ଚାଲିଛି, ନିଃଶବ୍ଦ ଶବ୍ଦକରି ।

 

ଭଗବାନ୍ ବାବୁଙ୍କ ମନ ଆଉ ଘର ଭିତରେ ରହିଲାନାହିଁ । ନିଜର ଅଜାଣତରେ ଗୋଡ଼ ତାଙ୍କର ଆଗେଇଗଲା । ମନ ତାଙ୍କର ଟାଣୁଥାଏ ସବୁ ଦେଖିବାକୁ, ସବୁ ଶୁଣିବାକୁ । କେତେଥର ଏସବୁ ଦେଖିଛନ୍ତି, ଶୁଣିଛନ୍ତି । ଆଜି କିନ୍ତୁ ଆଉ ଥରେ ନୂଆକରି ଦେଖିବାକୁ ଶୁଣିବାକୁ ଇଚ୍ଛା ହେଲା-

 

ବୁଲି ବୁଲି ସେ ଆସି ପହଞ୍ଚିଗଲେ କିଙ୍କର ବାବୁଙ୍କ ଘର ସାମନାରେ କୌଣସି ଉଦ୍ଦେଶ୍ୟରେ ନୁହଁ, ଯଦୃଚ୍ଛାକ୍ରମେ । କିଙ୍କର ବାବୁ ତାଙ୍କର ବାଲ୍ୟବନ୍ଧୁ । ଅନେକ ଦିନ ହେବ ତାଙ୍କ ସହିତ ଦେଖା ହୋଇନାହିଁ । ନାନା ସାଂସାରିକ ଜଞ୍ଜାଳ ଭିତରେ ପଡ଼ି କିଙ୍କର ବାବୁ ଘାଣ୍ଟି ହେଉଛନ୍ତି-। ଘରରୁ କଚେରି । କଚେରିରୁ ବଜାର ଦେଇ ଘର । ସେଇ ଗୁଳାରେ ତାଙ୍କର ମନ ଓ ଦେହ ଚାଲିଛି ତ ଚାଲିଛି । କିଛି ଦିନ ତଳେ ତାଙ୍କର ଗୋଟିଏ ପୁଅ ମରିଯାଇଛି । ସେ ଶୋକରୁ ସେ ଏ ପର୍ଯ୍ୟନ୍ତ ମୁକ୍ତ ହୋଇପାରି ନାହାନ୍ତି । ଭଗବାନ୍ ବାବୁ ତାଙ୍କର ଖବର ନେବାପାଇଁ ତାଙ୍କ ଦୁଆର ମୁହଁରେ ଛିଡ଼ାହେଲେ । କିଙ୍କର ବାବୁଙ୍କ ଘର ଭିତରେ ଓ ବାହାରେ ସେତେବେଳେ ନାନା ପ୍ରକାର କୋଳାହଳ । ଭଗବାନ୍ ବାବୁ ପ୍ରତ୍ୟେକ ଶବ୍ଦଟିକୁ ଅଲଗା ଭାବରେ ଶୁଣିବାକୁ ଲାଗିଲେ ।

 

ଘର ଭିତରେ କିଙ୍କର ବାବୁଙ୍କ ସ୍ତ୍ରୀ ମୃତ ପୁତ୍ରର ଗୁଣ ବାହୁନି କାନ୍ଦୁଛନ୍ତି, ମୋତେ ଛାଡ଼ି ତୁ କୁଆଡ଼େ ଗଲୁରେ ମୋ ଗୁଣମଣି; ତୋତେ ଛାଡ଼ି ମୁଁ କେମିତି ଥିବିରେ... । ହଠାତ୍ କାନ୍ଦଣା ବନ୍ଦକରି ସେ ପାଟିକରି ଚାକରାଣୀକୁ ଗାଳି ଦେବାକୁ ଲାଗିଲେ, ହୋଇଲୋ ହେମ, ତୋତେ କେତେବାର କହିଛି ଯେ ବାସନକୁ ମାଜିବା ପରେ ଭଲ ପାଣିରେ ଧୋଇ ରଖିବୁ ? ଆଉ କଅଣ ତୋ ଗୋଡ଼ତଳେ ପଡ଼ି କହିବି ?

 

ହେମ ମଧ୍ୟ ପାଟିକରି କହିଲା, ‘‘ରଖୁଛି ମା’ ରଖୁଛି, ପାଟିଟା କରୁଛ କାହିଁକି ?’’

 

ତା’ପରେ ଦୁଇଜଣ ଏକାସାଙ୍ଗରେ କଳହଦ୍ୱାରା ପରସ୍ପରକୁ ବୁଝାଇବାକୁ ଚେଷ୍ଟାକଲେ ।

 

କିଙ୍କର ବାବୁଙ୍କ ବଡ଼ ଝୁଅଟି ସପ୍ତମ ଶ୍ରେଣୀ ଛାତ୍ରୀ । ସେ ଚିତ୍କାର କରି ପଢ଼ା ମୁଖସ୍ଥ କରୁଛି, ଗ୍ରୀନ୍‍ଲେଣ୍ଡର ଅଧିବାସୀମାନଙ୍କୁ ଏସ୍କିମୋ ଏସ୍କିମୋ ଏକ୍ସିମୋ ଏକ୍ସିମୋ କହନ୍ତି ଉଁ...ଉଁ...ଉଁ ସେମାନଙ୍କୁ ବର୍ଷଯାକ ଶୀତ ସହିବାକୁ ପଡ଼େ । ବୋଉ ଦେଖିଲୁ କୁନାକୁ । ଚୁପ୍ କର୍ ବଦ୍‍ମାସ ଏକଶିଙ୍ଗା ।

 

କିଙ୍କର ବାବୁଙ୍କ ତିନିବର୍ଷର ପୁଅଟି ମୁଣ୍ଡ ତଳକୁ କରି କାନ୍ଥ ଉପରକୁ ଗୋଡ଼ ଟେକିଦେଇ ସମସ୍ତଙ୍କ ଦୃଷ୍ଟି ତାହା ଆଡ଼କୁ ଆକୃଷ୍ଟ କରିବାପାଇଁ ଚିତ୍କାର କରୁଛି । ଚର୍କଚ୍ ଦେଖ, ଚର୍କଚ୍ ଦେଖ...-

 

ଦାଣ୍ଡ ଦୁଆର ମୁହଁରେ ଗୋଟିଏ ଗଞ୍ଜା କୁକୁଡ଼ା ଓ ଦୁଇଟି ମାଈ କୁକୁଡ଼ା ମଇଳାଗଦାରୁ ଖୁମ୍ପି ଖୁମ୍ପି ଆହାର ଖୋଜୁଛନ୍ତି । ମଝିରେ ମଝିରେ ଗଞ୍ଜାଟା ବେଳ ଥରାଇ ଡାକ ଦେଉଛି, ଚକ୍ରଧର...ଅ...ଅ ରକ୍ଷାକର । ତା’ର ଡାକରେ ଆକାଶ ଯେପରି ଚିରି ହୋଇଯାଉଛି, ତାର ସ୍ରଷ୍ଟା ବି ଥରି ଯାଉଛନ୍ତି !

 

ଗୋଟିଏ ମାଈ କୁକୁର ପଛରେ ପାଞ୍ଚଟା ଅଣ୍ଡିରା କୁକୁର ଗୋଡ଼ାଇଛନ୍ତି । ମଝିରେ ମଝିରେ କୁତୀଟି ଲାଙ୍ଗୁଡ଼ ଯାକି ଦେଇ ପଛକୁ ଲେଉଟି ପଡ଼ି ସମସ୍ତଙ୍କୁ ଖେଁକି ହୋଇ ଭୁକୁଚି ଓ ସାଙ୍ଗେ ସାଙ୍ଗେ ଅଣ୍ଡିରା କୁକୁରମାନଙ୍କ ଭିତରେ ଲାଗି ଯାଉଛି ତୁମୂଳ ଯୁଦ୍ଧ । ପରସ୍ପର ଭିତରେ କାମୁଡ଼ା କାମୁଡ଼ି କରି ତୁମୂଳ ଶବ୍ଦ ସୃଷ୍ଟି କରୁଛନ୍ତି ସେମାନେ । ଇତିମଧ୍ୟରେ କୁତୀଟା ପଳାଇଛି ଅଣ୍ଡିରାଗୁଡ଼ାଳ ନିଜ ଭିତରେ ଝଗଡ଼ା ବନ୍ଦକରି ପୁଣି ଗୋଡ଼ାଇଛନ୍ତି ତା ପଛରେ ।

 

ଭଗବାନ୍ ବାବୁଙ୍କ କୋଳ ଛୁଆଟି କାନ୍ଦି କାନ୍ଦି ଧଇଁ ସଇଁ ହୋଇପଡ଼ିଲାଣି ।

 

ଗୋଟିଏ ଭିକାରୀ ଏତେ ସକାଳୁ ଆସି ଜୁଟିଗଲାଣି । ସେ ପାଟିକରି ଡାକୁଛି ମା...ଆ...ଧର୍ମ କର, ଗଣ୍ଡେ ଭିକ ଦିଅ, ଦଶ ଦୁଆର ଯିବି, ଏତେ ଡେରି କଲେ ଚଳିବ...

 

ଗୋଟିଏ ଫେରିବାଲା ଡାକି ଡାକି ଚାଲିଗଲା, ଗରମ ସିଙ୍ଗଡ଼ା, ଆଳୁଚପ୍, ପକୁଡ଼ି, ରସଗୋଲା ଛେନାଗଜା...

 

ଦୁଇଜଣ ମାମଲତକାର ଛିଟିଛନ୍ତି ଓକିଲଘରକୁ । ଜଣେ ହାତ ହଲାଇ ଅନ୍ୟ ଜଣକୁ କହୁଛି, ସର୍ବନାଶ କରିଦେବି ତାହାର, ଭାଇ ନୁହଁ ଭଗାରି ।

 

ଦୂରରେ ଗୋଟିଏ ରେଳଗାଡ଼ି ପୋଲ ପାରିହେବା ପୂର୍ବରୁ ଗଁ ଗଁ ଗର୍ଜନ କରି ଉଠିଲା ।

 

ପାଖ ଘରର ବୈଠକଖାନାରୁ ତର୍କ ଶୁଭୁଚି...ଦୁର୍ନୀତି ପାଣି ସୁଅପରି । ତାହା ତଳୁ ଉପରକୁ ଯାଏନାହିଁ, ଉପରୁ ତଳକୁ ବହେ । ଚପରାସୀ ଚାରିଅଣା ଘୁଷ୍ ନେଲା ବୋଲି ହାକିମ ଘୁଷ୍ ନିଏ ନାହିଁ ଯେ, ହାକିମ ଶହେଟଙ୍କା ଘୁଷ୍ ନେବାରୁ ଚପରାସୀ ଚାରିଅଣା ନିଏ । ଚପରାସୀ ଘୁଷ୍ ନେବାର ଅର୍ଥନୈତିକ କାରଣ ଥାଇପାରେ; କିନ୍ତୁ ହଜାର ହଜାର ଟଙ୍କା ପାଇ ସୁଦ୍ଧା ଯେଉଁମାନେ ଦୁର୍ନୀତିପରାୟଣ, ସେମାନେ କେବଳ ଅପରାଧୀ ମନୋବୃତ୍ତି ପାଇଁ ।

 

କିଙ୍କର ବାବୁଙ୍କ ପାଟି ଶୁଭୁଛି । ସେ ଗୀତା ପଢ଼ୁଛନ୍ତି—

 

...ପଶ୍ୟାମି ଦେବାଂସ୍ତବ ଦେବ ଦେହେ,

ସର୍ବାଂସ୍ତଥା ଭୂତବିଶେଷସଂଘାନ୍;

ବ୍ରହ୍ମାଣମୀଶଂ କମଳାସନସ୍ଥମ୍

ଋଷୀଂଶ୍ଚ ସର୍ବାନୁରଗାଂଶ୍ଚ ଦିବ୍ୟାନ୍ ।

ଅନେକବାହୁ ଦରବକ୍ରନେତ୍ରଂ

ପଶ୍ୟାମି ତ୍ୱାଂ ସର୍ବତୋଽନନ୍ତରୂପମ୍;

ନାନ୍ତଂ ନ ମଧ୍ୟଂ ନ ପୁନସ୍ତବାଦିଂ

ପଶ୍ୟାମି ବିଶ୍ୱେଶ୍ୱର ବିଶ୍ୱରୂପମ୍...

 

ଦୂରରୁ ଶୁଭୁଛି, ଆଲ୍ଲାହ୍ ଇଲାହା ଇଲ୍ଆଲ୍ଲାହ୍ ।

 

ଭଗବାନ୍ ବାବୁ ପ୍ରତ୍ୟେକ ଧ୍ୱନିକୁ ଅଲଗା ଅଲଗା ଶୁଣିବାକୁ ଲାଗିଲେ । ତାଙ୍କର ମନରେ ପ୍ରଶ୍ନ ଜାଗିଲା, ଏ ପ୍ରତ୍ୟେକ ଧ୍ୱନିର ଉତ୍ସ କଅଣ ଭିନ୍ନ ଭିନ୍ନ ? ଉତ୍ସର ସନ୍ଧାନ କରୁ କରୁ ସେ ଏପରି ଏକ ସ୍ତରରେ ପହଞ୍ଚିଲେ, ଯେଉଁଠି ମନେ ହେଲା ପ୍ରତ୍ୟେକ ଧ୍ୱନିର ଉତ୍ସ ସେଇଠି । ପ୍ରତ୍ୟେକ ଧ୍ୱନିର ଆଉ ପ୍ରତ୍ୟେକତ୍ୱ ରହିଲା ନାହିଁ । ସବ ଗୋଳେଇ ମିଶେଇ ଯାଇ ଏକ ଅପୂର୍ବ ଶବ୍ଦ ଝଙ୍କୃତ ହେବାକୁ ଲାଗିଲା ଧୀର ଉଦାତ୍ତ ସ୍ୱରରେ ।

 

ଭଗବାନ୍ ବାବୁ ମୁରୁକି ହସି ଶୂନ୍ୟକୁ ଚାହିଁ ନମସ୍କାର କରି ପୁଣି ଚାଲିବାକୁ ଆରମ୍ଭ କଲେ ।

 

ଏ କଅଣ ଗୋଟିଏ ଗଳ୍ପ ହେଲା ?

★★★

 

ବହୁମୁଖୀ

 

ପ୍ରାତସମୁତ୍‍ଥାୟତବ ପ୍ରିୟାର୍ଥଂ, ସଂସାର ୟାତ୍ରାମନୁବର୍ତ୍ତିୟସ୍ୟେ...ଅଃ...ଆଃ... ବୋଉଲୋ, ମା ତାରା, ତାରା, ତାରା...ହରିହେ ଦୀନବନ୍ଧୋ...ହେ ବିନି, କିନି ମିନି ଆରେ ଉଠ ସକାଳ ହେଲାଣି । ଉଠିଲ...ଦଣ୍ଡବତ କର ସବୁ । ପରଶୁରାମ ବାବୁ ରାତି ନ ପାହୁଣୁ ବିଛଣାରେ ଅଳସ ଭାଙ୍ଗୁ ଭାଙ୍ଗୁ କହିଲେ ।

 

କାହିଁକି ଶୀତ ସକାଳଟାରୁ ପିଲାଗୁଡ଼ାଙ୍କୁ ଉଠାଇଚ । କଅଣ ପିନ୍ଧି ପଦାକୁ ଯିବେ...ଶୋଇ ଥାଆନ୍ତୁ, କନ୍ଥା ଘୋଡ଼ି ହୋଇ...

 

ତୁମେ ବୁଝନାଇଁ ରାଣୀ ! ସକାଳୁ ଉଠି ଥରେ ଭଗବାନଙ୍କୁ ଡାକିବାମାନେ ଶରୀର ଓ ମନ ପାଇଁ ଔଷଧ ଖାଇବା ସଙ୍ଗେ ସମାନ...ଦିନ ଯାକତ ଆଉ ଭଗବାନ ମନେ ପଡ଼ିବେ ନାହିଁ...

 

ପିଲାଙ୍କ ପାଇଁ ତୁମେ ଡାକିଦେଲେ ଚଳିଯିବ । ଶୋଇ ଥାଆନ୍ତୁ ଟିକିଏ ଆରାମରେ...ଉଠାଅନି...

 

ରାଣୀ, ପିଲାବେଳୁ ଏସବୁ ଅଭ୍ୟାସ କରିବା ଉଚିତ । ସଙ୍ଗୀତ, ସାହିତ୍ୟ, ଚିତ୍ରାଙ୍କନପରି ଜୀବନଯାତ୍ରା ମଧ୍ୟ ଗୋଟାଏ କଳା । ସବୁ କଳାର ଦୁଇ ଗୋଟି ଦିଗ ଅଛି–ଅଭ୍ୟାସ ଓ ପ୍ରେରଣା । ପ୍ରେରଣା ଆସେ ପରେ; କିନ୍ତୁ ତା ପୂର୍ବରୁ ଅଭ୍ୟାସ ନଥିଲେ ପ୍ରେରଣାକୁ ରୂପ ଦେଇ ହୁଏନି । ତେଣୁ ପ୍ରେରଣା ଆସିବା ପୂର୍ବରୁ ଗଳା, ବାଦ୍ୟଯନ୍ତ୍ର, ଭାଷା ବା ତୂଳୀ ସାଧି ରଖିବା ଉଚିତ । ଗୃହସ୍ଥାଶ୍ରମ ପୂର୍ବରୁ ସେଥିପାଇଁ ବ୍ରହ୍ମଚର୍ଯ୍ୟ ଦରାକାର...

 

ତୁମ୍ଭର ନିଇତି ସକାଳୁ ଥରେ ବକ୍ତୃତା ନହେଲେ କଅଣ ପାଇଖାନା ପରିଷ୍କାର ହୁଏନି । ତୁମ ନୀତିକଥା ଶୁଣି ଶୁଣି ମୁଁ ପାଗଳ ହୋଇଯିବି, ଏଇ ଉଠନି ତୁମେ ସବୁ...ରାଣା ବିରକ୍ତି ଭରି କହିଲା ।

 

ଅଳସତା, ଜଡ଼ତା ଅପରାଧ ମନୋବୃତ୍ତିର ପ୍ରଧାନ ଲକ୍ଷଣ...ତୁମେ ଭବିଷ୍ୟତରେ ଫେରେ ବୁଝିବ ଯେ ମୋ କଥା...ସେତେବେଳେ କିନ୍ତୁ ଲେଡ଼ି ଗୁଡ଼ କହୁଣିକି ବହି ଯାଇଥିବ...

 

ଲେଡ଼ିରେ ତ ଆଦୌ ଗୁଡ଼ନାହିଁ, କହୁଣିକି ବହିଯିବା ଦୁର୍ଭାବନାରେ ତୁମେ ଅସ୍ଥିର ହୁଅନି...

 

ରାଣୀ, ଅର୍ଥ କଅଣ ସବୁ ? ଟଙ୍କା ଟଙ୍କା କରି ଦିନେ ତୁମେ ପାଗଳ ହୋଇଯିବ । କାହିଁକି ଏତେ ଲୋଭ !!

 

ଲୋଭ ? ୟାକୁ ଲୋଭ କୁହ ? ତା ହେଲେ ବଞ୍ଚିବାର ଇଚ୍ଛା ବି ଲୋଭ ? ରାଣୀ ମୁହଁ ଛାଟି ଚାଲିଗଲା ।

 

ପରଶୁରାମ ବାବୁ ତଳକୁ ମୁଣ୍ଡ ପୋତି କିଛିକ୍ଷଣ ବିଛଣା ଉପରେ ବସି ଗୋଟିଏ ଦୀର୍ଘ ନିଃଶ୍ୱାସ ଛାଡ଼ିଲେ ଏବଂ ଉଠି ପୂର୍ବ ଦିଗର ଝରକା ଖୋଲିଦେଲେ । ତରୁଣ ଅରୁଣ ଧୀରେ ଧୀରେ ଆତ୍ମପ୍ରକାଶ କରୁଚି । ସୂର୍ଯ୍ୟଙ୍କୁ ନମସ୍କାର କରି ପରଶୁରାମ ବାବୁ କହିଲେ...ଜବାକୁସୁମ ସଙ୍କାଶଂ...-। ସେ ମନରେ ଗୋଟିଏ ଅପୂର୍ବ ଦାର୍ଶନିକ ଶାନ୍ତି ଅନୁଭବ କଲେ ଆଉ ଭାବିବାକୁ ଲାଗିଲେ...କାହିଁକି ଏ ସମ୍ମାନ, ପ୍ରତିପତ୍ତିର ତୀବ୍ର ନିଶା...ଏଇ ସୂର୍ଯ୍ୟ, ଯାହାର ଆଭ୍ୟନ୍ତରୀଣ ଉତ୍ତାପ ଲକ୍ଷ ଲକ୍ଷ ଡିଗ୍ରୀ, ଯାହାର ଓଜନ ଆମର ଏଇ ବିଶାଳ ପୃଥିବୀର କୋଟି କୋଟି ଗୁଣ, ତାର ମଧ୍ୟ ପ୍ରତି ସେକେଣ୍ଡକେ ଚାଳିଶ ଲକ୍ଷ ଟନ୍ ହିସାବରେ ଶକ୍ତି କମୁଚି... ହୁଏତ ଦିନେ ଶେଷ ରାତ୍ରିର ଦୀପ ଭଳି ସେ ମଧ୍ୟ ନିଷ୍ପ୍ରଭ ହୋଇଯାଇଚି...କି ମହାନ୍ କି ଅଭୁତ ଏଇ ସୃଷ୍ଟି...କୋଟି କୋଟି ମାଇଲ ଦୂରରେ ଘୂର୍ଣ୍ଣାୟମାନ ମହାକାୟ ଅଗ୍ନିପିଣ୍ଡ ଯାହାକୁ କହନ୍ତି ସ୍ପାଇରେଲ ନେବୁଲା...ଏ ଜଗତ ଦୈବାତ୍ ସୃଷ୍ଟି ନା କେହି ଗୋଟାଏ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଏହାକୁ ସୃଷ୍ଟି କରିଚି...ମନୁଷ୍ୟ ରୂପକ କୀଟର ସ୍ତାନ ଏ ସୃଷ୍ଟିରେ କେଉଁଠି ?...ଦୈବାତ୍ ପଞ୍ଚଭୂତର ମିଳନରୁ ଏହି କୀଟର ସୃଷ୍ଟି, ନା ଏହାର ସୃଷ୍ଟିରେ ସୃଷ୍ଟିର ଚରମ ଉଦ୍ଦେଶ୍ୟ ନିହିତ ଅଛି ?... ଆମର ସ୍ୱାଧୀନ ସତ୍ତା ଅଛି, ନା ଏହା ଜଡ଼ ପଦାର୍ଥର କେବଳ ସଚେତନ ଅବସ୍ଥା ?...

 

ନାନା ବିକ୍ଷିପ୍ତ ଦାର୍ଶନିକ ଚିନ୍ତାରେ ତାଙ୍କର ମନ ପୀଡ଼ାରେ ଅବଶ ହୋଇ ଆସିଲା, ଦମ୍ ବନ୍ଦ ହୋଇଯିବା ଭଳି ଲାଗିଲା । ସେ ତୁରନ୍ତ ଭଗବାନଙ୍କ ଅସ୍ତିତ୍ୱ ସ୍ୱୀକାର କରିଦେଇ ନିଃଶ୍ୱାସ ମାରି ସୂର୍ଯ୍ୟ ଆଡ଼କୁ ଅନାଇ ରହିଲେ ଅନ୍ୟ ଦୃଷ୍ଟିରେ । ଏଣ୍ଡୁଅ ଦୌଡ଼ି ଦୌଡ଼ି କିଆବାଡ଼ ପର୍ଯ୍ୟନ୍ତ ଯାଏ । ପରଶୁରାମ ବାବୁଙ୍କ ଚିନ୍ତାଶକ୍ତି ବିଶ୍ୱାସରେ ଆଶ୍ରୟ କରିବାକୁ ଦଉଡ଼େ ।

 

ଖବରକାଗଜ ବାଲା ଝରକା ବାଟେ ଖବରକାଗଜ ଗଳାଇ ଦେଇଗଲା । ଖବରକାଗଜ ଗୋଟାଇ ନେଇ ପଢ଼ିବାକୁ ଲାଗିଲେ...କୋରିଆ ଯୁଦ୍ଧ...ତୃତୀୟ ମହାଯୁଦ୍ଧ ଆସନ୍ନ...ଭାରତର ଖାଦ୍ୟାଭାବ...

 

—କିରେ ପର୍ଶୁ, ଖବର କଅଣ ? ବନ୍ଧୁ ବୀରେନ୍ ସକାଳବୁଲା ସାରି ଫେରୁଛି ।

 

—କିରେ ବୀରେନ୍ ଏତେ ସକାଳୁ ?

 

—ବୁଲି ଯାଇଥିଲି । ଆଜିର ଖବର କଅଣ ?

 

—କୋରିଆ, ତୃତୀୟ ମହାଯୁଦ୍ଧ, ଏଇ ସବୁ...

 

—ସତେ ମ ! କୋରିଆରେ, ଗୋଟିଏ କି ପାଲା ଲାଗିଚି ମ...

 

—ବୁଝିଲୁ, ସବୁ ନିର୍ଭର କରେ ଦେଶର ଅର୍ଥନୀତି ଉପରେ । ଆମେରିକା ସମଗ୍ର ପୃଥିବୀରେ କ୍ଷମତା ବିସ୍ତାର କରିବାକୁ ଚାହେଁ । କାହିଁକି ବା ଦେଶକୁ ଶିଳ୍ପ ପ୍ରଧାନ କର ? ଶିଳ୍ପପ୍ରସାର କରି କରି ନିଜର ଆବଶ୍ୟକତାଠାରୁ ବହୁଗୁଣ ବେଶି ଦ୍ରବ୍ୟ ପ୍ରସ୍ତୁତ କରିବାକୁ ତୁମେ ବାଧ୍ୟ । ତା ପାଇଁ ତେଣୁ ବଜାର ଲୋଡ଼ା । ବଜାରକୁ ନିଜ ଅଧୀନରେ ସବୁଦିନ ରଖିବାପାଇଁ ସୈନ୍ୟ ଲୋଡ଼ା... ଖାଲି ସେତିକି ନୁହେଁ ସେହି ବଜାର ଯେପରି ଚିରଦିନ ଅନୁନ୍ନତ ରହେ, ତା ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ହେବ...ଚାଲିଲା ଏମିତି ଗୋଟାଏ ଖେଳ, ଗୋଲକ ଧନ୍ଦା...ହେଉ ମହାଯୁଦ୍ଧ...

 

—ଛାଡ଼ ସେ ସବୁ ବଡ଼ ବଡ଼ କଥା... ମୋ ମୁଣ୍ଡରେ ସେ ସବୁ ପଶେ ନାହିଁ । ଆମ ଦେଶର ନୀତି ବର୍ତ୍ତମାନ କୁଆଡ଼େ ଚାଲିଚି... ?

 

—ଆମ ଦେଶର ନୀତି ଏ ପର୍ଯ୍ୟନ୍ତ ଠିକ୍ କିଛି ସୃଷ୍ଟି ହୋଇନାହିଁ । ବିଦ୍ରୋହ ନହେଲେ ନୀତି ଜନ୍ମ ହୁଏନାହିଁ...ବର୍ତ୍ତମାନ କେବଳ ଗୋଟିଏ ମାତ୍ର ନୀତି ହେଉଛି ସ୍ୱାର୍ଥ । ଏଇ ସ୍ୱାର୍ଥନ୍ଧତା ଯେତେବେଳେ ଚରମକୁ ଯିବ, ସେତେବେଳେ ବିଦ୍ରୋହ ଛାଏଁ ଛାଏଁ ହେବ...ତା ପରେ ଜନ୍ମ ନେବ ନୀତି...

 

—କିନ୍ତୁ ନେତାମାନେ ଯେ ଏତେ ବକ୍ତୃତା ଦେଉଛନ୍ତି ? ଏତେ ଆଦର୍ଶ ଥୋଉଛନ୍ତି ?

 

ପରଶୁରାମ ବାବୁ ହସି କହିଲେ, ସ୍ତ୍ରୀମାନଙ୍କର କଥା, ରାଜନୈତିକ ନେତାମାନଙ୍କର ଆଦର୍ଶ ଏବଂ ଅଫିସରେ ଉପରବାଲାମାନଙ୍କ ଆଶ୍ୱାସବାଣୀ—ଏ ତିନୋଟିରେ ଯେ ଭୁଲେ, ସେ ଦିନେ ଖାଲରେ ପଡ଼େ ।

 

—ଆଚ୍ଛା ପର୍ଶୁ, ଦିନେ କଅଣ ସବୁ ଲାଲ ହୋଇଯିବ ? ଦୀରେନ୍ ତୁନି ତୁନି ପଚାରିଲା-

 

—ଲାଲ ? ଓ, ବୁଝିଲି । ହୋଇପାରେ...ତେବେ ଲାଲ ରଙ୍ଗଧରି ଆସୁ ଆସୁ ଆଉ କୌଣସି ରଙ୍ଗର ସୁଅ ମାଡ଼ି ଆସି ପାରେ...ଉପର ରଙ୍ଗଟାରେ ସବୁବେଳେ ବିଶ୍ୱାସ କଲେ ଚଳେନାହିଁ...ନିର୍ମଳ ଧଳା ତଳେ ତ କଳା ଦେଖିବାକୁ ମିଳୁଚି ବର୍ତ୍ତମାନ । ହେଁ...ହେଁ...

 

—ହେଁ...ହେଁ...ଠିକ୍ କହିଚୁ ଭାଇ । ସରକାର ଯଦି ମୁଠାଏ ଦି’ବେଳା ଖାଇବାକୁ ଦେବାକୁ ସକ୍ଷମ ହୁଅନ୍ତା, ଆଉ ପିନ୍ଧିବାକୁ ଏତିକି ତ...

 

—ସେ ବିଷୟରେ ଭାଇ ମୋର ମତ ହେଉଚି ସରକାରକୁ ଖାଲି ଦୋଷ ଦେଲେ ଚଳିବନାହିଁ । ସରକାର ତ ଖାଦ୍ୟ ପ୍ରସ୍ତୁତ ପାଇଁ କମ୍ ଖର୍ଚ୍ଚ କରୁନାହିଁ... ଦୋଷ କେଉଁଠି ରହୁଚି...ଆମର ଅସାଧୁତା...ରାତିକ ଭିତରେ ଧନୀ ହେବାର ପ୍ରବୃତ୍ତି...ଅପରାଧ ସ୍ପୃହାର ବୃଦ୍ଧି...ତା ଛଡ଼ା ଜନସଂଖ୍ୟା ଯଦି ଏହିପରି ବଢ଼ିଚାଲେ, ତେବେ ଉପାୟ ନାହିଁ...ସବୁଆଡ଼େ ମନୁଷ୍ୟର ସଂଯମ ବନ୍ଧ ଭୁଷୁଡ଼ି ପଡ଼ିଚି । ସାମ୍ୟ, ଅର୍ଥନୈତିକ ସମତା, କେବଳ ଏଥିରୁ ଆମକୁ ଉଦ୍ଧାର କରିପାରେ ।

 

ଘର ଭିତରୁ ତୀବ୍ର କଣ୍ଠରେ ଶୁଭିଲା ରାଜନୀତି ସରିଲା ? ଏଥର ଗୃହନୀତି ଆଡ଼କୁ ଟିକିଏ ନଜର ଦିଅ...ବାଇଗଣ ବାଲାକୁ ଡାକ ଟିକିଏ ।

 

—ଯା ଭାଇ ଯା, ମୁଁ ଦାନ୍ତ ଘଷି ନାହିଁ...ଏ ବାଇଗଣ, ସେର କେତେ ?

 

—ଦଶ ଅଣା ।

 

ଦଶ ଅଣା ? କାହିଁକିରେ ବାପ...

 

ଚାଉଳ ତ ଟଙ୍କାକୁ ଦେଢ଼ ସେର ହେଲା...ଆମେତ ଫେର ବଞ୍ଚିବୁ ।

 

—ଆଉ ଆମେ ? ପାଞ୍ଚଅଣା ନବୁ ତ ଦେଇଯା ।

 

ପାଞ୍ଚଣା ! ! ଭାରି ଖାଇବା ବାଲା । ଟୋକେଇ ଧରି ସେ ଚାଲିଲା ।

 

—ଏଇ, କଅଣ କହିଲୁ, କଅଣ କହିଲୁ । ଭାରି ବଢ଼ି ବଢ଼ି କଥା କହୁଚୁ ଯେ ।

 

—କହିବିନି । ଆଉ, ତୁମେ କହିବ ପାଞ୍ଚଣା...ଆମକୁ ଅପମାନ ନାହିଁ ପରା ।

 

—ଆ ତୁ ଯା କହିବୁ ବେଦର ଗାର ?

 

—ପଇସାଏ ଅଧଲାଏ କମ କରିବ ସିନା...ଏକଦମ ଅଧେ । କେବେ ଖାଇଚ ?

 

—ଫେର କହୁଚୁ ଦେଖିବୁ...ପରଶୁରାମ ବାବୁ ମାରିବାକୁ ହାତ ଉଠାଇଲେ ।

 

—ଯା ଯା ରେ । ବାବୁ ଦେଖଉଚି...ଚୁଲି ଜଳୁନି ଘରେ ବାବୁ...

 

ଟୋକେଇ ଉଠାଇ ସେ ଚାଲିଗଲା ।

 

ରାଣି ଘର ଭିତରୁ ଡାକିଲା, ଚାଲି ଆସ !

 

କ୍ରୋଧ, କ୍ଷୋଭ ଅପମାନରେ ନିର୍ବାକ୍ ହୋଇ ପରଶୁରାମ ବାବୁ କିଛିକ୍ଷଣ ସେଠି ଛିଡ଼ାହୋଇ ରହିଲେ । ସେ ଭାବିବାକୁ ଲାଗିଲେ...କ୍ଷମତା ! ଏଇ କଣ କ୍ଷମତା...ଯଦି ମୁଁ କ୍ଷମତା ପାଆନ୍ତି...ଏମାନଙ୍କୁ ନିଷ୍ପେଷିତ କରିବା ହିଁ ଉଚିତ...କୁକୁରକୁ ମୁହଁ ଦେଲେ...

 

ଆସିଲେ, ଘରଭିତରୁ ଆହ୍ୱାନ ତୀବ୍ରତର ହୋଇଉଠିଲା ।

 

ପରଶୁରାମ ବାବୁ ଫେରୁଥିଲେ । ଗୋଟିଏ ବିରାଟ ଉଦର ଓ ଦୁଇଟି ତଦ୍ରୂପ୍ୟସ୍ତନ ଲଟକିଥିବା ଅସ୍ଥି ଚର୍ମ୍ମସାର ଗୋଟିଏ ଜୀବ ତାଙ୍କର ଦୃଷ୍ଟି ଆକର୍ଷଣ କଲା । ପରଶୁରାମ ବାବୁ ଅବାକ୍ ହୋଇ ଛିଡ଼ା ହୋଇ ରହିଲେ । ଅର୍ଦ୍ଧନଗ୍ନ ଅସ୍ତି ଚର୍ମ୍ମସାର ଏହି ନାରୀ...ଏହାର ସୃଷ୍ଟି କରିବାର ଅଧିକାରତ ଦୂରେ ଥାଉ, ବଞ୍ଚିବାର କି ଅଧିକାର ଅଛି ? ଏଇ ପ୍ରଶ୍ନ ତାଙ୍କ ମନରେ ଆଉ ଗୋଟିଏ ପ୍ରଶ୍ନ ଉଠାଇଲା...ସେମିତି କହିଲେ ମୋର କଅଣ ବଞ୍ଚିବାର ଅଧିକାର ଅଛି ? ପ୍ରଶ୍ନଟା ନିଜକୁ ଧକ୍‍କା ମାରିବାରୁ ସେ ପୁଣି ଭାବିଲେ ବଞ୍ଚିବାର ଅଧିକାର ବିବେଚନା କରିବା ପୂର୍ବରୁ ଜନ୍ମର ଦାୟିତ୍ୱଟା ତ ଦେଖିବାକୁ ହେବ...ସେଥିପାଇଁ ଦାୟୀ ମୁଁ ବା ସେ ନୁହେଁ...ନାରୀଟି ହାତ ବଢ଼ାଇ ସେମିତି ଛିଡ଼ା ହୋଇଥାଏ । —ଶୀତରେ ସେ କମ୍ପୁଚି, ଆଖିରୁ ପାଣି ବହିଯାଉଚି, ପିଲାଟିଏ ନିର୍ବିକାର ଯୋଗୀଙ୍କ ଭଳି ଦୁଧ ଖାଇ ଚାଲିଚି । ପରଶୁରାମ ବାବୁ ପାଦ ଚିପି ଚିପି ଘର ଭିତରକୁ ଆସିଲେ, ଟ୍ରଙ୍କ ଖୋଲି ନିଜର ଗୋଟିଏ ଲୁଗା ବାହାର କଲେ, ପକେଟରୁ ଗୋଟିଏ ଆଠଣି କାଢ଼ି ସେମିତି ପାଦ ଚିପି ଚିପି ଯାଇ ତାକୁ ଦେଇ ହାତଠାରି ଶୀଘ୍ର ଚାଲିଯିବାକୁ କହିଲେ ।

 

ଆସିଲ, ଟିକିଏ ଦୟାକରି ବଜାରକୁ ଯାଅ, ରାଣୀର କଣ୍ଠରେ କ୍ରୋଧବିକୃତ ମିନତି ।

 

ପରଶୁରାମ ବାବୁଙ୍କ ମନେ ପଡ଼ିଗଲା ପରିବାବାଲା କଥା...‘ଚୁଲି ଜଳୁନି ମୋର ଦୁଇବେଳା’ —ଦାନ୍ତ କଡ଼ମଡ଼ କରି ସେ ଗାଳିଦେଲେ । ତୁ କୁକୁରର କଅଣ ଗଲା ! ତାଙ୍କର ଅପମାନିତ ପୌରୁଷ ସ୍ତ୍ରୀକୁ ମୁହଁ ଦେଖାଇବାକୁ ଲଜ୍ଜାବୋଧକଲା । ଖଣ୍ଡିଆ ବିଡ଼ି ଖଣ୍ଡେ ଉଠାଇ ସେ ସିଧା ପାଇଖାନାକୁ ଗଲେ । ଏଇଟା ତାଙ୍କର ଦୁର୍ଗ । ସବୁ ଚିନ୍ତା ସେ ଏଇଠି କରନ୍ତି ମଧ୍ୟ । ବିଡ଼ି ଟାଣୁ ଟାଣୁ ସେ ଭାବିବାକୁ ଲାଗିଲେ—‘ନାଁ ଅର୍ଥର ଦରକାର...ତା ନହେଲେ ମୋତେ ଜଣେ ସାମାନ୍ୟ ପରିବାବାଲା...ମନେପଡ଼ିବା ମାତ୍ରକେ ତାଙ୍କର ସୁପ୍ତ କ୍ରୋଧ ଜାଗି ଉଠିଲା । ...ନା, ଦମନ...ଚାଲୁ ଗୁଳି...ଛାତ୍ର, ଚାଷୀ, ମୂଲିଆ, ସାଧୁ, କିରାଣୀ ସମସ୍ତଙ୍କ ଉପରେ ଚାଲୁଗୁଳି...ଯେଉଁମାନଙ୍କର ବଞ୍ଚିବାର ଶକ୍ତି ଅଛି, କେବଳ ସେହିମାନେ ହିଁ ବଞ୍ଚନ୍ତୁ ।

 

—କଅଣ ଶୋଇଲ କି ସେଠି ? ତକିଆ ଦେବି ? ଟିକିଏ ଦୟାକରି ମାର୍କେଟ ଯାଅ...କିଛି ନାହିଁ ଯେ ।

 

ପରଶୁରାମ ବାବୁ କିଛି ଉତ୍ତର ନଦେଇ ସେମିତି ବସି ରହି ଭାବିବାକୁ ଲାଗିଲେ...ଖାଲି ନାହିଁ...ନାହିଁ...ନାହିଁ...ହାୟରେ ନାରୀ କିଏ କୁହେ ନାରୀ କୋମଳ..., ଦୟା କ୍ଷମା ତାଙ୍କ ରକ୍ତରେ...ନିର୍ମମ ଏମାନେ । ପାଳିବା ସ୍ପୃହା ଏହାଙ୍କ ରକ୍ତରେ ଅଛି କିନା ସେଥିପାଇଁ ଏମାନେ ବାହାରକୁ ଯେମିତି ସରଳ, ଭିତରକୁ ସେମିତି ଜଟିଳ, ବାହାରକୁ ଯେମିତି କୋମଳ, ଭିତରେ ସେମିତି ନିର୍ମମ, କଠିନ । ଓଃ, କି ଦାୟରେ ପଡ଼ିଚି ମଣିଷ ଏମାନଙ୍କୁ ମୁହଁ ଦବାର ନୁହଁ ସତ...ନଜାଣି କଅଣ ପୁରାକାଳର ଋଷିମାନେ କହିଯାଇଚନ୍ତି ।

 

—ଆସିଲ ଅ ଅ ଅ

 

ଚାଲ ଅ ଅ ଅ, ପରଶୁରାମ ବାବୁ ବାହାରି ଆସିଲେ । ଶୀଘ୍ର ଦାନ୍ତ ଘଷି ଥଳିଟି ଧରି ସେ ବଜାରକୁ ବାହାରିଲେ ।

 

କିନ୍ତୁ ବଜାରରୁ ପୁଣି ତାଙ୍କୁ ଫେରିବାକୁ ହେଲା । ତାଙ୍କର ଖିଆଲ ନଥିଲା ଯେ ବଜାର ପଇସା ସେ ଦାନ କରି ଦେଇଚନ୍ତି । ଭୟ ଓ ଦୁର୍ଭାବନାରେ ସେ କିଛିକ୍ଷଣ ନୀରବରେ ଦାଣ୍ଡ ଦୁଆରମୁହଁରେ ଛିଡ଼ାହୋଇ ରହିଲେ । ସାହସ ବାନ୍ଦି ସେ ଘର ଭି

 

ତରକୁ ପଶି ପାଟି କରି କହିଲେ ‘ଆଚ୍ଛା କେମିତି ତୁମେ...ବଜାର ପଇସାଟା ମନରେ କରି ଦେଇପାରିଲ ନାହିଁ...କେତେ ସମୟ ନଷ୍ଟ ହେଲା ମୋର ।

 

–ଇସ୍ ସମୟ ନଷ୍ଟ ! ଫେର ତୁମର !! ହଁ, ରାଇଜଯାକର ଚିନ୍ତା ଯେତେବେଳେ କରିବାକୁ ହେଉଚି ତୁମକୁ, ସମୟର ଦାମ୍ ତୁମ ପାଖରେ ଅନେକ; କିନ୍ତୁ ଦାନ କରିବାର ପୁଣ୍ୟ ତୁମର, ଆଉ ମୁଁ ପାପ କରିଚି, ଏ ସଂସାର ଚଳାଇବି ମୁଁ । ତା ନହେଲେ ମୋତେ ଲୁଚାଇ ଏମିତି ଦାନ କରନ୍ତ କାହିଁକି, ପୁଣି ଆଜିକାର ବଜାର ଖର୍ଚ୍ଚଯାକ । ପୁଣ୍ୟତ ତୁମେ ନେଲ, ଏଇକ୍ଷଣି ପୁଣି ବଜାର କେମିତି ହେବ ସେ ଚିନ୍ତାରେ ମୁଁ ମରେ, ତୁମର ଯାଏ କେତେ, ଆସେ କେତେ ।

 

ପରଶୁରାମ ବାବୁ କାଠପରି କିଛିକ୍ଷଣ ଛିଡ଼ାହୋଇ ରହିଲେ । ଇସ୍, ସବୁ ଏମାନଙ୍କ ଦୃଷ୍ଟିରେ ପଡ଼େ । ପର୍ଶୁରାମଙ୍କ ତଳିପାରୁ ତାଳୁଯାଏ ଜଳିଗଲା; କିନ୍ତୁ ପୁଣି ଭାବିଲେ, ବିଚାରା କ’ଣ କରିବ ସବୁ ରସ ଶୁଖାଇ ଦେଇଛି ତା’ର । ହସି ହସି ରାଣୀ ପାଖକୁ ଲାଗି ଆସି ତାଙ୍କ ଚିବୁକରେ ହାତ ମାରି କହିଲେ, ଛିଃ ରାଣୀ, ସକାଳୁ କଜିଆ କରନି । ତୁମକୁ ମାଗିଥିଲେ ତୁମେ ଅତି କଷ୍ଟରେ ପଇସାଟିଏ ଦେଇଥାନ୍ତ । ମୋ ଦୋଷ ହୋଇଚି ମୁଁ ମାନୁଚି । ଯଦି ଜାଣି ପାରିଥିଲ, ତେବେ ବଜାରକୁ ଯିବା ଆଗରୁ ପଇସା ଦେଲ ନାହିଁ ମୋତେ, ମିଛରେ ମୋ ସମୟ...

 

ରାଣୀ କିନ୍ତୁ ଗର୍ଜନ କରି କହିଲେ, ଦରକାର ପଡ଼ିଲେ ଚାରିଥର ଯିବ ବଜାର, ଥରେ କଅଣ...

 

ଅସହାୟ ଭାବରେ ପରଶୁରାମ ବାବୁ ପଚାରିଲେ, ତାହେଲେ, ଏଇଆ ମୋ କାମ ?

 

—ଆଉ କି କାମ ଅଛି ତୁମର...ଖାଲି ବାଜେ ବକିବା ଛଡ଼ା କଅଣ କରି ପକାଉଚ ତୁମେ କାହାର ? ଯାଅ, ବେଶି ବକ ବକ ହୁଅନି ।

 

ପରଶୁରାମ ବାବୁ ନୀରବରେ ପଇସା ନେଇ ଚାଲିଗଲେ । ବଜାର ପାଇଁ ଆଠଅଣା ମାତ୍ର ପଇସା । ସେଥିରେ ମାଛ, ପିଆଜ, ଆଳୁ ଆଦି ଯାବତୀୟ ଚିଜ ଆଣିବାର ତାଲିକା । ପ୍ରତ୍ୟେକରୁ ପଇସାଟିଏ ଦି’ପଇସା କମାଇବା ପାଇଁ ଅଧଘଣ୍ଟା ମର୍ମାନ୍ତକ ଯୁଦ୍ଧ କରି ସେ ଫେରିଲେ ପ୍ରାୟ ଦୁଇଘଣ୍ଟା ପରେ । ଦୁଲ୍ କରି ଥଳିଆ ରଖିଦେଇ ସେ ତେଲ ଦିଗାର ମାରି ଗାଧୋଇବାକୁ ଦୌଡ଼ିଲେ । ଶୀତରେ ପାରି ଚାଉଁକିନା ଦିହରେ ଲାଗିଲା । ଖରାରେ ଛିଡ଼ା ହୋଇ ଆରାମ କରିବା ବେଳ ନାହିଁ । ଦୁଇ ଲୋଟା ପାଣି ଢାଳି ହୋଇ ସେ ଲୁଗା ପିନ୍ଧି ପିଢ଼ା ପକାଇ ବସିଗଲେ ଦୁଇ ମିନିଟ ଭିତରେ ।

 

ରାଣୀ ଖାଲି ଭାତ ଓ ଡାଲି ଆଣି ସାମନାରେ ଥୋଇ ଦେଲେ । ପରଶୁରାମ ବାବୁଙ୍କ ଭୋକ ନିମିଷକେ ଚାଲିଗଲା ଖାଦ୍ୟ ସାମଗ୍ରୀ ଦେଖି; କିନ୍ତୁ ନଖାଇ ଉପାୟ ନାହିଁ । କିଛି କହିବାର ମଧ୍ୟ ଉପାୟ ନାହିଁ । ନୀରବରେ ସେତକ ଯଥାସମ୍ୱବ ଜିଭକୁ ଏଡ଼ାଇ ତଳକୁ ଠେଲିଦେଇ ସାଇକଲ ବାହାର କଲେ ।

 

ଟଙ୍କା ସରିଲାଣି...ଯୋଡ଼ାଏ ଟଙ୍କା ଆଣିବ, ରାଣୀ ଡାକି କହିଲେ ଘରଭିତରୁ ।

 

—ପାଞ୍ଚ ତାରିଖରୁ ଟଙ୍କା ଶେଷ ତୁମର ? ମାରିବ କି ମୋତେ !

 

—ହିସାବ ନିଅ, ସବୁତ ଲେଖା ଅଛି ।

 

ହୁଁ, ହିସାବ, ହିସାବ...

 

—‘‘ବାପା, ମଟଲ ଆଣିବ’’ ମିନି କହିଲା ।

 

ପର୍ଶୁରାମ ଟଳି ଟଳି ବାହାରିଲେ ।

 

ଦ୍ୱାରକାପୁରେ ଭାବଗ୍ରା–ଆ–ଆ–ହୀ

 

ସକଳ ଯାଦବ ବସା–ଆ–ଆ–ଇ

 

ଯୋଗୀ ପଥରୋଧ କରି ଛିଡ଼ାହେଲା ।

 

—ଯାବେ, ଦ୍ୱାରକାପୁରେ ଭାବଗ୍ରାହୀ କଅଣ କଲେ ତୋ ବାପର କଅଣ ଗଲା, ମୋର କଅଣ ଗଲା ? ଉଠ୍ ।

 

ବାବୁ, ଭଗବାନ୍‍ଙ୍କ ନା’ରେ ଏମିତି ଡେଉଁଚ ?

 

—ଭଗବାନ୍ ? କି ଭଗବାନ ବେ...ଯାଃ...ଯା...

 

ସାଇକେଲରେ ଉଠିବା ସାଙ୍ଗେ ସାଙ୍ଗେ ଘଣ୍ଟାକୁ କୋଡ଼ିଏ ମାଇଲ ବେଗରେ ସାଇକେଲ ଚଳାଇଲେ । ଆଉ ମନେ ମନେ ନିଜକୁ କହିଲେ, ଚଲାବେ ଜୋରେ...

 

—ଇସ, ଦଶଟା ଚାଳିଶ, ଅଫିସ ଘଡ଼ିକୁ ଅନାଇ ସେ ନିଜ ଚୌକିରେ ବସିଲେ ।

 

ସାହେବ ସଲାମ ଦେଇଚନ୍ତି, ଚପରାଶି ଶୁଭ ସମ୍ୱାଦଟି ଦେଇ ଛିଡ଼ାହେଲା ।

 

ଅଫିସ ଆସିବା ସାଙ୍ଗେ ସାଙ୍ଗେ ‘ସଲାମ’ର ଅର୍ଥ ସେ ଜାଣନ୍ତି । ଟିକିଏ ହସି, ସଲାମ ସାଦରେ ଗ୍ରହଣ କଲି–ଚାଲ, କହି ସେ ଉଠିଲେ । ଛାତିରୁ ତାଙ୍କର ଅତଡ଼ା ଖସି ପଡ଼ିଲା ।

 

ପର୍ଦା ଠେଲି ସେ ଧୀରେ ଟେବୁଲ ପାଖରେ ଛିଡ଼ାହେଲେ ଅପରାଧୀ ଭଳି ତଳକୁ ମୁଣ୍ଡ ପୋତି । ଗାଳିକୁ ଯେତେ ଡରନାହିଁ ନୂଆ ସାହେବଙ୍କ ବକ୍ତୃତା ପାଇଁ ସେତେ ଡର ତାଙ୍କର । ଦେଶ, କର୍ତ୍ତବ୍ୟ, ତ୍ୟାଗ, ଶୃଙ୍ଖଳା, ସରଳ ଜୀବନଯାପନ, ଉଚ୍ଚ ଚିନ୍ତା ଆଦି ବିଷୟରେ ଅଧଘଣ୍ଟାଏ ଧରି ନିର୍ମମ ବକ୍ତୃତା ତାଙ୍କୁ ମର୍ମାହତ ଓ ହତୋତ୍ସାହ କରିଦିଏ ।

 

ବର୍ତ୍ତମାନ ଘଡ଼ିରେ କେତେଟା ବାଜିଚି ? ନ ଚାହିଁ ଗମ୍ଭୀର ଭାବରେ ସାହେବ ପ୍ରଶ୍ନ କଲେ ।

 

ଆଜ୍ଞା, ପରଶୁରାମ ବାବୁ ବିନୀତ ଭାବରେ ବିଳମ୍ୱ ହେବାର କାରଣ କହିବାକୁ ଯାଉଥିଲେ ।

 

ମୁଁ ଗଳ୍ପ ଶୁଣିବାକୁ ଚାହେଁନି । ରୋଜ ତ ଏମିତି ଗୋଟିଏ ଗଳ୍ପ କୁହନ୍ତି । ଯାହା ପଚାରୁଚି ତାର ଉତ୍ତର ଦେଇଯାଆନ୍ତୁ । ଘଡ଼ିକୁ ଅନାଇ କୁହନ୍ତୁ ବର୍ତ୍ତମାନ କେତୁଟା ବାଜିଚି । ହାକିମଙ୍କ କି ଧୀର ଅଥଚ ଦୃଢ଼ ସ୍ୱର ।

 

କିଏ ଦେଇଚି ଏ ଦୃଢ଼ତା ? ବାଲ୍ୟକାଳୁ ଅର୍ଜିଥିବା ଧର୍ମଧନ ? ପର୍ଶୁରାମ ଭାବନ୍ତି । ସମୟ ତାଙ୍କୁ ଭଲଭାବରେ ଜଣା ଅଛି, ତଥାପି ଘଡ଼ିକୁ କିଛିକ୍ଷଣ ଚାହିଁ ସେ କହିଲେ ‘ଦଶଟା ବୟାଳିଶ ।’

 

—ଅଫିସ ଆରମ୍ଭ କେତେବେଳେ ?

 

—ସାଢ଼େ ଦଶୁଟା...କିନ୍ତୁ...

 

—ଚୁପ୍ । ତା’ ହେଲେ କେତେ ଡେରି କରି ଆସିଚନ୍ତି ?

 

ଶୈଶବରେ ଏ ପ୍ରଶ୍ନର ଉତ୍ତର ସାଙ୍ଗେ ସାଙ୍ଗେ ଦେଇଥିଲେ ସେ ପ୍ରଶଂସା ପାଇ ଥାଆନ୍ତେ; କିନ୍ତୁ ଏ ବୟସରେ ଉତ୍ତର ଦେବାକୁ ଯାଇ ତାଙ୍କର ଦେହ ଥରି ଉଠିଲା । ଏ ଅପମାନ ଏଡ଼ିବାକୁ କୌଣସି ଉପାୟ ନପାଇ ସେ ନୀରବରେ ଛିଡ଼ା ହୋଇ ରହିଲେ ସାହେବଙ୍କ ମୁହଁକୁ ବଲ ବଲ କରି ଅନାଇ ।

 

—ଆପଣଙ୍କ ମୁଣ୍ଡରେ କଅଣ ସାମାନ୍ୟ ବୁଦ୍ଧି ନାହିଁ...ଏଇ ସାମାନ୍ୟ ମାନସାଙ୍କ ଖଣ୍ଡେ କରିପାରୁ ନାହାନ୍ତି !!

 

ପରଶୁରାମ ବାବୁ ମନେ ମନେ ଉତ୍ତରଦେଲେ ଅଛି ଏବଂ ପରକୁ ଦେବାକୁ ବଳକା ବୁଦ୍ଧି ମଧ୍ୟ ଅଛି; କିନ୍ତୁ ମୁହଁରେ ସେ ଉତ୍ତର ଦେଲେ, ଆଜ୍ଞା, ବାର ମିନିଟ ।

 

—କାହିଁକି ? ଏମିତି ଦେଶକୁ ଠକେଇ କଅଣ ଜୀବନ କଟାଇ ଦେବେ ?

 

ପରଶୁରାମ ବୁଝିପାରିଲା ଏଥର ବକ୍ତୃତା ଆରମ୍ଭ ହେବାର ସୁବିଧା ଆସିଗଲା । ବକ୍ତୃତା ଶୁଣିବାକୁ ତାଙ୍କର ଭୟ ଓ ଘୃଣା ଉଭୟ ହୁଏ । ଏଡ଼ିବାପାଇଁ ସେ କହିଲେ, ଆଜ୍ଞା, ପିତା ପୁତ୍ରର ସବୁ ଦୋଷ କ୍ଷମା କରେ । ଚାରି ପ୍ରକାର ପିତା ମଧ୍ୟରୁ ଅନ୍ନଦାତା ପିତା ସର୍ବ ପ୍ରଧାନ । ଆପଣ ଅନ୍ନଦାତା, ଖାଲି ମୋର ନୁହେଁ, ଅନେକଙ୍କର । ଡେରି ବିଷୟରେ ମୋର ଉପାୟ ନାହିଁ । ମୋର ସ୍ତ୍ରୀର ଆପଣଙ୍କ ଦୟା ବିଷୟରେ ଅଗାଧ ବିଶ୍ୱାସ...ସେ...

 

ସାହେବଙ୍କ ମୁହଁରୁ କ୍ରୋଧର ଭାବ ଚାଲିଗଲା । ସେ ସେହିପରି ତଳକୁ ମୁହଁ ପୋତି କହିଲେ, ଯାଆନ୍ତୁ ଏଥର ଠିକ୍ ସମୟରେ ଆସିବାପାଇଁ ଚେଷ୍ଟା କରିବେ ।

 

ପରଶୁରାମ ବାବୁ ଆସି ନିଜ ଚୌକିରେ ତଳକୁ ମୁହଁ ପୋତି ବସିଲେ ।

 

କିହୋ, ଗାଳି ଖାଇ ଆସିଲ ? ପାଖର ହରିବାବୁ ପଚାରିଲେ ।

 

ନା, ଗାଳି ହୋଇ ଥାଆନ୍ତା; କିନ୍ତୁ ସ୍ତୁତିରେ ଭୁଲାଇ ଦେଲି । ପରଶୁରାମ ବାବୁ କଥାଟା ଦାର୍ଶନିକ ଭଳି କହିଲେ ।

 

—ଖୋସାମଦରେ ତ ତୁମେ ପାଶ୍ କରିଛ ଗୋଟିଏ କଳା । ମୁଁ ପାରେନି କିନ୍ତୁ; କିନ୍ତୁ ଏଇ ଗୁଣଟା ହାସଲ କରିବା ଆଜିକାଲି ଦରକାର ।

 

—ସମସ୍ତେ କହନ୍ତି, ମୁଁ ଶୁଣିଚି, ମୁଁ ଖୋସାମଦ ପାରେନାହିଁ...ମୁହେଁ ମୁହେଁ ନ୍ୟାୟ କଥା କହି ପକାଏ; କିନ୍ତୁ ସମସ୍ତେ ଖୋସାମଦ କରନ୍ତି ମୁଁ ଜାଣେ । ନ କରି ଉପାୟ ନାହିଁ ।

—କାହିଁକି ? ଛିଃ...ନଜସ୍ୱ ନାହିଁ

—ନା, ଅର୍ଥ ନଥିଲେ...

—ଖୋସାମଦ କରିବାକୁ ହେବ ?

—ଆରେ, ଏଥିରେ ଦୁଃଖିତ ହେବାର କଅଣ ଅଛି ? ଆମେ ହେଲୁ ବେଦର ଋଷି । ଅଗ୍ନି କୁହ, ବରୁଣ କୁହ, ଇନ୍ଦ୍ର କୁହ, ଏମିତିକି ଉଷା ଦେବୀ କୁହ, ଯାହାକୁ ଯେତେବେଳେ ଖୋସାମଦ କରିବା ଦରକାର, ଏକଦମ୍ ଚୂଡ଼ାନ୍ତ ଖୋସାମଦ କରିବୁ...

—ଧନ ପାଇଁ ? ଛିଃ—

—ଆରେ, ଋକ୍‍ବେଦର ଅଜୀର୍ଭେଙ୍କ ପୁତ୍ର ଶୁନଃଶେଫ କହିଚନ୍ତି, ପକ୍ଷୀମାନେ ଯେପରି ନିଜର ନିବାସ ସ୍ଥାନକୁ ଧାବମାନ ହୁଅନ୍ତି, ମୋର କ୍ରୋଧ ରହିତ ଚିନ୍ତା ସମୂହ ସେହିପରି ଧନପ୍ରାପ୍ତି ପାଇଁ ଧାବିତ ହେଉଅଛନ୍ତି । ଅତଏବ ହେ ବରୁଣ ! ମୋତେ ଧନ ଦିଅ...ରାଗିଲେ ଚଳିବନାହିଁ ।

—ବେଦରେ ଯେଉଁ ଧନ କଥା କହିଛନ୍ତି, ସେ ତୁମର ଏଇ ତୁଚ୍ଛ ଧନ ନୁହଁ–‘ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିତ’, କେଜାଣି କାହାର ଆଜି ମୃତ୍ୟୁ କାଳ ହୋଇଯିବ ଉପସ୍ଥିତ, —ହରିବାବୁ କହିଲେ ।

 

ପରଶୁରାମ ବାବୁ ହସି ହସି କହିଲେ, କେଜାଣି କାହାର ଆଜି ମୃତ୍ୟୁ କାଳ ହୋଇଯିବ ଉପସ୍ଥିତ ବୋଲି ଧର୍ମ ଧନ ଲୋଡ଼ା ନୁହଁ ଭାଇ ! ଚାକିରି କରିବା ସାଙ୍ଗେ ସାଙ୍ଗେ ଯଥାସାଧ୍ୟ ଗୋଟିଏ ଜୀବନ ବୀମା କରି ମାସକୁ ମାସ ପ୍ରିମିୟମ୍ ଦେଇଯିବା ଉଚିତ । ଗୀତାର, ବେଦର, ଉପନିଷଦର ସବୁ ବାଜେ ଗୋଳମାଳିଆ ଅର୍ଥ କରି ଲାଭ କଅଣ । ସାରା ଋକ୍‍ବେଦଟାଯାକ ଖାଲି ମୋତେ ଧନ ଦିଅ, ମୋ ଶତ୍ରୁଙ୍କୁ ମାର ।

 

—ହେଲେଇ ବା । ଧନ କଅଣ ସବୁ, ମାନ ସମ୍ମାନ ନାହିଁ । ସେଦିନ ବିଶ୍ୱନାଥନ୍‍ର କଅଣ ହେଲା...ଆମ ନୂଆ କିରାଣି ବିଶ୍ୱନାଥନ୍ । ଜାଣିନା କି ? ଶୁଣ ତେବେ । ବିଶ୍ୱନାଥନ୍ ଡରୁଆ ହେଲେ କଅଣ ହେବ, ପେଣ୍ଟ କୋଟ୍ ପିନ୍ଧି ସୁଟ୍ ଦୁଶିବାକୁ ଟିକିଏ ଚେଷ୍ଟାକରେ । ପଅର ଦିନ ସେ ଧଳା ପେଣ୍ଟ ଉପରେ କଳା କୋଟ ପିନ୍ଧି ଆସିଥିଲା । ସାହେବ ସେଦିନ ପହଞ୍ଚିବା ସାଙ୍ଗେ ସାଙ୍ଗେ ଯେଉଁ ଫାଇଲ୍ ମଗାଇ ପଠାଇଲେ ସେ ଫାଇଲ୍ ବିଶ୍ୱନାଥନ୍ କରେ । ସାହେବଙ୍କର ଆମ ପ୍ରତି, କିରାଣିଙ୍କ ପ୍ରତି ଯେଉଁ ଘୃଣା ତ ଜାଣ । ସେଦିନ ଆମେ ବିଶ୍ୱନାଥନ୍‍ଙ୍କୁ ଠେଲିଦେଲୁ ସାହେବ ପାଖକୁ । ଡରିମରି ବିଚରାତ ଗଲା । ସାହେବ ତାକୁ ଆଗରୁ କେବେ ଦେଖିନାହାନ୍ତି । ବିଶ୍ୱନାଥନ୍‍ର ଚେହେରା ତ ସୁନ୍ଦରିଆ, ପିନ୍ଧିଚି ଓକିଲଙ୍କ ଭଳି ପୋଷାକ । ସାହେବ ତାକୁ ଦେଖି କହିଲେ ବସନ୍ତୁ ବସନ୍ତୁ, ମୁଁ ଆପଣଙ୍କୁ କି ସାହାଯ୍ୟ କରିପାରେ । ବିଶ୍ୱନାଥନ୍ ଆହୁରି ଭୟପାଇ ଚୌକିରେ ବସି ଫାଇଲଟି ଧୀରେ ବଢ଼ାଇଦେଲା । ସାହେବ ତାକୁ କିରାଣି ବୋଲି ଜାଣିପାରି ପାଟି କରି କହିଲେ, ଉଠନ୍ତୁ, ଉଠନ୍ତୁ ଭାକ୍, ଭାକ୍ । ବିଶ୍ୱନାଥନ୍ ବାପୁଡ଼ା କାନ୍ଦୁଣୁ ମାନ୍ଦୁଣୁ ହୋଇ ଫେରିଲା । ସେ ଆଉ ପେଣ୍ଟ କୋଟ ପିନ୍ଧି ଆସୁନାହିଁ ।

 

ସମସ୍ତେ ହସି ଉଠିଲେ । ପରଶୁରାମ ବାବୁ ତଳକୁ ମୁହଁ ପୋତି ବସି ରହିଲେ । ମୁହଁରେ ‘ଅର୍ଥ, ଅର୍ଥ,’ କହିଲେ ମଧ୍ୟ ଏ ଖୋସାମଦ ପାଇଁ ନିଜ ଉପରେ ତାଙ୍କର ଘୃଣାହେଲା ଏ ନୀଚତାପାଇଁ । ଖଣ୍ଡେ କାଗଜ ଟାଣି ଆଣି ସେ ଇସ୍ତଫା ପତ୍ର ଲେଖିବାକୁ ବସିଲେ । ଆଖି ଆଗରେ ଭାସିଗଲା ତାଙ୍କର ବିନି, କିନି ମିନିର ଦାରିଦ୍ର୍ୟକ୍ଳିଷ୍ଟ କଙ୍କାଳ, ସକାଳର ସେଇ ଭିକ୍ଷୁକ ଭଳି । କାଗଜଟି ଟିକି ଟିକି କରି ଚିରିଦେଇ ସେ କାମରେ ମନଦେଲେ । ତଳକୁ ମୁହଁ ପୋତି ସେ କାମ କରି ଚାଲିଲେ ।

 

ମୁହଁ ଯେତେବେଳେ ଉଠାଇଲେ ସେତେବେଳ ଘଡ଼ିରେ ଢଂ ଢଂ ପାଞ୍ଚଟା ବାଜିଲା ।

 

—ସାହେବ ଗଲେଣି ?

 

—ଯିବାକୁ ଉଠୁଛନ୍ତି ।

 

ସାହେବଙ୍କ ମଟର ଭର୍‍ର କରି ଚାଲିଗଲା ।

 

ପରଶୁରାମ ବାବୁଙ୍କ ମନେ ପଡ଼ିଗଲା ମଟର କଥା । ଆଜି ଗୋଟିଏ ମଟର ନହେଲେ ମିନି ରଖିବନି । ଦୁଇମାସ ହେଲା ସେ ନିତି ମଟର ପାଇଁ କହି ଆସିଚି ।

 

ସାଇକଲ୍ ଧରି ସେ ବାହାରି ପଡ଼ିଲେ ।

 

ଏଇ ମଟରଟା ଦାମ୍ କେତେ ?, ଗୋଟିଏ ଦୋକାନକୁ ଉଠି ସେ ପଚାରିଲେ ।

 

—ସାଢ଼େ ଚାରିଟଙ୍କା ।

 

ଏତେ !! ଆଚ୍ଛା ଏଇଟା ଦାମ ?

 

—ପାଞ୍ଚ ଟଙ୍କା ।

 

—ବାପରେ ! ଆଚ୍ଛା ଏଟା ଦାମ୍ ।

 

ସେଟା ଆପଣ କିଣି ପାରିବେ ନାହିଁ ।

 

—ହଉ; କହନ୍ତୁ ଶୁଣେ ।

 

—ଦଶ ଗୋଟି ମୁଦ୍ରା, ଦେକାନୀ କହିଲା ।

 

ମଟର ପରେ ମଟର ପରଶୁରାମ ବାବୁ ଦେଖି ଚାଲିଲେ । ମଟର ସେଠି ଗଦା ହୋଇଗଲା । ଦେକାନୀର ବିରକ୍ତି କ୍ରମେ କ୍ରମେ ବଢ଼ିବାକୁ ଲାଗିଲା ।

 

—ଆଚ୍ଛା ଦୟାକରି ସେଇଟା ଦେଖାନ୍ତୁତ...ଟିକିଏ ଦୟାକରି...

 

—ଆପଣ ନେବେ ନାହିଁ ଜାଣେ...କାହିଁକି ମିଛରେ...

 

—ନ ନେଲେ ବି ଗରାଖକୁ ଆପଣ ଦେଖାଇବା ଉଚିତ ।

 

ଦୋକାନୀ ବିରକ୍ତ ହୋଇ ଚାଲିଗଲା ମୋଟର ଆଣିବାକୁ । ସିଡ଼ିରେ ଉଠି ଆଲମାରି ଉପରୁ ମଟରଟି ଆଣିବା ଭିତରେ ପରଶୁରାମ ବାବୁ ଗୋଟିଏ ସାନ ମଟର ଜାମା ତଳେ ଲୁଚାଇଦେଲେ । ଦୋକାନୀ ମଟରଟି ଆଣି ସାମନାରେ ଥୋଇଲା ।

 

—କେତେ ଦାମ୍ ?

 

—ବାର ଟଙ୍କା ଦଶଅଣା ।

 

ମୋଟରଟି କିଛିକ୍ଷଣ ଏପାଖ ସେପାଖ କରି ଦେଖି ପରଶୁରାମ ବାବୁ କହିଲେ, ଏଇଟି ମୋର ପସନ୍ଦ ହୋଇଚି; କିନ୍ତୁ ମୋ ପାଖରେ ଏହିକ୍ଷଣି ଏତେ ଟଙ୍କା ନାହିଁ । କିଛିକ୍ଷଣ ପରେ ମୁଁ ନେଇଯିବି । ନା, ନା, ଏକୁ ଅଲଗା ରଖନ୍ତୁ; ଲୁଚେଇ ଅଲଗା ରଖନ୍ତୁ; ଆଉ କେହି ନେଇଯିବେ । ନମସ୍କାର ।

 

—ହୁଁ ଜାଣେ ଆପଣଙ୍କ ନବାକଥା, ଦେକାନୀ ବିଦ୍ରୂପ ଭଙ୍ଗୀରେ କହିଲା ।

 

ପରଶୁରାମ ବାବୁ କିନ୍ତୁ ସବୁ ଅପମାନ ସହ୍ୟ କରିବାକୁ ବର୍ତ୍ତମାନ ପ୍ରସ୍ତୁତ । ସାଇକଲରେ ଉଠି ସେ ଦୌଡ଼ିଲେ ଘର ଆଡ଼କୁ ।

 

—ବାପା, ମୋଟଲ ଆଣିଚ, ମିନି ଦୌଡ଼ି ଆସିଲା ।

 

—ହେଁ, ହେଁ, ଏଇଲୋ ତ ମଟଲ ।

 

ମିନି ମୋଟରଟି ନେଇ ଦୌଡ଼ି ପଳାଇଲା । ପରଶୁରାମ ବାବୁ ତୃପ୍ତିର ସହିତ ତାକୁ ଅନାଇଁ ରହିଲେ ।

 

ବିନି ଦୌଡ଼ିଆସି ପଚାରିଲା, ମୋ ମେଜିକ୍ ଆଣିଚ ?

 

—କିଲୋ, ତୋର ପୁଣି କଣ ମେଜିକ୍ ?

 

—ସେଇ ଯେ ମୂଷା, ତଳେ ଥୋଇଦେଲେ ଆପେ ଆପେ ବୁଲୁଥାଏ ।

 

—ଓଃ, ହୋ, ବୁଝିଲି, ଫେରିବାଲାର ସ୍ୱର ଅନୁକରଣ କରି ସେ କହିଲେ, ଇଣ୍ଡିୟାନ୍ ମେଜିକ୍, ଇଣ୍ଡିୟାନ୍ ମେଜିକ୍, ନ ଖାତା ନ ପି’ତା, ଉମର ଭର ଚଲତା ।

 

ସୋ ମେଜିକ୍ ତ ଲୋ ମା ଘ’ରେ ମୁଁ ବି ।

 

ପରଶୁରାମ ବାବୁ ଆଣ୍ଠେଇ ଦୁଇ ହାତ ତଳେ ଲଗାଇ ବିନି ଚାରିପଟେ ଥରେ ବୁଲି ଆସିଲେ । ବିନି ମୂଷା କଥା ଭୁଲି ଯାଇ ଆନନ୍ଦରେ ହାତ ତାଳି ମାରି ଖବ୍ କରି ବାପା ପିଠିରେ ଚଢ଼ି ବସିଲା ।

 

ରାଣୀ ଢାଳରେ ପାଣି ଆଣି ପରଶୁରାମ ବାବୁଙ୍କ ଗୋଡ଼ ଧୋଇ ଗାମୁଛାରେ ପୋଛି ଦେଲେ । ରାଣୀର ଏ ହଠାତ୍ ପରିବର୍ତ୍ତନରେ ପରଶୁରାମ ବାବୁ ଭୟରେ ଗୋଡ଼ ଟାଣି ଆଣୁଥିଲେ, କିନ୍ତୁ ପାରିଲେ ନାହିଁ । ଗରିବ ଭିକାରୀ ଭଳି ସେ ଗୋଡ଼ ବଢ଼ାଇ ଦେଲେ । ରାଣୀ ତାଙ୍କୁ ଖଟ ଉପରେ ବସାଇ କୋଳକୁ ଟାଣି ନେଲେ । ସକାଳେ ସେ ପରଶୁରାମ ବାବୁଙ୍କ ସ୍ତ୍ରୀ ଥିଲେ, ବର୍ତ୍ତମାନ ସେ ମା । ସକାଳୁ ତାଙ୍କ ମନଟା ଘାରି ହେଉଥିଲା...ବାରମ୍ୱାର ସେ ଭାବୁଥିଲେ... କାହିଁକି ମୁଁ ତାଙ୍କୁ କଟୁକଥା କୁହେ...ମାଇପି ଜାତି ସତେ ଭାରି...ଆଉ କହିବି ନାହିଁ...ଏତେ ପରିଶ୍ରମର ଧନ ସବୁ ସେ ମୋ ପାଖେ ସନ୍ନ୍ୟାସୀ ଭଳି ଅଜାଡ଼ି ଦେଇଚନ୍ତି... ଟିକିଏ କଥାରେ ମୁଁ ତାଙ୍କୁ ସୁଖ ଦେଇପାରୁ ନାହିଁ...

 

ବିନି ପାଖରେ ଆସି ଛିଡ଼ାହେଲା ।

 

—କିଲୋ ବିନି, ଏ ଜାମା ଚିରିଲା କେମିତି ? ଆର ମାସରେ ଏତେ ଭଲ ଜାମା ପାଞ୍ଚ ଟଙ୍କା ଦେଇ କିଣି ଦେଇଚି । ଏ ଜାମାକୁ କାହିଁକି ପିନ୍ଧାଇଲ ତୁମେ, କେଉଁଠିକି ଗଲେ ଅଇଲେ ପିନ୍ଧାନ୍ତା ସିନା ।

 

—ମୁଁ କଅଣ କରିବି । ସେଇ ଜାମା ପିନ୍ଧିବାକୁ ସେ ଆଜି ଅଳି ଲଗେଇଲା ପିନ୍ଧିବା ସାଙ୍ଗେ ସାଙ୍ଗେ ଚିରି ଆଣିଲା ।

 

—କିଲୋ, ଚିରିଲ କାହିଁକି ?, ପରଶୁରାମ ବାବୁ ରାଗରେ ମାରିବାକୁ ଯାଉଥିଲେ ।

 

ବିନି ଘୁଞ୍ଚିଯାଇ କହିଲା, ମୁଁ କଅଣ କରିବି, ମୋ ପୁଅର ଜାମା ନାହିଁ । ଶୀତରେ ଥରୁଛି-। ବାପା, ଏଇ କନାରେ ତା ଜାମା କଲେ କେମିତି ଦୁଶିବ ତାକୁ ଦେଖିବ ?

 

ରାଣି ଓ ପରଶୁରାମ ବାବୁ ଦୁହେଁ ହସି ଉଠିଲେ ।

 

ଆସ ଖାଇବ, ରାଣୀ ପରଶୁରାମ ବାବୁଙ୍କ ହାତଧରି ଉଠାଇଲା ।

 

—ବୋଉ, ମୁଁ ଖାଇବି ବାପା ସାଙ୍ଗରେ,

 

—ମୁଁ ଖାଇବି ।

 

—ମୁଁ...ମୁଁ...ଖାଇବି...

 

ବିନି, ମିନି, କିନି ସମସ୍ୱରରେ ଚିତ୍କାରକରି ଉଠିଲେ ।

 

—ଆସ, ସଭିଏ ଆସ...

 

—ନା, ନା, ତୁମେ ଖାଇ ଯା ତୁମ ଥାଳିରେ ମୁଁ ତାଙ୍କୁ ଖୋଇଦେବି । ତୁମକୁ ଖାଇବାକୁ ଦେବେନି ସେମାନେ ।

 

ରାଣୀ ଆଜି ଅନେକ ପ୍ରକାରର ଖାଇବା ପ୍ରସ୍ତୁତ କରିଛି । ସଜ୍ଜିତ ନାନା ପ୍ରକାରର ଖାଦ୍ୟ ଦେଖି ପର୍ଶୁରାମଙ୍କ ମୁହଁରୁ ଲାଳ ଝରିଆସିଲା । ଏତେ ପଇସା ଆସିଲା କୁଆଡ଼ୁ ପଚାରିବାକୁ ତାଙ୍କର ସାହସ ହେଲାନାହିଁ । ଦେଖାଯିବ ମାସ ଶେଷ ବେଳକୁ । ଖାଇବାବେଳେ ସେ ଚିନ୍ତାକରି ଲାଭ କଅଣ... । ନିଅଣ୍ଟିଆ ଅଟକଳର ଏ ଗୋଟାଏ ପ୍ରଧାନ ଗୁଣ ବା ଦୋଷ ଯା କହନ୍ତୁ ।

 

ଆସରେ ପିଲେ...କିନ୍ତୁ ସେ ଆଉ ଜୋର କରି ଡାକିପାରିଲେ ନାହିଁ ।

 

—ନା, ଥାଅ ସବୁ । ବାପା ଖାଇ ଯାଆନ୍ତୁ, ତୁମେ ଖାଇବ ।

 

ନା ଆସନ୍ତୁ । ତେବେ ଏଗୁଡ଼ାକ ଖାଇଲେ ତାଙ୍କ ପେଟ ଖରାପ ହେବ । ହଉ ପରେ ତାଙ୍କୁ ଖୋଇଦେବ...

ପରଶୁରାମ ବାବୁ ପେଟେ ଖାଇ ନିଶ୍ଚିନ୍ତ ହୋଇ ଶୋଇଲେ । ରାତି ବାରଟା । ପରଶୁରାମ ବାବୁଙ୍କର ନିଦ ଭାଙ୍ଗିଚି । ରାଣୀ ପାଖରେ ଶୋଇଚି । ଯେଉଁ ଶାଢ଼ି ପରଶୁରାମ ବାବୁଙ୍କ ଆଖିକୁ ସବୁଠୁ ଭଲ ଦିଶେ ସେଇ ଶାଢ଼ି ପିନ୍ଧି ଶୋଇଚି । ସୁ ଗୋଲ ସ୍ତନର ପଡ଼ାଉଠାରେ ଘନ ଉଷ୍ଣ ଆହ୍ୱାନ । ପରଶୁରାମ ଏ ଆହ୍ୱାନର ଜବାବ ଦେବେ ନିଶ୍ଚୟ । ଜବାବ ପାଇ ରାଣୀର ବକ୍ଷ ଥରି ଉଠିଲା...

 

—ନା...ନା...ଥାଉ...ହେଇ କିନି ଶୋଇଚି ଦେଖିଲ ।

 

—ହଁ ଦେଖୁଚି ତ । କଣ କହୁଚ ତମେ ?

 

—ତାକୁ ଏଇ ପଞ୍ଚମୀଠୁଁ ମୋଟେ ଚଉଦ ମାସ ପଶିଲା ।

 

—ଆରେ ଯାଆମ, ଭଗବାନ ଜନମ ଦେଇଚନ୍ତି, ସେ ଚଳାଇବେ । ଆମର ଭାବି ଲାଭ କଅଣ !

 

ରାଣୀ ହାରିଯିବାକୁ ବାଧ୍ୟହେଲା । କିନି କାନ୍ଦି ଉଠିଲା । ରାଣୀ ତାକୁ ଶୁଆଇ ଦେବାକୁ ଗଲା । ପରଶୁରାମ ବାବୁ ରାଗିଯାଇ କହିଲେ, କାନ୍ଦୁଥାଉ ସେ...

 

ଉଠିଲା ବେଳକୁ ସୂର୍ଯ୍ୟଦେବ କମାର ଶାଳ ଚୁଲିରୁ ସଦ୍ୟ ନିର୍ଗତ ତାଉଆ ଭଳି ଆକାଶରେ ଶୋଭା ପାଉଚନ୍ତି । ପୂର୍ବ ପଟ ଝରକା ଖୋଲି ଦେଇ ପରଶୁରାମ ବାବୁ ସୂର୍ଯ୍ୟଦେବଙ୍କୁ ନମସ୍କାର କରି କହିଲେ, ପ୍ରାତଃ ସମୂତ୍‍ଥାୟ ତବ ପ୍ରିୟାର୍ଥଂ ସ ସାର ୟାତ୍ରାମ୍ ଅନୁବର୍ତ୍ତିୟ ସ୍ୟେ ।

 

ଶ୍ଳୋକଟି ଗାଇସାରିବା ପରେ କିନ୍ତୁ ତାଙ୍କର ଆଜି ମନେ ହେଲା...କସ୍ୟ ପ୍ରିୟାର୍ଥଂ ? କାହାର ତୁଷ୍ଟି ସାଧନ ପାଇଁ ?

★★★

 

ଧଡ଼ିଭାଇ ସହିତ ଗୋଟିଏ ରାତ୍ରି

 

ବୈଜ୍ଞାନିକମାନେ କହନ୍ତି ଯେଉଁ ପଦାର୍ଥର ପରମାଣୁ ଗୁଡ଼ିକର ବୈଦ୍ୟୁତିକ ପ୍ରଭାବ ପରସିପର ସହିତ ସଂଘର୍ଷିତ ହୁଅନ୍ତି, ସେହି ପଦାର୍ଥ ଦୃଢ଼ ଏବଂ ଯେଉଁ ପଦାର୍ଥର ପରମାଣୁଗୁଡ଼ିକର ବୈଦ୍ୟୁତିକ ପ୍ରଭାବ ମଧ୍ୟରେ ସେପରି ସଂଘର୍ଷ ନାହିଁ ତାହା ହୁଗୁଳା, ପାଣି, ବାଷ୍ପ ଆଦି ଯେମିତି । ଶିବନାୟାଣ କର—ସମସ୍ତଙ୍କ ଧଡ଼ି ଭାଇ—ହୁଗୁଳା ଚରିତ୍ରର ଲୋକ । ବୟସ୍କ ଏବଂ ସମାଜର କଡ଼ା ସମାଲୋଚକମାନେ କହନ୍ତି ଲଫଙ୍ଗା ।

 

ମୋ ସହିତ ଧଡ଼ିଭାଇର ପରିଚୟ ଜୀବନର ଶୁଭମୁହୂର୍ତ୍ତରେ କି ଅଶୁଭ ମୁହୂର୍ତ୍ତରେ ହୋଇଥିଲା ତାହା ମୁଁ ବର୍ତ୍ତମାନ କହିପାରିବିନାହିଁ । ଚତୁର୍ଥାବସ୍ଥାରେ ପହଞ୍ଚି ଯେତେବେଳେ ପଛକୁ ଚାହିଁବାର ସମୟ ଆସିବ, ସେତେବେଳେ ମୋର ଜୀବନର ମୂଲ୍ୟ ମୁଁ ଦେବି, ବର୍ତ୍ତମାନ ଏହି ବୟସରେ କହିପାରୁନି । ବର୍ତ୍ତମାନ ଯାହାକୁ ମୁଁ ‘ନିରର୍ଥକ’, ‘ନଷ୍ଟ’ ଭାବୁଛି ସେତେବେଳେ ହୁଏତ ତାହା ଅର୍ଥପୂର୍ଣ୍ଣ ଓ ମୂଲ୍ୟବାନ ଦେଖାଯାଇ ପାରେ ।

 

ବର୍ତ୍ତମାନ କିନ୍ତୁ ମୋତେ ଲାଗୁଚି ମୋର ଜୀବନ ନଷ୍ଟ ହୋଇଗଲା ଏବଂ ଏହି ନଷ୍ଟର କାରଣ ମୂଳତଃ ଧଡ଼ିଭାଇ । ବୟସରେ ସେ ମୋଠୁ ବଡ଼ । ଗାଁ ମାଇନର ସ୍କୁଲରୁ ଆସି ଯେଉଁଦିନ କଲେଜିଏଟ ସ୍କୁଲରେ ନାମ ଲେଖାଇଲି, ସେହିଦିନ ତା ସହିତ ପରିଚୟ । ସେଦିନ ମୋ ମନ କୃତଜ୍ଞତାରେ ଭରି ଉଠିଥିଲା । ଘଟଣାଟି ମୁଁ ଭୁଲିପାରିବି ନାହିଁ ।

 

ମଫସଲିଆ ବୋଲି ମୋତେ ସମସ୍ତେ ଥଟ୍ଟା କରନ୍ତି । ମୁଁ ବସୁଥାଏ ଶ୍ରେଣୀର ସବା ପଛରେ । ଗରମ ଦିନ । ଦିନ ଦଶଟା ବେଳୁ ପଡ଼ୁଥାଏ ଅସହ୍ୟ ଗରମ । ପ୍ରଥମେ ଥାଏ ସଂସ୍କୃତ କ୍ଲାସ । ପଣ୍ଡିତ ମହାଶୟ ଜଣ ଜଣ କରି ନାମ ଡାକି ଯାଉଥାଆନ୍ତି ଏବଂ ଆମେ ପ୍ରେଜେଣ୍ଟ ସାର୍ କହୁଥାଉ । ପ୍ରତ୍ୟେକ ନାମ ଡାକିବା ପରେ ପଣ୍ଡିତ ମହାଶୟ ଚଷମା ଉପରୁ ଆଖି ଟେକି ଥରେ ଦେଖି ନେଇଥାଆନ୍ତି କେହି ଅନ୍ୟ ପାଇଁ ‘ପ୍ରେଜେଣ୍ଟ ସାର୍’ କହୁଚି କି !

 

ଶିବନାରାୟଣ କର, ପଣ୍ଡିତ ମହାଶୟ ଡାକିଲେ ।

 

ସମସ୍ତେ ନୀରବ ।

 

ଶିବନାରାୟଣ, ସ୍ୱର ବିକୃତ ହୋଇ ଆସିଲା ।

 

ସମସ୍ତେ ତଳକୁ ମୁହଁ ପୋତି ବସିଲେ ।

 

ଶିବ, ପଣ୍ଡିତ ମହାଶୟଙ୍କ ବଜ୍ରନାଦ ଘରର ଚାରି କାନ୍ଥରେ ବାଜି ପ୍ରତି ଧ୍ୱନିତ ହୋଇଉଠିଲା । ଆମେ ସମସ୍ତେ ପ୍ରମାଦ ଗଣିଲୁ । ପଢ଼ା ଆରମ୍ଭ ନ ହେଉଣୁ ତ ଏମିତି, ପରେ କି ଦୁର୍ଯ୍ୟୋଗ ଅଛି ସେ କଥା କଳ୍ପନା କରି ସମସ୍ତେ ଆତଙ୍କିତ ହୋଇ ଉଠିଲେ ।

 

ମୁଁ ମନେ ମନେ ଭାରି ବିରକ୍ତ ହୋଇ ଉଠିଲି ଏଇ ଅପରିଚିତ ଶିବ ପ୍ରତି । ରୋଷକଷାୟିତ ଆଖିରେ ଚାରିଆଡ଼କୁ ଚାହିଁ ପଣ୍ଡିତ ମହାଶୟ ଅନ୍ୟ ନାମ ସବୁ ଡାକି ଖାତା ବନ୍ଦ କଲେ । ଏହି ସମୟରେ ପଣ୍ଡିତ ମହାଶୟଙ୍କ ପଛଆଡ଼େ ଦୁଆର ପାଖରେ ଛିଡ଼ା ହେଲେ ଜଣେ ଭଦ୍ରଲୋକ ଗୁରୁଗମ୍ଭୀର ଭାବରେ । ଅବିନ୍ୟସ୍ତ ବଡ଼ ବଡ଼ ବାଳ । ପିନ୍ଧିଛନ୍ତି ଖଣ୍ଡେ ମଇଳା ଲୁଗା ଏବଂ ଖୁବ୍ ମୋଟା ଗରମ କୋଟ ।

 

ଅସହ୍ୟ ଗରମରେ ଏଡ଼େ ମୋଟ ଗରମ କୋଟ ପିନ୍ଧିବାର ଦେଖି ମୋଠାରୁ ଜଣେ ବଡ଼ ମଫସଲିଆ ଭାବି ମୁଁ ପଛ ବେଞ୍ଚରୁ ଖେଁ ଖେଁ କରି ହସିପକାଇଲି ।

 

କିଏ ହସିଲା ? ସଗର୍ଜନେ ପଣ୍ଡିତ ମହାଶୟ ଚାରିଆଡ଼େ ଚାହିଁଲେ । ମୋର ଝାଳ ବୋହିଗଲା ।

 

ସାର ମୁଁ, ଭଦ୍ରଲୋକଟି କହିଲେ । ମୁଁ ଆଖିରେ ବିସ୍ମୟ ଓ କୃତଜ୍ଞତା ଭରି ତାଙ୍କୁ ଚାହିଁଲି-

 

ପଣ୍ଡିତ ମହାଶୟ ପଛକୁ ଚାହିଁ ନୀରବରେ ଟେବୁଲର ଦରଜା ଖୋଲିଲେ । ତା ଭିତରୁ ବାହାରିଲା ଗୋଟିଏ ବେତ । ଲମ୍ୱା ନୁହଁ କିନ୍ତୁ ବେଶ୍ ସୁପୁଷ୍ଟ । ନାନା ବ୍ୟବସାୟର ଲୋକେ ବେତର ନାନା ପ୍ରକାର ବ୍ୟବହାର ଆବିଷ୍କାର କରିଛନ୍ତି କିନ୍ତୁ ଶିକ୍ଷା ବିଭାଗ ବୋଧହୁଏ ଆବିଷ୍କାର କରିଚି ଏହାର ଏହି ନିର୍ମମ ବ୍ୟବହାରଟି ।

 

ଭଦ୍ରଲୋକ ସେମିତି ହସି ଛିଡ଼ା ହୋଇଥାଆନ୍ତି ।

 

ଏତେବେଳେ ଆପଣ ଆସିଲେ ? ପଣ୍ଡିତ ମହାଶୟ ଖୁବ୍ ସରଳଭାବରେ ପଚାରିଲେ । ମାନ୍ୟସୂଚକ ଶବ୍ଦର ବ୍ୟବହାର ଶୁଣି ମୁଁ ଭୟରେ ଆଖି ବୁଜି ଦେଲି ।

 

ଆଜ୍ଞା ହଁ । ଉତ୍ତର ମଧ୍ୟ ସେହିପରି ସରଳ ।

 

ପଣ୍ଡିତ ମହାଶୟ ଆଉ ବାଦାନୁବାଦ ନକରି ମିନିଟ୍‍କୁ ପ୍ରାୟ ଶହେ ପ୍ରହାର ବେଗରେ ପିଟି ଚାଲିଲେ । ମୁହଁରେ କୌଣସି ବିକୃତି ନାହିଁ, ରାଗ ବା ଘୃଣାର କୌଣସି ଚିହ୍ନ ନାହିଁ, ଅଯଥା ଶାରୀରିକ ଶ୍ରମ ନାହିଁ, ବୃଥା ବାକ୍ୟବ୍ୟୟ ନାହିଁ, ନୀରବରେ, ନିପୁଣଭାବରେ ପଣ୍ଡିତ ମହାଶୟ କାର୍ଯ୍ୟ ସମ୍ପନ୍ନ କରିବାକୁ ଲାଗିଲେ । ପ୍ରାହାରକ ଯେପରି ନିର୍ବିକାର, ପ୍ରହାରିତ ମଧ୍ୟ ଠିକ୍ ସେହିପରି-

 

ମୁଁ ଟିକିଏ ଡେରିରେ ବୁଝେ । ଏତେବେଳେ ବୁଝିଲି ପ୍ରହାରିତ ଆଉ କେହି ନୁହଁ, ସ୍କୁଲକୁ ଆସିବା ଦିନୁ ସହପାଠୀମାନଙ୍କ ମୁହଁରୁ ଯେଉଁ ଧଡ଼ିଭାଇ କଥା ମୁଁ ଶୁଣିଛି, ସେଇ ଧଡ଼ି ଭାଇ ।

 

ମାଡ଼ରେ କୋଟରୁ ଧୂଳି ଉଡ଼ିଯାଉଚି । ଟିକିଏ ‘ଉଃ ଆଃ’ ନାହିଁ । ନିର୍ବିକାର । ପଣ୍ଡିତ ମହାଶୟ ଥକିପଡ଼ି ଦମ ନେଲେ । କିଛି ସମୟ ଦମ ନେଇ ସେ ପୁଣି କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିଲେ, ଅଟକି ସେ କୋଟ କନା ପରୀକ୍ଷା କରିବାକୁ ଲାଗିଲେ ।

 

—ଏ କୋଟ କାହାର ?

 

—ସାଆନ୍ତ ବାପାଙ୍କର ।

 

—ତୁମେ କାହିଁକି ପିନ୍ଧି ଆସିଚ ?

 

—ସାଆନ୍ତ ବାପା ମୋତେ ଦେଇ କହି ଯାଇଥିଲେ ଦରକାରବେଳେ କର୍ମରେ ଆସିବ-

 

ଗୋଟିଏ ମୃଦୁ କଳରବ କ୍ଲାସରେ ଖେଳିଗଲା ।

 

କୋଟ କାଢ଼, ପଣ୍ଡିତ ମହାଶୟ ଗର୍ଜି ଉଠିଲେ ।

 

—ତା ପାରିବିନାହିଁ । ମୋତେ ନଙ୍ଗଳା କରିବା ପାଇଁ ହେଡ଼ମାଷ୍ଟରଙ୍କ ଅନୁମତି ଆଣନ୍ତୁ-

 

ଥରେ ଚାରିଆଡ଼କୁ ଚାହିଁ ପଣ୍ଡିତ ମହାଶୟ ଗୋଟିଏ ପ୍ରଚଣ୍ଡ ତଣ୍ଟିଆରେ ଶିବକୁ ଠେଲି ଦେଇ କହିଲେ, ଯାଅ ପଛ ବେଞ୍ଚରେ ଛିଡ଼ାହୁଅ ।

 

ଶିବ ସେହିପରି ନିର୍ବିକାର ଭାବରେ ଆସି ମୋ ପାଖେ ଛିଡ଼ାହେଲା ।

 

ସେହିଦିନୁ, କାହିଁକି ଜାଣେନା, ମୁଁ ଧଡ଼ିଭାଇ ପ୍ରତି ଆକୃଷ୍ଟ ହେଲି । ଏହା ପରେ ମୋ ପାଠ ପଢ଼ା ଆଉ ହୋଇନାହିଁ । କେବେହିଁ ଫେଲ ହୋଇନି ଅବଶ୍ୟ, ଖୁବ୍ ଭଲ ଛାତ୍ର ବୋଲି ବୋଧହୁଏ । ଧଡ଼ିଭାଇ ତାର ସବୁ ଦୁଷ୍କର୍ମର ସାଥୀ ହିସାବରେ ମୋତେ କାହିଁକି ବାଛିନେଲା ସେଇ ଜାଣେ ।

 

ସର୍କସ ଆସିଚି । ଗ୍ରେଟ୍ ରସିୟାନ୍ ସର୍କସ । ଦେଖି ଯିବାକୁ ଭାରି ଇଚ୍ଛା । ସବୁଠୁ କମ୍ ଟିକଟ ଆଠଅଣା, ଆଠ ଅଣା !!! ହତାଶଭାବରେ ତମ୍ୱୁକୁ ଚାହିଁରହିଲି । ନାଭିମୂଳରୁ ଗୋଟିଏ ଦୀର୍ଘ ନିଃଶ୍ୱାସ ବାହାରି ଆସିଲା । ବାପାଙ୍କୁ ପଇସା ମାଗିଲେ ଖାଲି ଶାରୀରିକ ପୀଡ଼ା ପାଇବି କିମ୍ୱା ସାର୍ ଆଶୁତୋଷ; ବିଦ୍ୟାସାଗର ଆଦି କିପରି କଷ୍ଟରେ ବଡ଼ ଲୋକ ହୋଇଚନ୍ତି ସେ ବିଷୟରେ ଦୀର୍ଘ ବକ୍ତୃତା ଶୁଣିବାକୁ ହେବ ।

 

—କିଛି ପରୁଆ କରନା । କାଲି ସକାଳୁ ମୁଣ୍ଡରେ ତେଲ ନ ଲଗାଇ ଗାଧୋଇବୁ, ବୁଝିଲୁ, ଧଡ଼ିଭାଇ କୁହେ । ଧଡ଼ିଭାଇ କହିବା ମତେ କାମ କରେ । ସନ୍ଧ୍ୟାବେଳେ ଧଡ଼ି ଭାଇ ଆସି ଦୂରରୁ ହୁଇସିଲ ମାରି ଡାକିଲା । ଅତି ସନ୍ତର୍ପଣରେ ଘରୁ ବାହାରିଲି ।

 

ମୋତେ ଆପାଦମସ୍ତକ ଥରେ ଚାହିଁ ଧଡ଼ିଭାଇ କହିଲା, ଠିକ୍ ଅଛି । ନା, ଏକମିଜ ଚଳିବନାହିଁ, ଖଣ୍ଡେ ମଇଳା କମିଜ ପିନ୍ଧି ଆ ।

 

ପୁଣି ଯାଇ ଖଣ୍ଡେ ମଇଳା କମିଜ ପିନ୍ଧି ଆସିଲି ।

 

—ଠିକ୍ ଅଛି । ଲୁଗା ମୋ ଭଳି ପିନ୍ଧ୍ ।

 

ଲୁଗା ଦୋହରାଇ ଲୁଙ୍ଗି ଭଳି ପିନ୍ଧିଲି । ଯନ୍ତ୍ର ଚାଳିତ ପରି ଧଡ଼ି ଭାଇ ପଛେ ପଛେ ଚାଲିଲି ।

 

ଏଇ; କୋନ୍ ହେୟ ? ସର୍କସ ତମ୍ୱୁର ଫାଟକ ପାଖରେ ବୃହଦକାୟ ଜଗୁଆଳି ଧଡ଼ିଭାଇକୁ ଧକ୍କା ମାରି ପଚାରିଲା । ଭୟରେ ପଳାଇଯିବାକୁ ବସିଲି; କିନ୍ତୁ ଉପାୟ ନାହିଁ । ଧଡ଼ିଭାଇ ମୋର ଭୀରୁ ସ୍ୱଭାବ ଜାଣି କମିଜ ଧରି ଅଟକାଇଚି ।

 

ଲାଇଟକା ପମ୍ପ୍ ଦେନେଓ୍ୟାଲା ଦ୍ୱେୟ୍ ଧଡ଼ିଭାଇ ନିର୍ଭୟରେ ଅପୂର୍ବ ଭଙ୍ଗୀରେ କହିଲା ।

 

ଜଗୁଆଳି କହିଲା, ଯାଓ, ଯଲଦି ପମ୍ପ୍ ମାରୋ ।

 

କିମ୍ୱା ହୁଏତ ସିନେମା ଆସିଛି । ଚାମେରିଆ ଟୁରିଙ୍ଗ୍ ସିନେମା ।

 

—ଆଇୟେ, ଆଇୟେ, ଲଙ୍କାଦହନ, ଚାର୍ ଚାର୍ ପଇସା ।

 

ଚାରି ପଇସା ବା ପାଇବି କୋଉଁଠୁ !

 

—କିନ୍ତୁ ପରୁଆ କରନା, ଆ ମୋ ସାଙ୍ଗରେ । ଧଡ଼ିଭାଇ କହିଲା ଚାଲେ ।

 

ବଦମାସ, ଚାରିଆଡ଼େ ଲୋକ ଜଗାଇଛନ୍ତି, କହି ଧଡ଼ିଭାଇ ଟିକିଏ ଚିନ୍ତିତ ହେଲା ।

 

ତାପରେ କଅଣ ଭାବି ତଳୁ ବଡ଼ ବଡ଼ ତିନି ଚାରୋଟି ଢେଲା ଉଠାଇ ଏଣେ ତେଣେ ଚାହିଁ ସେ ଦୁମ୍ ଦୁମ୍ କରି ଦୂରରୁ ତମ୍ୱୁ ଉପରକୁ ଫିଙ୍ଗିଦେଲା ।

 

‘କୋନ୍ ହେୟ, କୋନ୍ ହେୟ’ ଚିତ୍କାର କରି ବେଗରେ ଆଖ ପାଖର ଜଗୁଆଳି ଦୌଡ଼ିଗଲେ ଘଟଣା ସ୍ଥଳକୁ ।

 

ଏଇ ସୁଯୋଗରେ ଧଡ଼ିଭାଇ ମୋତେ ଭିଡ଼ିନେଇ ତମ୍ୱୁ ଭିତରକୁ ଗଳିଗଲା ।

 

ଯଥାକଥା ମୁଁ ବି. ଏ. ପର୍ଯ୍ୟନ୍ତ ଆସିଲି । ଧଡ଼ିଭାଇ ମ୍ୟାଟ୍ରିକ୍ ଥାର୍ଡ଼ କ୍ଲାସରୁ ପଢ଼ା ଛାଡ଼ିଚି; କିନ୍ତୁ ମୋ ସାଙ୍ଗ ଛାଡ଼ି ନାହିଁ । ଆଜିକାଲି ମଝିରେ ମଝିରେ ବିରକ୍ତ ହୁଏ ତା ଉପରେ । ନିଜର ଜୀବନ ନଷ୍ଟ କରିଚି, ମୋର ମଧ୍ୟ କରିବ ।

 

ବି: ଏ: ପରୀକ୍ଷା କାଲିଠୁଁ ଆରମ୍ଭ । ସାରାବର୍ଷ ଧଡ଼ିଭାଇ ପାଠ ପଢ଼େଇ ଦେଇନି ।

 

ରାତି ଜଗି ପାଠ ପଢ଼ୁଛି । ରାତି ସେତେବେଳେ ପ୍ରାୟ ଦଶଟା । ପଢ଼ୁଥାଏ ।

 

ଦୂରରେ ତୀକ୍ଷ୍‍ଣ ସ୍ୱରରେ ବାଜିଉଠିଲା ହୁଇସିଲ୍ ।

 

କବାଟ ଝରକା ଲଗାଇ ଦେଇ ପଢ଼ାରେ ମନଯୋଗ କଲି ।

 

ଠକ୍ ଠକ୍ ଠକ୍ । କବାଟରେ ତିନିଥର ମୃଦୁ ଆଘାତ ହେଲା ।

 

ନା, ଧଡ଼ିଭାଇ, ଯା । ପରୀକ୍ଷା କାଲି, ବିରକ୍ତି ପ୍ରକାଶ କରି କହିଲି ।

 

ଶୁଣିଯା ଥରେ, ରାମକୃଷ୍ଣ ପରମହଂସ ଦେବ ବୋଧହୁଏ ବିବେକାନନ୍ଦକୁ ଏପରି ସ୍ୱରରେ ଡାକି ନଥିଲେ ।

 

ବାହାରକୁ ଆସିଲି । ଶୀତଦିନ ରାତି ଆକାଶରେ ପୁନେଇ ଚାନ୍ଦର ସ୍ନିଗ୍‍ଧ କିରଣ ଅଜାଡ଼ି ପଡ଼ିଚି । ଚାରିଆଡ଼ ନୀରବ ନିସ୍ତବ୍ଧ ।

 

–ଦେଖିଲୁ କେମିତି ରାତି । ଏମିତି ରାତିରେ କଅଣ ଘରେ ରହିବା କଥା । ଚାଲିଆ, ଚାଲିଆ, ଆଜି ରାତିଯାକ ନଗର ପରିକ୍ରମା କରିବା ।

 

ଦମକାଏ ଥଣ୍ଡା ପବନ କୁଆଡ଼ୁ ଆସି ଟେଲିଗ୍ରାଫ୍ ତାର ଝଣ ଝଣ କରି ଚାଲିଗଲା । ମୋର ମନର ସବୁ ତାର ମଧ୍ୟ ଝଣ ଝର କରି ଉଠିଲା । ଗୋଟିଏ ପେଚା ‘ହୁ; ହୁ’ କହି ଦୁଇ ତିନି ଥର ମୋ ମୁଣ୍ଡ ଉପରେ ବୁଲି ନଈକୂଳ ଆଡ଼େ ଚାଲିଗଲା । ଗୋଟାଏ ଚେମଣିଆ ବାରମ୍ୱାର ଠିକ୍ ମୋ ଆଖି ପାଖରୁ ଫେରିଯିବାକୁ ଲାଗିଲା ।

 

କହିଲି, ଚାଲ ।

 

ସାବାସ୍, କହି ଧଡ଼ିଭାଇ ମୋ କାନ୍ଧରେ ହାତ ରଖିଲା ।

 

କୁଆଡ଼େ ? ମୁଁ ହସି ପଚାରିଲି ।

 

—ଆଗେ ଚାଲ୍, ଡାକ୍ତର ଦୋକାନକୁ ।

 

ଡାକ୍ତର ଦୋକାନ ! କାହାର କଣ ହୋଇଚି ?

 

—ଜଣକର ଚାରି ପାଞ୍ଚ ଦିନହେଲା ଭାରି ଜର । ଚାଲ୍ ।

 

ଡାକ୍ତର ଦୋକାନରେ ପଇସା ଦେଇ ଔଷଧ କିଣି ଧଡ଼ିଭାଇ ଚାଲିଲା ଗୋଟାଏ ଅନ୍ଧାରୁଆ ଗଳି ଆଡ଼େ ।

 

ସିଆଡ଼େ କାହିଁକି ? ମୁଁ ଭୟ ଓ ଘୃଣାରେ ପଚାରିଲି ।

 

ଚାଲେନା, ସେ ବାଟରେ ଗଲେ କଅଣ ତୋର ସତୀତ୍ୱ ଚାଲିଯିବ । ଅତି ଗୁଡ଼ାଏ......ଆ

 

ଗୋଟିଏ ଜୀଣ୍ଣ ଶୀର୍ଣ୍ଣ ଘର ପାଖରେ ଛିଡ଼ାହୋଇ ଧଡ଼ିଭାଇ ଡାକିଲା, ମାଳତୀ ମାଳତୀ-!

 

ପାଖ ଘରୁ ଭାସି ଆସୁଚି ମାତାଲମାନଙ୍କ ଚିତ୍କାର ସହିତ ନାରୀର ଜଡ଼ିତ କଣ୍ଠର ଅବୋଧ୍ୟ ଗାନ । କିଏ କାଳେ ମୋତେ ଦେଖିବ ଏହି ଲଜ୍ଜାରେ ତଳକୁ ମୁହଁ ପୋତି ଛିଡ଼ାହେଲି ।

 

ମାଳତୀ; ମାଳତୀ, ଧଡ଼ିଭାଇ ପୁଣି ଡାକିଲା ।

 

କୋନ୍ ହେୟ ବେ, ପାଖଘରୁ ଗୋଟାଏ ମାତାଲ ଚିତ୍କାର କରି ଉଠିଲା

 

ଜୀର୍ଣ୍ଣ କବାଟ ଖୋଲି ଗୋଟିଏ ଶୀର୍ଣ୍ଣାନାରୀ ବାହାରି ଆସିଲା । ଧଡ଼ିଭାଇକୁ ଅନାଇ କୃତଜ୍ଞତାରେ ସେ କେବଳ ଚାହିଁ ରହିଲା । ଧଡ଼ିଭାଇ ଔଷଧ ବଢ଼ାଇ ଦେଇ କହିଲା, ଡାକ୍ତର କାଲି ଆସିବାକୁ କହିଚି । ଦେଖେଁ ।

 

ଆଜି, ରହିବ ନାହିଁ ଟିକିଏ ? ନାରୀଟି କମ୍ପିତ କଣ୍ଠରେ ପଚାରିଲା ।

 

—ନା, ଆଜି କାମ ଅଛି । ଆଉ ରହିବା ଦରକାର ନାହିଁ । ରୋଗ ଭଲ ହୋଇଗଲାଣି ।

 

ଛିଃ, ଧଡ଼ିଭାଇ ତେବେ ଏଠିକି ମଧ୍ୟ ଆସେ । ଏମିତି ଲୋକ ମୋର ପୁଣି ବନ୍ଧୁ !! ନିଜ ପ୍ରତି ଭାରି ଘୃଣା ହେଲା ।

 

କିଛି ବାଟ ଆସିବା ପରେ ମୁଁ ପଚାରିଲି, ଧଡ଼ିଭାଇ ତୁମେ ଏଠିକି ମଧ୍ୟ ଆସ ?

 

—ଆସିଲେ କଅଣ ହେଲା ?

 

—ଲଜ୍ଜା କରନାହିଁ ? କେହି ଯଦି ଜାଣନ୍ତି ବା ଦେଖନ୍ତି ?

 

—ଓ ! ଏଇଥିପାଇଁ ଲଜ୍ଜା, କେହି କାଳେ ଦେଖିଦେବେ...ନ ଦେଖିଲେ କିଛି ନାହିଁ । ବେଶ୍ ଆଦର୍ଶ ଏକା ତୋର । ତେବେ ମୋର ଏଠାକୁ ଆସିବାର ଉଦ୍ଦେଶ୍ୟ ଅଲଗା । ଦିନେ ରାତିରେ ଅନ୍ୟ ଏକ ଘରୁ ବାହାରି ଆସିବା ସମୟରେ ମାଳତୀ କହିଲା, ତାକୁ ଭାରି ଜର, କେହି ତାକୁ ପଚାରୁନାହାନ୍ତି, ବଡ଼ ଖରାପ ରୋଗ ହୋଇଚି...ଏତିକି କହି ସେ କାନ୍ଦି ପକାଇଲା । ସେହିଦିନୁ ମୁଁ ତାକୁ ରୋଗ ମୁକ୍ତ କରିବାର ଭାର ନେଇଚି । କିଏ ପଚାରିବ ଏମାନଙ୍କୁ ମୋ’ ଭଳି ଲଫଙ୍ଗା ନହେଲେ...ଥରେ ଭାବି ଦେଖ ।

 

ଆମେ ଆଗେଇ ଚାଲିଛୁ । ଜଣେ ଭଦ୍ରଲୋକଙ୍କୁ ଦେଖି ଧଡ଼ିଭାଇ କହିଲେ, ଆରେ ଦଣ୍ଡପାଣି ବାବୁ, ନମସ୍କାର, ଏତେ ରାତିରେ ତରତର ହୋଇ କୁଆଡ଼େ ଚାଲିଛନ୍ତି...’’

 

—ଆଉ କହନା ଭାଇ, କୁଣିଆ ଆସିଛନ୍ତି ଯେ, ସେ କହିଥିଲା ବଜାରରୁ ମାଛ ନବାକୁ । ଏକଦମ୍ ଭୁଲି ଯାଇଥିଲି...ଘର ପାଖରୁ ଫେରି ଫେର୍...

 

—ଏତେ ବେଳକା ମାଛ, ତଟକା ତ ? ଧଡ଼ିଭାଇ ପଚାରିଲା ।

 

—ନିଶ୍ଚୟ ତଟକା । ମାଛ ପଚା କି ନାଇଁ ମୁଁ ଦେଖି ଜାଣେ । ଆଚ୍ଛା ଯାଏଁ ଭାଇ, ବେଳ ହୋଇଗଲା ।

 

ହଁ ଆପଣଙ୍କର ସେଇ ଚାକିରି ଗୋଳମାଳ କଅଣ ହେଲା ? ଧଡ଼ିଭାଇ ତାଙ୍କୁ ବାଧାଦେଇ ପଚାରିଲା ।

 

ଦଣ୍ଡପାଣି ବାବୁ ସଉଦା ବୁଜୁଳାଟି ବାଁ ହାତରୁ ଡାହାଣ ହାତକୁ ବଦଳାଇ କହି ଚାଲିଲେ, କର୍ମକ୍ଷେତ୍ରରେ ତାଙ୍କର ଅସୀମ ସାହସ କଥା...କିପରି ଭାବରେ ସେ ମୁହେଁ ମୁହେଁ ସାହେବଙ୍କୁ ଜବାବ ଦିଅନ୍ତି...ଅନ୍ୟାୟ ବରଦାସ୍ତ କରିପାରନ୍ତି ନାହିଁ...ତାଙ୍କର ସାଧୁତା ପାଇଁ ସେ କିପରି କଷ୍ଟ ପାଉଛନ୍ତି...ଇତ୍ୟାଦି, ଇତ୍ୟାଦି । ପ୍ରାୟ ଅଧ ଘଣ୍ଟାଏ ଧରି ବକି ଚାଲିଲେ ।

 

—ସତେ ଆପଣ ବଡ଼ ଖାଣ୍ଟିଲୋକ; କିନ୍ତୁ ମାଛଟା ପଚା ନୁହଁ ତ ?

 

—ଇସ୍ ଏତେବେଳ ହୋଇଗଲା, ଯାଏଁ ଭାଇ...

 

—ହଁ, ଯାଆନ୍ତୁ । ଆଚ୍ଛା ଆପଣଙ୍କ ଘରବାଲା ସହିତ ସେଇ ମକଦ୍ଦମା କଅଣ ହେଲା ? ଧଡ଼ିଭାଇ ପୁଣି ବାଧାଦେଇ ପଚାରିଲା ।

 

ଦଣ୍ଡପାଣି ବାବୁ ପୁଣି ଅଧଘଣ୍ଟାଏ ବକି ଚାଲିଲେ ସେ ଇତିହାସ ।

 

—ବାଃ, କି ସାହସୀ ଲୋକ ଆପଣ ସତେ ! କିନ୍ତୁ ମୋର ମନେହେଉଚି ମାଛଟା ପଚା-

 

—ଆରେ ନା, ଦେଖ ନା । ଇସ୍ ଘଣ୍ଟାଏ ଡେରି ହୋଇଗଲା...ସେ ସିୟାଡ଼େ...

 

—ଯାଆନ୍ତୁ, ଯାଆନ୍ତୁ । ହଁ, ମୁଁ ଶୁଣିଥିଲି ଆପଣଙ୍କୁ କୁଆଡ଼େ ବଦଳି କରି ଦେଉଛନ୍ତି ? ଧଡ଼ିଭାଇ ପୁଣି ତାଙ୍କୁ ଅଟକାଇ ପଚାରିଲା ।

 

—ଭାରି କଲାବାଲା । ଏ ଦଣ୍ଡପାଣିକୁ...ବୁଝିଲା..., ଦଣ୍ଡପାଣି ପୁଣି ଅଧଘଣ୍ଟାଏ ସେ ଇତିହାସ ବକି ଚାଲିଲେ । ଧଡ଼ିଭାଇ ସତେ ଯେପରି କେଡ଼େ ମୁଗ୍‍ଧ ହୋଇ ଶୁଣୁଛନ୍ତି !

 

—ଚମତ୍କାର; କିନ୍ତୁ ମାଛଟି ନିଶ୍ଚୟ ପଚା...

 

ଦଣ୍ଡପାଣିବାବୁ ଆଉ କିଛି ନ କହି ପ୍ରାୟ ଦୌଡ଼ି ପଳାଇଲେ । ଧଡ଼ିଭାଇ କିଛିକ୍ଷଣ ହସି କହିଲା, ଲୋକଟା ମନ୍ଦ ନୁହଁ; କିନ୍ତୁ ସ୍ତ୍ରୀ ଉପରେ ଭାରି ଅତ୍ୟାଚାର କରେ । ଯାଉ ଆଜି କିଛି ଗାଳି ଖାଉ ସ୍ତ୍ରୀ ପାଖରୁ...

 

‘ଯାଃ, ଏ କଅଣ ଗୋଟାଏ ତୁମର..., ବିରକ୍ତ ଲାଗିଲା ସତେ ମୋତେ ।

 

—ଆରେ, ଗୋଟାଏ ମଉଜ...ଚାଲ୍

 

ଆଗେଇ ଚାଲିଲୁ ।

 

ଚୌଧୁରୀ ବଜାର, ଗୋପାଳଜୀମଠ ପାରହୋଇ ଝୋଲାସାହୀ ରାତି ପ୍ରାୟ ବାରଟା । ଚାରିଆଡ଼େ ନିସ୍ତବ୍ଧ । ଗୋଟିଏ ବୁଢ଼ୀ ବାହାରକୁ କାହିଁକି ବାହାରିଚି । ହଠାତ୍ ଗୋଟାଏ ସାଇକଲ ଧକ୍କା ଲାଗିଲା ବୁଢ଼ୀ ସହିତ ।

 

ମରଗିଆରେ...ଆଲ୍ଲା..., ବୁଢ଼ୀ ଚିତ୍କାର କରି ଉଠିଲା ।

 

ଏଡ଼େ ଜୋରରେ ସାଇକଲ ଚଳାଇବା ଦରକାର କଅଣ ? ଧଡ଼ିଭାଇ ବୁଢ଼ୀଟିକୁ ଉଠାଇ ଧୂଳି ଝାଡ଼ଝୁଡ଼ି ଦେଇ କହିଲା ।

 

ଯୁବକଟି ଭୟରେ ଥରୁ ଥରୁ କହିଲା, ବାପା ହଠାତ୍ ଅଜ୍ଞାନ ହୋଇ ପଡ଼ିଚନ୍ତି, ଡାକ୍ତର ଡାକିବାକୁ ଦୌଡ଼ୁଥିଲି..., ଯୁବକଟି ପ୍ରାୟ କାନ୍ଦି ପକାଇଲା ।

 

—ଶୀଘ୍ର ପଳାନ୍ତୁ । ଯୁବକଟି ସାଇକଲ ଉଠାଇ ପଳାଇଲା ।

 

କିନ୍ତୁ ବୁଢ଼ୀର ଚିତ୍କାର ବନ୍ଦ ହେଲାନାହିଁ । ଧଡ଼ିଭାଇ ତା ହାତରେ ଗୋଟିଏ ଟଙ୍କା ଧରାଇଦେଇ କହିଲା, ମାଉସୀ, ଯା ହବାର ହେଲାଣି...

 

କିନ୍ତୁ ଆଖପାଖର ଟୋକାଏ ଦଉଡ଼ି ଆସିଲେ ଠେଙ୍ଗା ବାଡ଼ି ଧରି ।

 

—କାହାଁ ଗିୟା...ବଦମାସ ।

 

ଧଡ଼ିଭାଇ ହଠାତ୍, ଧରୋ ପାଜିକୁ, ମାରୋ ପାଜିକୁ କହି ଯୁବକଟି ଯେଉଁଆଡ଼େ ଯାଇଥିଳା, ତାହାର ଓଲଟାଆଡ଼େ ଦୌଡ଼ିଲା । ପଛେ ପଛେ ମୁଁ ଦୌଡ଼ିଲି, ଅନ୍ୟ ସମସ୍ତେ ବି ଦୌଡ଼ିଲେ ।

 

ଅନେକ ବାଟ ଆସିବାପରେ ଧଡ଼ିଭାଇ କହିଲା, ଶାଲା ଭାଗା, ମିଲତା ତୋ...

 

ଲୋକମାନଙ୍କର ଆଉ କିଛି କହିବାର ଉପାୟ ନାହିଁ । ଧଇଁ ସଇଁ ହୋଇ ସେମାନେ ଫେରିଲେ ।

 

ଧଡ଼ିଭାଇର ଉପସ୍ଥିତ ବୁଦ୍ଧିରେ ଚମତ୍କୃତ ହୋଇ ଚାହିଁ ରହିଲି ।

 

ଛତରାବଜାର, ଶଙ୍କରପୁର, ମାଲଗୋଦାମ । ରାତି ପ୍ରାୟ ଦେଢ଼ଟା ।

 

ହେ ରାମ ବାପା...ଇଲୋ ମୋ ବୋଉ, ହେ ଧବଳେଶ୍ୱର...

 

ଦୂରରୁ କାହାର କରୁଣ ଧ୍ୱନି ଭାସି ଆସିଲା । ଚାରିଆଡ଼େ ନିସ୍ତବ୍‍ଧ । ଡର ଲାଗୁଚି । ପ୍ରତ୍ୟେକ ଘର ଯେପରି ଖୁଣୀ ଡକାୟତଙ୍କ ଆଡ଼୍ଡ଼ା ମନେହେଲା ।

 

ଧଡ଼ିଭାଇ, ଏ କଅଣ ? କଡ଼କୁ ଲାଗିଯାଇ ପଚାରିଲି ।

 

—ଡରୁଚ୍ ନା କଅଣ ? ଚାଲ ଦେଖିବା ସେଠି କଅଣ ହେଲା ।

 

ଗୋଟିଏ ସୁନ୍ଦରୀ ଯୁବତୀକୁ ଘେରି ଅନେକ ଲୋକ । ଧଡ଼ିଭାଇ ଓ ମୁଁ ନୀରବରେ ସମସ୍ତଙ୍କ ପଛରେ ଛିଡ଼ାହେଲୁ । ଯୁବତୀଟି ନିଶ୍ଚୟ ମଫସଲରୁ ଆସିଚି । ନାକରେ ଦଣ୍ଡି, ହାତରେ ଖଡ଼ୁ । ପାତଳ ଶାଢ଼ିତଳୁ ଫୁଟି ଦିଶୁଛି ଯୌବନର ଶୋଭା । ଚାରିଆଡ଼ୁ ଲୋଲୁପ ଦୃଷ୍ଟି । ମୁହଁରେ ସମସ୍ତଙ୍କର କିନ୍ତୁ ସମବେଦନା । ଯୁବତୀଟି କାନ୍ଦି କାନ୍ଦି କହିଲା ତାର କରୁଣ କାହାଣୀ । ରାମା ବାପା, ତାର ସ୍ୱାମୀ, ସହିତ ସେ ଧବଳେଶ୍ୱର ଯାଉଚି । ତାକୁ ଭୋକ କରିବାରୁ ତାର ସ୍ୱାମୀ ତାକୁ ସେଇଠି ବସାଇ ଯାଇଚି ପାଣି ଆଣି ପ୍ରାୟ ଘଣ୍ଟାଏ ହବ । ସେମାନେ କେବେହେଁ ଗାଁରୁ ପଦାକୁ ବାହାରି ନାହାନ୍ତି । ମୋ ମନ ଉଚ୍ଛନ୍ନ ହଉଚି, ସେ କୁଆଡ଼େ ଗଲେ ଟିକେ ଦେଖନି, ଯୁବତୀଟି ମିନତି ଜଣାଇଲା ଲୁବ୍‍ଧ ଜନତା ପ୍ରତି ।

 

ଗୋଟିଏ ଲୋକ ଭିଡ଼ି ଭିତରୁ ବାହାରି ଆସି କହିଲା, କାନ୍ଦନା କାନ୍ଦନା, ମୋ ସାଙ୍ଗେ ଆ, କାଲି ସକାଳୁ ଖୋଜିଦେବି ।

 

ଭଗବାନ ତୁମକୁ କଇଲାଣ କରନ୍ତୁ ଭାଇ । ଆଗେ ତାକୁ ଟିକିଏ ଖୋଜି ଆଣନି, ଯୁବକଟି ଓଢ଼ଣା ଟାଣି କହିଲା ।

 

ମୋ ପାଖରୁ ଅନ୍ୟ ଜଣେ କହିଲା, ଆବେ ଅନାଉଚୁ କଅଣ ? ମାଲ୍ ଉଡ଼ିଯିବ । ଇସ୍ କି ବୀଭତ୍ସ କଥା । ବୁଝିଲି ଅଳ୍ପକ୍ଷଣ ଭିତରେ ଏଠି ନାରକୀୟ ଲୀଳା ଚାଲିବ । ଧଡ଼ିଭାଇକୁ ଟାଣି ମୁଁ ବାହାରି ଯିବାକୁ ବସିଲି ।

 

ଧଡ଼ିଭାଇ କିନ୍ତୁ ନିଶ୍ଚଳ ।

 

ସେଇ ଜଣକ କହିଲା, କାନ୍ଦା, ଆ ମୋ ଘରକୁ...

 

ଏହା ପରେ ପରେ ଦୁଇଜଣ ଉପକାରୀଙ୍କ ଭିତରେ ଲାଗିଲା ବାକ୍‍ଯୁଦ୍ଧ । ଜନତା ଦୁଇଭାଗ ହୋଇଗଲେ । ହଠାତ୍ ଜଣେ ପାଖ ତାଟିରୁ ବାଉଁଶ କାଢ଼ିଆଣି ପିଟି ଦେଲା ପାହାରେ । ଭୟରେ ଅନାଇଁ ଦେଖିଲି ଧଡ଼ିଭାଇ ପାଖରେ ନାହିଁ । ଗହଳି ଭିତରୁ ବାହାରି ଆସି ଅସହାୟ ଭାବରେ ଚାରିଆଡ଼େ ଚାହିଁଲି ।

 

ଏହି ସମୟରେ ଜଣେ ମଫସଲିଆ ଗହଳି ଆଡ଼େଇ ଆସି କହିଲା, କିଲୋ, ତୁ ଏକା !! ରାମାବାପା କୁଆଡ଼େ ଗଲା ? ମଲା, ମତେ ଚିହ୍ନିପାରୁ ନାହୁଁ କି ? ମୁଁ ପରା ତୁମ ହରିଆ । ଆ, ଆ ମୋ ସାଥିରେ..., ହରିଆ ଥରେ ମୋ ଆଡ଼େ ଚାହିଁ ହସିଲା । ବୁଝିଲି ଧଡ଼ିଭାଇ । ଇସ୍, ଧଡ଼ିଭାଇ ମଧ୍ୟ ଏଡ଼େ କଦର୍ଯ୍ୟ !!

 

ଯୁବତୀଟି ଏତେବେଳଯାଏ ଭୟରେ ଥରୁଥିଲା । ଏତେବେଳେ ସେ ବୁଝି ପାରିଥିଲା ଏ ବୀଭତ୍ସ କଳହର କାରଣ । ଟିକିଏ ସାହସ ପାଇ ସେ ଧଡ଼ିଭାଇ ପାଖରେ ଛିଡ଼ାହେଲା । ଧଡ଼ିଭାଇ ମୋତେ ଆଖିଠାରି ଆଗକୁ ଚାଲିଲା । ଜଣେ ପାଟି କରି କହିଲା, ଆବେ, ମାଡ଼ପିଟ ହେଉଥା, ଚିଡ଼ିଆ ଚଇଲ୍ । ଅନ୍ୟ ଜଣେ ଦୌଡ଼ି ଆସି ଧଡ଼ିଭାଇର ହାତ ଧରି କହିଲା, ଛାଡ଼ ତାକୁ; ଥୋ ମାଲ୍-

 

ଧଡ଼ିଭାଇ ଭୟବିହ୍ୱଳ ଭାବରେ କହିଲା, ଏ ପରା ଆମ ଗାଁ ଝିଅ ବାବୁ... ମୁଁ......

 

ରଖବେ, ଗାଁ ଝିଅ ଫିଅ ଆମେ ଜାଣୁନା, ଲୋକଟା ଧଡ଼ିଭାଇକୁ ଗୋଟାଏ ପ୍ରଚଣ୍ଡ ଧକ୍କା ମାରିଲା ।

 

ଧଡ଼ିଭାଇ ହାତରେ ଛୁରା ଚକ୍ ଚକ୍ କରି ଉଠିଲା । ତା ପରେ କଅଣ ହେଲା ମୁଁ ଜାଣେନି । ଦେଖିଲି ଧଡ଼ିଭାଇ ଗହଳି ଭିତରେ ବାଡ଼ି ବୁଲାଇବାରେ ଲାଗିଛି । ମୁହୂର୍ତ୍ତକ ପାଇଁ ମୋ ପାଖକୁ ଆସି କହିଲା, ନେଇ ଷ୍ଟେସନ ପଳା, ମୁଁ ଯାଉଛି ।

 

ଯୁବତୀଟିକୁ ଟାଣି ଟାଣି ମୁଁ ଷ୍ଟେସନ ଆଡ଼େ ଦୌଡ଼ିଲି । ଷ୍ଟେସନରେ ପହଞ୍ଚି ମୁଁ ଥକ୍କା ମାରି ବସିପଡ଼ିଲି ।

 

କିଛିକ୍ଷଣ ପରେ ଧଡ଼ିଭାଇ ଫେରିଲା । ମୁଣ୍ଡରେ ତାଙ୍କର ପଟି ବନ୍ଧା ହୋଇଚି । ପଟି ଭେଦକରି ରକ୍ତ ବାହାରି କାନ ପାଖରେ ଜମିଯାଇଚି । ଧଡ଼ିଭାଇ ମୋତେ ଦେଖି ନିଶ୍ଚିନ୍ତ ହୋଇ ଡାକିବାକୁ ଲାଗିଲେ, ଆବେ ରାମା ବୋପା ବେ । ଅନେକ କ୍ଷଣ ଡାକିବା ପରେ ଦୂରରୁ ଶୁଭିଲା, ଓ...ଓ...ଓ ।

 

—ଆ’ବେ ଜଲଦି...

 

ରାମା ବୋପା ଆସିଲା । ସମସ୍ତ ଘଟଣା ଶୁଣି ସେ ଧଡ଼ିଭାଇ ଗୋଡ଼ ଧରିବାକୁ ଯାଉଥିଲା । ଧଡ଼ିଭାଇ ତାକୁ ଧକ୍କା ମାରି କହିଲେ, ଏଇଠି ଥା ସକାଳ ହେଲେ ଯିବୁ । ଚାଲରେ ।

 

—ଧଡ଼ିଭାଇ ତୁମେ ଏଡ଼େ ମହତ୍ ! ମୁଁ ନ କହି ରହିପାରିଲି ନାହିଁ ।

 

—ମହତ ନା ଆଉ କିଛି ।

 

ଷ୍ଟେସନ ଛାଡ଼ି ଚାଲିଲୁ କଲେଜ ଆଡ଼େ । ରାତି ତିନିଟା । ରାସ୍ତାର ଦୁଇ କଡ଼ରେ ଶୋଇଛନ୍ତି ଅଖା ଘୋଡ଼ି ହୋଇ ଅସଂଖ୍ୟ ଭିକ୍ଷୁକ ।

 

ଜଣେ ବୃଦ୍ଧ ତାଙ୍କ ଭିତରେ ଚାଲିଛନ୍ତି । ପ୍ରତ୍ୟେକଙ୍କ ପାଖରେ ଛିଡ଼ା ହୋଇ ଏତେତେଣେ ଚାହିଁ ସେ ନଇଁପଡ଼ି କଅଣ ଯେପରି ଗୋଟାଇ ନେଉଛନ୍ତି । ନିଶ୍ଚୟ ବଦମାସ୍ । ଧଡ଼ିଭାଇଙ୍କ ଭଳି ମୋ ମନରେ ମଧ୍ୟ ପରୋପକାର ଇଚ୍ଛା ଜାଗିଲା । ଦୌଡ଼ିଗଲି ତାକୁ ଧରିବାକୁ । ବୃଦ୍ଧ ଦୌଡ଼ିବାକୁ ଆରମ୍ଭକଲା । ଧଡ଼ିଭାଇ ମୋତେ ଅଟକାଇ କହିଲେ, ସବୁ ସାଇଲୁ, ଆରେ ବୋକା, ବଦମାସ୍ ନୁହଁ, ଜଣେ ଅଭୂତ ଲୋକ । ମୁଁ ମଧ୍ୟ ପ୍ରଥମେ ତୋ ପରି ଭାବିଥିଲି; କିନ୍ତୁ ଦେଖିଲି ସେ ପ୍ରାୟ ଏମିତି ଆସି ପ୍ରତ୍ୟେକଙ୍କ ପାଖରେ ଗୋଟିଏ ଲେଖାଏଁ ଆଠଅଣି ରଖିଯାଆନ୍ତି ନୀରବରେ । ସେ କିଏ; କିନ୍ତୁ ମୁଁ ଜାଣେନି । ବହୁତ ଅନୁନୟ କଲେ ମଧ୍ୟ ସେ ପରିଚୟ ଦେଲେ ନାଇଁ ।

 

ଅଭିଭୂତ ହୋଇ ଅନାଇଁ ରହିଲି ।

 

—ଚାଲ, ସେଠି କିଏ କାନ୍ଦୁଚି ଦେଖିବା, ଧଡ଼ିଭାଇ ମୋତେ ଭିଡ଼ି ନେଇଗଲେ ।

 

ଗୋଟିଏ ଭିକ୍ଷୁକ ଶବ ପାଖରେ ତାର ଝିଅ ବସି କାନ୍ଦୁଚି । ଧଡ଼ିଭାଇ ତାକୁ ବୁଝାଇ ତାର କ୍ରନ୍ଦନ ବନ୍ଦକଲେ । ଅନ୍ୟାନ୍ୟ ଭିକ୍ଷୁକମାନଙ୍କୁ ଡାକିଲେ । ଶବଟି ବୋହିନେବାକୁ କେହି ରାଜି ହେଲେନାହିଁ ।

 

ଧଡ଼ିଭାଇ ଗୋଟିଏ ବାଉଁଶ ଆଣି ଶବଟିକୁ ବାନ୍ଧୁ ବାନ୍ଧୁ କହିଲା, ଗୋଡ଼ ପାଖରୁ ଧର୍ । ଦୁଇଜଣ ଶବଟିକୁ ବୋହି ବଜ୍ରକବାଟି ବାଟ ଦେଇ ଖାନ୍‍ନଗର ଶ୍ମଶାନ ଆଡ଼େ ଚାଲିଲୁ । ଏପରି ପରିସ୍ଥିତିରେ କେବେ ପଡ଼ିନାହିଁ । ଡର ଲାଗୁଥାଏ । ସବୁ ଭୂତ ପ୍ରେତ ଯେପରି ମୋ ସାଙ୍ଗେ ସାଙ୍ଗେ ଚାଲିଚନ୍ତି । ସେମାନଙ୍କର ନିଃଶ୍ୱାସ ମୁଁ ପିଠି କାନ୍ଧରେ ଅନୁଭବ କରିବାକୁ ଲାଗିଲି; କିନ୍ତୁ ଉପାୟ ନାହିଁ ।

 

ବାବା କବାଟ ଖୋଲ, ଶ୍ମଶାନରେ ଶବ ଥୋଇ ଧଡ଼ିଭାଇ ଡାକିଲେ ।

 

ଶ୍ମଶାନର ବାବାଜୀ ତାଟି ଖୋଲି ବାହାରିଲେ । ରାତିରେ ସେ ରୂପ ଦେଖି ମୁଁ ଡରିଗଲି-

 

କିଏ ? ବାବାଜୀ ବିକଟ ସ୍ୱରରେ ପଚାରିଲେ ।

 

—କେଜାଣି କିଏ ? ଭିଖାରୀଟିଏ ! ନିଅ ଟଙ୍କା, କାଠ ଦିଅ ।

 

ଓ, ଧଡ଼ିଭାଇ, ମଲା କହୁନା, ବାବାଜୀ ଉତ୍‍ଫୁଲ୍ଲ ହୋଇ କହିଲେ ।

 

ଚାବି ଆଣି କାଠ ଘର ଖୋଲି ବାବା କହିଲେ, ନିଅ କାଠ । ସଜାଡ଼ି ଦେବି ?

 

—ସଜାଡ଼ !

 

ବାବା ଗଞ୍ଜେଇ ଦଳିବାକୁ ଲାଗିଲେ ।

 

ଚିତା ସଜେଇ ଜାଣୁ ? ଧଡ଼ିଭାଇ ମୋତେ ପଚାରିଲେ ।

 

—ନାଇଁ, କେବେ କରିନାହିଁ ।

 

—ଛିଃ, କଅଣ ଜାଣୁ କେବେ ତୁ ? ଦେଖ, ମୁଁ କେମିତି କରୁଚି । ଶିଖି ରଖ । ପ୍ରଥମେ ଚୁଲି କରିବାକୁ ହେବ । ବେଶି ଗାତ ନୁହଁ, ତା’ହେଲେ କାଠ ଜଲଦି ଜଳିଯିବ, ଶବ ପଡ଼ିଥିବ ।

 

ଚୁଲି ଖୋଳି ଧଡ଼ିଭାଇ କାଠ ସଜାଡ଼ିବାକୁ ଲାଗିଲେ ।

 

ଏମିତି ହାଡ଼ୁଆ ଶବ ଜଳିବାକୁ ଢେର ଡେରି ଲାଗେ । ଦିହରେ ଚର୍ବି ନାହିଁ କି ନା । ଚର୍ବି ଥିଲେ ନିଆଁ ଧରାଇ ଦେଲେ ନିଶ୍ଚିନ୍ତ । ଶବ ଆପେ ଆପେ ଜଳିବ । ୟାକୁ ଜଗି ରହି ଜଳାଇବାକୁ ହେବ । କାଠ ବେଶି ଖର୍ଚ୍ଚ । ତେବେ ଚିତା ସଜାଇ ଜାଣିଲେ ଅନେକ ପରିଶ୍ରମ କମ୍ ପଡ଼େ, କାଠ ମଧ୍ୟ କମ୍ ଖର୍ଚ୍ଚ ହୁଏ ।

 

—ଏହାର ଗୋଟାଏ ନିୟମ ଅଛି ନା କଅଣ ? ଆଶ୍ଚର୍ଯ୍ୟ ହୋଇ ପଚାରିଲି ।

 

—ବାଃ ନାହିଁ ? କେଉଁଆଡ଼ୁ ପବନ ଆସୁଚି ଦେଖିବାକୁ ହେବ । ପବନ ବେଶି ହେଲେ କାଠ ହୁ ହୁ ଜଳିଯିବ । ପୁଣି ଜଳାଇବାବେଳେ ଯଦି ବେଶି ଧୂଆଁ ହୁଏ, ତେବେ ଶବ କାଳିଆ ପଡ଼ିଯିବ ପୋଡ଼ିବାକୁ ଭାରି କଷ୍ଟହେବ । ପୁଣି ଝୁଣା ପକାଇ କେଞ୍ଚି କଳା ଛଡ଼ାଇଲେ ଜଳିବ ।

 

ପ୍ରଥମେ ଦୁଇଟି ବଡ଼ ମୋଟା କାଠ ଆଣି ଚୁଲିର ଦୁଇ ପାଖରେ ରଖି ଧଡ଼ିଭାଇ କହିଲା, ଏହାରି ଉପରେ ସବୁ ନିର୍ଭରକରେ । ଦେଖିବାକୁ ହେବ ଏ ଯେମିତି ଜଲଦି ଜଳି ନଯାଏ । ତା ହେଲେ ସବୁ ଚିତା ଭୁଷୁଡ଼ି ପଡ଼ିବ ତଳେ । ପୁଣି ଉଠାଅରେ, ଶବକୁ ଅଲଗା ରଖରେ, କାଠ ସଜାଅରେ, ପୁଣି ତା ଉପରେ ଶବକୁ ଥୁଅରେ... ।

 

ଚିତା ସଜାଇ ଧଡ଼ିଭାଇ ଶବକୁ ଟେକି ତା ଉପରେ ଥୋଇଲା । ଶବ ଉପରେ ଦୁଇ ଚାରିଖଣ୍ଡ କାଠ ଥୋଇ ଦୁଇଟି ମୋଟ କାଠ—ଚାପୁଆଣି–ଦୁଇ—ପାଖରୁ ଡେରିଦେଲା । ତା’ପରେ କୁଟା ଆଣି ବାଉଁଶ ଅଗରେ ବାନ୍ଧି ସେଥିରେ ନିଆଁ ଲଗାଇ ଚିତାର ଚାରିପାଖ ତିନିଥର ବୁଲି ମୁଖାଗ୍ନି ଦେଲା । ଜଳନ୍ତା କୁଟାକୁ ଚୁଲିରେ ଗେଞ୍ଜି ସେ ସାନ ସାନ କାଠ ଦେଇ ଚୁଲି ଜଳାଇଲା । ବାବାଜୀକୁ କହିଲା ଉତ୍ତରପଟେ ଲୁଗା ମେଲାଇ ଧରିବାକୁ । ମୁଁ ଓ ବାବାଜୀ ଲୁଗା ମେଲାଇ ଧରି ପବନ ଅଟକାଇଲୁ । ଚିତା ଜଳିଲା ।

 

—ଇସ୍, ବାବା, ନିଆଁ ରଙ୍ଗ ଠିକ୍ ଅଛି !

 

—ଠିକ୍ ଅଛି, ଆସ, ବାବାଜୀ ସମଝଦାର ଭଳି କହିଲେ ।

 

—ବୁଝିଲୁ, ନିଆଁର ରଙ୍ଗ ଓ ଢଙ୍ଗରୁ ଜଣାଯିବ ଚିତା ହଇରାଣ କରିବ କି ନାଇଁ ।

 

—କେମିତି ?

 

—ଚିତା ଯଦି ଧୁ ଧୁ ହୋଇ ଜଳେ, ନିଆଁର ଶିଖା ବେଶି ଉପରକୁ ଉଠେ, ତାହେଲେ ଭାରି ଖରାପ । କାଠ ଆଗେ ଜଳିଯିବ ଶବ ପଡ଼ିଥିବ । ନିଆଁ ଯଦି ବେଶି ଉପରକୁ ନ ଉଠେ, ରଙ୍ଗ ଯଦି ହଳଦିଆ ହୁଏ, ତେବେ ଭଲ ।

 

ଚିତାରୁ ଟିକିଏ ନିଆଁ ଆଣି ବାବାଜୀ ଚିଲମରେ ନିଆଁ ଲଗାଇଲେ । ତା’ପରେ ଗୋଟିଏ ସୁଦୀର୍ଘ ଟାଣ ଦେଇ ଚିଲମ ଧଡ଼ିଭାଇ ହାତକୁ ବଢ଼ାଇ ଦେଲେ ।

 

ଚିତା ଗରମରେ ମୋତେ ଆରାମ ଲାଗିଲା । ସକାଳକୁ ଥଣ୍ଡା ବେଶି ପଡ଼ିଥିଲା । ଆଖିପତା ମୋର ଲାଗିଗଲା ।

 

—ତୁ ଶୋଇନୁ, ଶୁଅ ଏଇଠି, ଧଡ଼ିଭାଇ ମୋ ଦେହ ଆଉଁସି କହିଲା ।

 

ଶୋଇବାକୁ ଡର ମାଡ଼ୁଥାଏ । ଚାରିଆଡ଼େ ବିଲୁଆ କୁକୁରଙ୍କ ଚିତ୍କାର । ରାତ୍ରିର ନିଃଶ୍ୱାସ ଯେପରି ମୁଁ ଶୁଣିବାକୁ ପାଉଥାଏ ।

 

ଡର ମାଡ଼ୁଛି, ବାଧ୍ୟ ହୋଇ ଧଡ଼ିଭାଇ କାନରେ କହିଲି ।

 

—ପାଗଳ କିରେ, ଶ୍ମଶାନରେ ଡର କଅଣ ? ସହର ଭିତରେ ଯେତେ ଡର । ଡର ଏଠି କାଇଁରେ ? ଶୁଅ ମୋ କୋଳରେ ।

 

ଧଡ଼ିଭାଇଙ୍କ କୋଳରେ ମୁଣ୍ଡ ରଖି ଶୋଇପଡ଼ିଲି ।

 

ଯେତେବେଳେ ଉଠିଲି ପୂର୍ବ ଆକାଶରେ ସୁନ୍ଦରା ଫାଟିଲାଣି । ଅପୂର୍ବ ସେ ଦୃଶ୍ୟ । କେତେଥର ସକାଳେ ଏ ଦୃଶ୍ୟ ଦେଖିଚି; କିନ୍ତୁ ଶ୍ମଶାନରେ ଏହାର ଦୃଶ୍ୟ ମହାନ୍ ମନେ ହେଲା ।

 

ଚିତାର ନିଆଁ ଲିଭି ଆସିଲାଣି । ଧଡ଼ିଭାଇ ନିଆଁ ଭିତରେ ପାଉଁଶ କେଞ୍ଚି କଅଣ ଖୋଜୁଚି ।

 

କଅଣ ଖୋଜୁଛ ଧଡ଼ିଭାଇ, ପଚାରିଲି ।

 

—ସବୁ ଜଳିଯାଏ, କିନ୍ତୁ ଶଳା ଅଣ୍ଟା ହାଡ଼ଟା ଶେଷହେବାକୁ ଡେରି ଲାଗେ । ସେଟା କଉଠି ଅଛି ଖୋଜୁଚି ।

 

—କେମିତି ପାଇବ ଏଡ଼େ ଟିକିଏ ହାଡ଼ ଏ ନିଆଁ ଗଦାରୁ ?

 

—ଦେଖିବୁ ଆ ।

 

ବାଉଁଶରେ ସେ ନିଆଁ କେଞ୍ଚିବାକୁ ଲାଗିଲେ ।

 

—ସବୁ ନିଆଁ ହଳଦିଆ ଦିଶୁଚି । କିନ୍ତୁ ସେ ଟିକକ ଯେଉଁଠି ଥିବ ନେଳି ଦିଶିବ ।

 

କେଞ୍ଚୁ କେଞ୍ଚୁ ଟିକିଏ ନେଳି ନିଆଁ ଦେଖି ସେ କହିଲେ, ଇରେ, ଏଇଠି, ରହମ କୁଆଡ଼େ ଯିବୁ । ସବୁ ଶେଷ କରିଯିବି ।

 

ସବୁ ଶେଷ କରି ଧଡ଼ିଭାଇ ଦାର୍ଶନିକ ଭଳି ବିଡ଼ି ଟାଣିବାକୁ ଲାଗିଲା ।

 

ଆଜି ମୋର ବି. ଏ. ପରୀକ୍ଷା । କିଛି ପଢ଼ିନାହିଁ ।

★★★

 

ପକ୍ଷାଘାତ

 

ଦୁର୍ଯ୍ୟୋଧନ ବାବୁ ବର୍ତ୍ତମାନ ସବୁବେଳେ ବାହାର ବାରନ୍ଦାରେ ପଡ଼ିଥିବା ଖଟ ଉପରେ କାନ୍ଥକୁ ଡେରି ହୋଇ ପଡ଼ିଥାଆନ୍ତି । ପିଠିଆଡ଼େ ତାଙ୍କର ଗୋଟାଏ ତେଲଚିକିଟା ଛିଣ୍ଡା ତକିଆ । ବଲ ବଲ କରି ଆକାଶକୁ ଚାହିଁ ସେ ପାନ ପାକୁଳି କରୁଥାଆନ୍ତି । କଥା କହିବାର ଶକ୍ତି ନାହିଁ, କି ଉଠିବାର ମଧ୍ୟ ଶକ୍ତି ନାହିଁ । ପକ୍ଷାଘାତ-ରୋଗୀ ସେ । କେତେବେଳେ କାହାର ଇଚ୍ଛା ହେଲେ ଖଣ୍ଡେ ପାନ ଦେଇଯାଏ, ତକିଆଟାକୁ ସଜାଡ଼ି ଦେଇ ଯାଏ ବା କଅଣ ଟିକିଏ କରିଦେଇଯାଏ । ଘରର ସମସ୍ତେ ତାଙ୍କ ଉପରେ ବର୍ତ୍ତମାନ ବିରକ୍ତ । ତାଙ୍କ ପରିବାରର ଅନ୍ୟମାନଙ୍କ ସହିତ କ୍ଷୀଣ ଦୈହିକ ସଂଯୋଗ ଥିଲେହେଁ, ମାନସିକ ସଂଯୋଗ ଆଦୌ ନାହିଁ । ଏ ଯୁଗର ହଠାତ୍ ଧନୀ ଓ ପାଶ୍ଚାତ୍ୟ ସଭ୍ୟତାର ପୂଜାରୀ-ପରିବାର ଘରେ କୌଳିକ ଦେବତାର ଅବସ୍ଥା ଯେପରି ବହିଷ୍କୃତ ନୁହେଁ, ପରିତ୍ୟକ୍ତ ।

 

ପଞ୍ଚାବନ ବର୍ଷ ବୟସରେ ପେନ୍‍ସନ୍ ନେବାର ଠିକ୍ ତିନିଦିନ ପରେ ଏ ଅବସ୍ଥା ତାଙ୍କର ଘଟିଲା । ଦୀର୍ଘ ତିରିଶ ବର୍ଷ ଧରି ସେ ଚାକିରି କରି ପେନ୍‍ସନ୍‍ ନେଲେ । ଚାକିରି ତାଙ୍କର ଆରମ୍ଭ ଖୁବ୍ ତଳରୁ, କିନ୍ତୁ ଶେଷ ଯେତେବେଳେ କଲେ, ସେତେବେଳେ ଥିଲେ ସେ ଅତି ଉଚ୍ଚ ଆସନରେ-। କ୍ଷମତା, ପ୍ରତିପତ୍ତି, ସମ୍ମାନ ଓ ଅର୍ଥ ସେ ଚାକିରି ଜୀବନରେ ପାଇଥିଲେ ପ୍ରଚୁର-ତଥାପି ପେନ୍‍ସନ୍ ଯେତେବେଳେ ନେଲେ, ସେତେବେଳେ ସେ କାନ୍ଦି ପକାଇଲେ । ପେନ୍‍ସନ୍ ନେବା ପରମୁହୂର୍ତ୍ତଠାରୁ ତାଙ୍କ ସହିତ ଅଇଣ୍ଠୁ ସାହୁ ବା ନିଧି ମଳିକର ଯେପରି କୌଣସି ପ୍ରଭେଦ ନାହିଁ ଏହିପରି ତାଙ୍କର ମନେହେଲା । ଯେଉଁ କଚେରିରେ ସେ ବର୍ଷ ବର୍ଷ ଧରି ହାକିମି କରି ଆସିଛନ୍ତି, ସଲାମ ପାଇ ଆସିଛନ୍ତି, ଆଜି ସେ କଚେରିକୁ ଗଲାବେଳେ କେହି ଟିକିଏ ଉଠି ଛିଡ଼ାହେଲେନାହିଁ, ତାଙ୍କ ଆଡ଼କୁ ଫେରି ଚାହିଁଲେ ବି ନାହିଁ । ଅଥଚ କେହି କେହି ଜାଣିଶୁଣି ତାଙ୍କୁ ଅସମ୍ମାନ ଦେଖାଇବା ଉଦ୍ଦେଶ୍ୟରେ ହତାଦର କଲେ ତା ନୁହଁ, ତାଙ୍କର ସମ୍ମାନ ଥିଲା ଏକାନ୍ତ ଭାବରେ ପଦବୀ ସହିତ ଜଡ଼ିତ । ତା ବାହାରେ ମଧ୍ୟ ପରିଚୟ କିଛି ନଥିଲା । ଆଜି ସେ ପଦବୀ ଯିବା ପରେ କେବଳ ମାତ୍ର ଜଣେ ସାଧାରଣ ନାଗରିକ । କଚେରିରେ ଅହେତୁକ ଘୂରି ଘୂରି ସେ ଘରକୁ ଫେରିଲେ, ମନ ତାଙ୍କର ବ୍ୟାକୁଳ ହୋଇ ଉଠିଲା, ହାହାକାର କରି ଉଠିଲା । ‘‘ମୁଁ ତେବେ କିଏ ବର୍ତ୍ତମାନ ? କଅଣ ନିଜର ପରିଚୟ ବର୍ତ୍ତମାନ ? ମୋର ସମସ୍ତ ପରିଚୟ ମଧ୍ୟ ଅତୀତ, ଅବସର ପ୍ରାପ୍ତ ? ବ୍ୟାକୁଳ ଭାବରେ ସେ ପ୍ରଶ୍ନ କରି ବିଛଣା ଉପରେ ପଡ଼ିରହି ଚାରିଆଡ଼େ ଚାହିଁ, ଆକ୍ଷି ତାଙ୍କର ଛଳ ଛଳ ହୋଇଗଲା । କିଏ ଡାକିଲାପରି ସ୍ୱର, ତାଙ୍କର ସେଇ ପୂର୍ବ ପରିଚିତ ଡାକରେ, ସାହେବ ଆଦିମ୍ ସଲାମ୍ ଦିଆ ହେ । ସେ ଧଡ଼ପଡ଼ କରି ଉଠିଲେ, କେହି ନାହିଁ । ସେତେବେଳେ ତାଙ୍କର ମନେହେଲା ଅବସରପ୍ରାପ୍ତ ଜଣେ କର୍ମଚାରୀ । ଅବଶ୍ୟ କେହି ନାହିଁ ତାଙ୍କ ସହିତ, ଆଉ କେହି ଆସିବେ ନାହିଁ ଦେଖା କରିବାକୁ, ସଲାମ ଦେବାକୁ । ସେ ପଡ଼ି ରହିଲେ ବିଛଣାରେ-

 

ଦୁଇ ଦିନ ଭିତରେ ସେ କଳାକାଠ ପଡ଼ି ଶୁଖିଗଲେ । ତୃତୀୟ ଦିନ ଖରାବେଳେ ସେ ବାହାରକୁ ଯିବାବେଳେ ଗୋଡ଼ ଖସିଯିବାରୁ ପଡ଼ିଗଲେ । ଉଠିବାକୁ ଚେଷ୍ଟାକଲେ । ଗୋଡ଼ରେ ଶକ୍ତି ନାହିଁ । ପାଟିକରି ଡାକିବାକୁ ଚେଷ୍ଟା କଲେ, କିନ୍ତୁ ପାଟି ଖୋଲିଲା ନାହିଁ । ବୁଝିପାରିଲେ ଯେ ହଠାତ୍ ପକ୍ଷାଘାତ ତାଙ୍କୁ ଆକ୍ରମଣ କଲା । ଦୁଇ ଓଠ ତାଙ୍କର ଥରି ଉଠିଲା, ଆଖିରୁ ତାଙ୍କର ଝର ଝର ହୋଇ ଲୁହ ବୋହି ଛାତି ଭସାଇ ଦେଲା । ସରକାର ତାଙ୍କର ସବୁ ଶୋଷିନେଇଚି ଦୀର୍ଘ ତିରିଶ ବର୍ଷ ଖଟାଇ ଖଟାଇ । ଏକଦମ୍ କାଙ୍ଗାଳ କରିଦେଇଚି । ଯିଏ ଦିନେ ମାସକୁ ପାଞ୍ଚ ହଜାର ଟଙ୍କା ପାଉଥିଲେ, ସେ ଆଜି ଦି-କଡ଼ାର ବି ନୁହନ୍ତି ।

 

ଘରେ ତାଙ୍କର ସେତେବେଳେ କେହି ନଥାନ୍ତି । ସ୍ତ୍ରୀ ତାଙ୍କର ଦ୍ୱିତୀୟ ପକ୍ଷର—ବୟସର ତଫାତ୍ ପନ୍ଦର ବର୍ଷ । ବିବାହବେଳେ ସେ ଥିଲେ ଅତି ଲଜ୍ଜାବତୀ, ମଫସଲି ଢଙ୍ଗର । ଏକା ଖଟରେ ଶୋଇବାବେଳେ ବି ସେ ପଡ଼ି ରହୁଥିଲେ ନିସ୍ପୃହଭାବରେ, ଖଣ୍ଡେ କାଠଭଳି । ଦୁର୍ଯ୍ୟୋଧନ ବାବୁହିଁ ତାଙ୍କୁ ନବ୍ୟା କହିଲେ, ଦେହ ଓ ମନରେ । ଆଜିକାଲି ସେ ଖୁବ୍ ଅଳ୍ପ ସମୟ ପାଇଁ ଘରେ ରହନ୍ତି । ମଟର ନେଇ ସବୁବେଳେ ବୁଲୁଥାନ୍ତି ଏଠି ସେଠି ଏବଂ ଅନେକ ରାତିରେ ଯେତେବେଳେ ସେ ଶୁଅନ୍ତି ସେତେବେଳେ ଅନେକ ମିଛ ଓ ସତ କଥା ବାବୁଙ୍କ ଘର ଭିତରକୁ ପଶିଆସେ । କିଏ କହିଛନ୍ତି, ମୋ ପାଁସା ବୋଧହୁଏ, ନାରୀର ସୁପ୍ତ ଅଭିଳାଷ ଜଗାଇବା ଅନୁଚିତ, ଥରେ ଜାଗିଲେ ତାହା ଗତିରୋଧ କରିବା ଅସମ୍ଭବ । ଏହାର ସତ୍ୟତା କେତେଦୂର ସାତ୍ତ୍ୱିକମାନେ କହିବେ କିନ୍ତୁ ଦିନେ ଦୁର୍ଯ୍ୟୋଧନ ସହିତ ତାଙ୍କର ଏହି ସବୁ ବିଷୟରେ ବାଦାନୁବାଦ ହେଲା । ସେ ନିଜେହିଁ କହିଲେ, କିଏ କହିଥିଲା ମୋତେ ବାହାରିବାକୁ, ସମସ୍ତଙ୍କ ସହିତ ମିଶିବାକୁ, ମଦ ଖାଇବାକୁ ଶୁଣେ-? ବର୍ତ୍ତମାନ କାହିଁକି ମୋତେ ଭାଗବତ ଶୁଣାଉଚ ? ତୁମେ ବୁଢ଼ା, ମୁଁ ବୁଢ଼ୀ । ମୋତେ ଯଦି କେବଳ ପୁତ୍ରାର୍ଥେ ଭାର୍ଯ୍ୟା କରିଥାଆନ୍ତ, କଥା ଭିନ୍ନ ହୋଇ ଥାଆନ୍ତା । ତୁମେ କଲ ମୋତେ ତମର.... ତୁମେ ବୁଢ଼ା, କିନ୍ତୁ ମୁଁ ନୁହଁ, ତୁମକୁ କହିଥିଲି, ନାରୀର ଇଚ୍ଛା ଯଦି ଜାଣ ସମ୍ଭାଳି ପାରିବନାହିଁ ଦୁର୍ଯ୍ୟୋଧନ ବାବୁ ।

 

ପୁଅ ତାଙ୍କର ତିନୋଟି । ଜୀବନ କ୍ଷଣସ୍ଥାୟୀ ମରଣଶୀଳ ସତ; କିନ୍ତୁ ଜୀବନପ୍ରବାହ ଚିରନ୍ତନ, ଅମର । ପିତା ମାତା ଉତ୍ପାଦନ କରନ୍ତି ସନ୍ତାନ-ସନ୍ତତି । ପୁଣି ସେମାନେ ଦିନେ ପିତାମାତା ହୋଇ ସନ୍ତାନ-ସନ୍ତତି ଉତ୍ପାଦନ କରନ୍ତି । ଜୀବନ ପରେ ଜୀବନ ଯାଏ; କିନ୍ତୁ ଜୀବନପ୍ରବାହ ନିରନ୍ତର ହିଁ ଚାଲିଥାଏ । ମୃତ୍ୟୁ ଅମର ହୁଏ । ପୁରୁଷ ଓ ସ୍ତ୍ରୀର ପ୍ରେମ ମଧ୍ୟରେ ନିୟମର ପ୍ରକାଶମାତ୍ର । ପିତା ଅମର ହୁଏ ପୁତ୍ର ମାଧ୍ୟମରେ ।

 

କିନ୍ତୁ ଅମରତ୍ୱ କଅଣ ? କେବଳ ଜୀବନ ପରେ ଜୀବନର ଦୈହିକ ସୃଷ୍ଟି ? ମୁଁ କଅଣ ମୋର ପୁତ୍ରମାନଙ୍କ ମଧ୍ୟରେ ଅମର ହୋଇ ରହିବି ?

 

ସେଦିନ ଛିଣ୍ଡା ତକିଆକୁ ଡେରି ସେ ଭାବୁଥାନ୍ତି ସେଇ କଥା । ପାନଖଣ୍ଡକ ପାଟିରୁ କେତେବେଳୁଁ ସରିଲାଣି । ଆଉ ଖଣ୍ଡେ ଦେବାପାଇଁ କେହି ନାହାନ୍ତି କିମ୍ୱା କେହି ଆସୁନାହାନ୍ତି ପାଖକୁ ଯେ, ସଙ୍କେତଦ୍ୱାରା କାହାକୁ କହିବେ । ଅଟ୍ଟାଳିକା ଭଳି ଘର କରିଚନ୍ତି ସେ; କିନ୍ତୁ ପଡ଼ିଥାଆନ୍ତି ଗୁହାଳକୁ ଲାଗି ବାହାର ପିଣ୍ଡାରେ । ସ୍ତ୍ରୀ ପ୍ରାୟ ଏକଘଣ୍ଟା ହେବ ସଜବାଜ ହେଉଛନ୍ତି ବାହାରକୁ ଯିବାକୁ । ତାଙ୍କର ସାଜଘରୁ ଭାସିଆସୁଚି ତାଙ୍କ ଗୁଣୁ ଗୁଣୁ ଗାନ ଓ ଅତରର ସୁଗନ୍ଧ । କିଛିକ୍ଷଣ ପରେ ସେ ଚାଲିଗଲେ ସୌନ୍ଦର୍ଯ୍ୟ ମୁଣା ହଲାଇ ହଲାଇ, ସମସ୍ତ ମାଂସଳ ଅଙ୍ଗରେ ତରଙ୍ଗ ଖେଳାଇ । ତାଙ୍କ ଆଡ଼େ ଥରେ ଚାହିଁଲେ ବି ନାହିଁ ।

 

ଦୁର୍ଯ୍ୟୋଧନ ବାବୁଙ୍କ ଦେହ ଥରି ଉଠିଲା ଅସହ୍ୟ ମାନସିକ ଯନ୍ତ୍ରଣାରେ । ଚିତ୍କାର କରିବାକୁ ଚେଷ୍ଟାକଲେ; କିନ୍ତୁ ପାରିଲେ ନାହିଁ, କେବଳ ଗଁ ଗଁ ଶବ୍ଦ ନିର୍ଗତ ହେଲା ।

 

ଏହି ସମୟରେ ପ୍ରବେଶ କଲେ ତାଙ୍କ ବଡ଼ ପୁଅ । ଦୁର୍ଯ୍ୟୋଧନ ବାବୁ ମନେ ମନେ ଟିକିଏ ହସିଲେ ଓ ମନେ ମନେ କହିଲେ, ଆସିଗଲେ ନେତା !

 

ଦୁର୍ଯ୍ୟୋଧନ ବାବୁଙ୍କ ବଡ଼ପୁଅ ନେତା ହୋଇନାହାନ୍ତି; କିନ୍ତୁ ଦ୍ରୂତଗତିରେ ଆଗେଇ ଚାଲିଚନ୍ତି ନେତା ହେବାକୁ । ନାନା ଅସତ୍ ଉପାୟରେ ସେ ପ୍ରଚୁର ଅର୍ଥ ଉପାର୍ଜନ କରିଛନ୍ତି, କରୁଛନ୍ତି । ନାନା ପେଞ୍ଚ ଓ କୁଟନୀତି ପ୍ରୟୋଗ କରି ସେ ଧାପେ ଧାପେ ଉଠି ଚାଲିଚନ୍ତି ନେତା ହେବାପାଇଁ ।

 

ସେ ଆସିଲେ ଓ ତାଙ୍କ ପଛେ ପଛେ ଆସିଲେ ଆଉ ଦୁଇଚାରିଜଣ । ଜଣେ ହାତରେ କ୍ୟାମେରା ଧରିଛନ୍ତି । ଦୁର୍ଯ୍ୟୋଧନ ବାବୁଙ୍କ ଆଡ଼େ ଟିକିଏ ଚାହିଁ ମୁରୁକି ହସି ଗୋଡ଼ ଘଷିହେବାକୁ ଲାଗିଲେ । ହଠାତ୍ ଏ ପରିବର୍ତ୍ତନ ଦେଖି ଦୁର୍ଯ୍ୟୋଧନ ଚମକି ପଡ଼ିଲେହେଁ କୃତଜ୍ଞତାରେ ତାଙ୍କ ଆଖିରୁ ପାଣି ଝରିପଡ଼ିଲା । ସେ ଗୋଡ଼ ଘଷି ଦେଉଥିବା ଅବସ୍ଥାରେ କ୍ୟାମେରାବାଲା ଜଣକ ଫଟ ଉଠାଇ ନେଲେ । ତା’ପରେ ସେ ହସି କହିଲେ, ମୁଁ ବର୍ତ୍ତମାନ ଆସୁଚି ବାପା, କିଛି କଷ୍ଟ ନାହିଁ ତ ।

 

ଦୁର୍ଯ୍ୟୋଧନ ବାବୁ ମୁଣ୍ଡ ହଲାଇ ଜଣାଇଲେ ‘ନା’ । ସମସ୍ତେ ଚାଲିଗଲେ । ତେବେ ପିତୃଭକ୍ତିର ଫଟ ଉଠାଇବାକୁ ଆସିଥିଲେ ପୁଅ ।

 

ଏ ମୋର ପୁଅ; କିନ୍ତୁ ମୋର ଚରିତ୍ରର ଗୋଟାଏ ଦିଗର ମୂର୍ତ୍ତି ସେ । ମୁଁ ଯେବେ ଧନଲୋଭରେ ନାନା ଅସଦୁପାୟ ଆଚରଣ କରୁଥିଲି, ନାନା କୂଟନୀତିଦ୍ୱାରା ଚାକିରିକ୍ଷେତ୍ରରେ ଦ୍ରୂତ ଉପରକୁ ଉଠି ଚାଲିଥିଲି, ଏ ପୁତ୍ର ମୋର ସେଇ ସମୟର, ମୋର ଗୁପ୍ତ ଚରିତ୍ରର ଏକ ପ୍ରକାଶ୍ୟ ମୂର୍ତ୍ତି । ଅତଏବ ତାର କିଛି ଦୋଷ ନାହିଁ । ମୋର ସଂପୂର୍ଣ୍ଣ ଦୋଷ । ଦୁର୍ଯ୍ୟୋଧନ ବାବୁଙ୍କ ଆଖିରୁ ପୁଣି ପାଣି ଝରିପଡ଼ିଲା, ପୁଣି ସେ ଗଁ ଗଁ କରି ଉଠିଲେ । ଅସ୍ଥିର ଭାବରେ ସେ ମୁଣ୍ଡ ଛିଣ୍ଡା ତକିଆ ଉପରେ ଏପାଖ ସେପାଖ ଚଳାଇବାକୁ ଲାଗିଲେ ।

 

ଏହି ସମୟରେ ପ୍ରବେଶ କଲେ ତାଙ୍କର ମଝିଆଁ ପୁଅ ଟଳି ଟଳି, ହାତରେ ମଦ ବୋତଲ ଧରି । ବାପାଙ୍କୁ ଦେଖି ସେ ସାଷ୍ଟାଙ୍ଗ ପ୍ରଣିପାତ କରି କାନ୍ଦି ପକାଇ କହିଲେ, ବାପା, ଆଜି ସକାଳୁ ମୁଁ, ବେଶି ନୁହଁ, ଗୋଟିଏ ମାତ୍ର ବୋତଲ ପିଇଚି । ଆଉ ଅଛି, ନେବେ ଟିକିଏ ନିଅନ୍ତୁ, ଭାରି ଆରାମ ଦେବ । ଦୁର୍ଯ୍ୟୋଧନ ବାବୁ ସେମିତି ବଲ ବଲ କରି ଚାହିଁଥାନ୍ତି, ପୁତ୍ର ପିତାଙ୍କୁ ଅନୁରୋଧ କରୁଚି ଟିକିଏ ପିଇବାକୁ ମଦ । ଦୁର୍ଯ୍ୟୋଧନ ବାବୁ ମୁଣ୍ଡ ଟୁଙ୍ଗାରି କହିଲେ, ହଁ । ହାଃ ହାଃ ହାଃ ହାଃ–ପୁତ୍ର ଲହରାଇ ଲହରାଇ ହସୁ ହସୁ ଟଳି ଟଳି ଚାଲିଗଲେ ।

 

ଦୁର୍ଯ୍ୟୋଧନ ବାବୁ ଭାବିବାକୁ ଲାଗିଲେ, ଏ ମଧ୍ୟ ମୋର ଚରିତ୍ରର ଆଉ ଏକ ପ୍ରକାଶ୍ୟ ମୂର୍ତ୍ତି । ମୁଁ ମଧ୍ୟ ଦିନେ ଘରର ଆଗରେ ମଦ ପିଉଥିଲି ଏବଂ ମାତାଲ ହେଉଥିଲି । ମୁ ହିଁ ଦିନେ କହୁଥିଲି, ମଦ ପିଇବା କିଛି ଖରାପ ନୁହଁ, ସବୁ ସଭ୍ୟଦେଶରେ ସମସ୍ତ ପରିବାର ବସି ମଦ ପାନକରନ୍ତି । ସେହି ମୁଁ ଆଜି ପୁତ୍ରରୂପରେ ଦେଖାଦେଇଚି, ମୋର ଚରିତ୍ରର ସେଇ ଦିଗଟି ମୂର୍ତ୍ତି ପାଇଚି ।

 

ଦୁର୍ଯ୍ୟୋଧନ ବାବୁ ଗଁ ଗଁ କରି ଉଠିଲେ ପୁଣି ହାତ ଉପରକୁ ଉଠାଇ; କାହାକୁ ଧରିବାକୁ ଚେଷ୍ଟାକଲେ; କିନ୍ତୁ ପାରିଲେନାହିଁ । ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ । ନିଜ ହାତରେ ନିଜର ବେକ ଟିପି ଆତ୍ମହତ୍ୟା କରିବାକୁ ଚେଷ୍ଟାକଲେ; କିନ୍ତୁ ପାରିଲେ ନାହିଁ ।

 

ଏତେ ବଡ଼ ଘର, କିନ୍ତୁ ଶୁନ୍‍ଶାନ୍‍ ଚାରିଆଡ଼, କେହି କେଉଁଠି ନାହାନ୍ତି । ସମସ୍ତେ ଯେ ଯା’ର ପ୍ରବୃତ୍ତି ମାର୍ଗ ଧରି କିଏ କୁଆଡ଼େ ଯାଇଛନ୍ତି, ଫେରିବେ ଅନେକ ରାତିରେ । ସେତେବେଳ ପର୍ଯ୍ୟନ୍ତ ସେ ଏକା, ନିହାତି ଏକା । ଅନ୍ତରେ ବାହାରେ ଏକା ।

 

ମନ ତାଙ୍କର ହାହାକାର କରିଉଠିଲା । ଦିନ ଥିଲା ଯେବେ ସେ ଦେହର ନାନା କ୍ରିୟାରୁ ଜାତ ନାନା ଇଚ୍ଛାକୁ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ଦେଇଥିଲେ ଏବଂ ଚରିତାର୍ଥ କରିଥିଲେ । ଦେହଦ୍ୱାରା କୌଣସିଭାବେ ପ୍ରଭାବିତ ନହୋଇ ଶୁଦ୍ଧଚିନ୍ତା ସେ ଥାଇପାରେ ସେ କଥା ସ୍ୱୀକାର କରୁ ନଥିଲେ । ଆଜି ସେ ଭାବୁଚନ୍ତି ପ୍ରଥମଟି ବ୍ୟକ୍ତି ଓ ସମାଜ ପକ୍ଷରେ ଅମଙ୍ଗଳଜନକ, ଧ୍ୱଂସକାରକ ଏବଂ ଦ୍ୱିତୀୟଟି ଉଭୟଙ୍କ ପକ୍ଷରେ ମଙ୍ଗଳକାରକ; କିନ୍ତୁ ଲେଡ଼ିଗୁଡ଼ କହୁଣିକି ଗଡ଼ି ଗଲାପରେ ଆଉ କି ଉପାୟ ଅଛି । ସେ କୌଣସିମତେ, ବହୁ ଯନ୍ତ୍ରଣା ପାଇଲେ ମଧ୍ୟ, ଦୁଇ ହାତ ଯୋଡ଼ି ନମସ୍କାର କଲେ ।

 

ନମସ୍କାର କରନ୍ତୁ ବାପା, ସେଇ ଏକମାତ୍ର ସହାୟ, ଆଶା ସାର୍ଥକତା, ଆଉ ସବୁ ବ୍ୟର୍ଥ, କହୁ କହୁ ପ୍ରବେଶ କଲେ ଦୁର୍ଯ୍ୟୋଧନ ବାବୁଙ୍କ ୩ୟ ପୁତ୍ର । ପିନ୍ଧିଛନ୍ତି ଗେରୁଆ ଖଣ୍ଡେ ଲୁଗା ଓ ଚାଦର । ଖୁବ୍ ମେଧାବୀ ଛାତ୍ର ଥିଲେ ସେ; କିନ୍ତୁ କଲେଜରେ ପଢ଼ୁ ପଢ଼ୁ ସେ ସନ୍ନ୍ୟାସୀ ହୋଇ ଚାଲିଯାଇଥିଲେ । ସେ ଆଜିକି ପାଞ୍ଚ ବର୍ଷ ଆଗର କଥା । ସେତେବେଳେ ଦୁର୍ଯ୍ୟୋଧନ ବାବୁ ଓ ସମସ୍ତେ ସିଦ୍ଧାନ୍ତ କରିଥିଲେ ସେ କୁଳର କଳଙ୍କ । ଦୁର୍ଯ୍ୟୋଧନ ବାବୁ ସେଇଦିନୁ ଲଜ୍ଜାରେ ୩ୟ ପୁତ୍ରର ନାମ ମଧ୍ୟ କାହାରି ଆଗେ ଉଲ୍ଲେଖ କରନ୍ତି ନାହିଁ, କେହି ଉଠାଇଲେ ଲଜ୍ଜିତ, ଅପମାନିତ ମନେ କରନ୍ତି ।

 

ଆଜି କିନ୍ତୁ ସେ ପୁଅକୁ ଦେଖି ସେ ମନରେ ଅଶେଷ ବଳ ଓ ସାନ୍ତ୍ୱନା ପାଇଲେ; କିନ୍ତୁ ଆଶ୍ଚର୍ଯ୍ୟ ହେଲେ ଭାବି, ଯେ ଏ ପୁତ୍ର ମୋର କିପରି ଜନ୍ମ ହେଲା । ତେବେ କଅଣ ବାହାରର ସବୁ ପଶୁ-ପ୍ରବୃତ୍ତି ଭିତରେ ଗୋଟିଏ କ୍ଷୀଣ ଶୁଦ୍ଧ ଚିନ୍ତା ଲୁକ୍‍କାୟିତ ଥିଲା !! କାହିଁ, ମୁଁ ତ କେବେ ତାର ସନ୍ଧାନ ପାଇନି । ଏଇ କଅଣ ତେବେ ଅମରତ୍ୱ । ଓଃ ! ମୁଁ କି ଭୁଲ କରିଚି !

 

ଦୁର୍ଯ୍ୟୋଧନ ବାବୁଙ୍କ ୩ୟ ପୁତ୍ର ବାପାଙ୍କ ଦେହ ଆଉଁଷି ଦେଉଦେଉ କହିଲେ, ‘‘ବାପା ! କ୍ଷମତା, ପ୍ରତିପତ୍ତି, ଉଚ୍ଚାସନ, ମାନ, ସମ୍ମାନ ପାଇବା ପୂର୍ବରୁ ବ୍ୟକ୍ତିଗତ ଶୋଧନ ଦରକାର; ତାହା ଯାହାର କରିବାର ଇଚ୍ଛା ବା କ୍ଷମତା ନାହିଁ, ସେ ସାଧାରଣ ଲୋକଭାବରେ ରହିବା ଉଚିତ । ତା ନହେଲେ ସେ ଯେତେ ବୁଦ୍ଧିମାନ୍ ହେଉନା କାହିଁକି ସମାଜର ଘୋର ଅମଙ୍ଗଳ କରିବ ।’’

 

ଦୁର୍ଯ୍ୟୋଧନ ବାବୁଙ୍କ ଇଚ୍ଛା ହେଲା ଏ ପୁତ୍ର ପାଖରେ ଜୀବନର ସବୁ ଦୋଷ, ସବୁ ଦୁର୍ବଳତା ଖୋଲି କହିଦେବାକୁ, କହିବାର ଚେଷ୍ଟାରେ ଓଠ ତାଙ୍କର ଥରି ଉଠିଲା । ଆଖିରୁ ତାଙ୍କର ପାଣି ବାହାରି ପଡ଼ିଲା । ଅସ୍ଥିରଭାବରେ ସେ ମୁଣ୍ଡ ହଲାଇବାକୁ ଲାଗିଲେ ।

 

ବାପାଙ୍କୁ ଆଉଁଷି ଦେଉ ଦେଉ ସେ କହିଲେ, ବାପା ! ଆପଣ ଯାହା କହିବାକୁ ଚେଷ୍ଟା କରୁଛନ୍ତି ମୁଁ ଜାଣେ । ଭୁଲ କିଛି ନାହିଁ, ଅବଶ୍ୟ ଦୈହ୍ୟିକ କ୍ରିୟାରୁ ଜାତ ଇଚ୍ଛାକୁ ପ୍ରାଧାନ୍ୟ ଓ ସ୍ୱାଧୀନତା ଦେବା ହିଁ ଅନୀତି । ଯେଉଁ ଅଭୂତ ନିୟମରେ ବା ଯାହାର ଇଚ୍ଛାରେ କୋଟି କୋଟି ବ୍ରହ୍ମାଣ୍ଡ ପ୍ରତି ମୁହୂର୍ତ୍ତରେ ସୃଷ୍ଟି ହୋଇ ପ୍ରତିମୁହୂର୍ତ୍ତରେ ବିଲୟ ହେଉଚି, ତାଙ୍କ ଚିନ୍ତାହିଁ ଶୁଦ୍ଧ ଚିନ୍ତା । ଆପଣ ସେ ଚିନ୍ତା କରି ନାହାନ୍ତି ବୋଲି ବ୍ୟସ୍ତ ହୁଅନ୍ତୁ ନାହିଁ, ବର୍ତ୍ତମାନ ମଧ୍ୟ ସମୟ ଅଛି । ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବେଳ ଅଛି ।

 

ଦୁର୍ଯ୍ୟୋଧନ ବାବୁ ପୁଣି ଥରେ ବହୁ କଷ୍ଟରେ ଦୁଇହାତ ଯୋଡ଼ି ନମସ୍କାର କଲେ ।

Image